ଭାଷାର ପ୍ରସାର ଓ ବିକାଶ ହେବ କିପରି

ରବି ରଞ୍ଜନ ସାହୁ

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ସ˚ପର୍କରେ ବିଭିନ୍ନ ପତ୍ରପତ୍ରିକା ଏବ˚ ରାଜ୍ୟର ସାରସ୍ବତ ରଥୀ-ମହାରଥୀଙ୍କ ବକ୍ତବ୍ୟରେ ଯେଉଁସବୁ ଅନୁଶୀଳନ, ସମୀକ୍ଷା ଓ ମତାମତ ପ୍ରକାଶ ପାଇଛି, ସେଥିରୁ ନିଶ୍ଚୟ ବୁଝିହେବ ଯେ ଆମ ଭାଷା ଓ ସାହିତ୍ୟ ପ୍ରସାରିତ ଓ ବିକଶିତ ହେବାର ବିପରୀତ ଦିଗରେ ଗତି କରୁଛି। ଯାହାକୁ ଅବକ୍ଷୟମୁଖୀ ପ୍ରକ୍ରିୟା ବୋଲି କୁହାଯାଇପାରେ। ଏହାର ସବୁଠୁ ବଡ଼ କାରଣ ହେଉଛି ଓଡ଼ିଆ ଭାଷା ବ୍ୟବହାରର ସ˚କୋଚନ ଏବ˚ ଭାଷା ପ୍ରସାରଣ ଓ ବିକାଶ ଲାଗି ସାମାଜିକ ସ୍ତରରେ ଆଗ୍ରହର ଅଭାବ। ଭାଷାର ସାମାଜିକ ଓ ଅର୍ଥନୈତିକ ମୂଲ୍ୟ ହ୍ରାସ ଯୋଗୁ ହିଁ ସେଭଳି ଅନାଗ୍ରହ ବଢ଼ି ଚାଲିଛି। ସାମାଜିକ ସ୍ତରରେ କଥାବାର୍ତ୍ତା, ଲେଖା-ପଢ଼ାରେ ଓଡ଼ିଆ ଭାଷାର ବ୍ୟବହାର ଦିନକୁ ଦିନ କମିଯାଉଛି। ସେଇଭଳି ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଆ ଭାଷା ମାଧ୍ୟମରେ ଉପାର୍ଜନ କରିବାର ବାଟ ଅତ୍ୟନ୍ତ ସ˚କୀର୍ଣ୍ଣ। ତେଣୁ ଭାଷା ଅର୍ଥକରୀ ହୋଇପାରୁନାହିଁ। ସରକାରୀ, ଅର୍ଦ୍ଧସରକାରୀ, କୋର୍ଟ କଚେରି ଏବ˚ ଔଦ୍ୟୋଗିକ ସ˚ସ୍ଥାଗୁଡ଼ିକର କାଗଜପତ୍ର, ଦଲିଲ-ଦସ୍ତାବିଜ, ନିର୍ଦ୍ଦେଶ-ଆଦେଶରେ ଓଡ଼ିଆ ଭାଷାର ବ୍ୟବହାର ତଥା ପ୍ରଚଳନ ଲାଗି ନିସ୍ପୃହା ଓ ଅବହେଳା ଏଥିପାଇଁ ଦାୟୀ। ଅନ୍ୟ ପକ୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ଇ˚ରେଜୀ ଭାଷା ବିପୁଳ ଉପାର୍ଜନର ମାଧ୍ୟମ ହୋଇପାରିଛି। ତେଣୁ ସ୍ବାଭାବିକ ଭାବେ ଇ˚ରେଜୀ ଭାଷାରେ ଶିକ୍ଷା ଓ ସେଥିରେ ଦକ୍ଷତା ଅର୍ଜନ ଲାଗି ସାମାଜିକ ସ୍ତରରେ ଆଗ୍ରହ ଓ ତତ୍ପରତା ବୃଦ୍ଧି ପାଇଛି ଯାହାର ଦୁଷ୍ପରିଣାମ ହେଉଛି ଓଡ଼ିଆ ଭାଷାର ବ୍ୟବହାରର ସ˚କୋଚନ ଏବ˚ ସେଥିପ୍ରତି କ୍ରମବର୍ଦ୍ଧିଷ୍ଣୁ ବିମୁଖତା। ଫଳରେ ଓଡ଼ିଆ ପାଠକଙ୍କ ସ˚ଖ୍ୟା ହ୍ରାସ ପାଉଛି। ଅଧିକ ବହି ଛପା ହୋଇପାରୁନାହିଁ; ଯାହା ବା ଛପାଯାଉଛି ସେଥିରୁ ଶତକଡ଼ା ୯୫ ଭାଗ ଗୋଟିଏ ସ˚ସ୍କରଣରେ ସୀମିତ ରହୁଛି। ଓଡ଼ିଆ ସାହିତ୍ୟର ପ୍ରସାର ଓ ବିକାଶ ଲାଗି ଏଭଳି ଅବସ୍ଥା ପ୍ରତିକୂଳତା ସୃଷ୍ଟି କରୁଛି। ତେଣୁ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଲାଗି ପ୍ରଥମେ ଏଭଳି ସ˚କୋଚନ ପ୍ରକ୍ରିୟାକୁ ପ୍ରତିହତ କରି ବିଭିନ୍ନ ସ୍ତରରେ ଓ ବିଶେଷ କରି ସରକାରୀ ସ୍ତରରେ ଭାଷାର ବ୍ୟବହାରକୁ ଯଥାସମ୍ଭବ ପରିବ୍ୟାପ୍ତ କରିବାକୁ ପଡ଼ିବ। ସାମ୍ପ୍ରତିକ ଧନସର୍ବସ୍ବ ଯୁଗରେ ଓଡ଼ିଆ ଭାଷା ମାଧ୍ୟମରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇ ଓଡ଼ିଆ ପିଲାମାନେ କିଭଳି ଧନ ଉପାର୍ଜନ କରିପାରିବେ, ସେଥିଲାଗି ପଦକ୍ଷେପ ନେବାକୁ ପଡ଼ିବ। ସେଥିଲାଗି ରାଜନୈତିକ ଓ ପ୍ରାଶାସନିକ ସ୍ତରରେ ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା।

ସ୍ମରଣ କରାଯାଇପାରେ ଯେ ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ପଡ଼ୋଶୀ ଭାଷାଭାଷୀଙ୍କ ଆକ୍ରାମକ ଚାପରୁ ଓଡ଼ିଆ ଭାଷାକୁ ଦୁଇଟି ମୁଖ୍ୟ କାରଣ ଯୋଗୁଁ ରକ୍ଷା କରାଯାଇପାରିଥିଲା। ଗୋଟିଏ ହେଲା ସାମାଜିକ ସ୍ତରରେ ଭାଷାପ୍ରେମର ଉତ୍ତରଣଜନିତ ଆନ୍ଦୋଳନ ଏବଂ ଅନ୍ୟଟି ହେଲା ସରକାରୀ ଅଫିସରମାନେ ଓଡ଼ିଆ ଭାଷା ବୁଝି ନ ପାରିବା ଯୋଗୁଁ ଓଡ଼ିଆ ଜାତି ନଅଙ୍କ ଦୁର୍ଭିକ୍ଷର ଶିକାର ହୋଇଥିବା ନେଇ ତତ୍କାଳୀନ ବ୍ରିଟିସ୍‌ ସରକାରଙ୍କର ସର୍ବୋଚ୍ଚ ସ୍ତରରେ ଯଥାର୍ଥ ଅନୁଭବ। ନଅଙ୍କ ଦୁର୍ଭିକ୍ଷ ପରେ ତତ୍କାଳୀନ ପ୍ରାଶାସନିକ ଅଫିସରମାନେ ଓଡ଼ିଆ ଭାଷାର ବିକାଶ ଓ ପ୍ରସାର ଲାଗି ସକ୍ରିୟ ଉଦ୍ୟମ କରିଥିଲେ। ସେତେବେଳର ଶିକ୍ଷା ବ୍ୟବସ୍ଥା ସହିତ ଓଡ଼ିଆ ଶିକ୍ଷାକୁ ଖାପ ଖୁଆଇବା ଲାଗି ଜନ୍‌ ବିମ୍‍ସ ନିଜେ ଓଡ଼ିଆ ପାଠ୍ୟପୁସ୍ତକ ରଚନା କରିବା ସହିତ କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଭଳି ସାହିତ୍ୟରଥୀମାନଙ୍କୁ ପ୍ରେରିତ ଓ ପ୍ରଚୋଦିତ କରିଥିଲେ। ସେ ଦୃଷ୍ଟିରୁ ଭାଷା ଆନ୍ଦୋଳନର ପଥ ପ୍ରଦର୍ଶକ ଫକୀରମୋହନ, ରାଧାନାଥ, କର୍ମବୀର ଗୌରୀଶଙ୍କରଙ୍କ ସମେତ ବିମ୍‍ସ ମଧ୍ୟ ଚିର ନମସ୍ୟ।

ଓଡ଼ିଆ ସ୍ଥାନରେ ଅନ୍ୟ କୌଣସି ଭାଷାକୁ ପ୍ରଚଳିତ କରିବାର ଉଦ୍ୟମ ନୁହେଁ, ବରଂ ଓଡ଼ିଆ ଲୋକଙ୍କ ଦ୍ବାରା ଓଡ଼ିଆ ଭାଷାର ବ୍ୟବହାର ହ୍ରାସ ପାଇବା ହିଁ ହେଉଛି ଓଡ଼ିଆ ଭାଷାର ଦୁଃସ୍ଥିତିର ମୁଖ୍ୟ କାରଣ। ଭାଷା ଆନ୍ଦୋଳନ ବେଳେ ଶାସକ ଥିଲେ ଇ˚ରେଜ। ସେମାନଙ୍କୁ ଓଡ଼ିଆ ଭାଷାର ସ୍ବାତନ୍ତ୍ର୍ୟ, ବ୍ୟାପକ ବ୍ୟବହାର ଇତ୍ୟାଦି ସ˚ପର୍କରେ ବୁଝାଇବାର ଆବଶ୍ୟକତା ଥିଲା; ମାତ୍ର ବର୍ତ୍ତମାନ ଯେଉଁମାନେ ଶାସନ କରୁଛନ୍ତି ସେମାନେ ସମସ୍ତେ ତ ଓଡ଼ିଆ। ଓଡ଼ିଶାରେ ସେମାନଙ୍କର ଜନ୍ମ। ସେମାନଙ୍କୁ କ’ଣ ଓଡ଼ିଆ ଭାଷାର ମହତ୍ତ୍ବ ବୁଝାଇବାକୁ ପଡ଼ିବ? ଗଣଭାଷାର ବିକାଶ ମଧ୍ୟରେ ହିଁ ଗଣବିକାଶ ଅନ୍ତର୍ନିହିତ। ତେଣୁ ଦାୟବଦ୍ଧତା ଦୃଷ୍ଟିରୁ ଓଡ଼ିଶା ଜନଗଣଙ୍କ ଭାଷା, ଓଡ଼ିଶାର ବିକାଶ ଏକ ସରକାରୀ କର୍ତ୍ତବ୍ୟ ଭାବେ ସେମାନଙ୍କ ଦ୍ବାରା ଅବଶ୍ୟ ପାଳନୀୟ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସାମାଜିକ ସ୍ତରରେ ଭାଷାର ବିକାଶ ଓ ପ୍ରସାର ଲାଗି ବହୁ ଭାବରେ ରଚନାତ୍ମକ ଉତ୍ସାହ ପ୍ରକାଶ ପାଇଛି। ସେଥିପାଇଁ ରାଜ୍ୟରେ ସାରସ୍ବତ ସାଧକ ଓ ଭାଷାପ୍ରେମୀମାନେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ପରାମର୍ଶ ଓ ପ୍ରସ୍ତାବ ଦେଉଛନ୍ତି। ସରକାରୀ ସ୍ତରରେ ମଧ୍ୟ କିଛିଟା ସକ୍ରିୟତା ଦେଖାଦେଇଛି। ସମସ୍ତ ସରକାରୀ ଅନୁଷ୍ଠାନର ନାମଫଳକକୁ ଓଡ଼ିଆ ଭାଷାରେ ଲେଖିବା ଲାଗି ନିର୍ଦ୍ଦେଶ ତା’ର ଏକ ନିଦର୍ଶନ। ଶାସ୍ତ୍ରୀୟ ମାନ୍ୟତା ଦାବି କରାଯାଉଥିବା ସମୟରେ ତଦ୍‍ଲବ୍‌ଧ ଅର୍ଥକୁ କିଭଳି ଉପଯୋଗ କରାଯିବ, ସେଥିଲାଗି କିଛି ଯୋଜନା କରାଯାଇନଥିଲା। ବର୍ତ୍ତମାନ ସେଥିଲାଗି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଯଥାସମ୍ଭବ କାର୍ଯ୍ୟକାରୀ କରିବା ଏକାନ୍ତ ଆବଶ୍ୟକ। ଓଡ଼ିଆ ଜାତି ଉତ୍କଳ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ସ୍ବାଭାବିକ। ତା’ ସ˚ଗେ ସ˚ଗେ ସେ ସ୍ବାଭାବିକତାର ଅନ୍ତରାଳରେ ଓଡ଼ିଆ ଭାଷା, ଏପରିକି ଓଡ଼ିଶାର ଅସ୍ତିତ୍ବକୁ ବିପନ୍ନ କଲା ଭଳି ଯେଉଁ ଅସ୍ବାଭାବିକତା ବଢ଼ି ବଢ଼ି ଚାଲିଛି, ସେଥିଲାଗି ଚିନ୍ତିତ ଓ ସତର୍କ ହେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ।

ଚାନ୍ଦିନୀଚୌକ, କଟକ-୨

ସମ୍ବନ୍ଧିତ ଖବର