ସରକାରଙ୍କୁ ସହଯୋଗ

କହିବାର ଅଛି - ଦାଶ ବେନହୁର

ଯେ କୌଣସି ଦେଶର ମୁଣ୍ତ ହେଉଛି ସରକାର। ଏ ମୁଣ୍ତ ସହ ମୁହଁ, ଆଖି, କାନ ଓ ପାଟି ମଧୢ ସାମିଲ। ମୁଣ୍ତରେ ଯେଉଁ ଭାବନା ଆସେ, ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସେଇ ଅନୁସାରେ କାର୍ଯ୍ୟ କରନ୍ତି। ଅପର ପକ୍ଷରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗଙ୍କ ସହଯୋଗ ବିନା ମୁଣ୍ତର କାର୍ଯ୍ୟକୁଶଳତା ମଧୢ କ୍ଷୁଣ୍ଣ ହୁଏ।

ଦେଶର ମୁଣ୍ତ, ସରକାର ଓ ପିଣ୍ତ ହେଉଛନ୍ତି ଜନସାଧାରଣ। ପିଣ୍ତ ଯେଉଁଠି ଅନୁପସ୍ଥିତ ସେଠାରେ ମୁଣ୍ତର ଅବା ଆବଶ୍ୟକତା କ’ଣ?

‘ସରକାରଙ୍କୁ ସହଯୋଗ’ କଥାର ମୂଳ ହେଉଛି ଯେ କୌଣସି ସମୟରେ ଗୋଟିଏ ଦେଶର ସରକାର ଓ ଜନସାଧାରଣଙ୍କ ଭିତରେ ଥିବା ସମ୍ପର୍କର ତର୍ଜମା କରିବା। ଆମର ଧାରଣା ଯେ ସରକାର ବା ଗଭର୍ନମେଣ୍ଟ୍‌ ବୋଧହୁଏ ଆଧୁନିକ ସମୟର ଉଦ୍ଭାବନ। ରାଜା ରାଜୁଡ଼ା ସମୟରେ ସରକାର ବୋଲି କିଛି ନ ଥିଲା ବୋଧେ! ଫରାସୀ ଇତିହାସରୁ ଲୁଇ-୧୪ଙ୍କ କଥା, ‘‘ମୁଁ ହିଁ ରାଷ୍ଟ୍ର’’ର ଅର୍ଥ ହେଉଛି ‘‘ମୁଁ ହିଁ ସରକାର।’’ ରାଜତନ୍ତ୍ର ବା ଏକଛତ୍ରବାଦୀ ଏପରି କି ସମସ୍ତ ପ୍ରକାରର ସାମରିକ ଶାସନରେ ଜଣେ ହିଁ ସରକାର। ଦେଶ ବା ରାଜ୍ୟର ମୁହଁ କହିଲେ ସେଇ ଜଣେ। ଲୁଇ ଚଉଦ।

ବଣ ଜଙ୍ଗଲରୁ ମଣିଷ ଆସି ଯେବେଠାରୁ ବ୍ୟବସ୍ଥିତ ସମାଜ ଗଢ଼ିଛି ସେବେଠାରୁ ଏ ‘ସରକାର’ର ସୃଷ୍ଟି। ପ୍ରାଚୀନ କାଳରେ କୌଣସି ମଣିଷ ଗୋଷ୍ଠୀର ମୁଖିଆ ହିଁ ପାଲଟିଥିଲା ସରକାର। ତା’ ତୁଣ୍ତର କଥା ହୁକୁମ୍‌, ମୁଣ୍ତର ବିଚାର ଆଇନ ଓ ସେ ଥିଲା ଶେଷ ବିଚାରକ। ଏ କଥା ଯୁଗ ଯୁଗ ଧରି ଚାଲିଥିଲା। ପିଣ୍ତ ବଦଳିଲା ହେଲେ ମୁଣ୍ତର ବିଚାର ସେଇଆ ରହିଲା। ରାଜା, ମହାରାଜା, ସମ୍ରାଟ୍‌, ସୁଲତାନ୍‌, ଜାର‌୍‌ ସମସ୍ତେ ସେଇ ଏକକ ସରକାରର ଭିନ୍ନ ଭିନ୍ନ ପରିଚୟ କେବଳ।

ଆଧୁନିକ ସମୟରେ ସେ କଥାର ବେଶି କିଛି ପରିବର୍ତ୍ତନ ଯେ ହୋଇଛି ସେ କଥା ନୁହେଁ। ଚୀନ୍‌, ମିଆଁମାର‌୍‌ ବା ଉତ୍ତର କୋରିଆ ଭଳି ରାଷ୍ଟ୍ରମାନଙ୍କରେ ସରକାର ସେଇ ଜଣେ। ହିଟ୍‌ଲର, ମୁସୋଲିନି, ପେରନ୍‌ ଓ ଷ୍ଟାଲିନ୍‌ଙ୍କ ଭଳି ବ୍ୟକ୍ତିମାନେ ମଧୢ ନିଜକୁ ଏକକ ସରକାରରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥିଲେ। ଚେସେସ୍କୋ ଓ ଇଦି ଅମିନ୍‌ଙ୍କ ଭଳି ଶାସକମାନେ ଯେ ସେଇ ପ୍ରାଚୀନ କାଳର ମୁଖିଆଙ୍କର ଗୋଟିଏ ଗୋଟିଏ ନୃଶ˚ସ ଉଦାହରଣ ସେ କଥା କ’ଣ ଅସ୍ବୀକାର କରି ହେବ?

ଏଇଠି ପ୍ରଶ୍ନ ହୋଇପାରେ, ଯଦି ପିଣ୍ତର ସହଯୋଗରେ ମୁଣ୍ତ ଚାଲେ ତେବେ ଏ ସ୍ବେଚ୍ଛାଚାରୀମାନେ ଜନସାଧାରଣଙ୍କର ସହଯୋଗ ପାଇଲେ କେମିତି? ଏକକ ସରକାରଗୁଡ଼ିକ କେମିତି କାର୍ଯ୍ୟକ୍ଷମ ହୁଅନ୍ତି? ଏମାନଙ୍କୁ କାହିଁକି ସହଯୋଗ ମିଳେ? କିପରି ମିଳେ?

ସରକାର ମାତ୍ରେ ତାହା ଆନୁଗତ୍ୟ ଆଶା କରେ। ବିନା ଆନୁଗତ୍ୟରେ କୌଣସି ଗୋଟିଏ ବି ବ୍ୟବସ୍ଥାରେ ସରକାର ଚାଲିବା କଷ୍ଟ। ତାହା ରାଜତନ୍ତ୍ର ହେଉ କି ଗଣତନ୍ତ୍ର କିମ୍ବା ଅଭିଜାତ ତନ୍ତ୍ର ହେଉ କି ସାମରିକ ତନ୍ତ୍ର। ତେବେ ଏ ଆନୁଗତ୍ୟର ପରିଭାଷା ସବୁଠାରେ ସମାନ ନୁହେଁ। ରାଜତନ୍ତ୍ରରେ ପରମ୍ପରା ଓ ଅନ୍ଧବିଶ୍ବାସ ଆଦି ଆଧାରରେ ଆନୁଗତ୍ୟ ହାସଲ ହୁଏ ଠିକ୍‌ ଯେମିତି ସ୍ବେଚ୍ଛାଚାରୀ ଶାସନ ବା ସାମରିକ ତନ୍ତ୍ରରେ ଡରେଇ ହରେଇ ସେ କଥା କରାଯାଏ। ଇତିହାସର ଆଇନାରେ ଏ ଡର-ଶାସନର ପ୍ରତିଫଳନ ସବୁଆଡ଼େ। ଏପରି କି ଗଣତନ୍ତ୍ର ବ୍ୟବସ୍ଥାରେ ସୁଦ୍ଧା ଆନୁଗତ୍ୟ ହାସଲ ଲାଗି ଡରକୁ ସହଯୋଗର ମାଧୢମ କରାଯାଏ। ତେଣୁ ଆମେ ଗଣତନ୍ତ୍ରକୁ ଯେ ଲୋକଙ୍କ ଶାସନ ବୋଲି କହୁ ତାହା ଆପେ ଜଣତନ୍ତ୍ର, ଗୋଷ୍ଠୀତନ୍ତ୍ର, ଅମଲାତନ୍ତ୍ର, ଧନିକତନ୍ତ୍ର, ମାଫିଆତନ୍ତ୍ର ଆଦିରେ ପରିଣତ ହୋଇଯାଏ। ଏ ସମସ୍ତ ବ୍ୟବସ୍ଥାରେ ଆନୁଗତ୍ୟ ବା ସହଯୋଗ ହାସଲର ମାଧୢମ ହେଉଛି ଡର ବା ଭୟ।

ଆମେ ଚୀନ୍‌ ଦେଶର ଉଦାହରଣ ନେବା। ଏଇଥିପାଇଁ ନୁହେଁ ଯେ ଚୀନ୍‌ ସହ ସାମ୍ପ୍ରତିକ କାଳରେ ଆମର ବିବାଦ ଲାଗି ରହିଛି। ଆଗରୁ ବିକାଶର ଉଦାହରଣ ଭାବେ ଅନେକ ଆମେରିକା କଥା କହୁଥିଲେ। ମାତ୍ର ସାମାଜିକ ଗଣମାଧୢମ ଓ ‘କୋରା’ ଭଳି ପ୍ରଶ୍ନୋତ୍ତର ମଞ୍ଚଗୁଡ଼ିକରେ ଚୀନ୍‌ର ଆଶାତୀତ ସମୃଦ୍ଧି କଥା ଆଲୋଚନା ହେଉଛି। ସମସ୍ତେ ଜାଣନ୍ତି ଯେ ଇଦାନି˚ ସାମାଜିକ ବା ତଥାକଥିତ ନଭଜାଲ-ମାଧୢମ, ସାଧାରଣ ଗଣମାଧୢମ ଠାରୁ ଅଧିକ ସକ୍ରିୟ ଓ ବଳବନ୍ତ। ଗଣତନ୍ତ୍ରଗୁଡ଼ିକରେ ନିର୍ବାଚନସମୂହ ଏବେ ନଭଜାଲ ସହିତ ଯେତେ ଯୋଡ଼ା ସେତେ ଆଉ ଦୃଶ୍ୟ-ଶ୍ରାବ୍ୟ ବା ଛାପା ମାଧୢମ ସହିତ ନାହାନ୍ତି। ଯଦି ଏ ହଟଚମଟ ନଭଜାଲ ମାଧୢମକୁ ବିଶ୍ବାସ କରାଯାଏ ତେବେ ଚୀନ୍‌ର ପିଣ୍ତ ଓ ମୁଣ୍ତ ଉଭୟର ସହଯୋଗଟି ଅତି ଚମତ୍କାର, ତେଣୁ ସେଠାରେ ଜୀବନ ଧାରା, ଖୁସି-ଜୀବନର ସୂଚିପତ୍ର ଓ ସାମୂହିକ ବିକାଶ ଅତ୍ୟନ୍ତ ଉଚ୍ଚକୋଟୀର। ଅଥଚ ଚୀନ୍‌ର ବ୍ୟବସ୍ଥାଟି ପୂରାପୂରି ଟୋଟାଲିଟାରିଆନ୍‌ ବା ସର୍ବାଧିକାରବାଦୀ। ବ୍ୟବସ୍ଥାର ନାମ ସାଧାରଣତନ୍ତ୍ର ମାତ୍ର କାର୍ଯ୍ୟଧାରା ଏକକ-ବ୍ୟକ୍ତିତନ୍ତ୍ର ଉପରେ ପ୍ରତିଷ୍ଠିତ। ସି ଜିନ୍‌ପିଙ୍ଗ୍‌ଙ୍କୁ ନ ପଚାରି ଏତେ ବଡ଼ ଦେଶର ପତ୍ରଟିଏ ସୁଦ୍ଧା ହଲେ ନାହିଁ।

ଚୀନ୍‌ ଦେଶର ଯେ ସରକାର ତା’କୁ କିଏ ସହଯୋଗ ଦେଉଛି? ନିଶ୍ଚିତରେ ଜନସାଧାରଣ। ସେଠାରେ ଏକଦଳୀୟ ସରକାର। ନିର୍ବାଚନ ମାଧୢମରେ ଶାସନ ଚାଲେ। ବିରୋଧୀ ଦଳ ବୋଲି କିଛି ନାହିଁ ସେଠାରେ। ଅଥଚ ଚୀନ୍‌ ନିଜକୁ ଲୋକଙ୍କ ସାଧାରଣତନ୍ତ୍ର ବୋଲି ଘୋଷଣା କରିଛି। କହିବାର ଅଛି ଯେ ଚୀନ୍‌ରେ ଯେଉଁ ସରକାର ଚାଲିଛି ସେଥିରେ ସହଯୋଗର ମୂଳଭିତ୍ତି ହେଉଛି ଡର। ଚୀନ୍‌ର ଗଣମାଧୢମ ସମ୍ପୂର୍ଣ୍ଣ-ରୂପେ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ। ଯେଉଁ ବ୍ୟବସ୍ଥାରେ ବିରୋଧୀ ଦଳ ନାହିଁ, ଗଣମାଧୢମ ନାହିଁ, ବିଚାର ବ୍ୟବସ୍ଥା ସମ୍ପର୍କରେ ବାହାର ଦୁନିଆ କିଛି ଜାଣିବାର ସୁଯୋଗ ନାହିଁ ତା’କୁ ଆମେ ସାଧାରଣତାନ୍ତ୍ରିକ ଗଣତନ୍ତ୍ର ବୋଲି କହିବା କେମିତି?

ଏବେ ଗଣତନ୍ତ୍ର ସମ୍ପର୍କରେ ଆଲୋଚନା କରିବା ଅଧିକ ପ୍ରାସଙ୍ଗିକ ହେବ। ଗଣତନ୍ତ୍ରରେ ସରକାର ଏକ ନିର୍ବାଚିତ ସରକାର। ସ˚ଖ୍ୟାଗରିଷ୍ଠ ଦଳର ସରକାର। ସ୍ବାଧୀନ ବିଚାର ବ୍ୟବସ୍ଥା ଆଧାରିତ ସରକାର ଓ ବିଶେଷକରି ଗଣତନ୍ତ୍ର କହିଲେ ଏହା ଏକ ଦାୟିତ୍ବମୂଳକ ସରକାର। ଏଥିରେ ସହଯୋଗ ବାଧୢବାଧକତାର ସହଯୋଗ ନୁହେଁ, ସମ୍ପୂର୍ଣ୍ଣ ସ୍ବାଧୀନ ସହଯୋଗ। ଗଣମାଧୢମ, ସ୍ବାଧୀନ ଓ ମୁକ୍ତ।

ଯେଉଁଠାରେ ଉପରୋକ୍ତ ବିଷୟଗୁଡ଼ିକ ଅନୁପସ୍ଥିତ ସେଠାରେ ସହଯୋଗ ପ୍ରକାରାନ୍ତରେ ଡର ମାଧୢମରେ ହିଁ ଅମଳ କରାଯାଏ। ଅଧିକା˚ଶ ରାଜନୈତିକ ଦଳର ଆଭିମୁଖ୍ୟ ହେଉଛି, ‘‘ଆମେ ସରକାର ଗଢ଼ିବୁ। ଏକକ ସ˚ଖ୍ୟାଗରିଷ୍ଠତା ନୁହେଁ, ସମ୍ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ହାସଲ କରି ବିରୋଧୀ ବୋଲି କିଛି ରଖିବୁ ନାହିଁ।’’ ଏ ଭଳି ମନୋଭାବ ହିଁ ଗଣତନ୍ତ୍ର-ବିରୋଧୀ। ଗଣତନ୍ତ୍ରରେ ସରକାର ଦାୟିତ୍ବମୂଳକ କହିଲେ ତା’ ସହ କେବଳ ଜନସାଧାରଣ ଯୋଡ଼ା ନୁହନ୍ତି, କାରଣ ଜନସାଧାରଣ ଏକ ଅନିର୍ଦ୍ଦିଷ୍ଟ ପରିସୀମା। ଏହାର ଭାବସୂତ୍ରସମୂହ ସହଜରେ ଏକାଠି ହୋଇ ପାରନ୍ତି ନାହିଁ। ସେଥିପାଇଁ ବିରୋଧୀ ଦଳଗୁଡ଼ିକ ସରକାର ସହ ରହିବା ଆବଶ୍ୟକ। ଶାସନର ଯେ ଦାୟିତ୍ବମୂଳକତା ତାହା ବିଶେଷକରି ବିରୋଧୀଙ୍କ ସମାଲୋଚନା ବା ଆଲୋଚନା ପ୍ରତି ଉତ୍ତରଦାୟିତ୍ବରେ ପ୍ରତିଫଳିତ ହୁଏ। ବିରୋଧୀ ଦଳ ନ ରହିଲେ ଶାସକ ଦଳ କେବଳ ଦାୟିତ୍ବହୀନ ଯେ ହୁଏ ସେ କଥା ନୁହେଁ, ଉଚ୍ଛୃଙ୍ଖଳ ମଧୢ ପାଲଟିଯାଏ। ଅତଏବ ସୁସ୍ଥ ଗଣତନ୍ତ୍ର ହେଉଛି ସେଇ ଯେଉଁଠାରେ ଶାସକ ଦଳ ଚାହେଁ ମୋ’ର ବିରୋଧୀ ଦଳଟିଏ ଥାଉ, ଯିଏ କି ଜନସାଧାରଣଙ୍କର କା’ ନେଇ ମତେ ଉତ୍ତରଦାୟିତ୍ବ ରହିବାରେ ସାହାଯ୍ୟ କରିବ। କାଳେ କାଳେ ଭଲ ଶାସନର ରୂପରେଖ ଏ ଭଳି ମନୋଭାବ ଉପରେ ନିର୍ଭର କରେ। ସେଇଥିଲାଗି ରାଜତନ୍ତ୍ରରେ ସୁଦ୍ଧା ପ୍ରଜାହିତୈଷୀ ଶାସକମାନେ ଅନ୍ଧାରି ବିଜେ କରି ଆଲୋଚନା, ସମାଲୋଚନାକୁ କାନୋଉଥିଲେ ଓ ତାହାକୁ ପ୍ରାଧାନ୍ୟ ଦେଉଥିଲେ। ଶ୍ରୀରାମଙ୍କର ଯେ ସୀତାଙ୍କୁ ବନବାସରେ ପଠାଇବାର ନିଷ୍ପତ୍ତି ତାହା ଯେତେ କରୁଣ ହେଲେ ମଧୢ ତା’ର ଅନ୍ତଃସ୍ରୋତରେ ରହିଛି ଏହି ବିରୋଧୀ-ମନୋଭାବକୁ ପ୍ରାଧାନ୍ୟ ଦେବାର ନିଷ୍ପତ୍ତି।

ଅତଏବ ଗଣତନ୍ତ୍ରରେ ସାଧାରଣ ଜନତାଙ୍କର ସରକାରଙ୍କ ପ୍ରତି ସହଯୋଗର ଯେଉଁ ଆବଶ୍ୟକତା ତାହା ପୂରଣ ହୁଏ ବିରୋଧୀ ଦଳ ମାଧୢମରେ। ଗୋଟିଏ ବ୍ୟବସ୍ଥାରେ ବା ବିଧାନ-ଦରବାରରେ ବିରୋଧ ମତ ପ୍ରତି ସମ୍ମାନ ନାହିଁ ଅର୍ଥ ତାହା ଗଣତନ୍ତ୍ର ନୁହେଁ। ବିରୋଧ ଯେ ପ୍ରକାରାନ୍ତରେ ସହଯୋଗ ତାହା କେବଳ ଏକ ଉଦାର ସରକାର ହିଁ ହୃଦୟଙ୍ଗମ କରେ। ପ୍ରତିପକ୍ଷ ଦଳ ନ ଥିବା ଏକ ଖେଳ ପ୍ରତିଯୋଗିତାରେ ଵାକ୍‌-ଓଭର‌୍‌ ବା ଏକପାଖିଆ ବିଜୟ ହାସଲ କରିବା ଯେମିତି ଏକ ପ୍ରହସନ, ଠିକ୍‌ ସେମିତି ବିରୋଧୀ ଦଳ ନ ଥିବା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଗୋଟିଏ ପ୍ରତିଷ୍ଠିତ ଅନ୍ୟାୟ। ଯେ କୌଣସି ତତ୍ତ୍ବ ସହ ବିରୋଧୀ ତତ୍ତ୍ବ ନ ଥିଲେ ତାହା ସିଦ୍ଧାନ୍ତରେ ପରିଣତ ହୋଇପାରେନା। ଲୁଗାବୁଣାରେ ଟାଣି, ଭରଣି ନ ଥିଲେ ବସ୍ତ୍ର ସୃଷ୍ଟି ହୋଇ ନ ପାରିବା ଭଳି ବିରୋଧୀ ଦଳ ବିନା ଗୋଟିଏ ଲୋକତାନ୍ତ୍ରିକ ବ୍ୟବସ୍ଥା ଠିକ୍‌ ଶାସନ-ବସନ ତିଆରି କରିପାରେ ନାହିଁ। ଅତଏବ ସରକାରରେ ସହଯୋଗ ଆସେ ବିରୋଧୀଙ୍କ ଆଲୋଚନା-ମୂଳକ ସହଯୋଗରେ।

ଅନ୍ୟ ଦିଗରେ ବିଚାର ବ୍ୟବସ୍ଥାକୁ କବଳିତ କରି ଅନେକ ସରକାରରେ ସଫଳତା ଆଣିବା ଲାଗି ପଦକ୍ଷେପମାନ ନିଆଯାଏ। ମାତ୍ର ଏ ସମସ୍ତ ପରବର୍ତ୍ତୀ କାଳରେ ବୁମେରା˚ ହୁଏ। ଯେଉଁ ଶାସନରେ ବିଚାର ବ୍ୟବସ୍ଥା ସ୍ବାଧୀନ ନୁହେଁ ତାହା ଦାୟିତ୍ବମୂଳକ ହେବାର ଅବବୋଧ ପାଇବ କେଉଁଠୁ? ‘‘ମୁଁ ଯାହା କହୁଛି ତାହା ଠିକ୍‌’’ର ମନୋଭାବ ସ୍ବେଚ୍ଛାଚାରିତାର ଏକ ପ୍ରତ୍ୟକ୍ଷ ଉଚ୍ଚାରଣ। ତାହା ମୋଟେ ଗଣତନ୍ତ୍ରର ଅଭିବ୍ୟକ୍ତି ନୁହେଁ। ଅତଏବ ସରକାରଙ୍କୁ ସହଯୋଗର ଅନ୍ୟ ସୂତ୍ରଟି ହେଉଛି ଦେଶର ନ୍ୟାୟ ବ୍ୟବସ୍ଥା ନିଜକୁ ସ୍ବାଧୀନ ରଖିପାରିବା।

ଠିକ୍‌ ସେମିତି ଗଣମାଧୢମ। ଅନେକ ସମୟରେ ଆମେ ଲକ୍ଷ୍ୟ କରୁ ଯେ ଗଣମାଧୢମ ତଥ୍ୟଦର୍ଶୀ ନ ହୋଇ ତତ୍ତ୍ବଦର୍ଶୀ ହେବାରେ ଅଧିକ ଆଗ୍ରହୀ। ସତ୍ୟର ପରିବେଷଣ ବଦଳରେ ମତ-ମନ୍ତବ୍ୟ ଦେବାରେ ଅଧିକ ଉତ୍ସାହୀ। ବୁଝିବାର ଅଛି ଯେ ଆଧୁନିକ ସମୟରେ ଏକ ସୁସ˚ହତ ଗଣତାନ୍ତ୍ରିକ ରାଷ୍ଟ୍ର-ବ୍ୟବସ୍ଥାକୁ ଗଣମାଧୢମ ହିଁ ସୁଦୃଢ଼ କରେ। ଗଣତନ୍ତ୍ରର ଇଞ୍ଜିନ୍‌ ଚାଲେ ନିର୍ବାଚନ ଯୋଗାଇଥିବା ଇନ୍ଧନରେ। ଏ ଇନ୍ଧନ ପ୍ରସ୍ତୁତ ହୁଏ ଜନମତକୁ ଆଧାର କରି। ଆହୁରି ତଳେଇ ଦେଖିଲେ ଜନମତର ଉତ୍ସ ହେଉଛି ଗଣମାଧୢମ। ସ˚ପ୍ରତି ଗଣମାଧୢମ ବହୁଧା ବିଭକ୍ତ ଏବ˚ ତା’ ଭିତରେ ନୂଆପଣ ଓ ସହଜତା ହେତୁ ସାମାଜିକ ଗଣମାଧୢମ ହିଁ ଏବେ ଅଧିକ ସକ୍ରିୟ। ଯାହା ସହଜ ତାହା ସେତେ ସହଜରେ ନିଜର ମୌଳିକ ପରିଚୟ ଓ ପବିତ୍ରତା ହରାଇ ବସେ। ଅତଏବ ଗୋଟେ ପଟେ ଦାୟିତ୍ବହୀନ ମତ ଓ ମନ୍ତବ୍ୟ ଏବଂ ଅନ୍ୟପଟେ ଶାସନ ବ୍ୟବସ୍ଥାର ଅବିଚାରିତ ଅଙ୍କୁଶ ଏବେ ଗଣମାଧୢମଗୁଡ଼ିକର ଯେ ପ୍ରଭୂତ କ୍ଷତି ସାଧନ କରିଚାଲିଛି ତାହା କହିବା ବାହୁଲ୍ୟ ମାତ୍ର।

ବିରୋଧୀ ଦଳ ଯେମିତି ବିରୋଧ ଆଲୋଚନା ମାଧୢମରେ ସରକାରକୁ ସହଯୋଗ ଦିଏ, ନିରପେକ୍ଷ ବିଚାର ବ୍ୟବସ୍ଥା ଯେ ଭଳି ନ୍ୟାୟ ଆଧାରରେ ଶାସନକୁ ସୀମା-ସଚେତନ କରି ରଖେ ଠିକ୍‌ ସେମିତି ଏକ ସ୍ବାଧୀନ ଗଣମାଧୢମ ହିଁ ସତ୍ୟ ପ୍ରକାଶ କରି ସରକାରକୁ ବାସ୍ତବତା ସମ୍ପର୍କରେ ଜାଗରୁକ କରେ। ଗଣମାଧୢମକୁ ସଙ୍କୁଚିତ କରିବା ଅର୍ଥ ନିଆଁଝୁଲକୁ ପାଉଁଶ ତଳେ ଲୁଚାଇ ରଖିବା। କହିବାର ଅଛି ଯେ ସ୍ତୁତି, ପ୍ରଶ˚ସା, ଜୟଗାନ ଆଦି ସହଯୋଗର ମାଧୢମ ନୁହନ୍ତି। ଏ ସମସ୍ତ ଗୋଟିଏ ସରକାରକୁ ବିପଥଗାମୀ କରାଇବାରେ ସାହାଯ୍ୟ କରନ୍ତି ସିନା ଅସଲ ସହଯୋଗ ଦିଅନ୍ତି ନାହିଁ।

ସରକାର ସବୁବେଳେ ଏକ ସହଯୋଗ ଆଧାରିତ ବ୍ୟବସ୍ଥା। ତାହା ରାଜୁଡ଼ା ଶାସନ ହେଉ କି ଗଣତାନ୍ତ୍ରିକ ବ୍ୟବସ୍ଥା ହେଉ। ଗଣତାନ୍ତ୍ରିକ ସରକାରରେ ସହଯୋଗର ଆଧାରକୁ ରାଜତନ୍ତ୍ରରେ ପରିଣତ କଲେ ଭବିଷ୍ୟତ ଯେ ଭୟାବହ ହେବ ସେ କଥା ଶାସନରେ ଥିବା ଲୋକେ ଆଗେ ବୁଝିବା ଦରକାର।

ଇତିହାସର ପୃଷ୍ଠା ଓଲଟେଇଲେ ସବୁ ଜଳ ଜଳ ଦିଶିବ। ସାଧୁ ସାବଧାନ!

[email protected]

ସମ୍ବନ୍ଧିତ ଖବର