ଅଳସୁଆଙ୍କ ଦେଶ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

ଅନେକ ବର୍ଷ ଧରି ଚୀନ ଦେଶର ଲୋକଙ୍କ ଯେଉଁ ଛବି ଆମ ମନରେ ଅଛି, ତାହା ହେଲା ସେମାନେ ଅକ୍ଳାନ୍ତ ପରିଶ୍ରମୀ, ସାଇ‌େକଲ ଚଢ଼ି କଳକାରଖାନାକୁ ଯାଆନ୍ତି ଓ ଦୀର୍ଘ ସମୟ ଧରି ଶୃଙ୍ଖଳାର ସହ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରନ୍ତି। ସେମାନଙ୍କ ବିଷୟରେ ଏହି ଧାରଣାକୁ ଦୃଢ଼ୀଭୂତ କରେ ବିଗତ କିଛି ବର୍ଷ ଧରି ଦେଖା ଦେଇଥିବା ଚୀନ ଦେଶର ଅଭୂତପୂର୍ବ ଅର୍ଥନୈତିକ ପ୍ରଗତି। ‘ଜୀବନ ଏକ ସଂଗ୍ରାମ ଓ ସମସ୍ତଙ୍କୁ ଏହି ସଂଗ୍ରାମରେ କୃତକାର୍ଯ୍ୟ ହେବାକୁ ପଡିବ’ ବୋଲି ସେଠାକାର ନେତା ଓ ସରକାର ସର୍ବଦା ଜନତାଙ୍କ ମନରେ ପୂରାଇ ଚାଲିଥା’ନ୍ତି ଓ ଲୋକେ ମଧ୍ୟ ଏହାକୁ ଗ୍ରହଣ କରିନିଅନ୍ତି। ସବୁ ଠିକଠାକ ଚାଲିଥିବାବେଳେ ନିକଟରେ ସେ ବୁଝାମଣାରେ ଅବାଞ୍ଛିତ ଛିଦ୍ରଟିଏ ଦେଖାଗଲା, ଯେତେବେଳେ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଶୟନ ମୁଦ୍ରାରେ ତାଙ୍କର ଏକ ଚିତ୍ର ଓ ସନ୍ଦେଶ ପୋଷ୍ଟ୍‌ କରି ପରୋକ୍ଷ ଭାବରେ ଘୋଷଣା କଲେ ଯେ ସେ ଏହି ସଂଗ୍ରାମରୁ ଓହରି ଯାଇଛନ୍ତି। ତାଙ୍କର ଏ ପ୍ରୟାସ ଅଗଣିତ ଚୀନ ଯୁବକମାନଙ୍କ ମାନସିକତାର ପରିପ୍ରକାଶ ଥିଲା କି କ’ଣ, ଲକ୍ଷ ଲକ୍ଷ ଯୁବକ ସେମାନଙ୍କର ଶୋଇଥିବାର ଚିତ୍ର ପ୍ରକାଶ କରିବାକୁ ଲାଗିଲେ ଓ ‘ଟାଙ୍ଗପିଙ୍ଗ’ ବା ‘ଚିତ୍‌ ହୋଇ ଶୋଇବା’ ନାମରେ ଏହି ଆନ୍ଦୋଳନଟିର ମୂଳଦୁଆ ପଡ଼ିଗଲା। ଲହୁ ଲୁହାଣ ହୋଇ ଉନ୍ନତିର ମୂଷା ଦୌଡ଼ରେ ଜୀବନ କାଟିବା ଅପେକ୍ଷା ବିଶେଷ କିଛି ଆଶା ନ ରଖି ଘରେ ଆରାମରେ ଶୋଇବା ହିଁ ଶ୍ରେୟସ୍କର- ଏହା ଥିଲା ଏ ଆନ୍ଦୋଳନର ବୀଜ ମନ୍ତ୍ର।

ଦେଶ କାଳେ ଅଳସୁଆ ହୋଇଯିବ ସେହି ଡରରେ ଚୀନ କର୍ତ୍ତୃପକ୍ଷ ଏହି ଆନ୍ଦୋଳନର ମୂଳୋତ୍ପାଟନ କରିବାକୁ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି ଓ ଶୀଘ୍ର ତାଙ୍କ ପ୍ରଚେଷ୍ଟାରେ ସଫଳ ମଧ୍ୟ ହେବେ। ମାତ୍ର ଘଟଣାଟି ଏହି ନିରାଟ ସତ୍ୟକୁ ପ୍ରତିପାଦନ କରିଦେଲା ଯେ, ପରିଶ୍ରମ କରୁଥିବା ପ୍ରତ୍ୟେକ ମଣିଷର ମନ ଭିତରେ କାମରୁ ତ୍ରାହି ପାଇବାର ଇଚ୍ଛାଟି ସବୁବେଳେ ସୁପ୍ତ ବା ସକ୍ରିୟ ଅବସ୍ଥାରେ ରହିଛି। ଅବଶ୍ୟ ଚାବୁକ ମାଡ଼ର କିମ୍ବା ଭୋକର ଭୟ, ସାମାଜିକ ଚାପ, ପିଲାଟି ଦିନରୁ କାନରେ ପଡୁଥିବା ଧର୍ମବାଣୀ ଓ ନୀତିଶିକ୍ଷା ତଥା ମୂଷା ଦୌଡ଼ରେ ଆଗରେ ରହିବାର ଲୋଭ ମଣିଷକୁ ବିନା ପ୍ରତିବାଦରେ କାମ କରିଯିବାକୁ ବାଧ୍ୟ କରୁଛି। ତା’ ଛଡ଼ା ‘ଅଳସୁଆର ମସ୍ତିଷ୍କ ସୈତାନର କର୍ମଶାଳା’, ‘ଅଳସୁଆର ବାରବାଟୀ ଚାଷ’ ଓ ‘ଅକର୍ମା ଯେଣେ ଯାଏ, ଆପାଳକ ତେଣେ ଧାଏଁ’ ଇତ୍ୟାଦି ପ୍ରବାଦ ଓ କାମ ଚୋର, କର୍ମକୋଢ଼ି, ଅକର୍ମା ଇତ୍ୟାଦି ପରିହାସ ଶୁଣିବାକୁ କିଏ ବା ଚାହେଁ?

‘କର୍ମ ହିଁ ଭଗବାନ’ ମନ୍ତ୍ରରେ ପିଲା ଦିନରୁ ଦୀକ୍ଷିତ ମଣିଷ କାଳେ ମନ୍ତ୍ରଟି ଭୁଲିଯିବ, ସେଥି ପାଇଁ କାର୍ଯ୍ୟାଳୟର କାନ୍ଥରେ ମଧ୍ୟ ଏହାକୁ ବଡ଼ ବଡ଼ ଅକ୍ଷରରେ ଲେଖି ଦିଆଯାଉଛି। କାଳେ କାମରେ ଶିଥିଳତା ଆସିଯିବ ବୋଲି ମଝିରେ ମଝିରେ ପଦନ୍ନୋତି, ଦରମା ବୃଦ୍ଧି ଇତ୍ୟାଦିର ଥୋପ ଗିଳାଯାଉଛି କିମ୍ବା ମୁଣ୍ଡ ଉପରେ ଛଟେଇର ଖଣ୍ଡା ଝୁଲା ଯାଉଛି।

କର୍ମ ସିନା ଭଗବାନ, ହେଲେ ଆମର ଅନେକ ଭଗବାନ ଶାରୀରିକ ପରିଶ୍ରମ ପାଇଁ ସେତେ ଆଗ୍ରହୀ ଥିବାର ପ୍ରମାଣ ମିଳେ ନାହିଁ। ଠାକୁର ଦେବତାଙ୍କ କଥା ଛାଡ଼ନ୍ତୁ, ପୃଥିବୀର ଧନୀକ ଓ ଅନ୍ୟାନ୍ୟ ମୁରବିମାନେ ମଧ୍ୟ ଗରିବଙ୍କ କାନ୍ଧରେ କାମ କରିବାର ଦାୟିତ୍ୱ ଲଦି ଦେଇ ନିଜେ ଆରାମରେ କାଳାତିପାତ କରନ୍ତି। ଆମ ଆଇନ ପ୍ରଣେତାମାନଙ୍କର ମୁଖ୍ୟ କାର୍ଯ୍ୟସ୍ଥଳୀ ପାର୍ଲିଆମେଣ୍ଟ୍‌ ବା ବିଧାନସଭା କଥା ଭାବନ୍ତୁ। ଗତ ବର୍ଷକରେ ସଂସଦ ମାତ୍ର ୫୯ ଦିନ, ଉତ୍ତରପ୍ରଦେଶ ବିଧାନସଭା ୨୪ ଦିନ ଓ ପଞ୍ଜାବ ବିଧାନସଭା ୧୧ ଦିନ କାମ କରିଛି।

ଅବଶ୍ୟ ମଣିଷର ହାଡ଼ଭଙ୍ଗା ଶ୍ରମକୁ କିଛିଟା ହାଲୁକା କରିଥାଏ ବିଜ୍ଞାନର ଉଦ୍ଭାବନ ସବୁ। ରେଳଗାଡ଼ି କୁହ କି ଆଜିର ରୋବଟ୍‌ କୁହ, ସବୁ କିଛି ନୂଆ ଜିନିଷର ଉଦ୍ଦେଶ୍ୟ ହେଲା ମଣିଷର ପରିଶ୍ରମ କମାଇବା ଓ ଆରାମ ବଢ଼ାଇବା। ଆଜିକାଲି ତ ବିନା ଚାଳକଵାଲା ଗାଡ଼ି ବାହାରିଲାଣି, ଡ୍ରୋନ୍ ଦ୍ୱାରା ଘରକୁ ସଉଦା ବି ବିତରଣ କରାଗଲାଣି। ପୁଣି ବୈଜ୍ଞାନିକମାନେ ଗବେଷଣା କରି ଜାଣିଲେଣି ଯେ ମଣିଷ କାମରେ ବ୍ୟସ୍ତ ନ ଥିଲା ବେଳେ ଅଧିକ ସୃଜନଶୀଳ ହୋଇଥାଏ ଓ ସମସ୍ୟାଗୁଡ଼ିକର ସମାଧାନ ଭଲରେ ଖୋଜି ପାଏ। ପ୍ରସିଦ୍ଧ ଲେଖିକା ଆଗାଥା ଖ୍ରୀଷ୍ଟିଙ୍କ ମତରେ ‘ଆବଶ୍ୟକତା ଉଦ୍ଭାବନର ଜନନୀ ନୁହେଁ, ବରଂ ଉଦ୍ଭାବନଗୁଡ଼ିକ ପଛରେ ରହିଥାଏ ଆମର ଆଳସ୍ୟ।’

ଉପରୋକ୍ତ ଘଟଣାଗୁଡ଼ିକରୁ ଜଣାପଡ଼େ ଯେ ମଣିଷ ଜାତି ଶେଷରେ ଅଳସୁଆମିର ମହତ୍ତ୍ବ ଅନୁଭବ କଲାଣି। ମଣିଷ ବୁଝିଲାଣି ଅଷ୍ଟବକ୍ର ଗୀତାର ଏହି ବିଚାର, ‘ପ୍ରକୃତ ସୁଖୀ ସେହି ମହନୀୟ ଆଳସ୍ୟ ପରାୟଣ ବ୍ୟକ୍ତି ଯିଏ ନିଜର ଆଖିପତା ଖୋଲିବା ଓ ବନ୍ଦ କରିବାକୁ ବି ଏକ ବିରକ୍ତିକର କାମ ବୋଲି ଭାବେ, ଆଉ କେହି ନୁହେଁ’(ଶ୍ଳୋକ ୧୬।୪)। ମୋଣ୍ଟେନିଗ୍ର ଦେଶରେ ଶ୍ରେଷ୍ଠ ଅଳସୁଆ ବାଛିବା ପାଇଁ ଅଲିମ୍ପିକ୍‌ ଆୟୋଜିତ କରାଗଲାଣି। କିନ୍ତୁ ଏ ଦିଗରେ ସବୁଠୁ ବଡ଼ ପଦକ୍ଷେପ ନିଆଯାଇଛି ଆମ ରାଜ୍ୟ ଓ ଦେଶର ସରକାରମାନଙ୍କ ଦ୍ୱାରା। ଜରାୟୁ ଠାରୁ ଜୁଇ ପର୍ଯ୍ୟନ୍ତ ଜୀବନର ସମସ୍ତ ବିଶେଷ ପର୍ଯ୍ୟାୟଗୁଡ଼ିକ ପାଇଁ ଆର୍ଥିକ ସହାୟତା ଓ ଟଙ୍କାକିଆ ଚାଉଳ ଯୋଜନା ମଣିଷର ଶ୍ରମ ଲାଘବ କରି ସାରିଲେଣି। ଏହି ଯୋଜନାଗୁଡ଼ିକ ଯେ ଆଶାତୀତ ସଫଳତା ପ୍ରଦାନ କରିଚାଲିଛନ୍ତି, ତା’ର ପ୍ରମାଣ ଦିଏ ଆମେରିକାର ନାମଜାଦା ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣାର ଏହି ନିଷ୍କର୍ଷ: ‘ପୃଥିବୀର ଅଳସୁଆ ଦେଶ ଗୁଡ଼ିକର ଶୀର୍ଷରେ ରହିଛି ଭାରତ।’

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର