ପଖାଳ: ଓଡ଼ିଶାର ଅନ୍ତରଙ୍ଗ ପରିଚୟ

ଜାନକୀଶ ବଡ଼ପଣ୍ତା

‘ପଖାଳ ଭାତ’ ବୋଲି ଶୁଣିଲେ, ନାକ ଟେକି ଆସୁଥିବା ଓଡ଼ିଆଙ୍କ ମଧୢରୁ ଅନେକେ ହୁଏତ ବାସି ପଖାଳ ଓ ବାସି ରୁଟି ଆମ ଦେହକୁ ହିତ ବୋଲି କୋଉଠି ପଢ଼ିଥିବେ ଅବା ଶୁଣିଥିବେ ସିନା, ପରତେ ଯାଇ ନଥିବେ। ଓଡ଼ିଆମାନେ ପଖାଳ ଖାଇବା କାରଣରୁ ନିଦ୍ରାଳୁ ଓ ଅଳସୁଆ ଏବ˚ ଏହି କାରଣରୁ ଅପେକ୍ଷାକୃତ ପଛୁଆ ବୋଲି ପଖାଳ ବିରୋଧରେ ଅପନିନ୍ଦାଟିଏ ରହିଛି। ସେଇଥିପାଇଁ ଅନେକେ ପଖାଳ ଖାଇବାକୁ ନାକ ଟେକୁ। ଦହଡ଼ ଦହଡ଼ ବାମ୍ଫ ଉଠା ଗରମ ଭାତ ସାଥିରେ ଡାଲି, ତରକାରି ଓ ନାନାଦି ଆଧୁନିକ ବ୍ୟଞ୍ଜନର ଶୋଭାଯାତ୍ରା ଚାଲିଥିଲା ବେଳେ ପଖାଳ ଭାତ କାନକୁ ଅଖାଡୁଆ ଲାଗିପାରେ। ଗରିବ, ଖଟିଖିଆ, ଅଭାବୀ ଲୋକ ପଖାଳ ଖାଇ ଭୋକ ମାରନ୍ତି ବୋଲି ଏକ ଧାରଣା ଅଛି ଅନେକଙ୍କର। ପଖାଳ ସହ ମାଛ-ମା˚ସର ଝୋଳ ନାଗନାଡ଼ି ସମ୍ପର୍କ ପରି। ସେଥିରେ ଅଛି ଜଳ ଜନିତ ରୋଗର ଡର। ହାତରେ ନଖାଇ ଚାମଚରେ ଖାଇବାକୁ ଷ୍ଟାଟସ ସିମ୍ବଲ ଭାବୁଥିବା ଓଡ଼ିଆ ପଖାଳକୁ ନାକ ଟେକେ। ହେଲେ, ସାମାଜିକ ଗଣମାଧୢମ ଦୟାରୁ ସମ୍ପନ୍ନ ଲୋକ ନିଜର ବଡ଼ିମା ପ୍ରଦର୍ଶନ କରିବାକୁ ପଖାଳ ସହ ନାନାଦି ଓଡ଼ିଆ ବ୍ୟଞ୍ଜନ କ˚ସା ପାତ୍ରରେ ଖାଇ ଫଟୋ ଛାଡ଼ିବାକୁ ପସନ୍ଦ କରୁଥିବାର ଦେଖା ଦେଉଛି।

ସକାଳ ଜଳଖିଆରେ ସଦ୍ୟ ପ୍ରସ୍ତୁତ ଦକ୍ଷିଣ ଭାରତୀୟ କିମ୍ବା ବିଦେଶୀ ଖାଦ୍ୟ ଅପେକ୍ଷା ବାସି ରୁଟି ଖାଇବା ଅଧିକ ସ୍ବାସ୍ଥ୍ୟକର ବୋଲି ବୈଜ୍ଞାନିକମାନେ କହିଲା ପରେ ଆମର ଧାରଣାରେ ପରିବର୍ତ୍ତନ ଆସିଛି। ପ୍ରାୟ ୧୨ରୁ ୧୫ ଘଣ୍ଟା ଯାଏଁ ରୁଟି ଖାଦ୍ୟ ଉପଯୋଗୀ ଥାଏ। ବାସି ରୁଟିରେ ରକ୍ତଚାପ ନିୟନ୍ତ୍ରକ ତତ୍ତ୍ବ ସୃଷ୍ଟି କରନ୍ତି କିଛି ବ୍ୟାକ୍ଟରିଆ। ବାୟୁଦୋଷ, ଅମ୍ଳଦୋଷ ଓ କୋଷ୍ଠକାଠିନ୍ୟ ହେବାକୁ ଦିଏନା ବାସି ରୁଟି ଜଳଖିଆ। ବାସି ପଖାଳର ଜୟଗାନ କରିବା ପୂର୍ବରୁ ମଙ୍ଗଳାଚରଣରେ ବାସି ରୁଟିର ଜୟଗାନ କରିବା ବୋଧହୁଏ ଭୁଲ ନୁହେଁ! ତେବେ ଏତିକି ବେଳେ ପଖାଳକୁ ନେଇ ଗୋଟିଏ ଢଗ ଉଲ୍ଲେଖ କରିବା ହୁଏତ ଭଲ ଲାଗିବ:

ମଦରଙ୍ଗା ଶାଗ ରାଇ; ପଖାଳ ଭାତକୁ ଚିଲିକା ଶୁଖୁଆ, ମାଣିକ ପାଟଣା ଦହି!

ଏହା ହେଲା ଆମ ଓଡ଼ିଆ ଘରେ ଘରେ ପରିଚିତ ଢଗ- ଯେଉଁଥିରେ ପଖାଳ ସହ ଆନୁଷଙ୍ଗିକ ବ୍ୟଞ୍ଜନର ବର୍ଣ୍ଣନା ରହିଛି।

ଉଷୁନା ହେଉ ବା ଅରୁଆ, ଚାଉଳର ବ୍ୟବହାର ଯେଉଁଠି, ପଖାଳ ଅଛି ସେଇଠି। ଆମ ରାଜ୍ୟ ଧାନର ଆଦ୍ୟ ଜନ୍ମଭୂମି ହୋଇଥିବାରୁ ପ୍ରାୟ ୨,୫୦୦  ବର୍ଷ ପୂର୍ବରୁ ପଖାଳ ରାଜୁତି କରି ଆସିଛି। ଆମ ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ପଖାଳର ଆଦର ନାନାଦି ରୂପ-ରଙ୍ଗ-ରସରେ। କିନ୍ତୁ, ଆମ ରାଜ୍ୟର ବାସି ପଖାଳ, ସାଙ୍ଗ, ପାଗ ଓ ପଙ୍ଗତ ସହ କେହି ସରି ହେବେନି। ପଖାଳ ଥିଲା ଓଡ଼ିଆଙ୍କ ପରିଚିତି, ଅଛି ଓ ଆଗକୁ ରହିବ ମଧୢ। ଆମର ଭାଷା, ନୃତ୍ୟ, ସଙ୍ଗୀତ ପରି ପଖାଳ ବି ଶାସ୍ତ୍ରୀୟ ଭୋଜନ, ଯାହା ଆମର ସ୍ଫର୍ଦ୍ଧିତ ପରିଚୟ। ବୈଜ୍ଞାନିକମାନେ ନିଜର ଗବେଷଣା ଲବ୍‌ଧ ଜ୍ଞାନରେ ପଖାଳ ଭାତର କରିଛନ୍ତି ଭୂରି ଭୂରି ପ୍ରଶ˚ସା। ସେଇଥିପାଇଁ ତ ଆମର ପରିଚୟ ଆମେ ପୁନଃ ଆବିଷ୍କାର କରୁଛେ ପଖାଳ କ˚ସା ଭିତରେ। ପଖାଳ ଏବେ ମହିମା ମଣ୍ତିତ। ପଖାଳକୁ ନେଇ ନୂଆ ପରିଚୟ ଆମର।

Sambad

ଦିନକୁ ଥରେ ଭାତ ରାନ୍ଧି, ବଳକା ଥଣ୍ତା ଭାତରେ ପାଣି ଦେଇ, ରୋଷେଇ ଘରେ ମାଟିହାଣ୍ତିରେ ରଖିଦେଲେ- ସକାଳ ବେଳକୁ ପ୍ରସ୍ତୁତ ହୋଇଯିବ- ସାମାନ୍ୟ ଆମ୍ବିଳା ଲାଗୁଥିବା ଗୋଟିଗୋଟି ଭାତ; ଯାହା ପାଟି ଭିତରେ ଲାଗୁଥିବ ନରମ ଓ ମୁଲାୟମ। ଫେନିଳ ତୋରାଣି ଭିତରେ ଉବୁଟୁବୁ ବାସି ପଖାଳ। ଆମ୍ବିଳା ହେଉ ନଥିଲେ, ଥଣ୍ତା ଭାତରେ ପାଣି ଦେଲା ବେଳେ, ମିଶାଇ ଦେଉ ପୂର୍ବଦିନର ବାସି ପଖାଳ ତୋରାଣି ଗିନାଏ- ମହୀ ବା ଷ୍ଟାର୍ଟର। ବାସ୍‌, ‘ଫର୍ମେଣ୍ଟେସନ୍‌’ ଆରମ୍ଭ ହୋଇଗଲା। ମହୀରେ ଥିବା ବ୍ୟାକ୍ଟରିଆମାନେ ଲାକ୍ଟିକ୍‌ ଅମ୍ଳ ତିଆରି କରି ପଖାଳକୁ କରିଦିଅନ୍ତି ମଧୁର, ସୁଗନ୍ଧିତ, ଓଡ଼ିଆର ମନଲୋଭା ଖାଦ୍ୟ। ଭାତରେ ଥିବା ଅନେକ ଦୁଷ୍ପ୍ରାପ୍ୟ ଖଣିଜ ଲବଣ ସମେତ ଲୌହ, ପଟାସିୟମ ଓ କ୍ୟାଲସିୟମ ଆଦି ଏହି ବ୍ୟାକ୍ଟରିଆଙ୍କ ଚମତ୍କାରିତା କାରଣରୁ ଆମ ଦେହରେ ଲାଗେ, ଅର୍ଥାତ୍‌ ମଣିଷ ଶରୀର ପାଇଁ ପୁଷ୍ଟିସାଧକ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ। ଲୌହ ଲବଣ ପରିମାଣ ଗରମ ଭାତରେ ଯେତିକି ଥାଏ, ସେହି ଭାତକୁ ବାସି ପଖାଳ କରିଦେଲେ, ତାହାର ପରିମାଣ ୨୦୭୩ ଗୁଣ ବଢ଼ିଯାଏ ବୋଲି କହିଲେ, ଆପଣ ବିଶ୍ବାସ କରିବେ ତ! କଥାଟି କିନ୍ତୁ ସତ ଓ ପରୀକ୍ଷିତ।

ବାସି ପଖାଳ ଦିଏ ଶରୀରକୁ ଶକ୍ତି, ପୋଷଣ ଓ ଥଣ୍ତା ରଖିବାର ମନ୍ତ୍ର। ସାରା ଦିନ ଖରାରେ କାମ କଲେ ବି ଦେହ-ମନକୁ ଥଣ୍ତା ରଖିବାର ଅମୋଘ ଔଷଧ ବାସି ପଖାଳ। ସକାଳ ଜଳଖିଆରେ ପଖାଳ ଖାଇବାର ବିକଳ୍ପ ନାହିଁ। ଏଥିରେ ଅଛି ଖାଦ୍ୟପ୍ରାଣ ଡି-୬ ଓ ଡି-୧୨, ଯାହା ପ୍ରାୟତଃ ଦୁଷ୍ପ୍ରାପ୍ୟ। କୌଣସି ନିରାମିଷ ଖାଦ୍ୟରୁ ଏହି ଦୁଇ ଖାଦ୍ୟପ୍ରାଣ ମିଳେନା। ପେଟରେ ଗଣ୍ତାଏ ପଖାଳ ପଡ଼ିଲେ, ବ୍ୟାକ୍ଟରିଆଙ୍କ ଦୟାରୁ ହଜମ ଶକ୍ତି, ରୋଗ ପ୍ରତିରୋଧକ ଶକ୍ତି ଓ ସୁସ୍ଥ ରହିବାର ରହସ୍ୟମୟ ଶକ୍ତି ବୃଦ୍ଧି ପାଏ। ବୋଧହୁଏ ଓଡ଼ିଆଙ୍କୁ କରୋନା ଅଧିକ ମାତ୍ରାରେ ସ˚କ୍ରମିତ ନ କରିବାର ଅନ୍ୟତମ କାରଣ ହେଲା ପଖାଳରୁ ସୃଷ୍ଟ ଇମ୍ୟୁନିଟି! ଦେହ ଭିତରେ ଥିବା ହୃତ୍‌ପିଣ୍ତ, କଲିଜା, ଫୁସ୍‌ଫୁସ୍‌, ବୃକ୍କ ଇତ୍ୟାଦି ଅଙ୍ଗକୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିବାର ଚମତ୍କାରିତା ଅଛି ପଖାଳ ଭାତରେ। ଅସ୍ଥି ଓ ମା˚ସପେଶୀକୁ ଶକ୍ତ ରଖି, ବୟସ ବୃଦ୍ଧି ପ୍ରକ୍ରିୟାକୁ ମନ୍ଥର କରିପାରେ, ଦିଏ ତାରୁଣ୍ୟର ଝଲକ। ପଖାଳ ଖାଇଲେ ନିଦ ଲାଗିବା ଅପବାଦଟି ନିରୁତା ମିଛ। ବର˚ ପେଟର ଗୋଳମାଳ ଦୂର କରି ପରିଷ୍କାର ରଖୁଥିବାରୁ, ଆଳସ୍ୟ ଦୂର କରେ ପଖାଳ। ରକ୍ତଚାପ ନିୟନ୍ତ୍ରିତ ରହୁଥିବାରୁ ଦିନସାରା ବ୍ୟସ୍ତ ରହିଲେ ବି ଆମେ ଦୁର୍ବଳ ଅନୁଭବ କରୁନା। ସମସ୍ତ ତ୍ବଚାରୋଗ, ଉଭୟ ଦେହ ଭିତର ଓ ବାହାର ପଟେ ସୃଷ୍ଟି ହୋଇଥିବା ଘାଆ ଭଲ ହୋଇଯାଏ। ସଦା ଯୌବନ ଓ ତାରୁଣ୍ୟ ଉପଭୋଗ କରିବା ପାଇଁ ପଖାଳ ଭାତ ଏକ ବରଦାନ। ସେଇଥି ପାଇଁ ତ ବଡ଼ ଠାକୁରଙ୍କ ଛପନ ଭୋଗ ଭିତରେ ପଖାଳ ଭାତ ଏକ ସଶ୍ରଦ୍ଧ ଉଚ୍ଚାରଣ, ଓଡ଼ିଆଙ୍କର ସ୍ଫର୍ଦ୍ଧିତ ପରିଚୟ।

ଆଗେ ସିନା ପଖାଳ ସହ ଚିଲିକା ଶୁଖୁଆ ଥିଲା ପାରମ୍ପରିକ ସାଥୀ, ଏବେ କିନ୍ତୁ ଆମେ ପଖାଳ ସହ ଚୂନା ମାଛ, ପରିବାପତ୍ର ଭଜା ଓ ଛତୁ ଖାଇ ପାରିବା। ଏବେ ଅ˚ଶୁଘାତରୁ ରକ୍ଷା ପାଇବା ପାଇଁ ଆମେ କ˚ସାଏ ବାସି ପଖାଳ ସାଙ୍ଗରେ ଗଣ୍ତାଏ ଛୋଟ ଦେଶୀ ପିଆଜ କିମ୍ବା ଗୋଟିଏ ଉଲି ପିଆଜକୁ ତେନ୍ତୁଳି, ଆମ୍ବୁଲ ସାଙ୍ଗରେ ଖାଇଲେ ଭଲ। ଥରେ ବାସି ପଖାଳ ସହ ପିଆଜ, କାକୁଡ଼ି, ତେନ୍ତୁଳି ଚକଟା ଖାଇ ଦେଖନ୍ତୁ, ଖରାରେ ଚାଲିଲେ ବି ଦେହ ଭିତରେ ବାତାନୁକୂଳିତ ଯନ୍ତ୍ର ଚାଲୁଥିବା ପରି ଅନୁଭବ କରିବେ। ଯଦି ପାଇବେ, ଗିନାଏ ବସା ଦହି ପଖାଳରେ ମିଶେଇ ଦେଲେ, ଆସର ଜମିଯିବ। ଚହ୍ଲା ଦହି, କାକୁଡ଼ି, ଲେମ୍ବୁ, ପୁଦିନା ପତ୍ର, ଆମ୍ବକଷିଆ ଅଦା, କଷି ଆମ୍ବ, କଞ୍ଚାଲଙ୍କା ହେଲେ ବରଯାତ୍ରୀ ଦଳର ଉତ୍ସାହପ୍ରଦ ସଦସ୍ୟ ଭଳି। ବର କିନ୍ତୁ ବାସି ପଖାଳ।

‘ବାସି’ କହିଦେଲେ, ଆମେ ଅତି ମାତ୍ରାରେ ସ୍ବାସ୍ଥ୍ୟ ସଚେତନ ହୋଇଯାଉ। କିନ୍ତୁ ଥଣ୍ତା, ବାସି ଖାଦ୍ୟ ଯାହା, ପଖାଳ ତାହା ନୁହେଁ।  ବାସି ଖାଦ୍ୟରେ ବିଷାକ୍ତ ପଦାର୍ଥ ସୃଷ୍ଟି ହେଉଥିଲା ବେଳେ, ନିୟନ୍ତ୍ରିତ ବ୍ୟବସ୍ଥାରେ ବାସି ପଖାଳ ପ୍ରସ୍ତୁତି ଏକ ବିଜ୍ଞାନସମ୍ମତ କଳା। ଆଜିକାଲି ତ ତାରକା ହୋଟେଲ ଓ ନାମୀ ରେସ୍ତୋରାଁମାନଙ୍କରେ କ˚ସା ବାସନରେ ପରଷା ହେଉଛି ଜୋଇଁ ମନଲୋଭା ବାସି ପଖାଳ।

ଥରେ ଭାବନ୍ତୁ ତ ସକାଳ ଜଳଖିଆରେ କ˚ସାଏ ବାସି ପଖାଳ ଖାଇ ନିରୋଗ, ଯୁବସୁଲଭ ଓ ପ୍ରାଣବନ୍ତ ରହିବା ନା ପେଟରୋଗ ସୃଷ୍ଟିକାରୀ ପାଉଁରୁଟି, ନୁଡୁଲ୍‌ସ ଖାଇବା? ବେଳ ଥାଉ ଥାଉ ବାସି ପଖାଳ ପାଇଁ ନ କହିଲେ, ଆମକୁ ତବତ ଭାତ କିମ୍ବା ଦହି ଭାତର ସଜ ପଖାଳ ମିଳିପାରେ, କିନ୍ତୁ ବାସି ପଖାଳର ସୁଗନ୍ଧିତ ଭୋକ ବର୍ଦ୍ଧନକାରୀ ତୋରାଣି ମିଳି ନପାରେ! ବଟୁଆରୁ ପାନଖିଆ ଦିନେ ଥିଲା ଓଡ଼ିଆଙ୍କ ପରିଚୟ, ଯାହା କ୍ରମଶଃ ହଜିଯାଉଛି। କିନ୍ତୁ ବାସି ପଖାଳ ରହିବ ଆମ ଓଡ଼ିଆଙ୍କ ପାଇଁ ଏକ ସ୍ଫର୍ଦ୍ଧିତ ପରିଚୟ।

 

(ବିଶ୍ବ ପଖାଳ ଦିବସ ଉପଲକ୍ଷେ)

ମୋ- ୯୪୩୮୨ ୯୯୦୩୭

ସମ୍ବନ୍ଧିତ ଖବର