ପୃଥିବୀରେ କିଛି ଦେଶ ସୁଖୀ କାହିଁକି?

ମହାମେଘବାହନ ଐର ଖାରବେଳ ସ୍ବାଇଁ

ୟୁରୋପୀୟ ରାଷ୍ଟ୍ର ସ୍ବିଡେନ ଦେଶର ରାଜଧାନୀ ଷ୍ଟକ୍‌ହୋମ୍‌ରୁ ନୋବେଲ ପୁରସ୍କାର ଘୋଷଣା ପ୍ରତି ବର୍ଷ କରାଯାଇଥାଏ। ସେହି ସ୍ଥାନରୁ ପ୍ରତି ବର୍ଷ ଏକ ‘ସୁଖୀ ସୂଚକାଙ୍କ’ ମଧ୍ୟ ପ୍ରକାଶିତ ହୋଇଥାଏ। ଅର୍ଥାତ୍‌, ପୃଥିବୀର କେଉଁ ଦେଶମାନେ କେତେ ସୁଖୀ ଓ କେଉଁ ଦେଶମାନେ କେତେ ଦୁଃଖୀ ତାହା ଜଣା ପଡ଼ିଯାଇଥାଏ। କେବଳ ଏହି ସୂଚକାଙ୍କ ନୁହେଁ, ପୃଥିବୀର କେଉଁ ଦେଶମାନେ କେତେ ସଚ୍ଚୋଟ, କେଉଁମାନେ କେତେ ଧନୀ, କେଉଁ ଦେଶରେ ବେପାର କରିବାର ସୁବିଧା କେତେ, ମାନବ ସମ୍ବଳ ବିକାଶ କ୍ଷେତ୍ରରେ କିଏ କେଉଁ ସ୍ଥାନରେ ଅଛି ଆଦିର ସୂଚକାଙ୍କମାନ ମଧ୍ୟ ବିଶ୍ବ ବ୍ୟାଙ୍କ୍‌, ଆନ୍ତର୍ଜାତିକ ମୁଦ୍ରାକୋଷ, ଟ୍ରାନ୍‌ସପାରେନ୍‌ସି ଇଣ୍ଟରନେସନାଲ ଆଦି ସ˚ସ୍ଥାମାନେ ପ୍ରତି ବର୍ଷ ପ୍ରକାଶ କରିଥାନ୍ତି। ତେବେ ଏଠାରେ ମହତ୍ତ୍ବପୂର୍ଣ୍ଣ କଥା ହେଲା, ଜଣେ ସୁଖୀ ବୋଲି ଜଣାଯିବ କେମିତି? ଯାହା ପାଖରେ ଅଧିକ ଧନ ଅଛି, ସିଏ ସୁଖୀ କି? ଯେଉଁମାନେ ଭଲ ଖାଇବାକୁ ପାଉଛନ୍ତି, ସେମାନେ ସୁଖୀ କି? ଯେଉଁମାନେ ବେଶି ପାଠ ପଢ଼ିଛନ୍ତି ସେମାନେ ଅଧିକ ସୁଖୀ କି? ଏହିପରି ନାନା ପ୍ରକାର ପ୍ରଶ୍ନମାନ ମଣିଷର ସୁଖକୁ ନେଇ ଉଠିଥାଏ। ପ୍ରଶ୍ନ ବି ଉଠିଥାଏ, ଯେଉଁମାନେ ଅଧିକରୁ ଅଧିକ ଈଶ୍ବର ବିଶ୍ବାସୀ ସେମାନେ ଅଧିକରୁ ଅଧିକ ସୁଖୀ କି? ଯେଉଁମାନେ ସଦାବେଳେ ତପସ୍ୟା, ଧ୍ୟାନ ଇତ୍ୟାଦି କରିଥାନ୍ତି, ସେମାନେ ସୁଖୀ କି? ଯୌଥ ପରିବାରର ଲୋକମାନେ ଅଧିକ ସୁଖୀ ନା ଏକକ ପରିବାରର ଲୋକମାନେ ଅଧିକ ସୁଖୀ? ଏହି ସବୁ ପ୍ରଶ୍ନମାନଙ୍କୁ ଅନୁଶୀଳନ କରି ସୁଖୀ ସୂଚକାଙ୍କ ସୃଷ୍ଟି ହୋଇଛି।

ଷ୍ଟକ୍‌ହୋମ୍‌ରେ ‘ଜାତିସ˚ଘର ବଜାୟ ଯୋଗ୍ୟ ସମାଧାନ ନେଟ୍‌ୱାର୍କ’ ଦ୍ବାରା ପ୍ରସ୍ତୁତ ବିଶ୍ବର ‘ସୁଖୀ ସୂଚକାଙ୍କ’ ପ୍ରକାଶିତ ହୋଇଛି, ଯେଉଁଥିରେ ଲଗାତାର ଚତୁର୍ଥ ବର୍ଷ ପାଇଁ ୟୁରୋପର ସ୍କାଣ୍ତିନେଭିଆନ ଦେଶ ଫିନ୍‌ଲାଣ୍ତ୍‌ ସବୁଠୁଁ ସୁଖୀ ଦେଶ ହିସାବରେ ପରିଗଣିତ ହୋଇଛି। ପ୍ରତ୍ୟେକ ଲୋକର ମୋଟ ହାରାହାରି ଉତ୍ପାଦନ କେତେ, ତା’ର ସ୍ବାସ୍ଥ୍ୟମୟ ଜୀବନ କାଳ କେତେ ଓ ଜନସାଧାରଣଙ୍କର ଏ ସମ୍ପର୍କରେ ଧାରଣା କ’ଣ; ଏହି ତିନିଟି ଉପାଦାନ ଉପରେ ସୁଖୀ ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଯେତେବେଳେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୧ରେ ବିଶ୍ବ ସୁଖୀ ରିପୋର୍ଟ ପ୍ରସ୍ତୁତ ହେଲା, ସେତେବେଳେ ବର୍ଷାଧିକ କାଳ ଧରି କରୋନା ମହାମାରୀ, ଅର୍ଥନୀତି ଓ ମାନସିକତାରେ ବ୍ୟାପକ କ୍ଷୟକ୍ଷତି କରିଦେଇଥିଲା।

ଯେଉଁ ସମ୍ପାଦକମାନେ ମଣିଷ ବା ଦେଶର ସୁଖ ଜୀବନର ଆକଳନ କରିଛନ୍ତି, ସେମାନେ କେତେକ ମାପଦଣ୍ତ ତିଆରି କରିଛନ୍ତି, ଯାହା ଉପରେ ମଣିଷର ସୁଖର ଆକଳନ କରାଯାଇଛି। କରୋନା ଆଣିଥିଲା ବ୍ୟାପକ ଭୟ, ଉଦ୍‌ବେଗ, ଏକାକୀତ୍ବ, ଲକ୍‌ଡାଉନ୍‌, ଅସୁସ୍ଥତା ଓ ମୃତ୍ୟୁ। କିନ୍ତୁ ଏହି କରୋନାଜନିତ କଷ୍ଟ ଓ ଦୁଃଖ ସତ୍ତ୍ବେ, ତାହା ମଣିଷର ସାହସକୁ ଭାଙ୍ଗିଦେଇ ପାରିନାହିଁ। ଏହି ରିପୋର୍ଟକୁ ପ୍ରସ୍ତୁତ କରିଥିବା ସମ୍ପାଦକମାନେ ଜାଣିପାରିଛନ୍ତି ଯେ, ଯେତେବେଳେ କରୋନା ମାଡ଼ି ଆସିଲା, ସେତେବେଳେ ମଣିଷର ଆବେଗର ପରିବର୍ତ୍ତନ ହେଲା। କିନ୍ତୁ ଜୀବନର ଦୀର୍ଘକାଳିକ ମାନସିକ ସନ୍ତୋଷରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ। ଏହି ସୂଚକାଙ୍କର ପ୍ରସ୍ତୁତକର୍ତ୍ତା ସମ୍ପାଦକମାନଙ୍କର ମତ ହେଲା, ଯେତେବେଳେ ଗତ ବର୍ଷ ଲୋକମାନେ ଜୀବନ ସମ୍ପର୍କରେ ଏକ ଦୀର୍ଘକାଳିକ ଧାରଣା ସୃଷ୍ଟି କଲେ, ସେତେବେଳେ ସେମାନେ ନିଜର ସାହସ ବଜାୟ ରଖିଛନ୍ତି।

ଏଠାରେ କିନ୍ତୁ ଉଲ୍ଲେଖଯୋଗ୍ୟ ଯେ, ଅନ୍ୟ ବର୍ଷମାନଙ୍କରେ ସୁଖର ଆକଳନ କରିବା ଓ ଚଳିତ ବର୍ଷ ଆରମ୍ଭରେ ସୁଖର ଆକଳନ କରିବା ହେଉଛି ସମ୍ପୂର୍ଣ୍ଣ ଅଲଗା କଥା। କାରଣ କରୋନା ନାମ୍ନୀ ଯେଉଁ ମହାମାରୀ ଗତ ୨୦୨୦ରେ ସାରା ବିଶ୍ବକୁ ଏକା ଥରକେ ଆକ୍ରମଣ କରିଥିଲା, ବିଶ୍ବ ଇତିହାସରେ ସେମିତି କଥା କେବେହେଲେ ଘଟି ନ ଥିଲା। ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ମଣିଷ ସାମନା କରିଛି। ଏହି ବିପର୍ଯ୍ୟୟମାନଙ୍କ ହେତୁ କୋଟି କୋଟି ଲୋକମାନଙ୍କର ପ୍ରାଣ ଯାଇଛି। କିନ୍ତୁ ଯୁଦ୍ଧ ଓ ରୋଗମାନେ କେବେହେଲେ ଏକାଥରକେ ସାରା ପୃଥିବୀକୁ ଆକ୍ରମଣ କରିନାହାନ୍ତି। ଯୁଦ୍ଧ, ରୋଗ ଓ ବିପର୍ଯ୍ୟୟମାନେ କେବଳ ପୃଥିବୀର କେତେକ ନିର୍ଦ୍ଦିଷ୍ଟ ଅଂଚଳମାନଙ୍କୁ ପ୍ରଭାବିତ କରିଛନ୍ତି।

ତେବେ କରୋନା ସଂକ୍ରମଣ ବେଳେ ପ୍ରଥମେ ଆତଙ୍କ ସୃଷ୍ଟି ହୋଇଥିଲା। ମଣିଷ ତା’ର ପରିବାରର ଲୋକଙ୍କ ସହ ସମ୍ପର୍କ ରଖିପାରିବ କି? ବନ୍ଧୁମାନଙ୍କ ସହ ହାତ ମିଳେଇ ପାରିବ କି? ଏବ˚ ଏହି ସବୁ ଆଶଙ୍କା ସତ୍ତ୍ବେ ମଣିଷର ବିଶ୍ବାସ ଥିଲା ଯେ, ଏହି ଅପ୍ରତ୍ୟାଶିତ ମହାମାରୀକୁ ରୋକିବାକୁ କୌଣସି ଏକ ମହୌଷଧି ବାହାରିପଡ଼ିବ। ଅବଶ୍ୟ ଏହି ମହୌଷଧି କେବେ ବାହାରିବ ତାହାକୁ ନେଇ ଦ୍ବନ୍ଦ୍ବ ଥିଲା। ତିନି ମାସ ମଧ୍ୟରେ ଏହା ବାହାରିପଡ଼ିବ ବୋଲି କେତେକ ଔଷଧ ପ୍ରସ୍ତୁତକାରୀ ପ୍ରଚାର ଚଳାଇଥିଲା ବେଳେ ଅନ୍ୟ ଅନେକ ବୁଦ୍ଧିଜୀବୀ ଆଶା କରୁଥିଲେ ଯେ, ଟିକା ବାହାରିବା ପାଇଁ ଅନ୍ତତଃ ଦେଢ଼ ବର୍ଷ ସମୟ ଲାଗିବ। ଅତୀତରେ ଟିକା ପ୍ରସ୍ତୁତି ପାଇଁ ବେଳେ ବେଳେ ଅଠର ବର୍ଷ ସମୟ ଲାଗିଯାଇଛି। କିନ୍ତୁ ଏ ସବୁ ଦ୍ବନ୍ଦ୍ବ ମଧ୍ୟରେ ବୈଜ୍ଞାନିକମାନେ ନିଶ୍ଚୟ ଟିକା ବାହାର କରିପାରିବେ; ଏମିତି ବିଶ୍ବାସ ମଣିଷର ମନରେ ଥିଲା।

ରିପୋର୍ଟରେ ଦେଖାଯାଇଛି ଯେ ମୁଖ୍ୟତଃ ୟୁରୋପୀୟ ରାଷ୍ଟ୍ରମାନେ ହେଲେ ସବୁଠୁଁ ସୁଖୀ। ଏହି ଦେଶମାନେ ପର୍ଯ୍ୟାୟ କ୍ରମେ ହେଲେ ଫିନ୍‌ଲାଣ୍ତ୍‌, ଡେନ୍‌ମାର୍କ, ସୁଇଜରଲାଣ୍ତ୍‌, ଆଇସ୍‌ଲାଣ୍ତ୍‌, ଦି ନେଦରଲାଣ୍ତସ୍‌, ନରୱେ, ସ୍ବିଡେନ୍‌, ଲକଜେମବର୍ଗ, ନ୍ୟୁଜିଲାଣ୍ତ୍‌ ଓ ଅଷ୍ଟ୍ରିଆ। ଏହି ପ୍ରଥମ ୧୦ଟି ରାଷ୍ଟ୍ରମାନଙ୍କ ମଧ୍ୟରେ କେବଳ ନ୍ୟୁଜିଲାଣ୍ତ୍‌ ରହିଛି ଯାହା ଏକ ୟୁରୋପୀୟ ଦେଶ ନୁହେଁ। ଏହି ତାଲିକାରେ ଆମେରିକା ୧୯ ତମ ସ୍ଥାନରେ ଥିଲା ବେଳେ ରୁଷିଆ ୭୬ ତମ ସ୍ଥାନରେ, ଚୀନ୍‌ ୮୪ ତମ ସ୍ଥାନରେ ଅଛନ୍ତି। ଭାରତ ୧୩୯ ତମ ସ୍ଥାନରେ ଅଛି ଯେତେବେଳେ କି ଗତ ବର୍ଷ ଏ ଦେଶ ୧୪୪ ତମ ସ୍ଥାନରେ ଥିଲା। ଆଫ୍ରିକୀୟ ଦେଶ ଲୋସେଥୋ, ବୋଟ୍‌ସ୍‌ୱାନା, ରୁଆଣ୍ଡା ଓ ଜିମ୍ବାେୱ ସବା ତଳେ ରହିଛନ୍ତି। ଏମାନଙ୍କ ତଳକୁ ଅଛି ଅାଫଗାନିସ୍ତାନ, ଯାହା ବିଶ୍ବର ସବୁଠୁଁ ଦୁଃଖୀ ଦେଶ ଅଟେ।

ଫିନ୍‌ଲାଣ୍ତ ଚତୁର୍ଥ ଥର ପାଇଁ ବିଶ୍ବର ସୁଖୀତମ ଦେଶ ହୋଇଥିଲା ବେଳେ ଗତ ବର୍ଷ କରୋନା ମହାମାରୀକୁ ସର୍ବୋତ୍ତମ ଭାବରେ ମୁକାବିଲା କରିଛି। ଏହି ଦେଶ ଆଦୌ ଲକ୍‌ଡାଉନ୍‌ ଘୋଷଣା କରିନାହିଁ। ସାରା ବିଶ୍ବରେ ପ୍ରତି ୧୦ ଲକ୍ଷ ଲୋକରେ ହାରାହାରି ୯୮୦ ଲୋକ ମରିଥିଲା ବେଳେ ଫିନ୍‌ଲାଣ୍ତ୍‌ରେ ମରିଛନ୍ତି ୧୫୦ ଜଣ ମାତ୍ର।

ଏଠାରେ ଏକ ମହତ୍ତ୍ବପୂର୍ଣ୍ଣ କଥା ହେଲା, ଫିନ୍‌ଲାଣ୍ତ୍‌, ବିଶ୍ବର କେବଳ ସର୍ବାଧିକ ସୁଖୀ ରାଷ୍ଟ୍ର ନୁହେଁ, ଏହା ବିଶ୍ବର ସବୁଠୁଁ ସଚ୍ଚୋଟ ରାଷ୍ଟ୍ର ମଧ୍ୟ। ବର୍ଲିନରୁ ‘ଟ୍ରାନ୍‌ସପାରେନ‌୍ସି ଇଣ୍ଟରନେସନାଲ’ ସ˚ସ୍ଥା ଦ୍ବାରା ପ୍ରତି ବର୍ଷ ପ୍ରକାଶିତ ସଚ୍ଚୋଟତା ତାଲିକାରେ ତାହା ପ୍ରକାଶିତ ହୋଇଛି। ଏହି ତାଲିକାରେ ସର୍ବାଧିକ ସଚ୍ଚୋଟ ଦେଶମାନଙ୍କ ମଧ୍ୟରେ ଡେନ୍‌ମାର୍କ, ସ୍ବିଡେନ, ନରୱେ ଆଦି ଦେଶମାନେ ଥିବା ବେଳେ ନ୍ୟୁଜିଲାଣ୍ତ୍‌, ଅଷ୍ଟ୍ରେଲିଆ ପରି ଅଣୟୁରୋପୀୟ ଦେଶମାନେ ମଧ୍ୟ ଅଛନ୍ତି। ସୁଇଜରଲାଣ୍ତ୍‌, ଜାପାନ, ଫ୍ରାନ୍‌ସ, ହ˚କ˚, ସିଙ୍ଗାପୁର ଆଦି ଦେଶମାନେ ମଧ୍ୟ ସାଧୁତା ତାଲିକାରେ ମୋଟ ୧୦୦ ଅଙ୍କରୁ ୭୫ ବା ତଦୂର୍ଦ୍ଧ୍ବ ଅଙ୍କ ପାଇଛନ୍ତି। ସେହି ତାଲିକାରେ ଆଫ୍ରିକାର ଦେଶମାନେ ସବୁଠୁଁ ଗରିବ ଓ ଦୁର୍ନୀତିଗ୍ରସ୍ତ ଦେଶ ବୋଲି ଚିହ୍ନିତ ହୋଇଛନ୍ତି।

ଏଣୁ ସୁଖ ସହ ସାଧୁତା ଓ ସମ୍ପନ୍ନତା ମଧ୍ୟ ସମ୍ପୃକ୍ତ, କାରଣ ଧନୀ ଦେଶ ତାଲିକାରେ ଏହି ଦେଶମାନେ ସବା ଆଗରେ ଅଛନ୍ତି।

ବିଶ୍ବ ବ୍ୟାଙ୍କ୍‌ର ଧନିକ ଦେଶ ତାଲିକାରେ ସୁଇଜରଲାଣ୍ତ୍‌ ହେଉଛି ପ୍ରଥମ ଦେଶ ଯାହାର ମୁଣ୍ତପିଛା ଆୟ ହେଉଛି ବିଶ୍ବରେ ସର୍ବାଧିକ। ଏହି ଧନିକ ଦେଶ ତାଲିକାରେ ସର୍ବୋଚ୍ଚ ସ୍ତରରେ ସ୍ବିଡେନ, ଜାପାନ, ଆମେରିକା, ସିଙ୍ଗାପୁର ପରି ଦେଶମାନେ ଅଛନ୍ତି। ୟୁକେ, ଫ୍ରାନସ୍‌, ଜର୍ମାନୀ ପରି ଦେଶମାନେ ମଧ୍ୟ ଧନିକ ଦେଶ ତାଲିକାରେ ପ୍ରଥମ ୧୫ଟି ଦେଶମାନଙ୍କ ମଧ୍ୟରେ ଅଛନ୍ତି। ଏମାନେ ହୁଏତ ସଚ୍ଚୋଟତା ଅବା ସୁଖୀ ତାଲିକାର ପ୍ରଥମ ଚାରିପାଞ୍ଚଟି ଦେଶମାନଙ୍କ ମଧ୍ୟରେ ନାହାନ୍ତି। କିନ୍ତୁ ଏମାନେ ଏହି ବର୍ଗର ପ୍ରଥମ ୨୦ଟି ଦେଶ ମଧ୍ୟରେ ଅଛନ୍ତି। ଅର୍ଥାତ୍‌, ଏମାନେ ସମସ୍ତେ କମ୍‌ ବେଶି କ୍ରମରେ ଧନୀ, ସଚ୍ଚୋଟ ଓ ସୁଖୀ।

ରୁଷିଆ ଓ ଚୀନ୍‌କୁ ଲକ୍ଷ୍ୟ କରାଯାଉ। ଏମାନେ ଭାରତ ଅପେକ୍ଷା ସୁଖୀ ତାଲିକାରେ ଉପରେ ଥିଲେ ମଧ୍ୟ ଏ ଦୁଇଟିଯାକ ଦେଶ ଦୁର୍ନୀତିଗ୍ରସ୍ତ। ରୁଷିଆର ପୂର୍ବସୂରୀ ସୋଭିଏତ ୟୁନିୟନ ଖଣ୍ତ ଖଣ୍ତ ହୋଇ ଭାଙ୍ଗି ପଡ଼ିବାର ଏକ ମୁଖ୍ୟ କାରଣ ହେଲା, ଏ ଦେଶ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ଥିଲା। ଚୀନ୍‌ର ଅବସ୍ଥା ମଧ୍ୟ ପାଖାପାଖି ସେଇଆ। ସେଠାକାର ଶାସକମାନେ କେତେକଙ୍କୁ ଦୁର୍ନୀତିଗ୍ରସ୍ତ ଅଭିଯୋଗରେ ଫାଶୀଦଣ୍ତ ଦେଇଛନ୍ତି। ଏକଛତ୍ରବାଦୀ ଦେଶ ହୋଇଥିବାରୁ ଅନେକ ଦୁର୍ନୀତିର କଥା ଏ ଦେଶର ଗଣମାଧ୍ୟମମାନଙ୍କରେ ପ୍ରକାଶିତ ହୁଏନାହିଁ। ସେଠାକାର ଲୋକଙ୍କ ଦୁଃଖ କେତେ ତାହା ମଧ୍ୟ ଆକଳନ କରିବା ସମ୍ଭବପର ନୁହେଁ। କାରଣ, ଏ ସମ୍ପର୍କରେ ସତ୍ୟ ପ୍ରକାଶିତ ହୋଇପାରେନା। ଏପରି କି ରୁଷିଆରେ ବିରୋଧୀ ଦଳର ଜଣେ ପ୍ରମୁଖ ନେତା ନୋଭାଲନିଙ୍କୁ ପୁଟିନ ସରକାରଙ୍କର ଗୁଇନ୍ଦାମାନେ ବିଷ ଦେଇ ମାରିବାକୁ ଚେଷ୍ଟା କରିଥିଲେ। ଅନ୍ୟ ପକ୍ଷରେ ଯୁଦ୍ଧ, ଦାରିଦ୍ର୍ୟ ଆଦିର ଘନଘଟା ମଧ୍ୟରେ ଅାଫଗାନିସ୍ତାନ, ରୁଆଣ୍ତା ଆଦି ଦେଶମାନେ ଥିବା ହେତୁ, ସେମାନେ ଅସୁଖୀ ହେବା ସ୍ବାଭାବିକ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର