ଜଳର ମୂଲ୍ୟାୟନ

ରଘୁ ନନ୍ଦନ ମୁନି

ସମଗ୍ର ବିଶ୍ବବାସୀ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଦିବସ ପାଳନର ତାତ୍ପର୍ଯ୍ୟ ହେଲା ମଧୁର ଜଳର ଆବଶ୍ୟକତା ଓ ଆଗାମୀ ଦିନରେ ଏହାର ଘୋର ସଂକଟର ସମାଧାନ କିପରି କରାଯିବ, ସେ ବିଷୟରେ ପୃଥିବୀବାସୀଙ୍କୁ ଅବଗତ ତଥା ସଚେତନ କରିବା। ୨୨ ଅପ୍ରେଲ ୨୦୧୬ରେ ପ୍ୟାରିସ୍‌ ରାଜିନାମା ସମ୍ମିଳନୀରେ ୨୦୩୦ ମସିହା ସୁଦ୍ଧା ବିଶ୍ବର ପ୍ରତ୍ୟେକ ଦେଶର ନାଗରିକଙ୍କୁ ସ୍ବଚ୍ଛ ଓ ନିରାପଦ ମଧୁର ଜଳ ଯୋଗାଣ ଓ ଜଳ ସମ୍ପଦର ବିକାଶ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା।

ଉ‌େଲ୍ଲଖଯୋଗ୍ୟ ଯେ ମଧୁର ଜଳର ୮୩ ଭାଗ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ ଓ ଅବଶିଷ୍ଟ ୧୭ ଭାଗ ଜଳ କଳକାରଖାନା, ପାନୀୟ ଓ ଅନ୍ୟାନ୍ୟ କାମରେ ବ୍ୟବହୃତ ହୁଏ। ସମଗ୍ର ପୃଥିବୀର ୭୧ ଭାଗ ଅଂଚଳ ଜଳ ଦ୍ୱାରା ଆଚ୍ଛାଦିତ ହୋଇଥିବା ବେଳେ ଏହାର ଶତକଡ଼ା ୩ ଭାଗ ମଧୁର ଜଳ। ପୁଣି ଏହି ମଧୁର ଜଳ ମଧ୍ୟରୁ ଶତକଡ଼ା ୭୪ ଭାଗ ବରଫ, ତୁଷାର ପ୍ରବାହ ଓ ହିମ ସ୍ରୋତ ଭାବେ ରହିଛି। ତା’ ମଧ୍ୟରୁ ୨୩ ଭାଗ ଜଳ ଭୂମି ତଳେ ଭୂତଳ ଜଳ ଭାବେ ଓ ଅବଶିଷ୍ଟ ୩ ଭାଗ ନଦୀ, ନାଳ, ଝରଣା ଓ ହ୍ରଦରେ ରହିଛି।

ଚଳିତ ବର୍ଷ ବିଶ୍ବ ଜଳ ଦିବସର ବିଷୟବସ୍ତୁ ହେଉଛି ‘ଜଳର ମୂଲ୍ୟାୟନ’। ତେଣୁ, ଏ ବିଷୟରେ ଆଲୋକପାତ କରାଯିବା ଉଚିତ। ସାଧାରଣତଃ ଆମେ ଜଳର ମୂଲ୍ୟାୟନ କହିଲେ ଏହାର ଆର୍ଥିକ ମୂଲ୍ୟକୁ (Economic Price) ବୁଝୁ। ଏହା ବ୍ୟତୀତ ଜଳର ଧାର୍ମିକ, ସାଂସ୍କୃତିକ, ସାମାଜିକ ମୂଲ୍ୟାୟନକୁ ମଧ୍ୟ ବିଚାରକୁ ନେବାକୁ ହେବ। ମନୁଷ୍ୟ, ଜୀବଜନ୍ତୁ, ଉଦ୍ଭିଦଜଗତ୍‌ ପାଇଁ ଜଳ ଏକ ଅତି ଆବଶ୍ୟକ ବସ୍ତୁ ଓ ଏହା ବିନା ମୁହୂର୍ତ୍ତେ ବଞ୍ଚିବା ଅସମ୍ଭବ। ପ୍ରାଚୀନ କାଳରେ ଜଳର ମୂଲ୍ୟାୟନକୁ ବିଶେଷ ପ୍ରାଧାନ୍ୟ ଦିଆଯାଉ ନ ଥିଲା। କାରଣ ବର୍ଷର ସବୁ ସମୟରେ ଭୂପୃଷ୍ଠ ବା ଭୂତଳ ଜଳ ସହଜରେ ଉପଲବ୍‌ଧ ହେଉଥିଲା। କାଳକ୍ରମେ ଏହାର ଅଭାବ ପରିଲକ୍ଷିତ ହେବାକୁ ଲାଗିଲା। ତେଣୁ ମୂଲ୍ୟାୟନ ଅନିବାର୍ଯ୍ୟ ହୋଇପଡ଼ିଛି। ଆମ ଦେଶରେ କୃଷି କାର୍ଯ୍ୟରେ ପ୍ରାୟ ୮୦ ଭାଗ ମଧୁର ଜଳ ବ୍ୟବହାର ହୋଇଥାଏ ଓ ୨୦ ଭାଗ ଜଳକୁ ପାନୀୟ, କଳକାରଖାନା, ଖଣି ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ର, ଚିତ୍ତ ବିନୋଦନ କାର୍ଯ୍ୟରେ ବ୍ୟବହାର କରାଯାଉଛି। ସହରାଂଚଳରେ ଘନ ଜନବସତି ଅଂଚଳ ପାଇଁ ସରକାର ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରୁଛନ୍ତି। ସହରାଂଚଳରେ ପ୍ରାୟ ଗୋଟିଏ ପରିବାରର ଆବଶ୍ୟକତା ପାଇଁ ମାସିକ ୧୦୦-୨୦୦ ଟଙ୍କା ଜଳ କର ବାବଦକୁ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏକ ଘନ ମିଟର ବା ୧୦୦ ଲିଟର ଜଳ ବ୍ୟବହାର ପାଇଁ ଆମକୁ ପ୍ରାୟ ୪-୬ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ ଓ ଏହା ସାଧାରଣତଃ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଉଥିଲା। କିନ୍ତୁ ଜଳର ଚାହିଦା, ଜଳ ଉତ୍ପାଦନ, ବିଶୋଧନ ଓ ବଣ୍ଟନରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ସରକାର ଏହାର ପୁନଃ ମୂଲ୍ୟାୟନ କରିବାକୁ ବାଧ୍ୟ ହେଉଛନ୍ତି। ମନୁଷ୍ୟ ସମାଜ ଏହି ଦୁର୍ଲଭ ବସ୍ତୁର ସାମାଜିକ ମୂଲ୍ୟକୁ ନ ବୁଝିବା ଯାଏଁ ଏହାର ଅପଚୟକୁ କମାଇବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବେ ନାହିଁ।

ପ୍ରାଚୀନ କାଳରୁ ବର୍ତ୍ତମାନ ଯାଏଁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଜଳ ବ୍ୟବହାର ହୋଇ ଆସୁଛି। ମନୁଷ୍ୟ ମଧ୍ୟରେ ଧାର୍ମିକ ଭାବନା ଓ ପବିତ୍ରତା ବୃଦ୍ଧି କରିବା ପାଇଁ ଆମେ ଜଳରେ ସ୍ନାନ କଲା ପରେ ପୂଜା ପଦ୍ଧତି ଆରମ୍ଭ କରୁ। ପୁରାତନ କାଳରୁ ବିଭିନ୍ନ ଦେବଦେବୀମାନଙ୍କ ଜଳ ଉତ୍ସବ, ଜଳକ୍ରୀଡ଼ା ଭଳି ଉତ୍ସବର ଆୟୋଜନ କରାଯାଇ ଆସୁଅଛି। ସେହିପରି ପରିବେଶକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ମଧ୍ୟ ଜଳର ଉପ‌େଯାଗ କରାଯାଉଛି।
ସୌନ୍ଦର୍ଯ୍ୟମୟ ବାତାବରଣ ସୃଷ୍ଟି କରିବା ପାଇଁ ଫାଉଣ୍ଟେନ ପାର୍କ, ବଗିଚା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଜଳର ବ୍ୟବହାର ବ୍ୟାପକ ହେବାରେ ଲାଗିଛି। ଧୀରେ ଧୀରେ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଓ ବର୍ଷାର ଅନିୟମିତତା ଯୋଗୁଁ ଜଳର ଉତ୍ପାଦନ କମିବାରେ ଲାଗିଲାଣି। ତେଣୁ ବିଭିନ୍ନ କାର୍ଯ୍ୟ ବା ଆବଶ୍ୟକତା ପାଇଁ ଏହାର ମୂଲ୍ୟାୟନ ଅଲଗା ଭାବରେ କରାଯିବା ଉଚିତ।

ଯେଉଁ ଦେଶରେ ଜଳ ସମ୍ବଳ ଅଧିକ ଥାଏ ସେ ଦେଶ ସେତେ ଉନ୍ନତ ଓ ପ୍ରଗତିଶୀଳ ଅଟେ। କୃଷି କାର୍ଯ୍ୟ ତଥା ଅନ୍ୟାନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ଏହାର ବହୁଳ ବ୍ୟବହାର କରାଯାଏ। କିନ୍ତୁ ତା’ ସତ୍ତ୍ବେ ଜଳର ଉଚିତ ବ୍ୟବହାର ଓ ସଂରକ୍ଷଣ ବିଷୟରେ ସମସ୍ତେ ଧ୍ୟାନ ଦେବା ଉଚିତ, ନଚେତ୍ ଏହି ପୃଥିବୀ ଆଗାମୀ ଦିନରେ ମରୁଭୂମି ପାଲଟି ଯିବ ଓ ମନୁଷ୍ୟ ସମାଜ ତଥା ଅନ୍ୟାନ୍ୟ ଜୀବ ଜଗତ୍‌ ଏହି ପୃଥିବୀରୁ ଲୋପ ପାଇଯିବେ।
(ବିଶ୍ବ ଜଳ ଦିବସ ଉପଲକ୍ଷେ)

ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ, ଉଠାଜଳ ସେଚନ, ଭୁବନେଶ୍ବର
ମୋ: ୯୪୩୭୨ ୦୩୫୦୪

ସମ୍ବନ୍ଧିତ ଖବର