ସ୍ବାସ୍ଥ୍ୟ, ପୁଣି ସଭାମଞ୍ଚ?

Advertisment

ସଭା, ସମିତି ବୋଲି କହିଲେ ଆମକୁ ରାଜନୀତି ଦିଶେ। ତା’ ପଛକୁ ଧର୍ମ, ସାହିତ୍ୟ କିମ୍ବା ସ˚ସ୍କୃତି। ସ୍ବାଧୀନତା ପାଇଁ ସ˚ଗ୍ରାମ ଓ ତା’ ପରେ ପରେ ଭାରତରେ ଗଣତନ୍ତ୍ର ଆସିବା ଦିନୁ ସବୁଠାରୁ ବଡ଼ ସଭା, ସମିତି, ସଭାମଞ୍ଚ, ରାଜନୀତିକୁ ଆଧାର କରି ହିଁ ସ˚ଗଠିତ ହୋଇଛି। ‘‘ଧର୍ମ’’ ମଧୢ ଏ ଦିଗରେ କିଛି କମ୍‌ ସଫଳତା ପାଇ ନାହିଁ। ବାବା ଓ ମାଆମାନଙ୍କର ଧର୍ମ-ପ୍ରବଚନ ସ˚କ୍ରାନ୍ତୀୟ ସଭାମଞ୍ଚକୁ ଦେଖିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଅନ୍ୟ ପଟେ ସାହିତ୍ୟ। ସାହିତ୍ୟ ସମ୍ପର୍କିତ ସଭାମଞ୍ଚଗୁଡ଼ିକ ପ୍ରାୟ ଛୋଟ ଛୋଟ। ମାତ୍ର ଆସାମ ସାହିତ୍ୟ ସଭାର ବିଶାଳ ଜନସମାଗମ ଯେ କୌଣସି ଧାର୍ମିକ ବା ରାଜନୈତିକ ସଭାମଞ୍ଚକୁ ପଛରେ ପକାଇ ଦେବାକୁ ସକ୍ଷମ।

ଖବରକାଗଜ ବିବରଣୀ ଅନୁସାରେ ସବୁଠାରୁ ଅଧିକ ସଭାମଞ୍ଚ ଗଢ଼ାହୁଏ ସାହିତ୍ୟକୁ ନେଇ। ହଜିଯାଇଥିବା ସାହିତ୍ୟିକଙ୍କର ଜୟନ୍ତୀ ଓ ପୁଣ୍ୟତିଥି ସଙ୍ଗକୁ ପୁସ୍ତକ ଉନ୍ମୋଚନ ଏବ˚ ସ˚ଗଠନଗୁଡ଼ିକର ବାର୍ଷିକ ତଥା ସାମୟିକ ଉତ୍ସବମାନ ସ˚ଖ୍ୟା ଦିଗରୁ ବେଶ୍‌ ଅଧିକ। କେତେ ଲୋକ ସେଥିରେ ଯୋଗଦେଲେ ତାହା ବଡ଼ କଥା ନୁହେଁ। ବହିଟିଏ ପ୍ରକାଶ ପାଇଲେ ସେଇଟି ଭଲ କି ମନ୍ଦ ସେ ବିଚାର କରିବା ଦରକାର ପଡ଼େନା। ଲେଖକ ବା ଲେଖିକା ସମସ୍ତେ ଚାହାନ୍ତି ତାଙ୍କ ବହିର ଉନ୍ମୋଚନ ପାଇଁ ସଭାମଞ୍ଚଟିଏ ଗଢ଼ାହେଉ। ସା˚ସ୍କୃତିକ ସଭାମଞ୍ଚର ସ˚ଖ୍ୟା ମଧୢ ହିସାବ ଦୃଷ୍ଟିରୁ କିଛି କମ୍‌ ନୁହେଁ ଆମ ଦେଶରେ।

ହେଲେ ସ୍ବାସ୍ଥ୍ୟକୁ ନେଇ ସଭା, ସମିତି ଗଢ଼ାହେବା ଏକ ବିରଳ କଥା।

ଏବେ ବର୍ଷାଧିକ କାଳ କରୋନା ଭୂତାଣୁର ଭୟାନକ ସ˚କ୍ରମଣ କାରଣରୁ ସାରା ପୃଥିବୀ ଆତଙ୍କିତ ହୋଇ ରହିଛି। ୨୦୧୯ ଡିସେମ୍ବରରୁ କାୟା ବିସ୍ତାର କରି ଏ ମହାମାରୀ ସମଗ୍ର ପୃଥିବୀକୁ କବଳିତ କରିଛି। ସ୍ବାସ୍ଥ୍ୟକୁ ନେଇ ଏ ଦୀର୍ଘ ଆତଙ୍କ ଏବେ ଅବ୍ୟାହତ। ଟିକା ବାହାରିଲାଣି। ହେଲେ ଟିକା ଯେ ଔଷଧ ନୁହେଁ ସେ କଥା ସମସ୍ତେ ବୁଝିବା ଆବଶ୍ୟକ। ଏ ରୋଗ ପାଇଁ ଔଷଧ ଆସିନାହିଁ। ଟିକା ହୁଏତ ଗ୍ରହୀତାର ଶରୀରକୁ ଜଗିଦେବ ମାତ୍ର ସ˚କ୍ରମଣକୁ ରୋକିପାରିବ ନାହିଁ। କେତେଦିନ ଧରି ଏ ସ˚କ୍ରମଣ ନିୟନ୍ତ୍ରଣରେ ରହିଥିଲା, ପୁଣି ତାହା ବଢ଼ିବାରେ ଲାଗିଛି। ଗତ ସପ୍ତାହ ସାରା ସ˚କ୍ରମିତଙ୍କ ସ˚ଖ୍ୟା ପ୍ରତିଦିନ ୨୦ ହଜାରରୁ ଅଧିକ ହୋଇଛି। ଏବେ ଭାରତରେ ସକ୍ରିୟ ମାମଲା ପାଖାପାଖି ୨ ଲକ୍ଷ କୋଡ଼ିଏ ହଜାର। ମୃତ୍ୟୁ ସ˚ଖ୍ୟା ମଧୢ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡ଼ୁ ଭଳି ପ୍ରଦେଶଗୁଡ଼ିକରୁ ୭୮.୪୧ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ସୂଚନା ମିଳିଛି।

ଅତଏବ କୋଭିଡ୍‌-୧୯ ରୋଗକୁ ପ୍ରତିହତ କରିବା ଯେ ଆଜି ଦିନରେ ସରକାର ତଥା ଜନସାଧାରଣଙ୍କର ପ୍ରାଥମିକ କର୍ତ୍ତବ୍ୟରେ ପରିଣତ ହୋଇଛି ତାହା ଅସ୍ବୀକାର କରାଯାଇ ପାରିବ ନାହିଁ। ଏ ରୋଗର ବଡ଼ ଔଷଧ ହେଉଛି କଟକଣା। କଟକଣା ପାଳନ ବା ସେ ସମ୍ପର୍କରେ ସଚେତନତା ହିଁ ଆଜିର ସବୁଠାରୁ ବଡ଼ ଆବଶ୍ୟକତା।

ସଭା, ସମିତି କେବଳ ଉତ୍ସବ ପାଇଁ ନୁହେଁ କି ନିର୍ବାଚନ ପ୍ରଚାର ପାଇଁ ନୁହେଁ। ମହାତ୍ମା ଗାନ୍ଧୀ ଯେ ସ୍ବାଧୀନତା ସ˚ଗ୍ରାମ ସମୟରେ ସାରା ଭାରତ ବୁଲି ବୁଲି ସଭା, ସମିତି କରୁଥିଲେ ତାହା କୌଣସି ଉତ୍ସବ, ସାହିତ୍ୟ, ଧର୍ମ ବା ସା˚ସ୍କୃତିକ କାର୍ଯ୍ୟକ୍ରମ ନ ଥିଲା। ତାହା ଥିଲା ସଚେତନତାର ସଭା। ଠିକ୍‌ ଅର୍ଥରେ କହିଲେ ତାହା ରାଜନୈତିକ ସଭା ମଧୢ ନ ଥିଲା। ଖଦିର ପ୍ରଚାର, ଅସ୍ପୃଶ୍ୟତା ନିବାରଣ, ନିଶାଦ୍ରବ୍ୟ ବର୍ଜନ, କୁଟୀର ଶିଳ୍ପର ପ୍ରସାର ଲାଗି ଯେଉଁ ସଭାଗୁଡ଼ିକ ବସୁଥିଲା ସେଥିରେ ବଡ଼ ବାର୍ତ୍ତା ଥିଲା ଜୀବନର କଥା, ସ୍ବନିର୍ଭରଶୀଳତା ଲାଗି ସଚେତନତାର ବାର୍ତ୍ତା।

ପୃଥିବୀ ଏବେ ସ˚କଟରେ ପଡ଼ିଛି। ଅକଳ୍ପନୀୟ ସ୍ବାସ୍ଥ୍ୟର ସ˚କଟ। ହେଲେ ସଚେତନତା କାଇଁ? ସେ ଲାଗି ସଭାମଞ୍ଚ କାଇଁ? ସଭା କହିଲେ ଲୋକ ଗହଳି ନୁହେଁ। ବିଚାର ଆଲୋଚନାର ବାର୍ତ୍ତା ବାଣ୍ଟିବା ଲାଗି ମଞ୍ଚ। ଏହା ବାସ୍ତବ ହୋଇପାରେ କିମ୍ବା ଅବିକଳ ବା ଭାର୍ଚୁଆଲ୍‌ ହୋଇପାରେ।
କୋଭିଡ୍‌ ସ˚କ୍ରମଣ ବା ମହାମାରୀକୁ ରୋକିବା ଲାଗି ସଚେତନତା ଯେ ପ୍ରକୃତ ପ୍ରତିଷେଧକ ଏ ସମ୍ପର୍କରେ ଆମେ କେତେ ସଚେତନ?

ଏ କଥା କହିଲାବେଳେ ପୁଣିଥରେ ଗାନ୍ଧୀଜୀଙ୍କ କଥା ମନକୁ ଆସୁଛି। ୧୯୩୪ର ହରିଜନ ପଦଯାତ୍ରାବେଳେ ଗାନ୍ଧୀଜୀ ଦ୍ବିତୀୟ ପାଳିରେ ଜୁନ୍‌ ୨୧ ତାରିଖ ଦିନ ବୈରୀ ଷ୍ଟେସନ୍‌ରେ ଓହ୍ଲେଇ ଚମ୍ପାପୁର ଆଶ୍ରମ ଯାଇଥିଲେ। ଚମ୍ପାପୁର ଆଶ୍ରମର ପ୍ରତିଷ୍ଠାତା ଗୋବିନ୍ଦ ମିଶ୍ର ଲୋକମୁଖରେ ଗୋବିନ୍ଦଜୀ ଚାନ୍ଦା ଭେଦା କରି କେତେ ହଜାର ଟଙ୍କା ଖର୍ଚ୍ଚରେ ସେତେବେଳେ ଲୋକସେବା ପାଇଁ ହସ୍‌ପିଟାଲଟିଏ ବସେଇଥିଲେ। ହସ୍‌ପିଟାଲ୍‌ ଦେଖି ଗାନ୍ଧୀଜୀ ବିଗିଡ଼ି ଗଲେ। ତାଙ୍କର ମତ ଥିଲା, ‘‘ରୋଗ ବଇରାଗର କାରଣ ସମ୍ପର୍କରେ ଲୋକଙ୍କୁ ବୁଲି ବୁଲି ସଚେତନ କର। ନିରାକରଣ ଦିଗରେ କିଛି କାମ ନ କରି ରୋଗ ହେଲେ ଭଲ କରିବା ଲାଗି ହସ୍‌ପିଟାଲ୍‌ ବସାଇବା କେଉଁ ବୁଦ୍ଧିମତ୍ତାର କାର୍ଯ୍ୟ?’’

ଗାନ୍ଧୀଜୀ ଠିକ୍‌ ଜାଣିଥିଲେ ଯେ ଗାଁ ଗହଳରୁ ଆରମ୍ଭ କରି ସହର ଯାଏ ସବୁ ରୋଗର ମୂଳ ହେଉଛି ସ୍ବାସ୍ଥ୍ୟ ସମ୍ପର୍କରେ ଅଜ୍ଞତା। ସେଇଥିପାଇଁ ସ୍ବଚ୍ଛତାକୁ ଈଶ୍ବରଙ୍କର ଅନ୍ୟ ରୂପ ବୋଲି ସେ ଗ୍ରହଣ କରିଥିଲେ।

ଆଶ୍ବାସନାର କଥା ଯେ ନିକଟରେ ଅଶ୍ବିନୀ ହସ୍‌ପିଟାଲ୍‌ ସମୂହଙ୍କ ଦ୍ବାରା ଏକ ସ୍ବାସ୍ଥ୍ୟ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହା କୌଣସି ରୋଗକୁ ନେଇ ସ˚ପାନ ବା ଗବେଷଣା ଆଧାରିତ ଔଷଧ ବା ନିଦାନର ଆଲୋଚନାଚକ୍ର ନ ଥିଲା। ସ୍ବାସ୍ଥ୍ୟକୁ ନେଇ ଏ ଏକଦିବସୀୟ ସଭାମଞ୍ଚଟି ଗଢ଼ାଯାଇଥିଲା। ଏଥିରେ ଅଭିଜ୍ଞ ଡାକ୍ତର, ସ୍ବାସ୍ଥ୍ୟ-ନିୟମ ନିୟନ୍ତ୍ରଣକାରୀ ପ୍ରଶାସକ ଓ ସ୍ବାସ୍ଥ୍ୟ-ସଚେତନତାର ପ୍ରସାରଣକାରୀ ଗଣମାଧୢମର ପ୍ରତିନିଧିଙ୍କୁ ସାମିଲ କରାଯାଇଥିଲା। କୋଭିଡ୍‌ ମହାମାରୀ ସମ୍ପର୍କରେ ସାଧାରଣଲୋକ ଜାଣିବା ଭଳି ଅନେକ କଥା ଉଠିଥିଲା ସେଠି। ଗୋଟିଏ ଦିଗ ଥିଲା କରୋନା ଭୂତାଣୁ ସ˚କ୍ରମଣର ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଓ ଅନ୍ୟଟି ଟିକାକରଣ ସମ୍ପର୍କିତ ମନରେ ଉପୁଜୁଥିବା ବିଭିନ୍ନ ସନ୍ଦେହକୁ ନେଇ।

ଏବେ ଯେ କରୋନା ଭୂତାଣୁ ପୁଣି ଫଣାଟେକି ଫେରୁଛି ସେ ସମ୍ପର୍କରେ ଜନସାଧାରଣ ସଚେତନ ନ ହେବା ଏକ ବଡ଼ ସମସ୍ୟା ହୋଇ ଦେଖାଦେଇଛି। ଉଭୟ କରୋନା ଓ ଟିକାକୁ ନେଇ ନାନାବିଧ ମତ ମନ୍ତବ୍ୟ ପ୍ରକାଶ ପାଉଛି। ସବୁଠାରୁ ଦୁଃଖଦାୟକ କଥା ହେଲା ଯେହେତୁ ଇଣ୍ଟରନେଟ୍‌ ଯୋଗୁଁ ସାମାଜିକ ଗଣମାଧୢମ ସକ୍ରିୟ, ଯେ କୌଣସି ବ୍ୟକ୍ତି ଯାହା ପାରୁଛନ୍ତି ତାହା ବୟାନ ଦେଉଛନ୍ତି। ବିଶେଷଜ୍ଞ ବା ଡାକ୍ତରଙ୍କଠାରୁ କିଛି ଶୁଣିବା ପୂର୍ବରୁ ନିଜେ ସବୁଜାଣିବା ପରି ମନ୍ତବ୍ୟ ପ୍ରକାଶ କରୁଛନ୍ତି। ଆମେରିକା ଭଳି ଉନ୍ନତ ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସୁଦ୍ଧା ନିଜ ଅଜ୍ଞତାକୁ ଟ୍ବିଟ୍‌ କରି ବିଶ୍ବବାସୀଙ୍କୁ ବିଭ୍ରାନ୍ତ କରାଇଛନ୍ତି। ଏବେ କେତେକ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଯେଉଁଭଳି ବିବାଦୀୟ ବୟାନ ଦେଉଛନ୍ତି ସେଥିରୁ ଜଣାପଡ଼ୁଛି, କରୋନା ମହାମାରୀ ଓ ଏହାର ଟିକାକରଣ ସମ୍ପର୍କରେ ଅଜ୍ଞତା ହିଁ ଏ ରୋଗକୁ ଆହୁରି ବଳବତ୍ତର କରୁଛି।

ଖାସ୍‌ ସେଇଥିପାଇଁ ସ୍ବାସ୍ଥ୍ୟ ସମ୍ପର୍କିତ ଏ ଅଭିନବ ସଭାମଞ୍ଚଟି ଥିଲା ଅନେକ ଦିଗରୁ ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରେ ଓଡ଼ିଶା ରାଜ୍ୟର କୋଭିଡ୍‌ ଦାୟିତ୍ବ ନେଇଥିବା ପ୍ରଶାସକ ଶ୍ରୀ ମହାପାତ୍ର ଯେଉଁସବୁ ବୟାନ ରଖିଥିଲେ ତାହା ଥିଲା ସମଗ୍ର ରାଜ୍ୟରେ ଏ ଯାବତ୍‌ ତିଆରି ହୋଇଥିବା ରୋଡ୍‌ମ୍ୟାପ୍‌ର ଝଲକ। କରୋନା ଯେ ଏକ ସମସ୍ୟା ଏବ˚ ଏହାର ସମାଧାନ ଆମ ପାଖରେ ଅଛି ଏହି ବାର୍ତ୍ତା ଥିଲା ସେ ଦିନ ସଭାମଞ୍ଚରୁ ସବୁଠାରୁ ବଡ଼ ଉଦ୍‌ଘୋଷଣା। ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ. ମିଶ୍ର, ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ପାଣିଗ୍ରାହୀ, ସମ୍‌ ହସ୍‌ପିଟାଲ୍‌ର କମ୍ୟୁନିଟି ମେଡିସିନ୍‌ ବିଶେଷଜ୍ଞ ଡ. ରାଓ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିସିନ୍‌ ବିଭାଗର ମୁଖ୍ୟ ଡ. ପଣ୍ତା, ଅଶ୍ବିନୀ ହସ୍‌ପିଟାଲ୍‌ର ଛାତିରୋଗ ବିଶେଷଜ୍ଞ ଡ. ଦାଶ, ଆମ୍ରି ହସ୍‌ପିଟାଲ୍‌ର ମୁଖ୍ୟ ଇଣ୍ଟେନ୍‌ସିଭିଷ୍ଟ୍ ଡ. ସାହୁ ଓ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ପତିଙ୍କ ସମେତ ଦୁଇ ପ୍ରଖ୍ୟାତ ସାମ୍ବାଦିକ ଶ୍ରୀ ଶତପଥୀ ଓ ଶ୍ରୀ ମିଶ୍ର ଯେଉଁସବୁ ବକ୍ତବ୍ୟ ରଖିଥିଲେ ତାହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ପାଇଁ ଖୁବ୍‌ ଆଶ୍ବାସନାର କଥା ଥିଲା ନିଶ୍ଚୟ।

ଓଡ଼ିଶାକୁ ଏ ଯାଏ କରୋନା ଭୂତାଣୁର ଦ୍ବିତୀୟ ଲହର ଆସିନାହିଁ ଓ ସେ ଦିଗ ପ୍ରତି ଆମେ ସଜାଗ ଅଛୁ ବୋଲି ଡ. ପଣ୍ତାଙ୍କର ମତ ଥିଲା ଖୁବ୍‌ ଆଶ୍ବସ୍ତକାରୀ। ଡ. ମିଶ୍ର ଖୁବ୍‌ ସୁନ୍ଦର ଭାବରେ ବୁଝାଇ କହିଥିଲେ ଯେ ଆମ ଅବହେଳା, ଆତ୍ମସନ୍ତୁଷ୍ଟି ତଥା ବେପରୁଆ ମନୋଭାବ ହିଁ କରୋନା ପ୍ରତ୍ୟାବର୍ତ୍ତନର ମୁଖ୍ୟ କାରଣ। ଏ ସମ୍ପର୍କରେ ସମସ୍ତେ ସଚେତନ ରହିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ସ୍ବୀକାର କରିଥିଲେ। ଟିକା ନେବା ସମ୍ପୂର୍ଣ୍ଣ ନିରାପଦ ଓ ସେଥିପାଇଁ ଆବଶ୍ୟକ ପ୍ରଚାର ପ୍ରସାର ହିଁ ଖୁବ୍‌ ଜରୁରି। ଏହା ଫଳରେ ସାଧାରଣରେ ସନ୍ଦେହ ମୋଚନ ହୋଇପାରିବ। ଗର୍ଭବତୀ ମହିଳା, ସ୍ତନ୍ୟପାନ ଦେଉଥିବା ମହିଳା, ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକେ ଯେ ଟିକା ନେଇପାରିବେ ସେ ସମ୍ପର୍କରେ ବିଶଦ ଆଲୋଚନା ସେ ଦିନ ପ୍ରକାଶ ପାଇଥିଲା। ‘‘ଆମର ଧାରଣା ଅନ୍ୟ ଅନେକ ରୋଗ ପାଇଁ କେବଳ ପିଲାମାନେ ଟିକା ନେବା ଉଚିତ, ମାତ୍ର ଅନେକ ଟିକା ବଡ଼ ଓ ବୟସ୍କମାନେ ଯେ ନିୟମିତ ନେବା ଆବଶ୍ୟକ ଏ ସଚେତନତା ସାରା ଭାରତବର୍ଷରେ ନାହିଁ’’ ବୋଲି ଯୁକ୍ତି ରଖିଥିଲେ ଡ. ଭେଙ୍କଟ ରାଓ। ଗଣମାଧୢମର ସ୍ଥିତି ଲୋକଙ୍କ ପାଇଁ ଓ ଲୋକଙ୍କୁ ନେଇ। କୌଣସି ରୋଗ ଓ ତତ୍‌ସମ୍ପର୍କିତ ଖବରାଖବର ଯେତେ ସ୍ବଚ୍ଛ ରହିବ ସେତେ ଆମେ ସମସ୍ୟାଗୁଡ଼ିକର ସହଜ ସମାଧାନ ପାଇ ପାରିବା ବୋଲି ମତ ପ୍ରକାଶ ପାଇଥିଲା। ସମସ୍ତ ବକ୍ତବ୍ୟକୁ ଏକାଠି କରି ଶେଷରେ ‘ସମ୍ବାଦ’ର ସମ୍ପାଦକ ତଥା ଅତିଥି ଶ୍ରୀ ପଟ୍ଟନାୟକ ଉପସ˚ହାର ଟାଣି କହିଥିଲେ ଯେ ସବୁ ବିଭ୍ରାନ୍ତି ଦୂର କରି ସମସ୍ତେ ଟିକାକରଣରେ ସାମିଲ ହେବା ନିହାତି ଜରୁରି। ମୁହଁରେ ମୁଖା, ଶାରୀରିକ ଦୂରତା ସଙ୍ଗକୁ ହାତଧୁଆ-ପରିଚ୍ଛନ୍ନତା ଉପରେ ପ୍ରାୟ ସମସ୍ତେ ଗୁରୁତ୍ବ ଆରୋପ କରିଥିଲେ।
ଏ କ୍ଷେତ୍ରରେ ଗୋଟିଏ ବିଶେଷ ବୟାନ ରଖିଥିଲେ ସ୍ବାସ୍ଥ୍ୟ ସମ୍ମିଳନୀର ଅନ୍ୟତମ ଆୟୋଜିକା ଡ. ଗନ୍ତାୟତ। ଫୁସ୍‌ଫୁସ୍‌ଜନିତ ରୋଗ ଏବେ ମଣିଷ ସମାଜ ପାଇଁ ତୃତୀୟ ମରଣଯନ୍ତା। ଅତଏବ ଫୁସ୍‌ଫୁସ୍‌ର ଯତ୍ନ ଓ ଚିକିତ୍ସା ପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ। ସମ୍ମିଳନୀର ଆଉ ଗୋଟିଏ ସ୍ବର୍ଣ୍ଣିମ ଦିଗ ଥିଲା ବିଭିନ୍ନ ବର୍ଗର କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା। ଅଶ୍ବିନୀ ଗ୍ରୁପ୍‌ର ସହପ୍ରତିଷ୍ଠାତା ଡ. ଜେନା ଏ ଅଭାବନୀୟ କାର୍ଯ୍ୟଟି କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସ୍ବାସ୍ଥ୍ୟକୁ ନେଇ ସେ ଦିନର ଏ ସଭାମଞ୍ଚ ଯେମିତି ଥିଲା ପ୍ରେରଣାଦାୟୀ ସେମିତି ବି ଥିଲା ସଚେତନତା ଉଦ୍ରେକକାରୀ। ଯେ କୌଣସି ସମସ୍ୟାର ସମାଧାନ ଦିଗରେ ମୂଳ ହେଲା ସେ ସମ୍ପର୍କରେ ସଚେତନତା। ଆଗେ ଅରଣ୍ୟରେ ଅଜଗର ପରି ଲୋକେ ରୋଗ ସହୁଥିଲେ ଓ ଅଜ୍ଞତା କାରଣରୁ ମୃତ୍ୟୁମୁଖରେ ପଡୁଥିଲେ। ସେକାଳର ‘ପୂର୍ଣ୍ଣଚନ୍ଦ୍ର ରସ’, ‘ବୁଡ଼ନ୍ତରା’, ‘ପଟୋଳାଦି ପାଚନ’, ‘ସୁଦର୍ଶନ ଚୂର୍ଣ୍ଣ’, ‘ତିଳାର୍ଦ୍ଧଖଣ୍ତ’, ‘ଶ୍ବାସକୁଠାର ତୈଳ’ ଓ ‘ବାସାବଲେହ’ ଭଳି କବିରାଜି ଔଷଧ ଏବେ ଆଉ ନାହିଁ କି ସେ ବୈଦ୍ୟମାନେ ନାହାନ୍ତି। ଏବର ସମାଜରେ ନାନା ନୂଆରୋଗ କାୟା ବିସ୍ତାର କଲେଣି। ଏହାର ନିରାକରଣ ପାଇଁ ସମୂହ ସଚେତନତା ହିଁ ମୌଳିକ ପ୍ରତିଷେଧକ ଭଳି କାମ କରିବ।

ସେଇଥିପାଇଁ ଗାନ୍ଧୀଜୀ କହୁଥିଲେ, ‘‘ସ୍ବାସ୍ଥ୍ୟ ସମ୍ପର୍କରେ ପହିଲେ ସଚେତନତା ବଢ଼ାଅ। ଔଷଧ କଥା ପଛ।’’ କହିବାର ଅଛି ଯେ ନୂଆ ସମୟ ଆସୁଛି। ରାଜନୀତି, ଧର୍ମ ଓ ସାହିତ୍ୟ ସଭା ଭଳି ସ୍ବାସ୍ଥ୍ୟ ସଭା ସମ୍ପ୍ରତି ଗାଆଁ ଗାଆଁରେ, ଅଞ୍ଚଳ ଅଞ୍ଚଳରେ ହେବା ଆବଶ୍ୟକ।
ମୁହଁରେ ସ୍ବାସ୍ଥ୍ୟକୁ ସମ୍ପଦ କହି କେତେଦିନ ଆମେ ଆଉ ସ୍ବାସ୍ଥ୍ୟ-ଅଜ୍ଞ ହୋଇ ରହିବା?

[email protected]