କଫିନରୁ ଝୁଲୁଥିବା ହାତ

ସରସ ରସ - ସୁଭାଷ ପଟ୍ଟନାୟକ

ଅନେକ ବର୍ଷ ପୂର୍ବେ ସିନେମାଟିଏ ଆସିଥିଲା, ‘ଦ ହ୍ୟାଣ୍ଡସ୍ ଅଫ୍ ଓରଲାକ୍’। ସିନେମାରେ ପ୍ରସିଦ୍ଧ ପିଆନୋ ବାଦକ ଓରଲାକ୍ ଦୁର୍ଘଟଣାରେ ହାତ ଦୁଇଟି ହରାଇବା ପରେ ଚିକିତ୍ସକ ଅନ୍ୟ ଜଣେ ବ୍ୟକ୍ତିର ହାତ ଦୁଇଟି ଲଗାଇ ଦେଇଛନ୍ତି। ସେ ହାତ ଦୁଇଟି ନର ହତ୍ୟା କରି ଫାଶୀ ପାଇଥିବା ଜଣେ ଅପରାଧୀର ହାତ ବୋଲି ଜାଣିବା ପରେ ଓରଲାକ୍ ହତ୍ୟାକାରୀର ମାନସିକତାକୁ ଗ୍ରହଣ କରିନେଇଛି ଓ ପିଆନୋ ବଜାଇବା ଛାଡ଼ି ଦେଇଛି। ହାତ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହୁଏ ବୋଲି ତାକୁ ବୁଝାଇବା ପରେ ମଧ୍ୟ ନିଜକୁ ସେ ହତ୍ୟାକାରୀ ଭାବିନେଇଛି। ଇଏତ ଗଲା ସିନେମାର କାହାଣୀ। ଭାବିଲେ ଦେଖି, ମନୁଷ୍ୟର ଯଦି ହାତ ନଥାନ୍ତା, ସେ ଶ୍ରେଷ୍ଠ ପ୍ରାଣୀ ହୋଇ ପାରନ୍ତା କି? ଜୀବନ ଜିଇବାର ଅନ୍ୟ କିଛି ପ୍ରଣାଳୀ ସେ ଆପଣେଇଥାନ୍ତା। ଆଖି ଖୋଲିଦେଲେ ଯାହାସବୁ ଦୃଶ୍ୟମାନ ହୁଏ, ସେସବୁର ସ୍ରଷ୍ଟା ଏଇ ହାତ। ହାତ ହେଉଛି ଶକ୍ତି, ସାମର୍ଥ୍ୟ ଓ ପ୍ରତିରୋଧ କରିବାର ଅସ୍ତ୍ର, ପୁଣି ସେଇ ହାତ ମଧ୍ୟ କରୁଣା, ସ୍ନେହ ଓ ଶ୍ରଦ୍ଧାର ଦ୍ୟୋତକ। ଅନେକ ହାତ ଏକାଠି ହେଲେ ମହାଶକ୍ତି ପାଲଟି ଯାଏ।

ଦେବାନେବାର ଦୁନିଆ ହାତ ଦ୍ବାରା ପରିଚାଳିତ ହୁଏ। ଅସୀମ ଶକ୍ତିର ଅଧିକାରୀ ହାତ, ଯୁଦ୍ଧ ଲଢ଼େ, ପର୍ବତର ବୁକୁ ଚିରେ, କଳକାରଖାନା ବସାଏ, ଚାଷ କରେ, ବସ୍ତ୍ର ବୁଣେ, ଛୁଞ୍ଚିରେ ସୂତା ଗଳାଏ ଓ ବାଦ୍ୟଯନ୍ତ୍ର ମଧ୍ୟ ବଜାଏ। ଚିତ୍ର ଆଙ୍କେ, ସ୍ଥାପତ୍ୟ ଗଢ଼େ। ଇଣ୍ଡୋନେସିଆର ଏକ ଗୁମ୍ଫାରୁ ଆବିଷ୍କୃତ ଚାଳିଶ ହଜାର ବର୍ଷ ତଳର ହାତର ଏକ ଚିତ୍ର ହେଉଛି ଏ ପର୍ଯ୍ୟନ୍ତ ଆବିଷ୍କୃତ ପ୍ରଥମ ଅଙ୍କିତ ଚିତ୍ର ଓ ତାକୁ ଆଙ୍କିଛି କୌଣସି ଗୋଟିଏ ହାତ! ଦାର୍ଶନିକ ଆନାକ୍‌ସଗୋରାସ୍ କହିଥିଲେ, “ମନୁଷ୍ୟ ପ୍ରାଣୀମାନଙ୍କ ମଧ୍ୟରେ ବୁଦ୍ଧିମାନ, କାରଣ ତାର ଦୁଇଟି ହାତ ଅଛି”।

ଆରିଷ୍ଟୋଟଲ ତାଙ୍କର ‘ଟ୍ରିଟିଜ୍ ଅନ ଦ ସୋଲ୍’ରେ ଏହାକୁ ଟିକିଏ ବଦଳାଇ କହିଲେ: “ଭଲ ହୋଇଥାନ୍ତା, ଯଦି କୁହାଯାଆନ୍ତା, ମନୁଷ୍ୟର ହାତ ଅଛି ତେଣୁ ସେ ବୁଦ୍ଧିମାନ”। ମନୁଷ୍ୟର ହାତ ହେଉଛି “ଯନ୍ତ୍ରପାତିର ଯନ୍ତ୍ର”। ଠିକ୍ କଥା। ସବୁ ଯନ୍ତ୍ରପାତିକୁ ଗଢ଼ିଛି ଦଶ ଅଙ୍ଗୁଳି ବିଶିଷ୍ଟ ଏଇ ହାତର ଯନ୍ତ୍ର। ସମସ୍ତ ପ୍ରାଣୀଙ୍କୁ ଭଗବାନ ହସ୍ତପଦ ଚାରୋଟି ତ ଦେଲେ, ଅନ୍ୟ ପ୍ରାଣୀ ତାହାକୁ ଚାଲିବାରେ ଲଗାଇଲେ, ମାତ୍ର ମନୁଷ୍ୟ ଦୁଇଟିକୁ ହାତ ଭାବରେ ବ୍ୟବହାର କରି ବୁଦ୍ଧିମତ୍ତା ଦେଖାଇଲା। ପ୍ରକୃତି ସହିତ ଲଢ଼େଇ କରି ବଞ୍ଚିବା ଶିଖିଲା।

ମନୁଷ୍ୟକୁ ଜନ୍ମ ଦେଇ ପୃଥିବୀକୁ ଆଣେ ଦୁଇଟି ହାତ। ତାକୁ ଖୁଆଇଦିଏ, ସେବା କରେ, ଚାଲି ଶିଖାଏ, ଅଳି-ଅର୍ଦ୍ଦଳି ବୁଝେ ସେଇ ହାତ। ତା’ ଜୀବନକୁ ସୁନ୍ଦର କରି ତିଆରି କରେ। ଏହା ପରେ ମନୁଷ୍ୟ ନିଜ ହାତ ଦୁଇଟିକୁ ସ୍ବଇଚ୍ଛାରେ ବ୍ୟବହାର କରିବା ଶିଖିନିଏ। ହାତସବୁ ଏକାଠି ହେଲେ ବିଶ୍ବ ଗୋଟିଏ ପରିବାର ପାଲଟିଯାଏ ତ’ ହାତମୁଠା ମଧ୍ୟ ବିଶ୍ବଯୁଦ୍ଧ କରାଇଦିଏ। ହାତ କଥା କୁହେ। ହସ୍ତମୁଦ୍ରାର ଭାଷା ସ୍ବତନ୍ତ୍ର। ଯୋଗ, ଅଭିବାଦନ, ନୃତ୍ୟ, ଧ୍ୟାନ, ଅଭୟ ପ୍ରଦାନ ଓ ବରଦାନ ସବୁକିଛି ହାତର ମୁଦ୍ରାରେ ଇଙ୍ଗିତ ହୁଏ। ଏ ବିଶ୍ବକୁ ଭାଙ୍ଗିବାକୁ, ଯୋଡ଼ିବାକୁ ହାତ ପାଖରେ ଅମାପ ଶକ୍ତି ରହିଛି। ଏଇ ହାତ ଅନେକ କଳା, ସ୍ଥାପତ୍ୟ ଗଢ଼ି ମନୁଷ୍ୟର ଜୟଗାନ କରାଉଛି। ପୁନଶ୍ଚ ଯୁଦ୍ଧ, ହତ୍ୟା ଓ ଲୁଣ୍ଠନ କରି ଅନ୍ୟର ଜୀବନ ଦୁର୍ବିଷହ କରୁଛି। ଦୁଃଖ, ଯନ୍ତ୍ରଣାରେ ଭାଙ୍ଗିପଡ଼ିଥିବା ହୃଦୟ କାହାରି ହାତର ସ୍ପର୍ଶରେ ସାନ୍ତ୍ବନା ପାଉଛି ଓ ତା’ ପାଇଁ ହାତ ପାଲଟିଯାଉଛି ମହୌଷଧି। ହସ୍ତରେଖାରୁ ଭାଗ୍ୟ ଓ ଭବିଷ୍ୟତ ଜଣାପଡ଼େ ଓ ସେଇ ହାତ ପୁଣି ନିଜ ଭାଗ୍ୟ-ଭବିଷ୍ୟତକୁ ନଷ୍ଟ କରେ। ହାତ ହେଉଛି ଅନ୍ଧର ଆଖି ଓ ମୂକର ସ୍ବର। ଆଲେକଜାଣ୍ଡାର, ହ୍ୟାନିବାଲ, ସିଜର୍, ଅଶୋକ ଓ ଚେଙ୍ଗିଜ ଖାଁ ଆଦି ମହାନ ଯୋଦ୍ଧାମାନଙ୍କ ହାତର ଅମାପ ଶକ୍ତି କଥା କାହାକୁ ବା ଅଜଣା!

ଆଲେକଜାଣ୍ଡାର ବିଶ୍ବ ବିଜୟ କରି ସ୍ବଦେଶକୁ ଫେରିବା ରାସ୍ତାରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଲେ। ଚିକିତ୍ସକମାନେ କହିଲେ ତାଙ୍କର ବଞ୍ଚିବାର ଆଶା ଆଉ ନାହିଁ। ଏହା ଜାଣିବା ପରେ ପ୍ଲାଟୋଙ୍କର ଏହି ପ୍ରିୟ ଶିଷ୍ୟ ତାଙ୍କର ତିନିଟି ଶେଷ ଇଚ୍ଛା ବ୍ୟକ୍ତ କରି ତାହା ମୃତ୍ୟୁ ପରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଲେ। ସେଥିରୁ ଗୋଟିଏ ହେଉଛି, ତାଙ୍କ କଫିନକୁ କବରସ୍ଥଳକୁ ନେବାବେଳେ ହାତ ଦୁଇଟି ତାଙ୍କର ବାହାରକୁ ଝୁଲାଇ ରଖାଯିବ। କାରଣ, ସମଗ୍ର ବିଜିତ ବିଶ୍ବ ଜାଣୁ, ଏଇ ବିଶ୍ବ ବିଜୟୀଙ୍କ ହାତରେ ଶେଷଯାତ୍ରା ସମୟରେ କିଛି ବି ନାହିଁ। ଜନ୍ମ ନେଲାବେଳେ ଶୂନ୍ୟ ହସ୍ତ, ଶ୍ମଶାନକୁ ଗଲାବେଳେ ବି ଶୂନ୍ୟ ହସ୍ତ, ତେଣୁ ଯାହା ଅର୍ଜିଥିଲେ ତାହା ବି ଶୂନ୍ୟ।

ଦୁନିଆର ଅଧିକାଂଶ ହାତ ନିଜର ଲୁହ ପୋଛିବାରେ ଲାଗିଛି। ଆଉ କିଛି ହାତ ଲୁଟିବାରେ ଲାଗିଛି ତ’ ଆଉ କିଛି ଗଢ଼ିବାରେ ଲାଗିଛି। କିଛି ହାତ ଯୁଦ୍ଧାସ୍ତ୍ର ତିଆରି କରି ନରସଂହାର କରୁଛି। ଅନେକ ହାତ ବଳାତ୍କାର ଓ ଲୁଣ୍ଠନରେ ମାତିଛି, କୁଣ୍ଢ ପୂରଣ କରି ଯେତେ ପାରିବ ସାଉଁଣ୍ଟି ଚାଲିଛି। କିନ୍ତୁ ଦିନେ ସେଇ ହାତ ତାର ଶୂନ୍ୟ ହୋଇ କଫିନରୁ ଝୁଲୁଥିବ।

ଦାର୍ଶନିକ ଲ୍ୟୁକ୍ରେସିୟସ କହିଥିଲେ, “ଜନ୍ମ ନେବା ପୂର୍ବରୁ କିଛି ବି ମନୁଷ୍ୟର ବ୍ୟବହାର ପାଇଁ ଉଦ୍ଦିଷ୍ଟ ନଥାଏ। ଜନ୍ମ ହେବା ପରେ ମନୁଷ୍ୟ ସ୍ଥିର କରେ ହାତକୁ ତାର କେମିତି ବ୍ୟବହାର କରିବ”। ନିଜ ଚତୁଃପାର୍ଶ୍ବର କେନ୍ଦ୍ରରେ ଥାଇ ଜୀବନର ସପ୍ତରଙ୍ଗ ଓ ସର୍ବଶକ୍ତିକୁ ଅନୁଭବ କରିପାରୁଥିବା ପ୍ରାଣୀଟି ହେଉଛି ମନୁଷ୍ୟ ଓ ଏଥି ପାଇଁ ତାକୁ ସକ୍ଷମ କରିଛି ତାର ଦୁଇଟି ହାତ। କଫିନରୁ ଝୁଲୁଥିବା ହାତ ଯୋଡ଼ିକ ଦିନେ କ’ଣ କରି ନ ଥିଲା! ସେଇ ହାତର ଇସାରାରେ ବିଶ୍ବଯୁଦ୍ଧ ହୋଇଥିଲା, ସେଇ ହାତ କାହାରିକୁ ଫାଶୀଦଣ୍ଡ ଦେଇଥିଲା। ସେଇ ହାତ କାହା ଆଖିରୁ ଲୁହ ଝରାଇଥିଲା ତ’ କାହା ମଥାରୁ ସିନ୍ଦୂର ପୋଛିଥିଲା। ଏଇ ଗ୍ଳାନିବୋଧ ଯୋଗୁଁ ଚିତ୍ରକାର ମାଇକେଲ ଆଞ୍ଜେଲୋଙ୍କର ପ୍ରସିଦ୍ଧ ଚିତ୍ରକଳାରେ ଆଦମ୍ ହାତ ବଢ଼ାଇଥିଲେ ମଧ୍ୟ ପରମେଶ୍ବରଙ୍କ ପ୍ରସାରିତ ହସ୍ତର ଅଙ୍ଗୁଳିକୁ ଛୁଇଁ ପାରିନାହିଁ।

ବାଳକଟି ଶିଶି ମଧ୍ୟରେ ହାତ ଭର୍ତ୍ତି କରି ମୁଠା ଭର୍ତ୍ତି କୋଳି ବାହାର କରିବାକୁ ଚେଷ୍ଟା କଲା, ହେଲେ ହାତ ମୁଠାଟି ଆଉ ବାହାରି ନପାରି ଶିଶି ମଧ୍ୟରେ ଲାଖି ରହିଲା। ମା’ କହିଲେ, ଗୋଟିଏ ଦୁଇଟି କୋଳି ଧରିଲେ ସିନା ହାତ ବାହାରିବ, ଲୋଭବଶ ହୋଇ ମୁଠାଏ ଧରିଲେ କିଛି ବି ପାଇବୁନି। ହାତର କେବଳ ଗୋଟିଏ ବ୍ୟବହାର ବିଷୟରେ କହିବା ବାକି ଅଛି‌; ତାହା ହେଉଛି, ଅନ୍ୟର ଆଖିରୁ ଲୁହ ପୋଛିଦେଇ ପିଠି ତାର ଥାପୁଡ଼େଇଦେବା। ଏବେ ଆପଣ ସ୍ଥିର କରନ୍ତୁ, ଆପଣଙ୍କ ହାତକୁ କେଉଁ କାର୍ଯ୍ୟରେ ବିନିଯୋଗ କରିବେ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର