ଡାକ୍ତର ବାବୁଙ୍କ ଇସ୍ତଫା ପତ୍ର

ଡା. ନୀଳମାଧବ ପୃଷ୍ଟି

ଡାକ୍ତର ବାବୁ। ଆଜି କାଇଁ ରୋଗୀ ଦେଖିଲା ବେଳେ ଗୋଟେ ଅଜଣା ଭୟ ମନକୁ ଘାରୁଛି। ବାହାରେ ଧୀରେ ଧୀରେ ଭିଡ଼ କମି ଆସିଲାଣି। କରୋନାର ଆତଙ୍କରେ ସମଗ୍ର ବିଶ୍ବ ଭୟରେ ଥରୁଛି। ସରକାର ଆମ ଦେଶରେ ଏହି ରୋଗର ମୁକାବିଲା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ବହୁତ ଗୁଡ଼ିଏ ପଦକ୍ଷେପ ନେଲେଣି। ପରସ୍ପର ପରସ୍ପର ହାତ ମିଶାଇବା ମନା। ଯଥା ସମ୍ଭବ ଦୂରତ୍ୱ ରକ୍ଷା କରିବା ଜରୁରି। କିନ୍ତୁ ଡାକ୍ତର ହୋଇଥିବାରୁ ଆଉ ତ୍ରାହି ନାହିଁ। ଯେତେ ଦୂରାରୋଗ୍ୟ ବ୍ୟାଧି ସେତେ କାମ ଡାକ୍ତର ମାନଙ୍କର। ତଥାପି ନିଜ ପେସାକୁ ନେଇ ବେଳେବେଳେ ଖୁସି ଲାଗେ, ଗର୍ବ ବି ଲାଗେ।

ତେବେ, ଆଜିର କଥା ଟିକେ ନିଆରା। ଆଜି ଡାକ୍ତରଖାନା ବାହାରିବା ସମୟରେ ଘରଲୋକଙ୍କ ଏକା ଜିଦ୍ ଏ ଚାକିରି ଛାଡ଼ିବାକୁ ପଡ଼ିବ। ନ ହେଲେ ଛୁଟି ନେଇ ରୁହ। ସରକାର ଘରୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡାକ୍ତରବାବୁ ସିନା ରୋଗୀଙ୍କ ଆଖିରେ ଭଗବାନ, କିନ୍ତୁ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। କାହାର ପୁଅ, କାହାର ଭାଇ ଓ କାହାର ସ୍ବାମୀ ତ ପୁଣି କାହାର ବାପା। ସେଥିପାଇଁ ସମସ୍ତଙ୍କର ତାଗିଦ୍ ଯେ ଚାକିରି ବହୁତ ହୋଇଗଲା। ଏଥର ଘରେ ବସିବାକୁ ପଡ଼ିବ, ଅନ୍ତତଃ କରୋନା ଆତଙ୍କ କମିବା ଯାଏ। କିନ୍ତୁ ଡାକ୍ତରବାବୁ ନିଜ ପେସା ସାଙ୍ଗରେ ଅନ୍ୟାୟ କରିବା ଲୋକ ନୁହନ୍ତି। ବୋଉ କହୁଛି ଯେ ଏ କୃତଘ୍ନ ସମାଜ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେବାର ଆବଶ୍ୟକତା ନାହିଁ। ଡାକ୍ତରବାବୁ କିଛି ନ କହି ଚୁପ୍ ରହିଲେ। ଡାକ୍ତରଖାନା ଯିବା ସମୟ ହେଇଯାଇଥିଲା। ମନେ ମନେ ହସି କର୍ମକ୍ଷେତ୍ରକୁ ବାହାରି ପଡ଼ିଲେ। ବ୍ୟସ୍ତତାଭରା ମୁହଁରେ ଘରଲୋକ ବିଦାୟ ଦେଲେ। କେବେ ଫେରିବେ ଠିକ୍ ନାହିଁ। ବାଟରେ ଯିବା ସମୟରେ କରୋନା ରୋଗ ସମ୍ପର୍କିତ ସମ୍ବାଦ ଉପରେ ନଜର ପଡ଼ିଲା। ଆଜି ପୁଣି କିଛି ଲୋକଙ୍କ ମୃତ୍ୟୁ ଘଟିଛି।

ସେତେବେଳୁ ମନର କୋଉ କୋଣରେ ଗୋଟେ ଡର ବସା ବାନ୍ଧି ସାରିଲାଣି। ତଳୁ କିଛି ଲୋକଙ୍କ ଆକୁଳତା ମଧ୍ୟ ଦିଶୁଛି ଓ ଶୁଭୁଛି। ସତରେ କିଭଳି ଏକ ଦୋ ଛକିରେ ଛିଡ଼ା ଡାକ୍ତର ଜୀବନ! ରୋଗୀ ସିନା ଡାକ୍ତରଙ୍କୁ ଚିହ୍ନିଛି, କିନ୍ତୁ ରୋଗ ତ ଚିହ୍ନିନି? ପୃଥିବୀର ଅନେକ ସ୍ଥାନରେ ଅନେକ ଡାକ୍ତର ଏହି ରୋଗରେ ଆକ୍ରାନ୍ତ ହୋଇ ମଲେଣି।

ଡାକ୍ତରବାବୁଙ୍କର ଆଜି ଆହୁରି ପୁରୁଣା କଥା ମନେ ପଡ଼ିଗଲା। ଯୁକ୍ତ ଦୁଇ ପଢୁଥିବା ସମୟରେ ସୈନ୍ୟ ବାହିନୀରେ ଯିବାକୁ ବହୁତ ଇଚ୍ଛା ଥିଲା। କିନ୍ତୁ ଘରେ ଏ ଇଚ୍ଛାଟି କାଟ ଖାଇଲା। ଘରେ ସମସ୍ତଙ୍କର ଇଚ୍ଛା ଯେ ପୁଅ ଡାକ୍ତର ହବ। ଡାକ୍ତରୀ ପଢ଼ା ସରିବା ପରେ ମଧ୍ୟ ସେନାର ଡାକ୍ତର ହେବା ପାଇଁ ଆବେଦନ କଲେ। କିନ୍ତୁ ସେ ଥର ବି ଘର ଲୋକଙ୍କ ଇଚ୍ଛା ଆଗରେ ମୁଣ୍ଡ ନୁଆଇବାକୁ ହେଲା। କିନ୍ତୁ ଏତେ ଦିନର ଚାକିରି କାଳ ମଧ୍ୟରେ ଆଜିର ଭଳି ଭାବନା କେବେ ମୁଣ୍ଡ ଭିତରକୁ ଆସିନଥିଲା। ସତରେ କ’ଣ ସେ ଭୁଲ୍‌ ପେସାରେ ପଶିଗଲେ? ଦୁନିଆ ଆଖିରେ ସେ ସିନା ଜଣେ ଡାକ୍ତର, କିନ୍ତୁ ନିଜ ପରିବାର ଆଖିରେ? ନିଜ ପରିବାର ଆଖିରେ ସେ ହିଁ ଦୁନିଆ। ଘରର ଚିତ୍ର ଆଖି ଆଗରେ ନାଚି ଉଠିଲା। ନା ଆଉ ନୁହେଁ। ଏଥର ଏ ଚାକିରି ଛାଡ଼ିବାକୁ ହେବ।

ଆଉ ରୋଗୀ କେହି ନାହାନ୍ତି। ଡାକ୍ତରବାବୁ ଘଣ୍ଟାକୁ ଅନେଇଲେ। ସମୟ ସରିବାକୁ ଆହୁରି ଅଧ ଘଣ୍ଟା ବାକି ଅଛି। କାଗଜ କଲମ ବାହାର କଲେ। ଆଜି ଇସ୍ତଫା ପତ୍ର ଲେଖିବେ ନିଶ୍ଚୟ। ମହାମାରୀ ଯେଉଁ ରୂପ ଧାରଣ କଲାଣି, କେତେବେଳେ କ’ଣ ହେବ, କିଛି କହିହେବନି। ଏ ବୀତସ୍ପୃହ ସମାଜ ପାଇଁ ସେ ବା କାହିଁକି ନିଜ ଜୀବନକୁ ବାଜି ଲଗେଇବେ?

ହଠାତ୍‌ ଆଉ ଜଣେ ରୋଗୀ ଭିତରକୁ ଆସିଲେ। ବୟସ ପଚାଶ ଉପରେ ହେବ। ଖୁବ୍ ସୁସ୍ଥ ସବଳ, ଉଚ୍ଚତା ଛଅ ଫୁଟ୍ ହେବ। କିନ୍ତୁ ତାଙ୍କ ମୁହଁରୁ ଲାଗୁଥାଏ ଯେ ସେ ଅତ୍ୟନ୍ତ ଭୟଭୀତ। ସାଦା ଥଣ୍ଡା କାଶକୁ ସେ ମହାମାରୀ ବୋଲି ଧରିନେଇଥିଲେ। ଡାକ୍ତରବାବୁଙ୍କ ଆଶ୍ବାସନା ପରେ ତାଙ୍କ ମୁହଁରେ ହସ ଫୁଟିଲା। ଡାକ୍ତରବାବୁ ତାଙ୍କୁ ଆବଶ୍ୟକ ଔଷଧ ଲେଖିଦେଲେ। ସେ ନିଜ ସ୍ଥାନରୁ ଉଠି ଡାକ୍ତରବାବୁଙ୍କୁ ଗୋଟେ ସାଲ୍ୟୁଟ୍ ମାରିଲେ। ସେ ସେନାବାହିନୀର ଜଣେ ଅବସରପ୍ରାପ୍ତ ମେଜର୍ ଥିଲେ। ସେ କହିଲେ- ଏ ଯେଉଁ ଆପାତ୍‌ କାଳ ଚାଲିଛି, ଏହା ଏକ ଯୁଦ୍ଧକ୍ଷେତ୍ର। ଆଉ ଆପଣମାନେ ସୀମାରେ ଥିବା ସୈନିକ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ନ ହେଲେ ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଘରଦ୍ୱାର ଛାଡ଼ି ଏଠି କିଏ ବସିବ?

ଏହା କହି ସେ ବିଦାୟ ନେଲେ। ଡାକ୍ତରବାବୁଙ୍କ ସବୁ ଦ୍ବନ୍ଦ୍ବ ଏବେ ଯେମିତି କୁଆଡ଼େ ଉଭେଇ ଗଲା। ଦେହରେ ଏକ ଅବୋଧ୍ୟ ପୁଲକ ଜାଗି ଉଠିଲା। ମନରେ ଭରିଗଲା ଉତ୍ସାହ ଓ ବଳ। ସ୍ମିତହାସ୍ୟ ଦେଇ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟ ପାଇଁ ସେ ଆଗେଇ ଗଲେ। ଗଲା ବେଳେ ଅଧା ଲେଖା ଇସ୍ତଫାପତ୍ରଟିକୁ ମୋଡ଼ିମାଡ଼ି ଡଷ୍ଟବିନରେ ପକେଇ ଦେଲେ।

ଆସିଷ୍ଟାଣ୍ଟ ପ୍ରଫେସର, ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର
ମୋ: ୯୪୩୯୪୮୨୫୨୬

ସମ୍ବନ୍ଧିତ ଖବର