ଶ୍ରୀମନ୍ଦିରରେ ଗାନ୍ଧୀଜୀ ଓ ଶତାବ୍ଦୀର ବିଭ୍ରାନ୍ତି

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଗାନ୍ଧୀଜୀଙ୍କ ପ୍ରଥମ ଉତ୍କଳ ଆଗମନର ଶତବାର୍ଷିକୀ ଏଇ (୨୦୨୧) ମାର୍ଚ୍ଚ ୨୩ ତାରିଖ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି। ସେଥିପାଇଁ ସାରାରାଜ୍ୟ ଉତ୍ସବମୁଖର ହୋଇ ଉଠିଥିଲା। ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା। ଏବେ ଉତ୍ସବର ସେହି ମୁଖରତା ସଂପୂର୍ଣ୍ଣ ପ୍ରଶମିତ ହୋଇନଥିବା ବେଳେ, ୨୭ ମାର୍ଚ୍ଚରେ ଆସୁଛି ଗାନ୍ଧୀଜୀଙ୍କ ଜଗନ୍ନାଥ ଦର୍ଶନର ଶତବାର୍ଷିକୀ। କିନ୍ତୁ ତାହାକୁ ନେଇ କୌଣସି ଉତ୍ସବ ପାଳନର ଅବକାଶ ନାହିଁ।

ଏହାର କାରଣ ହେଉଛି, ଗାନ୍ଧୀଜୀ ଓଡ଼ିଶା ଆସିବା ପୂର୍ବରୁ, ଜଗନ୍ନାଥଙ୍କ ଦେଶ ଏ ଓଡ଼ିଶାର ଦାରିଦ୍ର୍ୟ ଓ ଦୁଃସ୍ଥିତିକୁ ନେଇ ବ୍ୟଥିତ ଥିଲେ। ଓଡ଼ିଶା ଆସିବା ପୂର୍ବରୁ, ଓଡ଼ିଶାର (ବିଶେଷ କରି ପୁରୀର ଡଭାର ଗାଁର) ଦୁର୍ଭିକ୍ଷଜନିତ ପରିସ୍ଥିତି ତାଙ୍କୁ ବିମର୍ଷ ଓ ବିକ୍ଷୁବ୍‌ଧ କରିଥିଲା। ସେଥିପାଇଁ ୧୯୨୦ ମସିହା, ମେ ୧୨ ତାରିଖର ‘ୟଙ୍ଗ୍‌ଇଣ୍ଡିଆ’ରେ ସେ ‘ଓଡ଼ିଶାର ଯାତନା’ ଶୀର୍ଷକରେ ଏକ ଲେଖା ଲେଖିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ୧୦ ଖଣ୍ଡରେ ପ୍ରକାଶିତ ‘ଗାନ୍ଧୀ ବିଚାର, ଗାନ୍ଧୀଙ୍କ ଭାଷାରେ’ ପୁସ୍ତକାବଳୀର ‘ଓଡ଼ିଶା ବିଚାର’ ଖଣ୍ଡରେ ଏହାର ବିବରଣୀ ଅଛି। ଗାନ୍ଧୀଜୀ ସେଥିରେ କହିଛନ୍ତି, “ଓଡ଼ିଶାରେ ଜଗନ୍ନାଥ ପୁରୀ ଭଳି ଶ୍ରେଷ୍ଠ ତୀର୍ଥସ୍ଥଳୀ ରହିଥିଲେ ମଧ୍ୟ ଈଶ୍ୱର ଏ ସ୍ଥାନ ପରିତ୍ୟାଗ କରିଥିବା ପରି ଜଣାଯାଉଛି।”

ଏହା ସତ୍ତ୍ୱେ, ପ୍ରାୟ ଦଶମାସ ପରେ, ୧୯୨୧ ମସିହା, ମାର୍ଚ୍ଚ ୨୩ରେ ପ୍ରଥମ ଉତ୍କଳ ଆଗମନ ଅବସରରେ ଶ୍ରୀମନ୍ଦିରକୁ ଯାଇ ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ତାରିଖଟି ଥିଲା ମାର୍ଚ୍ଚ ୨୭। ପୁରୀର ପାରମ୍ପରିକ ଗୁଜୁରାଟ ଯାତ୍ରୀ ପଣ୍ଡା ଗୋପୀନାଥ ଗୋଛିକାର ତାଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରାଇଥିଲେ। ସେ ଥିଲେ ଏବର ଗୁଜୁରାଟ ଯାତ୍ରୀ ପଣ୍ଡା ରଘୁନାଥ ଗୋଛିକାରଙ୍କ ଜେଜେବାପା। ତାଙ୍କର ପାରିବାରିକ ନଥି ‘ଦସ୍‌କତୀ’ (ଦସ୍ତଖତୀ)ରେ ଗାନ୍ଧୀଜୀଙ୍କର ହାତଲେଖା ମନ୍ତବ୍ୟ ସହିତ ଦସ୍ତଖତ ଅଛି। ରଘୁନାଥଙ୍କ ସୂତ୍ରରୁ ପ୍ରାପ୍ତ ନଥିରୁ ଜଣାଯାଇଛି ଯେ ଗୋପୀନାଥ ସେଥିରେ ଗାନ୍ଧୀଜୀଙ୍କ ବାବଦ ବିବରଣୀ ସ୍ୱହସ୍ତରେ ଲିପିବଦ୍ଧ କରିଛନ୍ତି। ତାହା ଅନୁସାରେ, ସେଦିନର ତିଥି ଥିଲା ‘ଫଗୁଣ, ବ୍ରଜପଞ୍ଚମୀ’ ଓ ବାର ଥିଲା ‘ରବିବାର’। ମହାତ୍ମା ଗାନ୍ଧୀଙ୍କର ଜାତି ଓ ଗ୍ରାମ ସଂପର୍କରେ ଥିବା ଉଲ୍ଲେଖ ଅନୁସାରେ, ତାଙ୍କର ଜାତି ‘ଦଶାମୋଡ଼ ଘୋଘୁଆ ବଣିଆ’, ‘ଗାଁ- ପୋର ବନ୍ଦର, ସୁଦାମାପୁରୀ’।

ସେଦିନ ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଗାନ୍ଧୀଜୀଙ୍କ ସହିତ ଯାଇଥିଲେ, ‘ଦାଦା- ଉତ୍ତମ ଚନ୍ଦ୍ର ଗାନ୍ଧୀ’ ଏବଂ ସାଥିରେ (‘ସାତ୍ ମେ’) ଥିଲେ କସ୍ତୁରବା (‘ଶୌଭାଗ୍ୟବତୀ କସ୍ତୃବା’) ଗାନ୍ଧୀ, ‘ଭଣଜା ଯମୁନା ଦାସ ଖୁଶାଲଚନ୍ଦ୍ର’ ଓ ପୁଅ ଦେବଦାସ (‘ଡିକ୍ରା ଦେବୀଦାସ ମୋହନଦାସ’) ଗାନ୍ଧୀ।

ଗାନ୍ଧୀଜୀ ଗୁଜୁରାଟୀ ଲିପିରେ ଓ ଗୁଜୁରାଟୀ ଭାଷାରେ ସେଥିରେ ଯାହା ଲେଖିଛନ୍ତି, ତାହାର ଓଡ଼ିଆ ହେଉଛି- “ମୁଁ ଯେତେବେଳେ ପୁରୀରେ ଦର୍ଶନ କରିବାକୁ ଗଲି, ସେତେବେଳେ ଗୌର ଶ୍ରୀକୃଷ୍ଣ ରଘୁନାଥ ଗୋପୀନାଥ ମୋତେ ମନ୍ଦିରରେ ଦର୍ଶନ କରାଇବାରେ ଖୁବ୍ ଭଲ ଭାବରେ ସହଯୋଗ କଲେ।” ତାହାର ତିଥି “ସଂ. (ସମ୍ବତ) ୧୯୭୭, ଫାଲଗୁନ ‘ବଦ’ (କୃଷ୍ଣପକ୍ଷ) ୫, ରବିବାର” ବୋଲି ମଧ୍ୟ ସେ ଲେଖିଛନ୍ତି।

କିନ୍ତୁ ଏହି ପ୍ରଥମ ଓଡ଼ିଶା ଗସ୍ତର ପ୍ରଥମ ଜଗନ୍ନାଥ ଦର୍ଶନରେ ଗାନ୍ଧୀଜୀ କ’ଣ ଦେଖିଲେ ଓ ତାହାକୁ ନେଇ କ’ଣ ଲେଖିଲେ?

ଏହାର ବିବରଣୀ ନିଜେ ଗାନ୍ଧୀଜୀ ଦେଇଛନ୍ତି ‘ନବଜୀବନ’ର ୧୦ ଏପ୍ରିଲ୍‌, ୧୯୨୧ ସଂଖ୍ୟାରେ। ତାହା ପ୍ରଥମେ ଗୁଜୁରାଟୀରେ ପ୍ରକାଶ ପାଇବା ପରେ, ସେଥିରେ ଇଂରେଜୀରେ ପ୍ରକାଶ ପାଇଛି। ଗାନ୍ଧୀଜୀଙ୍କ ବିୟୋଗର ଦୀର୍ଘ ୧୮ ବର୍ଷ ପରେ, ୧୯୬୬, ମାର୍ଚ୍ଚ (ଫାଲଗୁନ ୧୮୮୭)ରେ ତାହା ସଂକଳିତ ମଧ୍ୟ ହୋଇଛି ‘The Collected Works of Mahatma Gandhi’ର ଊନବିଂଶ ଖଣ୍ଡ (Vol. 19)ରେ।

ସେହି ଲେଖାର ଶୀର୍ଷକ ‘ମୋର ଓଡ଼ିଶା ଗସ୍ତ’ (My Orissa Tour)। ‘ଗୋପବନ୍ଧୁ ଦାସ’, ‘ସତ୍ୟବାଦୀ ବନବିଦ୍ୟାଳୟ’ ଓ ‘ସେବା ସମାଜ’ ପରେ ତାହାର ଚତୁର୍ଥ ଓ ପଞ୍ଚମ ପ୍ରସଙ୍ଗ ହେଉଛି ‘ଜଗନ୍ନାଥ’ ଓ ‘ବିଦେଶୀ ପରିଧାନ’। ‘ଉତ୍କଳ ଗାନ୍ଧୀ ସ୍ମାରକ ନିଧି’, ବାଖରାବାଦ, କଟକ-୨ରୁ ପ୍ରକାଶିତ ‘ଗାଂଧୀ ରଚନାବଳୀ’ର ଷୋଡ଼ଶ ଖଣ୍ଡ, ‘ଓଡ଼ିଶା-ପ୍ରସଙ୍ଗ ଓ ଅନ୍ୟାନ୍ୟ’ରେ ତାହା ଅନୂଦିତ ହୋଇଛି।

‘ଜଗନ୍ନାଥ’ (Jagannath) ଶୀର୍ଷକ ସେହି ଲେଖାରେ ଗାନ୍ଧୀଜୀ କହିଛନ୍ତି, “ଗୋପବନ୍ଧୁବାବୁଙ୍କ ବିଦ୍ୟାଳୟ ଦେଖିସାରିବା ପରେ ଆମେ ଜଗନ୍ନାଥ ପୁରୀକୁ ଯାତ୍ରା କଲୁଁ। xxx ଭକ୍ତ ତୀର୍ଥଯାତ୍ରୀମାନେ ବିଶ୍ୱାସ କରନ୍ତି ଯେ ଜଗନ୍ନାଥ ଦର୍ଶନ ଓ ପଣ୍ଡାମାନଙ୍କୁ ଦାନ ଦେବାଦ୍ୱାରା ସେମାନଙ୍କର ଅଶେଷ ପୁଣ୍ୟଲାଭ ହୁଏ। ମୁଁ ଦର୍ଶନକୁ ଯାଇଥିବା ବେଳେ ବିଭିନ୍ନ ଚିନ୍ତା ମୋ ମନକୁ ଆସିଥିଲା। ଏହା ଏକ ପୁରାତନ ଓ ମନ ଉପରେ ପ୍ରଭାବ ବିସ୍ତାରକାରୀ ମନ୍ଦିର ଅଟେ। ମନ୍ଦିର ଚୂଡ଼ାରେ ସୁଦର୍ଶନ ଚକ୍ର ଚକ୍‌ଚକ୍ କରୁଥାଏ। ତାହା ଉପରେ ଏକ ପତାକା ଫରଫର ହୋଇ ଉଡ଼ୁଥାଏ।”

ଗାନ୍ଧୀଜୀ ସେହି ଲେଖାରେ ଶ୍ରୀମନ୍ଦିରର ଏହି ବର୍ଣ୍ଣନା କରିବା ସହିତ, ମନ୍ଦିରଟି ଯେ ‘ସୁଉଚ୍ଚ’ ତାହା ମଧ୍ୟ କହିଛନ୍ତି। ପରେ ଅଛି ଗର୍ଭଗୃହରେ ପୂଜିତ ଦେବତାଙ୍କର ବର୍ଣ୍ଣନା। ସେଥିରେ ସେ କହିଛନ୍ତି, “The images, being of a huge size, are awe-inspiring. Thick darkness reigns in the recess where the images are installed. There is neither air nor light. One or two lamps burn dimly.” ‘ଆମ ଓଡ଼ିଶା’ ପ୍ରକାଶିତ ‘ଓଡ଼ିଶା ବିଚାର’ ପୁସ୍ତକରେ ସଂଗ୍ରାମ ଜେନା ଏହାର ବିଶ୍ୱସ୍ତ ଅନୁବାଦ କରି ଲେଖିଛନ୍ତି, “ଭିତରେ ନାରାୟଣ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି। ମୂର୍ତ୍ତିଗୁଡ଼ିକ ଖୁବ୍ ବଡ଼ ଆକାରର ହୋଇଥିବାରୁ ଦେଖିଲେ ବିସ୍ମୟ ସୃଷ୍ଟିକରେ। ମୂର୍ତ୍ତିଥିବା ଗର୍ଭଗୃହ ମଧ୍ୟରେ ଘନ ଅନ୍ଧକାର ରାଜୁତି କରୁଥାଏ। ତା’ ଭିତରେ ପବନ ଓ ଆଲୁଅ ନଥାଏ। କେବଳ ଗୋଟିଏ, ଦୁଇଟି ଦୀପ ଜଳୁଥାଏ।”

ଏହା ସ୍ପଷ୍ଟ ସୂଚାଏ ଯେ ଗାନ୍ଧୀଜୀ ଶ୍ରୀମନ୍ଦିରର ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମଧ୍ୟ, ଜଗନ୍ନାଥଙ୍କୁ ଠିକ୍ ଭାବରେ ଦେଖି ନଥିଲେ। କାରଣ, ଶ୍ରୀମନ୍ଦିରର ରତ୍ନବେଦିରେ ‘ନାରାୟଣ ଓ ଲକ୍ଷ୍ମୀ’ଙ୍କ ବିଶାଳ ବିଗ୍ରହ ପୂଜିତ ହୁଅନ୍ତି ନାହିଁ। ପୂଜିତ ହୁଅନ୍ତି, ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀ ସୁଦର୍ଶନ ଏବଂ ଭୂଦେବୀ, ଶ୍ରୀଦେବୀ ଓ ମାଧବ। ଏ ହେଉଛନ୍ତି ‘ସପ୍ତଧା’ ବିଗ୍ରହ।

ସମ୍ଭବତଃ ଗାନ୍ଧୀଜୀଙ୍କ ଜଗନ୍ନାଥ ଦର୍ଶନର ଏହି ବିଭ୍ରାନ୍ତିର ସଂଶୋଧନ କରି, ‘The Collected works of Mahatma Gandhi’, ଖଣ୍ଡ ୧୯, ବର୍ଷ ୧୯୬୬ରେ ତାହାର ବିଜ୍ଞ ସଂପାଦକମାନେ ‘ପାଦଟୀକା’ (ପାଦଟୀକା-୪, ପୃଷ୍ଠା-୫୫୦)ରେ ସୂଚାଇଛନ୍ତି, “In fact, the images are those of Shri Krishna, his brother and sister.”। ତଦନୁଯାୟୀ ‘ଉତ୍କଳ ଗାଂଧୀ ସ୍ମାରକନିଧି’ ପକ୍ଷରୁ ପ୍ରକାଶିତ ‘ଗାଂଧୀ ରଚନାବଳୀ- ୧୬ଶ ଖଣ୍ଡ’, ‘ଓଡ଼ିଶା ପ୍ରସଙ୍ଗ ଓ ଅନ୍ୟାନ୍ୟ’ରେ ଏହାର ସଂପାଦକ ଓ ଅନୁବାଦକମାନେ ଲେଖିଛନ୍ତି, “ମନ୍ଦିର ଭିତରେ ଲକ୍ଷ୍ମୀ ନାରାୟଣ ଦେବତା (ସ୍ୱରୂପତଃ ଶ୍ରୀକୃଷ୍ଣ, ତାଙ୍କର ଭାଇ ଓ ଭଉଣୀର ମୂର୍ତ୍ତି)ଗୁଡ଼ିକ ଅତି ପ୍ରକାଣ୍ଡ ଆକୃତିର ଥାଇ ମନରେ ଭକ୍ତି ଜାଗ୍ରତ କରନ୍ତି।”

କିନ୍ତୁ ଏଥିରେ ଗୋଟିଏ କଥା ଚିନ୍ତାର ବିଷୟ, ଯେ ଗାନ୍ଧୀଜୀ ୧୯୨୧, ଏପ୍ରିଲ୍ ୧୦ ତାରିଖର ‘ନବଜୀବନ’ରେ ଏହି ବିଭ୍ରାନ୍ତିକର କଥାଟି ଲେଖିଥିଲେ ମଧ୍ୟ, ତାଙ୍କ ଜୀବଦ୍ଦଶାରେ ତାଙ୍କୁ କେହି ଏ ବାବଦରେ ଠିକ୍ କଥାଟି କହିନଥିଲେ ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ପ୍ରକୃତରେ ସପ୍ତଦେବତା ବିରାଜମାନ କରନ୍ତି; ଏବଂ ସେମାନଙ୍କ ମଧ୍ୟରେ ଚାରି ମୁଖ୍ୟ ଦେବତା ହେଉଛନ୍ତି- ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ। ସେଠି ନାରାୟଣ ଅବଶ୍ୟ ଜଗନ୍ନାଥ ରୂପରେ ପୂଜିତ ହୁଅନ୍ତି; କିନ୍ତୁ ଲକ୍ଷ୍ମୀ ପୂଜିତ ହୁଅନ୍ତି ପ୍ରତିନିଧି ପ୍ରତିମା ‘ଶ୍ରୀଦେବୀ’ ଭାବରେ। ଶ୍ରୀମନ୍ଦିର ବେଢ଼ାର ଏକ ସ୍ୱତନ୍ତ୍ର ମନ୍ଦିରରେ ଦେବୀ ଲକ୍ଷ୍ମୀ ପୃଥକ୍ ଭାବରେ ପୂଜିତ ହୁଅନ୍ତି।

ସେହିପରି, ସେଦିନ ଶ୍ରୀମନ୍ଦିରରେ ଗାନ୍ଧୀଜୀଙ୍କର ଆଉ ଏକ ବଡ଼ ବିଭ୍ରାନ୍ତି ଥିଲା ପୂଜିତ ବିଗ୍ରହଙ୍କର ବସ୍ତ୍ର-ଆଭୂଷଣକୁ ନେଇ। ଏ ସଂପର୍କରେ ‘Foreign Apparel’ ବା ‘ବିଦେଶୀ ପରିଧାନ’ ପ୍ରସଙ୍ଗରେ ଗାନ୍ଧୀଜୀ ଯାହା ଲେଖିଛନ୍ତି, ତାହାର ଓଡ଼ିଆ ରୂପାନ୍ତର ‘ଓଡ଼ିଶା ପ୍ରସଙ୍ଗ ଓ ଅନ୍ୟାନ୍ୟ’ର ପୃଷ୍ଠା ୨୩ରେ ଅଛି। ଗାନ୍ଧୀଜୀ ଲେଖିଛନ୍ତି-

“ମୂର୍ତ୍ତି ସବୁ ବିଦେଶୀ ବସ୍ତ୍ରରେ ଆଚ୍ଛାଦିତ! ଏପରି ଅଜ୍ଞତା ଓ ବିଚାରହୀନତା କାହିଁକି? ମନ୍ଦିରରେ ଦେବତାଙ୍କ ପରିଧାନ ପାଇଁ ଅସଂଖ୍ୟ ଅବିବାହିତା କୁମାରୀ ପ୍ରେମଭରା ହୃଦୟନେଇ ଖୁବ୍ ସରୁ ସୂତା କାଟନ୍ତି ଏବଂ ସେହି ସୂତାରେ ସେହିପରି ପ୍ରେମଭାବ ନେଇ ତନ୍ତୀମାନେ ଲୁଗା ବୁଣିଥାନ୍ତି। xxx ‘ବ୍ରାହ୍ମଣ ପଣ୍ଡା ପୁରୋହିତମାନେ’ ଆଜିକାଲି ଏପରି ନିଷ୍ଠାହୀନ ଓ ବିଦେଶୀ ଭାବାପନ୍ନ ହୋଇଛନ୍ତି କାହିଁକି? ଏଥିରେ ଆଶ୍ଚର୍ଯ୍ୟ ହୋଇ ଭାବନାରେ ମୁଁ ବୁଡ଼ିଗଲି। xxx ଏ ସମସ୍ତ ବଦମାସିକୁ ଦେଖି ଜଗନ୍ନାଥ କିପରି ନିରବ ରହିଛନ୍ତି? ‘ଯଥା ପୂଜକ, ତଥା ଦେବତା’- ଶାସ୍ତ୍ରବାକ୍ୟର ପୂରଣ ହେଲା। ନିରାକାର ଭଗବାନ ଏପରି ନିନ୍ଦନୀୟ କାମକୁ ଦେଖନ୍ତି ନାହିଁ! ସେ ଆମପାଇଁ କର୍ମବିଧାନ ରଖିଛନ୍ତି, ଏଣୁ ତାଙ୍କୁ ଆଉ କିଛି କରିବାକୁ ପଡ଼େ ନାହିଁ; ସୁତରାଂ ଜଗନ୍ନାଥଙ୍କୁ ଦୋଷ ଦେବା କାହିଁକି?”

ସେଦିନ ଗାନ୍ଧୀଜୀଙ୍କର ଏହା ଏକ ବଡ଼ ବିଭ୍ରାନ୍ତି ଥିଲା ଏଇଥିପାଇଁ ଯେ ଶ୍ରୀଜଗନ୍ନାଥ କେବେ ବି ବିଦେଶୀ ବସ୍ତ୍ର ପିନ୍ଧନ୍ତି ନାହିଁ। ପାରମ୍ପରିକ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ, ସ୍ୱତନ୍ତ୍ର ଧରଣର ସୂତାବସ୍ତ୍ର ଓ ପାଟବସ୍ତ୍ର ହିଁ ସେ ପିନ୍ଧନ୍ତି। ତାଙ୍କର ଦୈନନ୍ଦିନ ଓ ଉତ୍ସବଦିନର ବସ୍ତ୍ର ଆଭୂଷଣ ଆକାର ପ୍ରକାରରେ ଏପରି ବିବିଧ ଓ ବିଚିତ୍ର ଯେ କୌଣସି ବିଦେଶୀ ଲୁଗାକଳରେ ତାହା ବୁଣା ହେବା ସମ୍ଭବ ନୁହେଁ। ସମ୍ଭବତଃ ପାରମ୍ପରିକ ଗୀତଗୋବିନ୍ଦ ଖଣ୍ଡୁଆ, ବୋଇରାଣୀ ପାଟ, କେନ୍ଦୁଲି ଫେଟା (ପାଟ) ଆଦିକୁ ଦେଖି ଗାନ୍ଧୀଜୀ ସେଦିନ ତାହାକୁ ବିଦେଶୀ ବସ୍ତ୍ର ବୋଲି ଭାବି ନେଇଥିଲେ। ସେତେବେଳେ ବା ତାଙ୍କ ଜୀବଦ୍ଦଶାରେ କେହି ଅନୁଗାମୀ ତାଙ୍କୁ ସଂଶୋଧନ ମଧ୍ୟ କରିନଥିଲେ। ତାଙ୍କୁ ସେଦିନ ବୁଝାଇଦେବାର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଜନ ଥିଲା ଯେ କେବଳ ବସ୍ତ୍ର ଆଭୂଷଣରେ ନୁହେଁ, ଭୋଗ ନୈବେଦ୍ୟର ପରମ୍ପରାରେ ମଧ୍ୟ ଶ୍ରୀଜଗନ୍ନାଥ ପୂର୍ଣ୍ଣ ସ୍ୱଦେଶୀ। ବିଦେଶାଗତ ହୋଇଥିବାରୁ ଏବେ ବି ତାଙ୍କ ରୋଷଶାଳାକୁ ବିଲାତି ଆଳୁ, ବିଲାତି ବାଇଗଣ ଓ କଞ୍ଚାଲଙ୍କା ଆଦିର ପ୍ରବେଶ ନିଷେଧ। ଏହା କୁହାଯାଇଥିଲେ, ଶ୍ରୀଜଗନ୍ନାଥଙ୍କୁ ହୁଏତ ସେ ସେଦିନ ସଂପୂର୍ଣ୍ଣ ଭିନ୍ନ ଓ ‘ସ୍ବଦେଶୀ’ ଦୃଷ୍ଟିରେ ଦେଖିଥାଆନ୍ତେ। ଏ ଦୁଇଟି ପ୍ରସଙ୍ଗ, ଅର୍ଥାତ୍ ‘ବିଗ୍ରହ’ ଓ ‘ବସ୍ତ୍ର’କୁ ନେଇ ତାଙ୍କର ବିଭ୍ରାନ୍ତି ଦୂର ହୋଇଥାଆନ୍ତା।

ଏ ପ୍ରସଙ୍ଗରେ, ‘ଗାନ୍ଧୀଜୀଙ୍କ ଉତ୍କଳରେ ପଦଯାତ୍ରା’ (୧୯୫୦) ପୁସ୍ତକର ଆରମ୍ଭରେ ବିନୋଦ କାନୁନଗୋ କହିଥିବା ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି- “ଗାନ୍ଧୀଜୀଙ୍କର ବିଶେଷତ୍ୱ ହେଉଛି, ସେ ପ୍ରଥମେ ଯୁକ୍ତିତର୍କ କରି ମନକୁ ବୁଝାଇ, ଠିକ୍ ହେଲା ବୋଲି ସ୍ଥିର କରି, କିଛି କରନ୍ତି ନାହିଁ। ଯାହା ତାଙ୍କ ଅନ୍ତରର ବାଣୀ କହେ, ସେହି ଅନୁସାରେ ସେ କାର୍ଯ୍ୟ କରିଯାଆନ୍ତି।” ସମ୍ଭବତଃ ସେଇଥିପାଇଁ ହିଁ ତାଙ୍କର ଏପରି ବିଭ୍ରାନ୍ତି ହୋଇଥିଲା।

ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଅନୂଦିତ ଓ ସାହିତ୍ୟ ଅକାଦେମି ଦ୍ୱାରା ପ୍ରକାଶିତ ‘ଗାନ୍ଧୀ କଥାମୃତ’ରେ ଅଛି ଗାନ୍ଧୀଜୀଙ୍କ ଆତ୍ମଜୀବନୀର ଏକ ଅଂଶ। ସେଥିରେ ଗାନ୍ଧୀଜୀ କହିଛନ୍ତି, “ସବୁବେଳେ ମୋର ମତାମତ ଅପରିବର୍ତ୍ତିତ ରହିବ, ଏ ପ୍ରକାର ସଂଗତିକୁ ମୁଁ ଅନ୍ଧଭାବରେ କେବେ ମାନେ ନାହିଁ। ମୁଁ ସତ୍ୟର ଜଣେ ପୂଜାରୀ ଏବଂ ମୁଁ କହିବି ଯେ ଗୋଟିଏ ପ୍ରଶ୍ନ ସଂପର୍କରେ ମୁଁ ଏକ ନିର୍ଦ୍ଦିଷ୍ଟ ସମୟରେ ଚିନ୍ତା କଲାବେଳେ ବା ଅନୁଭବ କଲାବେଳେ, ତା’ ପୂର୍ବରୁ ମୁଁ ସେ ସଂପର୍କରେ କ’ଣ କହିଛି, ତାହାକୁ ବିଚାର କରେ ନାହିଁ। ମୋର ଚିନ୍ତା ଯେତେ ସ୍ପଷ୍ଟତର ହେଉଥାଏ, ମୋର ମତାମତ ମଧ୍ୟ ଦୈନିକ ଅଭ୍ୟାସ ଦ୍ୱାରା ସେତେ ସ୍ପଷ୍ଟତର ହେବାକୁ ବାଧ୍ୟ। xxx ମୋର ମତର ପରିବର୍ତ୍ତନ ଯେ କେବେ ହୁଏନାହିଁ, ଏ ପ୍ରକାର ଦେଖାଇହେବାକୁ ମୁଁ ଚାହେ ନାହିଁ।”

ଏଣୁ, ସେଦିନ ଆବଶ୍ୟକ ଥିଲା, ଗାନ୍ଧୀଜୀଙ୍କୁ ତାଙ୍କର ଏହି ଦୁଇ ବିଭ୍ରାନ୍ତି ସଂପର୍କରେ ସୂଚାଇ ଦେଇ, ତାଙ୍କର ମତ ପରିବର୍ତ୍ତନ କରାଇବା। ତାହା କିନ୍ତୁ ସେଦିନ କେହି କରିନଥିଲେ। ଏଣୁ ଆଜି ତାଙ୍କ ଜଗନ୍ନାଥ ଦର୍ଶନର ଏ ଶତାବ୍ଦୀ ବର୍ଷରେ ଏ ଦୁଇ ବିଭ୍ରାନ୍ତିକୁ ସଂଶୋଧନ କରିନେବାର ଅବକାଶ ଆସିଛି।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର