କରୋନା ଭାଇରସ୍ ବା କୋଭିଡ୍-୧୯ ଏବେ କମି ଆସିଛି। ଲୋକେ ଟିକିଏ ନିଶ୍ୱାସ ମାରିଲେଣି। ଅନୁମାନ କରାଯାଉଛି ଆଗାମୀ ଜୁନ୍ କି ଜୁଲାଇ ବେଳକୁ ଲୋକମାନେ ସାଧାରଣ ଭାବରେ ଚଳାଚଳ କରିବେ। ଗତ ଗୋଟାଏ ବର୍ଷ ହେଲା ବହୁ ଲୋକ ଯେ ଯୁଆଡ଼େ ପ୍ରାଣ ବିକଳରେ ଘର ଭିତରେ ବସିଥିଲେ। ଏବେ ବାହାରକୁ ଯିବା ଆରମ୍ଭ କରିବେ। ସ୍କୁଲମାନଙ୍କୁ ଅଳ୍ପ ସଂଖ୍ୟାରେ ପିଲାଙ୍କୁ ଅଣାଯାଉଛି। ବୃଦ୍ଧନିବାସମାନଙ୍କରେ ପ୍ରାୟ ସମସ୍ତଙ୍କୁ ଟିକା ଦିଆ ସରିଲାଣି ବୋଲି କୁହାଯାଉଛି। ଭୋଟ ଲଢୁଥିଲା ବେଳେ ବାଇଡେନ୍ କହିଥିଲେ ଯେ ସେ ରାଷ୍ଟ୍ରପତି ହେଲେ ୧୦୦ ଦିନ ଭିତରେ ୧୦ କୋଟି ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରିବେ। ଏବେ ଯାହା ଦେଖାଯାଉଛି ତାଙ୍କର ଉଦ୍ୟମ ଫଳରେ ୧୦୦ ଦିନ ଭିତରେ ୧୦ କୋଟିରୁ ଅଧିକ ଲୋକ ଟିକା ପାଇ ପାରିବେ। ଜୀବନ ପାଇଁ ମରଣ ସହିତ ସଂଗ୍ରାମ ଚାଲିଥିବା ବେଳେ ଲୋକମାନେ ଆଗରୁ କିଛି ଉପାୟ ପାଉ ନଥିଲେ। ଗୁଡ଼ାଏ ଏଣୁ ତେଣୁ କହି ଲୋକମାନଙ୍କୁ ଧପେଇ ଦିଆଯାଉଥିଲା। ଏବେ କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ କଅଣ କଅଣ କରିବାକୁ ହେବ- ସେ କଥା ସ୍ପଷ୍ଟ କରି ସମସ୍ତଙ୍କୁ କହିଦିଆଯାଇଛି। ଲୋକେ ସେ କଥା ଶୁଣୁଛନ୍ତି ଓ ମାନୁଥିବା ପରି ବୋଧ ହେଉଛି।
ସମସ୍ୟା ହେଲା ଯେ ସରକାର ଓ ସ୍ୱାସ୍ଥ୍ୟ ସଂସ୍ଥାମାନେ ଏକ ବୈଜ୍ଞାନିକ ପଦ୍ଧତିକୁ ଧରୁ ଥିବା ବେଳେ ଆଉ ଦଳେ ଏହା ବିରୋଧରେ ରୀତିମତ ପ୍ରଚାର ଚଳାଇଛନ୍ତି। ସେମାନଙ୍କ ପ୍ରଚାର ଖୁବ୍ କାମ କରୁଛି। ଫଳରେ ଅନେକ ଲୋକ ଟିକା ନେବାକୁ ଡରୁଛନ୍ତି ବା ଚାହୁଁ ନାହାନ୍ତି। ସବୁ ଲୋକଙ୍କ ସହଯୋଗ ସବୁ ଜାଗାରେ ନପାଇଲେ ଭାଇରସ୍ର ବିଲୋପ ଘଟୁନାହିଁ। ବିରୋଧୀ ପକ୍ଷ ନିଜର ମନୋଭାବ ବଦଳାଉ ନାହାନ୍ତି। ସେମାନେ ସମସ୍ତେ ହେଲେ ଟ୍ରମ୍ପ୍ଙ୍କର ସମର୍ଥକ। ବାଇଡେନ୍ଙ୍କୁ ସେମାନେ ରାଷ୍ଟ୍ରପତି ବୋଲି ସ୍ୱୀକାର କରିବାକୁ ନାରାଜ। ତାଙ୍କ ସରକାରର ନୀତିକୁ ଗ୍ରହଣ ନ କରିବାଟା ହେଲା ଟ୍ରମ୍ପ୍ଙ୍କ ସମର୍ଥକମାନଙ୍କର ଏକ କାର୍ଯ୍ୟ ପନ୍ଥା। ସେମାନଙ୍କ ଏଭଳି କାମ ଫଳରେ ଲୋକମାନେ ଯେ ମରୁଛନ୍ତି ସେଥି ପ୍ରତି ସେମାନଙ୍କର ଭ୍ରୂକ୍ଷେପ ନାହିଁ।
ନିର୍ବାଚନରେ ହାରି ଗାଦି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବି ନିର୍ବାଚନରେ ଅଧିକ ଭୋଟ୍ ପାଇଥିଲେ ବୋଲି ଟ୍ରମ୍ପ୍ ନିଜେ ପ୍ରଚାର କରି ଚାଲିଛନ୍ତି। ତାଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ। ଖାଲି କରୋନା ଭାଇରସ୍ ପାଇଁ ନୁହେଁ, ଆମେରିକାର ଅନ୍ୟ ବହୁ କ୍ଷେତ୍ରରେ ଏକ ପ୍ରକାରର ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଛି। ‘ଦେଶରେ ତଳେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କଲେ ସେମାନେ ଉପରକୁ ଉଠିବେ। ସେମାନଙ୍କ ବଳ ବଢ଼ିବ ତ ଦେଶ ଆହୁରି ଶକ୍ତିଶାଳୀ ହେବ’- ଇଏ ହେଲା ବାଇଡେନ୍ ସରକାରର ପ୍ରକାଶିତ ନୀତି ବୋଲି କହିବାକୁ ହେବ। ପୁଞ୍ଜିବାଦୀ ସମାଜ ବ୍ୟବସ୍ଥା ଭିତରେ ସରକାରଙ୍କ ତରଫରୁ ନୂଆ ଆଇନ ଓ ନୂଆ କର୍ମ ଯୋଜନା କରି ଏହା କରିବା ପାଇଁ ଚେଷ୍ଟା ଚାଲୁଛି। ଅନ୍ୟ ପଟେ ଏହା ଏକ ଅବାନ୍ତର ନୀତି ବୋଲି କୁହାଯାଉଛି। ‘ତଳେ ପଡ଼ିଥିବା ଲୋକ ନିଜ ଦୁର୍ବଳତା ଯୋଗେ ତଳେ ପଡ଼ିଛନ୍ତି। ସେମାନଙ୍କ ପିଛା ଟଙ୍କା ଖର୍ଚ୍ଚ କରିବା ମାନେ ମୂଷା ଗାତରେ ଧାନ ପୂରାଇବା ପରି। ସମାଜରେ ଯେଉଁମାନେ ସ୍ଥିତିବାନ ଓ ବୁଦ୍ଧିମାନ ସେମାନଙ୍କୁ ନିଜ ନିଜର ବଳ ବଢ଼ାଇବା ପାଇଁ ସରକାର ସାହାଯ୍ୟ କଲେ ସମାଜ ଉପରକୁ ଉଠିବ ଓ ସମାଜ ଉପରକୁ ଉଠିଲେ ତଳେ ପଡ଼ିଥିବା ଗରିବଗୁରୁବା ମଧ୍ୟ ଉପରକୁ ଉଠିବେ’- ଇଏ ହେଲା ଟ୍ରମ୍ପ୍ଙ୍କ ସମର୍ଥକମାନଙ୍କର କହିବା କଥା। ଏ ଦୁଇ ଚିନ୍ତାଧାରା ପରସ୍ପର ଠାରୁ ଏତେ ଅଲଗା ଯେ ୟା ଭିତରେ ସାଲିସ୍ କରି ମଧ୍ୟମ ପନ୍ଥା ବାହାର କରିବା ସମ୍ଭବ ନୁହେଁ।
ଆମେରିକାର ରାଷ୍ଟ୍ରପତି ଭାବରେ ଟ୍ରମ୍ପ୍ ଗତ ଚାରି ବର୍ଷ କାଳ ଆମେରିକାକୁ ସମସ୍ତଙ୍କ ଠାରୁ ଆଗରେ ରଖିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହି ଶେଷରେ କରୋନା ଭାଇରସ୍ରେ ସବୁଠାରୁ ଅଧିକ ପୀଡ଼ିତ ଦେଶମାନଙ୍କ ଧାଡ଼ିରେ ନିଜ ଦେଶଟିକୁ ସମସ୍ତଙ୍କ ଆଗରେ ରଖି ବିଦାୟ ନେଲେ। ଏବେ ବୈଦେଶିକ କ୍ଷେତ୍ରରେ ବାଇଡେନ୍ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା କଥା କହୁଛନ୍ତି। ଅଷ୍ଟ୍ରେଲିଆ, ଜାପାନ ଏବଂ ପଶ୍ଚିମ ୟୁରୋପର ଦେଶମାନେ ଥିଲେ ପୁରୁଣା ବନ୍ଧୁ। ଖାସ୍ କରି ଫ୍ରାନ୍ସ, ଇଂଲାଣ୍ଡ ଓ ଜର୍ମାନୀ ଥିଲେ ଆମେରିକାର ଅନ୍ତରଙ୍ଗ। କିନ୍ତୁ ଟ୍ରମ୍ପ୍ ତାଙ୍କ ‘ହାମ୍ ବଡ଼ା ନୀତି’ରେ ଏ ସମସ୍ତଙ୍କୁ ଫିଡ଼ିକେଇ ଦେଇଛନ୍ତି। ବାଇଡେନ୍ଙ୍କ ଆସିବା ଫଳରେ କେବଳ ନୁହେଁ, ଟ୍ରମ୍ପ୍ଙ୍କ ବିଦାୟ ନେବା ଫଳରେ ସେମାନେ ସମସ୍ତେ ଆଶ୍ୱସ୍ତ। ତଥାପି ଏଣିକି ଆମେରିକାକୁ କେତେଦୂର ବିଶ୍ୱାସ କରି ହେବ- ସେଥିପାଇଁ ସେମାନେ ଚିନ୍ତିତ। ଆମେରିକା ସରକାରଙ୍କ କହିବା କଥାକୁ ସେମାନେ ଅଧିକ ତଉଲ କରି ଦେଖିବାକୁ ଚାହୁଁଛନ୍ତି। କାଳେ ଟ୍ରମ୍ପ୍ କିମ୍ବା ତାଙ୍କରି ନୀତିର ଲୋକ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବେ, ସେଥିପାଇଁ ହୁସିଆର ହୋଇ ଆମେରିକା ସରକାର ସହିତ କାରବାର କରିବାକୁ ଚାହୁଁଛନ୍ତି। ସେମାନଙ୍କ ଉତ୍ସାହରେ ମାନ୍ଦା ପଡ଼ିଥିବାଟା ଆମେରିକାକୁ ବାଧୁଛି।
ଦୀର୍ଘ କାଳ ସବୁ ବନ୍ଦ ହେବା ଫଳରେ ଅନ୍ୟ ସବୁ ଦେଶ ପରି ଆମେରିକାର ଅର୍ଥନୀତି ମଧ୍ୟ ବେଶ ଧକ୍କା ଖାଇଛି। ଉଦାହରଣ ସ୍ୱରୂପ ୱାସିଂଟନ ଠାରୁ ୫୦ କିଲୋମିଟର ଭିତରେ ଥିବା ଆମ ସହରରେ ଛୋଟ ବଡ଼ ସବୁ ଭୋଜନାଳୟ ଓ ଜଳଖିଆ ଦୋକାନ ଊଣା ଅଧିକେ ବନ୍ଦ। କେତେକ ଦୋକାନରୁ କେବଳ କିଣିହେବ ସିନା, ସେଠାରେ ବସି କରି ଖାଇ ହେବ ନାହିଁ। ଲୋକମାନେ ଘରୁ କାମ କରୁଛନ୍ତି। ସାଂସ୍କୃତିକ କାରବାର ସବୁ ବନ୍ଦ। ସନ୍ଧ୍ୟାରେ କ୍ଲବ୍ କିମ୍ବା ବାର୍କୁ ଯିବା ହେଉନାହିଁ। ନୂଆ ଲୁଗା କିମ୍ବା ଭଲ ଡ୍ରେସ୍ ପାଇଁ ଆବଶ୍ୟକତା କମ୍। ଯିବା ଆସିବା ପାଇଁ ଲୋକଙ୍କ ମନରେ ଡର। ଏ ସବୁର ମୋଟାମୋଟି ପରିଣାମ ହେଲା ଯେ ଫ୍ରେଡେରିକ ସହରର ଟ୍ୟାକ୍ସ ଆଦାୟର ପରିମାଣ ଅନେକ କଟିଛି। ଟଙ୍କା ଅଭାବରୁ ସହରର ବିଭିନ୍ନ କାମରେ ଲାଗିଥିବା କର୍ମଚାରୀଙ୍କୁ କାମରେ ରଖିବା ପାଇଁ ସହରର ଲୋକ ପ୍ରତିନିଧିମାନଙ୍କୁ ଏବେ ସହର ତରଫରୁ କରଜ କରିବାକୁ ହେବ। ଖାଲି ଫ୍ରେଡେରିକ ନୁହେଁ ଆମେରିକାସାରା ଛୋଟ ବଡ଼ ସବୁ ସହରରେ ଅବସ୍ଥା ସେହି ଏକାଭଳି। ସେମାନଙ୍କର ଆର୍ଥିକ ସ୍ଥିତି ଦେଶର ସମୁଦାୟ ଅବସ୍ଥାକୁ ପ୍ରଭାବିତ କରିଛି ଓ କରୁଛି। ଆମଦାନି, ରପ୍ତାନି ଓ ଉତ୍ପାଦନ ବ୍ୟାହତ ହୋଇଛି। କରୋନା ଭାଇରସ୍କୁ ଅତିକ୍ରମ କରିବା ପାଇଁ ସବୁ ମତେ ଉଦ୍ୟମ ଚାଲିଛି। ସବୁ ଲୋକଙ୍କୁ ମୁଣ୍ଡ ପିଛା ଦୁଇ ହଜାର ଡଲାର ଦିଆଯିବାର ଯୋଜନା ଚାଲିଛି।
ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ଆଗରୁ ପ୍ରଥମ ଦଫାରେ ତାଙ୍କ ଅାଗାମୀ ମନ୍ତ୍ରୀମଣ୍ଡଳ ପାଇଁ ଯେଉଁ ସବୁ ନାଆଁ ପେସ୍ କରିଥିଲେ ସେଥିରେ ନୀରା ଟଣ୍ଡନଙ୍କର ନାଆଁ ଥିଲା। ଆମେରିକାରେ ଆଗକୁ ହେବାକୁ ଥିବା ଖର୍ଚ୍ଚ ସବୁକୁ ଜଗି ରଖି ଚଳାଇବା ପାଇଁ ସେ ମ୍ୟାନେଜମେଣ୍ଟ୍ ଓ ବଜେଟ୍ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥାନ୍ତେ। ଏହା ଏକ କ୍ୟାବିନେଟ୍ ପାହ୍ୟାର ନିଯୁକ୍ତି ହୋଇଥିବାରୁ ଏଥିପାଇଁ ନିଯୁକ୍ତ ହେବାକୁ ଅର୍ଦ୍ଧାଧିକ ସିନେଟରଙ୍କର ଅନୁମତି ଦରକାର। ମାତ୍ର ତାହା ହୋଇପାରିଲା ନାହିଁ। ବାଇଡେନ୍ଙ୍କୁ ବିଜୟୀ କରିବା ପାଇଁ ନୀରା ଅନେକ କାମ କରିଥିଲେ। ଡିମୋକ୍ରାଟିକ ପାର୍ଟିର ମଧ୍ୟମ ପନ୍ଥୀ ଗୋଷ୍ଠୀ ସହିତ ଓ ଖାସ୍ କରି ବିଲ୍ ଓ ହିଲାରୀ କ୍ଲିଣ୍ଟନଙ୍କ ସହିତ ସେ ଘନିଷ୍ଠ ଭାବେ ସଂପୃକ୍ତ। କ୍ଲିଣ୍ଟନଙ୍କର ବନ୍ଧୁ ଜନ୍ ପୋଡେଷ୍ଟାଙ୍କ ଦ୍ୱାରା ଗଠିତ ‘ଆମେରିକାର ଉନ୍ନୟନ’ ନାମକ ଏକ ବିଚାର-ସଂସ୍ଥାର (ଥିଙ୍କ୍ ଟ୍ୟାଙ୍କ୍) ସେ ଥିଲେ ମୁଖ୍ୟ। ସରକାରଙ୍କ ବିଭିନ୍ନ କାମ ଓ ଯୋଜନା ଉପରେ ତାଙ୍କ ଅନୁଷ୍ଠାନ ତରଫରୁ ଅନେକ ସମାଲୋଚନା, ଅଭିମତ, ଉପଦେଶ ପ୍ରକାଶ ପାଇଛି। ଯେଉଁମାନେ ଡିମୋକ୍ରାଟିକ ପାର୍ଟିର କ୍ଲିଣ୍ଟନ ଗୋଷ୍ଠୀ ସହିତ ଏକମତ ହୋଇ ନାହାନ୍ତି, ସେମାନଙ୍କୁ ସେ ଖୁବ୍ ଜୋରରେ ସମାଲୋଚନା କରିଛନ୍ତି। ଗାଳି ଦେଇଛନ୍ତି। ନିଜ ଟ୍ୱିଟରରେ ଜଣେ ମହିଳା ସିନେଟରକୁ ଆଖ୍ୟା ଦେଲେ ‘ସବୁଠୁ ଅଧିକ ଖରାପ ମଣିଷ’। ଆଉ ଜଣେ ସିନେଟରକୁ କହିଲେ ‘ମଣିଷ-ରକ୍ତ ପିଇ ଖୁସି ହେଉଥିବା ଲୋକ (ଭାମ୍ପାୟାର) ଠାରେ ତାଙ୍କ ଅପେକ୍ଷା ଅଧିକ କରୁଣା ରହିଛି।’ ସିନେଟ୍ର ରିପବ୍ଲିକାନ୍ ନେତାଙ୍କୁ ଆଖ୍ୟା ଦେଲେ ‘ମସ୍କୋ ମିଚ୍’। ହିଲାରୀଙ୍କ ସମର୍ଥକ ଭାବରେ ଓ ପରେ ବାଇଡେନ୍ଙ୍କ ସମର୍ଥକ ଭାବରେ ସେ ବର୍ଣ୍ଣି ସ୍ୟାଣ୍ଡର୍ସଙ୍କୁ ଚୋର ଓ ମଣିଷ ମାରୁ ଛଡ଼ା ସବୁ ରକମର ଗାଳି ଦେଇଛନ୍ତି। ଅବଶ୍ୟ ସେ ସବୁ ଖୁବ୍ ଭଦ୍ର ଭାବରେ ପ୍ରକାଶିତ ହୋଇଛି। ଏବେ ନିଜର ନିଯୁକ୍ତି ପାଇଁ ତାଙ୍କୁ ସିନେଟରମାନଙ୍କ ଦ୍ୱାରସ୍ଥ ହେବାକୁ ହେଲା। ବର୍ଣ୍ଣି ସ୍ୟାଣ୍ଡର୍ସ ମୂଳରୁ କହିଦେଲେ ଯେ ସେ ନୀରାଙ୍କୁ ଭୋଟ ଦେବେ ନାହିଁ। ରିପବ୍ଲିକାନମାନଙ୍କ ଭିତରୁ ଜଣେ ଭୋଟ ଦେଇଥିଲେ ଚଳିଥାଆନ୍ତା। ମାତ୍ର ନୀରାଙ୍କ କଲମ ମୁନର ଶରବ୍ୟ ଆଉ ଜଣେ ଡିମୋକ୍ରାଟିକ ସିନେଟର ତାଙ୍କୁ ଭୋଟ ଦେବାକୁ ମନା କରି ଦେଲେ।
ସିନେଟ୍ରେ ଏବେ ରିପବ୍ଲିକାନ୍ ଓ ଡିମୋକ୍ରାଟ୍ ଉଭୟଙ୍କର ୫୦ଟି ଲେଖାଏଁ ସଭ୍ୟ। ନିଜ ପାର୍ଟିରୁ ଦୁଇ ଜଣ ସଭ୍ୟ ଭୋଟ୍ ଦେବାକୁ ମନା କରି ଦେବାରୁ ନୀରାଙ୍କ ମନୋନୟନ ପାଇଁ ଆଉ କୌଣସି ବାଟ ରହିଲା ନାହିଁ। ବାଇଡେନ୍ ବର୍ତ୍ତମାନ ଅନ୍ୟ ଲୋକ ଖୋଜୁଛନ୍ତି।
ଆମେରିକା ସିନେଟ୍ରେ ଥିବା ଶହେ ଜଣ ସଭ୍ୟଙ୍କ ସମର୍ଥନ ପାଇ ନିଯୁକ୍ତି ପାଇବା ବଡ଼ କାଠିକର ପାଠ। ଆମେରିକାର ବହୁ ବିଶିଷ୍ଟ ଲୋକ ଏପରିକି ୨୦/୩୦ ବର୍ଷ ଧରି ସିନେଟର ହୋଇଥିବା ବ୍ୟକ୍ତି ନୂଆ ହୋଇ ଆସିଥିବା ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ଯେତେବେଳେ ତାଙ୍କର ପୂର୍ବ ସହକର୍ମୀମାନଙ୍କୁ ଭେଟିଛନ୍ତି ନିଯୁକ୍ତି ପାଇଁ, ସେତେବେଳେ ତାଙ୍କୁ ଜେରା କରିବାରେ କୋହଳ ହୋଇ ନାହିଁ। ବାରାକ୍ ଓବାମା ଟମ୍ ଡ୍ୟାସଲଙ୍କୁ ବାଛିଥିଲେ ସ୍ୱାସ୍ଥ୍ୟ ସେକ୍ରେଟାରି ପାଇଁ। ପୂର୍ବରୁ ସେ ସିନେଟରେ ନିଜ ଦଳର ନେତା ଥିଲେ। ମାତ୍ର ବନ୍ଧୁମାନଙ୍କଠାରୁ ଭୋଟ ନ ପାଇ ତାଙ୍କୁ ନିରାଶ ହେବାକୁ ପଡ଼ିଲା।
ନୀରାଙ୍କ କ୍ଷେତ୍ରରେ ଭାଷାର ପ୍ରୟୋଗ ହେଲା ପ୍ରତିବନ୍ଧ। ଡିମୋକ୍ରାଟିକ ପାର୍ଟିର ସଂଖ୍ୟା ଯଦି ସିନେଟରେ ବେଶି ଥାଆନ୍ତା ତେବେ ସେ ଯେତେ ଗାଳିଗୁଲଜ କରିଥିଲେ ବି ହ୍ୱାଇଟ୍ ହାଉସ୍ର ସହଯୋଗ ବଳରେ ସେ ସବୁ କୁଆଡ଼େ ଉଡ଼ି ଯାଇ ଥାଆନ୍ତା। ମାତ୍ର ସିନେଟରେ ଥିବା ସଂଖ୍ୟାକୁ ଲଂଘି ହେଉଛି କେଉଁଠି? କେବଳ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ଛାଡ଼ି ଦେଲେ ବାଇଡେନ୍ଙ୍କ କ୍ୟାବିନେଟ୍ରେ କୌଣସି ଭାରତୀୟରକ୍ତର ଲୋକ ନାହାନ୍ତି। ଉପସଚିବ ଭାବରେ କେତେ ଜଣ ଭାରତୀୟଙ୍କ ନାଆଁ ଶୁଣାଯାଉଛି। ତେବେ ସର୍ଜନ୍ ଜେନେରାଲ ଭାବରେ ବିବେକ କୁନ୍ଦ୍ରା ମନୋନୀତ ହେଲେ ଆଉ ଜଣେ ଭାରତୀୟ ମୂଳୋଦ୍ଭବ ବାଇଡେନ୍ଙ୍କ କ୍ୟାବିନେଟ୍ରେ ରହିବେ।
ଫ୍ରେଡେରିକ୍, ମେରିଲ୍ୟାଣ୍ଡ, ୟୁ.ଏସ୍.ଏ
[email protected]