‘ଗଭୀର ରାଷ୍ଟ୍ର’

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଆଧୁନିକତାର ବିବର୍ତ୍ତନ ସହିତ ଆବଶ୍ୟକତା ଅନୁସାରେ କେବଳ ଯୋଡ଼ିଏ ନୀତି ବଦଳି ଚାଲିଚନ୍ତି, ରାଜନୀତି ଓ ଅର୍ଥନୀତି। ସମାଜର ଯେ ଏକ ନୀତି ଲୋଡ଼ା, ବ୍ୟକ୍ତିର ବ୍ୟକ୍ତିଗତ ଓ ସାମୂହିକ ଜୀବନ ପାଇଁ ଏକ ନୀତି ଲୋଡ଼ା, ଏ ଆବଶ୍ୟକତା ଅନୁଭୂତ ହୋଇନାହିଁ, କାରଣ ଆଧୁନିକ ବିଶ୍ବର ମଣିଷ ପାଇଁ କେବଳ ବିତ୍ତ ଓ ପ୍ରତିପତ୍ତିକୁ ମୁଖ୍ୟ ବୋଲି ଧରି ନିଆଯାଇଚି। ଜୀବନ ଜିଇବାର କଳାକୁ ଅର୍ଥ ଓ ମହତ୍ତର ଅଭୀପ୍‌ସାକୁ ପରମାର୍ଥ କହୁଥିବା ଭାରତୀୟ ସଭ୍ୟତାର ମୂଲ୍ୟବୋଧ ଓ ମାନଦଣ୍ତ ଦୁଇଟାଯାକ ଆଧୁନିକ ବିଶ୍ବର ପରିଚାଳନା ବ୍ୟବସ୍ଥାରେ ଅସାର ହୋଇଯାଇଚନ୍ତି, ଯଦି କିଛି ବ˚ଚିଯାଇଥାଏ ତାହା ଭାରତୀୟମାନଙ୍କ ଅଚେତନରେ ରହିଯାଇଥିବା ସଭ୍ୟତାର ଜାତୀୟ ସ୍ମୃତି, ୟାକୁ ଖୋଳି ଦେଖିବାର ଅବକାଶ ନାହିଁ, କିନ୍ତୁ ଇଏ ଏବେ ବି ଅଛି। ଭାରତୀୟମାନେ ସେଇଥିଯୋଗୁ ନା ବିତ୍ତ ନା ପ୍ରତିପତ୍ତି କାହାକୁ ବି ଅନ୍ତିମ ବୋଲି ଗ୍ରହଣ କରି ପାରିନାହାନ୍ତି।

ଭାରତୀୟମାନେ ସଭ୍ୟତାର ସ୍ମୃତି ବ˚ଚିଥିଲା ଯାଏଁ ନା କେବେ ସ˚ପୂର୍ଣ୍ଣ ପାଶ୍ଚାତ୍ୟ ଅର୍ଥରେ ଆଧୁନିକ ହୋଇପାରିବେ ନା ସଭ୍ୟତା-ବିରୋଧୀ କୌଣସି ତଥାକଥିତ ବିତ୍ତମୂଳ ବା ପ୍ରତିପତ୍ତିସର୍ବସ୍ବ ବିଚାରଧାରାକୁ ଗ୍ରହଣ କରିପାରିବେ। ୟାର ପରିଣତି ଏଇଆ ଯେ ନିଜର ସଭ୍ୟତା- ମୂଳ ସହିତ ସ˚ଯୁକ୍ତ ନ ହେଲା ଯାଏଁ ପାଶ୍ଚାତ୍ୟ ଗଣତନ୍ତ୍ରର ମାନ୍ୟତାଗୁଡ଼ିକ ଭାରତରେ ବ୍ୟବସ୍ଥାର ଉପର ସ୍ତରରେ ରହିବେ, ମାନବ ଜୀବନ ବା ସମାଜ-ଜୀବନର ତୃଣମୂଳକୁ ସ୍ପର୍ଶ କରିପାରିବେ ନାହିଁ। ୟା ପୂର୍ବରୁ ‘ଗଭୀର ଗଣତନ୍ତ୍ର’ ପ୍ରବନ୍ଧରେ ମୁଁ ଆଶା ବ୍ୟକ୍ତ କରିଥିଲି ଯେ ଭାରତୀୟ ଗଣତନ୍ତ୍ର ତାର ସଭ୍ୟତା-ମୂଳକୁ ସ୍ପର୍ଶ କଲେ, ଭାରତୀୟ ଗଣତନ୍ତ୍ର ଆଧୁନିକ ପାଶ୍ଚାତ୍ୟ ଗଣତନ୍ତ୍ରର ରାଜନୀତି ଓ ଅର୍ଥନୀତି ପରିଚାଳିତ ଗଣତନ୍ତ୍ର ଠାରୁ ଅଲଗା ହୋଇ ଏକ ନୂଆ ପ୍ରତିମାନ ସୃଷ୍ଟି କରିବ। ‘ଗଭୀର ଗଣତନ୍ତ୍ର’ ସଭ୍ୟତାର ଆକାଂକ୍ଷା, କିନ୍ତୁ ‘ଗଭୀର ରାଷ୍ଟ୍ର’ ଏକ ବିପଦ।

ପ୍ରତିନିଧିମୂଳକ ବ୍ୟବସ୍ଥାରେ ଓ ବହୁଦଳୀୟ ରାଜନୀତିରେ ‘ଗଣତନ୍ତ୍ର’ ଏକ ସ୍ପର୍ଦ୍ଧିତ କ୍ଷେତ୍ର (କଣ୍ଟେଷ୍ଟେଡ୍‌ ସ୍ପେସ୍‌)ରେ ପରିଣତ ହେବା ସ୍ବାଭାବିକ, କିନ୍ତୁ ଚିନ୍ତାର ବିଷୟ ଏହି ଯେ ରାଜନୈତିକ ଅଭିସନ୍ଧି ‘ରାଷ୍ଟ୍ର’କୁ ବି ବିବାଦାସ୍ପଦ କରିଦେଇଚି। ୟାର ମନ୍ଦ ପ୍ରଭାବ ସିଧାସଳଖ ‘ଜନମତ’ ଉପରେ। ଲୋକେ ଯେଉଁ ଦଳକୁ ବି ମତ ଦିଅନ୍ତୁ, କିନ୍ତୁ ରାଷ୍ଟ୍ର ସନ୍ଦେହମୁକ୍ତ ହେବା ଗଣତନ୍ତ୍ରରେ ଜରୁରୀ। ବିରୋଧୀମାନେ ବିକାଶର ସମୀକ୍ଷା କରନ୍ତୁ, ନୀତି ନିର୍ଦ୍ଧାରଣର ପ୍ରକ୍ରିୟା ଓ ନୀତିର ପରିଣତିକୁ ନେଇ ଚିନ୍ତା କରନ୍ତୁ, କିନ୍ତୁ ‘ରାଷ୍ଟ୍ର’କୁ ସନ୍ଦିଗ୍‌ଧତାର ଦୃଷ୍ଟିରେ ନ ଚାହାନ୍ତୁ। ଜନମାନସ ଯଦି ରାଷ୍ଟ୍ର ଉପରେ ଭରସା ନ କରେ, ତେବେ ଗଣତନ୍ତ୍ରର ପ୍ରତିନିଧିମୂଳକ ବ୍ୟବସ୍ଥା ପରିଚାଳନା ପାଇଁ କାହା ଉପରେ ଭରସା କରିବ? ବିରୋଧୀଙ୍କ ଉପରେ? ଚିନ୍ତାର ବିଷୟ ଯେ ଦଳୀୟ ସରକାରଙ୍କ ରାଷ୍ଟ୍ରନୀତି ବିରୋଧରେ କହି କହି ଏଭଳି ଗୋଟେ ସନ୍ଦେହ ସୃଷ୍ଟି ହେଲାଣି ଯେ ରାଷ୍ଟ୍ରର ବିକଳ୍ପ ଆଉ ଏକ ରାଷ୍ଟ୍ର ବିରୋଧୀ ରାଜନେତା ଓ ଉଦାରବାଦୀ ଚିନ୍ତକଙ୍କ ହାତମୁଠାରେ ଅଛି, ଏ ସରକାର ଗଲେ ସେମାନେ ମୁଠା ଖୋଲି ସେ ବିକଳ୍ପକୁ ରୂପ ଦେବେ। ସେଭଳି କିଛି ହେବ ନାହିଁ। ବର˚ ମତଦାତା ଜନତା ଯେଉଁମାନେ ଲୋକକ୍ଷେତ୍ରରେ ସକ୍ରିୟ ଜାଣନ୍ତୁ ଯେ ସମ୍ବିଧାନ ନିର୍ମିତ ‘ରାଷ୍ଟ୍ର’, ଲୋକଙ୍କ ‘ରାଷ୍ଟ୍ର’, ଏହା ସମ୍ବିଧାନ ଅନୁସାରେ ଚଳେ, ନା ଉଦାରବାଦ ନା ଭାରତୀୟତା ନା ଦ୍ବେଷ ନା ହି˚ସା ନା ମହତ୍ତ୍ବାକା˚କ୍ଷା ନା ବିଚାରଧାରା କେହି ରାଷ୍ଟ୍ରକୁ ଚଳାନ୍ତି ନାହିଁ, ରାଷ୍ଟ୍ରକୁ ଚଳାଏ ସମ୍ବିଧାନ। ସମ୍ବିଧାନ ସ୍ବୀକୃତ ରାଷ୍ଟ୍ର ଗଣତନ୍ତ୍ରକୁ ଚଳାଏ। କୋଉ ଦଳ ସରକାର ଚଳାଏ, ତା’ସହିତ ରାଷ୍ଟ୍ରର ଚରିତ୍ର ବା ‘ଗଣତନ୍ତ୍ର’ର ଚରିତ୍ରର କୌଣସି ସମ୍ପର୍କ ନାହିଁ। ଯେଉଁମାନେ ଏ ଭୟ ସୃଷ୍ଟି କରୁଚନ୍ତି ଯେ ଭାରତରେ ରାଷ୍ଟ୍ର ଅଗଣତାନ୍ତ୍ରିକ, ମୌଳବାଦୀ, ଅନୁଦାର ଓ ଅସହିଷ୍ଣୁ, ସେମାନେ ଜାଣିଶୁଣି ବା ନିଜ ଅଜାଣତରେ ଗୋଟେ ଭୟାନକ ‘ଗଭୀର ରାଷ୍ଟ୍ର’ର ଭୟ ଉତ୍ପାଦନ କରୁଚନ୍ତି।
ଆଗରୁ କହିଚି ମାନବ ନୀତି ଓ ସମାଜ ନୀତି ପ୍ରତି ଦୃଷ୍ଟି ନ ଦେଇ, କେବଳ ଆବଶ୍ୟକତା ପୂରଣ ପାଇଁ ରାଜନୀତି ଓ ଅର୍ଥନୀତି ଦ୍ବାରା ଗଣତନ୍ତ୍ରକୁ ସଫଳ କରିବା ଅସମ୍ଭବ। ଗଣତନ୍ତ୍ରର ଅ˚ଶ ହେବାର ଅର୍ଥ, ତା’ର ସ˚ରଚନାର ଅ˚ଶ ହେବା। ଗଣତନ୍ତ୍ରର ରାଷ୍ଟ୍ରୀୟ ପରିଚାଳନାର ଅର୍ଥ, ଏକ ସତର୍କ ନୀତିନିଷ୍ଠ ସମାଜ ଓ ଦାୟିତ୍ବବାନ ନାଗରିକର ନିର୍ମାଣ କରିବା। ଗଣତନ୍ତ୍ରର ଅନ୍ତିମ ଲକ୍ଷ୍ୟ ଏକ ନୀତି-ଆଶ୍ରିତ ସଭ୍ୟତାର ନିର୍ମାଣ କରିବା। ଅନ୍ୟ ଭାବରେ କହିଲେ କେବଳ ରାଜନୀତି ବା ଅର୍ଥନୀତି ନୁହେଁ ମାନବ ନୀତି ଓ ସମାଜ ନୀତିର ନିର୍ଦ୍ଧାରଣ ମଧୢ ଗଣତନ୍ତ୍ରର ଏକ ରାଷ୍ଟ୍ରୀୟ ଲକ୍ଷ୍ୟ। ନିୟମ ଅନୁସାରେ ନିର୍ବାଚନ ହେଉଥିବେ, ଯୋଗ୍ୟ ହେଉ କି ଅଯୋଗ୍ୟ ହେଉ ସମସ୍ତେ ମତଦାତାଙ୍କୁ ମତ ମାଗୁଥିବେ ଓ ବିଜୟୀମାନେ ନୀତି ନିର୍ଦ୍ଧାରଣ କରିବା ପାଇଁ ସଭା ବା ସ˚ସଦରେ ବସୁଥିବେ, ଆଜି ୟାଙ୍କ ସରକାର ତ କାଲି ତାଙ୍କ ସରକାର, ଏଭଳି ଚାଲିଥିବ! ତା’ହେଲେ ଗଣତନ୍ତ୍ରର ଲକ୍ଷ୍ୟ କ’ଣ ଲୋକପ୍ରତିନିଧି ନିର୍ମାଣର ବ୍ୟବସ୍ଥାଟିକୁ କେବଳ କାଏମ୍‌ ରଖିବା, ଆଉ କିଛି ନୁହେଁ? ବିକାଶର ଅର୍ଥ କ’ଣ କେବଳ ସୁବିଧା, ସୁଯୋଗ ଓ ସୁରକ୍ଷାର ପ୍ରତିଶ୍ରୁତି, ଆଉ କିଛି ନୁହେଁ? ବ୍ୟକ୍ତି ଓ ସମାଜର ନୀତି ନିର୍ମାଣ କ’ଣ ଗଣତନ୍ତ୍ରର କାର୍ଯ୍ୟ ନୁହେଁ? ସଭ୍ୟ ଦୃଷ୍ଟିକୋଣ ଓ ସମତୁଲ ଚିନ୍ତନର ବିକାଶ କ’ଣ ଗଣତନ୍ତ୍ରର କାର୍ଯ୍ୟ ନୁହେଁ? ଗଣର ତନ୍ତ୍ର ଯେତେବେଳେ ଇଏ ‘ଗଣ’ର ଉଭୟ ବ୍ୟକ୍ତିପକ୍ଷ ଓ ସମାଜପକ୍ଷକୁ ନୀତି ନିର୍ଦ୍ଧାରଣର ଆଜେଣ୍ତାରେ ସାମିଲ୍‌ କରିବା ଜରୁରୀ। କିନ୍ତୁ ୟାକୁ କରାଯିବ କେମିତି? ୟାକୁ କରିବାର ଉପାୟ ଭିତରେ ‘ଲୋକସମ୍ବାଦ’ ଓ ‘ନିଦର୍ଶନ ଆବିଷ୍କାର’ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ; କାରଣ ଅନୌପଚାରିକ ଭାବରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ‘ମନର କଥା’ କହିବା ପାଇଁ ତତ୍ପର, ଗଣତନ୍ତ୍ରର ଯୁଦ୍ଧଭୂମିକୁ ସେ ବୁଦ୍ଧି, ଆବେଗ, ସ୍ପର୍ଶକାତରତା ଓ ଆତ୍ମୀୟତା ଦ୍ବାରା ଏକ ‘ବିଚାରମ˚ଚ’ରେ ପରିଣତ କରିଚନ୍ତି। କିନ୍ତୁ ୟା ମାଧୢମରେ ସମାଜରେ କୌଣସି ଆନୁଷ୍ଠାନିକ ପ୍ରୋତ୍ସାହନକୁ ଅପେକ୍ଷା ନ କରି ନିଜର ଶ୍ରମ ଓ ଆଦର୍ଶ ଦ୍ବାରା ସ୍ବାର୍ଥ ରହିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନିବାର ଓ ଚିହ୍ନେଇବାର ଯେଉଁ ମହତ କାର୍ଯ୍ୟ ସେ କରୁଛନ୍ତି, ଏହା ପରୋକ୍ଷରେ ଏକ ନୈତିକ ସଭ୍ୟ ସମାଜ ନିର୍ମାଣର ଭିତ୍ତି ସ୍ଥାପନ କରୁଚି।

ପ୍ରଧାନମନ୍ତ୍ରୀଙ୍କ ଲୋକସମ୍ବାଦ ଧୀରେ ଧୀରେ ଲୋକକ୍ଷେତ୍ରରେ ସାଧାରଣ ମଣିଷଙ୍କର ଅଚେତନରେ ସୁପ୍ତ ସେଇ ସଭ୍ୟତାକୁ ବ˚ଚି ନ ପାରିବାର ଅସ୍ବସ୍ତିକୁ ସହଜ କରୁଚି, ଜାଗ୍ରତ କରୁଚି। ଆତ୍ମନିର୍ଭର ଭାରତର ସ୍ବପ୍ନ ଓ ବାସ୍ତବତା ସହିତ ଲୋକ ଜୀବନରେ ଦୃଷ୍ଟାନ୍ତ ସୃଷ୍ଟିକାରୀ ବ୍ୟକ୍ତିମାନଙ୍କ କୃତଜ୍ଞତା ସ୍ବୀକାର, ‘ଗଣ’ର ଆବେଗକୁ ବ୍ୟକ୍ତି ମାଧୢମରେ ସ୍ପର୍ଶ କରୁଚି। ଅନ୍ୟ ଭାବରେ କହିଲେ ସଭ୍ୟତାଭିତ୍ତିକ ଗଣତନ୍ତ୍ରର ପ୍ରତିଷ୍ଠା ଦିଗରେ ରାଷ୍ଟ୍ରୀୟ ନେତୃତ୍ବର ଏ ହସ୍ତକ୍ଷେପ ସକାରାତ୍ମକ ରାଷ୍ଟ୍ର ରଚନା ଓ ଜାତୀୟ ସ୍ମୃତିର ଜାଗରଣ, ଦୁଇଟାଯାକ କାର୍ଯ୍ୟ କରୁଚି। ଏଭଳି ସମୟରେ ରାଷ୍ଟ୍ରକୁ ସନ୍ଦେହ କରି ଏକ ବିକଳ୍ପ ରାଷ୍ଟ୍ରର କଳ୍ପନାକୁ ରାଜନୈତିକ ଓ ବୌଦ୍ଧିକ ମ˚ଚରେ ତର୍କର ବିଷୟ ଭାବରେ ଗ୍ରହଣ କରିବା ନିତାନ୍ତ ଅନୁଦାର କାର୍ଯ୍ୟ। କହୁଚନ୍ତି ଯେ ରାଷ୍ଟ୍ରର ପ୍ରକୃତ ପରିଚାଳକ ସ˚ଘ, ପୁଞ୍ଜିପତି ଓ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ। ଭାରତୀୟତା କୁଆଡ଼େ ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘର ବିଚାରଧାରା, ‘ଅମ୍ବାନୀ ଓ ଆଦେନି’ କୁଆଡ଼େ ଅସଲ ନୀତିନିର୍ମାତା, ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ କୁଆଡ଼େ ପ୍ରକୃତ ପରିଚାଳକ। ଏଗୁଡ଼ା ସ˚ପୂର୍ଣ୍ଣ ଅସତ୍ୟ, ୟାକୁ ନାଗରିକମାନେ ନିଜେ ନିଜର ବୋଧଶକ୍ତି ଦ୍ବାରା ବିଚାର କରିପାରିବେ। କହୁ କହୁ ଜଣେ ତଥାକଥିତ ଉଦାରବାଦୀ ଭାରତରେ ‘ଗଭୀର ରାଷ୍ଟ୍ର’ର ଏଭଳି ଏକ ଭୟାନକ ରୂପ ବି ଆଙ୍କି ଦେଲେ। ଏମାନେ ଜାଣନ୍ତି ନାହିଁ ପ୍ରକୃତ ‘ଗଭୀର ରାଷ୍ଟ୍ର’ କ’ଣ? ଗଭୀର ରାଷ୍ଟ୍ର ବା ଡିପ୍‌ ଷ୍ଟେଟ୍‌ ତାକୁ କୁହାଯାଏ ଯେଉଁଠି ‘ଅମଲାତନ୍ତ୍ର’ର କିଛି ମହତ୍ତ୍ବାକା˚କ୍ଷୀ ସମର୍ଥ ଓ ଶକ୍ତିଶାଳୀ ବ୍ୟକ୍ତି ଏକାଠି ହୋଇ ନିର୍ବାଚିତ ଲୋକପ୍ରତିନିଧିଙ୍କ ଦ୍ବାରା ପରିଚାଳିତ ସରକାରଙ୍କ ଆଜେଣ୍ତାକୁ ନିଜର ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ଚଳାନ୍ତି। ଉପରକୁ ଦିଶେ ଇଏ ସରକାରଙ୍କ ନିଷ୍ପତ୍ତି, କିନ୍ତୁ ପ୍ରକୃତରେ ଏ ଥାଏ କୁଚକ୍ରୀ ଅମଲାଙ୍କ ନିଷ୍ପତ୍ତି। ସେମାନେ ଏତେ ଶକ୍ତିଶାଳୀ ହୋଇଯା’ନ୍ତି ଯେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଲାଭ ପାଇଁ ନିୟମ ପ୍ରଣୀତ ହୋଇ ସଭା ବା ସ˚ସଦରେ ପାରିତ ହୋଇଯାଏ, ନ୍ୟସ୍ତସ୍ବାର୍ଥଙ୍କୁ ସୁବିଧା ଓ ସୁଯୋଗ ମିଳିଯାଏ। ପାକିସ୍ତାନର ମିଲିଟାରି ଏହିଭଳି ଏକ ‘ଗଭୀର ରାଷ୍ଟ୍ର’ ଚଳାଏ। ଉପରକୁ ଗଣତନ୍ତ୍ର ଚାଲିଚି, ପ୍ରତିନିଧିମୂୂଳକ ବ୍ୟବସ୍ଥା ଚାଲିଚି, କିନ୍ତୁ ନିଷ୍ପତ୍ତି ରାଷ୍ଟ୍ରର ନୁହେଁ, ‘ଗଭୀର ରାଷ୍ଟ୍ର’ ରଚନା କରିଥିବା ମିଲିଟାରିର। ଏ ‘ଡିପ୍‌ ଷ୍ଟେଟ୍‌’ ଶବ୍ଦଟିର ମୂଳ ତୁର୍କୀ ଭାଷାର ‘ଡେରିନ୍‌ ଡେଭଲେଟ୍‌’! ଗୁପ୍ତ ନେଟ୍‌ଵର୍କ ଦ୍ବାରା ଗଣତନ୍ତ୍ରକୁ ଅନ୍ତର୍ଘାତର ଶିକାର କରି, ଜନପ୍ରତିନିଧିଙ୍କୁ ଜଳକା ବା ବୋକା ବନେଇ କିଛି ଚାଲାକ୍‌ ଲୋକ ସରକାରୀ ବ୍ୟବସ୍ଥାକୁ କରାୟତ୍ତ କରି ନିଜର ଉଦ୍ଦେଶ୍ୟ ସାଧନରେ ଲଗାଇବା ଏକ ଭୟଙ୍କର କଥା। କିନ୍ତୁ ରାଜନୈତିକ କାରଣରୁ ଏ ଭିତରେ ଡିପ୍‌ ଷ୍ଟେଟ୍‌ ଆଉ ତୁର୍କୀର ବା ପାକିସ୍ତାନର ମଡେଲରେ ନାହିଁ କି ଵାଟରଗେଟ୍‌ ସ୍କାଣ୍ତାଲ୍‌ରେ ନିକ୍ସନ୍‌ ପରିଚାଳିତ ଅଗଣତାନ୍ତ୍ରିକ ‘ସର୍ଭେଲେନ୍‌ସ’ରେ ନାହିଁ।

ପ୍ରକୃତ ବିପଦ ହେଉଚି ଅଦୃଶ୍ୟ ‘ଗଭୀର ରାଷ୍ଟ୍ର’। ରାଜନେତା ଓ ଉଦାରବାଦୀମାନେ କହି ଚାଲିଚନ୍ତି ଯେ ଭାରତୀୟ ରାଷ୍ଟ୍ର ଅଗଣତାନ୍ତ୍ରିକ ହୋଇଗଲାଣି। କାହିଁ କୋଉଠି? ପ୍ରମାଣ କିଛି ନାହିଁ, କିନ୍ତୁ କୁହାଗଲା ଭାରତରେ ଦମନ ଲୀଳା ଚାଲିଚି, ନାଗରିକ ଅଧିକାର ନାହିଁ, ସ୍ବେଚ୍ଛାଚାରୀ ଶାସନ ଚାଲିଚି, ଇତ୍ୟାଦି ଇତ୍ୟାଦି। ଏ ସବୁ ଯେଉଁମାନେ କହୁଚନ୍ତି, ସେମାନେ ରାଷ୍ଟ୍ରର ନା ଶାସନର କିଛି ବିକଳ୍ପ ରଖିଚନ୍ତି କି? ସାମ୍ବିଧାନିକ ଗଣତନ୍ତ୍ରରେ ଓ ଏକ ବିଶାଳ ଗଣତନ୍ତ୍ରରେ, ଏଭଳି କହି କହି ଲୋକମାନସରେ ‘ଗଭୀର ରାଷ୍ଟ୍ର’ର ଏକ ଆତଙ୍କ ଉତ୍ପାଦନ କରିବା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ। ରାଜନୈତିକ ଦଳମାନେ ସ୍ମରଣରେ ରଖିବା ଉଚିତ ଯେ ଭାରତୀୟ ରାଷ୍ଟ୍ରକୁ ‘ଗଭୀର ରାଷ୍ଟ୍ର’ କହିବାର ଅର୍ଥ ସମଗ୍ର ବ୍ୟବସ୍ଥାକୁ ଓ ତା’ ସହିତ ଭାରତୀୟ ଗଣତନ୍ତ୍ରକୁ ଲୋକଚକ୍ଷୁରେ ନିନ୍ଦିତ କରି ତା’ର ନିର୍ବାଚନୀ ଲାଭ ଉଠାଇବା ଏକ ବିକୃତ ଚିନ୍ତା। ଭାରତୀୟ ଗଣତନ୍ତ୍ରରେ, ଗଣତନ୍ତ୍ର ବାହାରର କୌଣସି ଅଗଣତାନ୍ତ୍ରିକ ଲୋକସ˚ଗଠନ, ପୁଞ୍ଜିପତି, ଚିନ୍ତାନାୟକ ବା ଧର୍ମାଧିକାରୀ ହସ୍ତକ୍ଷେପ କରି ରାଷ୍ଟ୍ର ଚଳାଇବା ଅସମ୍ଭବ। ରାଷ୍ଟ୍ର ବିରୋଧରେ ହିଁ ‘ଗଭୀର ରାଷ୍ଟ୍ର’ର ଆଧୁନିକ ସଂସ୍କରଣ।

ଅନେକ ଥର କହିଚି ଯେ ଭାରତରେ ସଭ୍ୟତାଭିତ୍ତିକ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ଆମର ନୂଆ ରାଜନୈତିକ ଚିନ୍ତନ ଦରକାର। ପ୍ରଥମଥର ପାଇଁ ପାଶ୍ଚାତ୍ୟ-ଗଣତନ୍ତ୍ରର ଆଧାରଭୂତ ସ˚ରଚନା ଠାରୁ ଦୂରେଇଯାଇ ଭାରତରେ ଭାରତୀୟ ଗଣତନ୍ତ୍ରର ଭିତ୍ତି ସ୍ଥାପନ କରିଥିବା ଗୋଟିଏ ରାଜନୈତିକ ଦଳକୁ ଅପଦସ୍ତ କରିବା ବଦଳରେ, ଧୈର୍ଯ୍ୟର ସହିତ ବିଶ୍ବାସ କରିବା ଦରକାର ଯେ ରାଷ୍ଟ୍ରର ବିକଳ୍ପ ନାହିଁ। ବିକଳ୍ପର ସମ୍ଭାବନା କଥା କାହିଁକି ଏ ବୁଦ୍ଧିଜୀବୀମାନେ କହୁଚନ୍ତି ଜଣାନାହିଁ, କିନ୍ତୁ ସେମାନେ ଜାଣିବା ଉଚିତ ଯେ ନିର୍ବାଚନୀ ଖେଳରେ, ରାଷ୍ଟ୍ରକୁ ନିନ୍ଦିତ କରି କିଛି ପାଇବାର ଆଶା ଖେଦଜନକ। ରାଷ୍ଟ୍ର ଉପରୁ ଆସ୍ଥା ଉଠିଗଲେ, ଗଣତନ୍ତ୍ରର ପ୍ରତିନିଧି ବ୍ୟବସ୍ଥା ବି ସନ୍ଦେହର ବଳୟ ଭିତରକୁ ଆସିଯିବ। ଗଣତନ୍ତ୍ର ସନ୍ଦିଗ୍‌ଧ ହେଲେ, ଭାରତର ରାଷ୍ଟ୍ରରଚନା ବିତର୍କିତ ହେଇଯିବ। ରାଷ୍ଟ୍ର ବିତର୍କିତ ହେଲେ, ଗଣତନ୍ତ୍ର ଓ ସମ୍ବିଧାନ ଦୁଇଟିଯାକର ମୂଳଦୁଆ ଦୁର୍ବଳ ହୋଇଯିବେ, କାଳକ୍ରମେ ପରିପୁଷ୍ଟ ଗଣତନ୍ତ୍ର ତା’ର ମର୍ଯ୍ୟାଦା ହରାଇ ଅରାଜକ ହୋଇଯିବ।

‘ଭାରତ’ ନାମକ ଏକ ସଭ୍ୟ ଓ ସ˚ପନ୍ନ ଦେଶର ଆବିଷ୍କାର ପାଇଁ ଜଳଯାତ୍ରାରେ ବାହାରିଥିବା କଲମ୍ବସ ଭାରତରେ ପହଞ୍ଚିଗଲେ ଭାବି ଯେଉଁ ଅଜ୍ଞାତ ଭୂଖଣ୍ତର ଆବିଷ୍କାର କରିଥିଲେ, ତାହା ୟୁରୋପୀୟଙ୍କ ଉପନିବେଶରୁ କ୍ରମେ ଏକ ଯୁକ୍ତରାଷ୍ଟ୍ରରେ ବଦଳିବା ବିଶ୍ବର ଔପନିବେଶିକ ଇତିହାସରେ ଏକ ଚମକପ୍ରଦ ଅଧୢାୟ ହୋଇପାରେ, କିନ୍ତୁ ସଭ୍ୟତାର ଇତିହାସରେ ୟାର କୌଣସି ମୂଲ୍ୟ ନାହିଁ। ସେଠି ସଭ୍ୟତାର ଆଧାର ଶିଳା ନାହିଁ, ସେଠି ମାନବିକ ଅଧିକାରର ଉଦ୍‌ଘୋଷଣ ସାମ୍ରାଜ୍ୟବାଦୀଙ୍କ ସ˚ଘର୍ଷର ପରିଣତି, ତଥାପି ସେଠି ଗଣତନ୍ତ୍ର ହିଁ ରାଷ୍ଟ୍ରଭକ୍ତି ସମ୍ଭବ କରାଇପାରିଚି। ଭାରତରେ ସଭ୍ୟତାର ପୃଷ୍ଠଭୂମି ଅଛି, ଅଖଣ୍ତ ଭାରତର ଇତିହାସ ଅଛି, ଜାତୀୟ ସ୍ମୃତି ଅଛି ତ ରାଷ୍ଟ୍ରଭକ୍ତି କିଛି ଲୋକଙ୍କ ପାଖରେ କାହିଁକି ନାହିଁ? ସେମାନେ କାହିଁକି ‘ଗଭୀର ରାଷ୍ଟ୍ର’ର ମିଥ୍ୟା ଆରୋପ ଦେଇ ‘ରାଷ୍ଟ୍ର’କୁ ସନ୍ଦିଗ୍‌ଧ ଓ ବିତର୍କିତ କରୁଚନ୍ତି? ସ˚ଘୀୟ ଗଣତନ୍ତ୍ରରେ କେନ୍ଦ୍ର ହେଉ ବା ରାଜ୍ୟ, ଯେଉଁଠି ବି ‘ଗଭୀର ରାଷ୍ଟ୍ର’ ମୁଣ୍ତଟେକେ, ସେଠି ରାଜନୈତିକ ସତର୍କତା ତାକୁ ତତ୍‌କ୍ଷଣାତ୍‌ ଚିହ୍ନିପାରେ ଓ ରାଜନୈତିକ ଶକ୍ତି ତାକୁ ଧ୍ବ˚ସ କରିପାରେ। ରାଜନୈତିକ ସତର୍କତା, ଗଣତାନ୍ତ୍ରିକ ରାଷ୍ଟ୍ରର ନ୍ୟୂନତମ ମୂଲ୍ୟ ଯାହା ବ୍ୟକ୍ତି, ସମାଜ ଓ ରାଜନେତାଙ୍କୁ ଦେବାକୁ ହେବ, ଅନ୍ୟଥା ରାଷ୍ଟ୍ର ‘ଗଭୀର ରାଷ୍ଟ୍ର’ରେ ପରିଣତ ହୋଇ କେତେବେଳେ ଯେ ଗଣତନ୍ତ୍ରକୁ ଖୋଳ କରି ଫିଙ୍ଗି ଦେବ, କହି ହେବ ନାହିଁ। ରାଷ୍ଟ୍ର ଭିତ‌େର ରହି ରାଷ୍ଟ୍ରର ପ୍ରତ୍ୟାଖ୍ୟାନ ଏକ ଅନ୍ତର୍ଘାତ (ସବଭର୍ସନ)।

ସରକାରର ବିରୋଧ ଗଣତନ୍ତ୍ରରେ ସ୍ବାଭାବିକ, କିନ୍ତୁ ରାଷ୍ଟ୍ରର ବିରୋଧ ‘ଗଭୀର ରାଷ୍ଟ୍ର’! ଇଏ ଗଣତନ୍ତ୍ରରେ ଏକ କୃତ୍ରିମ ଆସ୍ଥା-ସଂକଟ। ଇଏ ଗଣତନ୍ତ୍ରକୁ ନଷ୍ଟ କରିଦେବ। ଇଏ ଏକ ସୂକ୍ଷ୍ମ ରାଷ୍ଟ୍ରଦ୍ରୋହ, ଯାହାର ବୌଦ୍ଧିକ ଆଟୋପକୁ ଚିହ୍ନିବା ଜରୁରୀ। ସରକାର-ବିରୋଧକୁ ରାଷ୍ଟ୍ର-ବିରୋଧରେ ପରିଣତ କରିଥିବା ରାଜନୀତି ବିପଜ୍ଜନକ।

ବାଗର୍ଥ, ଏନ୍ ୨/୨୬
ଆଇଆରସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର