ବ୍ୟବହାରରେ ଅତିନାଟକୀୟତା

ମନ ପରିଭାଷା - ଫକୀର ମୋହନ ସାହୁ

ମାନସିକ ସ୍ତରରେ ବିକୃତି କ୍ଷେତ୍ରରେ ବ୍ୟବହାରଗତ ଅସମନ୍ବୟ ପ୍ରକାଶ ଏକ ସାଧାରଣ କଥା‌, ଯାହା ସମସ୍ତେ ଜାଣନ୍ତି। ସେମିତି କୌଣସି କୌଣସି କ୍ଷେତ୍ରରେ ମାତ୍ରାଧିକ ଆବେଗ ପ୍ରଦର୍ଶନ କରିବା ମଧ୍ୟ ବିକୃତିର ଏକ ଲକ୍ଷଣ। ଯେ କୌଣସି ଘଟଣା ଏକ ନିର୍ଦ୍ଦିଷ୍ଟ ପରିମାଣର ପ୍ରତିକ୍ରିୟା ସୃଷ୍ଟି କରେ। ମାତ୍ର ଯଦି ସେହି ପ୍ରତିକ୍ରିୟା ସୀମା ଅତିକ୍ରମ କରେ ତେବେ ତାକୁ ବିକୃତିର ଲକ୍ଷଣ ବୋଲି ବିଚାର କରାଯାଏ। ସେହିପରି ଜୀବନରେ ଭାରସାମ୍ୟ ରକ୍ଷା କରିବା ପାଇଁ ହୁଏତ ଆମକୁ ଅଳ୍ପ କିଛି ମାତ୍ରାର ଅଭିନୟ କରିବାକୁ ପଡ଼ିଥାଏ। ମାତ୍ର ଏହା ମାତ୍ରାଧିକ ହେଲେ ବିକୃତିର ଲକ୍ଷଣ ବୋଲି ବିବେଚିତ ହୋଇଥାଏ।

ମାନସିକ ବିକୃତିର ବର୍ଗୀକରଣ ପାଇଁ ସମଗ୍ର ବିଶ୍ବରେ ଯେଉଁ ମାର୍ଗଦର୍ଶିକା ଅନୁସୃତ ହୁଏ (DSM-IV), ତାହା ଅନୁଯାୟୀ ଅତି-ନାଟକୀୟତା (Histrionics) ମଧ୍ୟ ହେଉଛି ବିକୃତିର ଏକ ଲକ୍ଷଣ। ଏହା ବ୍ୟକ୍ତିତ୍ବ ବିକାର ପର୍ଯ୍ୟାୟଭୁକ୍ତ। ଆମମାନଙ୍କ ମଧ୍ୟରେ ଏଭଳି ବିକୃତି ସଂପନ୍ନ ଲୋକ ଅନେକ ସଂଖ୍ୟାରେ ଥାଆନ୍ତି, କିନ୍ତୁ ସେମା‌ନଙ୍କ ଠାରେ ଯେ କିଛି ବିକୃତି ରହିଛି, ତାହା ଆମେ ଜାଣିପାରୁନା। ତେବେ ସେମାନଙ୍କ ଠାରେ ଦେଖାଯାଉଥିବା କେତେକ ଲକ୍ଷଣ ବିଷୟରେ ସଚେତନ ହେଲେ ଆମେ ସେମାନଙ୍କୁ ଠାବ କରିପାରିବା।

ସେହି ଲକ୍ଷଣଗୁଡ଼ିକ ହେଲା, ଅନ୍ୟମାନଙ୍କ ଧ୍ୟାନର କେନ୍ଦ୍ର ନ ହେବା ପର୍ଯ୍ୟନ୍ତ ପ୍ରୟାସ କରି ଚାଲିବା। କାରଣ ଧ୍ୟାନର କେନ୍ଦ୍ର ନ ହେବା ପର୍ଯ୍ୟନ୍ତ ସେମାନେ ଶାନ୍ତି ପାଆନ୍ତି ନାହିଁ। ସେଥି ଲାଗି ଅନ୍ୟମାନଙ୍କୁ ଯୌନ-ପ୍ରଲୁବ୍‌ଧ କରିବାକୁ ମଧ୍ୟ ପଛାନ୍ତି ନାହିଁ। କେବଳ ସେତିକି ନୁହେଁ, ସେମାନେ ନିଜ ଭାବାବେଗର ଘନ ଘନ ପରିବର୍ତ୍ତନ କରନ୍ତି ମଧ୍ୟ। ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନେ ନିଜ ଚେହେରା ଓ ଭାବଭଙ୍ଗୀର ବହୁଳ ଉପଯୋଗ କରନ୍ତି। ସେମାନଙ୍କ କଥାବାର୍ତ୍ତାରେ ସଙ୍ଗତି ଓ ଶାଳୀନତାର ଅଭାବ ଥାଏ। ଅନେକ ସମୟରେ ସେମାନେ ଦୈନନ୍ଦିନ ଜୀବନରେ ମଧ୍ୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପରି ଆଚରଣ କରନ୍ତି। ସେମାନେ ଅନ୍ୟ ବ୍ୟକ୍ତି ବା କୌଣସି ଘଟଣା ଦ୍ବାରା ହଠାତ୍‌ ପ୍ରଭାବିତ ଓ ପରିବର୍ତ୍ତିତ ହୁଅନ୍ତି।

କହିବା ଅନାବଶ୍ୟକ ଯେ ସେମାନଙ୍କ ଆଚରଣ ମାତ୍ରାଧିକ ପରିମାଣରେ ନାଟକୀୟ ଓ ଅପ୍ରାକୃତିିକ ଭାବେ ଯୌନ ଆକର୍ଷଣ କୈନ୍ଦ୍ରିକ ହୋଇଥିବାରୁ ଆକର୍ଷଣର ପ୍ରୟାସ ଅସଫଳ ହେଲେ ସେମାନେ ଅସ୍ବସ୍ତ ଓ ଉଦ୍‌ବେଗ ଅନୁଭବ କରନ୍ତି। ସେମାନଙ୍କ ଅଭିନୟ ଛଳନାପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ସଂପର୍କଗୁଡ଼ିକ ଦୃଢ଼ ହୋଇ ନଥାଏ। ଅନ୍ୟମାନଙ୍କୁ ଭୁଲାଇବା ପାଇଁ ଏମାନେ କଥାବାର୍ତ୍ତା କରନ୍ତି, କିନ୍ତୁ ତାହା ସହଜରେ ଧରା ପଡ଼ି ଯାଉଥିବାରୁ ଅସ୍ବସ୍ତିକର ପରିସ୍ଥିତି ସୃ‌ଷ୍ଟି ହୋଇଥାଏ।

ଏହି ବିକୃତିରେ କିଛି ମାତ୍ରାରେ ବ˚ଶାନୁଗତିର (Heredity) ଭୂମିକା ରହିଛି। ସାଧାରଣତଃ ବହିର୍ମୁଖୀ ଏବ˚ ଭାବଗତ ଅସ୍ଥିରତା ଦର୍ଶାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକ ଏଭଳି ବିକୃତି ପ୍ରଦର୍ଶନ କରନ୍ତି।

ଦେଖାଯାଇଛି ଯେ ପ୍ରାୟ ଦୁଇ ପ୍ରତିଶତ ଲୋକଙ୍କ ଠାରେ ଏପରି ବ୍ୟବହାର ପରିଦୃଷ୍ଟ ହୁଏ। ପୁରୁଷମାନଙ୍କ ତୁଳନାରେ ନାରୀମାନେ ଅପେକ୍ଷାକୃତ ଅଧିକ ସ˚ଖ୍ୟାରେ ଏପରି ବିକୃତି ପ୍ରଦର୍ଶନ କରନ୍ତି। ନାଟକୀୟତା ବ୍ୟତୀତ ଅନ୍ୟ କେତେକ ଆଚରଣଗତ ତ୍ରୁଟି ଏମାନଙ୍କ ଠାରେ ପରିଲକ୍ଷିତ ହୁଏ। ଏମାନେ ଚେହେରା ସମ୍ପର୍କରେ ମାତ୍ରାଧିକ ସଚେତନ। ଏମାନେ ଅଯଥା ଆସ୍ଫାଳନ କରନ୍ତି ଓ ସଙ୍ଗତିହୀନ କଥାବାର୍ତ୍ତା ମଧ୍ୟ କରନ୍ତି। କେତେକ ବିଶେଷଜ୍ଞ ଦର୍ଶାଇଛନ୍ତି ଯେ ନିଜେ ନିଜକୁ କମ୍‌ ବୋଲି ମୂଲ୍ୟାୟନ କରୁଥିବା ଲୋକମାନେ ଅନ୍ୟର ଦୃଷ୍ଟି ଆକର୍ଷଣ ପାଇଁ ଏପରି ଅପ୍ରାକୃତିକ ଆଚରଣ କରନ୍ତି। ସେମାନେ ଭାବନ୍ତି ଯେ ‌ସେମାନେ ଅନ୍ୟକୁ ନିୟନ୍ତ୍ରଣ କରି ନ ପାରିଲେ ଅନ୍ୟମାନେ ସେମାନଙ୍କୁ ନିୟନ୍ତ୍ରଣ କରି ବସିବେ।
ମନୋବିଜ୍ଞାନୀ ଓ ମନୋଚିକିତ୍ସକମାନେ ଏପରି ବ୍ୟକ୍ତିକୁ ଉପଦେଶ ମାଧ୍ୟମରେ ଭଲ କରାଇ ପାରନ୍ତି। ସେମାନେ ସଂପୃକ୍ତ ବ୍ୟକ୍ତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ପରିବର୍ତ୍ତନ ଆଣନ୍ତି।

ଭି.ଆଇ.ଏମ୍‌.-୯୯
ଶୈଳଶ୍ରୀ ବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର