ନବେ ଦଶକରେ ଲାଗୁଥିଲା ପୃଥିବୀରେ ଗଣତନ୍ତ୍ରର ଉଦୁଉଦିଆ ଖରା ପଡ଼ିଛି। ଅଗଣତନ୍ତ୍ରର ଅନ୍ଧକାର ଆଉ କାୟାବିସ୍ତାର କରିବନି। ଇତିହାସରେ ଗଣତନ୍ତ୍ରର ବିନାଶ ଘଟି ଫାସିବାଦ, କମ୍ୟୁନିଷ୍ଟ ଏକଛତ୍ରବାଦ ଓ ସୈନିକ ଶାସନ ପ୍ରତିଷ୍ଠା ହେବାର ବହୁ ଉଦାହରଣ ରହିଛି। ତା’ର ରକ୍ତାକ୍ତ ପରିଣତି ମଧ୍ୟ ମାନବ ସମାଜ ଭୋଗିଛି। ଏବେ ପୁଣି ଅନେକ ଦେଶର ରାଜନୀତିକୁ ଏକା ସମୟରେ କର୍କଟ ରୋଗ ଗ୍ରାସ କଲାଣି। ଆନ୍ ଆପଲ୍‌ବମ୍‌ଙ୍କ ଭାଷାରେ ଗଣତନ୍ତ୍ରରେ ଗୋଧୂଳିର ସମୟ ଆସିଛି। ବେଳାବେଳି ନଚେଇଁଲେ ଅନ୍ଧକାର ଘୋଟିଯିବ। ଲୋକେ ଶୋଇଗଲେ ଉଠେଇବା କଷ୍ଟ। ନୂଆ ସକାଳ ପାଇଁ ଦରକାର ସାମାଜିକ ଓ ବୌଦ୍ଧିକ ଦାୟିତ୍ୱବୋଧ।

Advertisment

ଗଣତନ୍ତ୍ରରେ ନିର୍ବାଚନ ହୁଏ କାହିଁକି? କାରଣ, ଆଶା କରାଯାଏ, ନିର୍ବାଚନ ଦ୍ୱାରା ମେଧାବୀ ଲୋକଙ୍କ ମଧ୍ୟରେ ଖୋଲା ପ୍ରତିଯୋଗିତା ହେବ। ଜନ୍ମଭିତ୍ତିରେ ନୁହେଁ, ମେଧା ଭିତ୍ତିରେ ଯୋଗ୍ୟ ପ୍ରତିନିଧି ବଛା ହେବେ। କିନ୍ତୁ ପ୍ରତିଯୋଗିତା ଯେତେ ମେଧାଭିତ୍ତିକ ହେଲେ ମଧ୍ୟ, କିଛି ବୁଦ୍ଧିଜୀବୀ କ୍ଷମତାରୁ ବଞ୍ଚିତ ହୁଅନ୍ତି। ଅନେକ ଦେଶରେ ନିର୍ବାଚନ ଜିତିବା ପାଇଁ ମେଧା ଛଡ଼ା ଅନ୍ୟ କାରଣଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯା’ନ୍ତି। ତେଣୁ ପ୍ରତ୍ୟେକ ଗଣତନ୍ତ୍ରରେ କ୍ଷମତା ବାହାରେ ବହୁ ବୁଦ୍ଧିଜୀବୀ ଓ ମେଧାବୀ ଲୋକ ରହିବା ଅପରିହାର୍ଯ୍ୟ। ଏବେ ଏଭଳି ବାହାରେ ଥିବା ଲୋକଙ୍କୁ ଅନେକ ଦେଶରେ ସଫଳତା ମିଳିଛି। ସେମାନେ ଭୋଟରଙ୍କୁ ବୁଝାଇବାରେ ସଫଳ ହେଉଛନ୍ତି ଯେ ପ୍ରତିଷ୍ଠିତ ରାଜନେତାମାନେ ଚଞ୍ଚକତା କରି ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ଦଖଲ କରିଛନ୍ତି ଏବଂ ଦୁର୍ନୀତି ଓ ଅପାରଗ ଶାସନ ଚଳେଇଛନ୍ତି। ଝଡ଼ ପରି ରାଜନୈତିକ ଦୃଶ୍ୟପଟରେ ଆବିର୍ଭୂତ ହୋଇ ଏହି ନୂଆ ନେତା ପୁରୁଖା ଓ ଅନୁଭବୀ ଲୋକଙ୍କୁ ମାସ କେଇଟାରେ ବିତାଡ଼ିତ କରୁଛନ୍ତି। ଏତେ ଶୀଘ୍ର ସବୁ ଓଲଟପାଲଟ ହେଉଛି ଯେ ତାହାର ପୂର୍ବାନୁମାନ କରିହେଉନାହିଁ।

ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଉଦାହରଣ ଦେଖିବା। ସେ ଜଣେ ସଫଳ ବ୍ୟବସାୟୀ। ତାଙ୍କ ଯୁକ୍ତି ଥିଲା, ଲୋକେ ତାଙ୍କୁ ଭୋଟ୍ ଦିଅନ୍ତୁ କାରଣ, ସେ ଭ୍ରଷ୍ଟ ରାଜନୈତିକ ବ୍ୟବସ୍ଥାର ଅଂଶ ନୁହଁନ୍ତି। ନିର୍ବାଚନ ଜିତିଲେ, ୱାସିଂଟନ୍‌ରେ ନେତା, ଦଲାଲ୍ ଓ ବଡ଼ ବଡ଼ କମ୍ପାନିମାନେ ସୃଷ୍ଟି କରିଥିବା ନର୍ଦ୍ଦମାକୁ ସଫା କରିଦେବେ। ଏଭଳି ଏକ ସରକାର ପ୍ରତିଷ୍ଠା କରିବେ ଯାହା ଲୋକଙ୍କ ପାଇଁ କାମ କରିବ ଓ ଆମେରିକାକୁ ପୁଣି ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବ। ସମସ୍ୟା ଦୁଇଟି: ପ୍ରଥମ, ଏହି ନେତାମାନେ ପ୍ରତିଷ୍ଠିତ ରାଜନୈତିକ ବ୍ୟବସ୍ଥାର ଦୋଷ-ତ୍ରୁଟିକୁ ନେଇ ଆକ୍ରୋଶ ସୃଷ୍ଟି କରୁଛନ୍ତି। କିନ୍ତୁ ଦାୟିତ୍ୱବାନ ଓ ଗଣତାନ୍ତ୍ରିକ ବିକଳ୍ପ ହୋଇପାରୁ ନାହାନ୍ତି। ଟ୍ରମ୍ପ୍‌, ଓବାମାଙ୍କର ବିକଳ୍ପ ନୁହନ୍ତି। ଦ୍ବିତୀୟ, ଏଭଳି ଚରମ ଧ୍ରୁବୀକରଣ କରୁଛନ୍ତି ଯେ ପୂରା ସମାଜ ଦୁଇ ଭାଗରେ ବିଭକ୍ତ ହୋଇଯାଉଛି। ସାମ୍ବିଧାନିକ ସଂସ୍ଥା ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷଭୁକ୍ତ ଓ ପଙ୍ଗୁ ହୋଇଯାଉଛନ୍ତି। ପ୍ରତିଯୋଗିତାରେ ଅସୁବିଧା ନାହିଁ। କିନ୍ତୁ ସମାଜ ଶତ୍ରୁ-ମିତ୍ରରେ ବିଭକ୍ତ ହୋଇ ଅନବରତ ଲଢ଼ିବା ଚିନ୍ତାଜନକ। ଥରେ ଯୁଦ୍ଧ ଆରମ୍ଭ ହେଲେ, ନୀତି ବା ନୈତିକତା ଗୁରୁତ୍ୱ ରଖେନି। କେବଳ ଜିତିବା-ହାରିବା ମାନେ ବା ମୂଲ୍ୟ ରଖେ। ଗଣତାନ୍ତ୍ରିକ ମୂଲ୍ୟବୋଧ ଅର୍ଥହୀନ ହୋଇଯାଏ। ଲୋକେ ବୁଦ୍ଧି-ବିବେକ ହରାଇବସନ୍ତି। ସବୁ ପ୍ରସଙ୍ଗର ରାଜନୀତୀକରଣ ହୋଇଯାଏ। ସମାଜ ଏକାଠି ହୋଇ କୌଣସି ସମସ୍ୟାର ସମ୍ମୁଖୀନ କରିପାରେନି। କୋଭିଡ୍‌କୁ ମୁକାବିଲା କରିବା ପାଇଁ ଆମେରିକା ଭଳି ଦେଶ ରାଜନୀତିରୁ ଊର୍ଦ୍ଧ୍ବକୁ ଯାଇ ଏକାଠି ହୋଇପାରିଲା ନାହିଁ। ଏହିଭଳି ଯେଉଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଭୁଲ୍‌କ୍ରମେ ଲୋକେ ରୁଢ଼ିବାଦ ସହ ଯୋଡୁଛନ୍ତି। ବାସ୍ତବରେ ଏହିସବୁ ପରିବର୍ତ୍ତନର ବୋଲ୍‌ସେଭିକ୍ ଚିନ୍ତାଧାରା ସାଥିରେ ଅଧିକ ସାମଞ୍ଜସ୍ୟ ଅଛି। ଆଧୁନିକ ରୁଢ଼ିବାଦର ପ୍ରବକ୍ତା ଭାବେ ଜଣା ଏଡମଣ୍ଡ ବର୍କ କହିଥିଲେ, ଦ୍ରୁତ ପରିବର୍ତ୍ତନ ହେଲେ, ସମାଜରେ ସଂସ୍ଥାଗତ ଓ ନୈତିକ ଅବକ୍ଷୟ ଘଟେ। ଅନ୍ୟ ପକ୍ଷରେ ବୋଲ୍‌ସେଭିକ୍‌ମାନଙ୍କ କୌଶଳ ହେଲା, ପ୍ରଥମେ ରାଜନୈତିକ କ୍ଷମତା ଅକ୍ତିଆର କରିବା ଓ ଥରେ କ୍ଷମତାକୁ ଆସିଲେ ପୂରା ବ୍ୟବସ୍ଥାକୁ ଓଲଟେଇ ଦେବା। ନିର୍ବାଚିତ ଏକଛତ୍ରବାଦ ପ୍ରତିଷ୍ଠା କରିବା ରୁଢ଼ିବାଦ ନୁହେଁ। କିନ୍ତୁ ଏହି ବିଦ୍ରୋହଗୁଡ଼ିକ ସମ୍ଭବ ଓ ସଫଳ ହେଉଛି କିପରି?

ପୃଥିବୀରେ ସବୁବେଳେ ବିଭିନ୍ନ ମତକୁ ନେଇ ବିତର୍କ ହୋଇଛି। ନୂଆ ହେଲା, ଏବେ ଲୋକଙ୍କ ପାଖରେ ବିଭିନ୍ନ ‘ସତ୍ୟ’। ଷଡ଼୍‌ଯନ୍ତ୍ରର ମିଛ କାହାଣୀକୁ ନେଇ ଲୋକଙ୍କୁ ତତେଇବା ସଫଳ କୌଶଳ। ଟ୍ରମ୍ପ୍‌ ଯେତେବେଳେ କହିଲେ, ଓବାମା ଆମେରିକାରେ ଜନ୍ମିତ ନୁହଁନ୍ତି, ମୂଳସ୍ରୋତରେ ଥିବା ନେତା, ସାମ୍ବାଦିକ, ବୁଦ୍ଧିଜୀବୀ ଏଭଳି ଡାହା ମିଛକୁ ଗୁରୁତ୍ୱ ଦେଇ ନ ଥିଲେ। ବୁଦ୍ଧିଜୀବୀମାନେ ଜଟିଳ ବିତର୍କରେ ବ୍ୟସ୍ତ ରୁହନ୍ତି। ଲୋକେ ଖୋଜନ୍ତି ସରଳ ଧାଡ଼ିକିଆ ବ୍ୟାଖ୍ୟା। ଟ୍ରମ୍ପ୍‌ଙ୍କ ମିଛକୁ ଅନେକ ଗୋରା ଲୋକ ଗ୍ରହଣ କଲେ କାରଣ ସେମାନଙ୍କ ମନରେ ରାଗ ଥିଲା ଯେ ରିପବ୍ଲିକାନ୍ ଦଳରେ ଥିବା ଦୁର୍ବଳ ନେତାମାନେ ଜଣେ କୃଷ୍ଣାଙ୍ଗକୁ ତାଙ୍କ ଉପରେ ଶାସନ କରିବାରୁ ଅଟକାଇ ପାରିଲେ ନାହିଁ। ସେମାନେ ଚାହିଁଲେ, ଜଣେ ବଳିଷ୍ଠ ନେତା ଯିଏ ସେମାନଙ୍କ ଆକ୍ରୋଶକୁ ପରିପ୍ରକାଶ କରିବ। ଏହି ପ୍ରକ୍ରିୟା ଅନେକ ଦେଶରେ ଦେଖାଦେଇଛି। ପୋଲାଣ୍ଡରେ ୨୦୧୦ ମସିହାରେ ଉଡ଼ାଜାହାଜ ଦୁର୍ଘଟଣାରେ ରାଷ୍ଟ୍ରପତି ଲେସ୍ କାଜେନ୍‌ସ୍କି ସସ୍ତ୍ରୀକ ପ୍ରାଣ ହରାଇଲେ। ପାଗ ଖରାପ ଯୋଗୁଁ ରୁଷ୍‌ର ସ୍ମୋଲେନ୍‌ସକ୍ ବିମାନ ବନ୍ଦର ନିକଟରେ ଦୁର୍ଘଟଣା ଘଟିଲା। କିନ୍ତୁ ଏହି ଦୁର୍ଘଟଣା ପୋଲାଣ୍ଡ ବିରୋଧରେ ଏକ ଷଡ଼୍‌ଯନ୍ତ୍ର ବୋଲି କହି ମୃତ ରାଷ୍ଟ୍ରପତିଙ୍କ ଭାଇ ଜାରୋସ୍ଲ କାଜେନ୍‌ସ୍କି ବର୍ତ୍ତମାନ ଦେଶର ଶତ୍ରୁମାନଙ୍କୁ ଦମନ କରିବା ନାଁ’ରେ ଏକଚାଟିଆ ଶାସନ ପ୍ରତିଷ୍ଠା କରିଛନ୍ତି। ହଙ୍ଗେରୀରେ ଭିକ୍ଟର୍ ଅର୍ବାନ୍ କହୁଛନ୍ତି ଯେ ତାଙ୍କ ଦେଶ ବିରୋଧରେ ଆନ୍ତର୍ଜାତିକ ଷଡ଼୍‌ଯନ୍ତ୍ର ଚାଲିଛି, ଯାହାର ନେତୃତ୍ୱ ହଙ୍ଗେରୀରେ ଜନ୍ମିତ ଆମେରିକୀୟ ଇହୁଦୀ ପୁଞ୍ଜିପତି ଜର୍ଜ ସୋରୋସ୍ କରୁଛନ୍ତି। ଏହି ଷଡ଼୍‌ଯନ୍ତ୍ରର ଲକ୍ଷ୍ୟ ହେଲା ତାଙ୍କ ଦେଶର ସଂସ୍କୃତିକୁ ନଷ୍ଟ କରି ଜାତିକୁ ଦୁର୍ବଳ କରିବା। କାଳ୍ପନିକ ଶତ୍ରୁମାନଙ୍କୁ ଦମନ କରିବା ବାହାନାରେ ସେ ଦେଶର ସୁପ୍ରିମ୍ କୋର୍ଟକୁ ନଷ୍ଟ କଲେ। ଗୋଟିଏ ବିଶ୍ୱବିଦ୍ୟାଳୟକୁ ‘ଲୋକଙ୍କ ଶତ୍ରୁ’ ଆଖ୍ୟା ଦେଇ ବନ୍ଦ କଲେ। ଗଣମାଧ୍ୟମ ଉପରେ କଠୋର ନିୟନ୍ତ୍ରଣ କରି ବିରୋଧୀଙ୍କ କଣ୍ଠରୋଧ କଲେ। ଏବେ ଅର୍ବାନ୍‌ଙ୍କ ନିଜ ଭାଷାରେ ହଙ୍ଗେରୀ ଏକ ‘ଅଣଉଦାରବାଦୀ ଗଣତନ୍ତ୍ର’। ଆମେରିକାରେ ନିକଟରେ ହୋଇଥିବା ନିର୍ବାଚନରେ ଟ୍ରମ୍ପ୍‌ଙ୍କ ସମର୍ଥକ କହୁଛନ୍ତି ସଫ୍‌ଟୱେର୍ କମ୍ପାନି ଡୋମିନିୟନ୍ ଜରିଆରେ ଭୋଟ୍ ଗଣତିରେ କାରସାଦି ହେଲା। ଏଥିପାଇଁ ଜର୍ଜ ସୋରୋସ୍ ଷଡ଼୍‌ଯନ୍ତ୍ର କଲେ। ମଲା ଲୋକଙ୍କ ନାଁରେ ହଜାର ହଜାର ଡାକ ବାଲଟ୍ ପଡ଼ିଲା। ଅନୁସନ୍ଧାନରୁ ଜଣାଗଲା ଯେ ଏହିସବୁ ଅଭିଯୋଗ ଅମୂଳକ। ଟ୍ରମ୍ପ୍‌ଙ୍କୁ ୭୪ ମିଲିୟନ୍ ଲୋକ ଭୋଟ୍ ଦେଇଥିଲେ। ସେମାନଙ୍କ ଭିତରୁ ଷାଠିଏ ଭାଗ ଏବେ ବି କହୁଛନ୍ତି ଯେ ଭୋଟ୍ ଜାଲିଆତି ଅଭିଯୋଗ ସତ। ଲୋକେ ଥରେ ପକ୍ଷଭୁକ୍ତ ଓ ଭାବପ୍ରବଣ ହୋଇଗଲେ ସତ୍ୟ ଅର୍ଥହୀନ ହୋଇଯାଏ।

କେହି ଜଣେ ଏକାକୀ ଚାହିଁଲେ ଷଡ଼୍‌ଯନ୍ତ୍ରର ମିଛ କାହାଣୀକୁ ନେଇ କ୍ଷମତାକୁ ଆସିବନି ବା କ୍ଷମତାରେ ରହିପାରିବନି। ପ୍ରାୟତଃ ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱ ଦେବେନି। ସେଥିପାଇଁ ପୂରା ଗୋଟିଏ ବିକଳ୍ପ ଭିତ୍ତିଭୂମି ଓ ଆଧାର ଦରକାର। ଯେଉଁ ଦେଶମାନଙ୍କରେ ରାଜନୈତିକ ପରିବର୍ତ୍ତନ ହେଉଛି, ସେଠି ଏଭଳି ନେତାଙ୍କୁ କିଛି ବୁଦ୍ଧିଜୀବୀ, ସାମ୍ବାଦିକ, ଟିଭି ଆଙ୍କର୍‌ଙ୍କ ପୂର୍ଣ୍ଣ ସମର୍ଥନ ମିଳୁଛି। ଠେଙ୍ଗାବାଡ଼ି ବା ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ଲୋକମାନଙ୍କ ଚିନ୍ତାଶକ୍ତିକୁ ନିୟନ୍ତ୍ରଣ କଲେ ସଫଳତା ମିଳିବ। ନୂଆ ଚିନ୍ତାଧାରାକୁ ପ୍ରଚାରିତ କରୁଥିବା ବୁଦ୍ଧିଜୀବୀଙ୍କ ଭିତରୁ ଅନେକ ଆଗରୁ ନିଜ ବୃତ୍ତିରେ ଅସଫଳ ଥିଲେ। ଅନ୍ୟ କିଛି ବର୍ଷା ଆଡ଼େ ଛତା ବୁଲାଇ ସଫଳତା ବଜାୟ ରଖିଛନ୍ତି। ଥରେ ଲୋକଙ୍କ ଚିନ୍ତା ଚେତନାକୁ କବଳିତ କଲେ, ନିର୍ବାଚନ ଏକ ଔପଚାରିକତା ହୋଇଯାଏ। ଲୋକେ ଭୋଟ୍ ଦେଇ ଏକ ଅବାଂଛିତ ଚିନ୍ତାଧାରାକୁ ବୈଧ କରିଦିଅନ୍ତି। ଆଗରୁ ଲାଗୁଥିଲା ଲୋକେ ସହଜରେ ମିଛ ଗ୍ରହଣ କରିବେନି। କିନ୍ତୁ ଏବେ ସ୍ପଷ୍ଟ ଯେ ଅନେକ ଲୋକଙ୍କୁ ଅନେକ ଦିନ ପାଇଁ ବୋକା ବନେଇବା ସମ୍ଭବ। ସେଥିପାଇଁ ଗୋଟେ ପରିବେଶ ସୃଷ୍ଟି କରିବାର କୌଶଳ ଦରକାର। ଶାଳୀନତାକୁ ବାକ୍‌ଚାତୁରୀ ଭାବରେ ନିନ୍ଦିତ କଲେ, ରାଜନୈତିକ ବିତର୍କକୁ ଅତି ନିମ୍ନକୁ ନେଇହୁଏ। ଭଦ୍ରଲୋକେ ଏଭଳି ଆଲୋଚନାରୁ ଅସହାୟ ହୋଇ ଓହରି ଯାଆନ୍ତି।

ଜ୍ଞାନୋଦୟ ବା ଏନ୍‌ଲାଇଟେନ୍‌ମେଣ୍ଟ୍‌ ପୂର୍ବରୁ, ଧାର୍ମିକ ଓ ସାମନ୍ତବାଦୀ ଶକ୍ତି ‘ସତ’ କ’ଣ ନିଷ୍ପତ୍ତି କରୁଥିଲେ। ପରେ ସତ୍ୟର ନିର୍ଦ୍ଧାରଣ ମୂଳତଃ ବିଜ୍ଞାନ, ବୁଦ୍ଧି ଓ ଯୁକ୍ତିଯୁକ୍ତତା ଦ୍ୱାରା କରାଯିବାକୁ ଲାଗିଥିଲା। ଏବେ ‘ସତ’ର ମାଲିକାନା ଅନେକଙ୍କ ପାଖରେ। ଗଣମାଧ୍ୟମ ପାଇଁ ଟିଆର୍‌ପି ହିଁ ସତ୍ୟ। ସମର୍ଥକଙ୍କ ପାଇଁ ନେତା ବା ଦଳ ଯାହା କହିଲେ ତାହା ସତ। ବହୁ ଲୋକ କହିଲେ, ଢିଙ୍କି ହିଁ ବଗ। କେବଳ ପ୍ରଚାରର ମାଧ୍ୟମ ଉପରେ ନିୟନ୍ତ୍ରଣ ଦରକାର। ଏହି ମାଧ୍ୟମଗୁଡ଼ିକ ଉପରେ ଯାହାର ଯେତେ ନିୟନ୍ତ୍ରଣ, ତା’ କଥା ସେତେ ସତ। ଏମାନେ ବୈଜ୍ଞାନିକ, ଡାକ୍ତର, ବୁଦ୍ଧିଜୀବୀଙ୍କଠାରୁ ଊର୍ଦ୍ଧ୍ବରେ। ସେଥିପାଇଁ ତ ଟ୍ରମ୍ପ୍‌ ଓ ବୋଲ୍‌ସୋନାରୋଙ୍କ ଭଳି ରାଜନେତା କହିପାରିଲେ ଯେ ଡାକ୍ତର ଓ ବିଶେଷଜ୍ଞ କରୋନାର ବିପଦକୁ ବଢ଼େଇଚଢ଼େଇ ଭୟ ସୃଷ୍ଟି କରୁଛନ୍ତି। ଡାକ୍ତରମାନେ ନିର୍ବୋଧ। କିଛି ହବନି। କ୍ଲୋରୋକୁଇନ୍, ଟିକା ଭଳି କାମ କରିବ। ଭୋଟ୍‌ ପାଇ ଯିଏ କ୍ଷମତାକୁ ଆସିଛି, ସେ ଓ ତା’ର ସମର୍ଥକ ଦାବି କରୁଛନ୍ତି ଯେ ସେମାନେ ହିଁ ବିଜ୍ଞ। ସେମାନଙ୍କ କଥା ହିଁ ସତ। ଯିଏ ତାଙ୍କୁ ବିରୋଧ କରୁଛି, ସେ ସମାଜର ଶତ୍ରୁ, ଲୋକଙ୍କ ବିରୋଧୀ; ମିଛ କହୁଛି। ବୈଜ୍ଞାନିକ, ଡାକ୍ତର, ବୁଦ୍ଧିଜୀବୀ ଛାର।

ଥରେ ସତ ଅପ୍ରାସଙ୍ଗିକ ହୋଇଗଲେ କାଳ୍ପନିକ ଇତିହାସ ଲେଖିବାରେ ଅସୁବିଧା ହୁଏନି। ପ୍ରଚଳିତ ରାଜନୈତିକ ବ୍ୟବସ୍ଥା ବିରୋଧରେ କ୍ରୋଧ ସୃଷ୍ଟି କରିବାର ଏକ ସହଜ ଉପାୟ ହେଲା, ଲୋକଙ୍କୁ କହିବା ଯେ ଦିନେ ତାଙ୍କ ଦେଶ ଶ୍ରେଷ୍ଠ ଥିଲା, ସମାଜରେ ନୈତିକତା ଥିଲା। କିନ୍ତୁ ପ୍ରଚଳିତ ବ୍ୟବସ୍ଥା ଯୋଗୁଁ ଚାରିଆଡ଼େ ହାହାକାର ହେଲାଣି, ଅପରାଧ ବଢ଼ି ଚାଲିଛି, ନୀତି-ନୈତିକତା ନାହିଁ। ରାଜନୈତିକ ନେତା ଓ ଦଳମାନେ ଦେଶର ସଂସ୍କୃତି ଓ ସମୃଦ୍ଧିର ଅବକ୍ଷୟ କରିଛନ୍ତି। ଦେଶବାସୀଙ୍କ ଉପରେ ବିଦେଶୀ ବା ଅନ୍ୟ ପରିଚୟର ଲୋକ ରାଜତ୍ୱ କରୁଛନ୍ତି। ରୁଷୀୟ ଲେଖିକା ଶ୍ୱେତ୍‌ଲନା ବୋୟମ୍ ଲେଖିଛନ୍ତି, ଲୋକେ ଅତୀତର ଏକ କାଳ୍ପନିକ ଚିତ୍ରକୁ ସତ ବୋଲି ଗ୍ରହଣ କରିନେଲେ, ଭବିଷ୍ୟତ୍‌ରେ ଅତୀତକୁ ଫେରିବାକୁ ଚାହିଁବେ। ଏହି ନେତାମାନଙ୍କର କହିବା ହେଲା, ନିଜ ସଂସ୍କୃତି, ପରିଚୟ ଓ ସମ୍ମାନକୁ ସୁରକ୍ଷିତ ରଖିବାକୁ ହେଲେ ଶତ୍ରୁ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବାକୁ ହେବ। ଶତ୍ରୁ ମନଗଢ଼ା ହୋଇପାରେ। ଏହି ଯୁଦ୍ଧର ନେତୃତ୍ୱ ସେମାନେ ନେବେ, କିନ୍ତୁ ଲୋକେ ସମର୍ଥନ ଦିଅନ୍ତୁ ଓ ତ୍ୟାଗ ପାଇଁ ପ୍ରସ୍ତୁତ ହୁଅନ୍ତୁ। ତା’ହେଲେ ଯାଇଁ ଅତୀତର ଗୌରବମୟ ସମାଜ ପୁନଃପ୍ରତିଷ୍ଠା ହେବ। ଆମେରିକାରେ ଟ୍ରମ୍ପ୍‌, ହଙ୍ଗେରୀରେ ଅର୍ବାନ୍, ସ୍ପେନ୍‌ରେ ସାଣ୍ଟିଆଗୋ ଅବାସ୍କାଲ୍, ଜର୍ମାନୀରେ ଆଲେକ୍‌ଜାଣ୍ଡର୍ ଗୋଲାଣ୍ଡ, ତୁର୍କୀରେ ଏର୍‌ଡୋଗାନ୍ ବା ରୁଷିଆରେ ପୁଟିନ୍ ଇତ୍ୟାଦି ପ୍ରାୟ ଏଇ ସମାନ କଥା କହୁଛନ୍ତି। ସମସ୍ତେ ଅତୀତର କାଳ୍ପନିକ ସୁନେଲି ସମୟକୁ ଲୋକଙ୍କୁ ଫେରାଇବାର ସ୍ବପ୍ନ ଦେଖାଉଛନ୍ତି। ଏମାନଙ୍କ କଥା ଗ୍ରହଣକରି ଲୋକେ ସମର୍ଥନ ମଧ୍ୟ ଦେଉଛନ୍ତି। ନେତା ଓ ତାଙ୍କ ସମର୍ଥକ ବୁଦ୍ଧିଜୀବୀ ନୂଆ ଇତିହାସର ଲେଖକ। ସମାଜ ଅତୀତର ମରୀଚିକା ପଛରେ। କାଳ୍ପନିକ ଅତୀତର ଦ୍ବାହିରେ ବର୍ତ୍ତମାନରେ ହାକିମାତି।

ଜ୍ଞାନୋଦୟ ପରେ ଓ ଆଧୁନିକ ବିଜ୍ଞାନର ପ୍ରଗତି ସାଙ୍ଗେ ଆମେ ଧରିନେଇଥିଲେ ଯେ ପୁରୁଣା ଅନ୍ଧବିଶ୍ୱାସ ଚାଲିଗଲାଣି। ଲୋକେ ଏବେ ବୁଦ୍ଧି, ଯୁକ୍ତି ଓ ଜ୍ଞାନ ବ୍ୟବହାର କରି କାର୍ଯ୍ୟ କରିବେ। ବାସ୍ତବତା ହେଲା, ମଣିଷ ସମାଜରେ କୌଣସି ପ୍ରକାରର ଚିନ୍ତାଧାରାର ମୃତ୍ୟୁ ହୁଏ ନାହିଁ। ହୁଏତ କିଛି ଚିନ୍ତାଧାରା ନିଷ୍କ୍ରିୟ ରହିପାରେ। କିନ୍ତୁ ଅନୁକୂଳ ପରିସ୍ଥିତିରେ ଲୋକେ ତାଙ୍କୁ ଯାହା ସୁହାଇବ, ସେଭଳି ଚିନ୍ତାଧାରା ଓ ସତ୍ୟକୁ ଗ୍ରହଣ କରିବେ। ପୂରା ମିଛକୁ ମଧ୍ୟ ସତ ବୋଲି କଳ୍ପନା କରିବେ। ମଣିଷର କଳ୍ପନାଶକ୍ତି ଅତି ବ୍ୟାପ୍ତ। ଏସବୁ ଜଟିଳତା ଭିତରେ ପ୍ରତିଷ୍ଠିତ ରାଜନୈତିକ ବ୍ୟବସ୍ଥା ବେପାରୁଆ ହୋଇ ଜନଆକ୍ରୋଶ ନିମନ୍ତ୍ରଣ ନ କରିବା ଉଚିତ। ବୁଦ୍ଧିଜୀବୀଙ୍କ ଆଗରେ ସତ୍ୟ ଅନୁସରଣ ଏକମାତ୍ର ମନ୍ତ୍ର। ନହେଲେ ମିଛ, ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତିବ। ସତ୍ୟ ହାରିଗଲେ, ଗଣତନ୍ତ୍ର ରହିବନି। ନୂଆ ସକାଳ ପାଇଁ ଉଦ୍ୟମ କରିବା।

ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର;
ମତ ବ୍ୟକ୍ତିଗତ