ମାତୃଭାଷା ନା ଇଂରେଜୀ? ଗାନ୍ଧୀ ବନାମ ରବୀନ୍ଦ୍ର ନାଥ

କଟକରେ ଗାନ୍ଧୀଙ୍କ ଭାଷା ବିଚାର - ସ˚ଗ୍ରାମ ଜେନା

ବିଶିଷ୍ଟ ସ୍ବାଧୀନତା ସ˚ଗ୍ରାମୀ ଓ ଓଡ଼ିଶାବାସୀଙ୍କ ପ୍ରିୟ ଅମୃତ ଲାଲ ଠକ୍‌କର ଓ ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ରହୁଥିବା ସମାଜସେବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଠାରୁ ଗାନ୍ଧୀ ଓଡ଼ିଶାର ଦୁର୍ଭିକ୍ଷ ଓ ଅନାହାର ସମ୍ବାଦ ପାଉଥିଲେ। ସେମାନଙ୍କ ଅନୁରୋଧରେ ଗାନ୍ଧୀ ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ରେଳ ଯୋଗେ କଟକରେ ଆସି ପହଞ୍ଚିଲେ। ସେଦିନ ସନ୍ଧ୍ୟାରେ କାଠଯୋଡ଼ି ନଈବାଲିରେ ପଣ୍ତିତ ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନସଭାରେ ଭାଷଣ ଦେଇଥିଲେ। ତା’ପରଦିନ ୨୪ ତାରିଖ ସନ୍ଧ୍ୟାରେ କଟକରେ ଆୟୋଜିତ ଅନ୍ୟ ଏକ ସଭାରେ ସେ ଭାଷଣ ଦେଇଥିଲେ। ସେ ସଭାମଞ୍ଚର ଡାହାଣପଟେ ଛାତ୍ର ଓ ଓକିଲଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେ ପ୍ରଥମେ ହିନ୍ଦୁସ୍ଥାନୀ ଓ ଓଡ଼ିଆ ଭାଷା ଶିଖିବା ସପକ୍ଷରେ ଦୃଢ଼ ମତ ପୋଷଣ କରିଥିଲେ। ଇ˚ରେଜ ଶାସକଙ୍କ ନୀତିହୀନ ଶିକ୍ଷା ଓ ଭ୍ରଷ୍ଟ ଶାସନ ଠାରୁ ନିଜକୁ ଦୂରେଇ ରଖିବାକୁ ସେ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଗାନ୍ଧୀ ପ୍ରଶ୍ନ ପଚାରିବାକୁ ଆହ୍ବାନ ଦେଇଥିଲେ। ଜଣେ ପିଲା ପ୍ରଶ୍ନ କଲେ: ‘ଇ˚ରେଜୀ ଶିକ୍ଷା ଆମ ଜୀବନର ଗଭୀରତମ ପ୍ରଦେଶକୁ ଛୁଇଁ ସାରିଛି। ଏହା ଭାରତୀୟମାନଙ୍କ ମଧୢରେ ଏକତା ଆଣିପାରିଛି। ଏହା ହିଁ ଅସ୍ପୃଶ୍ୟତା ଦୂର କରିପାରିବ। ଏହା କିଭଳି ଆମ ପାଇଁ କ୍ଷତିକାରକ? ତିଳକ, ରାମମୋହନ ରାୟ ଓ ଆପଣ ଇ˚ରେଜୀ ଶିକ୍ଷାର ଫଳ ନୁହନ୍ତି କି?’

ସେଦିନ ଗାନ୍ଧୀଙ୍କ ଉତ୍ତର ଥିଲା ସରଳ ଓ ସ୍ପଷ୍ଟ। କହିଲେ, ‘ଏହା କେତେକ ଲୋକଙ୍କ ମତ। ଆମ ନିଜ ଦେଶର ଲୋକ ଓ ଇ˚ରେଜମାନଙ୍କର ଏହି ଇଚ୍ଛାକୃତ ଅଜ୍ଞତା ଦୂର କରିପାରିଲେ ହିଁ ଆମେ ସ୍ବରାଜ ଯୁଦ୍ଧରେ ବିଜୟ ଲାଭ କରିପାରିବା। ମୁଁ ମୋର ସମସ୍ତ ଶକ୍ତି ବିନିଯୋଗ କରି ଏହି ଶିକ୍ଷା ବ୍ୟବସ୍ଥାକୁ ଧ୍ବ˚ସ କରିବାକୁ ଚାହେଁ। ଆଜି ଆମେ ଯାହା ସବୁ ସୁବିଧା ପାଇପାରିଛୁ, ତାହା ଇ˚ରେଜୀ ଶିକ୍ଷା ପାଇଁ ନୁହେଁ, ବର˚ ଇ˚ରେଜୀ ଶିକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ ପାଇପାରିଛୁ। ମନେକର ଇ˚ରେଜମାନେ ଆମ ଦେଶରେ ନ ଥାନ୍ତେ। ମୋଗଲ ଶାସନ ଅଧୀନରେ ଥାଇ ବି ଆମେ ବିଶ୍ବର ଅନ୍ୟ ଦେଶମାନଙ୍କ ପରି ବିକାଶ ଲାଭ କରିଥାଆନ୍ତେ ଓ ଇ˚ରେଜୀକୁ ଏକ ଭାଷା ସାହିତ୍ୟ ଭାବେ ପଢ଼ିଥାଆନ୍ତେ। ଏବେ ଆମେ ଏଭଳି ଏକ ଶିକ୍ଷା ବ୍ୟବସ୍ଥାର ଦାସ ଯାହା ଆମେ ଇ˚ରେଜୀ କିଭଳି ବ୍ୟବହାର କରିବା ତାହା ନିର୍ଣ୍ଣୟ କରିବାର ସ୍ବାଧୀନତା ମଧୢ ଆମକୁ ଦେଉନାହିଁ। ମୋ ବନ୍ଧୁ, ତିଳକ, ରାମମୋହନ ଓ ମୋ ଉଦାହରଣ ଦେଇଛନ୍ତି। ମୋ କଥା ଛାଡ଼, କାରଣ ମୁଁ ତ ଖୁବ୍‌ ନଗଣ୍ୟ। ତିଳକ ଓ ରାମମୋହନ ଇ˚ରେଜୀ ସ˚ସ୍ପର୍ଶରେ ଆସିନଥିଲେ ଆହୁରି ପ୍ରତିଭାଶାଳୀ ହୋଇଥାନ୍ତେ। ମୁଁ ଇ˚ରେଜୀ ଶିକ୍ଷାର ବିରୋଧୀ ନୁହେଁ, ମାତ୍ର ଏହା ଯେ ଦୈବଶକ୍ତି ସ˚ପନ୍ନ ଏ କଥା ମୁଁ ବିଶ୍ବାସ କରେନା। ମୁଁ ଇ˚ରେଜ ଶାସନକୁ ଧ୍ବ˚ସ କରିବାକୁ ଚାହେଁ, ଇ˚ରେଜୀ ଭାଷାକୁ ନୁହେଁ। ଜଣେ ଭାରତୀୟ ଜାତୀୟବାଦୀ ଇ˚ରେଜୀକୁ ଯେଭଳି ପଢ଼ିବା ଉଚିତ, ମୁଁ ସେଭଳି ପଢ଼ିବାକୁ ଚାହେଁ। ଚୈତନ୍ୟ, ଶଙ୍କର, କବୀର ଓ ନାନକଙ୍କ ତୁଳନାରେ ରାମମୋହନ ଓ ତିଳକଙ୍କ ପ୍ରଭାବ ଜନସାଧାରଣଙ୍କ ଉପରେ ଯଥେଷ୍ଟ କମ୍‌। ଜଣେ ଶଙ୍କର ଯାହା କରିଥିଲେ ଅସ˚ଖ୍ୟ ଇ˚ରେଜୀ ପଢ଼ୁଆ ଲୋକ ତାହା କରିପାରିବେ ନାହିଁ। ଏଭଳି ବହୁ ଉଦାହରଣ ମୁଁ ଦେଇପାରିବି। ଗୁରୁ ଗୋବିନ୍ଦ ସି˚ହ କ’ଣ ଇ˚ରେଜୀ ପଢ଼ିଥିଲେ। ଆଉ କେହି ଜଣେ ଭାରତୀୟ କ’ଣ ଗୁରୁ ନାନକଙ୍କ ସମକକ୍ଷ? ତିଳକ ଓ ରାମମୋହନ ଇ˚ରେଜୀ ଶିକ୍ଷା ଲାଭ ନ କରି ନିଜର ସ୍ବାଭାବିକ ପ୍ରଶିକ୍ଷଣ ପାଇଥିଲେ ଚୈତନ୍ୟଙ୍କ ପରି ଅଧିକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିପାରିଥାନ୍ତେ। ଯଦି ସେଭଳି ମଣିଷମାନଙ୍କୁ ଆମେ ଆଉ ଥରେ ସୃଷ୍ଟି କରିବାକୁ ଚାହୁଁ; ତାହା ଇ˚ରେଜୀ ଶିକ୍ଷା ମାଧୢମରେ ହୋଇପାରିବ ନାହିଁ। ଇ˚ରେଜୀ ଶିକ୍ଷା ଆମକୁ ବଳହୀନ କରିଦେଇଛି ଆଉ ଆମ ବୁଦ୍ଧିକୁ ସୀମିତ କରିଦେଇଛି। ଏଇ ଶିକ୍ଷା ପଦ୍ଧତି ଆମକୁ ମାଇଚିଆ କରିଦେଇଛି। ମୁକ୍ତିର ସୂର୍ଯ୍ୟାଲୋକରେ ଆମେ ଉଦ୍‌ଭାସିତ ହେବାକୁ ଚାହଁୁ, ମାତ୍ର ଏହି ଦାସତ୍ବ ଆମକୁ ଦୁର୍ବଳ କରିଦେଇଛି।’

ଏଣୁ ଗାନ୍ଧୀଙ୍କ ବିଚାରରେ ଗୋଟିଏ ଭାଷା ଭାବେ ଇ˚ରେଜୀ ପଢ଼ିବାରେ ଅସୁବିଧା ନାହିଁ। ମାତ୍ର ଏହା ଶିକ୍ଷାଦାନର ଏକ ମାଧୢମ ନ ହେଉ। ମାତୃଭାଷା ହିଁ ଏଥିପାଇଁ ଉଦ୍ଦିଷ୍ଟ। କାରଣ ଇ˚ରେଜୀ ଭାଷାରେ ଶିକ୍ଷାଦାନ ଆମ ଭିତରେ ଭୟ ଓ ଆନୁଗତ୍ୟ ଉଦ୍ରେକ କରେ, ଦାସତ୍ବ ସୃଷ୍ଟି କରେ।

ମୌଳିକ ଚିନ୍ତନ ଓ ଜ୍ଞାନ ପାଇଁ ମାତୃଭାଷା ହିଁ ଶିକ୍ଷାଦାନର ପ୍ରକୃତ ମାଧୢମ। ଏଥିପାଇଁ ଏହା ପୂର୍ବରୁ ଭାଷା ସ˚ପର୍କରେ ୧୯୨୦ ମସିହାରେ ‘ୟ˚ଗ ଇଣ୍ତିଆ’ରେ ଗାନ୍ଧୀ ଲେଖିଥିଲେ- ‘ଏକଥା ସ୍ପଷ୍ଟ ଯେ ଭାରତୀୟ ଭାଷାଗୁଡ଼ିକର ଆମେ ଯଦି ଉନ୍ନତ ନ କରନ୍ତି ତେବେ ଆମେ ବୌଦ୍ଧିକ ଓ ସା˚ସ୍କୃତିକ ଦୃଷ୍ଟିରୁ ପୁରୁଷ ଓ ନାରୀ ମଧୢରେ ବା ଉନ୍ନତ ବର୍ଗ ଓ ସାଧାରଣ ଲୋକଙ୍କ ମଧୢରେ ବଢ଼ୁଥିବା ଦୂରତ୍ବକୁ ଅଟକାଇ ପାରିବା ନାହିଁ। ଏକଥା ଧ୍ରୁବ ସତ୍ୟ ଯେ କେବଳ ମାତୃଭାଷାରେ ଶିକ୍ଷାଦାନ ଜନଗଣଙ୍କ ମଧୢରେ ମୌଳିକ ଚିନ୍ତା ଉଦ୍ରେକ କରିବାକୁ ସକ୍ଷମ ହେବ।’

କଟକରେ ଗାନ୍ଧୀ ଭାଷା ସ˚ପର୍କରେ ଦେଇଥିବା ମତ ଉପରେ ଏକ ବିତର୍କ ସୃଷ୍ଟି ହୋଇଥିଲା। ଗାନ୍ଧୀଙ୍କ ଏଇ ବିଚାର ସହ କବିଗୁରୁ ରବୀନ୍ଦ୍ର ନାଥ ଏକମତ ନ ଥିଲେ। ରବୀନ୍ଦ୍ରନାଥ ସେତେବେଳେ ୟୁରୋପ ଗସ୍ତରେ ଥିଲେ। ଗାନ୍ଧୀଙ୍କ ଏହି ମନ୍ତବ୍ୟର ଏକ ନକଲ ରବୀନ୍ଦ୍ରନାଥ ପାଇଥିଲେ। ୧୯୨୧ ମସିହା ମେ ୧୦ ତାରିଖ ଦିନ ସେ ସି.ଏଫ୍‌.ଆଣ୍ତ୍ରୁଜ୍‌ଙ୍କ ନିକଟକୁ ଚିଠିଟିଏ ଲେଖିଥିଲେ। ଆଣ୍ତ୍ରୁଜ ଥିଲେ ଉଭୟ ଗାନ୍ଧୀ ଓ ରବୀନ୍ଦ୍ର ନାଥଙ୍କ ପ୍ରିୟ ବନ୍ଧୁ। ରବୀନ୍ଦ୍ର ନାଥ ଲେଖିଥିଲେ, ‘ମୁଁ ମହାତ୍ମା ଗାନ୍ଧୀଙ୍କ ରାଜା ରାମମୋହନଙ୍କ ପରି ଜଣେ ଆଧୁନିକ ଭାରତର ମହାନ୍‌ ବ୍ୟକ୍ତିଙ୍କୁ ଏଭଳି ଭାବେ ଚିତ୍ରଣର ତୀବ୍ର ପ୍ରତିବାଦ କରୁଛି। ସେ ଏହା ଆଧୁନିକ ଇ˚ରେଜୀ ଶିକ୍ଷାକୁ ବିରୋଧ ପ୍ରସଙ୍ଗରେ ଲେଖିଛନ୍ତି।’ ନାନକ ଓ କବୀରଙ୍କ ସ˚ପର୍କରେ ରବୀନ୍ଦ୍ରନାଥ କହିଲେ ଯେ ‘ସେମାନେ ମହାନ୍‌, କାରଣ ସେମାନଙ୍କ ଜୀବନ ଓ ସିଦ୍ଧାନ୍ତ ହିନ୍ଦୁ, ମୁସଲମାନ ସ˚ସ୍କୃତି ମଧୢରେ ଐକ୍ୟ ପ୍ରତିଷ୍ଠା କରିପାରିଛି। ବିବିଧତା ଭିତରେ ଆଧୢାତ୍ମିକ ଏକତ୍ବର ଅନୁଭବ ହିଁ ଭାରତୀୟତା। ରାମମୋହନ ରାୟ ଇ˚ରେଜୀ ପଢ଼ି, ଭଲ ପାଇ ନାନକ ଓ କବୀରଙ୍କ କାର୍ଯ୍ୟ କରିଛନ୍ତି। ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ସ˚ସ୍କୃତିର ମୌଳିକ ଗୁଣକୁ ଏକାଠି କରିଛନ୍ତି। ସେ ପାଶ୍ଚାତ୍ୟ ସଭ୍ୟତାକୁ ଗ୍ରହଣ କରିଛନ୍ତି କାରଣ ତାଙ୍କର ଶିକ୍ଷା ମୂଳତଃ ପ୍ରାଚ୍ୟ ମୂଲ୍ୟବୋଧ ଓ ଭାରତୀୟ ଜ୍ଞାନ ଉପରେ ଆଧାରିତ। ସେ ପଶ୍ଚିମର ଜଣେ ଛାତ୍ର ନୁହନ୍ତି, ସେ ପଶ୍ଚିମର ଜଣେ ବନ୍ଧୁ।’

ରବୀନ୍ଦ୍ରନାଥଙ୍କ ଚିଠି ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଥିଲା ଓ ଗାନ୍ଧୀ ମଧୢ ଏହାର ଉତ୍ତର ଦେଇଥିଲେ। ‘ମୁଁ ଇ˚ରେଜୀ ଭାଷା ଶିଖିବାର ବିରୋଧୀ ନୁହେଁ। ମାତ୍ର ଏହାକୁ ଦୈବୀଶକ୍ତି ସ˚ପନ୍ନ କହିବାର ବା ଶିକ୍ଷାଦାନର ମାଧୢମ କରିବାର ବିରୋଧୀ। ପୁଣି ମାତୃଭାଷା ବଦଳରେ ଇ˚ରେଜୀକୁ ଶିକ୍ଷାଦାନର ମାଧୢମ କରିବାର ଘୋର ବିରୋଧୀ। ମୋ ଧର୍ମ ଏକ ‘ବନ୍ଦୀଶାଳା’ ନୁହେଁ। ଏଥିରେ ଈଶ୍ବର ସୃଷ୍ଟ କ୍ଷୁଦ୍ରତମ ଜୀବ ପାଇଁ ବି ସ୍ଥାନ ଅଛି।’ ସେ ପୁଣି ଲେଖିଥିଲେ, ‘ମୁଁ ମୁକ୍ତ ପବନ ସପକ୍ଷରେ, ଏଇ ମହାନ କବିଙ୍କ ପରି। ମୁଁ ଚାହେଁନା ମୋ ଘର ଚାରିପଟେ କାନ୍ଥ ଉଠୁ ଆଉ ଝର୍କା ବନ୍ଦ ରହୁ। ମୁଁ ଚାହେଁ ସବୁ ଦେଶର ସ˚ସ୍କୃତି ବାଧାହୀନ ଭାବେ ମୋ ଘର ଭିତରକୁ ପଶିଆସୁ। ମାତ୍ର ମୋତେ ଏହା ଉଡ଼ାଇ ନ ନେଉ।’

ଯେ କୌଣସି ଭାଷା ଶିଖିବା ପାଇଁ ଗାନ୍ଧୀ ଆଗ୍ରହୀ ଥିଲେ। ତାଙ୍କ ପାଇଁ ଅନ୍ୟ ଭାଷା ଶିକ୍ଷା ଥିଲା ଅନ୍ୟ ଏକ ସଭ୍ୟତା, ସ˚ସ୍କୃତି ଜାଣିବା ପାଇଁ ଝର୍କାଟିଏ, ପୃଥିବୀରେ ବ˚ଚିବାର ଅନ୍ୟ ଏକ ପଥ। ପରେ ପୁଣି ଥରେ ‘ୟଙ୍ଗ ଇଣ୍ତିଆ’ରେ ଗାନ୍ଧୀ ନିଜ ମତ ଦୃଢ଼ ଭାବେ ପ୍ରକାଶ କରିଥିଲେ। ‘ବିଦେଶୀ ଭାଷାରେ ଶିକ୍ଷାଦାନକୁ ମୋର ସାଲିସ ହୀନ ବିରୋଧ ଯୋଗୁ ମୋ ବିରୋଧରେ ବହୁ ଅଭିଯୋଗ ଆସୁଛି। ମୁଁ ଇ˚ରେଜୀକୁ ଏକ ଆନ୍ତର୍ଜାତିକ ବାଣିଜ୍ୟ ଓ କୂଟନୀତିର ଭାଷାଭାବେ ସମ୍ମାନ କରେ। ଏଣୁ ଏହାକୁ ଜ୍ଞାନର ଏକ ଅ˚ଶ ଭାବେ ବିଚାର କରେ। କାରଣ ଇ˚ରେଜୀ ଭାଷା ଜ୍ଞାନ ଓ ସାହିତ୍ୟର ଅମୂଲ୍ୟ ସ˚ପଦ। ଏଣୁ ଏହି ଭାଷାରେ ଦକ୍ଷତା ଥିବା ଲୋକମାନେ ଏହାକୁ ପଢ଼ି, ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବା ଉଚିତ। ଭାଷା କ୍ଷେତ୍ରରେ ଆମେ ବାଡ଼ ବାନ୍ଧିବା ଅନୁଚିତ। ମାତ୍ର ସ˚ଭ୍ରମତାର ସହ କହିବାକୁ ଚାହେଁ ଯେ ଆମେ ଅନ୍ୟ ସ˚ସ୍କୃତିକୁ ଜାଣିବା ଉଚିତ, ମାତ୍ର ତା’ ପୂର୍ବରୁ ଆମେ ନିଜ ସ˚ସ୍କୃତିକୁ ଜାଣିବା ଓ ଗ୍ରହଣ କରିବା ଆବଶ୍ୟକ।’ ପୁଣି ଥରେ ‘ୟଙ୍ଗ ଇଣ୍ତିଆ’ରେ ଜାତୀୟ ଶିକ୍ଷାନୀତି ସ˚ପର୍କରେ ଲେଖିଥିଲେ- ‘ପ୍ରକୃତ ଶିକ୍ଷା ଏକ ବିଦେଶୀ ଭାଷା ମାଧୢମରେ ଦେବା ସମ୍ଭବ ନୁହେଁ। ଏଥିପାଇଁ ମୋ ମତରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ତ୍ରୁଟିପୂର୍ଣ୍ଣ।’

ଗାନ୍ଧୀଙ୍କ ପାଇଁ ସବୁ ଭାଷାର ନିଜସ୍ବ ଜ୍ଞାନ ଓ ସ˚ସ୍କୃତି ରହିଛି, ଏଣୁ ଏହା ଶିକ୍ଷଣୀୟ। ମାତ୍ର ଶିକ୍ଷାଦାନ ପାଇଁ କେବଳ ମାତୃଭାଷା ହିଁ ଉପଯୁକ୍ତ। ଗାନ୍ଧୀ ଥିଲେ ବହୁଭାଷିକତାର ପ୍ରବକ୍ତା। ନିଜେ ଇ˚ରେଜୀ ଓ ଗୁଜରାଟୀରେ ଲେଖୁଥିଲେ। ଏପରିକି ଗୁଜରାଟୀ ଲେଖାଗୁଡ଼ିକୁ ବୃହତ୍ତର ପାଠକ ଶ୍ରେଣୀ ପାଇଁ ଇ˚ରେଜୀରେ ଅନୁବାଦ କରାଉଥିଲେ। ତାଙ୍କ ସ˚ଘର୍ଷମୟ ଜୀବନରେ ତାଙ୍କ ସାଥୀ ଓ ଅନୁଗାମୀମାନେ ଥିଲେ ବହୁ ଭାଷାଭାଷୀ ଅଞ୍ଚଳର ଲୋକ। ପୁଣି ୧୯୦୩ରେ ଦକ୍ଷିଣ ଆଫ୍ରିକାରେ ଯେଉଁ ସମ୍ବାଦପତ୍ର ପ୍ରକାଶ କରିଥିଲେ (ଇଣ୍ତିଆନ୍‌ ଓପିନିଅନ୍‌) ତାହା ଗୁଜରାଟୀ, ହିନ୍ଦୀ, ତାମିଲ ଓ ଇ˚ରେଜୀ ଭାଷାରେ ପ୍ରକାଶ ପାଉଥିଲା। ଭାରତୀୟ ସ୍ବାଧୀନତା ସ˚ଗ୍ରାମ ସମୟରେ ମଧୢ ସେ ସ୍ବତନ୍ତ୍ର ଭାବେ ଇ˚ରେଜୀ ଓ ଗୁଜରାଟୀ ଭାଷାରେ ପତ୍ରିକାମାନ ପ୍ରକାଶ କରୁଥିଲେ, ଯେମିତି ‘ୟଙ୍ଗ ଇଣ୍ତିଆ’, ‘ନବଜୀବନ’, ‘ହରିଜନ’ ଇତ୍ୟାଦି। ସେ ଭାଷଣ ଦେଉଥିଲେ ହିନ୍ଦୀ, ଇ˚ରେଜୀ, ଗୁଜରାଟୀରେ ଓ ଯେଉଁ ପ୍ରଦେଶକୁ ଯାଉଥିଲେ ସେ ପ୍ରଦେଶର ଭାଷା ଶିଖୁଥିଲେ। ଓଡ଼ିଶା ଗସ୍ତ ସମୟରେ ଗୋଦାବରୀ ଦେବୀ ଗାନ୍ଧୀଙ୍କୁ ଓଡ଼ିଆ ଶିଖାଇଥିଲେ।

ବି˚ଶ ଶତାବ୍ଦୀର ଷଷ୍ଠ ଦଶକ ବେଳକୁ ସବଲଟର୍ନ‌୍ (ସମାଜରେ ତଳ ସ୍ତରର ଲୋକଙ୍କ ପାଇଁ ଭାବୁଥିବା) ଗୋଷ୍ଠୀର ଚିନ୍ତକ ଓ ଲେଖକମାନେ କହିବାକୁ ଆରମ୍ଭ କଲେ ଯେ ଇ˚ରେଜୀ ମାଧୢମରେ ଶିକ୍ଷା ଓ ଏଭଳି ବିଦ୍ୟାଳୟମାନ ପ୍ରତିଷ୍ଠା ସପକ୍ଷରେ ସମାଜର ପ୍ରଭାବଶାଳୀ ଗୋଷ୍ଠୀର ଲୋକମାନେ ଯୁକ୍ତି ବାଢୁଛନ୍ତି। ସାଧାରଣଲୋକ ଓ ସମାଜ ଦାଢ଼ରେ ବ˚ଚୁଥିବା ମଣିଷମାନଙ୍କ ପାଇଁ ଏହା କ୍ଷତିକାରକ। ଏହା ଏକ ଉଚ୍ଚଶ୍ରେଣୀ (ଏଲିଟ୍‌)ର ଉପନିବେଶିକ ଦୃଷ୍ଟିଭଙ୍ଗୀ। ଏଭଳି ମନୋଭାବ ଏବେ ଆମ ଦେଶର ମଧୢ-ବର୍ଗର ଲୋକଙ୍କୁୁ ବହୁଳ ଭାବେ ପ୍ରଭାବିତ କଲାଣି। ଆଜି ଆମ ଦେଶରେ ଶିକ୍ଷାନୀତି, ଶିକ୍ଷା ଅଧିକାର ଆଇନ ଓ ତାର ପ୍ରଭାବ ସ˚ପର୍କରେ ବିତର୍କ ଚାଲିଥିବା ବେଳେ ଗାନ୍ଧୀଙ୍କ ଭାଷା ବିଚାର ଅଧିକ ପ୍ରାସ˚ଗିକ ହୋଇପଡ଼ିଛି।

ମୋ: ୯୪୩୭୮୮୬୯୭୦

ସମ୍ବନ୍ଧିତ ଖବର