କରୋନା ଭୂତାଣୁ ଆତଙ୍କ ଓ ମଧ୍ୟପ୍ରଦେଶ ରାଜନୀତିରେ କ୍ଷମତା କନ୍ଦଳର କୋଳାହଳ ଭିତରେ ସୁପ୍ରିମକୋର୍ଟ ୨୦୨୦, ମାର୍ଚ୍ଚ ୧୮ରେ ଦେଇଥିବା ଏକ ଅଭୂତପୂର୍ବ ଆଦେଶ ହୁଏତ ଅନେକଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଥିବ। ତେବେ, ଏହାର ସୁଦୂର ପ୍ରସାରୀ ପ୍ରଭାବ ଅଚିରେ ଭାରତୀୟ ରାଜନୀତିରେ ଅନୁଭୂତ ହେବ ା ‘କେ ଏମ ସି˚ହ ବନାମ ମଣିପୁର ବିଧାନସଭା ବାଚସ୍ପତି ଓ ଅନ୍ୟମାନେ’ ମାମଲାରେ ସମ୍ବିଧାନର ଧାରା ୧୪୨ରେ ପ୍ରଦତ୍ତ କ୍ଷମତାକୁ ପ୍ରୟୋଗ କରି ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ ମଣିପୁରର ବିଜେପି ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଟି ଏସ ସି˚ହଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଣିପୁର ବିଧାନସଭା ଭିତରକୁ ପ୍ରବେଶ କରିବାକୁ ବାରଣ କରାଯିବା ସହିତ ତାଙ୍କୁ ତତ୍‌କ୍ଷଣାତ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି। ଦେଶର ଇତିହାସରେ କୌଣସି ବିଧାୟକଙ୍କ ବିଧାନସଭା ପ୍ରବେଶ ଉପରେ ଏଭଳି କଟକଣା ଲାଗିବାର ଇଏ ପ୍ରଥମ ଉଦାହରଣ। ବିଚାରାଧୀନ କୌଣସି ମାମଲାରେ ଆବଶ୍ୟକ ‘ସମ୍ପୂର୍ଣ୍ଣ ନ୍ୟାୟ’ (କମ୍ପ୍ଲିିଟ ଜଷ୍ଟିସ) ପ୍ରଦାନ ପାଇଁ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ର ଉପଯୋଗ କରି ରାୟ ବା ଆଦେଶ ପ୍ରଦାନ କରିଥାନ୍ତି। ଉପରୋକ୍ତ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କୀୟ ଯାଚିକାରେ ନିଷ୍ପତ୍ତି ନେବାରେ ବାଚସ୍ପତିଙ୍କ ଅହେତୁକ ବିଳମ୍ବ ଏହି ଆଦେଶର ମୁଖ୍ୟ କାରଣ ଥିଲା। ତେବେ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଦଳବଦଳ ବା ଇସ୍ତଫା ପ୍ରଦାନ ଯୋଗୁ ଦାଏର ହୋଇଥିବା ଅଯୋଗ୍ୟତା ଯାଚିକାଗୁଡ଼ିକ ସମ୍ପୃକ୍ତ ବିଧାନସଭା ବାଚସ୍ପତିଙ୍କ ନିକଟରେ ରାଜନୈତିକ କାରଣରୁ କୌଣସି ଫଇସଲା ନ ହୋଇ ଦୀର୍ଘ ଦିନ ଧରି ପଡ଼ି ରହୁଛି। ସ୍ଥଳବିଶେଷରେ ବାଚସ୍ପତିଙ୍କ ଦ୍ବାରା ଦଳବଦଳ ନିରୋଧ ଆଇନର ଇଚ୍ଛାମୁତାବକ ବ୍ୟବହାର ବା ଅପବ୍ୟବହାର ଯୋଗୁ ରାଜ୍ୟରେ ପ୍ରଲମ୍ବିତ ରାଜନୈତିକ ସଙ୍କଟ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଏ ଭଳି ଯାଚିକାର ବିଚାର ବାଚସ୍ପତିଙ୍କ ଉପରେ ନ୍ୟସ୍ତ ରହିବାର ଯୌକ୍ତିକତା ଉପରେ ବିତର୍କ ହେଲାଣି।

Advertisment

ଷାଠିଏ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ପାଇଁ ମାର୍ଚ୍ଚ ୨୦୧୭ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପରେ ସେଠାରେ ଏକ ଝୁଲା ବିଧାନସଭା ହୋଇଥିଲା, ଯେଉଁଥିରେ ୨୮ଟି ଆସନ ସହ କ˚ଗ୍ରେସ ଏକକ ସ˚ଖ୍ୟାଗରିଷ୍ଠ ଦଳ ହୋଇଥିବା ବେଳେ ୨୧ଟି ଆସନ ସହ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା। ହେଲେ ନିର୍ବାଚନ ପରେ ବିଜେପି କିଛି ଆ˚ଚଳିକ ଦଳ ସହ ମିଶି ସରକାର ଗଠନ କଲା, ଯେଉଁଥିରେ କ˚ଗ୍ରେସ ଟିକେଟରେ ନିର୍ବାଚନ ଜିତିଥିବା ଟି ଏସ ସି˚ହ ମଧ୍ୟ ସାମିଲ ହୋଇଥିଲେ। ସରକାର ଗଠନ ପରେ ତାଙ୍କୁ ମନ୍ତ୍ରୀମଣ୍ତଳରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଭାବେ ସ୍ଥାନ ମିଳିଥିଲା। ଦଳବଦଳ ନିରୋଧ ସ˚କ୍ରାନ୍ତୀୟ ସମ୍ବିଧାନର ଦଶମ ଅନୁଚ୍ଛେଦର ପାରା ୨(୧)(କ) ଅନୁଯାୟୀ, ‘ଗୃହର ଜଣେ ସଦସ୍ୟ, ସେ ଯେ କୌଣସି ରାଜନୈତିକ ଦଳର ହୋଇଥାନ୍ତୁ ନା କାହିଁକି, ସେହି ଗୃହର ସଦସ୍ୟ ପଦରୁ ଅଯୋଗ୍ୟ ହେବେ, ଯଦି ସେ ସ୍ବେଚ୍ଛାକୃତ ଭାବେ ସେହି ରାଜନୈତିକ ଦଳର ସଦସ୍ୟତା ତ୍ୟାଗ କରନ୍ତି।’ ସ୍ବାଭାବିକ ଭାବେ ତାଙ୍କର ଏହି ଦଳବଦଳକୁ ବିରୋଧ କରି ଦଳବଦଳ ନିରୋଧ ଆଇନ ଅନୁସାରେ ତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିବା ପାଇଁ ମଣିପୁର ବିଧାନସଭା ବାଚସ୍ପତିଙ୍କ ନିକଟରେ ଅପ୍ରେଲ ୨୦୧୭ରୁ ଜୁଲାଇ ୨୦୧୭ ମଧ୍ୟରେ ୧୩ଟି ଭିନ୍ନ ଭିନ୍ନ ଯାଚିକା ମାଧ୍ୟମରେ ଆବେଦନ ହୋଇଥିଲା। ତେବେ ଏହି ଯାଚିକାଗୁଡ଼ିକ ଉପରେ ବାଚସ୍ପତିଙ୍କ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ କରା ନ ଯିବାରୁ ବାଚସ୍ପତିଙ୍କ ନିକଟରେ ପଡ଼ି ରହିଥିବା ସଦସ୍ୟଙ୍କ ଅଯୋଗ୍ୟତା ସ˚କ୍ରାନ୍ତ ଯାଚିକାଗୁଡ଼ିକର ସମୟବଦ୍ଧ ଭାବେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେବା ଲାଗି ସେପ୍‌ଟେମ୍ବର ୨୦୧୭ରେ ମଣିପୁର ହାଇକୋର୍ଟରେ ଏକ ରିଟ୍‌ ଯାଚିକା ଦାଏର ହେଲା। ଏହି ଧରଣର ଅନ୍ୟ ଏକ ମାମଲା ସୁପ୍ରିମକୋର୍ଟର ଏକ ପା˚ଚ ଜଣିଆ ବିଚାରପତିଙ୍କ ଖଣ୍ତପୀଠରେ ବିଚାରାଧୀନ ଥିବାରୁ ବାଚସ୍ପତିଙ୍କୁ ଏଭଳି ନିର୍ଦ୍ଦେଶ ଦେବା ସମୀଚୀନ ହେବନାହିଁ ବୋଲି ହାଇକୋର୍ଟ ଦର୍ଶାଇଥିଲେ। ଫଳରେ ନ୍ୟାୟ ପାଇବା ପାଇଁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ମାମଲାର ବିଚାର କରି ସୁପ୍ରିମକୋର୍ଟର ନ୍ୟାୟାଧୀଶ ରୋହି˚ଟନ ନରିମାନ, ଅନିରୁଦ୍ଧ ବୋଷ ଓ ଭି ସୁବ୍ରମନିଅନ ୨୦୨୦, ଜାନୁଆରି ୨୧ ତାରିଖରେ ଯେଉଁ ରାୟ ଶୁଣାଇଥିଲେ ସେଥିରେ ମଣିପୁର ବାଚସ୍ପତିଙ୍କୁ ଆଗାମୀ ଚାରି ସପ୍ତାହ ମଧ୍ୟରେ ତାଙ୍କ ନିକଟରେ ଥିବା ସଦସ୍ୟଙ୍କ ଅଯୋଗ୍ୟତା ସ˚କ୍ରାନ୍ତ ଯାଚିକାରେ ନିର୍ଣ୍ଣୟ ନେବାକୁ ଆଦେଶ ଦେଇଥିଲେ। ସେହି ସମୟ ମଧ୍ୟରେ ବାଚସ୍ପତିଙ୍କ ଦ୍ବାରା ଆଦେଶର ଅନୁପାଳନ ନ ହେବାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଉପଶମ ପାଇଁ ଆବେଦନକାରୀ କୋର୍ଟର ଦ୍ବାରସ୍ଥ ହେଲେ। ଫଳସ୍ବରୂପ, ସୁପ୍ରିମକୋର୍ଟଙ୍କୁ ବିଜେପି ବିଧାୟକ ଟି ଏସ ସି˚ହଙ୍କ ବିଧାନସଭା ପ୍ରବେଶ ଉପରେ କଟକଣା ଲଗାଇବା ସହିତ ତାଙ୍କ ମନ୍ତ୍ରୀ ପଦ ରଦ୍ଦ କରିବାକୁ ଆଦେଶ ଦେବାକୁ ପଡ଼ିଲା।

ପୁନଶ୍ଚ, ସମ୍ବିଧାନର ଦଶମ ଅନୁଚ୍ଛେଦର ପାରା ୨(୧)(ଖ) ଅନୁଯାୟୀ ଦଳର ନିର୍ଦ୍ଦେଶ (ହୁଇପ)କୁ ଅବମାନନା କରି ଯଦି କୌଣସି ସଦସ୍ୟ ଭୋଟଦାନ କରିଥାନ୍ତି ବା ଭୋଟଦାନରୁ ବିରତ ରହିଥାନ୍ତି ଏବଂ ଏପରି କରିବା ପାଇଁ ଦଳ ପୂର୍ବରୁ ଅନୁମତି ପ୍ରଦାନ କରିଥିବା ବା ଦଳ ସେଥିପାଇଁ କ୍ଷମା ପ୍ରଦାନ କରିଥିବା ସମ୍ପର୍କରେ ୧୫ ଦିନ ମଧ୍ୟରେ ଦର୍ଶାଇ ନ ପାରନ୍ତି, ତେବେ ସେ ଗୃହର ସଦସ୍ୟତା ପାଇଁ ଅଯୋଗ୍ୟ ବିବେଚିତ ହୋଇପାରନ୍ତି। ଉପରୋକ୍ତ କାରଣଗୁଡ଼ିକ ଯୋଗୁ ବିଧାୟକଙ୍କ ସଦସ୍ୟତା ତତ୍‌କ୍ଷଣାତ ରଦ୍ଦ ହେବା ସମୀଚୀନ ହୋଇଥିଲେ ମଧ୍ୟ ଆଇନ ଦୃଷ୍ଟିରୁ ଏ ସମ୍ପର୍କରେ ଅଭିଯୋଗ ଯାଚିକା କେବଳ ବାଚସ୍ପତିଙ୍କ ନିକଟରେ ଦାଖଲ ହୋଇପାରିବ ଓ ସେ ହିଁ କେବଳ ସଦସ୍ୟଙ୍କ ଅଯୋଗ୍ୟତାର ନିର୍ଣ୍ଣୟ ନେଇ ପାରିବେ। କେବଳ ସେତିକି ନୁହେଁ, ଦଶମ ଅନୁଚ୍ଛେଦର ପାରା ୬ ଅନୁଯାୟୀ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କରେ ବାଚସ୍ପତିଙ୍କ ନିର୍ଣ୍ଣୟ ସର୍ବଶେଷ। ଅବଶ୍ୟ ବାଚସ୍ପତିଙ୍କ ନିର୍ଣ୍ଣୟର ଅଦାଲତଙ୍କ ଦ୍ବାରା ନ୍ୟାୟିକ ସମୀକ୍ଷା କରା ଯାଇପାରିବ। ବସ୍ତୁତଃ, ସଦସ୍ୟଙ୍କ ଅଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ବାଚସ୍ପତିଙ୍କୁ ଅଖଣ୍ତ କ୍ଷମତା ପ୍ରଦାନ କରାଯାଇଥିବାରୁ ସେ ନିରପେକ୍ଷ ଓ ସମୟବଦ୍ଧ ଭାବେ ତାଙ୍କ ଦାୟିତ୍ବ ନିର୍ବାହ ପୂର୍ବକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଶା କରାଯାଏ। ବିଶେଷ କରି ବିଧାନସଭାର କାର୍ଯ୍ୟକାଳ ପା˚ଚ ବର୍ଷ ହୋଇଥିବାରୁ ଓ ଦଳବଦଳ ସ˚କ୍ରାନ୍ତ ଘଟଣା ଯେ କୌଣସି ସମୟରେ ଘଟିତ ହେବାର ସମ୍ଭାବନା ଥିବାରୁ ନିର୍ଣ୍ଣୟ ନେବାରେ ଅହେତୁକ ବିଳମ୍ବ ହେଲେ ତାହା ହୁଏତ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସୁହାଇପାରେ। ସେ କ୍ଷେତ୍ରରେ ତାହା ଦଳବଦଳ ନିରୋଧ ଆଇନ ତାର ଉଦ୍ଦେଶ୍ୟର ପରିପନ୍ଥୀ ହୋଇ ଅର୍ଥହୀନ ହୋଇପଡ଼ିବ। ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୋଆ, ନାଗାଲାଣ୍ତ, ଉତ୍ତରାଖଣ୍ତ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିଧାୟକମାନେ ଦଳବଦଳ ଆଇନକୁ ଉଲ୍ଲ˚ଘନ କରିଥିଲେ ମଧ୍ୟ ସେ ସ˚କ୍ରାନ୍ତ ଅଭିଯୋଗଗୁଡ଼ିକର ନିର୍ଣ୍ଣୟରେ କେତେକ ବାଚସ୍ପତିଙ୍କ ଭୂମିକା ସନ୍ଦେହର ଊର୍ଦ୍ଧ୍ବରେ ରହିପାରିନାହିଁ।

ସଦସ୍ୟ ଅଯୋଗ୍ୟତା ସ˚କ୍ରାନ୍ତ ଯାଚିକାଗୁଡ଼ିକ ଏକ ଯୁକ୍ତିସଙ୍ଗତ ସମୟସୀମା ମଧ୍ୟରେ ବାଚସ୍ପତି ନିର୍ଣ୍ଣୟ କରିବାକୁ ବାଧ୍ୟ ବୋଲି ବିଭିନ୍ନ ସମୟରେ ଅଦାଲତ ମତ ବ୍ୟକ୍ତ କରି ଆସୁଥିଲେ ଓ ସେ ନେଇ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ। ତେବେ ଏ ସ˚କ୍ରାନ୍ତ ସମ୍ପତ କୁମାର ବନାମ କାଲେ ୟାଦାୟା (୨୦୧୬) ମାମଲାଟି ସୁପ୍ରିମକୋର୍ଟର ଏକ ପା˚ଚ ଜଣିଆ ବୃହତ୍ତର ଖଣ୍ତପୀଠକୁ ସ୍ଥାନାନ୍ତରିତ ହେଲା ପରେ ଅନ୍ୟ ହାଇକୋର୍ଟମାନେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟକୁ ଅପେକ୍ଷା କରି ବାଚସ୍ପତିମାନଙ୍କୁ ତ୍ବରିତ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାରୁ ବିରତ ରହୁଛନ୍ତି। କେତେକ ବାଚସ୍ପତି ମଧ୍ୟ ଏଭଳି ସ୍ଥିତିର ଲାଭ ଉଠାଇ ସମୟାବଦ୍ଧ ନିର୍ଣ୍ଣୟ ନେବା ଲାଗି ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ପାରିବନି କହି ମାମଲାଗୁଡ଼ିକୁ ଗଡ଼ାଇ ଚାଲିଛନ୍ତି। ତେବେ ବୃହତ୍ତର ଖଣ୍ତପୀଠର ନିର୍ଣ୍ଣୟକୁ ଅପେକ୍ଷା ନ କରି ମଣିପୁର ବିଧାନସଭା ମାମଲାରେ ଏହି ‘ଯୁକ୍ତିସଙ୍ଗତ ସମୟ ସୀମା’ଟି କେତେ ବୋଲି ସୁପ୍ରିମକୋର୍ଟ ଯାହା ସ୍ପଷ୍ଟ କରିଛନ୍ତି, ତାହା ପ୍ରଣିଧାନ ଯୋଗ୍ୟ। କୋର୍ଟଙ୍କ ଅନୁସାରେ ଏଭଳି ପ୍ରତିଟି ମାମଲାରେ ଯୁକ୍ତିସଙ୍ଗତ ସମୟ ସୀମା ଭିନ୍ନ ଭିନ୍ନ ହୋଇପାରେ। ତେବେ ଉଚିତ କାରଣ ଥାଇ କୌଣସି ଅସାଧାରଣ ପରିସ୍ଥିତି ଉପୁଜି ନଥିଲେ, ଯାଚିକା ଦାଏର ହେବାର ସର୍ବାଧିକ ତିନି ମାସ ମଧ୍ୟରେ ବାଚସ୍ପତି ଫଇସଲା ଶୁଣାଇଲେ ଯାଇ ସମ୍ବିଧାନର ଦଶମ ଅନୁଚ୍ଛେଦର ପ୍ରାବଧାନକୁ ଉଲ୍ଲ˚ଘନ କରୁଥିବା ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିବାର ଉଦ୍ଦେଶ୍ୟ ପୂରଣ ହୋଇପାରିବ।

ବିଧାୟକ ଓ ସା˚ସଦମାନଙ୍କୁ ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ ହେଉଥିବା ଯାଚିକାଗୁଡ଼ିକର ବିଚାର ବାଚସ୍ପତିଙ୍କ ଭଳି ଏକ ଅର୍ଦ୍ଧ-ନ୍ୟାୟିକ ପ୍ରାଧିକରଣ ଉପରେ ନ୍ୟସ୍ତ କରିବା କେତେ ଯୁକ୍ତିସଙ୍ଗତ ତା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଯାହା ହେଲେ ବି ବାଚସ୍ପତି ବାସ୍ତବରେ (ଡି ଫାକ୍େ‌ଟା) ବା ବିଧି ଅନୁସାରେ (ଡି ଜୁରେ) ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ସଭ୍ୟ ହୋଇଥିବାରୁ ତାଙ୍କର ସେହି ଦଳ ପ୍ରତି ଆନୁଗତ୍ୟ ଓ ସେହି ଦଳର ସ୍ବାର୍ଥରକ୍ଷା ପାଇଁ ଅପ୍ରକାଶ୍ୟରେ ଉଦ୍ୟମ କରିବା ସ୍ବାଭାବିକ। ଏକ ପକ୍ଷରେ ସେ ସେହି ଗୃହର ଅ˚ଶ ବିଶେଷ ହୋଇଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କ କାର୍ଯ୍ୟକାଳ ଗୃହର ସ˚ଖ୍ୟାଧିକ ସଦସ୍ୟଙ୍କ ଇଚ୍ଛା ଓ ବିଶ୍ବାସ ଉପରେ ନିର୍ଭର କରିଥାଏ। ତେଣୁ ବାଚସ୍ପତି ଆସନରେ ବସିଥିବା ଅଳ୍ପ କେତେକଙ୍କୁ ବାଦ ଦେଲେ ଅଧିକା˚ଶ ଏହି ଧରଣର ଯାଚିକାରେ ନିଷ୍ପତ୍ତି ନେଲା ବେଳେ ବିଚାରପତିର ଆସନରେ ବସି ମଧ୍ୟ ନିରପେକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହୋଇଥାନ୍ତି ବା ସେମାନଙ୍କ ନିରପେକ୍ଷତା ନେଇ ସନ୍ଦେହ ଉପୁଜିଥାଏ। ଏ ସ˚କ୍ରାନ୍ତରେ ‘କିହୋଟୋ ହୋଲୋହାନ’ ମାମଲା (୧୯୯୨)ରେ ଜଷ୍ଟିସ ବର୍ମାଙ୍କ ଟିପ୍ପଣୀ ମଧ୍ୟ ପ୍ରଣିଧାନ ଯୋଗ୍ୟ ଯେଉଁଥିରେ ସେ ପ୍ରାକୃତିକ ନ୍ୟାୟର ଏକ ମୌଳିକ ସିଦ୍ଧାନ୍ତ ‘ନେମୋ ଜୁଡେକ୍‌ସ ଇନ କଜା ସୁଆ’କୁ ଉଦ୍ଧାର କରି ଲେଖିଥିଲେ, ‘କୌଣସି ମାମଲାରେ ଜଣେ ବିଚାରପତି ପକ୍ଷପାତିତା ଆଚରଣ କରିବାର ସମ୍ଭାବନା ଥିଲେ ବା ସେ ନେଇ ସନ୍ଦେହ ବଳୟରେ ଥିଲେ ସେ ସେହି ମାମଲାର ବିଚାର କରିବା ଲାଗି ଅଯୋଗ୍ୟ।’ ଜଣେ ନିୟମିତ ନ୍ୟାୟାଧିକାରୀଙ୍କ ପ୍ରତି ଏହି ନିୟମ ଲାଗୁ ହେଉଥିବା ବେଳେ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ସନ୍ଦେହ ଉପୁଜୁଥିବାରୁ ତାଙ୍କ ଭଳି ଜଣେ ଅର୍ଦ୍ଧ-ନ୍ୟାୟିକ ପ୍ରାଧିକାରୀ ସେହି ନିୟମର ଊର୍ଦ୍ଧ୍ବରେ କିପରି ବା ରହି ପାରିବେ? ତେଣୁ ସ˚ସଦ ଦଳବଦଳ ନିରୋଧ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନରେ ସ˚ଶୋଧନ କରିବାର ଆବଶ୍ୟକତା ଉପୁଜିଲାଣି। ଦଶମ ଅନୁଚ୍ଛେଦରେ ଉଲ୍ଲିଖିତ ବାଚସ୍ପତିଙ୍କ ସ୍ଥାନରେ ଏକ ସ୍ଥାୟୀ ନ୍ୟାୟାଧିକରଣ (ଟ୍ରିବ୍ୟୁନାଲ) ପ୍ରତିଷ୍ଠା କରିବା କଥା ବିଚାର କରାଯାଇପାରେ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଏହି ନ୍ୟାୟାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇପାରନ୍ତି। ନ ହେଲେ ସ˚ସଦ ଓ ବିଧାନସଭା ବାହାରେ କୌଣସି ସ୍ବାୟତ୍ତ ଅନୁଷ୍ଠାନ ବା ବ୍ୟବସ୍ଥା ପ୍ରତିଷ୍ଠା କରିବା କଥା ମଧ୍ୟ ବିଚାର କରାଯାଇପାରେ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ତାହା ହେଲେ ଗଣତନ୍ତ୍ରକୁ ସୁଚାରୁ ରୂପେ କାର୍ଯ୍ୟ କରିବାରେ ସହାୟକ ହେବା ପାଇଁ ଦଶମ ଅନୁଚ୍ଛେଦରେ ଥିବା ପ୍ରାବଧାନ ପ୍ରକୃତ ଦନ୍ତଯୁକ୍ତ ହୋଇ ଦଳବଦଳ ନିରୋଧ ଆଇନ ପ୍ରଭାବୀ ହେବା ସହ ଏହି ଧରଣର ଯାଚିକାଗୁଡ଼ିକର ତ୍ବରିତ ଓ ନିରପେକ୍ଷ ସମାଧାନ ହେବା ସୁନିଶ୍ଚିତ କରାଯାଇପାରିବ। ଏ ସ˚କ୍ରାନ୍ତରେ ସୁପ୍ରିମକୋର୍ଟର ବୃହତ୍ତର ଖଣ୍ତପୀଠଙ୍କ ନିର୍ଣ୍ଣୟର ଅପେକ୍ଷା ଥିଲେ ମଧ୍ୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳବଦଳ ଆଇନକୁ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ନାଗରିକ ସମାଜ ଓ ଆଇନ ପ୍ରଣେତାମାନେ ଏ ନେଇ ମାନସ ମନ୍ଥନ କରିବାର ଆବଶ୍ୟକତା ରହିଛି।

ଭୁବନେଶ୍ବର
ମୋ-୯୪୩୭୦୩୮୦୧୫
saraljatil.com