‘କାଠଯୋଡ଼ି’ ନଦୀର ଶୁଭ୍ର ସୈକତ ବେଳାରେ ସେ ଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶାର ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କର ମିଳନ ହୋଇଥିଲା ବାପୁଜୀଙ୍କୁ ମନେ ପକାଇବା ପାଇଁ। ସେମାନେ ଅନେକ ମୂଲ୍ୟବାନ ତଥ୍ୟ ରଖିଥିଲେ। ସେଥିରେ ମଧୢ ଗାନ୍ଧୀଜୀ କେଉଁ ଦଳର କେତେ ଆପଣାର ବୋଲି କଥା କଟାକଟି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ତାହା ସତ୍ତ୍ବେ ଏହା ଥିଲା ଏକ ମହାମିଳନ।
ସେ ଦିନ ଏହି ଲେଖକର ମନେ ପଡୁଥିଲା, ଜର୍ଜ ବର୍ଣ୍ଣାଡ ସ’ଙ୍କର ଏକ ଅବିସ୍ମରଣୀୟ ନାଟକ ‘ସେଣ୍ଟ ଜୋଆନ୍’ର ଚତୁର୍ଥ ଅଙ୍କର ଅନ୍ତିମ ଦୃଶ୍ୟର କେତୋଟି ସ˚ଳାପ। ଖ୍ରୀଷ୍ଟାବ୍ଦ ୧୪୨୯ରେ ଫରାସୀମାନେ ସେମାନଙ୍କର ପ୍ରିୟ ଦୁର୍ଗ ‘କ୍ୟାସଲ ଅଫ୍ ଭାଇକୁଲେର୍ସ’(Castle of Vaucouleurs)କୁ ଶତ୍ରୁମାନଙ୍କ ଆକ୍ରମଣରୁ ରକ୍ଷା କରିପାରୁନଥିଲେ। ସେମାନେ ସାହସ ଓ ସ˚କଳ୍ପ ଶକ୍ତି ହରାଇ ବସିଥିଲେ। ପୃଷ୍ଠଭଙ୍ଗ ଦେଇ ସେମାନେ ଫେରୁଥିଲା ବେଳେ ‘ସେଣ୍ଟ ଜୋଆନ୍’ ନାମରେ ଗୋଟିଏ ଦୁର୍ଜେୟ-ସାହସିନୀ ଅନୂଢ଼ା ସେମାନଙ୍କୁ ଉତ୍ସାହର ବାଣୀ ଶୁଣାଇ ତାଙ୍କର ସେନାପତିତ୍ବ ନେଇ ଯୁଦ୍ଧ ଜୟ କରି ଦୁର୍ଗ ରକ୍ଷା କରିଥିଲା ଓ ଫ୍ରାନ୍ସର ଇଜ୍ଜତ ବଞ୍ଚାଇଥିଲା। କିନ୍ତୁ ସେହି ଅସାଧାରଣ ଝିଅଟିକୁ ସୈନିକମାନେ ତାହାର ସାହସ ଓ ସ˚କଳ୍ପ ପାଇଁ ‘ଡାଆଣୀ’ ବୋଲି ଅପଖ୍ୟାତି ଦେଲେ ଏବ˚ ସଭ୍ୟ ସମାଜରେ ଡାଆଣୀର ସ୍ଥାନ ନାହିଁ ବୋଲି ତଦାନୀନ୍ତନ ସମାଜନୀତିରେ ବିଚାର କରି ତାହାକୁ ମୃତ୍ୟୁ ଦଣ୍ତ ଦେଲେ। କିନ୍ତୁ କୌତୂହଳର ବିଷୟ ଯେ ମୃତ୍ୟୁଦଣ୍ତ ମିଳିଥିବା ସ୍ମୃତିକୁ ଜୀବନ୍ତ କରି ରଖିବା ପାଇଁ, ସେହି ଦିନଟିକୁ ପ୍ରତିବର୍ଷ ଫରାସୀମାନେ ପାଳନ କଲେ। ଝିଅଟିର କୀର୍ତ୍ତି କୀର୍ତ୍ତନ କଲେ। ନାଟକଟିର ଶେଷ ଅଙ୍କର ଶେଷ ଦୃଶ୍ୟରେ ଏକ ରାତ୍ରିରେ ସେଣ୍ଟ ଜୋଆନ୍ ତାଙ୍କ ରାଜାଙ୍କୁ ସ୍ବପ୍ନରେ କହିଛନ୍ତି- ‘ଆମ ଲୋକମାନେ ମୋତେ ମନେ ପକାଇ ଆଜି ପର୍ଯ୍ୟନ୍ତ ଝୁରୁଛନ୍ତି ଓ କାନ୍ଦୁଛନ୍ତି। ତା’ହେଲେ, ‘ମୁଁ କ’ଣ ଯୀଶୁଙ୍କୁ ପ୍ରାର୍ଥନା କରିବି, ସେ ମୋତେ ପୁନର୍ବାର ସେଠାକୁ ପଠାଇ ଦେବେ?’ ରାଜା, ସ୍ବପ୍ନ ଉତ୍ତାରେ ବିବ୍ରତ ହୋଇପଡ଼ିଲେ। ରାଜାଙ୍କ ଠାରୁ ଅଧିକ ବିବ୍ରତ ହୋଇପଡ଼ିଥିଲେ ତାଙ୍କର ସୈନିକମାନେ। ସେନାଧୢକ୍ଷ, ଉତ୍ତର ଦେଇ କହିଥିଲେ, ସେଣ୍ଟ ଜୋଆନ୍ ଉଦ୍ଦେଶ୍ୟରେ:
‘They just leave you in the ditch to bleed to death; and the next thing is, you meet them down there, for all the airs, they give themselves. What I say is, you have as good a right to your notions, as they have to theirs’.
(The Complete plays shaw page 1009)
(ସେମାନେ ତୁମକୁ ସେହି ଗର୍ତ୍ତରେ ରକ୍ତସ୍ରାବ ହୋଇ ମରିବାକୁ ଛାଡ଼ି ଦେଇଗଲେ: ତେଣୁ ତୁମେ ସେମାନଙ୍କୁ ସେହିଠାରେ ହିଁ ଭେଟିବ। ମୁଁ ଯାହା କହିବାକୁ ଚାହେଁ ତାହା ହେଲା ତୁମର ଯେମିତି ଏକ ଧାରଣା ପୋଷଣ କରିବାର ଅଧିକାର ଅଛି, ସେମାନଙ୍କର ମଧୢ ସେଭଳି ରହିଛି।)
ଏହା ଶୁଣି ସେଦିନ Joan ସ୍ବର୍ଗତୋକ୍ତି କରିଥିଲେ, ‘O! God, that madest beautiful Earth; When will it be ready to receive thy Saints.’ (ହେ ଈଶ୍ବର, ଏ ସୁନ୍ଦର ପାଗଳ ପୃଥିବୀ କେବେ ସନ୍ଥମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେବ।)
ଜୋଆନ୍ଙ୍କ ଭାଷାରେ ଗାନ୍ଧୀଜୀଙ୍କୁ ଗ୍ରହଣ କରିବା ପାଇଁ ମଧୢ ଆମ ଦେଶ ଭାରତ ସେଦିନ ପ୍ରସ୍ତୁତ ହୋଇପାରିନଥିଲା। କେବେ ହେବ, ତାହା ଏବେ ଠାରୁ କହିବା ମଧୢ ନିରାପଦ ନୁହେଁ।
ସନ୍ଥ(ସେଣ୍ଟ)ମାନଙ୍କୁ ଅନାଡ଼ୀମାନେ କାଳେ କାଳେ ସହ୍ୟ କରିପାରନ୍ତି ନାହିଁ। ଆଜି ଆମ୍ଭମାନଙ୍କ ପାଖରେ ପଥଭ୍ରାନ୍ତ ପଥିକମାନଙ୍କୁ ପଛରୁ ଡାକି ହାତଠାରି ବାଟ ଦେଖାଇବାକୁ କେହି ନାହିଁ। ପୁଣି ବାଟ ଦେଖାଇବାର ଲୋକମାନଙ୍କୁ ଆମେ ସବୁକାଳେ ବୁଝି ପାରିବାରେ ଭୁଲ୍ କରିଛୁ। ସେମାନଙ୍କ ଡାକରାକୁ ଭୂତ କିମ୍ବା ପ୍ରେତର ଡାକରା ବୋଲି ଭାବି ସେମାନଙ୍କୁ ରାସ୍ତାରୁ ହଟାଇ ଦେଇଛୁ। ଆମେ ତ ରାସ୍ତାରୁ ହଟାଇ ଦେଇଥିଲୁ ଜଣେ ଯୀଶୁଖ୍ରୀଷ୍ଟଙ୍କୁ। ଆମେ ବି ହଟାଇ ଦେଇଥିଲୁ ଜଣେ ସକ୍ରେଟିସ୍ଙ୍କୁ। ସେହିପରି ଆମେ ବି ହଟାଇ ଦେଇଥିଲୁ ଆମ ଜାତିର ପିତାଙ୍କୁ ୧୯୪୮ ମସିହା, ଜାନୁଆରି ମାସ ୩୦ ତାରିଖରେ, ଶୁକ୍ରବାର ଅପରାହ୍ଣ ୫ ଘଣ୍ଟା ୨୦ ମିନିଟ୍ ସମୟରେ। କାରଣ ସେ ନିଜର ବିବେକର ବାଣୀ ବ୍ୟତୀତ ଆଉ କିଛି ଶୁଣୁନଥିଲେ। ତାହା ଥିଲା ତାଙ୍କର ଅପରାଧ। ସେ କବିଗୁରୁ ରବୀନ୍ଦ୍ରନାଥଙ୍କର ଗୋଟିଏ ସ˚ଗୀତ ସର୍ବଦା ଗୁଣୁ ଗୁଣୁ ହୋଇ ନିଜକୁ ଶୁଣାଉଥିଲେ। ଗୀତଟି ଥିଲା: ‘ଯଦି ତୋର ଡାକ ଶୁନେ କେଉ ନ ଆସେ, ତବେ ଏକଲା ଚଲୋରେ।’
ବାପୁଜୀଙ୍କର ମନକୁ କବିଗୁରୁଙ୍କର ଏହି ଗୀତଟି ଉଦ୍ଦୀପ୍ତ ଓ ଶକ୍ତ କରି ଦେଉଥିଲା। ସେ’ ତ ଏକଲା ଚାଲିବାର ମଣିଷ ଥିଲେ, ତାଙ୍କୁ ହଟାଇ ଦେବାର କ’ଣ ଆବଶ୍ୟକତା ଥିଲା? ସେ’ ତ ଚାହିଁଥିଲେ ଦେଶ ପାଇଁ ୧୨୫ ବର୍ଷ ବଞ୍ଚିବା ପାଇଁ!
ତାଙ୍କ ବିୟୋଗ ସମ୍ବାଦରେ ସେଦିନ କିଏ କ’ଣ କହିଥିଲେ ଟିକେ ମନେ ପକାଇ ଦେବ ଏହି ଲେଖକ।
ବ୍ରିଟେନ୍ର ରାଜା ଜର୍ଜ ଷଷ୍ଠ, ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଆଟଲୀ, ଗାନ୍ଧୀଜୀଙ୍କ ପୁରୁଣା ଶତ୍ରୁ ଉଇନଷ୍ଟନ ଚର୍ଚ୍ଚିଲ, ଷ୍ଟାଫୋର୍ଡ କ୍ରିପସ୍, କ୍ୟାଣ୍ଟରବରୀର ଆର୍କବିସପ ସେମାନଙ୍କ ବାର୍ତ୍ତାରେ ଲେଖିଥିଲେ ଯେ ସେମାନେ ‘ହତଭମ୍ବ’। ‘ବେଦନା ପ୍ରକାଶ କରିବା ପାଇଁ ଭାଷା ପାଉନାହୁଁ।’ ବିଶ୍ବ ବିଶ୍ରୁତ ଆଇରିସ ନାଟ୍ୟକାର ଜର୍ଜ ବର୍ଣ୍ଣାଡ ସ’ ଲେଖିଥିଲେ, ‘ହାଓ ଡେନ୍ଜେରସ ଇଟ ଇଜ ଟୁ ବି ଠୁ ଗୁଡ୍?’ ଅର୍ଥାତ୍ ‘ଅତି ଭଲ ହେବା କେତେ ବିପଜ୍ଜନକ ନୁହେଁ ସତେ?’ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ବି ଡାଉଲଟ୍ ଲେଖି ପଠାଇଥିଲେ, ‘ଯେଉଁମାନେ ବିଶ୍ବ ଭ୍ରାତୃତ୍ବରେ ବିଶ୍ବାସ ରଖନ୍ତି, ସେମାନଙ୍କ ପାଇଁ ଏହା ଗୋଟିଏ ଦାରୁଣ ଦୁଃସମ୍ବାଦ।’ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ଦକ୍ଷିଣ ଆଫ୍ରିକାରେ ସେ ସେଠାକାର ଶାସକ ମାର୍ଶାଲ ଜନ ସ୍କଟ୍ଙ୍କ ବର୍ଣ୍ଣବିଦ୍ବେଷ ନୀତି ବିପକ୍ଷରେ ଲଢ଼ି ତାଙ୍କ ଜନନାୟକ ଜୀବନର ଶୁଭାରମ୍ଭ କରିଥିେଲ, ସେ ସେଠାରୁ ତତ୍କାଳ ଲେଖି ପଠାଇଥିଲେ, ‘ଏ ପ୍ରିନ୍ସ ଏମଙ୍ଗ ଅସ୍ ହାଜ୍ ପାସ୍ଡ’ ଅର୍ଥାତ୍ ‘ଆମ ଗହଣରୁ ରାଜକୁମାର ଜଣେ ଚାଲିଗଲେ।’ ଆଉ ଆମଠାରୁ ସଦ୍ୟ ଭିନ୍ନେ ହୋଇଥିବା ଭାଇ ପାକିିସ୍ତାନର ରାଷ୍ଟ୍ରମୁଖ୍ୟ ମହମ୍ମଦ ଅଲି ଜିନ୍ନା ଲେଖି ପଠାଇଥିଲେ ଯେ, ‘ହି ଵାଜ୍ ଵାନ୍ ଅଫ ଦି ଗ୍ରେଟେଷ୍ଟମେନ୍ ଅଫ ଦି ହିନ୍ଦୁ କମ୍ୟୁନିଟି’ ଅର୍ଥାତ୍ ‘ହିନ୍ଦୁ ସ˚ପ୍ରଦାୟର ସେ ସର୍ବୋତ୍ତମ ମନୁଷ୍ୟ।’
ସେଦିନ ଟିକେ ବିଳମ୍ବ ହୋଇ ଯାଇଥିଲା ବୋଲି ‘ବିରଳାଭବନ’ରୁ ତାହା ସହିତ ସ˚ଲଗ୍ନ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ପ୍ରାର୍ଥନା ସଭାକୁ ତରତର ହୋଇ ଆସୁଥିଲେ। ସେତିକି ବେଳେ ତାଙ୍କୁ ପ୍ରଣାମ ଜଣାଇବାକୁ ନିକଟ ହୋଇଯାଇ ଏକ ବ୍ଲାକ୍ ବେରେଟା ପିସ୍ତଲରୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲା ସେହି ଆତତାୟୀ। ସେହି ହତ୍ୟାକାରୀକୁ ଯୋଡ଼ହସ୍ତ ପ୍ରତି-ନମସ୍କାର ମୁଦ୍ରାରେ ଥିଲେ ଗାନ୍ଧୀଜୀ। ଚିର ଅଭ୍ୟସ୍ତ ତୁଣ୍ତରୁ ତାଙ୍କର ବାହାରିଥିଲା ‘‘ହେ ରାମ୍’’। ମୁହଁରେ ଥିଲା ପୂର୍ବପରି ପ୍ରଶାନ୍ତିର ଛାପ। ସେଇ ଆମ ବାପୁ। ଆମ ଜାତିର ଜନକ।
ଗଜପୀଠ, ପୁନ୍ଦାଳୋ, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪