ଦି ଗ୍ରେଟ୍‌ ଇଣ୍ଡିଆନ କିଚେନ

ସୁଲଗ୍ନା ମହାନ୍ତି

ଗତ ଜାନୁଆରି ମାସରେ ଗୋଟିଏ ମଲୟାଲମ ସିନେମା ମୁକ୍ତିଲାଭ କରିଛି। ସିନେମାଟିର ନାଁ ହେଲା ‘ଦି ଗ୍ରେଟ୍‌ ଇଣ୍ଡିଆନ କିଚେନ’। ସିନେମାଟି ଗୋଟିଏ ନବ ବିବାହିତା ଯୁବତୀ ବିଷୟରେ ଯିଏ ନିଜ ବିବାହ ପରେ ଶାଶୂଘରେ ରାନ୍ଧିବାକୁ ନେଇ ସଂଘର୍ଷ କରୁଛି। ଏଇଠି ଗୋଟିଏ କଥା ମୁଣ୍ଡକୁ ଆସିପାରେ ଯେ ହୁଏତ ଯୁବତୀଟିକୁ ରୋଷେଇ ଆସୁ ନ ଥାଇପାରେ। ହେଲେ ନା। ଯୁବତୀଟିକୁ ଭଲ ରୋଷେଇ ଜଣା। ତାକୁ ରୋଷେଇ ଘରେ ତା’ ଶାଶୂ ସାହାଯ୍ୟ ମଧ୍ୟ କରନ୍ତି। ହେଲେ ବିବାହର କିଛି ଦିନ ପରେ ଶାଶୂଙ୍କୁ ନିଜ ଗର୍ଭବତୀ ଝିଅକୁ ସାହାଯ୍ୟ କରିବାକୁ ବିଦେଶ ଯିବାକୁ ପଡ଼େ। ହଠାତ୍‌ ଶାଶୂ ବାହାରକୁ ଚାଲିଯିବା ପରେ ନବ ବିବାହିତା ଝିଅଟି ଉପରେ ରୋଷେଇ ଘରର ସବୁ ଦାୟିତ୍ବ ପଡ଼େ। ଘରେ ସ୍ବାମୀ ଆଉ ଶଶୁର। କିନ୍ତୁ ସକାଳୁ ରାତି ଯାଏଁ ରୋଷେଇ ଘରେ ମେସିନ ଭଳି ଖଟିବାକୁ ଏଇ ଝିଅଟି ଆଗ୍ରହୀ ନୁହେଁ। ସେ ଜଣେ ଭଲ ନୃତ୍ୟ ଶିଳ୍ପୀ। ସେ ଗୋଟିଏ ସ୍କୁଲରେ ନାଚ ଶିଖେଇବା ପାଇଁ ଚାକିରି ପାଏ। ହେଲେ ସ୍ବାମୀ ଓ ଶଶୁର ମନା କରନ୍ତି; କାରଣ ସେ ଚାକିରି କଲେ ଗରମ ଗରମ ଖାଦ୍ୟ କିଏ ପରଷି ଦେବ?

ଯେତେବେଳେ ଏଇ ସିନେମାଟି ଦେଖିବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ସିନେମାଟିରେ ଅଧା ସମୟ ଝିଅଟି ସକାଳୁ ଉଠୁଛି, ବାସନ ମାଜୁଛି, ସିଙ୍କ୍‌ ସଫା କରୁଛି, ସକାଳ ଜଳଖିଆ ତିଆରି କରୁଛି, ଜଳଖିଆ ବାଢ଼ୁଛି, ଅଇଁଠା ବାସନ ଉଠଉଛି, ଟେବୁଲ ପୋଛୁଛି, ତା’ପରେ ଦି ପହର ରୋଷେଇ ପାଇଁ ପରିବା କାଟୁଚି, ମସଲା ବାଟୁଛି, ଡାଲି ତରକାରି ରାନ୍ଧୁଛି, ଭାତ ଗାଳୁଛି, ପୁଣି ଖାଇବା ବାଢୁଛି, ପୁଣି ଅଇଁଠା ବାସନ ଉଠଉଛି, ପୁଣି ଟେବୁଲ ପୋଛୁଛି, ସିଙ୍କ୍‌ରେ ଜମିଥିବା ପାଣି ସଫା କରୁଛି, ନିଜ ହାତ ତାକୁ ଅପରିଷ୍କାର ଲାଗୁଚି, ସେ ହାତକୁ ବାରମ୍ବାର ଧୋଉଛି। ତଥାପି ହାତରୁ ଅଇଁଠା ବାସନର ଗନ୍ଧ ଛାଡୁନି। ତା’ ପରେ ପୁଣି ରାତି ଖାଇବା ପାଇଁ ପରିବା କାଟୁଚି, ରାତି ଖାଇବା ତିଆରି କରୁଛି, ପୁଣି ଖାଇବା ବାଢୁଛି, ପୁଣି ଅଇଁଠା ବାସନ ଉଠଉଛି, ପୁଣି ଟେବୁଲ ପୋଛୁଛି, ପୁଣି ହାତକୁ ବାରମ୍ବାର ଧୋଉଛି। ଆଉ ଏଇ ସିନ୍‌ଗୁଡ଼ିକ ବାରମ୍ବାର ଦେଖିଲେ ଆପଣ ଜାଣିପାରିବେ ଯେ ସିନେମାଟିର ନିର୍ଦ୍ଦେଶକ ଜାଣିଶୁଣି ଏଇ ସିନ୍‌ଗୁଡ଼ିକ ଏତେ ଥର ଦେଖଉଛନ୍ତି। କାରଣ ଏହା ହିଁ ହେଲା ଅଧେ ଭାରତର ନିମ୍ନ-ମଧ୍ୟବିତ୍ତ ଓ ମଧ୍ୟ-ମଧ୍ୟବିତ୍ତ ପରିବାରର ସ୍ତ୍ରୀ ଲୋକଙ୍କ ଭାଗ୍ୟରେ ଜୁଟୁଥିବା ସତ୍ୟ।

ବାହାରକୁ ଗୁରୁତ୍ବହୀନ ଲାଗୁଥିବା ଏମିତି ଛୋଟଛୋଟ କାମରେ ହିଁ ତାର ସାରା ଦିନ କଟିଯାଏ, ଆଉ ଶେଷରେ ହୁଏତ ଶୁଣିବାକୁ ମିଳେ- ‘ଘରେ ବସି ତମେ କ’ଣ ଆଉ ଅଧିକାଟା କରୁଛ କି?’ ନ ହେଲେ ଶୁଣିବାକୁ ମିଳେ ‘ଘରଟା ତମେ ହିଁ ସମ୍ଭାଳିଚ।’ ସୁତରାଂ ଏଭଳି ନାରୀଙ୍କ ଜୀବନର ଅର୍ଧାଧିକ ସମୟ କଟେ ଏଇ ‘ଗ୍ରେଟ୍‌ ଇଣ୍ଡିଆନ କିଚେନ୍‌’’ରେ, ଆଉ ଅନେକ ସମୟରେ ଏଇ ସମାଜ ସେମାନଙ୍କୁ ମହିମାନ୍ବିତ କରି ତାଙ୍କୁ ତାଙ୍କ ସ୍ୱପ୍ନରୁ ବଂଚିତ କରିଥିବାର ଅପରାଧବୋଧରୁ ମୁକ୍ତ ହେବା ଲାଗି ରାସ୍ତା ଖୋଜେ। କେବେ କୋଉ ମା’, ଭଉଣୀ, ସ୍ତ୍ରୀ, ବୋହୂ, ଖୁଡ଼ୀ, ମାଇଁ, ଭାଉଜ, ପିଉସୀ, ମାଉସୀକୁ ପଚରା ହୁଏ କି- ‘ତମକୁ କ’ଣ କେବେ କାମ କରିକରି ହାଲିଆ ଲାଗେନି? ତମକୁ କ’ଣ କେବେ କିଛି ନ କରି କେବଳ ବସି ରହିବାକୁ ଇଚ୍ଛା ହୁଏନି? ତମକୁ କେବେ ବାହାରକୁ ବୁଲିଯିବାକୁ ଇଚ୍ଛା ହୁଏନି? ତମକୁ କ’ଣ କେବେ ଘରେ ନ ରାନ୍ଧି ବାହାରୁ ମଗେଇ ଖାଇଦେବାକୁ ଇଚ୍ଛା ହୁଏନି?’ ଆଉ ଯଦି କେତେବେଳେ କେଉଁ ପୁରୁଷ ରୋଷେଇ ଘରେ ପଶିଯା’ନ୍ତି, ସେତେବେଳେ ଏଇ ମହିଳାମାନେ କୁହନ୍ତି- ‘ଆରେ ତମେ କ’ଣ ପାଇଁ ରୋଷେଇ ଘରକୁ ଆସିଲ? କିଛି ଦରକାର ଥିଲା ଯଦି ମତେ କହିଲନି?’ ସେମାନେ ନିଜକୁ ନିଜେ ଦୋଷୀ ଅନୁଭବ କରନ୍ତି। କାରଣ ସମାଜ ତାଙ୍କୁ ଶିଖେଇଚି ଯେ ରୋଷେଇ ଘରେ ପୁରୁଷର ପ୍ରବେଶ ମନା। ଯେଉଁ ଘରେ ପୁରୁଷ ରୋଷେଇ କରେ, ସେଇ ଘରର ସ୍ତ୍ରୀ ହେଲା ନିଷ୍କର୍ମା, ଅପଦାର୍ଥ। ଭଲ ରୋଷେଇ କରିବା ତ ହେଲା ସ୍ତ୍ରୀର ଏକମାତ୍ର ପରିଚୟ।

ଆମେ ଭାବୁ ସମାଜ ବୋଧେ କେବଳ “ଗୋଲ ଗୋଲ ରୁଟି କରି ପାରୁଥିବା ଝିଅ’’କୁ ବୋହୂ କରିବା ପାଇଁ ଖୋଜେ; ଆଉ ଗୋଲ ରୁଟି କରି ପାରୁ ନ ଥିବା ବୋହୂ ଘର ପରିବାର ସମ୍ପର୍କୀୟ ସମସ୍ତଙ୍କ ଗଞ୍ଜଣାର ଶିକାର ହୁଏ। ହେଲେ ଏଇ ସମାଜରେ ଗୋଲ ଗୋଲ ରୁଟି କରିପାରୁଥିବା ଝିଅଙ୍କ ସାଙ୍ଗରେ ବି ସୂକ୍ଷ୍ମ ରୂପରେ କିଛି ଘଟେ, ଯାହା ବିଷୟରେ କହିଲେ ହୁଏ’ତ ମୋତେ ଗୋଟିଏ ‘ଛଦ୍ମ-ନାରୀବାଦୀ’ର ଆଖ୍ୟା ମିଳିପାରେ। ‘ତୁମ ହାତରନ୍ଧା ଭଳି ଆଉ କାହା ହାତରନ୍ଧା ନୁହେଁ। ଆଜି ବି ଟିକେ ସେମିତି ଖିରି କରନ୍ତନି?’ ବା ‘ସେଦିନ ବଢ଼ିଆ ପକୁଡ଼ି କରିଥିଲ। ଆଜି ବର୍ଷା ପାଗରେ ବି ସେମିତି ପକୁଡ଼ି ଖାଇବାକୁ ଇଚ୍ଛା ହଉଚି’ ଅଥବା ‘ଆମ ବୋହୂ ଦୁନିଆର ବେଷ୍ଟ କୁକ୍। ହୋଟେଲରୁ ମଗେଇବା କ’ଣ ଦରକାର? ସେ ଏମିତି ବିରିୟାନୀ କରିଦେବ ଯେ ତମେ ହୋଟେଲର ବିରିୟାନୀ ଭୁଲିଯିବ।’ କିଂବା ‘ବୋଉ ଯେତେ କାମ କଲେ ବି ହାଲିଆ ହୁଏନି। ତାକୁ କାମ କରିବାକୁ ଭଲ ଲାଗେ’- ଇତ୍ୟାଦି ଭଳି ଅନେକ ପ୍ରଶଂସାର ଆଢୁଆଳରେ ଘର ପରିବାରରେ ଅନେକ ‘ଅଦୃଶ୍ୟ-ମହିଳା-ଶ୍ରମିକ’ (invisible female labour) ତିଆରି କରାଯାଏ, ଯାହା ପାଇଁ କିଛି ପାଉଣା ନଥାଏ। ପୂଜା ପାର୍ବଣରେ ସକାଳୁ ସନ୍ଧ୍ୟା ଯାଏ ମହିଳାମାନେ ରୋଷେଇ ଘରେ। ସେମାନେ ରୋଷେଇ ଘରେ ନ ରହିଲେ ସଂସ୍କୃତି ଆଉ ପରମ୍ପରା କେମିତି ବଞ୍ଚି ରହିବ? ଘରକୁ କୁଣିଆ ଆସିଲେ ବି ସକାଳୁ ସନ୍ଧ୍ୟା ଯାଏ ମହିଳାମାନେ ରୋଷେଇ ଘରେ। ସେମାନେ ରୋଷେଇ ଘରେ ନ ରହିଲେ ଭଗବାନ କେମିତି ଖୁସି ହେବେ? ମହିଳାମାନଙ୍କର ଏମିତି ବେଠି ଖଟିବା କାହାରି ଆଖିକୁ ଦିଶେନାହିଁ କାରଣ ଏସବୁ କୁଆଡ଼େ ଗୋଟିଏ ଗୃହିଣୀର କର୍ତ୍ତବ୍ୟ। ନିଜେ ଘର ପାଇଁ ଏତିକି କଲେ ପାଉଣା କ’ଣ ଦରକାର ଯେ?

ଏଇ ପାଉଣା ବିଷୟରୁ ଆଉ ଗୋଟିଏ କଥା ମନେ ପଡ଼ିଲା। କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଦେଖିଥିଲି ଗୋଟିଏ ଆଲୋଚନା। ଗୃହିଣୀମାନଙ୍କୁ ମାସ ଶେଷରେ କିଛି ବେତନ ଦେବା ଉପରେ କଥା ଚାଲିଥିଲା। ତେବେ କିଛି ଭଦ୍ରଲୋକ ଏହାର ବିରୋଧ କରି କହି ଚାଲିଥିଲେ- ‘ଆମ ସ୍ତ୍ରୀମାନଙ୍କ ହାତରେ ଆମେ ସବୁ ଦରମା ପଇସା ଦେଇଦଉଚୁ। ସେମାନେ ତ ଘରର ରାଣୀ। ଆମେ ତାଙ୍କଠୁ ମାଗିକି ଚଳୁଚୁ। ଆଉ ତାଙ୍କୁ ତାଙ୍କ ବେତନ ଦେବା କ’ଣ ଦରକାର?’ ଆଉ ଜଣେ କହୁଥିଲେ- ‘ସେମାନେ କେତେ ସ୍ନେହ, ପ୍ରେମ, ମମତାରେ ଘରର କାମ କରୁଛନ୍ତି? ସେଇ ପ୍ରେମର କ’ଣ କିଛି ମୂଲ୍ୟ ଅଛି? ତାଙ୍କୁ ବେତନ ଦେବା ମାନେ ସେଇ ପ୍ରେମକୁ ଅପମାନ କରିବା ଓ ତା’ର ମୂଲ୍ୟ ନିର୍ଦ୍ଧାରଣ କରିବା’; ଏମିତି ଗୁଡ଼ାଏ କଥା। ସାମାଜିକ ଗଣମାଧ୍ୟମରେ ଏ ଗୁଡ଼ା ପଢ଼ିବା ପରେ ଭାବିଲି କିଛି ଗୃହିଣୀଙ୍କୁ ପଚାରି ତାଙ୍କ ମତାମତ ନେବି। ଆଉ କହିବା ବାହୁଲ୍ୟ ମତେ ଏମିତି ଜଣେ ବି ଗୃହିଣୀ ମିଳିଲେ ନାହିଁ ଯିଏ ମତେ କହିଥିବେ ଯେ ତାଙ୍କୁ ମାସ ଶେଷରେ ବେତନ ଦରକାର ନାହିଁ। ବୋଧହୁଏ ସାମାଜିକ ଗଣମାଧ୍ୟମରେ ଆଲୋଚନା କରୁଥିବା ସେଇ ଭଦ୍ରବ୍ୟକ୍ତିମାନେ ଅଲଗା ଏକ କେଉଁ ଗ୍ରହର।

କହିବାକୁ ଗଲେ ଏଇ ପୁରୁଷ-କୈନ୍ଦ୍ରିକ ସମାଜରେ ପରିବାରରେ ରୋଷେଇ ଘରେ ନାରୀଟିଏ କରୁଥିବା ପ୍ରତିଟି କାମର ମୂଲ୍ୟ ନିର୍ଦ୍ଧାରଣ କରିବା ସତରେ ମୂର୍ଖତା। ହେଲେ ତୁଚ୍ଛା ପ୍ରଶଂସା କରି ନାରୀଟିକୁ ତା’ କାମ ପାଇଁ ଗୌରବମଣ୍ଡିତ କରି ଶହଶହ ବର୍ଷ ଧରି କରା ଯାଇ ଚାଲିଥିବା ତା’ର ‘ଅଦୃଶ୍ୟ ଶୋଷଣ’କୁ ମଧ୍ୟ ଚିହ୍ନିବାକୁ ହେବ। ଏଇ ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ ଯେ ନାରୀମାନେ ରୋଷେଇ କରିବା କଥା ନୁହେଁ ବା ରୋଷେଇ କରିବାକୁ ଭଲ ପାଇବା କଥା ନୁହେଁ। କିନ୍ତୁ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ ସମାଜର ବିଦ୍ରୂପକୁ ଡରି ସାରା ଜୀବନ ସକାଳରୁ ସଞ୍ଜଯାଏଁ ରୋଷେଇ ଘରେ ବିତେଇ ଦେବାର ବି କିଛି ମାନେ ରହେନା! ନାରୀର ଅନେକ ସ୍ବତନ୍ତ୍ର ପରିଚୟ ଅଛି ଓ ସେଇ ପରିଚୟକୁ ନିଜ ରୋଷେଇ ଘରର ଚଉକାଠରୁ ବାହାରକୁ ଯାଇ ନାରୀକୁ ନିଜ ପାଇଁ ନିଜେ ଖୋଜିବାକୁ ପଡ଼ିବ।

[email protected]

ସମ୍ବନ୍ଧିତ ଖବର