ଇତାଲୀୟ ବିଦ୍ବାନ ନିକୋଲୋ ମାକିଆଭେଲି ତାଙ୍କ ପ୍ରଖ୍ୟାତ ପୁସ୍ତକ ‘ଦି ପ୍ରିନ୍ସ’ରେ ଲେଖିଥିଲେ ଯେ ରାଜ୍ୟକୁ ସୁରକ୍ଷା ଦେବା ଜଣେ ରାଜପୁତ୍ରର ପ୍ରଥମ ଓ ପ୍ରମୁଖ ଲକ୍ଷ୍ୟ ହେବ ଏବ˚ ସେଥିପାଇଁ ସେ ସମର ଶାସ୍ତ୍ରରେ ନିପୁଣ ହେବ। ରାଜପୁତ୍ରଙ୍କ ପାଇଁ ଶିକ୍ଷାର ଅନ୍ୟ ଶୃଙ୍ଖଳା ଗୌଣ। କାରଣ ଜଣେ ‘ରାଜପୁତ୍ର’, ‘ଵାନ୍ ହୁ କମାଣ୍ତସ୍’ ଅର୍ଥାତ୍ ସିଏ ଯିଏ ନିର୍ଦ୍ଦେଶ ଦିଏ। ଯେଉଁ ରାଜପୁତ୍ର ସମର କଳା ବ୍ୟତିରେକ ଅନ୍ୟ କିଛି କଳାର ବିଳାସରେ ଛନ୍ଦି ହୋଇପଡ଼ନ୍ତି; ପରିଣାମରେ ସେମାନେ ରାଜ୍ୟ ହରାନ୍ତି, କ୍ଷମତା ଓ ପ୍ରତିପତ୍ତି ସବୁ ହରାନ୍ତି। ସୁତରା˚, ତାଙ୍କ ଭାଷାରେ ରାଜପୁତ୍ର ଯେ କୌଣସି ସମୟରେ ଯେ କୌଣସି ଯୁଦ୍ଧର ମୁକାବିଲା କରିବାକୁ ଯେମିତି ସମର୍ଥ ଥିବ। ମାକିଆଭେଲି ଲେଖିଛନ୍ତି ଯେ ଯେଉଁମାନେ ଜନ୍ମରୁ ‘ପ୍ରିନ୍ସ’ ହୋଇ ପୃଥିବୀକୁ ଆସି ନ ଥାନ୍ତି, ସେମାନେ ଯଦି ଉପଯୁକ୍ତ ଗୁଣ ରଖନ୍ତି ଓ ଶିକ୍ଷା ଲାଭ କରନ୍ତି, ତେବେ ସେମାନେ ମଧୢ ‘ପ୍ରିନ୍ସ’ ହେବାର ଯୋଗ୍ୟତା ହାସଲ କରିପାରିବେ। ତାଙ୍କ ମତରେ ‘ପ୍ରିନ୍ସ’ମାନେ କ୍ଷମତା ଓ କର୍ତ୍ତୃତ୍ବ ହରାଇ ବସିଥିବାର ମୁଖ୍ୟ କାରଣ ହେଉଛି ଶତ୍ରୁକୁ ସମ୍ମୁଖୀନ ହୋଇ ନ ପାରିବା ଓ ଯୁଦ୍ଧ ପାଇଁ ଉଦାସୀନ ରହିବା। ମାକିଆଭେଲି ଏହାର ଏକ ଉଦାହରଣ ଦେଇଛନ୍ତି। ଫ୍ରାନସେସ୍କୋ-ସ୍ଫୋର୍ଜା ନାମକ ଜଣେ ସାଧାରଣ ବ୍ୟକ୍ତି ଅପୂର୍ବ ସାମରିକ ସାମର୍ଥ୍ୟ ପ୍ରଦର୍ଶନ କରି, ‘ଡ୍ୟୁକ୍ ଅଫ ମିଲାନ୍’ ହୋଇ ସି˚ହାସନ ଦଖଲ କରି ପାରିଥିଲେ। କିନ୍ତୁ ତାଙ୍କ ଅପଦାର୍ଥ ଦାୟାଦମାନେ ଯୁଦ୍ଧ ଓ ସ˚ଘର୍ଷ ପରି କଠିନ ଓ ସାହସିକ କାର୍ଯ୍ୟକୁ ଭୟ କରି ସବୁ ହରାଇଲେ।
ମାକିଆଭେଲି ତାଙ୍କ ‘ପ୍ରିନ୍ସ’ ବା ରାଜପୁତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ଯେପରି ତାଙ୍କର ସେନାବାହିନୀକୁ ନିରନ୍ତର ସମରାଭ୍ୟାସରେ ରଖନ୍ତି। ଦ୍ବିତୀୟ ପରାମର୍ଶ ହେଲା ରାଜପୁତ୍ରମାନେ ଯେମିତି ସେମାନଙ୍କ ନିଜ ରାଜ୍ୟର ଭୂଗୋଳ ଓ ପ୍ରଜାମାନଙ୍କୁ ଉତ୍ତମ ରୂପେ ଜାଣିବାର ପ୍ରଯତ୍ନ କରନ୍ତି। ତେଣୁ ରାଜ୍ୟ ସାରା ବୁଲିବା ଏବଂ ପ୍ରଜାମାନଙ୍କ ସହିତ ମିଶିବା ରାଜପୁତ୍ରମାନଙ୍କ ଏକ ପ୍ରଧାନ କାମ ହେବା ଉଚିତ। ମାକିଆଭେଲି ଏ ପ୍ରସଙ୍ଗରେ ଫିଲୋପାଇମେନ ନାମକ ଜଣେ ରାଜପୁତ୍ରଙ୍କ ଉଦାହରଣ ଦେଇଛନ୍ତି। ଫିଲୋପାଇମେନ ଜେଣ ଆଦର୍ଶ ସ୍ଥାନୀୟ ରାଜପୁତ୍ର। ତାଙ୍କ ରାଜ୍ୟ ପ୍ରତି କୌଣସି କୋଣରୁ ବିପଦର ଲେଶ ମାତ୍ର ଆଶଙ୍କା ନ ଥିବା ସତ୍ତ୍ବେ ସେ ସର୍ବଦା ଏକ ଆସନ୍ନ କଳ୍ପିତ ଯୁଦ୍ଧର ପ୍ରସ୍ତୁତିରେ ରହୁଥିଲେ। ମାକିଆଭେଲିଙ୍କ ଏହି ପୁସ୍ତକର ରଚନା କାଳ ୧୫୦୩ ମସିହା। ଏଥିରେ ରାଜପୁତ୍ରମାନଙ୍କ ଲାଗି ଆହୁରି ଅନେକ ବିଜ୍ଞ ପରାମର୍ଶ ସନ୍ନିବେଶିତ। କିନ୍ତୁ ଯାହା ତାଙ୍କ ପରାମର୍ଶଗୁଡ଼ିକର ସାରାଂଶ, ତାହା ହେଲା ଜଣେ ରାଜପୁତ୍ରର ପରମ ଲକ୍ଷ୍ୟ ହେଉଛି ସମରରେ ବିଜୟୀ ହେବା।
ତେବେ, କଥା ହେଲା ଆଜିକାର ଗଣତାନ୍ତ୍ରିକ ପୃଥିବୀରେ ରାଜପୁତ୍ରମାନେ ଆଉ ନାହାନ୍ତି। ଏବେ ରାଜତନ୍ତ୍ର ବଦଳରେ ସର୍ବତ୍ର ଗଣତନ୍ତ୍ର ଦୃଶ୍ୟମାନ। କିନ୍ତୁ ମାକିଆଭେଲି ତଥାପି ଅପ୍ରାସଙ୍ଗିକ ହୋଇନାହାନ୍ତି। ଆଜିର ଗଣତନ୍ତ୍ରରେ ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାକୁ ଏକ ସମର ବୋଲି ଗ୍ରହଣ କରାଯାଏ, ତେବେ ତହିଁରେ ଜିଣିବା ଏବଂ ଶାସନ କ୍ଷମତା ହାସଲ କରିବା ଲାଗି ଆଜି ବି ଯେଉଁ ପନ୍ଥା ଆପଣାଇବାକୁ ହେଉଛି, ତାହା ମାକିଆଭେଲି ଦର୍ଶନ ସହିତ ଅନେକାଂଶରେ ଖାପ ଖାଇଥାଏ।
ଏ ପରିପ୍ରେକ୍ଷୀରେ ଭାରତର ରାଜନୀତି ବିଷୟ ଆଲୋଚନା କରାଯାଉ। ସ୍ବାଧୀନତା ପରବର୍ତ୍ତୀ କାଳରେ କଂଗ୍ରେସ ଦଳ ଶାସନରେ ରହିଛି ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ। କିନ୍ତୁ ନିର୍ବାଚନ ସମରରେ ପରାଜିତ ହେବାର ମାତ୍ର ସାତ ବର୍ଷ ମଧ୍ୟରେ ଏହି ଦଳ ଏତେ ଦୁର୍ବଳ ହୋଇପଡ଼ିଛି ଯେ ଅନେକ ସ୍ଥାନରେ ଅସ୍ତିତ୍ବ ସଂକଟର ସାମନା କରୁଛି। ଏହାର କାରଣ କ’ଣ? କାରଣ ହେଲା, କ୍ଷମତାରେ ଥିବା ସମୟ କାଳ ମଧ୍ୟରେ ଦଳ ବୃଥା ଆତ୍ମସନ୍ତୋଷର ବଶବର୍ତ୍ତୀ ହୋଇ ଯାହା ହରାଇଛି, ତାହା ହେଉଛି ନିଜକୁ ସର୍ବଦା ଏକ ଯୁଦ୍ଧ ଲାଗି ପ୍ରସ୍ତୁତ କରି ରଖିବାର ସ୍ପୃହା, ଯାହା ଫିଲୋପାଇମେନଙ୍କ ଠାରେ ଥିଲା ବୋଲି ସେ ଦୀର୍ଘ କାଳ କ୍ଷମତାକୁ ଧରି ରଖିବାରେ ସଫଳ ହୋଇଥିଲେ। କୌଣସି ଆଡୁ ବିପଦର ଶଙ୍କା ନ ଥିଲେ ସୁଦ୍ଧା ଫିଲୋପାଇମେନ ସର୍ବଦା ଏକ ଆସନ୍ନ କଳ୍ପିତ ସମର ଲାଗି ନିଜକୁ ପ୍ରସ୍ତୁତ କରି ରଖୁଥିଲେ। ସେମିତି ଏକ ଲଢୁଆପଣର ଅଭାବରେ କଂେଗ୍ରସ ଦୁର୍ବଳ ହେବାରେ ଲାଗିଛି। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାଜପା ଆଜି ଏଭଳି ଏକ ଦଳରେ ପରିଣତ ହୋଇଛି, ଯାହା ସର୍ବଦା ତାର ସମରାଭ୍ୟାସ ଜାରି ରଖିଛି। ସେହି ଦୃଷ୍ଟିରୁ ବିଚାର କଲେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ମାକିଆଭେଲିଙ୍କ ଦର୍ଶନର ଅନେକ ପ୍ରଭାବ ଦେଖିବାକୁ ମିଳେ। ସେ ନିଜ ଭୂଖଣ୍ଡକୁ ଏବଂ ନିଜ ଦେଶବାସୀଙ୍କୁ ଭଲ ଭାବେ ଜାଣନ୍ତି। ତରୁଣ ଅବସ୍ଥାରେ ସେ ଭାରତର କୋଣ ଅନୁକୋଣ ଭ୍ରମଣ କରିଛନ୍ତି ଓ ଦେଶକୁ ଅନ୍ତରଙ୍ଗ ଭାବେ ଜାଣନ୍ତି। କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ତାଙ୍କ ନେତୃତ୍ବରେ ଭାଜପା ଦେଶର ସବୁ ରାଜ୍ୟଗୁଡ଼ିକୁ ଦଖଲ କରିବା ଲାଗି କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ମାକିଆଭେଲିଙ୍କ ପ୍ରିନ୍ସ ଭଳି ଭାଜପାର ମୂଳ ଲକ୍ଷ୍ୟ କୌଣସିମତେ ବା କଳେ ବଳେ କଉଶଳେ କ୍ଷମତା ଦଖଲ କରିବା। ମାକିଆଭେଲି ବଞ୍ଚିଥିଲେ ଆଜି କହନ୍ତେ ଏହା ହିଁ ତ କ୍ଷମତା ରାଜନୀତିରେ ସର୍ବାଧିକ ଆବଶ୍ୟକତା।
ରାଜତନ୍ତ୍ର ହେଉ କି ଗଣତନ୍ତ୍ର କ୍ଷମତାଧାରୀ ଯଦି ସମର ବା ସଂଘର୍ଷ କରିବାର ସ୍ପୃହା ହରାଏ, ତେବେ ସେ କ୍ଷମତା ହରାଇବା ଅବଧାରିତ। ଏ କଥା ମାକିଆଭେଲିଙ୍କ ଷୋଡ଼ଶ ଶତାବ୍ଦୀରେ ଯେତିକି ପ୍ରଯୁଜ୍ୟ ଥିଲା, ଏବେ ବି ସେତିକି ଯୁକ୍ତିଯୁକ୍ତ। ଏହା ରାଜପୁତ୍ରମାନଙ୍କ ଲାଗି ଯେତିକି ପ୍ରାସଙ୍ଗିକ ଥିଲା, ଏବେ ଜନ-ପ୍ରତିନିଧିଙ୍କ ଲାଗି ମଧ୍ୟ ସେତିକି ପ୍ରାସଙ୍ଗିକ।
ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪