ଜୀବନର ଭିତ୍ତି ଏକାକୀତ୍ବ ନୁହେଁ, ଆନନ୍ଦ

ମହାମେଘବାହନ ଐର ଖାରବେଳ ସ୍ବାଇଁ

ଗତ ୨୦୧୮ରେ ବ୍ରିଟିସ୍‌ ସରକାର ଗୋଟିଏ ଏକାକୀତ୍ବ ମନ୍ତ୍ରାଳୟ ଗଠନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଲା। ଏହି ବିଭାଗର ଦାୟିତ୍ବ କ୍ରୀଡ଼ା ଓ ନାଗରିକ ସମାଜର ମନ୍ତ୍ରୀଙ୍କୁ ଦିଆଯାଇଥିଲା। ସେ ଦେଶରେ ଏକୁଟିଆ ଚଳୁଥିବା ଲୋକମାନଙ୍କର ମାନସିକ ଦୁରବସ୍ଥାକୁ ଠିକ କରିବା ସେଠାକାର ସରକାରଙ୍କ ଲକ୍ଷ୍ୟ ଥିଲା। କିନ୍ତୁ ଚଳିତ ବର୍ଷ ଜାନୁଆରି ମାସରେ ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ତାଙ୍କ ସରକାରରେ ଏକ ସମାନ ପ୍ରକାରର ମନ୍ତ୍ରାଳୟ ଖୋଲିଛନ୍ତି ଏବ˚ ସେହି ବିଭାଗର ଦାୟିତ୍ବ ଦେଶରେ କମିଯାଉଥିବା ଜନ୍ମ ହାର ଓ ଆଂଚଳିକ ଅର୍ଥନୀତିର ସଜୀବକରଣ ମନ୍ତ୍ରାଳୟର ମନ୍ତ୍ରୀ ଟେଟସି ସାନୋମୋଟୋଙ୍କୁ ଦେଇଛନ୍ତି। ଜାପାନରେ ଦେଖାଯାଇଛି ଯେ, ସେଠାରେ ପ୍ରାୟ ୧୦ ଲକ୍ଷ ଲୋକ ଏକପ୍ରକାର ନିଜକୁ ନିଜେ ଆବଦ୍ଧ କରି ରଖିବାର ଜୀବନଯାପନ କରୁଛନ୍ତି। ଜାପାନୀ ଭାଷାରେ ଏହାକୁ ‘ହିକିକୋମୋରି’ ବୋଲି କୁହାଯାଇଥାଏ; ଯାହାର ଅର୍ଥ ହେଲା ସମାଜ, ପରିବାର ଓ ରାଷ୍ଟ୍ରଠାରୁ ସ˚ପୂର୍ଣ୍ଣ ଭାବେ ଦୂରେଇ ନେଇଥିବାର ମାନସିକତାରେ ପ୍ରପୀଡ଼ିତ ହେବା। ସେଠାରେ ଆଉ ୧୫ ଲକ୍ଷ ଲୋକ ଏହି ସମାନ ପ୍ରକାର ଲକ୍ଷଣମାନ ପ୍ରକାଶ କରିବାରେ ଲାଗିଛନ୍ତି। ୨୦୨୦ରେ ଜାପାନରେ ମୋଟ ୨୦,୯୧୯ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକା˚ଶ କରୋନା ସ˚କ୍ରମଣ କାଳରେ ଏପରି ପଦକ୍ଷେପ ନେଇଥିଲେ। ଏହାକୁ ଲକ୍ଷ୍ୟ କରି ନୂଆ ଜାପାନୀ ‘ଏକାକୀତ୍ବ ମନ୍ତ୍ରୀ’ କହିଛନ୍ତି ଯେ, କରୋନା ସ˚କ୍ରମଣ କାଳରେ ବିଶେଷ କରି ମହିଳାମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା କରିବାର ସମସ୍ୟା ସମାଧାନର ବାଟ ବାହାର କରିବାକୁ ତାଙ୍କ ପ୍ରଧାନମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ ସେ ଅନ୍ୟ ମନ୍ତ୍ରାଳୟମାନଙ୍କ ସହ ଯୋଗାଯୋଗ କରନ୍ତୁ। ଏହି ସମସ୍ୟାର ପରୀକ୍ଷା କରନ୍ତୁ ଓ ଏହାର ସମାଧାନ ପାଇଁ ସ୍ପଷ୍ଟ ସମାଧାନର ସୂତ୍ର ଓ ପୃଥକ୍‌କରଣର ଦୂରୀକରଣ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ ଗ୍ରହଣ କରନ୍ତୁ। ବ୍ରିଟିସ୍‌ ସରକାର ୨୦୧୮ରେ ଏ ଧରଣର ମନ୍ତ୍ରାଳୟ ସୃଷ୍ଟି କରି ତାକୁ କ୍ରୀଡ଼ା ଓ ନାଗରିକ ସମାଜ ମନ୍ତ୍ରାଳୟରେ ଯୋଡ଼ିବାରୁ, ଖେଳ ଓ ସାମାଜିକ ସମ୍ପର୍କ ଦ୍ବାରା ଏହି ଏକାକୀତ୍ବ ଓ ପୃଥକ୍‌କରଣ ଦୂର ହୋଇପାରିବ ବୋଲି ସ˚କେତ ଦେଇଥିଲେ। ଜାପାନର ମନ୍ତ୍ରୀ କହିଲେ ଯେ, ମଣିଷ ମଣିଷ ମଧ୍ୟରେ ସମ୍ପର୍କକୁ ସେ ରକ୍ଷା କରିବାକୁ ଚାହାନ୍ତି। ସେ ଏକାକୀତ୍ବ/ପୃଥକ୍‌କରଣ ନିବାରଣକାରୀ ପଦକ୍ଷେପର ଏକ ଅଫିସ ମଧ୍ୟ ଖୋଲିଛନ୍ତି।

ବୋଧହୁଏ ଜାପାନର ଏକାକୀତ୍ବ ମନ୍ତ୍ରୀ ଭାବୁଛନ୍ତି ଯେ, ଜନ୍ମହାର କମିବା ଓ ଆଂଚଳିକ ଅର୍ଥନୀତିକୁ ପୁନର୍ଜୀବନ ଦେବା ଘଟଣାରୁ କେମିତି ଏକାକୀତ୍ବ ବା ପୃଥକ୍‌କରଣ ସମସ୍ୟାକୁ ଦୂର କରାଯାଇ ପାରିବ, ତା’ର ଏକ ସୂତ୍ର ବାହାରି ପାରିବ।

କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏକାକୀତ୍ବ ଓ ପୃଥକ୍‌କରଣ ହେଉଛନ୍ତି ଜୀବନର ଦୁଇଟି ଅଲଗା ଅଲଗା ଦିଗ। ଏକାକୀତ୍ବ ସାଧାରଣତଃ ବଛାଯାଇ ନଥାଏ। ନ ଚାହିଁଲେ ବି ଏହା ଆପେ ଆପେ ଘଟିଥାଏ। କିନ୍ତୁ ପୃଥକ୍‌କରଣ ହେଉଛି ଜଣେ ମଣିଷର ନିଜ ନିଷ୍ପତ୍ତି, ଯାହାକୁ ସେ ବାଛିଥାଏ। ୟୁକେ ଅବା ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଯେତେବେଳେ ପିଲାମାନେ ବଡ଼ ହୋଇଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କ ପିତାମାତାଙ୍କୁ ଛାଡ଼ି ଅନ୍ୟତ୍ର ବସବାସ କରିବାକୁ ଚାଲିଯାଆନ୍ତି। ପୁଣି ଯେତେବେଳେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ ଛାଡ଼ପତ୍ର ଦିଆନିଆ ହୁଏ ଅବା ସେମାନଙ୍କ ମଧ୍ୟରୁ ଜଣେ ମରିଯାଏ ଏବ˚ ଅନ୍ୟ ଜଣଙ୍କର ଆଉ ଥରେ ବିବାହ କରିବାର ସମ୍ଭାବନା ନଥାଏ, ସେତେବେଳେ ବାଧୢ ହୋଇ ବଞ୍ଚିଥିବା ବ୍ୟକ୍ତିଟିକୁ ଏକାକୀତ୍ବର ଜୀବନଯାପନ କରିବାକୁ ପଡ଼ିଥାଏ। ପାଶ୍ଚାତ୍ୟ ଦେଶମାନଙ୍କରେ ଜଣେ ଏକୁଟିଆ ବୃଦ୍ଧ ବା ବୃଦ୍ଧା ନିଜର ସହଚର ହିସାବରେ ଗୋଟିଏ କୁକୁରକୁ ନେଇ ରହିବା ଏକ ସାଧାରଣ ସାମାଜିକ ଅଭ୍ୟାସରେ ପରିଣତ ହୋଇଗଲାଣି। ଯେଉଁ ବୃଦ୍ଧ ବ୍ୟକ୍ତିମାନେ ସେଠାରେ ବୃଦ୍ଧାଶ୍ରମରେ ଜୀପନଯାପନ କରନ୍ତି, ସେମାନେ ମଧ୍ୟ ଯେମିତି ପରିବାର ଅବା ସମାଜ ଠାରୁ ସାହଚର୍ଯ୍ୟ ଚାହାନ୍ତି, ତାହା ପାଆନ୍ତି ନାହିଁ।

ଜାପାନରେ ୨୦୧୮ ମସିହାରେ, ୨୦୧୭ରେ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ଅନୁସାରେ ୯୦ ଲକ୍ଷ ବୟସ୍କ ଲୋକ ଅନେକ ସମୟରେ ଅବା ସଦାବେଳେ ଏକାକୀତ୍ବ ଅନୁଭବ କରିଥାନ୍ତି। ୭୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ଦୁଇତୃତୀୟା˚ଶଙ୍କ ମଧ୍ୟରେ ଏକାକୀତ୍ବ ଭାବ ଦେଖାଯାଇଥାଏ, ଯାହା ସେମାନଙ୍କ ନିୟନ୍ତ୍ରଣର ବାହାରେ।

ଭାରତରେ ଏବେ ଯୌଥ ପରିବାରମାନ ଭାଙ୍ଗି ଯାଉଛି ଓ ଏହି ପରିବାରର ଗୋଟିଏ ଅ˚ଶ ଅନ୍ୟତ୍ର ବାସ କରୁଛି। ସେମାନେ ମୁଖ୍ୟତଃ ରାଜ୍ୟ ବାହାରେ ଅବା ଦେଶ ବାହାରେ ରହୁଛନ୍ତି। ଭାରତରେ ପାଶ୍ଚାତ୍ୟ ଦେଶମାନଙ୍କ ପରି ଏକାକୀତ୍ବ ଏତେ ଉତ୍କଟ ହୋଇ ନ ଥିଲେ ମଧ୍ୟ, ଏଠାରେ ପିଲାମାନେ ସେମାନଙ୍କ ଭବିଷ୍ୟତ‌୍ ଜୀବିକା ପାଇଁ ଅନ୍ୟତ୍ର ରହିବା ପନ୍ଥାକୁ ବାଛି ନେଉଛନ୍ତି। ସେମାନଙ୍କ ବାପ ମା’ ମରିଗଲା ବେଳେ ମଧ୍ୟ ସେମାନେ ତାଙ୍କୁ ଶେଷ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ। ସେମାନେ କେବଳ ସେମାନଙ୍କ ବାପମା’ଙ୍କ ପାଖକୁ ମଝିରେ ମଝିରେ କିଛି ଅର୍ଥ ପଠାଇ ଦିଅନ୍ତି, ଏଇଆ ଭାବି ଯେ, ଅର୍ଥ ସବୁ ସମସ୍ୟାର ସମାଧାନ କରିଦେବ। ଏହି ଗୋଷ୍ଠୀମାନେ ପ୍ରଥମ ପିଢ଼ିର ମଣିଷ ଯେଉଁମାନେ କେବଳ ଜୀବିକା ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି। ଯେତେବେଳେ ସେମାନଙ୍କ ପିଲାମାନେ ବଡ଼ ହୋଇ ସେମାନଙ୍କ ଜୀବିକା ଖୋଜିବେ, ସେତେବେଳେ ଏହି ପ୍ରଥମ ପିଢ଼ିର ଜୀବିକାଧର୍ମୀ ଲୋକମାନେ ଏହାର ପରିଣାମ ବୁଝିପାରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ଏକାକୀତ୍ବ ହେଉଛି ଏଭଳି ଏକ ପରିସ୍ଥିତି ଯେତେବେଳେ ମଣିଷ ଓ ପୃଥିବୀ ମଧ୍ୟରେ ଯେତେ କ୍ଷୀଣ ସମ୍ପର୍କ ଥିଲେ ମଧୢ ତାହା କଟିଯାଏ। ଏଠାରେ ପୃଥିବୀ କହିଲେ ପରିବାର, ବନ୍ଧୁ, ପଡ଼ୋଶୀ ଓ ସ୍ଥାନୀୟ ଗୋଷ୍ଠୀମାନଙ୍କୁ ବୁଝାଇଥାଏ।

ଯେତେବେଳେ ଚୀନ, ଭାରତ ପରି ଦେଶମାନଙ୍କରେ ପରିବାର ନିୟନ୍ତ୍ରଣ ଲାଗୁ ହେଲା, ସେତେବେଳେ ଏହାକୁ ଆତ୍ମସ˚ବୃଦ୍ଧିର ରାସ୍ତା ହିସାବରେ ପରିଗଣନା କରାଗଲା। କିନ୍ତୁ ଗୋଟିକିଆ ପରିବାରରେ ଏକାକୀତ୍ବ ଅବସ୍ଥା ବହୁ ଭାବରେ ବୃଦ୍ଧି ପାଇଲା ଯେତେବେଳେ ପିଲାଟି ତା’ର ରୋଜଗାର ପାଇଁ ବାପ ମା’ଙ୍କୁ ଛାଡ଼ି ଚାଲିଗଲା; ସେମାନଙ୍କୁ ଦେଖିବାକୁ କେହି ରହିଲେ ନାହିଁ। ଯେତେବେଳେ ବହୁ ସନ୍ତାନ ବ୍ୟବସ୍ଥାକୁ ଦାରିଦ୍ର୍ୟର କାରଣ ବୋଲି ପରିଗଣନା କରାଯାଉଥିଲା, ସେତେବେଳେ କେହି ଏକାକୀତ୍ବ ସମ୍ପର୍କରେ ଚିନ୍ତା କରିନଥିଲେ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ପୃଥକ୍‌କରଣ ହେଉଛି ମଣିଷର ନିଜ ପସନ୍ଦ। ଏକାକୀତ୍ବ କ୍ଷେତ୍ରରେ ଯେମିତି ଜଣେ ଆଉ ଜଣେ ମଣିଷର ସମ୍ପର୍କକୁ ବିକଳ ହୋଇ ଖୋଜୁଥାଏ, ଏହା ସେପରି ନୁହେଁ। ପୃଥକ୍‌କରଣ ହେଉଛି ଏକ ଜୀବନଶୈଳୀ ଯେଉଁଥିରେ ମଣିଷ ଏକା ଏକା ରହିବାକୁ ପସନ୍ଦ କରିଥାଏ। ପଞ୍ଚମ ଶତାବ୍ଦୀରେ ସିରିଆର ଖ୍ରୀଷ୍ଟିଆନ ସନ୍ନ୍ୟାସୀମାନେ ମାସ ମାସ ଧରି ଅବା ଏମିତି କି ବର୍ଷ ବର୍ଷ ଧରି ଗୋଟିଏ ଖମ୍ବ ଉପରେ ବସି ରହୁଥିଲେ; ସେମାନଙ୍କ ପାଖକୁ କ୍ରମବର୍ଦ୍ଧିଷ୍ଣୁ ସ˚ଖ୍ୟାରେ ପ୍ରାର୍ଥନା, ପରାମର୍ଶ ଓ ଆଶୀର୍ବାଦ ପାଇବା ପାଇଁ ଆସୁଥିବା ଲୋକମାନଙ୍କ ଠାରୁ ଦୂରରେ ରହିବା ପାଇଁ। ଏହା ହେଉଛି ‘ନିଜ ସମୟ’। ଏହାକୁ ସେମାନେ ‘ଇଶ୍ବରଙ୍କ ସମୟ’ ବୋଲି କହୁଥିଲେ। ବୌଦ୍ଧ ଦର୍ଶନରେ ‘ନିର୍ବାଣ’ର କଥା ଅଛି ଯାହା କର୍ମଜନିତ ଦୁଃଖ ଓ ଜୀବନ ଯାତନାରୁ ମୁକ୍ତି ପାଇବାର ଉପାୟ। ଏହି ପୃଥକ୍‌କରଣ ଦର୍ଶନ ପଦ୍ଧତି ଅତି ଭିଡ଼ଭାଡ଼ ସମାଜକୁ ଦୂରେଇ ଦେଇଥାଏ, କାରଣ ଏ ଧରଣର ସମାଜ ପରସ୍ପରର ସହଯୋଗ ଉପରେ ତିଷ୍ଠିଥାଏ। ଏହି ସହଯୋଗ ପଦ୍ଧତି ପରିବାର ଓ ପଡ଼ୋଶୀମାନଙ୍କ ଠାରୁ ଆସିଥାଏ। ଏହି ବ୍ୟବସ୍ଥାରେ ବ୍ୟକ୍ତିର ଗୋପନୀୟତା ଓ ବ୍ୟକ୍ତିତ୍ବ ସମୟ ମିଳିବା ପ୍ରାୟ ବିରଳ। ଅବଶ୍ୟ ଏକାକୀତ୍ବ, ଅବସାଦ ଓ ନିଜର କ୍ଷତି ପହଞ୍ଚାଉଥିବା ଚିନ୍ତା ଠାରୁ, ନିଜ କୋଠରି ଭିତରର ଖୋଳରେ ଆବଦ୍ଧ ରହିବା ସେମିତି କିଛି ଅଲଗା କଥା ନୁହେଁ। ଅବଶ୍ୟ ଏଇମିତି ଅଲଗା ରହିବା ଏକ ଉଚ୍ଚକୋଟୀର ଜୀବନଶୈଳୀ ବୋଲି ମନେ ହୋଇପାରେ। କିନ୍ତୁ ମଣିଷ ମଧ୍ୟରେ ରହିବାର ଇଚ୍ଛା ରଖିବା ଓ ସେମାନଙ୍କ ସହ ସମ୍ପର୍କ କରିନପାରିବା ନିଶ୍ଚିତ ଭାବରେ ହତାଶା, ଅବସାଦ ଆଡ଼କୁ ମଣିଷକୁ ଟାଣି ନେଇପାରେ।

ବାସ୍ତବରେ ଭାରତ ପରି ଏକ ଜନଗହଳିପୂର୍ଣ୍ଣ ଦେଶରେ ଏକାକୀତ୍ବ ବା ପୃଥକ୍‌କରଣ ସହଜରେ ଆସି ନଥାଏ। କାରଣ ଏଠାରେ ଅଧିକା˚ଶ ବ୍ୟକ୍ତି ଅନ୍ୟର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ପସନ୍ଦ କରିଥାନ୍ତି।

କିନ୍ତୁ ଭାରତରେ ହିନ୍ଦୁ ଜୀବନଧାରାରେ ବାନପ୍ରସ୍ଥର କଥା କୁହାଯାଇଥାଏ ଯାହାକୁ ଜୀବନର ତୃତୀୟ ପର୍ଯ୍ୟାୟରେ ମଣିଷ ଆଚରିଥାଏ। ସେତେବେଳେ ସେ ପରିବାର ଓ ସମାଜ ଠାରୁ ଅଲଗା ହୋଇ ଜଙ୍ଗଲରେ ଯାଇ ରୁହେ। ସେଥିପାଇଁ ଭାରତରେ ଅନେକ ବିଶିଷ୍ଟ ସାଧୁ ସନ୍ନ୍ୟାସୀମାନେ ହିମାଳୟକୁ ସେମାନଙ୍କ ସାଧନାର କ୍ଷେତ୍ର ହିସାବରେ ବାଛିଛନ୍ତି। ସାରା ପୃଥିବୀରେ ଜ୍ଞାନୀ, ପ୍ରବୁଦ୍ଧ ବ୍ୟକ୍ତିମାନେ ମୁଖ୍ୟତଃ ଏକ ପୃଥକ୍‌କରଣର ଜୀବନଯାପନ କରିଛନ୍ତି ଓ ସେଥିରୁ ସେମାନଙ୍କୁ ବିପୁଳ ଆନନ୍ଦ ମିଳିଛି।

ତେବେ ଏକାକୀତ୍ବ ଓ ଏହି ମାନସିକତା ହେତୁ ଆତ୍ମହତ୍ୟା, ତଥା ମଣିଷର ସାହଚର୍ଯ୍ୟ ନ ପାଇବାର ଦୁଃଖ କେବଳ ପ୍ରଥମ ବିଶ୍ବର; ଅର୍ଥାତ୍‌, ଧନୀ ଓ ସ˚ବୃଦ୍ଧ ଦେଶର ସମସ୍ୟା ନୁହେଁ। ସାରା ମଣିଷ ଜାତିକୁ ଏହି ସମସ୍ୟା କିଛି କିଛି ପରିମାଣରେ ଗ୍ରାସ କରିଛି। ଏହି ସମସ୍ୟାରୁ ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଦେଶମାନେ ‘କଡଲ୍‌ କ୍ଲବ୍‌’ (ଆଲିଙ୍ଗନ କ୍ଲବ୍‌) ବା ‘ଡେଟି˚ ସାଇଟ୍‌’ (ପରସ୍ପର ସହ ଚିହ୍ନା ପରିଚୟର ବ୍ୟବସ୍ଥା) ସୃଷ୍ଟି କରିଛନ୍ତି।
ତେବେ ଜାପାନ ପରି ଏକ ଅର୍ଥ ସ˚ବୃଦ୍ଧ ଦେଶ, ଯେଉଁଠି ଦାରିଦ୍ର୍ୟ ଏକ ପ୍ରକାର ନାହିଁ, ଏପରି ଏକାକୀତ୍ବ ସମସ୍ୟା ମଧୢରେ କାହିଁକି ଧନ୍ଦି ହେଉଛି; ତାହାକୁ ଅନୁସନ୍ଧାନ କରିବାର ଆବଶ୍ୟକତା ଅଛି। ଜାପାନ ମଧ୍ୟ ଆମେରିକାର ବିଳାସପୂର୍ଣ୍ଣ ଜୀବନଯାପନ ପ୍ରକ୍ରିୟାକୁ ଆଦୌ ଅନୁକରଣ କରୁନାହିଁ। ଜାପାନର ସମସ୍ୟା ହେଲା ପ୍ରାଚୁର୍ଯ୍ୟର ସମସ୍ୟା। ଏହା ଅଭାବର ସମସ୍ୟା ନୁହେଁ। ଏଠାରେ ମଣିଷ କେବଳ ବଞ୍ଚିବା ପାଇଁ ଲଢ଼େଇ କରୁନାହିଁ।

ଏହା ବୁଝିବାକୁ ପଡ଼ିବ, ଦୁଃଖ ଓ ଯନ୍ତ୍ରଣା ଠାରୁ ମଣିଷକୁ ମୁକ୍ତି ପାଇବାକୁ ପଡ଼ିବ। ଏଥିରୁ ମୁକ୍ତି ପାଇବା ପାଇଁ ମଣିଷର ଆକା˚କ୍ଷା ଆଦୌ ବିବାଦୀୟ ନୁହେଁ। କିନ୍ତୁ ଏହା ସବୁ ଚିରନ୍ତନ ସତ୍ୟ ନୁହେଁ। ପୃଥିବୀ ଯେତେ ଅସତ୍ୟ ମନେହେଲେ ମଧୢ ଏହାର ଭିିତ୍ତି ହେଉଛି ସତ୍ୟ। ମଣିଷର ଜୀବନ ଯେତେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଏହାର ଭିତ୍ତିଭୂମି ହେଉଛି ଆନନ୍ଦ। ଏହି ଚିରନ୍ତନ ସତ୍ୟ ଉପରେ ବେଦର ଭିିତ୍ତିଭୂମି ଗଢ଼ିଉଠିଛି। ତେଣୁ ଆତ୍ମହତ୍ୟା ହେଉଛି ଏକ ପାପ। ମଣିଷର ଜୀବନକୁ ଆନନ୍ଦମୟ କରିବା ପାଇଁ ଅନେକ ପଥ ଅଛି। ଜନସାଧାରଣଙ୍କୁ ଏହି ସତ୍ୟ ସମ୍ପର୍କରେ ଅବହିିତ କରାଯିବା ଦରକାର ଯଦି ଆମେ ଆତ୍ମହତ୍ୟାକୁ ରୋକିବାକୁ ଚାହୁଁ।

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର