ବିଦ୍ୟୁତ୍‌ ଦର ବୃଦ୍ଧିରେ ନିୟାମକ ‘ଭୂତାଣୁ’

ଆନନ୍ଦ ମହାପାତ୍ର

ବିଦ୍ୟୁତ୍‌ ଆଇନ-୨୦୦୩ ଧାରା ୬୧ ଅନୁସାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ରାଜ୍ୟ ଅଧୀନରେ ଥିବା ବିଦ୍ୟୁତ୍‌ ଉତ୍ପାଦନ, ପ୍ରସାରଣ, ବାଣିଜ୍ୟ ଓ ବଣ୍ଟନ କମ୍ପାନିମାନଙ୍କର ବାର୍ଷିକ ହାରାହାରି ଖର୍ଚ୍ଚ ଓ ରାଜସ୍ବ ପରିମାଣକୁ ପୃଥକ୍‌ ପୃଥକ୍‌ ଭାବରେ ଆକଳନ କରି ରାଜ୍ୟର ବାର୍ଷିକ ହାରାହାରି ସେବା ଖର୍ଚ୍ଚ ଏବଂ ତଦନୁଯାୟୀ ସେବା ଦର ବା ଟାରିଫ ନିର୍ଦ୍ଧାରଣ କରନ୍ତି। ଏହି ପରିପ୍ରେକ୍ଷୀରେ ଜନଶୁଣାଣି ନିୟମକୁ ପ୍ରୟୋଗ କରି ଆୟୋଗ ଚଳିତ ବର୍ଷ ୨୦୨୧-୨୨ ପାଇଁ ହାରାହାରି ସେବା ଖର୍ଚ୍ଚ ୨୩ ପଇସା ବୃଦ୍ଧି କରି (ୟୁନିଟ୍‌ ପିଛା) ୫୪୮ ପଇସା ବୋଲି ନିର୍ଦ୍ଧାରଣ କରିଛନ୍ତି। ତଦନୁଯାୟୀ ସେବା ଦର ୟୁନିଟ୍‌ ପିଛା ୩୦ ପଇସା ବଢ଼ିଛି। ଗତ ବର୍ଷ ୨୦୨୦-୨୧ ପାଇଁ ହାରାହାରି ସେବା ଖର୍ଚ୍ଚକୁ ୨୫ ପଇସା ବୃଦ୍ଧି କରି ୫୨୫ ପଇସାରେ ନିରୂପଣ କରାଯାଇଥିଲା ଓ କରୋନା ସଂକ୍ରମଣକୁ କାରଣ ଭାବେ ଦର୍ଶାଇ ସେପ୍ଟେମ୍ବର ମାସରେ ବାକି ଛ’ ମାସ ପାଇଁ ସେବା ଦରରେ ୨୦ ପଇସା ବୃଦ୍ଧି କରାଯାଇଥିଲା। ତେଣୁ ବିରୋଧୀ ଦଳମାନେ ବିଧାନସଭାରେ ବର୍ଦ୍ଧିତ ୫୦ ପଇସା ସେବା ଦର ପ୍ରତ୍ୟାହାର ଲାଗି ଦାବି ରଖିଥିଲେ। ସରକାର ମଧ୍ୟ ବିରୋଧୀଙ୍କ ଦାବିକୁ ଗ୍ରହଣ କରି ତାର ପୁନର୍ବିଚାର ପାଇଁ ଆୟୋଗଙ୍କୁ ଆବେଦନ କରିବେ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି। ସୂଚନାଯୋଗ୍ୟ କି ମାନ୍ୟବର ଆୟୋଗ ମାର୍ଚ୍ଚ ୨୦୧୫ରେ ସେବା ଖର୍ଚ୍ଚକୁ ହାରାହାରି ୨୮ ପଇସା ବୃଦ୍ଧି କରି ୪୮୯ ପଇସାରେ ନିରୂପଣ କରିଥିଲେ। ସେମିତି ସେବା ଦରକୁ ୨୦ ପଇସା ଏବଂ କୃଷି ପାଇଁ ୪o ପଇସା ବୃଦ୍ଧି କରାଯାଇଥିଲା। ତେବେ, ଏଥି ଲାଗି ବିରୋଧୀ ଦଳଗୁଡ଼ିକ ବିଧାନସଭାକୁ ତିନି ଦିନ ପର୍ଯ୍ୟନ୍ତ ଅଚଳ କରି ରଖିଥିଲେ। ସେତିକି ବେଳେ ମଧ୍ୟ ସରକାର ପୁନର୍ବିଚାର ପାଇଁ ଆୟୋଗଙ୍କୁ ଦରଖାସ୍ତ କରିଥିଲେ ଯାହାର ଫଳ କ’ଣ ହୋଇଥିଲା ତାହା ଲୋକେ ଜାଣନ୍ତି। ବିଦ୍ୟୁତ୍‌ର ହାରାହାରି ସେବା ଖର୍ଚ୍ଚ ଓ ସେବା ଦର ଗତ ଦଶନ୍ଧିରୁ ପ୍ରାୟତଃ ସମାନ ରହିଛି। ତେବେ, ହାରାହାରି ସେବା ଖର୍ଚ୍ଚ ଓ ସେବା ଦର ବୃଦ୍ଧିର ଚରିତ୍ର ବିଷୟରେ ଆମର ଜନନୀତି ବିଶାରଦ ହାକିମମାନେ ଜାଣନ୍ତି। ତେଣୁ ଏହାର ପୁନଃ ଆକଳନ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିବା ଉଚିତ।

ଓଡ଼ିଶାରେ ବିଦ୍ୟୁତ୍‌ ସେବା ଦର ବୃଦ୍ଧି ପ୍ରସଙ୍ଗ ନୂତନ। ଏହା ଏକ ଅବିଶ୍ୱାସୀ ଜ୍ଞାନର ବିଚକ୍ଷଣ ସୃଷ୍ଟି, ଯାହାକୁ ଆମେ ନିୟାମକ ଭୂତାଣୁ-୨୦୧୧ ବୋଲି କହୁଛୁ। ଏହା ଫଳରେ ୨୦୧୦ ମସିହା ମାର୍ଚ୍ଚ ୨୦ ତାରିଖରେ ୨୦୧୦-୧୧ ପାଇଁ ଅନେକ ବର୍ଦ୍ଧିତ ସେବା ଦର ଅନୁମୋଦନ ପାଇଥିଲା। ଘରୋଇକରଣ ହେବା ପରେ ଚଳିତ ଶତାବ୍ଦୀର ପ୍ରଥମ ଦଶନ୍ଧିର ନଅ ବର୍ଷ ଧରି କ୍ରମାନ୍ବୟ ଭାବେ ମାର୍ଚ୍ଚ-୨୦୧୦ ପର୍ଯ୍ୟନ୍ତ ସେବା ଦରରେ କୌଣସି ପରିବର୍ତ୍ତନ ହୋଇ ନଥିଲା ଓ ସେବାର ମାନ ବୃଦ୍ଧି ଘଟିଥିଲା। ସେବା ଦର ବୃଦ୍ଧି ନହେବା ପଛର ମୁଖ୍ୟ କାରଣ ଥିଲା କମ୍ପାନିମାନଙ୍କର ଖୁବ୍‌ ଭଲ କାର୍ଯ୍ୟ ଦକ୍ଷତା ଓ ପ୍ରଦର୍ଶନ, ଯାହାକୁ ହାରାହାରି ସେବା ଖର୍ଚ୍ଚ ନିରୂପଣ କରିବା ସମୟରେ ନିୟାମକ ବିଚାରକୁ ନେଉଥିଲେ। ସ୍ବଚ୍ଛ ନିୟାମକ ପ୍ରକ୍ରିୟା ପାଇଁ ଦେଶରେ ମୂଲ୍ୟବୃଦ୍ଧି ଓ ମୁଦ୍ରାସ୍ଫୀତି ସତ୍ତ୍ବେ ହାରାହାରି ସେବା ଖର୍ଚ୍ଚରେ ସେପରି କିଛି ଆ‌ଖିଦୃଶିଆ ବୃଦ୍ଧି ହୋଇ ନ ଥିଲା କି ସେବା ଦର ବଢ଼ାଇବାର ପ୍ରୟୋଜନ ହୋଇ ନ ଥିଲା। ପ୍ରକାଶ ଥାଉ କି, ବିଦ୍ୟୁତ୍‌ର ବାର୍ଷିକ ହାରାହାରି ସେବା ଖର୍ଚ୍ଚ ନିରୂପଣ କରୁଥିବା ନିୟାମକ ନିୟମରେ ଦେଶର ସାଧାରଣ ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ପ୍ରସଙ୍ଗକୁ ବିଚାରକୁ ନେଇ ଦର ବୃଦ୍ଧି ଅନୁମୋଦନ କରାଯାଇଥାଏ।
୨୦୦୫-୦୬ରେ ହାରାହାରି ସେବା ଖର୍ଚ୍ଚ ୨୬୭ ପଇସା ଥିଲା, ଏହା ବଢ଼ି ଓ କମି ଚାରି ବର୍ଷ ପରେ ୪ ପଇସା ହ୍ରାସ ପାଇ ୨୦୦୯-୧୦ରେ ୨୬୩ ପଇସା ହେଲା। ସବୁ ଠିକଠାକ ଚାଲିଥିବା ବେଳେ ହଠାତ୍‌ ପର ବର୍ଷ ୨୦୧୦-୧୧ରେ ଆୟୋଗଙ୍କର ଆଦେଶ (୨୦.୦୩.୨୦୧୦)ରେ ନିୟାମକ ପ୍ରବେଶ କଲା, ଯାହା ଫଳରେ ହାରାହାରି ସେବା ଖର୍ଚ୍ଚକୁ ୬୪ ପଇସା ବୃଦ୍ଧି କରି ସେବା ଦରକୁ ପ୍ରାୟ ୯୦ ପଇସାକୁ ବୃଦ୍ଧି କରି ଏକ ସର୍ବକାଳୀନ ଓ ସର୍ବୋଚ୍ଚ ରେକର୍ଡ କଲେ। ରାଜ୍ୟ ପାଇଁ ଏହା ଏକ ଅଭିଶାପ ଥିଲା। ଆୟୋଗଙ୍କର ଉକ୍ତ ଅ‌ାଦେଶର ପାରା ନମ୍ବର ୨୫୬, ୨୫୭, ୨୫୯ ଓ ୨୬୩ରେ ନିୟାମକ ‘ଭୂତାଣୁ’ର ଉପସ୍ଥିତି ସ୍ପଷ୍ଟ ବାରି ହୋଇପଡ଼େ। ବିଦ୍ୟୁତ୍‌ ଆଇନର ଧାରା ୬୧କୁ ଭ୍ରୂକ୍ଷେପ ନକରି ଆୟୋଗ ଅନ୍ୟାୟ, ଅବାନ୍ତର, ବେଆଇନ ଓ ବେନିୟମ ଭାବରେ ଉକ୍ତ ପାରାରେ ଦରବୃଦ୍ଧି ସପକ୍ଷରେ ନିଜର ଯୁକ୍ତି ରଖିଲେ। ସେଗୁଡ଼ିକ ହେଲା ଏହିଭଳି: କମ୍ପାନିମାନଙ୍କର ଉଚ୍ଚକୋଟୀର କାର୍ଯ୍ୟଦକ୍ଷତା ଲାଗି ଗତ ନଅ ବର୍ଷ ହେଲା ସେବା ଦର ବଢ଼ି ନାହିଁ। ତେଣୁ ତାହା ଏବେ ବଢ଼ିବା ଆବଶ୍ୟକ। ଅନ୍ୟ ରାଜ୍ୟର ସେବା ଦର ଓଡ଼ିଶା ଠାରୁ ଅଧିକ (କିନ୍ତୁ ସଂପୂର୍ଣ୍ଣ ତଥ୍ୟ ନାହିଁ)। କିନ୍ତୁ ଏହି କାରଣଗୁଡ଼ିକରେ ଦର ବୃଦ୍ଧିର ସମାନୁପାତିକ ଭାବେ କମ୍ପାନିମାନଙ୍କର ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା ବୃଦ୍ଧିକୁ ପ୍ରାଥମିକତା ଦିଆଗଲା ନାହିଁ। ସେମିତି ବିଦ୍ୟୁତ‌୍ ସେବା ଦରକୁ ଆଳୁ ବା ପିଆଜ ଭଳି ପନିପରିବା ଦର ସହିତ ସମତୁଲ କରିବା ଭଳି ମନୋଭାବ ପ୍ରକାଶ ପାଇଲା।

ସତ୍ୟ ହେଉଛି, ଓଡ଼ିଶା ଉପଭୋକ୍ତା ଯେଉଁ ସେବା ଦରରେ ବିଜୁଳି ବିଲ୍‌ ପରିଶୋଧ କରନ୍ତି, ତାହା ଅନ୍ୟ ରାଜ୍ୟ ଠାରୁ ଢେର୍‌ ଅଧିକ। ଅନ୍ୟ ରାଜ୍ୟମାନଙ୍କରେ ଯେପରି ଦୁଇଟି ସେବା ଦର ଯଥା ଆୟୋଗ-ସେବା ଦର ଓ ସରକାରୀ-ସେବା ଦର ପ୍ରଚଳିତ ଅଛି, ଓଡ଼ିଶାରେ ତାହା ନାହିଁ। ଆମର କେବଳ ଗୋଟିଏ ଆୟୋଗ-ସେବା ଦର ପ୍ରଚଳିତ। ଓଡ଼ିଶା ସରକାର ବିଦ୍ୟୁତ୍‌ ଆଇନ ଧାରା ୬୫ ଅନୁସାରେ ବିଗତ ଦିନରେ କୌଣସି ସେବା ଦର ସବ୍‌ସିଡି ଘୋଷଣା କରି ପ୍ରଦାନ କରିନାହାନ୍ତି କି ଆମର ଏଠି ସରକାରୀ-ସେବା ଦର ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ସରକାରୀ-ସେବା ଦରର ପରିମାଣ ଆୟୋଗ-ସେବା ଦର ଠାରୁ ବହୁତ କମ୍‌। ଅନ୍ୟ ରାଜ୍ୟ ସରକାରମା‌େନ ବିଦ୍ୟୁତ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ ଆୟୋଗ-ସେବା ଦର ଉପରେ ହଜାର ହଜାର କୋଟି ଟଙ୍କାର ସବ‌୍ସିଡି ଘୋଷଣା କରି ଉପଭୋକ୍ତା ଓ କମ୍ପାନିମାନଙ୍କୁ ପ୍ରଦାନ କରନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଭଳି ରାଜ୍ୟ ବାର୍ଷିକ ୯୦୦୦ କୋଟିରୁ ୧୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଅନ୍ତି। ପ୍ରାୟ ସମସ୍ତ ରାଜ୍ୟ ଏଭଳି ସବ୍‌ସିଡି ପ୍ରଦାନ କରୁଥିବା ବେ‌ଳେ ଓଡ଼ିଶା ସରକାର କିଛି ଦିଅନ୍ତି ନାହିଁ।

ପର ବର୍ଷ ୨୦୧୧-୧୨ ଓ ୨୦୧୨-୧୩ରେ ହାରାହାରି ସେବା ଖର୍ଚ୍ଚ ଯଥାକ୍ରମେ ୮୨ ଓ ୫୨ ପଇସା ବୃଦ୍ଧି ପାଇ ୪୦୯ ଓ ୪୬୧ ପଇସାରେ ନିରୂପିତ ହେଲା ଓ ସେବା ଦରରେ ସମ ପରିମାଣ ବୃଦ୍ଧି ହେଲା। କିଛି ବର୍ଷକୁ ବାଦ୍‌ ଦେଲେ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ସେବା ଖର୍ଚ୍ଚ ଓ ସେବା ଦରରେ ଲଗାମହୀନ ଭାବେ ବୃଦ୍ଧି ଘଟି ଚାଲିଛି।

ସେଦା ଦର ବେନିୟମ ଭାବେ ବଢିବା ଦ୍ବାରା ବିଦ୍ୟୁତ୍‌ ଚାହିଦା ଓ ଯୋଗାଣ ମଧ୍ୟରେ ସାମଞ୍ଜସ୍ୟ ନ ରହି ଦୂରତା ବଢ଼ିଲା। ପ୍ରଥମ ଦଶନ୍ଧିରେ ଆମର ବାର୍ଷିକ ଅଭିବୃଦ୍ଧି ଚାହିଦା ୧୦%ରୁ ଅଧିକ ଥିଲା ବେଳେ ଦ୍ବିତୀୟ ଦଶନ୍ଧିରେ ଏହା ୨%ରୁ ତଳକୁ ଆସିଛି; ଫଳରେ ୨୦୨୧-୨୨ ବର୍ଷ ପାଇଁ ଗ୍ରୀଡ୍‌କୋ ପାଖରେ ୧୨୫୬୫ ମିଲିୟନ ୟୁନିଟ୍‌ର ବିଦ୍ୟୁତ୍‌ ବଳକା ହୋଇଛି। ଆୟୋଗଙ୍କ ଜନଶୁଣାଣିରେ ଶିଳ୍ପ ସଂଘ ଉପସ୍ଥାପନ କରିଛନ୍ତି କି, ଓଡ଼ିଶା ସେବା ଦରର ଆଧିକ୍ୟ ପାଇଁ ଶିଳ୍ପ ବସାଇବା ଓ ତହିଁରେ ଅଗ୍ରଗତି କରିବା କଷ୍ଟକର ହୋଇ ପଡ଼ିଛି। ତେଣୁ ବହୁ ଶିଳ୍ପ ବନ୍ଦ ହେଉଛି। ଗ୍ରୀଡ୍‌କୋ କହୁଛନ୍ତି ଓଡ଼ିଶାର ଚାହିଦା କମ୍‌, ତେଣୁ ବିଦ୍ୟୁତ୍‌ ବଳକା ହେଉଛି। ସେମାନେ ଓଡ଼ିଶାର ପାଇକାରୀ ଦରରୁ କମ୍‌ ଦରରେ ବଳକା ବିଦ୍ୟୁତ୍‌କୁ ବାହାର ରାଜ୍ୟକୁ ବିକ୍ରି କରିବେ। ଓଡ଼ିଶା ପାଇଁ ଏହା ଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ? ତେଣୁ ସରକାରଙ୍କୁ ଅନୁରୋଧ ବର୍ତ୍ତମାନର ଭୀଷଣ ଶକ୍ତି ସଙ୍କଟରୁ ମୁକୁଳିବା ପାଇଁ ସରକାର ବିଦ୍ୟୁତ୍‌ ଆଇନର ଧାରା ୧୦୮ ରୂପୀ ଅମୋଘ ଅସ୍ତ୍ରକୁ ପ୍ରୟୋଗ କରି ଆୟୋଗଙ୍କୁ ନିର୍ଦ୍ଦେଶ କରି ନିୟାମକ ଭୂତାଣୁକୁ ସମୂଳେ ବିନାଶ କରନ୍ତୁ। ବର୍ଦ୍ଧିତ ୫୦ ପଇସା ନିୟାମକ-ସେବା ଦର ଉପରେ ସବ୍‌ସିଡି ଦେଇ ସରକାରୀ-ସେବା ଦର ନିର୍ଦ୍ଧାରଣ କରି ଏହାକୁ ଯୁକ୍ତିଯୁକ୍ତ ଓ ପ୍ରତିଯୋଗିତାକ୍ଷମ କରନ୍ତୁ।

ଶକ୍ତି ସମୀକ୍ଷକ, ଭୁବନେଶ୍ବର
ମୋ- ୮୮୯୫୪୧୮୧୬୯

ସମ୍ବନ୍ଧିତ ଖବର