ଗାନ୍ଧୀ ବିଚାର ସରକାରଙ୍କର ନୀତି ହେଉ

ପ୍ରଦୀପ୍ତ କୁମାର ନାଏକ

୧୯୨୧ ମସିହା ୨୩ ମାର୍ଚ୍ଚ ଓଡ଼ିଶା ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିବସ। କାରଣ ସେ ଦିନ ଥିଲା ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡ଼ିଶା ଆଗମନ। ଏହି ଘଟଣାକୁ ଶହେ ବର୍ଷ ପୂରିଲା। ସାରା ରାଜ୍ୟରେ ଏହାକୁ ପାଳନ କରାଗଲା। ଓଡ଼ିଶା ଲୋକମାନଙ୍କ ମନରେ ଗାନ୍ଧୀଙ୍କ ପ୍ରତି ଯେ ଅମାପ ଶ୍ରଦ୍ଧା ଅଛି, ଏହା ସେହି ଦିନର ମାହୋଲରୁ ପରିଲକ୍ଷିତ ହେଲା। ବିଧାନସଭାରେ ମଧୢ ଗାନ୍ଧୀଙ୍କ ଉପରେ ଏକ ସ୍ବତନ୍ତ୍ର ଆଲୋଚନା ହେଲା। ଗାନ୍ଧୀ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ଆମ ପାଖରେ ଯାହା ଅଛି ତାହା ହେଉଛି ଗାନ୍ଧୀ ବିଚାର। ଆଜକୁ ଶହେ ବର୍ଷ ତଳେ ଗାନ୍ଧୀ ଆସିଥିଲେ ମାନେ ଗାନ୍ଧୀଙ୍କର ବିଚାର ଆସିଥିଲା। ଶହେ ବର୍ଷ ବିତିଗଲାଣି, ବ୍ରିଟିସ୍‌ ଶାସନରୁ ମୁକ୍ତ ହୋଇ ଢେର୍‌ ଦିନ ଆମେ ଆମର ଶାସନ ଡୋରି ଧରିଲେଣି। ହେଲେ ଗାନ୍ଧୀ ଯାହା କହୁଥିଲେ, ଗାନ୍ଧୀ ଯାହା ଭାବୁଥିଲେ, ଆମେ ତାହାକୁ ପାଳନ କରୁଛେ କି?, ଏହା ବର୍ତ୍ତମାନ ସମୟର ଏକ ବଡ଼ ପ୍ରଶ୍ନ। ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ବେଳେ ଆମେ ଗାନ୍ଧୀ ବିଚାରକୁ କେତେ ଦୂର ପାଳନ କରୁଛେ ଓ ସରକାରଙ୍କ ନୀତିରେ ଗାନ୍ଧୀ ବିଚାର କେତେ ପ୍ରତିଫଳିତ ହେଉଛି, ତା’ ଉପରେ ତର୍ଜମା କରାଯିବାର ବହୁତ ଆବଶ୍ୟକତା ରହିଛି।

ଗାନ୍ଧୀଙ୍କ ବିଚାର ଉପରେ ଲେଖିଲେ ଏହା ସରିବ ନାହିଁ। କାରଣ ଗାନ୍ଧୀ ସମାଜରେ ଘଟୁଥିବା ପ୍ରାୟ ସମସ୍ତ ବିଷୟରେ ନିଜ ମତ ରଖି ଯାଇଛନ୍ତି। ସେଥିରୁ କିଛି ବିଷୟ ଉପରେ ଆଲୋଚନା କରିବା। ଆଜିର ସମୟରେ ମଦ ଏକ ବଡ଼ ସାମାଜିକ ଶତ୍ରୁ ଭାବରେ ଠିଆ ହୋଇଛି। ସେତେବେଳେ ଗାନ୍ଧୀ ଏହାର କୁପ୍ରଭାବକୁ ଠିକ ଭାବରେ ଆକଳନ କରିସାରିଥିଲେ। ମଦ ବିଷୟରେ ଗାନ୍ଧୀଜୀ କହିଥିଲେ, ‘ଭାରତ ଗରିବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ। ଯଦି ଭାରତରେ ମଦ ବନ୍ଦ ଅଭିଯାନକୁ ଜାରି ରଖିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦେବା ବନ୍ଦ କରିବାକୁ ପଡ଼େ ତା’ହେଲେ ମଧ୍ୟ କୌଣସି ପରବାୟ ନାହିଁ, ମୁଁ ଏହି ମୂଲ୍ୟ ଦେଇ ମଧୢ ମଦ ବନ୍ଦ କରିବା ସପକ୍ଷରେ ରହିବି।’ (‘ୟଙ୍ଗ ଇଣ୍ତିଆ’ ପତ୍ରିକାରେ ୧୫.୦୯.୧୯୨୭ରେ ପ୍ରକାଶିତ)। ହେଲେ ବର୍ତ୍ତମାନ ଆମ ରାଜ୍ୟ ସରକାର କିପରି ମଦ ଟିକସ ବଢ଼ିବ, କିପରି ଅଧିକ ମଦ କାରଖାନା ହେବ, କିପରି ଗ୍ରାମାଞ୍ଚଳରେ ଅଧିକ ମଦ ଦୋକାନ ଖୋଲାଯିବ, ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦିଆଯିବ ସେହି ନୀତିରେ ଚାଲୁଛନ୍ତି। ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଞ୍ଜଳି?

ସରକାର ରାଜସ୍ବ ପାଉଥିବାରୁ ଅଧିକ ମଦ ବିକ୍ରି ପାଇଁ ଚେଷ୍ଟା କରୁଛନ୍ତି ଓ ନୀତି ସେହି ଅନୁରୂପ ତିଆରି ହେଉଛି। ହେଲେ ଗାନ୍ଧୀଜୀ ତାଙ୍କର ପତ୍ରିକା ‘ୟଙ୍ଗ ଇଣ୍ତିଆ’ରେ ୦୮.୦୬. ୧୯୨୯ରେ ଲେଖିଥିଲେ, ‘ପ୍ରଜାମାନଙ୍କୁ ନିଜ ଆଡୁ ଏପରି ସୁବିଧା ପ୍ରଦାନ କରିବା ରାଜ୍ୟର କାମ ନୁହେଁ। ସରକାର ବେଶ୍ୟାଳୟମାନଙ୍କୁ ସେମାନଙ୍କର ବ୍ୟବସାୟ ଚଳାଇବାକୁ ଅନୁମତି ପତ୍ର ଦିଅନ୍ତି ନାହିଁ। ସେହି ଭଳି ଚୋରମାନଙ୍କୁ ସେମାନଙ୍କର ଚୋରି କାମ କରିବାକୁ ସୁବିଧା ପ୍ରଦାନ କରନ୍ତି ନାହିଁ। ମୁଁ ମଦକୁ ଚୋରି ଓ ବ୍ୟଭିଚାର ଠାରୁ ଅଧିକ ନିନ୍ଦନୀୟ ବୋଲି ମନେ କରେ। କ’ଣ ଏହି ଖରାପ ଗୁଣମାନଙ୍କର ଜନନୀ ମଦ ହୋଇଥାଏ।’ ମହାତ୍ମା ଗାନ୍ଧୀ ପୁଣି କହିଛନ୍ତି -‘ମୋତେ ଯଦି ଘ˚ଟାଏ ପାଇଁ ଭାରତର ଡିକ୍େ‌ଟଟର କରି ଦିଆଯାଏ ତେବେ ମୋର ପ୍ରଥମ କାମ ହେବ ଯେ କୌଣସି କ୍ଷତିପୂରଣ ନଦେଇ ସମସ୍ତ ମଦ ଦୋକାନଗୁଡ଼ିକ ବନ୍ଦ କରିବି।’ ଏ କଥା ‘ୟଙ୍ଗ ଇଣ୍ତିଆ’ର ସମ୍ପାଦକୀୟରେ ୨୬.୦୬.୧୯୩୧ରେ ଗାନ୍ଧୀ ଲେଖିଥିଲେ। ସେଥିରୁ ସ୍ପଷ୍ଟ ଯେ ମଦର କୁପ୍ରଭାବକୁ ନେଇ କେତେ ବ୍ୟସ୍ତ ଓ ଚିନ୍ତାଶୀଳ ଥିଲେ ଗାନ୍ଧୀ। ହେଲେ ଗାନ୍ଧୀ ବିଚାରରେ ଏବେକାର ସରକାର ଚାଲୁଛନ୍ତି କି ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁ ଠାରେ ଗୋ-ହତ୍ୟା ନିରୋଧ ଆଇନ ଆସିଥିଲା। ସେତେବେଳର ସରକାର ବୋଧହୁଏ ଗାନ୍ଧୀ ବିଚାରର ମହତ୍ତ୍ବକୁ ବୁଝିପାରିଥିଲେ, ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋ-ଚାଲାଣ ଓଡ଼ିଶାରୁ ହିଁ ହେଉଛି। ବଙ୍ଗଳାଦେଶକୁ ଯେଉଁ ଗୋ-ଚାଲାଣ ହେଉଛି, ତାହା ଓଡ଼ିଶା ଭାୟା ଦେଇ ହେଉଛି। ସରକାର ଓ ପୁଲିସ ପ୍ରଶାସନର ବିନା ସହଯୋଗରେ ପ୍ରତିଦିନ ଶହ ଶହ ଟ୍ରକ୍‌ ରାଜରାସ୍ତାରେ ପାର ହେବା ଅସମ୍ଭବ। ଏବେ ଦେଖିବା ଯେ ଗୋ-ରକ୍ଷାକୁ ନେଇ ମହାତ୍ମାଙ୍କ ବିଚାର କ’ଣ ଥିଲା ଓ ଏହାକୁ ନେଇ ସେ କେତେ ସ˚କଳ୍ପବଦ୍ଧ ଥିଲେ। ସେ ‘ୟଙ୍ଗ ଇଣ୍ତିଆ’ ପତ୍ରିକାରେ ୬.୧.୧୯୨୧ରେ ଲେଖିଛନ୍ତି, ‘ଗାଈ କରୁଣାର କାବ୍ୟ ଅଟେ। ଏହି ସୌମ୍ୟ ପଶୁ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଅଟେ। ସେ କୋଟି କୋଟି ଭାରତୀୟମାନଙ୍କର ମା’। ଗୋ-ରକ୍ଷାର ଅର୍ଥ ହେଲା ଈଶ୍ବରଙ୍କର ମୂକ ସୃଷ୍ଟିର ରକ୍ଷା। ପ୍ରାଚୀନ ଋଷିମାନେ ଗାଈକୁ କେବେ ବି ପଶୁ ନୁହେଁ ବରଂ ଭଗବାନ ଭାବିଛନ୍ତି। ଗାନ୍ଧୀ କହିଛନ୍ତି, ଗୋମାତା ନିଜର ଜନ୍ମଦାତ୍ରୀ ମା’ଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ। ସେ କହୁଥିଲେ ଯେ ଯଦି ନିଃସ୍ବାର୍ଥପର ସେବାର ଉଦାହରଣ ପୃଥିବୀ ପୃଷ୍ଠରେ ଦେଖିବାକୁ ମିଳେ, ତେବେ ତାହା ଗୋମାତା ଠାରେ ହିଁ ଦେଖିବାକୁ ମିଳେ। ସେ ହରିଜନ ପତ୍ରିକାରେ ୧୫-୦୯-୧୯୪୦ରେ ଲେଖିଛନ୍ତି, ଗୋମାତା ଅନେକ ଅର୍ଥରେ ଆମର ଜନ୍ମଦାତ୍ରୀ ମାତା ଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ ଅଟେ ା ଆମ ମା’ ଆମକୁ ବର୍ଷେ-ଦୁଇବର୍ଷ ସ୍ତନ୍ୟପାନ କରାଇଥାନ୍ତି ଏବ˚ ତା’ ବଦଳରେ ଆଶା କରନ୍ତି ଯେ ଆମେ ତାଙ୍କର ସେବା କରିବା। ଗାଈ ଆମ ଠାରୁ ଖାଦ୍ୟ ବ୍ୟତୀତ କିଛି ଆଶା କରେ ନାହିଁ। ଆମ ମା’ ଯେତେବେଳେ ରୁଗ୍‌ଣ ହୋଇଥାନ୍ତି ସେତେବେଳେ ଆମେ ତାଙ୍କର ସେବା କରୁ ବୋଲି ସେ ଆଶା କରିଥାନ୍ତି। ଗୋମାତା ପ୍ରାୟ ବେମାର ପଡ଼ି ନ ଥାଏ। ଗୋମାତା ଆମର ସେବା କେବଳ ବ˚ଚିଥିବା ଯାଏ କରିଥାଏ ତାହା ନୁହେଁ, ବର˚ ମୃତ୍ୟୁ ପରେ ମଧ୍ୟ କରିଥାଏ। ନିଜ ମା’ଙ୍କ ମୃତ୍ୟୁ ପରେ ଅନ୍ତିମ ସ˚ସ୍କାର କରିବା ପାଇଁ ଧନ ବ୍ୟୟ କରିବାକୁ ପଡ଼ିଥାଏ, ହେଲେ ଗୋମାତା ମରିବା ପରେ ଆମେ ତା’ ଶରୀରର ପ୍ରତ୍ୟେକ ଅଙ୍ଗ ଅସ୍ଥି, ଶିଙ୍ଗ, ଚମଡ଼ା ଆଦିକୁ ବ୍ୟବହାର କରିଥାଉ। ମୁଁ ଏପରି କଥା ଜନ୍ମଦାତ୍ରୀ ମା’କୁ ନିନ୍ଦା କରିବା ଅର୍ଥରେ କହୁ ନାହିଁ ବର˚ ଏହା ଦର୍ଶାଇବା ପାଇଁ କହୁଛି ଯେ ଗାଈର ପୂଜା ମୁଁ କାହିଁକି କରେ। ମହାତ୍ମା ଗାନ୍ଧୀ ଗୋ-ରକ୍ଷାକୁ ହିନ୍ଦୁ ଧର୍ମର କେନ୍ଦ୍ରୀୟ ତତ୍ତ୍ବ ବୋଲି ମନେ କରୁଥିଲେ। ‘ହିନ୍ଦୁ ଧର୍ମର କେନ୍ଦ୍ରୀୟ ତତ୍ତ୍ବ ଗୋ-ରକ୍ଷା ଅଟେ। ଗାଈକୁ ଦେବତ୍ବ ରୋପଣ ପାଇଁ କାହିଁକି ବଛାଗଲା, ଏହାର କାରଣ ସ୍ପଷ୍ଟ ଅଟେ। ଭାରତରେ ଗାଈ ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ସହଯୋଗୀ। ତା’ କାରଣରୁ ଆମ ଦେଶରେ କୃଷି ସମ୍ଭବ।’ (‘ୟଙ୍ଗ ଇଣ୍ତିଆ’ ୬-୧୦-୧୯୨୧)

କିନ୍ତୁ ଆଜି ଦୁର୍ଭାଗ୍ୟର ବିଷୟ ଯେ ଓଡ଼ିଶାରେ ଅବାଧରେ ଗୋ-ଚାଲାଣ ଚାଲିଛି। ମହାତ୍ମା ଗାନ୍ଧୀଙ୍କ ବିଚାରକୁ ସମ୍ପୂର୍ଣ୍ଣ ରୂପେ ଅପ୍ରାସଙ୍ଗିକ କରି ଦିଆଯାଇଛି। ଗୋ-ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଗଲେ ହିଁ ଗାନ୍ଧୀଜୀଙ୍କ ସ୍ବପ୍ନର ରାମରାଜ୍ୟ ସ୍ଥାପିତ ହୋଇ ପାରିବ।

ଆମ ରାଜ୍ୟର ଶାସନରେ ଇ˚ରେଜୀ ଭାଷାର ପ୍ରାଧାନ୍ୟ ଅଧିକ ପରିଲକ୍ଷିତ ହେଉଛି। ଓଡ଼ିଆ ଭାଷାରେ ଆଦୌ କାମ ହେଉ ନାହିଁ। ଗାନ୍ଧୀଙ୍କ ବିଚାର ବିଷୟରେ ଆଲୋଚନା କଲା ବେଳେ ଆମେ ଯଦି ମାତୃଭାଷାକୁ ନେଇ ଗାନ୍ଧୀଙ୍କ ବିଚାର କ’ଣ ଥିଲା ତା’ ଉପରେ ଆଲୋଚନା ନ କରିବା, ତେବେ ଏହା ଅପୂର୍ଣ୍ଣ ରହିଯିବ। ମହାତ୍ମା ଗାନ୍ଧୀ କହିଥିଲେ, ‘ଇ˚ରେଜୀ ଶିକ୍ଷା ଯେଉଁ ଭଳି ଭାବରେ ଆମ ଦେଶରେ ଦିଆଯାଉଛି ଏହାଦ୍ବାରା ଭାରତୀୟମାନଙ୍କର ଦୁର୍ବଳୀକରଣ ହୋଇଛି, ଭାରତୀୟ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ଶକ୍ତି ଉପରେ ଜବରଦସ୍ତ ଚାପ ପକାଇଛି ଏବ˚ ଆମକୁ ନକଲ କରୁଥିବା ଲୋକରେ ପରିଣତ କରି ଦେଇଛି। ଅନୁବାଦକମାନଙ୍କର ଏକ ଗୋଷ୍ଠୀ ତିଆରି କରି କୌଣସି ଦେଶ କେବେ ବି ସଫଳ ରାଷ୍ଟ୍ର ହୋଇ ପାରିବ ନାହିଁ। ’(‘ୟଙ୍ଗ ଇଣ୍ତିଆ’, ୦୭.୦୪.୧୯୨୧)।

ପୁଣି ଗାନ୍ଧୀଜୀ ତାଙ୍କର ନିଜସ୍ବ ସମ୍ପାଦିତ ହରିଜନ ପତ୍ରିକାରେ ଲେଖିଛନ୍ତି, ‘ଇ˚ରେଜୀ ବିନା ଆମର କାମ ଚଳି ପାରିବ ନାହିଁ ବୋଲି ଆମେ ଯାହା ଭାବୁଛେ, ତାହା ଆମର ମାନସିକ ଦାସତ୍ବ ଅଟେ। ଏହି ପରାଜୟବାଦକୁ ମୁଁ କେବେ ହେଲେ ସମର୍ଥନ କରିପାରିବିନାହିଁ। ଇ˚ରେଜୀ ନ ଜାଣିଲେ ଆମେ ଯେଭଳି ଭାବରେ ଅସହାୟତାର ଶିକାର ହୋଇଥିବା ଭଳି ମନେ କରୁଛୁ, କୌଣସି ଜାପାନୀକୁ ସେଭଳି ଅନୁଭୂତ ହୁଏ ନାହିଁ।’ ମହାତ୍ମା ଗାନ୍ଧୀଙ୍କର ସ୍ପଷ୍ଟ ମତ ଥିଲା ଯେ ପିଲା ତା’ର ମାତୃଭାଷାରେ ଅଧ୍ୟୟନ କଲେ ତା’ର ମାନସିକ ବିକାଶ ଘଟିବ।

ଓଡ଼ିଶାରେ ଧର୍ମାନ୍ତରୀକରଣ ଯେ ଏକ ବଡ଼ ଓ ସ୍ପର୍ଶକାତର ପ୍ରସଙ୍ଗ; ଏଥିରେ କୌଣସି ଦ୍ବିମତ ନାହିଁ। ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଜାଣିଶୁଣି ଆଖି ବୁଜି ଦେଇ ପାରନ୍ତି। ହେଲେ ଯେଉଁଭଳି ଭାବେ ଡେମୋଗ୍ରାଫିରେ ପରିବର୍ତ୍ତନ ହେଉଛି, ତାହା ଆଗାମୀ ଦିନରେ ଓଡ଼ିଶାର ସ˚ସ୍କୃତି ଓ ସମାଜ ଉପରେ ଖୁବ ପ୍ରତିକୂଳ ପ୍ରଭାବ ପକାଇବ। ଓଡ଼ିଶାରେ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ଆଇନ ରହିଛି। ଯେପରି ଗୋ-ରକ୍ଷା ଆଇନ ପାଳନ କରାଯାଉନାହିଁ ସେମିତି ଧର୍ମାନ୍ତରୀକରଣ ଆଇନ ସମ ଦଶା ଭୋଗୁଛି। ଗାନ୍ଧୀଜୀ ତାଙ୍କ ପୁସ୍ତକ ‘ଖ୍ରିଷ୍ଟିଆନ ମିସନ୍‌ସ- ଦେଆର ପ୍ଲେସ୍‌ ଇନ ଇଣ୍ତିଆ’ରେ ଉଲ୍ଲେଖ କରିଛନ୍ତି ଯେ, ‘ଭାରତରେ ଖ୍ରୀଷ୍ଟିଆନ ଧର୍ମ ଅରାଷ୍ଟ୍ରୀୟତା ତଥା ୟୁରୋପୀକରଣର ପ୍ରତିଶବ୍ଦ ହୋଇ ସାରିଛି। ଖ୍ରୀଷ୍ଟିଆନ କର୍ମକର୍ତ୍ତାମାନେ ଏବେ ଯେପରି ଭାବରେ କାର୍ଯ୍ୟ କରୁଛନ୍ତି, ସ୍ବାଧୀନ ଭାରତରେ ତାଙ୍କର ସ୍ଥାନ ରହିବ ନାହିଁ। ସେମାନେ ସମଗ୍ର ଦେଶର କ୍ଷତି କରୁଛନ୍ତି।’ ଗାନ୍ଧୀଜୀ ସର୍ବଧର୍ମ ସମଭାବର ପ୍ରତିମୂର୍ତ୍ତି ଥିଲେ। ଧର୍ମାନ୍ତରୀକରଣର ସେ ଯେଉଁ ବିରୋଧ କଲେ, ତାହା ତର୍କ ଉପରେ ଆଧାରିତ ଥିଲା।

ଗାନ୍ଧୀ ବିଚାର କୌଣସି ଭାଷଣ ଦେବାର ବିଷୟ ବସ୍ତୁ ନୁହେଁ ବା ମନୋର˚ଜନର ବିଷୟ ବସ୍ତୁ ନୁହେଁ। ଗାନ୍ଧୀଜୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ଦରକାର। ରାଜ୍ୟ ସରକାର ଗାନ୍ଧୀଙ୍କ ବିଚାର ଆଧାରରେ ସରକାରଙ୍କ ନୀତି କରିବା କଥା। ମହାତ୍ମା ଗାନ୍ଧୀ ଭାରତର ଆତ୍ମାକୁ ଚିହ୍ନିଥିଲେ। ଗାଁ, ଗାଈ, ଭାରତୀୟ ସଭ୍ୟତା, ସ˚ସ୍କୃତି, ଆଧୢାତ୍ମିକତା, ଧର୍ମାନ୍ତରଣ ମୁକ୍ତ ସମାଜ, ମଦମୁକ୍ତ ସମାଜ ଥିଲା ଗାନ୍ଧୀଙ୍କ ସ୍ବପ୍ନ। ଦୁର୍ଭାଗ୍ୟର ବିଷୟ ଯେ ନିଜକୁ ଗାନ୍ଧୀବାଦୀ ବୋଲି କହୁଥିବା ସରକାରମାନେ ତାଙ୍କର ଏହି ବିଚାରକୁ ଭୁଲି ଯାଇଛନ୍ତି। ଗୋ-ହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବା, ଧର୍ମାନ୍ତରୀକରଣ ଉପରେ ସମ୍ପୂର୍ଣ୍ଣ କଟକଣା, ଇ˚ରେଜୀ ବ୍ୟବସ୍ଥା ବଦଳରେ ଭାରତୀୟ ବ୍ୟବସ୍ଥା ଲାଗୁ କରିବା, ଭାରତୀୟ ଭାଷାରେ ପିଲାମାନଙ୍କୁ ପାଠପଢ଼ା ସହ ସରକାରୀ ଅଫିସ, ନ୍ୟାୟାଳୟରେ ଭାରତୀୟ ଭାଷାଗୁଡ଼ିକରେ କାମ କରାଇବା, ମଦ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଆଦି ପଦକ୍ଷେପ ନେଲେ ଗାନ୍ଧୀଜୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ବିରୋଧୀ ଦଳର ନେତା, ଓଡ଼ିଶା

ସମ୍ବନ୍ଧିତ ଖବର