ଚରମ ବାମ ଓ ଦକ୍ଷିଣର ସାମଂଜସ୍ୟ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ମୁଁ ପଥ-ପ୍ରଦର୍ଶିକା ବ୍ରିଟିସ୍‌ ନାରୀବାଦୀ ଓ ଶିକ୍ଷାବିତ୍‌ ଡୋରା ରସେଲ୍‌ଙ୍କ ସ୍ମୃତିକଥା ପଢ଼ୁଛି। ଏଗୁଡ଼ିକ ତିନିଟି ଖଣ୍ତରେ ପ୍ରକାଶିତ। ତନ୍ମଧ୍ୟରୁ ପ୍ରଥମ ଖଣ୍ତର ପଠନ ସଦ୍ୟ ଶେଷ ହୋଇଛି। ଏଡ୍‌ଵାର୍ଡ‌୍‌କାଳୀନ ଇ˚ଲଣ୍ତ୍‌ରେ ତାଙ୍କର ଲାଳନ-ପାଳନ, କେମ୍ବ୍ରିଜ୍‌ରେ ଶିକ୍ଷା, ଲିଙ୍ଗଗତ ସମତା ସ˚ପର୍କିତ ଦୃଷ୍ଟିକୋଣର ବିକାଶ, ନିଜ ଦ୍ବାରା ସ୍ଥାପିତ ପରୀକ୍ଷାମୂଳକ ବିଦ୍ୟାଳୟ ତଥା ବିବାଦୀୟ ବୁଦ୍ଧିଜୀବୀ ଓ ଦାର୍ଶନିକ ବର୍‌ଟ୍ରାଣ୍ଡ୍‌ ରସେଲ୍‌ଙ୍କ ସହ ତାଙ୍କର ବୈବାହିକ ଜୀବନ ଆଦି ଏଥିରେ ବର୍ଣ୍ଣିତ।

ନିଜ ପିଢ଼ିର ଅନେକଙ୍କ ଭଳି ଡୋରା ରସେଲ୍‌ ମଧ୍ୟ ବଲ୍‌ସେଭିକ୍‌ ବିପ୍ଳବ ଦ୍ବାରା ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ। ତାଙ୍କ ଆଦ୍ୟ ଯୌବନରେ ଏହି ବିପ୍ଳବ ଘଟିଥିଲା। ବିପ୍ଳବ ଆରମ୍ଭ ହେବାର ଅଳ୍ପ କିଛି କାଳ ପରେ ସେ ଏହାର ପ୍ରଭାବ ସ୍ବଚକ୍ଷୁରେ ଅଧ୍ୟୟନ କରିବା ପାଇଁ ବ୍ୟାପକ ଭାବେ ରୁଷିଆରେ ଭ୍ରମଣ କରିଥିଲେ। ୧୯୧୮-୧୯ରେ ରୁଷିଆରେ ଅତ୍ୟୁତ୍ସାହୀ ବଲ୍‌ସେଭିକ୍‌ମାନଙ୍କ ସହ ଆଲୋଚନା ବେଳେ ଡୋରାଙ୍କୁ ମଧ୍ୟ-ଯୁଗୀୟ କିରସ୍ତାନ ଧର୍ମତତ୍ତ୍ବବିତ୍‌ମାନଙ୍କ କଥା ମନେ ପକାଇଦିଆଯାଇଥିଲା, ଯେଉଁମାନେ ନିଖୁଣ ବିଶ୍ବର ସ୍ବପ୍ନ ଦେଖିଥିଲେ ଏବ˚ ସେମାନଙ୍କ ସ୍ବପ୍ନର ବିଶ୍ବ ସ୍ବୟ˚ ଭଗବାନ୍‌ ଗଢ଼ିବେ ବୋଲି ବିଶ୍ବାସ କରୁଥିଲେ। ସେହି ଧାର୍ମିକ କଳ୍ପନାବିଳାସୀଙ୍କ ଭଳି ରୁଷିଆର ଏହି ବଲ୍‌ସେଭିକ୍‌ମାନେ ଭାବୁଥିଲେ, ‘ବିଶ୍ବ-ବ୍ରହ୍ମାଣ୍ତର ନିର୍ମାତା ନିଜର କାର୍ଯ୍ୟ ଶେଷ କରି, ଗ୍ରହଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଗତିକରିବା ପାଇଁ ଛାଡ଼ିଦେଇଛନ୍ତି। ଏବେ ନୂଆ ସମାଜ ଗଢ଼ିବା ଦାୟିତ୍ବ ମଣିଷଙ୍କର। ଏହି ସମାଜ ଶିଳ୍ପ ଭିତ୍ତିକ ହେବ। ଏଥିରେ ପ୍ରତ୍ୟେକ ପୁରୁଷ ଓ ମହିଳା କର୍ମସ˚ସ୍ଥାନ ପାଇବେ ଏବ˚ ବିକାଶ ପାଇଁ ସମସ୍ତଙ୍କର ସାମଗ୍ରିକ ଅବଦାନ ରହିବ। ଏହି ଯୁକ୍ତିଯୁକ୍ତ ସମାଜ ବ୍ୟବସ୍ଥା ଥରେ ଗତିଶୀଳ ହେଲେ, ଆପେ ଗଡ଼ିଚାଲିବ।’

ସୋଭିଏତ୍‌ ରୁଷିଆରେ ଆଲୋଚନା ବେଳେ ଡୋରା ରସେଲ୍‌, ବଲ୍‌ସେଭିକ୍‌ମାନଙ୍କର ସ୍ବ-ମତ ଦୃଢ଼ତା ଦେଖି, ଅଭିଭୂତ ହୋଇଥିଲେ ତଥା ଏହା ତାଙ୍କୁ କିଛି ମାତ୍ରାରେ ବିଚଳିତ ମଧ୍ୟ କରିଥିଲା। ସେତେ ବେଳେ ସେ ଲେଖିଥିଲେ- ‘ସାମ୍ୟବାଦର ଶିକ୍ଷା, ଭବିଷ୍ୟତ୍‌ର ସାମ୍ୟବାଦୀ ରାଷ୍ଟ୍ର ଗଠନ ନିମନ୍ତେ ଯେତେ ଆବଶ୍ୟକ ହୋଇଥାଉ ନା କାହିଁକି, ମୋତେ ଲାଗୁଛି ଏହା ଅନିଷ୍ଟକର। ଏହା ମଣିଷକୁ ଘୃଣା କରିବା ପାଇଁ ଶିକ୍ଷା ଦେଉଛି। ଏହାର ସାମରିକ ଅନୁରାଗ ଅଧିକ। ଏହା ଗଠନମୂଳକ ନୁହେଁ। ଏହା ମୁକ୍ତ ଚିନ୍ତାଧାରାର ବିକାଶ ପାଇଁ ବାଧକ।’

ଡୋରା ରସେଲ୍‌ଙ୍କର ଏକ ଦଶନ୍ଧି ପରେ କବି ରବୀନ୍ଦ୍ରନାଥ ଟାଗୋର ସୋଭିଏତ୍‌ ରୁଷିଆ ପରିଦର୍ଶନରେ ଯାଇଥିଲେ। ସେ ପ୍ରାୟ ଦୁଇ ସପ୍ତାହ ସେହି ଦେଶରେ ରହିଥିଲେ; ବିଦ୍ୟାଳୟ, କାରଖାନା ଆଦି ପରିଦର୍ଶନ କରିଥିଲେ; ଏବ˚ ବିଭିନ୍ନ ବର୍ଗର ନାଗରିକଙ୍କ ସହ କଥା ହୋଇଥିଲେ। ରୁଷିଆ ଛାଡ଼ିବା ପୂର୍ବରୁ କମ୍ୟୁନିଷ୍ଟ ଦଳର ଖବରକାଗଜ ‘ଇଜ୍‌ଭେସ୍ତିଆ’କୁ ଏକ ସାକ୍ଷାତ୍‌କାର ଦେଇଥିଲେ। ସୋଭିଏତ୍‌ ରୁଷିଆରେ ଶିକ୍ଷାର ଉଲ୍ଲେଖନୀୟ ଅଗ୍ରଗତି ଓ ପ୍ରସାର ଦେଖି ସେ ଚମତ୍କୃତ ହୋଇଥିଲେ। ତେବେ, ସେ କହିଥିଲେ- ‘ମୁଁ ଏହା ନିଶ୍ଚିତ ଭାବେ ପଚାରିବି ଯେ, ଆପଣମାନେ ଯେଉଁ ଆଦର୍ଶରେ ପରିଚାଳିତ, ତଦନୁଯାୟୀ ପିଲାଙ୍କୁ ତାଲିମ ଦେଇ ଏବ˚ ଯେଉଁମାନଙ୍କ ପାଇଁ ଆପଣଙ୍କ ଆଦର୍ଶ ଗ୍ରହଣୀୟ ନୁହେଁ ତଥା ଯେଉଁମାନଙ୍କୁ ଆପଣ ନିଜର ଶତ୍ରୁ ବିବେଚନା କରୁଛନ୍ତି, ସେମାନଙ୍କ ବିରୋଧରେ ପିଲାଙ୍କ ମନରେ କ୍ରୋଧ ଓ ଶ୍ରେଣୀଗତ ଘୃଣା ଭାବ ଜାଗ୍ରତ କରାଇ, ସେମାନଙ୍କୁ ପ୍ରତିଶୋଧପରାୟଣ କରାଇ, ଆପଣ ନିଜର ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ସେବା କରୁଛନ୍ତି କି? ଏହା ସତ୍ୟ ଯେ, ବିକାଶ ପଥରେ ଥିବା ବିଭିନ୍ନ ଅନ୍ତରାୟ ବିରୋଧରେ ଲଢ଼ିବା ଆବଶ୍ୟକ। ତେବେ, ସେଥି ପାଇଁ ଅଜ୍ଞତା ଉପରେ ବିଜୟ ହାସଲ କରିବାକୁ ହେବ, ମନରେ ଦୟା ଭାବ ରଖିବାକୁ ହେବ ଏବ˚ ଶତ୍ରୁତା ତ୍ୟାଗ କରିବାକୁ ହେବ। ଆପଣଙ୍କର ଲକ୍ଷ୍ୟ ନିଜର ଦଳ ବା ନିଜର ଦେଶର ଊର୍ଦ୍ଧ୍ବରେ ହେବା ଉଚିତ। ଏହା ମାନବତାର ମଙ୍ଗଳ ପାଇଁ ହେବା ଉଚିତ। ଆଉ ଯେଉଁମାନେ ଆପଣଙ୍କ ସହ ଏକ ମତ ନୁହନ୍ତି, ସେମାନେ କ’ଣ ମାନବତାର ଅ˚ଶବିଶେଷ ନୁହନ୍ତି?

ଟାଗୋରଙ୍କ ମତରେ ଏକ ପୂର୍ଣ୍ଣ ବିକଶିତ ରାଜନୈତିକ ବ୍ୟବସ୍ଥା, ସ୍ବାଧୀନତାର ସହ ଭିନ୍ନ-ମତ ପ୍ରକାଶକୁ ଅନୁମତି ଦେବା ଉଚିତ। ଯଦି ଏକ ମତ ବଳପୂର୍ବକ ଲଦିଦିଆଯିବ, ଏହା ନିରାନନ୍ଦମୟ ଓ ଯାନ୍ତ୍ରିକ ଅନୁଭୂତ ହେବ। ଯଦି ସାରା ମାନବ ସମାଜ ପାଇଁ ଲକ୍ଷ୍ୟ ରଖିଛ, ସମସ୍ତ ସମ୍ଭାବ୍ୟ ଭିନ୍ନ-ମତକୁ ସ୍ବାଗତ କର। ମୁକ୍ତ ବୌଦ୍ଧିକ ଶକ୍ତି ଓ ନୈତିକ ପ୍ରବର୍ତ୍ତନା ମାଧ୍ୟମରେ ମତ କ୍ରମାଗତ ଭାବେ ପରିବର୍ତ୍ତିତ ହୋଇଥାଏ। ହି˚ସା କେବଳ ହି˚ସାକୁ ଜନ୍ମ ଦିଏ ଏବ˚ ଏହା ଅନ୍ଧ ମୂଢ଼ତା। ସତ୍ୟକୁ ଗ୍ରହଣ କରିବା ପାଇଁ ମନର ମୁକ୍ତି ଆବଶ୍ୟକ; ଏବ˚ ଆତଙ୍କ ଏହାକୁ ହତ୍ୟା କରେ।

ଟାଗୋରଙ୍କ ମତାମତ ସେହି ବର୍ଷ ‘ବିଶ୍ବ ଭାରତୀ’ ଦ୍ବାରା ପ୍ରକାଶିତ ଏକ ପୁସ୍ତକରେ ଉଦ୍ଧୃତ। ପୁସ୍ତକଟିକୁ ପ୍ରସ୍ତୁତ କରିଥିଲେ ବିଜ୍ଞାନୀ ପ୍ରଶାନ୍ତ ଚନ୍ଦ୍ର ମହଲାନବୀଶ। ଟାଗୋରଙ୍କ ସହ ସେ ରୁଷିଆ ଯାତ୍ରା କରିଥିଲେ। ‘ଇଜ୍‌ଭେସ୍ତିଆ’ରେ ତାଙ୍କ ସାକ୍ଷାତ୍‌କାର ସ˚ପୂର୍ଣ୍ଣ ଭାବେ ପ୍ରକାଶିତ ହୋଇଥିବା ପରି ଲାଗୁନାହିଁ। ଦଳୀୟ ଖବରକାଗଜ ହୋଇଥିବାରୁ, ଏହା ସୋଭିଏତ୍‌ ରାଷ୍ଟ୍ର ବିରୋଧରେ କେବେ ହେଲେ କିଛି ପ୍ରକାଶ କରି ନ ଥିବ। ସୌଭାଗ୍ୟବଶତଃ, କମ୍ୟୁନିଷ୍ଟ ଆଦର୍ଶର ପ୍ରତିଶୋଧପରାୟଣତା ଏବ˚ ଏହା ଭିତରେ ଛପିଥିବା ଘୃଣା ଭାବ ବିରୋଧରେ ଟାଗୋର ଯାହା କହିଥିଲେ, ଉତ୍ତର ପିଢ଼ି ପାଇଁ ତାହାକୁ ସାଇତି ଦେଇ ଯାଇଛନ୍ତି ମହଲାନବୀଶ।

ଡୋରା ରସେଲ୍‌ଙ୍କ ପାଖକୁ ପୁଣି ଥରେ ଫେରିବା। ସୋଭିଏତ୍‌ ରୁଷିଆ ଗସ୍ତର କିଛି କାଳ ପରେ ସେ ଚାଇନା ଭ୍ରମଣରେ ଯାଇଥିଲେ ଏବ˚ ଶୈଶବ ଅବସ୍ଥାରେ ଥିବା ସେଠାକାର କମ୍ୟୁନିଷ୍ଟ ପାର୍ଟିର ସକ୍ରିୟତାବାଦୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ନିଜସ୍ବ ମତ ଜନିତ ଦୃଢ଼ତା ଓ ଉତ୍ସାହ ରୁଷୀୟ କମ୍ରେଡ୍‌ମାନଙ୍କ ତୁଳନାରେ ଅଧିକ ଉଗ୍ର ଥିଲା। ୧୯୨୧ରେ ଜଣେ ବନ୍ଧୁଙ୍କ ନିକଟକୁ ଏକ ପତ୍ରରେ ଡୋରା ଟିପ୍ପଣୀ ଦେଇଥିଲେ- ‘ଉଭୟ ରୁଷିଆ ଓ ଚାଇନାରେ ସାମ୍ୟବାଦ ବିଚାର ଓ ଶାସନ ବ୍ୟବସ୍ଥାର ଜୟ ଜୟକାର ସତ୍ତ୍ବେ ଏହା ଏକ ଧର୍ମ ଠାରୁ ଅଧିକ ହୋଇପାରିନାହିଁ। ଧର୍ମ ଲୋକଙ୍କୁ ଏକତ୍ର କରାଏ, ଏକ ସ˚ପ୍ରଦାୟରେ ପରିଣତ କରେ ଏବ˚ ସେମାନଙ୍କୁ ଏକ ଗୋଷ୍ଠୀର ଅନୁଭବ ଦିଏ। ଏହା ମଜାଦାର ଯେ, ପାଶ୍ଚାତ୍ୟ, ପ୍ରାଚ୍ୟକୁ ପରିବର୍ତ୍ତନ ପାଇଁ ଏକ ଧର୍ମ ଦେଇଛି।’ ସେହି ପତ୍ରରେ ଆଉ ଏକ ସ୍ଥାନରେ ସେ ମନ୍ତବ୍ୟ ଦେଇଥିଲେ- ‘ଏ ଭଳି ଏକ ମତବାଦର ସ୍ବେଚ୍ଛାଚାରିତା, ପୁ˚ଜିବାଦୀ ବ୍ୟବସ୍ଥା ଠାରୁ ଅଧିକ ଖରାପ ହୋଇପାରେ…। ଏମାନେ ଗର୍ବର ସହ ଯେଉଁ ବିଜ୍ଞାନ କଥା କହୁଛନ୍ତି, ସେମାନଙ୍କଠାରେ ମୁଁ କୌଣସି ପ୍ରକାରର ବୈଜ୍ଞାନିକ ଦୃଷ୍ଟିକୋଣ ଓ ଚିନ୍ତାଧାରା ଦେଖି ପାରୁନାହିଁ।’

ଉଲ୍ଲେଖନୀୟ ଯେ, ଆମ ଦେଶର ସା˚ପ୍ରତିକ ଇତିହାସରେ ଚରମପନ୍ଥୀ ବାମବାଦୀମାନଙ୍କ ସହ ଚରମପନ୍ଥୀ ଦକ୍ଷିଣବାଦୀମାନଙ୍କର ଅନେକ ସାମଞ୍ଜସ୍ୟ ଥିବା କଥା ଆଜି ଆମେ ଦେଖୁଛେ। ସେମାନେ ଭାବୁଛନ୍ତି, କ୍ଷମତାରେ ଥିବା ରାଜନେତାମାନେ ଅମଲାତନ୍ତ୍ର ଓ ନ୍ୟାୟପାଳିକାକୁ ନିୟନ୍ତ୍ରିତ କରିବା ଉଚିତ। ଉପନ୍ୟାସ କିପରି ଲେଖାଯିବ, ଗୀତ କିପରି ଗାନ କରାଯିବ, କେଉଁ ସ୍ଲୋଗାନ୍‌କୁ ଉତ୍ସାହିତ କରାଯିବ ଓ କାହାକୁ ନିଷେଧ କରାଯିବ, ତାହା ଉପରେ ନିଷ୍ପତ୍ତି ନେବାର ଦାୟିତ୍ବ ନିଶ୍ଚିତ ଭାବେ ରାଷ୍ଟ୍ର ଏବ˚ ଶାସକ ଦଳ ଉପରେ ନ୍ୟସ୍ତ ହେବା ଉଚିତ। ଚରମପନ୍ଥୀ ଦକ୍ଷିଣବାଦୀମାନେ ବୈଜ୍ଞାନିକ ଦୃଷ୍ଟିକୋଣକୁ ବର୍ଜନ କରିବା ସହ ନିଜ ବିଶ୍ବାସ, ରହସ୍ୟ ଓ ଅଯୌକ୍ତିକତା ଦ୍ବାରା ପରିଚାଳିତ।

ଫରାସୀ ଐତିହାସିକ ଫଁସୁଆ ଫ୍ୟୁରେ ନିଜର ପୁସ୍ତକ ‘ଦ ପାସି˚ ଅଫ୍‌ ଆନ୍‌ ଇଲ୍ୟୁଜନ୍‌’ରେ ଚରମବାଦୀ ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ ମଧ୍ୟରେ ଥିବା ଅନୁରୂପତା ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଫ୍ୟୁରେ ଲେଖିଛନ୍ତି- ‘ସୋଭିଏତ୍‌ ଜନତା ଏବଂ ଜାତୀୟ ସାମ୍ୟବାଦୀ ଜନତା ଏକା ଭଳି; ଏମାନଙ୍କ ବାହାରେ ଅନ୍ୟ ସମସ୍ତେ ଅସାମାଜିକ। ଏମାନେ ଆଦର୍ଶଗତ ଏକତାକୁ ସର୍ବଦା ସଗର୍ବେ ସାର୍ବଜନୀନ ଭାବେ ଘୋଷଣା କରନ୍ତି। ଶୀର୍ଷ ନେତା ଏମାନଙ୍କର ମୁଖ୍ୟ ଏବ˚ ଅନ୍ୟମାନେ ଅନୁଗାମୀ। ଜନତା ସର୍ବଦା ଦଳ ଓ ଦଳର ମୁଖ୍ୟଙ୍କ ସହ ରହିବାକୁ ବାଧ୍ୟ। ଏହା ବାହାରେ ଅନ୍ୟ ସମସ୍ତେ ଜନତାର ଶତ୍ରୁ। ଜନତାର ଶତ୍ରୁ କିଏ, ତାହା ସ୍ଥିର କରିବେ ସର୍ବୋଚ୍ଚ ବା ଶୀର୍ଷ ନେତା। ସେ ନିଜ ମରଜି ଅନୁଯାୟୀ ଜନତାର ଶତ୍ରୁର ସ˚ଜ୍ଞା ଓ ସ୍ବରୂପ ବଦଳାଇ ପାରିବେ। ଲେନିନ୍‌ଙ୍କ ପାଇଁ ଜନତାର ଶତ୍ରୁ ଥିଲେ ବୁର୍ଜୁଆ ଗୋଷ୍ଠୀ; ହିଟ୍‌ଲର‌୍‌ଙ୍କ ପାଇଁ ଇହୁଦୀ ସ˚ପ୍ରଦାୟ। ବ୍ୟବସ୍ଥାକୁ ଶାଶ୍ବତ ଏବ˚ ଜନତାକୁ ସଦା ସଜାଗ ରଖିବା ପାଇଁ ଷଡ଼୍‌ଯନ୍ତ୍ରର ବିଦ୍ୟମାନତାକୁ ଏମାନେ ଗୁରୁତ୍ବ ଦିଅନ୍ତି।’

ଫ୍ୟୁରେ ଆହୁରି ମଧ୍ୟ ଲେଖିଛନ୍ତି- ‘ଉଭୟ ଫାସିବାଦ ଓ ସାମ୍ୟବାଦରେ ସବୁଠାରୁ ଭୀଷଣ ଓ ଅନୈତିକ ଅବଲମ୍ବନ ଗ୍ରହଣୀୟ, ଯଦି ତାହା ରାଜନୈତିକ ଆଧିପତ୍ୟକୁ ସୁହାଉଥିବ। ତେଣୁ, ଲେନିନ୍‌ ତଥା ହିଟ୍‌ଲର‌୍‌ଙ୍କ ପାଇଁ- ତୁମେ ନିଜର ଦେଶବାସୀଙ୍କୁ ଯୁଦ୍ଧର ଶତ୍ରୁ ପରି ମାରିପାର। ସେମାନେ କେବଳ ଭିନ୍ନ ଗୋଷ୍ଠୀ ବା ବିରୋଧୀ ଦଳର ହୋଇଥିବା ଆବଶ୍ୟକ। ଆତଙ୍କ ଓ କ୍ଷମତାର ସ୍ବେଚ୍ଛାଚାରୀ ବ୍ୟବହାରକୁ ସ୍ବୀକୃତି ଦେବା ପାଇଁ ନ୍ୟାୟତାକୁ ଏକ ମିଥ୍ୟା ଅନୁଷ୍ଠାନିକତାରେ ପରିଣତ କରାଯାଇଥିଲା।’

ଫ୍ୟୁରେଙ୍କ ପୁସ୍ତକ ଇଉରୋପ୍‌ର ଅନ୍ତଃ-ଯୁଦ୍ଧକାଳୀନ। ତେଣୁ, ଲେନିନ୍‌ ଓ ହିଟ୍‌ଲର‌୍‌ ପାଖାପାଖି ସନ୍ନିବେଶିତ। ଯୁଦ୍ଧ ପରବର୍ତ୍ତୀ ଏସିଆର ଜଣେ ଭାବୀ ଐତିହାସିକ ଚାଇନାରେ ସାମ୍ୟବାଦର ଉତ୍‌ଥାନ ଏବ˚ ଭାରତରେ ହିନ୍ଦୁତ୍ବ ପ୍ରଭୁବାଦର ଅଭ୍ୟୁଦୟ ବିଶେଷତଃ ମାଓ ଅନୁଗାମୀ ଗୋଷ୍ଠୀ (କଲ୍‌ଟ) ଓ ମୋଦୀ ଅନୁଗାମୀ ଗୋଷ୍ଠୀ ଭିତରେ ସାଦୃଶ୍ୟ ଦେଖିପାରନ୍ତି। ଯଦିଓ ଫ୍ୟୁରେ କେବେ ହେଲେ ଭାରତ ପରିଦର୍ଶନରେ ଆସିନାହାନ୍ତି ଏବ˚ ଭାରତର ଇତିହାସ ବାବଦରେ ବିଶେଷ କିଛି ପଢ଼ି ନ ଥାଇପାରନ୍ତି, ତାଙ୍କ ପୁସ୍ତକରୁ ମୁଁ ଉଦ୍ଧୃତ କରିଥିବା ଏହି ପାରାଗ୍ରାଫ୍‌ ଏବର ଭାରତ ସହ ଅନେକା˚ଶରେ ଖାପ ଖାଉଛି। ମାଓଙ୍କ ଅଧୀନରେ ଚାଇନିଜ୍‌ କମ୍ୟୁନିଷ୍ଟଙ୍କ ପରି, ମୋଦୀଙ୍କ ଅଧୀନରେ ଭାଜପା ଏକ ଦଳୀୟ-ରାଷ୍ଟ୍ରର ନିର୍ମାଣ ଚାହୁଁଛି। ଦଳର ଶୀର୍ଷ ନେତା ନିଖୁଣ, ସର୍ବଗୁଣସ˚ପନ୍ନ ଓ ମହାନ୍‌ ଥିବାର ଏକ ଚିତ୍ର ସଫଳତାର ସହ ସୃଷ୍ଟି କରାଯାଇପାରିଛି। ବିରୋଧୀ ତଥା ସମାଲୋଚକମାନଙ୍କୁ ବେଶ୍‌ ସହଜରେ ଦେଶ-ବିରୋଧୀ ଭାବେ ଚିତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ବିପଦ ଥିବା ନିୟମିତ ଭାବେ କହାଯାଉଛି। ସବୁଠାରୁ ବିବ୍ରତକର କଥାଟି ହେଲା, ଭାରତୀୟ ମୁସଲମାନମାନଙ୍କୁ ଖଳ ଓ ବିପଜ୍ଜନକ ଭାବେ ଚିତ୍ରଣ କରାଯାଉଛି; ଠିକ୍‌ ଯେମିତି ଚାଇନାରେ କମ୍ୟୁନିଷ୍ଟମାନଙ୍କ ଦ୍ବାରା ଅଣ-ହାନ୍‌ ସ˚ପ୍ରଦାୟଗୁଡ଼ିକୁ ନିନ୍ଦିତ-ଅପବାଦିତ କରାଯାଇଆସିଲାଣି।

ଯଦିଓ ଉଭୟ ପକ୍ଷ କେବେ ହେଲେ ସ୍ବୀକାର କରିବେନାହିଁ, ଚରମ ବାମପନ୍ଥୀ ଓ ଚରମ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଅନେକା˚ଶରେ ସମାନତା ରହିଛି। ଡୋରା ରସେଲ୍‌ଙ୍କ ଏକ ଉଦ୍ଧୃତି ତାଜା କରିଦିଏ- ‘ସାମ୍ୟବାଦର ଶିକ୍ଷା କୌଣସି ଏକ ସାମ୍ୟବାଦୀ ରାଷ୍ଟ୍ର ଗଠନରେ ଯେତେ ସହାୟକ ହୋଇଥାଉ ନା କାହିଁକି; ଏହା ଘୃଣା ଭାବର ପ୍ରସାରକ, ଭିନ୍ନ-ମତ ପ୍ରତି ଅସହିଷ୍ଣୁ। ଏହାର ସାମରିକ ଅନୁରାଗ ଅଧିକ ଏବ˚ ଏହା ସକାରାତ୍ମକ ବା ଗଠନମୂଳକ ନୁହେଁ। ଏହା ମୁକ୍ତ ଚିନ୍ତନ ତଥା ମୁକ୍ତ ଚିନ୍ତନର ପ୍ରବାହକୁ ବାଧା ଦିଏ।’ କେବଳ ‘ସାମ୍ୟବାଦ’ ସ୍ଥାନରେ ‘ସା˚ପ୍ରଦାୟିକବାଦ’କୁ ରଖି ବିଚାର କଲେ, ଆମେ ତାହା ଦେଖିବା, ଯାହା ସ˚ପ୍ରତି ଆର‌୍‌ଏସ୍‌ଏସ୍‌ ଓ ଭାଜପା ଭାରତରେ କରିବାକୁ ଚାହୁଁଛି।
(ମତାମତ ଲେଖକଙ୍କ ନିଜସ୍ବ)

ସମ୍ବନ୍ଧିତ ଖବର