ଗୁରୁଙ୍କୁ ନ ମଣିବ ନର

ପ୍ରଫେସର ଗଣେଶୀ ଲାଲ

ଆମ ପର˚ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନ ଦିଆଯାଇଛି। ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର; ସାକ୍ଷାତ ପର˚ବ୍ରହ୍ମ ବୋଲି ବିବେଚନା କରାଯାଇଛି। ଭଗବାନ କହୁଛନ୍ତି; ସାକ୍ଷାତେ ଗୁରୁ ଯେ ଈଶ୍ବର, ଗୁରୁଙ୍କୁ ନମଣିବ ନର; ‘ଗୁରୁଟି ସର୍ବଦେବ ମୟେ, ମୁହିଁ ବସଇ ଗୁରୁ ଦେହେ; ଏ ଘେନି ଗୁରୁ ଭଗବାନ; ସେ ନୁହେଁ ମଣିଷ ସମାନ’। ମ˚ତ୍ର ମୂଳମ୍‌ ଗୁରୁ ପାଦମ୍‌। ବିନା ଗୁରୁରେ କୌଣସି ସିଦ୍ଧି ସ˚ଭବ ନୁହେଁ। ଉଭୟ ପରା ବିଦ୍ୟା ଓ ଅପରା ବିଦ୍ୟା ହାସଲ ନିମନ୍ତେ ଗୁରୁ ହିଁ ମାଧ୍ୟମ। ଗୁରୁଙ୍କ ବ˚ଦନାରେ ଆମ ଶାସ୍ତ୍ର ପୁରାଣ ସହସ୍ରମୁଖ। ଗୁରୁ-ଶିଷ୍ୟ ପର˚ପରା ଆମ ସ˚ସ୍କୃତିର ଏକ ବିଭବ; ଯେଉଁଥିପାଇଁ ଭାରତୀୟ ଜ୍ଞାନ କ୍ଷେତ୍ର ଆଲୋକିତ ହୋଇଥିଲା ଏବ˚ ସେ ଆଲୋକ ଏବେ ବି ସାରା ପୃଥିବୀକୁ ବାଟ ଦେଖାଉଛି।

ଗୁରୁ କିଏ? ଏହି ପ୍ରଶ୍ନଟି ବାସ୍ତବରେ ବହୁତ ଓଜନିଆ। ଗୁରୁଙ୍କୁ ସଂଜ୍ଞାୟିତ କରିହେବନି, ହୁଏ’ତ ବ୍ରହ୍ମର ସ˚ଜ୍ଞା ଓ ସ୍ବରୂପ ନିର୍ଦ୍ଧାରଣ କରାଯାଇପାରେ। କବୀର କହୁଛନ୍ତି: ସବ୍‌ ଧରତୀ କାଗଜ କରୁଁ, ଲେଖନୀ ସବ୍‌ ବନରାୟ, ସାତ ସମୁଦ୍ର କୀ ମସୀ କରୁ, ଗୁରୁ ଗୁଣ ଲିଖା ନ ଜାୟ। ଆମ ଶାସ୍ତ୍ର କୁହନ୍ତି: ଅଖଣ୍ତ ମଣ୍ତଳାକାର˚ ବ୍ୟାପ୍ତ ଯେନ ଚରାଚରମ୍‌, ତତ୍‌ପଦ ଦର୍ଶିତ˚ ଯେନ ତସ୍ମୈଶ୍ରୀ ଗୁରୁବେ ନମଃ। ଗୁରୁ ହେଉଛନ୍ତି ସେ, ଯେ ଅନ୍ଧାର ଦୂର କରି ଆଲୋକ ପାଖକୁ ନେଇଯାଆନ୍ତି। ଯେ ଗୁହ୍ୟତମ ଜ୍ଞାନ ସହ ପରିଚୟ କରାଇଦିଅନ୍ତି। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ତଦ୍‌ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଉପଦେକ୍ଷ୍ୟନ୍ତି ତେ ଜ୍ଞାନ˚ ଜ୍ଞାନିନସ୍ତତ୍ତ୍ବଦର୍ଶିନଃ (୪/୩୪)। ଯେଉଁମାନେ ତତ୍ତ୍ବଦର୍ଶୀ ସେହିମାନେ ଉପଯୁକ୍ତ ଗୁରୁ। ତାଙ୍କୁ ଭକ୍ତି ପୂର୍ବକ ଦଣ୍ତବତ ପ୍ରଣାମ କରି ଅନ୍ତରର ସହିତ ସେବା କଲେ ଏବ˚ କପଟ ତ୍ୟାଗ କରି ସରଳତାପୂର୍ବକ ପ୍ରଶ୍ନ କଲେ, ଭଲ ଭାବରେ ପରମାତ୍ମା ତତ୍ତ୍ବ ଜାଣିଥିବା ସେହି ଜ୍ଞାନୀ ମହାତ୍ମାମାନେ ସତ୍‌ ଉପଦେଶ ଦିଅନ୍ତି ବୋଲି ଅଜୁର୍ନଙ୍କୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି।
ସର୍ବ ଗୁହ୍ୟତମ˚ ଭୂୟଃ ଶୃଣୁ ମେ ପରମ˚ ବଚଃ … ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୋପନୀୟ ଠାରୁ ଅଧିକ ଗୋପନୀୟ ଜ୍ଞାନ ଦେଇଛନ୍ତି ଏବ˚ ଗୁହ୍ୟତମ ଜ୍ଞାନ ସ˚ପର୍କରେ ସୂଚନା ଦେଇ କହିଛନ୍ତି: ହେ ଅର୍ଜୁନ; ପୂର୍ବରୁ ମୁଁ ଏହି ଅବିନାଶୀ ଜ୍ଞାନ ଯୋଗ ସୂର୍ଯ୍ୟଙ୍କୁ କହିଥିଲି, ସୂର୍ଯ୍ୟ ନିଜର ପୁତ୍ର ବୈବସୁତ ମନୁଙ୍କୁ ତାହା କହିଥିଲେ। ମନୁ ସେହିକଥା ନିଜର ପୁତ୍ର ଇକ୍ଷ୍ବାକୁଙ୍କୁ କହିଥିଲେ। ସେହି ଗୁହ୍ୟତମ ଜ୍ଞାନ, ଯେହେତୁ ଅବିନାଶୀ ଏବେ ମଧ୍ୟ ଉପଲବ୍‌ଧ ଏବ˚ ତା’ର ପ୍ରାପ୍ତି କେବଳ ସ˚ଭବ ଗୁରୁ ମାଧ୍ୟମରେ। ସେଥିପାଇଁ ଲୋକ ମୁଖରେ ଶୁଣାଯାଏ: ଗୁରୁ ନଥାଇ ଅର୍ଜୁନ, କାହୁଁ ପାଇବ ସଦ୍‌ଜ୍ଞାନ। ଅର୍ଜୁନଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତିର ମଧ୍ୟ ଗୁରୁ ଦରକାର। ଏଣୁ ଉପଯୁକ୍ତ ଗୁରୁଙ୍କ ସ˚ଧାନ ହିଁ ପ୍ରତ୍ୟେକ ଜୀବନର ଧ୍ୟେୟ ହେବା ଦରକାର।

ପିତାମହ ଭୀଷ୍ମ ଶରୀର ତ୍ୟାଗ କରିବାକୁ ଯାଉଛନ୍ତି। ତାଙ୍କ ସହ ଜ୍ଞାନର ଏକ ସୂର୍ଯ୍ୟ ଅସ୍ତ ହୋଇଯିବେ। ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇ କହୁଛନ୍ତି: ‘ତସ୍ମିନ୍ନସ୍ତମିତେ ଭୀଷ୍ମେ କୌରବାଣା˚ ଧୁର˚ଧରେ, ଜ୍ଞାନାନ୍ୟସ୍ତ˚ ଗମିଷ୍ୟ˚ତି ତସ୍ମାତ୍‌ ତ୍ବା˚ ଚୋଦୟାମ୍ୟହମ୍‌’। ଆମର ଜ୍ଞାନର ପର˚ପରାରେ ପ୍ରଶ୍ନୋତ୍ତରକୁ ଜ୍ଞାନ ଅର୍ଜନର ପ୍ରଭାବଶାଳୀ ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ପ୍ରଶ୍ନୋତ୍ତର ଶିଡ଼ିରେ ବ୍ୟକ୍ତିର ଊର୍ଦ୍ଧ୍ବାୟନ ହୁଏ। ଅର୍ଜୁନ ପ୍ରଶ୍ନ ପଚାରିବାରୁ, ଶ୍ରୀକୃଷ୍ଣ ଗ୍ର˚ଥି ଖୋଲିଦେଲେ। ସୃଷ୍ଟିର ପ୍ରଥମ ପ୍ରଶ୍ନ: ମୁଁ କିଏ? ଏବ˚ ଏହି ପ୍ରଶ୍ନର ଉତ୍ତର ପ୍ରଶସ୍ତ କରିଛି ମଣିଷର ଉତ୍ତରଣର ମାର୍ଗ। ଜିଜ୍ଞାସା ହିଁ ଜ୍ଞାନର ଭଣ୍ତାର ଖୋଲିଦିଏ। ଆମର ଅଷ୍ଟାଦଶ ପୁରାଣ ପ୍ରଶ୍ନ ଓ ଉତ୍ତର ଉପରେ ପର୍ଯ୍ୟବସିତ। ପାର୍ବତୀଙ୍କ ପ୍ରଶ୍ନ ଓ ଶିବଙ୍କ ଉତ୍ତରରେ ବିବିଧ ଲୋୖକିକ ଓ ଅଲୌକିକ ବିଦ୍ୟା ପ୍ରକଟିତ ହୋଇଛି। ଏଣୁ ଆମର ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନକୁ ଉତ୍ସାହିତ କରାଯିବା ଦରକାର। ପୃଥିବୀରେ ବର୍ତ୍ତମାନ ଆମେ ଯେତେ ଭୌତିକ ବିଭବ ଦେଖୁଛେ, ତା’ର ମୂଳରେ ଅଛି ଗୋଟେ ଗୋଟେ ପ୍ରଶ୍ନ। ଗଛରୁ ଆତଟିଏ ପଡ଼ିଲା। ଗଛରୁ ଆତ ପଡ଼ିବା ନୂଆ ନୁହେଁ। ହେଲେ ନିଉଟନ୍‌ଙ୍କ ମୁଣ୍ତରେ ପ୍ରଶ୍ନଟିଏ ଉଭାହେଲା ଏବ˚ ସେଥିରୁ ଆମେ ପାଇଲୁ ମାଧ୍ୟାକର୍ଷଣ ସ˚ପର୍କିତ ଜ୍ଞାନ। ଅନେକ ସମୟରେ ପ୍ରଶ୍ନକୁ ଚାପି ଦେବାର ଉଦ୍ୟମ କରାଯାଏ ଯାହା ଜ୍ଞାନ ମାର୍ଗର ପରିପ˚ଥୀ। ଯେଉଁ ସ˚ସ୍କୃତି ଯେତେ ପ୍ରଶ୍ନ ପଚାରିବା ଜାଣେ, ସେ ସ˚ସ୍କୃତି ସେତେ ସମୃଦ୍ଧ। ଯେ ପ୍ରଶ୍ନକୁ ପ୍ରୋତ୍ସାହିତ କରେ, ସେ ହିଁ ପ୍ରକୃତ ଗୁରୁ ପଦବାଚ୍ୟ। ଏବ˚ ସେ ଯୋଗ୍ୟଗୁରୁ ହୁଏ, ଯେ ଶିଷ୍ୟସୁଲଭ ପ୍ରଶ୍ନ ଧରି ବୁଲୁଥାଏ। ଅର୍ଥାତ୍‌ ନିଜର ଆତ୍ମିକ ଅଭିବୃଦ୍ଧି ପାଇଁ ବାଟ ଖୋଲା ରଖିଥାଏ। ସ୍ବଭାବ କବି ଗ˚ଗାଧର ମେହେର କହୁଛନ୍ତି: ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ।

କଥୋପନିଷଦ କହୁଛନ୍ତି; ଗୁରୁଙ୍କ ବିକଳ୍ପ ନାହିଁ। ଛା˚ଦୋଗ୍ୟ ଉପନିଷଦର ଭାଷାରେ ଗୁରୁ ମାଧ୍ୟମରେ ହିଁ ଜଣେ ଆଲୋକିତ ହୋଇପାରିବ। ପ୍ରକୃତରେ ଗୁରୁ କରନ୍ତି କ’ଣ? ଅତି ସରଳ ଭାଷାରେ କହିଲେ, ସତ୍ୟ ପାଖରେ ପହଞ୍ଚାଇ ଦିଅନ୍ତି, ଆତ୍ମ ସାକ୍ଷାତକାର କରାନ୍ତି। ପ୍ରତ୍ୟେକ ମଣିଷ ଈଶ୍ବରଙ୍କ ଅ˚ଶ ବିଶେଷ। ଅୟମ ଆତ୍ମା ବ୍ରହ୍ମ, ତତ୍‌ ତ୍ବମ ଅସି, ଅହମ ବ୍ରହ୍ମାସ୍ମି। ଏମିତି କେତେ ପ୍ରକାରେ ନିଜର ପରିଚୟକୁ ପ୍ରକାଶିତ କରାଯାଇଛି। କିନ୍ତୁ ମଣିଷ ଅଜ୍ଞାନତାର ଅ˚ଧାରରେ ବୁଡ଼ି ରହିବା ଫଳରେ ସତ୍ୟର ଦର୍ଶନ କରିପାରେ ନାହିଁ। ନିଜକୁ ଚିହ୍ନି ପାରେ ନାହିଁ। ନିଜକୁ ଚିହ୍ନିବା ହିଁ ଜ୍ଞାନ। ଏବ˚ ଏହି ଜ୍ଞାନ ହାସଲ ପାଇଁ ଯେ ଚର୍ମ ଚକ୍ଷୁକୁ ଦିବ୍ୟ ଚକ୍ଷୁରେ ପରିଣତ କରାନ୍ତି, ସେ ହେଉଛନ୍ତି ଗୁରୁ। ଗୁରୁ କୃପା ମିଳିଲେ ଅନନ୍ତ ସ˚ଭାବନାର ଦ୍ବାର ଆପେ ଆପେ ଖୋଲିଯାଏ। ସବୁ ଅଛି; ପାଖରେ; ଅଥଚ ବି ଦୂରରେ। ଗୁରୁ ଚାବି ଖୋଲିଦିଅନ୍ତି ଐଶ୍ବର୍ଯ୍ୟ ଭଣ୍ତାରର; ଯାହା ଥିଲେ ମଧ୍ୟ ଦିଶୁନଥାଏ। ସେଥିପାଇଁ କୁହାଯାଏ, ଗୁରୁ ଯେ ମଳୟ ପବନ, କାଷ୍ଠକୁ କରନ୍ତି ଚନ୍ଦନ।

ଗୁରୁ ସବୁଠି ଅଛନ୍ତି। ଖୋଜି ପାରିଲେ ହେଲା। ପ୍ରକୃତି ତ ବଡ଼ ଗୁରୁ ଯେ ଆମ ସାମ୍ନାରେ ରହିଛନ୍ତି। ଆମେ ବରଣ କରିପାରିଲେ, ଶିଷ୍ୟତ୍ବ ପାଇଁ ମନ ବଳାଇଲେ; ସବୁ ମିଳିପାରିବ। ଦତ୍ତାତ୍ରେୟ ଅବଧ୍ବତ˚କ ଚବିଶ ଗୁରୁ ପ୍ରସ˚ଗ ସମସ୍ତେ ଜାଣନ୍ତି। ଯେ ଆତ୍ମ ସଚେତନ କରାଇପାରିଲେ, ସେ ଅ˚ତର୍ନିହିତ ଶକ୍ତି ଓ ସାମର୍ଥ୍ୟ ସହ ପରିଚୟ କରାଇପାରିଲେ, ଯେ ନିଜକୁ ଓ ସ˚ସାରକୁ ବୁଝିବାକୁ ଦୃଷ୍ଟି ଦେଲେ; ସେ ଗୁରୁ। ସେ ପୃଥିବୀ, ପବନ, ଆକାଶ, ଜଳ, ଅଗ୍ନି, ଚନ୍ଦ୍ର, ସୂର୍ଯ୍ୟ ହୋଇପାରନ୍ତି, ସେ ବି ହୋଇପାରନ୍ତି ଗଣିକା, କପୋତ, ହୋଇପାରେ ବି ବୁଢ଼ିଆଣୀ।

ଭଗବାନ ଶ୍ରୀକୃଷ୍ଣ ବିଦାୟ ନେଲାବେଳେ, ଉଦ୍ଧବ ଅସ୍ଥିର ହେଇପଡ଼ିଛନ୍ତି। ତାଙ୍କର ଅବର୍ତ୍ତମାନରେ କ’ଣ କରିବେ ଆକୁଳ ନିବେଦନ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହୁଛନ୍ତି: ମନ ତୋହର ନିଜ ଗୁରୁ; ଉଦ୍ଧବ କେତେ ତୁ ପଚାରୁ? ମନ ଉପରେ ନିୟ˚ତ୍ରଣ ରଖିଥିଲେ, ମନକୁ କାବୁ କରିପାରିଲେ, ଜ୍ଞାନର ମାର୍ଗ ସ୍ବୟ˚ ଖୋଲିଯାଏ। ନିଜକୁ ନିଜେ ଗୁରୁ କରିହେବ। ଭଗବାନ ବୁଦ୍ଧ ସେହିଭଳି ଆନନ୍ଦଙ୍କୁ କହୁଛନ୍ତି; ଅପ୍ପୋ ଦୀପୋ ଭବ- ଅର୍ଥାତ୍‌, ନିଜେ ଆଲୋକ ହୋଇଯାଅ। ଶିଖ ଧର୍ମ ମଧ୍ୟ ନିଜ ଭିତରେ ଥିବା ଦିବ୍ୟ ଜ୍ୟୋତିର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଆମ ଶାସ୍ତ୍ର ଆମକୁ କହୁଛନ୍ତି : ଅଗ୍ନିମୀଡ଼େ ପୁରୋହିତେ – ନିଜ ଅଭୀପ୍‌ସାର ଅଗ୍ନିକୁ ଜାଳି ତା’ର ଆଲୋକକୁ ଦେଖି ଦେଖି ଆଗକୁ ଯିବାକୁ ହେବ। ସ୍ବୟମେବ ମୃଗ୍ରେନ୍ଦ୍ରତା- ନିଜକୁ ନିଜେ ପ୍ରତିଷ୍ଠିତ କରିହେବ।

ଗୁଗ୍‌ଲ କଦାପି ଗୁରୁଙ୍କ ସ୍ଥାନ ନେଇପାରିବନି, ଯଦିଓ କିଛି ଲୋକ ଗୁରୁଙ୍କ ବିକଳ୍ପ ଭାବରେ ଗୁଗ୍‌ଲକୁ ଆପଣେଇଛନ୍ତି। ଗୁଗ୍‌ଲ ହୁଏତ ସୂଚନା ଦେଇପାରେ; ଚେତନା କୋଉଠୁ ଦେବ? ସୂଚନା ଓ ଚେତନା ମଧ୍ୟରେ ଆକାଶ ପାତାଳ ଫରକ୍‌। ଅର୍ଥପୂର୍ଣ୍ଣ ଜୀବନ ପାଇଁ ଗୁରୁ ଏକାନ୍ତ ଆବଶ୍ୟକ। ଗୋଟେ ଜାତିର ଅସଲ ବିକାଶକୁ ମାପି ହେବ, ସେ ଜାତିର ଗୁରୁଙ୍କ ପ୍ରତି ଥିବା ଆଭିମୁଖ୍ୟର ମାନଦଣ୍ତରେ। ଭାରତର ସମୃଦ୍ଧି ବିଶ୍ବ ଗୁରୁର ମର୍ଯ୍ୟାଦା ଗୁରୁବାଦ ଉପରେ ପ୍ରତିଷ୍ଠିତ। ଏବ˚ ଏହାର ଅବକ୍ଷୟ ସକଳ ଦୁର୍ଗତି ଓ ଦୁଃସ୍ଥିିତିର କାରଣ। ସେହି ପର˚ପରାର ପୁନଃସ୍ଥାପନ ହେଉଛି ଆଜିର ଆହ୍ବାନ ଓ ଆବଶ୍ୟକତା। ଆମେ ଗୁରୁ-ଶିଷ୍ୟର ମହନୀୟ ପର˚ପରାକୁ ବିକଶିତ କରିପାରିଲେ, ଭାରତ ପୁଣି ବିଶ୍ବ ଗୁରୁ ଆସନ ମଣ୍ତନ କରିପାରିବ। ଏହା କେବଳ ଭାରତର ନୁହେଁ, ସମଗ୍ର ମାନବ ଜାତିର ସ˚ଗୁୁପ୍ତ କାମନା।

ଶେଷରେ ଗୁରୁଙ୍କ ମହିମାକୁ କବୀରଙ୍କ ଭାଷାରେ: ସଦ୍‌ଗୁରୁ ସମ କୋଇ ନହିଁ ସାତ ଦ୍ବୀପ ନୌ ଖ˚ଡ଼
ତିନ୍‌ ଲୋକ ନପାଇୟେ, ଅରୁ ଇକଇସ୍‌ ବ୍ରହ୍ମାଣ୍ତ।
ଜୀବନରେ ସଦ୍‌ଗୁରୁ ପାଇବା ଜୀବନର ଉଚ୍ଚତମ ଅଭିଳାଷ ହେବା ଦରକାର।

ମାନ୍ୟବର ରାଜ୍ୟପାଳ, ଓଡ଼ିଶା

ସମ୍ବନ୍ଧିତ ଖବର