କୌତୂହଳ ଏବ˚ କଳ୍ପନାର ମୃତ୍ୟୁ

ଗୌରହରି ଦାସ

ଦିନେ ସ୍କୁଲ୍‌ର ଶିକ୍ଷୟିତ୍ରୀ ଜଣେ ଛାତ୍ରର ବାପାଙ୍କ ପାଖକୁ ନୋଟ୍‌ଟିଏ ପଠେଇଲେ- ଆପଣଙ୍କ ପୁଅ ସବୁଦିନ ସ୍କୁଲ୍‌କୁ ଅଧଘଣ୍ଟା ବିଳମ୍ବରେ ଆସି ପହଞ୍ଚୁଛି। ପ୍ରତିକାର କରନ୍ତୁ। ଏ ନୋଟ୍‌ଟି ପାଇ ବାପା ବ୍ୟସ୍ତ ହେଲେ। ଭାବିଲେ, ସେମାନେ ତ ସବୁଦିନ ପୁଅକୁ ଠିକ୍‌ ସମୟରେ ଘରୁ ପଠଉଛନ୍ତି। ସ୍କୁଲ୍‌ଟି ପୁଣି ତାଙ୍କ ଘରଠାରୁ ବେଶୀ ଦୂର ନୁହେଁ। ଦଶ ପନ୍ଦର ମିନିଟ୍‌ର ରାସ୍ତା ତାକୁ ଚାଳିଶ ମିନିଟ୍‌ ଲାଗୁଛି କିଭଳି?

ସେଦିନ ପୁଅ ସ୍କୁଲ୍‌କୁ ବାହାରିଗଲା ପରେ ବାପା ମଧ୍ୟ ପଛେ ପଛେ ବାହାରିଲେ ଲୁଚି ଲୁଚି। ପୁଅ ଘରୁ ଗଲା। ମୋଡ଼ ବୁଲାଣି ବରଗଛ ପାଖରେ ଗୁଣ୍ତୁଚିମୂଷା ଖେଳୁଥିଲା। ସେଇଠି ଅଟକିଲା ଦଶ ମିନିଟ୍‌। ତା’ପରେ ଡେରି ହେଇଯିବ ଭାବି ଧାଇଁଲା। ମଝିରେ ଗୋଟେ ସରୁ ନାଳ। ପିମ୍ପୁଡ଼ିଟିଏ ଏପଟେ। ଗୋଟେ ପତ୍ର ଗୋଟେଇ ଆଣି ତା’ ଉପରେ ପିମ୍ପୁଡ଼ିକୁ ଥୋଇଲା। ପିମ୍ପୁଡ଼ି ନାଳ ପାର ହେବା ପରେ ସେ ଗଲା। ପୁଣି ସ୍କୁଲ୍‌ ପାଚେରି ପାଖରେ ପ୍ରଜାପତି ଉଡୁଥାଏ। ସେଇଠି କିଛି ସମୟ ଦେଲା। ସ୍କୁଲ୍‌ରେ ଯାଇ ପହଞ୍ଚିଲା ବେଳକୁ ଅଧଘଣ୍ଟାଏ ଡେରି। ପୁଅ ଗଲା କ୍ଲାସ୍‌କୁ, ବାପା ଗଲେ ପ୍ରଧାନଶିକ୍ଷକଙ୍କ ଦପ୍ତରକୁ। ଏସବୁ ତାଙ୍କୁ ଜଣାଇ କହିଲେ, ‘ଆଜି ସେ ଘରକୁ ଫେରୁ। ଭଲକରି ଦି’ ଚାପୁଡ଼ା ଦେଲେ ସେ କାଲିଠାରୁ ନିୟମିତ ହେଇଯିବ।’

ପ୍ରଧାନଶିକ୍ଷକ ସ୍ମିତ ହସ ହସି କହିଲେ, ‘‘ନା, ବର˚ କାଲିଠାରୁ ତାକୁ ଆଉ ଅଧଘଣ୍ଟା ଆଗରୁ ଘରୁ ପଠେଇବେ। କାରଣ ସେ ସମ୍ବେଦନଶୀଳ ଓ କୌତୂହଳୀ।’’

ସେଇ ପିଲାଟିର ବାପା କ’ଣ କଲେ ତାହା ଆଲୋଚନା ନ କରିବା ଭଲ। ମାତ୍ର ଭାରତର ଅଧିକା˚ଶ ବାପା ଏ କ୍ଷେତ୍ରରେ କ’ଣ କରନ୍ତି ତାହା ଆମେ ନିଜ ନିଜର ଅଭିଜ୍ଞତାରୁ ଅନୁମାନ କରିପାରିବା।

ଗତ କିଛି ବର୍ଷ ମଧ୍ୟରେ ଆମ ଜୀବନରୁ ଅନେକ ଜିନିଷ ହଜିଗଲେଣି ଅଥବା ଦୂରେଇ ଗଲେଣି। ଏସବୁ ସାଙ୍ଗକୁ ଆଉ ଯେଉଁ ଦୁଇଟି କଥା ଆମ ଭିତରୁ ମରିଯାଉଛି କିମ୍ବା ହଜିଯାଉଛି ତାହା ହେଉଛି କୌତୂହଳ ଏବ˚ କଳ୍ପନା। କୌତୂହଳ ଏବ˚ କଳ୍ପନା ବ୍ୟତିରେକେ ସୃଜନଶୀଳତା କଥା ଚିନ୍ତା କରାଯାଇପାରିବ ନାହିଁ। ହେନରି ବ୍ରୁକ୍‌ କହନ୍ତି, ‘‘ଆମେ ଯଦି ପିଲାଙ୍କ ଲାଗି କିଛି କରିପାରିବା ତାହା ହେଉଛି ସେମାନଙ୍କ କୌତୂହଳ, ଜିଜ୍ଞାସା ଓ ସୃଜନଶୀଳତାକୁ ଉତ୍ସାହ ଦେବା। ସେସବୁର ଗଳା ଚିପିଦେବା ନାହିଁ।” ଶିକ୍ଷାର ଗୋଟେ ପ୍ରମୁଖ ଭୂମିକା ହେଉଛି ଛାତ୍ର ଭିତରେ କୌତୂହଳ ଓ ଜିଜ୍ଞାସାର ଆଗ୍ରହ ବଢ଼ାଇବା, ଯାହା ତାକୁ ସୃଜନଶୀଳତା ଆଡ଼କୁ ବାଟ କଢ଼େଇ ନେବ। ପ୍ରତିଟି ମଣିଷ ଅନ୍ୟଠାରୁ ଭିନ୍ନ, ଅନନ୍ୟ। ସେହି ଦୃଷ୍ଟିରେ ଆମେ ତାଙ୍କୁ ଦେଖିବା କଥା; ମାତ୍ର ଆମେ ଅନନ୍ୟତା, ଭିନ୍ନତା ଓ ବିଭିନ୍ନତାକୁ ଅନେକ ପଛରେ ଛାଡ଼ି ଆଜି ‘ଷ୍ଟାଣ୍ତାର୍ଡାଇଜେସନ୍‌’ ପଛରେ ପଡ଼ିଯାଇଛୁ।

କୌତୂହଳର ମୂଲ୍ୟ କେତେ ବେଶୀ ତାହା ଆମେ ସମସ୍ତେ ଜାଣନ୍ତି। କୌତୂହଳ ନ ଥିଲେ, ଆଇଜାକ୍‌ ନିଉଟନ୍‌ ଗଛରୁ ଆପଲ୍‌ ଖସି କାହିଁକି ତଳେ ପଡ଼ିଲା ସେ ବିଷୟରେ ଚିନ୍ତା କରି ନ ଥା’ନ୍ତେ। ପୃଥିବୀ ଇତିହାସରେ ଆମେ ଆଜି ଯେଉଁମାନଙ୍କ କଥା ପଢୁଛୁ, ଚର୍ଚ୍ଚା କରୁଛୁ, ସେମାନେ ସମସ୍ତେ କୌତୂହଳ ଓ କଳ୍ପନାର ଜଣେ ଜଣେ ସାର୍ଥକ ସାରଥି। ମାତ୍ର ଆଜିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‍ସ ଓ ଡିଜିଟାଲ୍ ଯୁଗ ଆମକୁ କଳ୍ପନା କରିବାକୁ ବାଟ ଛାଡୁନାହିଁ। ଅନ୍ୟ କଥା ଦୂରେ ଥାଉ, ଆମମାନଙ୍କ ପ୍ରତିକ୍ରିୟା ମଧ୍ୟ ଏକା ପ୍ରକାରର ଶବ୍ଦ ଏବ˚ ସଙ୍କେତ ଦ୍ବାରା ନିୟନ୍ତ୍ରିତ। ସ୍ମାର୍ଟଫୋନ୍‌ର ‘ଇମୋଜି’ ଆମ ଉଲ୍ଲାସ, ବିଷାଦ, ବିସ୍ମୟର ସାଇନ୍‌ବୋର୍ଡ।

ଗାଁରେ ପ୍ରତ୍ୟେକଙ୍କ ଘରର ଚେହେରା ଅଲଗା ଥିଲା। ସହର କଲୋନିର ଆପାର୍ଟମେଣ୍ଟ ଏକା ପରି ହେଲା। ଲୋକଙ୍କ ଜୀବିକା ଭିନ୍ନ ଭିନ୍ନ କୌଳିକ ବୃତ୍ତିରୁ ବ୍ୟବସାୟ ଏବ˚ ଚାକିରିକୁ ଖସିଆସିଲା। ତା’ପରେ ଆସିଲା ଯନ୍ତ୍ରର ଯୁଗ। ମଣିଷର କଳା, କୌଶଳ କ୍ରମେ ଗୌଣ ହୋଇପଡ଼ିଲା। ବିଶ୍ବଯୁଦ୍ଧ ପରେ ଈଶ୍ବର ମରିଗଲେ। ମରିଗଲା ସ୍ବର୍ଗ ନର୍କର କଳ୍ପନା। ଭୂତପ୍ରେତ ବିଦାୟ ନେଇଗଲେ ଆମ କାହାଣୀରୁ। ପାପ ପୁଣ୍ୟର ବିଚାର ହେତୁବାଦର ନିକିତିରେ ତଉଲାଗଲା। ନୈତିକତା ଆଚାରର ବିଷୟ ନ ହୋଇ ବିଚାରର ବିଷୟ ହେଲା। ମଣିଷର କଳ୍ପନା ବାସ୍ତବତାର ଚଟାଣରେ ଖସି ଚୂନା ଚୂନା ହୋଇଗଲା।

ଆଜି ଆପଣ ଏଇ ସହରର ଯେକୌଣସି ରାସ୍ତାକଡ଼ରେ ଛିଡ଼ାହୋଇ ଯା’ଆସ କରୁଥିବା ଯୁବକ ଯୁବତୀଙ୍କୁ ଲକ୍ଷ୍ୟ କରନ୍ତୁ। କେହି ସ୍ମାର୍ଟଫୋନ୍‌ରେ କଥା ହେଉଥିବ, ଆଉ କେହି ଫେସ୍‌ବୁକ୍‌ ଦେଖୁଥିବ, ଅନ୍ୟ କେହି ହ୍ବାଟ୍‌ସଆପ୍‌ରେ ମେସେଜ୍‌ ପଠଉଥିବ। ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌, ଡେସ୍କ୍‌ଟପ୍‌ ପରି ଯନ୍ତ୍ର ଆଜି ଆମକୁ ଏତେ କବଳିତ କରିଛି ଯେ ଆମେ ତା’ର ଧୃତରାଷ୍ଟ୍ରୀ ଆଲିଙ୍ଗନରୁ ମୁକ୍ତ ହୋଇପାରୁନାହୁଁ। ୨୦୧୭ ଡିସେମ୍ବରରେ ଶ୍ରୀ ମନୋଜ ଦାସଙ୍କର ଗୋଟିଏ ପ୍ରବନ୍ଧ ‘ଦ ନ୍ୟୁ ଇଣ୍ତିଆନ୍‌ ଏକ୍ସପ୍ରେସ୍‌’ରେ ବାହାରିଥିଲା। ‘ସିଡ୍‌ନି ମର୍ଣ୍ଣି˚ ହେରାଲ୍‌ଡ’ ସମ୍ବାଦପତ୍ରର ଏକ ସର୍ଭେର ଫଳାଫଳ ଉଦ୍ଧାର କରି ସେ ଲେଖିଥିଲେ ଯେ ସ୍ମାର୍ଟଫୋନ୍‌ରେ ଅଭ୍ୟସ୍ତ ପିଲାମାନେ ଭବିଷ୍ୟତରେ ‘ଇଣ୍ଟରନେଟ୍‌ ୟୁଜ୍‌ ଡିଜ୍‌ଅର୍ଡର’ ଭୋଗିବାର ଆଶଙ୍କା ରହିଛି।

ସବୁ ମଣିଷ ଜଣେ ଜଣେ ନାର୍ସିସସ୍‌। ସାମାଜିକ ଗଣମାଧ୍ୟମ ଆମ ଭିତରର ନାର୍ସିସସ୍‌କୁ ବାହାରକୁ ନେଇ ଆସିଛି। ପ୍ରତି ମଣିଷର ଗୋଟେ ସାମାଜିକ, ଗୋଟେ ପାରିବାରିକ ଏବ˚ ଗୋଟେ ବ୍ୟକ୍ତିଗତ ଜୀବନ ଥାଏ। ସାମାଜିକ ଗଣମାଧ୍ୟମ ଏସବୁ ଭିତରେ ଥିବା ବ୍ୟବଧାନକୁ ଲିଭେଇ ଦେଇଛି।

ମୁଁ ଆଉ ଥରେ ପିଲା ବୟସ ପ୍ରସଙ୍ଗକୁ ଫେରିଆସୁଛି। ଦାମୀ ଖେଳଣା କି ଦାମୀ ପୋଷାକ ପିଲାଦିନକୁ ଅର୍ଥମୟ କି ରଙ୍ଗିନ କରେ ନାହିଁ। ଆମ ପିଲାଦିନେ ଏତେ ଖେଳଣା ନ ଥିଲା। ଶଢ଼େଇ, ଦିଆଶିଲି ଖୋଳ, କାଚଗୋଟି ଏସବୁରେ କାମ ଚଳିଯାଉଥିଲା। ଏହାର ଅର୍ଥ ଆମ ପିଲାଦିନ କମ୍‌ ଉପଭୋଗ୍ୟ ନ ଥିଲା। ସବୁଠୁ ବେଶୀ ଉପଲବ୍ଧ ଥିଲା ନିରୁପଦ୍ରବ ସ୍ବାଧୀନତା। ଆଜି ପ୍ରତି ପିଲା ପଛରେ ଚାରି ଚାରିଟି ଆଖି। ଆପଣ ଭାବନ୍ତୁ, କେବେ ଶେଷ ଥର ଲାଗି ଗୋଟେ ସାନ ପିଲାକୁ ବର୍ଷାରେ ଭିଜି କାଗଜଡଙ୍ଗା ଭସଉଥିବା ଦେଖିଥିଲେ? କେବେ ଖରାଦିନିଆ ଦିପହରେ ଦଳେ ପିଲାଙ୍କୁ ଡାଳମାଙ୍କୁଡ଼ି ଖେଳିବା ଦେଖିଥିଲେ? ପାଠପଢ଼ାର ଏକମାତ୍ର ଉଦ୍ଦେଶ୍ୟ ହୋଇପଡ଼ିଛି ଅନ୍ନସ˚ସ୍ଥାନ ଏବ˚ କ୍ୟାରିୟର ଶିଡ଼ିରେ ଉପରକୁ ଆରୋହଣ।

ପୃଥିବୀର ଫ୍ୟାସନ୍‌ ଡିଜାଇନ୍‌ ଜଗତରେ ଓଡ଼ିଶାର ବିଭୁ ମହାପାତ୍ର ଗୋଟେ ପରିଚିତ ନାଆଁ। ୧୯୭୨ରେ ଜନ୍ମ ଶ୍ରୀ ମହାପାତ୍ରଙ୍କୁ ପଚାଶ ବର୍ଷ ହୋଇନାହିଁ। ମାତ୍ର ତାଙ୍କ ତିଆରି ପୋଷାକ ଆମେରିକାର ପୂର୍ବତନ ଫାଷ୍ଟ୍‌ ଲେଡି ମିସେଲ୍‌ ଓବାମାଙ୍କ ପାଖରୁ ନେଇ ବଲିଉଡ୍‌ର ସୋନମ୍‌ କପୁର ପିନ୍ଧୁଛନ୍ତି। ସେ ନ୍ୟୁୟର୍କର ଏକ ପରିଚିତ ବ୍ରାଣ୍ତ୍‌। ରାଉରକେଲାରେ ପିଲାଦିନ ବିତେଇଥିବା ବିଭୁ ମହାପାତ୍ର ମାଆଙ୍କଠାରୁ ସିଲେଇ ଶିଖିଥିଲେ ଓ ତାଙ୍କ ପୁରୁଣା ଶାଢ଼ି କାଟି ନୂଆ ଡିଜାଇନ୍‌ର ପୋଷାକ ତିଆରି କରୁଥିଲେ, ଯାହା ଘରେ ତାଙ୍କ ଭଉଣୀ ପିନ୍ଧୁଥିଲେ। ସେ କହିଛନ୍ତି, ମାଆ ହିଁ ତାଙ୍କର ସର୍ଜନଶୀଳତାକୁ ପ୍ରୋତ୍ସାହନ ଦେଇଥିଲେ।

ଆଧୁନିକ ଜୀବନ ପ୍ରାଚୁର୍ଯ୍ୟ ଦେଇଛି, ଆରାମଦାୟକ ଜୀବନ ଦେଇଛି; ମାତ୍ର ଏସବୁ ବାସ୍ତବରେ ଆମକୁ ପ୍ରକୃତିଠାରୁ ଦୂରକୁ ନେଇଯାଇଛି। ଆମର ସାହିତ୍ୟ କଥା ନିଅନ୍ତୁ। କବିତା କଥା ନିଅନ୍ତୁ। ସ˚ଗୀତ କଥା ନିଅନ୍ତୁ। ସାହିତ୍ୟରେ ପ୍ରକୃତି ଆଜି ଥାଇ ନ ଥିଲା ପରି। ଗାଁ ମଧ୍ୟ ସାହିତ୍ୟରୁ ଧୀରେ ଧୀରେ ହଜିଯାଉଛି।

ଟିକେ ଆଗରୁ ପ୍ରାଚୁର୍ଯ୍ୟ କଥା କହୁଥିଲି। ଆଧୁନିକ ଜୀବନ ଆମକୁ ପ୍ରାଚୁର୍ଯ୍ୟ ଦେଇଛି; ମାତ୍ର ଅନେକ କିଛି ଆମଠାରୁ ନେଇଯାଇଛି। ଅଭାବ, ନିଃସଙ୍ଗତା, ବିଚ୍ଛେଦ ଏବ˚ ଯନ୍ତ୍ରଣା ସୃଜନଶୀଳ ମଣିଷର ଖୁବ୍‌ ପ୍ରିୟ। ମନେପକାନ୍ତୁ ଅସ୍କାର ୱାଇଲ୍‌ଡଙ୍କର ‘ଦ ନାଇଟିଙ୍ଗେଲ୍‌ ଆଣ୍ତ୍‌ ରୋଜ୍‌’ ଗଳ୍ପର କଥା। ଶୀତରାତିର ବରଫ ଭିତରୁ ଧଳା ଗୋଲାପ ଫୁଟାଇ ସେଇ ଫୁଲକୁ ଲାଲ ରଙ୍ଗରେ ପରିଣତ କରିବାଲାଗି ନିଜର ବକ୍ଷସ୍ଥଳକୁ କଣ୍ଟକବିଦ୍ଧ କରିଥିଲା ନାଇଟିଙ୍ଗେଲ୍‌ ପକ୍ଷୀ, ଗୋଟେ ପ୍ରେମିକ କିଶୋର ପାଇଁ। କେବଳ ଅସ୍କାର ୱାଇଲ୍‌ଡ ନୁହେଁ, ପୃଥିବୀର ବହୁ ବିଖ୍ୟାତ କବି-ଲେଖକଙ୍କ ସୃଷ୍ଟିରେ ତ ଆମେ ଏହିସବୁକୁ ଭେଟୁ – ମଣିଷର ଦୁଃଖ, ନାରୀର ଦୁର୍ଭାଗ୍ୟ, ଦରିଦ୍ରର ଲାଞ୍ଛନା, ଦେଶତ୍ୟାଗୀର ଅପମାନ ଏବ˚ ଉଦ୍‌ବାସ୍ତୁର ମର୍ମାନ୍ତିକ ବେଦନା। କ୍ରୌଞ୍ଚ ପକ୍ଷୀର ବିଳାପ ବାଲ୍ମୀକିଙ୍କୁ ‘ମା ନିଷାଦ’ ଶ୍ଳୋକ ଲେଖିବାକୁ ପ୍ରେରଣା ଦେଇଥିଲା। ଚାରିପାଖର ମଣିଷମାନଙ୍କ ଦୁଃଖ କଷ୍ଟ ପ୍ରରୋଚିତ କରିଥିଲା ଭୀମ ଭୋଇଙ୍କୁ ଲେଖିବା ପାଇଁ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’। ଏହାର ଭୂରି ଭୂରି ଦୃଷ୍ଟାନ୍ତ ରହିଛି। ମଣିଷର ସମ୍ବେଦନଶୂନ୍ୟତା ପୃଥିବୀର ଆଉ ଗୋଟେ ବଡ଼ ସଙ୍କଟ।

ଆମର କୌତୂହଳ ଏବ˚ କଳ୍ପନାର ଜୀବନ୍ୟାସ ପାଇଁ ଉଦ୍ୟମ ପରିବାରରୁ ଆରମ୍ଭ ହେବା ଆବଶ୍ୟକ। ନୋବେଲ ବିଜୟିନୀ ବୋରିସ ଲେସିଙ୍ଗ ଗୋଟେ କଥା କହିଥିଲେ। ସେ କହିଥିଲେ, ଶିଶୁର ମନ ଅନ୍ଧକାର କୋଠରି ପରି। ସେଠି କ’ଣ ଅଛି ତାହା କେହି ଜାଣନ୍ତି ନାହିଁ। ପିଲାଟି ଭିତରେ କେଉଁ କଥା ଲାଗି ଆଗ୍ରହ ଅଛି ସେକଥା ବୁଝିବା ପାଇଁ ହେଲେ, ତା’ର କାରବାରକୁ ଛପି ଛପି ଲକ୍ଷ୍ୟ କରିବା କଥା। ଯେଉଁଥିରେ ସେ ଅଧିକ ଆଗ୍ରହ ପ୍ରକାଶ କରୁଛି ସେହି ପ୍ରକାର ନୂଆ ନୂଆ ଜିନିଷ ତାକୁ ଦେବା ଦରକାର। ମାଆମାନେ ପିଲାଙ୍କୁ ସବୁବେଳେ ସ୍ମାର୍ଟଫୋନ୍‌ କି ଟିଭି ସାମ୍ନାରେ ଛାଡ଼ିଦିଅନ୍ତୁ ନାହିଁ। ରାତିରେ ଶୋଇବାବେଳେ ତାକୁ ଗପ କୁହନ୍ତୁ। କାହାଣୀର ଶବ୍ଦରାଜି ପିଲା ମନକୁ କଳ୍ପନାର ଅଲଗା ପୃଥିବୀକୁ ନେଇଯାଏ।
ବିଦ୍ୟାଳୟରେ ସୃଜନଶୀଳତାକୁ ସର୍ବାଧିକ ଗୁରୁତ୍ବ ଦେବା ଦରକାର। ‘ଅମାବାସ୍ୟାର ଚନ୍ଦ୍ର’ର ଲେଖକ ବାରିଷ୍ଟର ଗୋବିନ୍ଦ ଦାସ ତାଙ୍କର ଆତ୍ମଜୀବନୀ ‘ସାନ ଗୋଟିଏ ଜୀବନ’ରେ ଲେଖିଛନ୍ତି ‘‘ଶ୍ରୀକୃଷ୍ଣ ମହାନ୍ତି ଥିଲେ ତାଙ୍କର ଘରୋଇ ଶିକ୍ଷକ। ସନ୍ଧ୍ୟାବେଳେ ଛାତ ଉପରକୁ ମତେ ଡାକି ନେଇଯାଇ ଆକାଶ ଓ ତାରାମାନଙ୍କୁ ଦେଖାଉଥିଲେ। କହୁଥିଲେ ଫାଷ୍ଟ୍‌ ଡିଭିଜନ୍‌ ତ ପାଇବୁ। କିନ୍ତୁ ମଣିଷ ହେବା ପାଇଁ ସେସବୁର କିଛି ମୂଲ୍ୟ ନାହିଁ। ଏ ଆକାଶ, ଏ ତାରାମାନଙ୍କୁ ଚିହ୍ନ, ଅନୁଭବ କର, ତାଙ୍କୁ ବନ୍ଧୁ କର, ତା’ହେଲେ ଭଲ ମଣିଷ ହେବୁ।’’

ଆମର ସମାଜ ଆମକୁ ଗୋଟେ ଗାର ପଡ଼ିଥିବା ଏକ୍ସରସାଇଜ୍‌ ଖାତା ପରି ଜୀବନ ଜିଇବାକୁ କହେ। ଭୁଲ୍‌ କରିବାର ଅଧିକାର ବିନା ନୂଆ କଥା ଅସମ୍ଭବ। ଉଦ୍ଭଟ ପ୍ରଶ୍ନ ନ ପଚାରିଲେ କୌତୂହଳୀ ମନ ଶାନ୍ତ ହେବ ନାହିଁ। ସୃଜନଶୀଳ ମଣିଷ ଗୁଳାପକା ରାସ୍ତାରେ ଚାଲିବ ନାହିଁ। ଚାଲିପାରିବ ନାହିଁ। ନୂଆ ଚିନ୍ତା, ନୂଆ କଳ୍ପନା ଓ ନୂଆ ଆବିଷ୍କାର ବିନା ମଣିଷ ସଭ୍ୟତା ସ୍ଥାଣୁ ହୋଇଯିବ।

ଆମ ଓଡ଼ିଆରେ ଅବୋଲକରା କାହାଣୀ ଖୁବ୍‌ ଲୋକପ୍ରିୟ। ସେଥିରେ ଆମେ ଦେଖୁ ଜଣେ ଜିଜ୍ଞାସୁ ଛାତ୍ର ଏବ˚ ଆଉ ଜଣେ ଅଭିଜ୍ଞତା ସ˚ପନ୍ନ ଶିକ୍ଷକ। ଜିଜ୍ଞାସୁ ମନରେ ଅସୀମ କୌତୂହଳ। ସେ ସବୁକଥା ଜାଣିବାକୁ ଚାହେଁ। ଅଭିଜ୍ଞ ଶିକ୍ଷକଙ୍କ ପାଖରେ ଅଗାଧ ପାଣ୍ତିତ୍ୟ। କୌତୂହଳ ଓ ପାଣ୍ତିତ୍ୟର ସମନ୍ବୟ ଯୋଗୁଁ ସେ କାହାଣୀଗୁଡ଼ିକ ଏତେ ଲୋକପ୍ରିୟ।

କୌତୂହଳୀ ମନ ଗୋଟେ ମଞ୍ଜି ପରି। ଆର୍ଦ୍ର ଓ ଉର୍ବର ମାଟିରେ ତାହା ପଡ଼ିଲେ ସେଥିରୁ ଅଙ୍କୁରୋଦ୍‌ଗମ ହୁଏ, ପଥର ଚଟାଣରେ ପଡ଼ିଲେ ତାହା ନଷ୍ଟ ହୋଇଯାଏ। ଭିଏତ୍‌ନାମ୍‌ର ବୌଦ୍ଧ ସନ୍ନ୍ୟାସୀ ଥି ହାତ୍‌ ହାନ୍‌ କହିଛନ୍ତି, ‘‘ଯେତେ ଚିକ୍କଣ ଓ ସୁନ୍ଦର ହେଲେ ସୁଦ୍ଧା ମାର୍ବଲ ଉପରେ ପଦ୍ମ ଫୁଟି ପାରିବ ନାହିଁ, ଏଥିପାଇଁ ପଙ୍କର ପ୍ରୟୋଜନ।” କେବଳ ମଞ୍ଜି ଓ ଉର୍ବର ମାଟି ଯଥେଷ୍ଟ ନୁହେଁ, ଏଥିପାଇଁ ସୂର୍ଯ୍ୟାଲୋକର ଉଷ୍ମତା ମଧ୍ୟ ପ୍ରୟୋଜନ। ପ୍ରେମ ସେହି ଉଷ୍ମତା। ଜୀବନ ପ୍ରତି ପ୍ରେମ, ପୃଥିବୀ ପ୍ରତି ମମତ୍ବବୋଧ, ସମ୍ଭାବନା ଓ ଆଶା ପ୍ରତି ଉନ୍ମୁଖ ଭାବ ଏବ˚ ସ˚ପର୍କ ପ୍ରତି ଅଙ୍ଗୀକାରବଦ୍ଧତା ସାଙ୍ଗକୁ ନୂଆ ଭାବେ ଏହି ପୃଥିବୀକୁ ଦେଖିବାର ସ୍ବପ୍ନ ହିଁ କଳ୍ପନା ଦ୍ରୁମର ପଲ୍ଲବନ ପାଇଁ ପ୍ରୟୋଜନ।

[email protected]

ସମ୍ବନ୍ଧିତ ଖବର