ହସ ଓ କାନ୍ଦର ଟିକା

ଚିନ୍ମୟ ଚିନ୍ତନ - ଚିନ୍ମୟ କୁମାର ହୋତା

ଗତ କିଛିଦିନ ହେଲା କିଛି ବିଶିଷ୍ଟ ବ୍ୟକ୍ତି ସହାସ୍ୟ ବଦନରେ କୋଭିଡ ପ୍ରତିଷେଧକ ଟିକା ନେଉଥିବାର ଦୃଶ୍ୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ବଡ଼ବଡ଼ିଆଙ୍କ ଏ କୃତିତ୍ବର ଦୃଶ୍ୟ ଦେଖିବା ପରେ ସର୍ବସାଧାରଣ ବା ପଛରେ ରହନ୍ତେ କେମିତି? ଏଣୁ ଏବେ ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ସାଧାରଣ ନାଗରିକମାନଙ୍କର ଟିକା ଗ୍ରହଣ ଦୃଶ୍ୟରେ ଭରପୂର। ଶରୀରରେ ପୀଡ଼ା ହେଉଥିଲେ ମଧ୍ୟ ମୁହଁରେ ହସ। ଯେତେହେଲେ ସାରା ଦୁନିଆ ଜଣଙ୍କର ଟିକା ଗ୍ରହଣ ଦୃଶ୍ୟ ଦେଖିବ, ତେଣୁ ମୁହଁ ଶୁଖାଇଲେ ଅବା ଭୟଭୀତ ହେଲେ କେମିତି ଚଳିବ?
କେତେ ଟିକା ପ୍ରଦାନ କେନ୍ଦ୍ରଗୁଡ଼ିକ ଟିକା ନେବା ପରେ ଜଣେ ନିଜର କୃତିତ୍ବକୁ ସଗର୍ବେ ଦୁନିଆକୁ ଜଣାଇବା ପାଇଁ ସେଲ୍‌ଫି କ୍ଷେତ୍ର ମଧ୍ୟ ତିଆରି କରି ଦେଇଛନ୍ତି। ଖାଲି ତା’ ପଛରେ ଛିଡ଼ା ହୋଇ ଫଟୋଟି ଉଠେଇ ନେଲେ ହେଲା। ଚିତ୍ରଟି ଦେଖି ଲୋକେ ଜାଣିବେ ଆପଣ ଏକ ମହତ୍‌ କାର୍ଯ୍ୟର ଆଗୁଆ ସୈନିକ ଅଟନ୍ତି ଓ ତା’ ସଙ୍ଗେ ସଙ୍ଗେ ସେମାନେ ବି ଟିକା ନେବା ପାଇଁ ଅନୁପ୍ରାଣିତ ହେବେ। କୋଭିଡ ଟିକା ଗ୍ରହଣର ଚିତ୍ର ପ୍ରକାଶ କରିବାର ପର ପର୍ଯ୍ୟାୟରେ ହିତାଧିକାରୀମାନେ ଏବେ କେନ୍ଦ୍ର ସରକାର ପ୍ରଦତ୍ତ ଟିକା ପ୍ରମାଣପତ୍ର ମଧ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଜାରି କରି ସାରିଲେଣି। ଟିକା ପ୍ରମାଣପତ୍ରର ପ୍ରଦର୍ଶନ ଆଗ ସମୟରେ ମାଟ୍ରିକ ପରୀକ୍ଷା ଇତ୍ୟାଦିର ସାର୍ଟିଫିକେଟ କାଚ ଫ୍ରେମ‌୍ରେ ବନ୍ଧା ହୋଇ ଘର କାନ୍ଥରେ ଟଙ୍ଗା ହେଉଥିବାର ପ୍ରଥା ମନେ ପକେଇ ଦିଏ। କରୋନା କାଳରେ ଯେତେବେଳେ ‘ଯୋଦ୍ଧା’ ଓ ‘ବିଜୟୀ’ ପ୍ରଭୃତି ଶବ୍ଦର ଖୋଲା ଓ ବହୁଳ ବ୍ୟବହାର ହେଉଛି, ତେବେ ବିଜୟୀ ଯୋଦ୍ଧା ତା’ର ବୈଜୟନ୍ତୀ ପ୍ରଦର୍ଶନ ନ କରିବ ବା କେମିତି?

ଟିକା ପାଇଁ ଆଜିର ଏହି ଉତ୍ସୁକତା ଓ ଆହ୍ଲାଦ ଅତୀତର ଟିକା ଜନିତ ଭୟ ଓ ବୀତସ୍ପୃହତାରୁ କେତେ ଭିନ୍ନ! ଆଜି ଯେଉଁ ବରିଷ୍ଠ ନାଗରିକମାନେ ପ୍ରଥମେ କୋଭିଡ ଟିକା ନେବାର ସୁଯୋଗ ପାଇଛନ୍ତି ସେମାନେ ପୁରୁଣା ଦିନର କଥା ମନେ ପକେଇ ଖୁବ୍‌ ହସୁଥିବେ ନିଶ୍ଚୟ। ଅବଶ୍ୟ ଜନ୍ମିବା ପରର ପ୍ରଥମ ଟିକା ନେବାର କଷ୍ଟ କାହାରି ମନେ ନ ଥିବ, କିନ୍ତୁ ସ୍କୁଲ ଜୀବନର ଟିକା ନେବାର ସ୍ମୃତି ଅନେକଙ୍କର ସଜୀବ ଥିବ। ଟିକା ନେବା ବିଷୟଟି ବଡ଼ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଥିଲା, ଆଉ ପିଲାଙ୍କ କଥା ତ ଛାଡ଼।

ସେ ସମୟରେ ରଥଯାତ୍ରା ବା ଅନ୍ୟାନ୍ୟ ଜନସମାଗମ ସ୍ଥାନରେ ଯାତ୍ରୀମାନଙ୍କୁ ପ୍ରତିଷେଧକ ଟିକା ଦିଆଯାଉଥିଲା। ମୋର ମନେ ଅଛି ଆମ ସହରରେ ରଥଯାତ୍ରା ବେଳେ ବିଭିନ୍ନ ଦୂରଦୂରାନ୍ତରୁ ରଥଟଣା ଦେଖିବାକୁ ଆସୁଥିବା ଜନତାଙ୍କ ମୁଖ୍ୟ ଚିନ୍ତା ଥିଲା କେମିତି ଟିକା ବାଲାଙ୍କୁ ଲୁଚି ମେଳାର ଭିଡ଼ ଭିତରେ ସାମିଲ ହୋଇଯିବା। ଯେହେତୁ ଟ୍ରେନ୍‌ ଷ୍ଟେସନ୍‌ରେ ଟିକା ଦିଆ କ୍ୟାମ୍ପ୍‌ ଲାଗୁଥିଲା, ତେଣୁ ଚାଲାକ ଯାତ୍ରୀମାନେ ସହର ପହଞ୍ଚିବା ପୂର୍ବରୁ ପାଖ ଷ୍ଟେସନ୍‌ରୁ ଓହ୍ଲାଇ ବିଲ ବାଡ଼ି ରାସ୍ତା ଦେଇ ସହରରେ ପହଞ୍ଚୁଥିଲେ। ଆଉ କେହି କେହି କ୍ୟାମ୍ପ୍‌ରେ ଚିହ୍ନା ପରିଚୟ କର୍ମକର୍ତ୍ତାଙ୍କୁ କୁହାବୋଲା କରି ଫୋଡ଼ା ଖାଇବାରୁ ବଞ୍ଚି ଯାଉଥିଲେ। ଆଜି ଟିକା ନେବା ନ ନେବା ଗୋଟିଏ ଐଚ୍ଛିକ ବିଷୟ ହୋଇଗଲାଣି, ହେଲେ ସେ ସମୟରେ ଲାଗୁଥିଲା ଏହା ବାଧ୍ୟତାମୂଳକ, ଧରା ପଡ଼ିଗଲେ ବର୍ତ୍ତିବାର ଉପାୟ ନାହିଁ।

ବୟସ୍କମାନେ ଯେତେବେଳେ ଏତେ ହଟହଟା ହେଉଥିଲେ ପିଲାଙ୍କ କଥା ପଚାରେ ବା କିଏ? ସେ ସମୟରେ ଟିକା ବାଲା ବିଦ୍ୟାଳୟମାନଙ୍କୁ ଆସୁଥିଲେ ପିଲାଙ୍କୁ ପ୍ରତିଷେଧକ ଦେବାକୁ। ଆଉ ସେହି ଦିନ ମାନଙ୍କରେ ଟିକା ଡରରେ ସ୍କୁଲ ପିଲାଙ୍କର ପିଳେହି ପାଣି ହେଇଯାଉଥିଲା। ସୁଧାର ପିଲାମାନେ ନିଜ ସମ୍ମାନ ରକ୍ଷା କରିବାକୁ ଯାଇ କାନ୍ଦ କାନ୍ଦ ହେଇ ଟିକା ନେଇ ଯାଉଥିଲେ ସିନା, ହେଲେ ଚଗଲା ଓ ଅମାନିଆମାନେ ସୁଯୋଗ ଦେଖି ପାଚେରି ଡେଇଁ ସ୍କୁଲ୍‌ରୁ ଅନ୍ତର୍ଦ୍ଧାନ ହେଇ ଯାଉଥିଲେ ବା ଶୌଚାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୁଚି ରହୁଥିଲେ।

ସେ ଯାହା ବି ହେଉ ସେ ସମୟରେ ଟିକା ପ୍ରତି ବୀତସ୍ପୃହତା ଥିଲା ମୁଖ୍ୟତଃ ଶାରୀରିକ ଯାତନାରୁ ନିଜକୁ ବଞ୍ଚାଇବା ଉଦ୍ଦେଶ୍ୟରେ। ଆଜି ବିଶିଷ୍ଟ ଓ ଗରିଷ୍ଠମାନେ ଟିକା ନେବା ପାଇଁ ପ୍ରତ୍ୟକ୍ଷ ରୂପେ ଉତ୍ସାହ ଦେଖାଉଥିବା ସତ୍ତ୍ବେ ସାରା ଦୁନିଆରେ ବିଶାଳ ସଂଖ୍ୟାର ଲୋକ ଟିକା ପ୍ରତି ନକାରାତ୍ମକ ଓ ସନ୍ଦିଗ୍‌ଧ ଭାବ ପୋଷଣ କରିଥାନ୍ତି। ସେମାନେ ନିର୍ଦ୍ଦିଷ୍ଟ ରାଜନୈତିକ ବା ଧାର୍ମିକ ଚିନ୍ତାଧାରାରୁ ପ୍ରେରିତ ହୋଇ ଏମିତି ମନୋଭାବ ଦେଖାଇଥାନ୍ତି। ଆମେରିକାରେ ଟିକା ବିରୋଧୀ ଗୋଷ୍ଠୀ ଖୁବ୍‌ ସକ୍ରିୟ ଓ ଟିକା ଏକ ସରକାରୀ ଚକ୍ରାନ୍ତର ମାଧ୍ୟମ ବୋଲି ଲୋକଙ୍କୁ ବୁଝାଇ ଟିକା ନେବାରୁ ନିବୃତ୍ତ କରାଇଥାନ୍ତି। ପାକିସ୍ତାନ ଓ ଆଫଗାନିସ୍ତାନରେ ଟିକା ପ୍ରତି ଧାର୍ମିକ ବିରୋଧ ରହିଛି ଓ ଅନେକ ପୋଲିଓ ଟିକା ପ୍ରଦାନକାରୀଙ୍କୁ ହତ୍ୟା କରାଯାଇଛି। କୋଭିଡ ଟିକାକୁ ମଧ୍ୟ ଅନୁରୂପ ଭାବେ ଇସଲାମ ବିରୋଧୀ ବୋଲି ଚିତ୍ରଣ କରାଯାଇଛି। ଟିକା ବିଷୟରେ ସର୍ବସାଧାରଣଙ୍କ ସଂଶୟ ଦୂର କରିବା ପାଇଁ କେତେ ରାଷ୍ଟ୍ର ମୁଖ୍ୟ ତଥା ବୈଜ୍ଞାନିକମାନେ ନିଜେ ପ୍ରଥମେ ଟିକା ନେଇଛନ୍ତି କିମ୍ବା ନିଜର ପରିବାରର ସଦସ୍ୟଙ୍କୁ ପ୍ରଥମେ ଟିକା ଦିଆଇଛନ୍ତି।

ମିଥ୍ୟା ଓ ଗୁଜବ ପାଇଁ ସାମାଜିକ ଗଣମାଧ୍ୟମ କୁଖ୍ୟାତ। ମହାମାରୀର ସବୁ ଅବୟବ ଭଳି ଟିକାଦାନ ମଧ୍ୟ ବାଦ, ପ୍ରତିବାଦ ଓ ଅନିଶ୍ଚିତତା ଭିତରେ ଆଗେଇ ଚାଲିଛି। ଦେଖାଯାଉ ଆଗକୁ କ’ଣ ଅଛି।

କସମୋପୋଲିସ, ଭୁବନେଶ୍ୱର
ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର