ପେଟ୍ରୋଲ, ପଲିଟିକ୍‌ସ ଓ ବଚ୍ଚନ

ପବିତ୍ର ମୋହନ କର

୨୦୧୪ ମସିହାର ନିର୍ବାଚନରେ ପେଟ୍ରୋଲ-ଡିଜେଲର ଦରବୃଦ୍ଧିଜନିତ ଜନ ଅସନ୍ତୋଷ ତତ୍କାଳୀନ ୟୁପିଏ ସରକାର ହାରିବାର ଅନ୍ୟତମ ପ୍ରମୁଖ କାରଣ ଥିଲା। ଜନ ସ୍ବାର୍ଥର ସୁରକ୍ଷା ନିମନ୍ତେ ନିର୍ବାଚିତ ସରକାର ଉପରେ ଚାପ ପ୍ରୟୋଗ କରିବା ହେଉଛି ଗଣତନ୍ତ୍ରର ଶକ୍ତି। ସେତେବେଳେ ତୈଳ ଦର ବୃଦ୍ଧି ବିରୋଧରେ ଅମିତାଭ ବଚ୍ଚନ, ଅନୁପମ ଖେର, ଅକ୍ଷୟ କୁମାର ଆଦିଙ୍କ ଭଳି ମନୋରଞ୍ଜନ ଦୁନିଆଁର ତାରକାମାନେ ବିଭିନ୍ନ ପରିହାସ ମୂଳକ ଟ୍ବିଟ୍ କରି ସରକାର ଉପରେ ଚାପ ପକେଇଥିଲେ। ଅନ୍ତଃରାଷ୍ଟ୍ରୀୟ ବଜାରରେ ସେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ଦେଢ଼ ଶହ ଡଲାର ଛୁଇଁଥିବା ହିଁ ଆମ ଦେଶରେ ତୈଳ ଦର ବୃଦ୍ଧିର ଏକମାତ୍ର କାରଣ ଥିଲା ବୋଲି ସମସ୍ତେ ଜାଣିଥିଲେ।

ଏବେ ଭାରତରେ ତୈଳ ଦର ଲିଟର ପିଛା ଶହେ ଟଙ୍କା ଅତିକ୍ରମ କରି ଏକ ଅବାଞ୍ଛିତ ରେକର୍ଡ କରିଛି, ଯଦିଓ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଷାଠିଏରୁ ସତୁରି ଡଲାର ମଧ୍ୟରେ ରହିଛି। ଅମିତାଭ, ଅନୁପମ କି ଅକ୍ଷୟ ଏ ପ୍ରସଙ୍ଗରେ ଏଯାବତ୍ ତୁଣ୍ଡ ଖୋଲି ନାହାନ୍ତି। ଯେଉଁ ବାବା ରାମଦେବ ସାତ ବର୍ଷ ତଳେ ୩୫ ଟଙ୍କାରେ ପେଟ୍ରୋଲ ଯୋଗାଇବାକୁ ସକ୍ଷମ ଦଳ ସପକ୍ଷରେ ଭୋଟ ପାଇଁ ଅପିଲ କରୁଥିଲେ, ଏବେ ଦର ବୃଦ୍ଧିକୁ ସମର୍ଥନ କରୁଛନ୍ତି। ସରକାର ବଦଳିଲେ ସାଧୁସନ୍ଥଙ୍କ ସ୍ବର ବଦଳିବା ଦୁର୍ଭାଗ୍ୟଜନକ।

ଚଳଚ୍ଚିତ୍ର ଓ କ୍ରିକେଟ୍‌ ଜଗତ୍‌ର ତାରକାମାନେ ଜନସାଧାରଣଙ୍କ ନଜରରେ ମଡେଲ। ବହୁଳ ଲୋକପ୍ରିୟତା ହେତୁ ସେମାନେ ବିଭିନ୍ନ ଖାଉଟି ଦ୍ରବ୍ୟର ବିଜ୍ଞାପନ କରନ୍ତି। ଯୁବପିଢ଼ି ସେମାନଙ୍କୁ ଅନୁକରଣ କରି ପୋଷାକ ପିନ୍ଧନ୍ତି, ଚୁଟି ରଖନ୍ତି ଓ ଟାଟୁ ବି କରନ୍ତି। ଜାତୀୟ ଏକତା ଓ ସଂହତି ସଂକ୍ରାନ୍ତ ପ୍ରଚାର-ପ୍ରସାରରେ ଏଇ ସାମାଜିକ ସୂତ୍ରଧରମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ପୋଲିଓ ନିରାକରଣ ପାଇଁ ପ୍ରସାରିତ ଅମିତାଭ ବଚ୍ଚନଙ୍କ ବିଜ୍ଞାପନ ଏକ ସଫଳ ଉଦାହରଣ। ନିକଟ ଅତୀତରେ କରୋନା ସମ୍ବନ୍ଧୀୟ ସଚେତନତା ପ୍ରସାରରେ ଏହି ମଡେଲମାନଙ୍କ ଭୂମିକା ପ୍ରଶଂସନୀୟ ଥିଲା।

ଅମିତାଭ ବଚ୍ଚନଙ୍କ ଭଳି ଯେଉଁମାନେ ୨୦୧୪ ନିର୍ବାଚନ ବେଳେ ଦର ବୃଦ୍ଧି ହେତୁ ବିବ୍ରତ ଥିଲେ, ଏବର ଚା‌ଷୀ ଆନ୍ଦୋଳନ ଓ ତୈଳ ଦରକୁ ନେଇ ସେପରି ଚିନ୍ତିତ ଜଣାପଡୁ ନାହାନ୍ତି। ସ୍ବତଃ ପ୍ରଶ୍ନ ଉଠେ, ଏବେ ଜନତାଙ୍କ ପ୍ରତି ସେମାନଙ୍କ ସହାନୁଭୂତି ଶୁଖିଗଲା କିପରି? କ୍ୟାଡ଼ବରି, କଲ୍ୟାଣ ଜୁଏଲର୍ସ ବା ନବରତ୍ନ ତେଲର ବିଜ୍ଞାପନ ପରି ପାରିଶ୍ରମିକ ନେଇ ଏମାନେ ଦଳକୁ ସୁହାଇଲା ଭଳି ଟ୍ବିଟ୍ କରନ୍ତି କି ?

ବୃଦ୍ଧି ପାଉଥିବା ଧର୍ମୀୟ ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରି ଅନେକ ସାହିତ୍ୟିକ ଓ କଳାକାର ସରକାର ପ୍ରଦତ୍ତ ସମ୍ମାନ ଫେରେଇଥିଲେ। ସରକାର ସମ୍ମୁଖରେ ନିଜ ପକ୍ଷ ରଖିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। ବିଡ଼ମ୍ବନାର ବିଷୟ ଦେଶର ସ୍ଥିତିକୁ ନେଇ ସ୍ବର ଉଠେଇଥିବା ଶିଳ୍ପୀମାନଙ୍କ ବିରୋଧରେ ଅନୁପମ ଖେରଙ୍କ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ର ତାରକାମାନେ ପବ୍ଲିକ ରାଲି କରିଥିଲେ। ଦେଶ କହିଲେ କ’ଣ କେବଳ ଗୋଟେ ସରକାର? ସରକାର କ’ଣ ଗୋଟେ ଦଳ? ଦେଶ ବା ସରକାର କ’ଣ କେବଳ ସମର୍ଥକଙ୍କର, ସମାଲୋଚକଙ୍କର ନୁହେଁ?

ସରକାର ଗଢ଼ା ହୁଏ ଓ ଭାଙ୍ଗେ। ଶାସନ ଦାୟିତ୍ବରେ ଥିବା ଦଳ ଓ ବ୍ୟକ୍ତି ବଦଳନ୍ତି। ନୂଆ ଦଳ, ନୂଆ ନେତାଙ୍କର ଆବିର୍ଭାବ ଘଟେ। ଦେଶ କିନ୍ତୁ ସେମିତି ଥାଏ, ବରଂ ଆହୁରି ମଜଭୁତ ହୁଏ। ଏହା ହିଁ ଗଣତନ୍ତ୍ରର ମୌଳିକ ସଂରଚନା। ଅମିତାଭ, ଅନୁପମ କିମ୍ବା ସଚିନଙ୍କ ଭଳି ଲୋକକ୍ଷେତ୍ରର ବେସରକାରୀ ନାୟକମାନେ ଜାତୀୟ ସଂକଟ ସମୟରେ ଜନ ଜାଗରଣର ସୂତ୍ରଧର ସାଜିବା ଆବଶ୍ୟକ। ଏକ ନିର୍ଦ୍ଦିଷ୍ଟ ଦଳର ଚାଟୁକାର ହେବା ସେମାନଙ୍କ ଅର୍ଜିତ ନାୟକତ୍ବର ଅପମାନ ସଦୃଶ।

ଶହେ ଦିନରୁ ଅଧିକ କାଳ ହେଲା ଚାଷୀ ଆନ୍ଦୋଳନ ଜାରି ଅଛି। ବିଦେଶରେ ସେମାନଙ୍କ ସମର୍ଥନରେ ସ୍ବର ଉଠିଲାଣି। ଅଥଚ ଏକଦା ମୁଖର ଥିବା ଆମ କଳାକାରମାନେ ଏବେ ନିରବ। ଅଧିକନ୍ତୁ, ବିଦେଶୀମାନଙ୍କ ଦ୍ବାରା ପ୍ରକଟିତ ଚିନ୍ତାକୁ ଆମ ଘରୋଇ ମାମଲାରେ ହସ୍ତକ୍ଷେପ କହି ସଚିନ ବା କୋହଲିଙ୍କ ଭଳି କ୍ରିକେଟରମାନେ ଟ୍ବିଟ୍ କରିଛନ୍ତି।

୨୦୧୪ ମସିହାରେ ଜନ ଲୋକପାଳ ବିଲ୍‌ ଦାବିରେ ଆନ୍ନା ହଜାରେଙ୍କ ଭଳି ଅଣରାଜନୈତିକ ବ୍ୟକ୍ତିଙ୍କ ନେତୃତ୍ବରେ ଆନ୍ଦୋଳନ ଜନମାନସକୁ ପ୍ରଭାବିତ କରିଥିଲା। ଏବର ଚାଷୀମାନଙ୍କ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ କରିବାକୁ ଆନ୍ନା ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ସେଥିରୁ ଓହରି ଗଲେ। କୌଣସି ମାମଲାରେ ପକ୍ଷ ଓ ପ୍ରତିକ୍ରିୟା ରଖିବା ଜଣେ ବେସରକାରୀ ବ୍ୟକ୍ତିର ଇଚ୍ଛାଧୀନ। ଅମିତାଭ କି ଆନ୍ନାଙ୍କ ଭଳି ବ୍ୟକ୍ତିମାନେ ସାଧାରଣ ନାଗରିକ ଭଳି ମାମୁଲି ନୁହନ୍ତି। ସେମାନେ ଲକ୍ଷ ଲକ୍ଷ ମଧ୍ୟବିତ୍ତଙ୍କ ମାନସିକ ନାୟକ; ସେମାନଙ୍କର ସ୍ୱର। ଶଙ୍କର ଓ ଆର.କେ.ଲକ୍ଷ୍ମଣଙ୍କ ଭଳି ବ୍ୟଙ୍ଗ ଚିତ୍ରକରମାନେ ସରକାରକୁ ସମାଲୋଚନା କରୁଥିଲେ ବୋଲି ଆଜି ବି ସ୍ମରଣୀୟ।

ପଦ ଓ ପ୍ରତିଷ୍ଠା ନିର୍ବିଶେଷରେ ସମସ୍ତେ ଆଇନ ଆଖିରେ ସମାନ। ସମ୍ବିଧାନ ହେଉଛି ଗୋଟେ ସାର୍ବଭୌମ ରାଷ୍ଟ୍ରର ବ୍ୟାକରଣ। ଦେଶ ଚଳେଇବା ଦାୟିତ୍ୱ ନିର୍ବାଚିତ ସରକାରର। ଦେଶର ସାମ୍ବିଧାନିକ ଢାଞ୍ଚା ଓ ବ୍ୟବସ୍ଥାର ସୁରକ୍ଷା ଦାୟିତ୍ବ ନ୍ୟାୟପାଳିକା ଉପରେ ନ୍ୟସ୍ତ। ସମ୍ବିଧାନ ପ୍ରଦତ୍ତ ଅନେକ ଅଧିକାର ସହ ପ୍ରତ୍ୟେକ ନାଗରିକର ରାଷ୍ଟ୍ର ପ୍ରତି ଯଥେଷ୍ଟ ଦାୟିତ୍ବ ଓ କର୍ତ୍ତବ୍ୟ ରହିଥାଏ। ସରକାରୀ ବ୍ୟବସ୍ଥା ବାହାରେ ଏମିତି ଅନେକ କ୍ଷେତ୍ର ଅଛି, ଯେଉଁଠି ସାଧାରଣ ନାଗରିକଟିଏ ଜାତି, ଧର୍ମ ଓ ଦଳ ନିର୍ବିଶେଷରେ ସମଗ୍ର ରାଷ୍ଟ୍ରକୁ ପ୍ରଭାବିତ କରିପାରେ, ସାମୂହିକ ଜନମାନସକୁ ଉଦ୍‌ବୁଦ୍ଧ କରିପାରେ। ଲୋହିଆ, ଜେପି, ବିବେକାନନ୍ଦଙ୍କ ଭଳି ଲୋକକ୍ଷେତ୍ରର ପ୍ରେରଣାଦାୟୀ ମନୀଷୀଙ୍କ ସମ୍ବନ୍ଧରେ ଆମେ ଜାଣୁ।

ଅଗଣିତ ସ୍ବରହୀନ ମଣିଷଙ୍କ ସ୍ବର ଭାବେ ବିବେଚିତ ଲୋକକ୍ଷେତ୍ରର ଏହି ନିର୍ଦଳୀୟ ନାୟକମାନଙ୍କ ନୀତି, ନୈତିକତା ଓ ନିରପେକ୍ଷତାରେ ଏବେ ପ୍ରଶ୍ନ ଚିହ୍ନ। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ହେବାରେ ସମସ୍ୟା ନାହିଁ। କିନ୍ତୁ ଚାଟୁକାର ପାଲଟି ଗଲେ ଏମାନେ ଜନତାଙ୍କ ତରଫରୁ ସରକାର ଉପରେ ଚାପ ସୃଷ୍ଟି କରିପାରିବେନି। ନିଜ ଲୋକପ୍ରିୟତାକୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର କରିବା ଦୋଷରେ ସେମାନେ ଦୋଷୀ ହେବେ।

ମୋ: ୯୪୩୭୦୬୬୦୯୯

ସମ୍ବନ୍ଧିତ ଖବର