ରାଜନୀତିର ଭାଷା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ମୋର ବିଶ୍ବାସ ଭାରତୀୟମାନେ ଗଣତନ୍ତ୍ରକୁ ଠିକ୍‌ ବୁଝିଚନ୍ତି। ୟାର ଏକମାତ୍ର କାରଣ ଭାରତୀୟ ଲୋକ ସମାଜର ଗଢ଼ଣରେ ଫାଟ ବା ଫାଙ୍କ (ରପ୍‌ଚର‌୍‌) ନାହିଁ। ଗତ ପଚାଶ ବର୍ଷ ଭିତରେ ୟୁରୋ-ଆମେରିକାନ୍‌ ରାଜନୀତି ବିଜ୍ଞାନୀମାନେ ସେମାନଙ୍କ ଦେଶରେ ନିଜ ନିଜର ସମାଜମାନଙ୍କରେ ଅନ୍ତର୍ନିହିତ ଦୁର୍ବଳ ଯୋଡ଼କୁ ଭଙ୍ଗପ୍ରବଣ ଗଣତନ୍ତ୍ରର କାରଣ ବୋଲି ଅନୁମାନ କରିଚନ୍ତି। ଏ ଦୁର୍ବଳ ଯୋଡ଼ ରହିଚି ଏଇଥିପାଇଁ ଯେ ଉଭୟ ସାମାଜିକ ଓ ମାନବୀୟ ବିନ୍ୟାସରେ ସଂହତି ସମ୍ଭବ ହୋଇନାହିଁ। ସାମାଜିକ ସ˚ହତିହୀନତାର କାରଣ ମୁଖ୍ୟତଃ ଦୃଶ୍ୟମାନ ସମତାର ତଳ ସ୍ତରରେ ରେସ୍‌ ବା ଜାତିକୁ ନେଇ ଏବେବି ବ˚ଚିଥିବା ପାର୍ଥକ୍ୟ। କହିବାରେ ଦ୍ବିଧା ନାହିଁ ଯେ ଏବେ ମଧୢ ଆମେରିକାରେ ବସବାସ କରୁଥିବା ଅଣ ଆମେରିକାନ୍‌ ଅଶ୍ବେତ ନାଗରିକମାନେ ମୂଳ ଆମେରିକୀୟ ଓ ଶ୍ବେତାଙ୍ଗ-ପରିଚାଳିତ ରାଷ୍ଟ୍ରୀୟ ପରିଚିତିକୁ ନିଜର କରି ପାରିନାହାନ୍ତି। କଳା-ଧଳା ବିଭେଦ ସେ ସମାଜମାନଙ୍କରେ ଏବେ ମଧୢ ରହିଚି, ଯଦିଓ ସେମାନେ ଗଣତନ୍ତ୍ରରେ ସମାନ ଅ˚ଶୀଦାର। ଜାତୀୟ ଲୋକ ବିନ୍ୟାସରେ ଇଏ ଗୋଟେ ବଡ଼ ଦୁର୍ବଳତା। ମାନବୀୟ ବିନ୍ୟାସରେ କୃଷ୍ଣକାୟ ବା ଅଶ୍ବେତ ନାଗରିକମାନେ ଗୋଟିଏ ପ୍ରକାରର ଜୀବନମୂଲ୍ୟ ପ୍ରତିଫଳିତ କରିପାରିନାହାନ୍ତି। ଏସବୁ ଫାଟ ଉପରେ ଗଣତନ୍ତ୍ରର ଆସ୍ତରଣ ସ୍ତରୀଭୂତ ହୋଇ ରହିଚି।

କିନ୍ତୁ, ଭାରତରେ ବହୁବର୍ଣ୍ଣୀ ଲୋକ ସମାଜ ଐତିହ୍ୟ, ପର˚ପରା ଓ ବିନିମୟର ଆଧାରରେ ଗୋଟିଏ ସଭ୍ୟତା-ମୂଳକୁ ନେଇ ବସିଚି। ଜାତିପ୍ରଥା ନାମରେ ଯେଉଁ ପ୍ରାଚୀନ ମାନ୍ୟତାଗୁଡ଼ିକ ଏକଦା ଥିଲେ, ସେମାନଙ୍କର ନାଟକୀୟ କାୟାକଳ୍ପ ସାଧିତ ହୋଇସାରିଚି ଓ ଏବେ ତା’ର ଆଉ ବିଶେଷ ପ୍ରାସଙ୍ଗିକତା ନାହିଁ। ବର୍ଣ୍ଣ ବା କୁଳ ଆଧାରିତ ପାର୍ଥକ୍ୟ ଆଉ ନାହିଁ, କାରଣ ଭାରତୀୟଙ୍କ ଭିତରେ ଜାତୀୟ ଅସ୍ତିତ୍ବ-ବିଚାରକୁ ନେଇ କୌଣସି ଶଙ୍କା ନାହିଁ। ଭାରତୀୟତା ଯେ ଧର୍ମ-ଆଧାରିତ ଏକ ସ˚କୀର୍ଣ୍ଣ ଶବ୍ଦ ନୁହେଁ; ବର˚ ଏକ ବ୍ୟାପକ ସା˚ସ୍କୃତିକ ଐକ୍ୟର ସ˚କେତ, ଏ କଥା ସାଧାରଣ ଭାରତୀୟମାନେ ବୁଝନ୍ତି। ୟୁରୋ-ଆମେରିକାନ୍‌ ଗଣତନ୍ତ୍ରଗୁଡ଼ିକ ଯୁଦ୍ଧ, ସାମ୍ରାଜ୍ୟବାଦୀ କ୍ଷେତ୍ର ବିସ୍ତାର ଓ ବ୍ୟକ୍ତି ସ୍ବାଚ୍ଛନ୍ଦ୍ୟର ଅନ୍ତିମ ପରିଣତି ଭାବରେ ଏ ପର୍ଯ୍ୟନ୍ତ ନିଜର ଅତୀତ ଓ ପର˚ପରାକୁ ନେଇ କୋଉଠି ରଖିବେ ସ୍ଥିର କରିପାରିନାହାନ୍ତି। ସାମ୍ରାଜ୍ୟବାଦୀ ଭୂତ, ବର୍ଣ୍ଣବୈଷମ୍ୟର ପ୍ରେତ, ନରକୀୟ ଜାତି-ଉନ୍ମୂଳନର ରାକ୍ଷସ ଓ ବିଶ୍ବ-ଅଧିକାରର ଦୁଃସ୍ବପ୍ନ, ସେମାନଙ୍କୁ ବାକି ବିଶ୍ବର ନୈତିକ ବିଚାରରେ ନ୍ୟୂନ କରି ରଖିଚି ବୋଲି ଏକ ସନ୍ଦିଗ୍‌ଧ ଭାବ ନେଇ ସେମାନେ ତାଙ୍କର ଆକ୍ରାମକ-ବନ୍ଧୁତ୍ବର ନୂଆ ନୂଆ ସନ୍ଦର୍ଭ ପ୍ରସ୍ତୁତ କରି ଚାଲିଚନ୍ତି। ତେଣୁ ସେମାନଙ୍କର ଗଣତନ୍ତ୍ର ସମାହିତ ଗଣତନ୍ତ୍ର ନୁହେଁ, ବର˚ କୁହାଯାଇପାରେ ଯେ ସେମାନଙ୍କର ଗଣତନ୍ତ୍ର ଗୋଟିଏ ଲେଖାଏଁ ବାୟୋ-ପଲିଟିକାଲ୍‌ ବା ଦେହୀ-ରାଜନୀତିର ଯନ୍ତ୍ର। ୟୁରୋପୀୟ ଦର୍ଶନର ଆଧୁନିକତମ ବିକାଶ ମାର୍ଗରେ ଫରାସୀ ଦାର୍ଶନିକ ମିସେଲ୍‌ ଫୁକୋ ଏଇ ‘ବାୟୋ-ପଲିଟିକ୍‌ସ’ ଶବ୍ଦଟିର ନିର୍ମାଣ କରିଥିଲେ ଏଇଆ କହିବା ପାଇଁ ଯେ ବିକଶିତ ଦେଶମାନଙ୍କରେ ଗଣତନ୍ତ୍ରର ରାଜନୀତି ମଣିଷର ‘ନ୍ୟୂନତମ ଜୀବନ’ (ବେଆର‌୍‌ ଲାଇଫ୍‌)କୁ ପୁଞ୍ଜି କରି ଚଳେ। ୟାକୁ ବିଶ୍ବର ପ୍ରେକ୍ଷାପଟରେ ଦେଖିଲେ ଦିଶିବ ଯେ ୟୁରୋ-ଆମେରିକାନ୍‌ ଗଣତନ୍ତ୍ରଗୁଡ଼ିକ, ବିଶ୍ବର ଅନଗ୍ରସର ଓ ଦୁର୍ବଳ ଦେଶମାନଙ୍କର ଅନଗ୍ରସରତା ଓ ଦୁର୍ବଳତାକୁ ବ୍ୟବହାର କରି ନିଜର ପ୍ରଭୁତ୍ବ ଜାହିର କରିବା ପାଇଁ ମଂଚ, ସଭା, ସହଯୋଗ, ସମ୍ମିଳନୀ, ସାହାଯ୍ୟ, ଅନୁଦାନ, ପ୍ରୋତ୍ସାହନ ଇତ୍ୟାଦିର ପାଠ ପଢ଼ାନ୍ତି, କିନ୍ତୁ ଭିତରେ ଭିତରେ ପ୍ରଭୁତ୍ବର ପରିକଳ୍ପନା ବ˚ଚେଇ ରଖିଥାନ୍ତି। ଏ ପ୍ରକାରର ବିଶ୍ବ ରାଜନୀତି ଦେହୀ-ରାଜନୀତି ଓ ଇଏ ପ୍ରକୃତ ଗଣତନ୍ତ୍ରର ନୈତିକ ଆଦର୍ଶର ବିପରୀତରେ ବଢୁଥିବା ଏକ ସର୍ବଗ୍ରାସୀ ବ୍ୟାଧି। ୟାର ପ୍ରତିରୋଧ ଗୋଟିଏ ସ୍ବାଭାବିକ, ସଭ୍ୟତାଦତ୍ତ, ପ୍ରାକୃତିକ, ଅଣ-ମହତ୍ତ୍ବାକା˚କ୍ଷୀ ଗଣତନ୍ତ୍ର ହିଁ କରିପାରେ। ସେ ଗଣତନ୍ତ୍ର ଭାରତୀୟ ଗଣତନ୍ତ୍ର।

ଭାରତୀୟମାନଙ୍କ ପଛରେ ଏକ ବିଶାଳ ମାନବୀୟ ଉଦାରତାପୂର୍ଣ୍ଣ, ପ୍ରକୃତି ସମାହିତ ସଭ୍ୟତା ଅଛି; ଯାହାକୁ ସାମ୍ରାଜ୍ୟବାଦୀ ବିଦେଶୀଙ୍କ ଘାତଚକ୍ର ମାରି ପାରିନାହିଁ। ନୈତିକ, ଉଦାର, ସ୍ବଳ୍ପସନ୍ତୋଷୀ, କରୁଣାଦ୍ରବିତ, କୁଟୁମ୍ବୀ, ଭାରତୀୟମାନେ ତାଙ୍କ ଧର୍ମରେ, ଅଧୢାତ୍ମରେ ଓ ଜୀବନମୂଲ୍ୟରେ ଗଣତନ୍ତ୍ରୀ! ଏଠି ରାଜନୀତି ପାଶ୍ଚାତ୍ୟ ଦେହୀ-ରାଜନୀତି ହୋଇପାରିବ ନାହିଁ ଏକଥା ସ୍ବାଧୀନତା ପରର ସାତ ଦଶକର ଅଧିକ କାଳ ଭିତରେ ସ୍ପଷ୍ଟ ହୋଇଯାଇଚି। ଦରିଦ୍ରର ଦାରିଦ୍ର୍ୟ, ଭୋକିଲାର ଭୋକ ଓ ବ˚ଚିତର ବ୍ୟଥାକୁ ନେଇ ରାଜନୀତି ଆଉ ସତ୍ତାର ଖେଳ ଖେଳି ପାରିବ ନାହିଁ। ଅନ୍ୟ ଭାବରେ କହିଲେ ବିକାଶର ପ୍ରତିଶ୍ରୁତି ଆଉ ଯଥେଷ୍ଟ ନୁହଁ। ସେହିପରି କେବଳ ଆବଶ୍ୟକତା ପୂର୍ଣ୍ଣ ହୋଇଗଲେ ସତ୍ତାର ଅଧିକାର ମିଳିଯିବ; ଏ ମଧୢ ସମ୍ଭବ ନୁହେଁ। ତେବେ କ’ଣ ଚାହେଁ ଭାରତୀୟ ତା’ର ଗଣତନ୍ତ୍ର ଠାରୁ? ସେ ଯାହା ଚାହେଁ, ତାକୁ ଅଭିବ୍ୟକ୍ତି ଦେବାପାଇଁ ରାଜନେତାଙ୍କ ପାଖରେ ଜ୍ଞାନ, ଧୈର୍ଯ୍ୟ, ସମ୍ବେଦନା ଓ ସାହସ ଅଛି କି?

ରାଜନୀତିରେ ଜ୍ଞାନ, ଧୈର୍ଯ୍ୟ, ସମ୍ବେଦନା ଓ ସାହସ ପାଇଁ ଭୂମି ଅଛି କି? ଗଣତନ୍ତ୍ରରେ ହିଁ ସେ ଭୂମି ଅଛି, ଭାରତୀୟ ଗଣତନ୍ତ୍ରରେ ହିଁ ତାହା ସମ୍ଭବ। କିନ୍ତୁ ବହୁ ବର୍ଷ ଧରି ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ରାଜନୀତି ପାଶ୍ଚାତ୍ୟ ଗଣତନ୍ତ୍ର ଓ ପାଶ୍ଚାତ୍ୟ ରାଜନୀତି ଦ୍ବାରା କବଳିତ ହୋଇ ରହିଥିଲେ। ଆମ ଗଣତନ୍ତ୍ର ବି ଥିଲା ବାୟୋ-ପଲିଟିକ୍‌ସ ବା ଦେହୀ ରାଜନୀତିର କ୍ରୀଡ଼ାଭୂମି। ଏ ପ୍ରକାରର ସ˚କ୍ରମଣ ଆମ ପାଖକୁ ଆସିଲା ବିଚାରଧାରାର ଛଦ୍ମ ବେଶରେ। ସମାଜବାଦ, ସାମ୍ୟବାଦ ଓ ପୁଞ୍ଜିବାଦ ତଥା ପରବର୍ତ୍ତୀ କାଳର ବିବିଧ ଚିନ୍ତନ ପ୍ରଣାଳୀ ଆସିଲେ ଆମର ଶିକ୍ଷାୟତନର ଜ୍ଞାନ ମାର୍ଗରେ, ଗଣମାଧୢମ ସୂତ୍ରରେ ଓ ପଶ୍ଚିମା-କବଳିତ ଅନୁଷ୍ଠାନମାନଙ୍କ କାର୍ଯ୍ୟକ୍ରମ ଜରିଆରେ। ଜଣେ ରାଜନେତା ତା’ର ନିର୍ବାଚନ ମଣ୍ତଳୀର ଜନ ସମୂହକୁ କିଭଳି ସାମ୍ନା କରିବ, ତାଙ୍କୁ କ’ଣ କହିବ, ସେମାନେ କ’ଣ ଶୁଣିବାକୁ ଚାହାନ୍ତି, କ’ଣ ବୁଝନ୍ତି ଓ କିଭଳି ଭୋଟ୍‌ ଦିଅନ୍ତି, ଏସବୁ ତିଆରି ହେଲା ଜ୍ଞାନକ୍ଷେତ୍ର ବାହାରେ ବ୍ୟାବହାରିକ ମାର୍ଗରେ। ମିସେଲ୍‌ ଫୁକୋ ଠାଏ କହିଥିଲେ: ‘ରାଜନେତାମାନେ ଭାବନ୍ତି ଯେ ଲୋକେ ସେଇଆ ଶୁଣିବାକୁ ଚାହାନ୍ତି, ଯାହା ସେ ଶୁଣେଇବାକୁ ଚାହାନ୍ତି’। ଅର୍ଥାତ୍‌ ଲୋକଗୁଡ଼ାକ ବିଦ୍ୟା, ବୁଦ୍ଧି, ସାଧାରଣଜ୍ଞାନ, ବିବେକ, ସ୍ବପ୍ନ ଓ ସ˚ସ୍କୃତି ନ ଥିବା ଗୁଡ଼ିଏ ‘ଦେହଧାରୀ ଆବଶ୍ୟକତା’, ତାଙ୍କୁ ବ୍ୟବହାର କରିବାରେ ସ˚କୋଚ ନ ରହୁ। ବର୍ତ୍ତମାନର ରାଜନେତା ଏ କଳା ଶିଖିଲେ ତାଙ୍କର ପୂର୍ବ ପିଢ଼ି ଠାରୁ, ସିଏ ଶିଖିଥିଲେ ତାଙ୍କ ପୂର୍ବ ପିଢ଼ି ଠାରୁ। ଏହିପରି ଭାବରେ ସତୁରି ବର୍ଷ ଭିତରେ ଦେହୀ ରାଜନୀତି ବ୍ୟାପିଲା, ୟାକୁଇ ନେଇ ରଣନୀତି, ୟାକୁଇ ନେଇ ବାହାସ୍ଫୋଟ, ୟାକୁଇ ନେଇ ଜୟ-ପରାଜୟର ଖେଳ। ହେ ପ୍ରଭୁ, ୟାକୁଇ ନେଇ ଗଣତନ୍ତ୍ର! ନା, ଏ ଗଣତନ୍ତ୍ର ଆଉ ଭାରତରେ ଚଳିବ ନାହିଁ।

ଜଣେ ଭାରତୀୟ ନାଗରିକ ଭାବରେ ମୋ ପାଇଁ ପରମ ସୌଭାଗ୍ୟର ଉପଲବ୍‌ଧି ଏହି ଯେ ବର୍ତ୍ତମାନର ଭାରତୀୟ ରାଜନୀତି ପ୍ରଥମ ଥର ପାଇଁ ଏକ ନ୍ୟୂନତମ ଜୀବନ (ବେଆର‌୍‌ ଲାଇଫ୍‌)ରେ ଭାରତୀୟତାର ମହାଜୀବନ ପାଇଚି। ଏ ମହାଜୀବନ ଭାରତୀୟଙ୍କ ସଭ୍ୟତା, ସ˚ସ୍କୃତି, ସାହିତ୍ୟ, ଇତିହାସ, ଅସ୍ମିତା ଓ ଆତ୍ମ ପରିଚୟରେ ସମୃଦ୍ଧ ଏକ ଶବ୍ଦ। ରାଜନେତା ଭାରତୀୟ ନାଗରିକଙ୍କୁ ଭାରତୀୟତାର ସମୃଦ୍ଧ ପୃଷ୍ଠଭୂମିରେ ଏବେ ସମ୍ବୋଧିତ କରିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ରାଜନୈତିକ ଦଳ, ଭାରତକୁ ଭାରତୀୟତା ଫେରାଇ ଆଣିବାକୁ ଭଗୀରଥ କର୍ମା ଭାବରେ ସ୍ମରଣୀୟ ହୋଇ ରହିବେ। ଭାରତୀୟତାରେ ଯେଉଁମାନେ ସନ୍ଦେହ କରିବେ, ସେମାନେ ଭାରତୀୟ ଜ୍ଞାନ ପର˚ପରାକୁ ପ୍ରଥମେ ଅଧୢୟନ କରି ଦେଖନ୍ତୁ। ରାଜନେତା ଜଣେ ଜ୍ଞାନୀ ବ୍ୟକ୍ତି ହେବାକୁ ବାଧୢ। ଆପଣ ଦେଖିବେ ଭବିଷ୍ୟତ୍‌ର ରାଜନୀତିରେ ନିଜ ରାଜ୍ୟ, ଦେଶ ଓ ବିଶ୍ବକୁ ନ ଜାଣୁଥିବା ଅଳ୍ପ ପାଠୁଆ ଲୋକଙ୍କ ପାଇଁ ସୁଯୋଗ କମି କମି ଯିବ କ୍ରମଶଃ। ଭାରତୀୟମାନେ ଭାରତୀୟତାର ରାଜନୀତି କରିବେ। ବିଚାରଧାରାର ରାଜନୈତିକ ଯୁଗ ସମାପ୍ତ ହୋଇଯାଇଚି ଏଇ ଅର୍ଥରେ ଯେ ପାଶ୍ଚାତ୍ୟ ବିଚାରଧାରାର ଆଧାରରେ, ତାଙ୍କରି ଭାଷାରେ ଆମକୁ ଆ˚ଶିକ ଜ୍ଞାନ ଦେଇ ରାଜନୈତିକ ବିଚାରଧାରା ସୃଷ୍ଟି କରିବା ଆଉ ସମ୍ଭବ ନୁହେଁ। ଭାରତୀୟତା, ବିଶ୍ବର ଜ୍ଞାନ ବ୍ୟବସ୍ଥାକୁ ପରୀକ୍ଷା କରି ଦେଖିବ ତାହା ଭାରତ ପାଇଁ ଉପଯୁକ୍ତ କି ନୁହେଁ। ଯଦି ଉପଯୁକ୍ତ ତେବେ ତା’ର ଭାରତୀୟ ପ୍ରୟୋଗଧାରା ମଧୢ ଆମେ ହିଁ ସ୍ଥିର କରିବା। ଏ ପ୍ରକ୍ରିୟା ଭାରତୀୟ ଇତିହାସର ପୁନର୍ଲିଖନ ପରିଯୋଜନାରୁ ଆରମ୍ଭ ହୋଇଚି। ଇଏ ଶୀଘ୍ର ପୂର୍ଣ୍ଣ ହେଉ। ଭାରତୀୟମାନେ ଭାରତୀୟଙ୍କ ପାଇଁ ଗର୍ବ କରନ୍ତୁ! ‘ଅଡ଼ିଶୀ’କୁ ‘ମହାଭାରତ’ ସହିତ ତୁଳନା କରିବାର ଆସ୍ପର୍ଦ୍ଧା ଏବ˚ ଘୋର ମୂର୍ଖତାକୁ ପ୍ରଶ୍ରୟ ଦିଆନଯାଉ!

ଗତ ଅପ୍ରେଲ୍‌ ୨ ତାରିଖ ଦିନ କଟକର ଶାରଳା ଭବନରେ ଶାରଳା ସାହିତ୍ୟ ସ˚ସଦ ଆୟୋଜିତ କରିଥିଲେ ଏକ ଭବ୍ୟ ସମାରୋହ ମାଟିର ମହାକବି ଆଦିକବି ସାରଳା ଦାସଙ୍କ ଜନ୍ମତିଥିରେ। ଏ ଭଳି ନକ୍ଷତ୍ର ଦୀପ୍ତ ମ˚ଚ ଆଗରୁ କେବେ ଦିଶିନଥିଲା ଓଡ଼ିଶାରେ। ମ˚ଚରେ ଥିଲେ ଭାରତର ଉପରାଷ୍ଟ୍ରପତି ମହାମହିମ ଶ୍ରୀ ଭେଙ୍କିୟା ନାଇଡୁ, ଓଡ଼ିଶାର ରାଜ୍ୟପାଳ ମହାମହିମ ପ୍ରଫେସର‌୍‌ ଗଣେଶୀଲାଲ, ଆନ୍ଧ୍ରର ରାଜ୍ୟପାଳ ମହାମହିମ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଁ ଶୁଣିବାକୁ ଚାହୁଁଥିଲି ମୋଦୀଙ୍କ ଭାରତୀୟତାର ରାଜନୀତି ସର୍ବୋଚ୍ଚ ସ୍ତରରେ କିଭଳି ପରିଶୀଳିତ ହୋଇ ଲୋକ ସମ୍ବୋଧନରେ ପରିଣତ ହୋଇଚି। ସ୍ବଳ୍ପ ସମୟ ଭିତରେ ଭାରତର ମହିମାବନ୍ତ ରାଜପୁରୁଷମାନେ ଯାହା କହିଲେ ତାହା ମୋତେ ବିହ୍ବଳ କରିଦେଲା। ଚାରିଟି ଅଭିଭାଷଣରେ ଥିଲା ସାରଳା ଦାସଙ୍କ ରଚନାର ବୈଶିଷ୍ଟ୍ୟ ସହିତ ଓଡ଼ିଆ ଅସ୍ମିତାର ଆବାହନ। କି ସ˚ଭ୍ରମ, ଶାଳୀନତା ଓ ବିଦ୍‌ବତ୍ତାର ସହିତ ଏ ରାଜନେତା ଓ ମହାମହିମଗଣ ସାଧାରଣ ଓଡ଼ିଆଙ୍କ ପ୍ରାଣତନ୍ତ୍ରୀ ସ୍ପର୍ଶ କଲେ! ମୁଁ ଦେଖିଚି ଅଶାଳୀନ, ଉଦ୍‌ବାର୍ଯ୍ୟ ଓ ଅଜ୍ଞାନୀ ନେତାଙ୍କୁ ଅନେକ ମ˚ଚରେ। କିନ୍ତୁ ଏମାନଙ୍କର ସ୍ବର କେତେ ଭିନ୍ନ! ଏଇ କ’ଣ ନୂଆ ଭାରତୀୟତାର ରାଜନୀତିର ଭାଷା! ହୁଏ’ତ ଏ ଉତ୍ସବ ଥିଲା ଏକ ନବାରମ୍ଭ! ଦୁଇଟି ଅଭିଭାଷଣର ମୁଖ୍ୟ ବକ୍ତବ୍ୟ ଆଲୋଚନା କରିବାର ଲୋଭ ସମ୍ବରଣ କରିପାରୁନାହିଁ।

ଓଡ଼ିଶାର ରାଜ୍ୟପାଳ ମହାମହିମ ଶ୍ରୀ ଗଣେଶୀଲାଲଙ୍କ ଭାଷଣ ମୋତେ ସ୍ତବ୍‌ଧ କରିଦେଲା। କହିଲେ ଯେ ସିଦ୍ଧେଶ୍ବର ପରିଡ଼ା (ସାରଳା ଦାସ)ଙ୍କ ଭିତରେ ଶବ୍ଦ ସନ୍ଧାନର ଯେଉଁ ଆକୁତି ଅଭିବ୍ୟକ୍ତି ପାଇ ମହାଭାରତରେ ପ୍ରବାହିତ ହେଲା ତାହା ଶବ୍ଦ ନଥିଲା, ତାହା ଥିଲା ପ୍ରାର୍ଥନା। ଶବ୍ଦକୁ ପ୍ରାର୍ଥନାରେ ପରିଣତ କରିଥିବା କବି ଓଡ଼ିଆ ଭାଷାର ଆଦିକବି ସାରଳା ଦାସ, ଅନ୍ତର୍ଲୋକର ସାଧକ ସିଦ୍ଧେଶ୍ବର ପରିଡ଼ା।
ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଅଭିଭାଷଣରେ ଓଡ଼ିଆ ଅସ୍ମିତା ସହିତ ଭାରତର ସ୍ବାଧୀନତାର ଏକ ଏଭଳି ସ˚ଯୋଗ ସ୍ଥାପନ କଲେ ଯାହା ଥିଲା ଆମ ପାଇଁ ଗୌରବର ବିଷୟ। କହିଲେ ଯେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ଶହେ ବର୍ଷ ପୂରିବ ୨୦୩୬ରେ ଓ ଭାରତୀୟ ସ୍ବାଧୀନତାର ଶହେ ବର୍ଷ ପୂରିବ ୨୦୪୭ରେ। ଭାରତୀୟ ସ୍ବାଧୀନତା ତା’ର ଅମୃତ ବର୍ଷ ପାଳନ କଲା ବେଳେ ଓଡ଼ିଆମାନେ ବି ପାଳିବେ ତାଙ୍କ ସ୍ବତନ୍ତ୍ର ପ୍ରଦେଶର ଅମୃତ ବର୍ଷ। ଓଡ଼ିଆଙ୍କ ଇତିହାସ ଭାରତୀୟ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧୢାୟ, ଯାହା ଚିର ଅସମାପ୍ୟ!

ହୃଦୟ ପୂର୍ଣ୍ଣ ହୋଇଗଲା। ଭାରତୀୟ ରାଜନୀତି ବଦଳି ଚାଲିଚି ଏହି ଭଳି। କଥା ସ˚ସ୍କୃତିକୁ ଫେରୁଚି, ସଭ୍ୟତାକୁ ଓ ସାହିତ୍ୟକୁ ଫେରୁଚି। ଜର୍ଜିଓ ଆଗାମ୍ବେନ, ଜଣେ ଇତାଲୀୟ ତତ୍ତ୍ବବିଦ୍‌ ଓ ନୂଆପିଢ଼ିର ଦାର୍ଶନିକ ଫୁକୋଙ୍କ ଦେହୀ-ରାଜନୀତିର ଠିକ୍‌ ବିପରୀତରେ ଠିଆ କରେଇଚନ୍ତି ‘ଥାନାଟୋ ପଲିଟିକ୍‌ସ’ (ଦେହାନ୍ତିକ ରାଜନୀତି)। ଅର୍ଥାତ୍‌ ନାଗରିକକୁ କେବଳ ଗୋଟିଏ ଜାନ୍ତବ ଆବଶ୍ୟକତା ପୂର୍ଣ୍ଣ ପାଇଁ ବିକଳ ମଣିଷ ଭାବିବା ସହିତ ରାଜନୀତିରୁ ମଣିଷତ୍ବ ଅନ୍ତର୍ହିତ ହୋଇଯିବ ଓ ସେଇ ମୁହୂର୍ତ୍ତରେ ‘ଦେହର ଅନ୍ତ’ରୁ ଆରମ୍ଭ ହେବ ଏକ ଉଗ୍ର, ସକାରାତ୍ମକ, ସା˚ସ୍କୃତିକ ରାଜନୀତି; ଯାହା ମଣିଷକୁ ତା’ର ପ୍ରାକୃତିକ ଅଧିକାର ଓ ଅସ୍ମିତାବୋଧ ସହିତ ଗଣତନ୍ତ୍ର ନିର୍ମାଣର ଅଧିକାର ଦେବ।

ଫୁକୋ ଓ ଆଗାମ୍ବେନଙ୍କ ତତ୍ତ୍ବକୁ ଏ ପ୍ରବନ୍ଧରେ ମୁଁ ରେଖାଙ୍କିତ କରୁଚି ଏଇଆ କହିବା ପାଇଁ ଯେ ଆମେ ଭାରତୀୟମାନେ ଠିକ୍‌ ବୁଝିଚୁ ଆମର ଗଣତନ୍ତ୍ର ଓ ରାଜନୀତି କାହିଁକି ଏଯାଏଁ ଶାନ୍ତ ସୁଧାର ମଣିଷଙ୍କୁ ବ୍ୟବହାର କରିଚନ୍ତି। ଆମେ ଏତିକି ବି ଜାଣିଚୁ ଯେ ଆମର ରାଜନୈତିକ ଶୂନ୍ୟୀକରଣ ସହିତ ଆରମ୍ଭ ହେବ ଗଣତନ୍ତ୍ର ଓ ରାଜନୀତିର ଏ ନୂଆ ଅଧୢାୟ। ସେ ଅଧୢାୟ ଆରମ୍ଭ ହୋଇଯାଇଚି। ଏଣିକି ରାଜନୀତିର ଭାଷା ବଦଳିବ ଓ ତା’ ସହିତ ଗଣତନ୍ତ୍ରର ପ୍ରୟୋଗରେ ଭାରତୀୟତାର ଆଧାରଭୂତ ସ˚ରଚନା ପୁନଃ ସୃଜିତ ହେବ। କ୍ଷୁଦ୍ରତମ ମଣିଷର ନ୍ୟୂନତମ ଆବଶ୍ୟକତା ନୁହେଁ କ୍ଷୁଦ୍ରତମ ମଣିଷର ଉଚ୍ଚତମ ଆଦର୍ଶର ଭାଷା ହେବ ଗଣତନ୍ତ୍ରରେ ରାଜନୀତି।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର