ଆମେରିକାର ‘ଏରୋନୋଟିକ୍ସ ଏଜେନ୍ସି’ (ନାସା), ପ୍ରଥମ ଥର ପାଇଁ ବ୍ରହ୍ମାଣ୍ଡର ଉତ୍ପତ୍ତିକୁ ଜାଣିବା ସକାେଶ ମହାକାଶକୁ ‘ସି.ଓ.ବି.ଇ.’ ନାମକ ଏକ ସାଟେଲାଇଟ ବା ଉପଗ୍ରହ ପଠାଇଥିଲା। ଏହି ସାଟେଲାଇଟ ‘ଇନ୍ଫ୍ରାରେଡ୍’ ବା ଅବଲୋହିତ ଏବଂ ମାଇକ୍ରୋୱେଭ୍ ବିକିରଣକୁ ମାପି ଦର୍ଶାଇଛି ଯେ ବ୍ରହ୍ମାଣ୍ଡର ଉତ୍ପତ୍ତି ୧୩.୭ ବିଲିଅନ ବର୍ଷ ପୂର୍ବେ ହୋଇଛି। ଏହି ବିକିରଣର ତାପମାତ୍ରା ବ୍ରହ୍ମାଣ୍ଡର ଉତ୍ପତ୍ତି ସମୟରେ ୧୦,୨୭୦ କେଲଭିନ୍ ଥିଲା। ଏହି ବିକିରଣ ବ୍ରହ୍ମାଣ୍ଡର ପ୍ରସାରଣ ସହିତ କମି କମି ଆସି ଏବେ ୩୦ କେଲଭିନ୍ରେ ଅଛି ବୋଲି ସି.ଓ.ବି.ଇ. ନିର୍ଦ୍ଦାରଣ କରିଛି। ଏହି ସାଟେଲାଇଟ ଦୂର ବ୍ରହ୍ମାଣ୍ଡରୁ ଆସୁଥିବା ଇନ୍ଫ୍ରାରେଡ୍ ଏବଂ ମାଇକ୍ରୋୱେଭ୍ ଆଲୋକ ସାଧାରଣ ମନୁଷ୍ୟ ଆଖିକୁ ଦିଶେ ନାହିଁ। ତେବେ, ଏହାର ଉଷ୍ଣତାକୁ ଏକ ସ୍ବତନ୍ତ୍ର କାମେରାରେ ଦେଖି ତା’ର ସଠିକ ମାନଚିତ୍ରକୁ ତିଆରି କଲା। ଆଜି ଆମେ ଯେଉଁ ବ୍ରହ୍ମାଣ୍ଡଟି କଥା କହୁଛୁ, ତାହା ୧୩.୭ ବିଲିଅନ ବର୍ଷ ପୂର୍ବରୁ ଏକ ବହୁତ ଛୋଟ ଏବଂ ଘନ ପଦାର୍ଥରୁ ବିସ୍ଫୋରଣ ପରେ ସୃଷ୍ଟି ହୋଇଛି। ଏହା ହେଉଛି ବଡ଼ ଧରଣର ପ୍ରଥମ ପ୍ରମାଣ ଏବଂ ୨୦୦୬ରେ ଏହି ଆବିଷ୍କାର ପାଇଁ ଦୁଇ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଲା।
ଆମେ ସମୁଦାୟ ଆଲୋକର କେବଳ ୦.୦୦୩୫%କୁ ଦେଖି ପାରୁ। ଏହି ଦୃଶ୍ୟମାନ ଆଲୋକରେ ଥାଏ ଇନ୍ଦ୍ରଧନୁର ସାତଟି ରଙ୍ଗ। ସେହି ସାତଟି ରଙ୍ଗ ହେଲେ ବାଇଗଣି, ଘନ ନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଏବଂ ଲୋହିତ। ଆମ ଆଖିରେ ନୀଳ, ସବୁଜ ଏବଂ ଲୋହିତ ରଙ୍ଗର କୋଷ ଅଛି। ଏହି କୋଷ ଆମକୁ ଇନ୍ଦ୍ରଧନୁର ସାତଟି ରଙ୍ଗ ଦେଖେଇ ପାରୁଛି। କିନ୍ତୁ ଆମ ଆଖି ଅଲଟ୍ରା ଭାୟୋଲେଟ୍ ବା ଅତି-ବାଇଗଣି ଓ ଇନ୍ଫ୍ରାରେଡ୍ ଆଲୋକକୁ ଦେଖି ପାରେନାହିଁ। ତେଣୁ, ସୂର୍ଯ୍ୟାଲୋକରୁ ଆସୁଥିବା କିରଣର ୯୯.୯୯%କୁ ଆମେ ଦେଖି ପାରି ନ ଥାଉ।
ଆମେ ଦେଖି ପାରୁ ନ ଥିବା ସେହି କିରଣଗୁଡ଼ିକ ହେଲେ ଗାମା ରଶ୍ମି ବା ଗାମା ରେ’, ଏକ୍ସ ରେ, ଅତି ବାଇଗଣି ରଶ୍ମି, ଇନ୍ଫ୍ରାରେଡ୍, ମାଇକ୍ରୋୱେଭ୍ ଏବଂ ରେଡିଓ ୱେଭ୍ ବା ରେଡିଓ ତରଙ୍ଗ। ଆମେ ଯଦି ସୂର୍ଯ୍ୟାଲୋକର ସବୁ କିରଣ ଦେଖି ପାରନ୍ତେ; ତେବେ ପୃଥିବୀଟି ଆମକୁ ଏଭଳି ରଙ୍ଗିନ ପରୀ ରାଇଜ ପରି ଲାଗନ୍ତା ଯେ ଯାହାର ସୁନ୍ଦରତା ବର୍ଣ୍ଣନା କରିବାକୁ ଭାଷା କୁଳାନ୍ତା ନାହିଁ। ବିଜ୍ଞାନର ବିକାଶ ହେତୁ ଆମେ ବ୍ରହ୍ମାଣ୍ଡରେ ପୃଥିବୀ ପରି ଆଉ ଅନେକ ଗ୍ରହର ଆବିଷ୍କାର କରିସାରିଛନ୍ତି, ଯେଉଁଠି ଜୀବନର ସତ୍ତା ବା ଜୀବ ସମାଜ ଥାଇ ପାରନ୍ତି। ବୋଧହୁଏ, ସେହି ଜୀବ ସମାଜ ପାଖରେ ଆମ ଠୁ ଅଧିକ ସୂର୍ଯ୍ୟ ରଶ୍ମି ଦେଖିବାର ସାମର୍ଥ୍ୟ ଥିବ।
ତେବେ, ଆମ ପୃଥିବୀରେ କେତେକ ପ୍ରାଣୀ ଇନ୍ଫ୍ରାରେଡ୍ ଏବଂ ଅତି ବାଇଗଣି ଆଲୋକକୁ ଦେଖିବାର ଅସାଧାରଣ କ୍ଷମତା ରଖନ୍ତି। ଅନ୍ଧାରରେ ଶିକାର ଏବଂ ଶିକାରୀକୁ ଠିକ୍ ରୂପେ ଦେଖିବା ପାଇଁ ସାପର ଇନ୍ଫ୍ରାରେଡ୍ ଦର୍ଶନ କ୍ଷମତା ଅଛି। ଏକ ଉଦାହରଣ ଦେଲେ କଥାଟା ସ୍ପଷ୍ଟ ହେବ। ନିଆଁ ହେଉଛି ଦୃଶ୍ୟମାନ ଆଲୋକ ଓ ଏହାର ଉଷ୍ଣତା ହେଉଛି ଇନ୍ଫ୍ରାରେଡ୍ ଆଲୋକ। ଆମେ ଉଷ୍ଣତାକୁ ଅନୁଭବ କରିପାରୁ, କିନ୍ତୁ ଦେଖି ପାରୁନା। ଅଥଚ ସାପର ଆଖି ଏବଂ ନାକ ମଧ୍ୟରେ ରହିଥିବା ଏକ ବିଶେଷ ଅଙ୍ଗ, ଯାହାକୁ ପିଟ୍ କିମ୍ବା ଗର୍ତ୍ତ ବୋଲି କୁହାଯାଏ, ସାପକୁ ଉଷ୍ଣତା େଦଖିବାରେ ସାହାଯ୍ୟ କରିଥାଏ। ତାହା କେମିତି ସମ୍ଭବ? କଥା ହେଲା, ସାପଟି ସେହି ଅଙ୍ଗ ସାହାଯ୍ୟରେ ଉଷ୍ଣତାକୁ ମାପି ତାର ଚିତ୍ରପଟ ତିଆରି କରେ। ସାପଟି ଶିକାର କରିବାକୁ ଚାହୁଁଥିବା କୌଣସି ପ୍ରାଣୀର ଶରୀରର ଉଷ୍ଣତାକୁ ମାପି ସେହି ପ୍ରାଣୀର ଏକ ଚିତ୍ର ତାର ମସ୍ତିଷ୍କରେ ଆଙ୍କିପାରେ। ସାପର ଏହି ଗର୍ତ୍ତ ଅଙ୍ଗରେ ଥିବା ସ୍ନାୟୁରେ ‘ଟିଆରପିଏ୧’ (TRPA1) ନାମକ ଏକ ଶ୍ବେତସାର ଥାଏ। ଏହି ଶ୍ବେତସାର ହେଉଛି ଏକ ଉତ୍ତାପ ସକ୍ରିୟ ଶ୍ବେତସାର। ଉଷ୍ମ ରକ୍ତଧାରୀ ପ୍ରାଣୀର ଶରୀରରୁ ଆସୁଥିବା ଇନ୍ଫ୍ରାରେଡ୍ ଉତ୍ତାପ ଦ୍ୱାରା ‘ଟିଆରପିଏ୧’ ସକ୍ରିୟ ହୋଇ ଯାଏ। ଉତ୍ତାପ ଗ୍ରହଣ ପରେ, ମସ୍ତିଷ୍କରେ ଏହି ‘ଟିଆରପିଏ୧’ ଦ୍ୱାରା ଏକ ତାପଜ ଚିତ୍ର ବା ‘ଧର୍ମାଲ୍ ପିକ୍ଚର’ ତିଆରି ହୁଏ।
ଅନ୍ୟ ପ୍ରାଣୀମାନଙ୍କ ପକ୍ଷରେ ଇନ୍ଫ୍ରାରେଡ୍ ରଶ୍ମିକୁ ଦେଖି ପାରିବା ଏ ପର୍ଯ୍ୟନ୍ତ ଅସମ୍ଭବ ଥିଲା। କିନ୍ତୁ ନାନୋ ଟେକ୍ନୋଲୋଜି ଜରିଆରେ ଏବେ ଏହି ଅସମ୍ଭବକୁ ସମ୍ଭବ କରା ଯାଇପାରିଛି। ଅନ୍ଧ ମୂଷାମାନଙ୍କ ଉପରେ ଦୀର୍ଘ ଗବେଷଣା ପରେ ତାଙ୍କୁ ପୁନର୍ବାର ଦେଖିବାର କ୍ଷମତା ଦିଆଯାଇ ପାରିଛି। ସାପର ‘ଟିଆରପିଏ୧’କୁ ଅନ୍ଧ ମୂଷାଙ୍କ ଆଖିରେ ପ୍ରତିରୋପଣ କରି ସେମାନଙ୍କୁ ଉଷ୍ମତାକୁ ଦେଖିବାର ଶକ୍ତି ପ୍ରଦାନ କରାଯାଇ ପାରିଛି। ଏହି ଆବିଷ୍କାର ଦିନେ ଅନ୍ଧ ଲୋକଙ୍କ ଲାଗି ପୁନର୍ବାର ଦୃଷ୍ଟିଶକ୍ତି ଫେରାଇ ଆଣିବ ବୋଲି ବୈଜ୍ଞାନିକମାନଙ୍କ ବିଶ୍ବାସ ରହିଛି।
ବୈଜ୍ଞନିକ, ଚକ୍ଷୁ ବିଭାଗ,
ମାସାଚ୍ୟୁସେଟ୍ସ ୟୁନିଭର୍ସିଟି,
ଯୁକ୍ତରାଷ୍ଟ୍ର ଆମେରିକା