ଖାଇବା ତେଲର ଜହର

ଡାକ୍ତର ସତ୍ୟସ୍ବରୂପ ପଟ୍ଟନାୟକ

ତିନି ଚାରି ଦଶକ ତଳେ ଭାରତରେ ହୃଦ୍‌ରୋଗର ସ୍ଥିତି ଯାହା ଥିଲା, ଏବେ ତହିଁରେ ବିପୁଳ ପରିବର୍ତ୍ତନ ଆସିଛି। ସେତେବେଳେ ମୁଖ୍ୟତଃ ବୟସ୍କମାନେ ହୃଦ୍‌ରୋଗର ଶିକାର ହେଉଥିଲେ। କିନ୍ତୁ ଏବେ ଅନେକ ତରୁଣ ଏବଂ ମଧ୍ୟ ବୟସ୍କ ଲୋକେ ଏହାର ଶିକାର ହେଉଥିବା ଦେଖାଯାଉଛି। ଅନେକ ବିଶେଷଜ୍ଞ ମତ ଦେଲେଣି ଯେ ଏହି ସ୍ଥିତି ନ ବଦଳିଲେ ଶୀଘ୍ର ଭାରତ ପୃଥିବୀର ହୃଦ୍‌ରୋଗର ରାଜଧାନୀ ପାଲଟି ଯାଇପାରେ। ତେଣୁ ପରିସ୍ଥିତିକୁ ସମ୍ଭାଳିବା ଲାଗି ‘ଦ ଫୁଡ୍‌ ସେଫ୍‌ଟି ଏଣ୍ତ ଷ୍ଟାଣ୍ତାର୍ଡ ଅଥରିଟି ଅଫ୍‌ ଇଣ୍ତିଆ’ ପକ୍ଷରୁ ବିଧିବଦ୍ଧ ପଦକ୍ଷେପ ନିଆଯିବା ବିଷୟରେ ଚିନ୍ତା କରାଯାଉଛି। ଏଥି ସକାଶେ ୨୦୨୦ର ‘ଖାଦ୍ୟ ସୁରକ୍ଷା ନିୟମ’ରେ ସ˚ଶୋଧନ ଅଣାଯାଇ ଖାଇବା ତେଲରେ ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍‌’ର ପରିମାଣ କମାଇ ତାକୁ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମାପ ଅନୁସାରେ ରଖାଯିବାକୁ ସ୍ଥିର କରାଯାଇଛି। ସେହି ଅନୁସାରେ ଏବେ ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ।

‘ଟ୍ରାନ୍‌ସ ଫ୍ୟାଟି ଏସିଡ୍‌’ ହେଉଛି ଏଭଳି ଏକ କ୍ଷତିକାରକ ଚର୍ବିଜାତୀୟ ପଦାର୍ଥ ଯାହା ରକ୍ତରେ ଅପରିପୃକ୍ତ ଅବସ୍ଥାରେ ରହି ଭାସି ବୁଲେ ଓ ହୃଦ୍‌ରୋଗ ସୃଷ୍ଟିର କାରଣ ହୁଏ। ଏହାକୁ ଖାଇବା ତେଲର ଜହର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫଳମୂଳ, ପନିପରିବା, ତୈଳବୀଜ ବା ଶସ୍ୟରେ ଅତି ନଗଣ୍ୟ ପରିମାଣର ଏହି ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍’ ରହିଥାଏ। କିନ୍ତୁ ଯେତେବେଳେ ଔଦ୍ୟୋଗିକ ସ୍ତରରେ ପ୍ରକ୍ରିୟାକରଣ କରାଯାଇ ସେଥିରୁ ଖାଇବା ତେଲ ତିଆରି କରାଯାଏ, ସେତିକି ବେଳେ ପ୍ରଚୁର ପରିମାଣରେ ଏହି କ୍ଷତିକାରକ ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍’ ବାହାରେ ଏବ˚ ଖାଇବା ତେଲ ସ୍ବାସ୍ଥ୍ୟ ଲାଗି କ୍ଷତିକାରକ ହୋଇ ପଡ଼େ। ସେହି ତେଲରେ ଛଣା ଖାଦ୍ୟପଦାର୍ଥ ହୃଦ୍‌ରୋଗର କାରଣ ହୁଏ। ଖାଇବା ତେଲ ପ୍ରସ୍ତୁତିର ଏହି ପ୍ରକ୍ରିୟାକୁ ‘ହାଇଡ୍ରୋଜେନେସନ୍‌’ ବୋଲି କୁହାଯାଇଥାଏ। ଭାରତୀୟ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଅନେକ ପୂର୍ବ ପ୍ରସ୍ତୁତ ଖାଦ୍ୟରେ ଏହି ‘ହାଇଡ୍ରୋଜେନେଟେଡ୍‌’ ତେଲ ବ୍ୟବହୃତ ହୋଇଥାଏ। କାଗଜ ପ୍ୟାକି˚ ଉପରେ ଏହା ସୂଚିତ ହୋଇଥିଲେ ମଧ୍ୟ ଆମ ଉପଭୋକ୍ତାମାନେ ସଚେତନ ନ ଥିବାରୁ ଏଥିପ୍ରତି ଗୁରୁତ୍ବ ଦେଇ ନଥାନ୍ତି। ତେଣୁ ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି ଅନିବାର୍ଯ୍ୟ। ହୋଟେଲ ଓ ରେସ୍ତୋରାଁଗୁଡ଼ିକରେ ଯେମିତି ଖାଇବା ତେଲକୁ ବାରମ୍ବାର ବ୍ୟବହାର କରା ନ ଯାଏ, ସେଥିଲାଗି ମଧ୍ୟ ସରକାରୀ ନିର୍ଦ୍ଦେଶ ଦିଆଯିବ ବୋଲି ସ୍ଥିର କରାଯାଇଛି। କାରଣ ତେଲକୁ ବାରମ୍ବାର ବ୍ୟବହାର କରି ଛଣାଛଣି କଲେ ସେଥିରେ ମଧ୍ୟ ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍‌’ର ପରିମାଣ ବହୁଗୁଣିତ ହୋଇଥାଏ।

ଯୁକ୍ତରାଷ୍ଟ୍ର ଆମେରିକାରେ ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍‌’କୁ ନିଷେଧ କରାଯାଇଛି। ଜୀବନଶୈଳୀ ସହିତ ଖାଦ୍ୟପାନୀୟର ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ କାରଣରୁ ଭାରତୀୟମାନେ ଏବେ ଅଧିକରୁ ଅଧିକ ରୋଗଗ୍ରସ୍ତ ହେବାରେ ଲାଗିଛନ୍ତି, ଯାହା ଦେଶ ଉପରେ ଆର୍ଥିକ ବୋଝ ବୃଦ୍ଧି କରିବା ସହିତ ଏ ସବୁ ରୋଗର ଚିକିତ୍ସା ଅଧିକରୁ ଅଧିକ ଦରିଦ୍ରଙ୍କୁ ସୃଷ୍ଟି କରିବାରେ ଲାଗିଛି। ଏଭଳି ସ୍ଥିତିରେ ଦେଶର ଉତ୍ପାଦନଶୀଳତା ମଧ୍ୟ ଆକ୍ରାନ୍ତ ହେଉଛି। ତେବେ କେବଳ କଟକଣା ଯଥେଷ୍ଟ ନୁହେଁ। ଖାଉଟିମାନେ ଏ ବାବଦରେ ସଚେତନ ହେବା ଲୋଡ଼ା। ଭାରତର ସହର ବଜାରରେ ରାସ୍ତା କଡ଼ରେ ମିଳୁଥିବା ସୁସ୍ବାଦୁ ଛଣା ଖାଦ୍ୟରେ ‘ଟ୍ରାନ୍‌ସ ଫ୍ୟାଟି ଏସିଡ୍‌’ର ପରିମାଣ ମାତ୍ରାତିରିକ୍ତ। ବର୍ତ୍ତମାନ ସମୟରେ ବଜାରରେ ବିଭିନ୍ନ ଖାଦ୍ୟ ଉପଯୋଗୀ ତେଲ ଅପମିଶ୍ରିତ ଭାବେ ମଧ୍ୟ ବିକ୍ରି ହେଉଛି, ଯାହା ଶରୀର ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ।

ବର୍ତ୍ତମାନର ବଜାରରେ ଖାଇବା ତେଲର ଚାହିଦା ବଢ଼ିବା ସହ ମୂଲ୍ୟ ମଧ୍ୟ ସେହିପରି ଭାବେ ବଢ଼ିଛି। ବଜାରରେ ଫାଷ୍ଟଫୁଡ୍‌ ଓ ତେଲ ଭାଜି ଜିନିଷର ଆଦର ବଢ଼ୁଥିବା ବେଳେ ପ୍ରାୟ ସମସ୍ତ ଖାଦ୍ୟ ପ୍ରସ୍ତୁତକାରୀ ସ୍ବାସ୍ଥ୍ୟ ଉପଯୋଗୀ ତେଲ ବ୍ୟବହାର କରିନଥାନ୍ତି। ଅପମିଶ୍ରିତ ତେଲ କମ୍‌ ମୂଲ୍ୟ‌େର ମିଳୁଥିବାରୁ ବଜାରର ଛଣା ଖାଦ୍ୟରେ ସେ ସବୁର ବହୁଳ ବ୍ୟବହାର ହେଉଛି, ଯାହା ସ୍ବାସ୍ଥ୍ୟ ଲାଗି ବିପଦ ସୃଷ୍ଟି କରିଛି। ଦିନ ଥିଲା ଯେତେବେଳେ ପାରମ୍ପରିକ ଘଣା ତେଲର ବ୍ୟବହାର କରାଯାଉଥିଲା। ଏହା ଅତ୍ୟନ୍ତ ନିର୍ଭରଯୋଗ୍ୟ ଓ ବିଶୁଦ୍ଧ ଥିଲା। ଏବେ ଏ ବାବଦରେ ସଚେତନତା ପ୍ରକାଶ ପାଉଥିବାରୁ ସହରମାନଙ୍କରେ କଳ ଘଣାମାନ ବସିଲାଣି ଓ ତହିଁରୁ ‘କୋଲ୍‌ଡ ପ୍ରେସ୍‌ଡ’ ତେଲ ଉପଲବ୍‌ଧ ହେଉଛି। ସଚେତନ ଗ୍ରାହକମାନେ ଅଧିକ ଦର ଦେଇ ଏହାକୁ କିଣୁଛନ୍ତି। ବର୍ତ୍ତମାନ ଏଭଳି ତେଲ କମ୍‌ ଦରରେ ଉପଲବ୍‌ଧ ହେବା ଦରକାର ଏବଂ ଏହାକୁ ବ୍ୟବହାର କରିବା ଲାଗି ସଚେତନତାର ପ୍ରସାର ହେବା ମଧ୍ୟ ଆବଶ୍ୟକ।

ହୃଦ୍‌ନିଶ୍ଚେତକ ବିଭାଗ, ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର