ଏହାକୁ ଆପଣ ଲେଖକର ବିଡ଼ମ୍ବନା କହି ପାରନ୍ତି। ଲେଖକ ନିଜର ମନର ଭାବନାକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ସର୍ଜନା କରେ। ପାଠକୀୟ ଆଦୃତି, ସମ୍ମାନ ମିଳିଗଲେ, ସେ ଅଧିକ ଉତ୍ସାହିତ ହୁଏ। ମାତ୍ର ଆପଣଙ୍କର କୃତି ବେଳେ ବେଳେ ଆପଣଙ୍କୁ ସମସ୍ୟାରେ ମଧ୍ୟ ପକାଇପାରେ- ଏ ଅନୁଭୂତି ମଧ୍ୟ ଅନେକଙ୍କର ଥିବ। ଏହାକୁ ଆପଣ ଲେଖକୀୟ ବିଡ଼ମ୍ବନା ମଧ୍ୟ କହି ପାରନ୍ତି।
ଏହି ଲେଖକର ଏକ ରଚନା ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ସ୍ୱାଭାବିକ ଭାବରେ ଅନେକ ପାଠକ ବନ୍ଧୁ ସେମାନଙ୍କର ମତାମତ ଫୋନ୍ କିମ୍ବା ଇ-ମେଲ୍ ଯୋଗେ ଦେବା ମଝିରେ ଗୋଟିଏ ଫୋନ୍ କଲ୍ ଥିଲା ଏକ ବ୍ୟତିକ୍ରମ। ଫୋନ୍ ଆରପଟେ ଯେଉଁ ବ୍ୟକ୍ତି ଥିଲେ, ସେ ଭୀଷଣ ବ୍ୟସ୍ତ ଓ ବିବ୍ରତ ଜଣାପଡୁଥିଲେ। ପ୍ରଥମେ ମୋର ସେହି ଦିନର ସ୍ତମ୍ଭ ଉପରେ ତାଙ୍କର ମତାମତ ଚଟାପଟ ଦେଇଦେବା ପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗକୁ ଚାଲିଗଲେ। ପ୍ରସଙ୍ଗଟି ଥିଲା ଏହି ଭଳି। ସେ କଟକର ଏକ ବଡ଼ ଡାକ୍ତରଖାନା ଆଗରେ ଠିଆ ହୋଇ ଫୋନ୍ କରୁଛନ୍ତି। ମୋତେ ଯୋଗାଯୋଗ କରିବା ପାଇଁ ଓଡ଼ିଶାର ଜଣେ ସ୍ବନାମଧନ୍ୟ ସାହିତ୍ୟିକ ତାଙ୍କୁ ପରାମର୍ଶ ଦେଇଛନ୍ତି। କାରଣ, ତାଙ୍କର ପୁଅ କ୍ୟାନ୍ସର ରୋଗରେ ପୀଡ଼ିତ ଓ ଆଜି, ଏହି ମୁହୂର୍ତ୍ତରେ ତାକୁ ରକ୍ତ ଦିଆ ଚାଲିଛି। ଚିକିତ୍ସା ପାଇଁ ତତ୍କ୍ଷଣାତ୍ ତାଙ୍କର ଲକ୍ଷାଧିକ ଟଙ୍କା ଆବଶ୍ୟକ।
କିଛି କ୍ଷଣ ମଧ୍ୟରେ ନିଜକୁ ପ୍ରକୃତିସ୍ଥ କରିବା ପରେ ତାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ମନ ସ୍ଥିର କରିନେଲି। ପୁଲିସ ବିଭାଗରେ କାର୍ଯ୍ୟରତ ଥିବା ହେତୁ କଟକର ଜଣେ ପୁଲିସ ଅଧିକାରୀଙ୍କୁ ସେହି ଡାକ୍ତରଖାନାକୁ ଯାଇ କ୍ୟାନ୍ସର ୱାର୍ଡରେ ଥିବା ସେହି ପୀଡ଼ିତ କିମ୍ବା ମୋତେ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ସାକ୍ଷାତ କରିବା ପାଇଁ ଅନୁରୋଧ କଲି। ଅଳ୍ପ ସମୟର ବ୍ୟବଧାନ ପରେ ସେହି ଅଜ୍ଞାତ ବ୍ୟକ୍ତିଙ୍କର ଫୋନ୍ ପୁନର୍ବାର ଆସନ୍ତେ ମୁଁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୁଲିସ ଅଧିକାରୀଙ୍କ ପାଇଁ ଅପେକ୍ଷା କରିବା ଲାଗି ପରାମର୍ଶ ଦେଲି। ମାତ୍ର, ପୁଲିସ ବାବୁଙ୍କ ପ୍ରସଙ୍ଗ ଆସିବା ମାତ୍ରକେ ସେହି ଫୋନ୍ ଲାଇନ ଯେ କେବଳ କଟିଗଲା, ତାହା ନୁହଁ, ବରଂ ସଂଗେ ସଂଗେ ତାହା ସୁଇଚ୍ ଅଫ୍ ହୋଇଗଲା।
ସେମିତି ଅନ୍ୟ ଏକ ରଚନା ଏହି ସମ୍ବାଦପତ୍ରରେ ପ୍ରକାଶିତ ହେବା ପରେ ଏକ ଫୋନ୍ ଯୋଗେ ସାଧୁବାଦ, ବଧେଇ ପାଇବା ପରେ ଜାଣିଲି ଯେ ଫୋନ୍ କରିଥିବା ବ୍ୟକ୍ତି ନିଜ ଉଦ୍ୟମରେ ଏକ ପାଠାଗାର ଗଢ଼ିଛନ୍ତି; ଯେଉଁଠି ଅଳ୍ପ ଦିନ ମଧ୍ୟରେ ସାତରୁ ଆଠ ହଜାର ବହି ସଂଗ୍ରହ କରି ପାରିଛନ୍ତି। ବହି, ପତ୍ରପତ୍ରିକା ଦାନ କରିଥିବା ବଦାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଆଗ ଧାଡ଼ିର ସାହିତ୍ୟିକ, ବୁଦ୍ଧିଜୀବୀ ଓ ପୁସ୍ତକ ପ୍ରକାଶକ। ସେ ସହଯୋଗ ଲୋଡୁଥିଲେ। ସୁତରାଂ, ଏହି ଲେଖକ ତା’ର ପ୍ରକାଶିତ ଅନୁବାଦ ଗଳ୍ପ ସଂକଳନ ଓ ଅନ୍ୟ କେତେକ ବହି ଦେବା ପାଇଁ ପ୍ରତିଶ୍ରୁତି ଦେଲା। ପୁସ୍ତକତକ ପାଇବା ଲାଗି ସେ ଭାରି ବ୍ୟାକୁଳ ଭଳି ଜଣା ପଡ଼ୁଥିଲେ। ଶେଷରେ, ଗୋଟିଏ ରବିବାର ଦିନ ବହି ହସ୍ତାନ୍ତର କରିବା ସ୍ଥିର ହେଲା। ସେହି ପାଠାଗାର ଉଦ୍ୟୋକ୍ତା ଆସିଲେ। ପୁସ୍ତକ ହସ୍ତାନ୍ତର ପରେ ସୌଜନ୍ୟମୂଳକ ଧନ୍ୟବାଦ ଆଦାନପ୍ରଦାନ ପର୍ବ ଶେଷ ହେବା ବାଦେ ଘଟଣାଟି ଏକ ଅପ୍ରତ୍ୟାଶିତ ମୋଡ଼ ନେଲା। ଆଗନ୍ତୁକ ନିଜ ବ୍ୟାଗ୍ରୁ ଏକ କାଚ ବୋତଲ ବାହାର କରି ସେଥିରେ ଥିବା ବଜାର ଦର ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ‘ଅର୍ଗାନିକ ଗାଈ ଘିଅ’ ସମ୍ବନ୍ଧରେ ଏକ ଦୀର୍ଘ ଭାଷଣ ଦେବାକୁ ଆରମ୍ଭ କରିଦେଲେ। ଏହି ଲେଖକକୁ ପ୍ରଭାବିତ କରିବା ପାଇଁ ଘିଅର ବ୍ୟବହାରକାରୀଙ୍କ ଏକ ଲମ୍ବା ତାଲିକା ମଧ୍ୟ ଦେଲେ, ଯହିଁରେ ଥିଲେ ଭୁବନେଶ୍ୱରର ଅନେକ ପ୍ରଶାସକ, ଲେଖକ ଓ ଚିକିତ୍ସକ। ସୁତରାଂ, ଗୋ ଘୃତ ବ୍ୟବସାୟ ଯେ ଥିଲା ମୂଳ ଉଦ୍ଦେଶ୍ୟ ଏବଂ ପାଠାଗାର ଆନ୍ଦୋଳନ ଥିଲା ଗୌଣ; ଏହା ବିଳମ୍ବରେ ହେଲେ ମଧ୍ୟ ହୃଦ୍ବୋଧ ହେଲା।
ଏଭଳି ଅଭିଜ୍ଞତା ଅନେକ ଲେଖକଙ୍କର ଥାଇପାରେ। ଗଭୀର ଅନୁଧ୍ୟାନ ପରେ ଜଣେ ମନସ୍ତତ୍ତ୍ବବିତ ଭାବରେ ଏହି ଲେଖକ ଏଇ ନିଷ୍କର୍ଷରେ ପହଞ୍ଚି ପାରିଛି ଯେ ପ୍ରସିଦ୍ଧ ଲେଖକ ଡେଲ କାର୍ନେଗିଙ୍କ ଦ୍ୱାରା ଲିଖିତ ଓ ୧୯୩୬ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶିତ ‘How to win friends and influence people’(କେମିତି ବନ୍ଧୁଙ୍କୁ ଜିଣିବ ଓ ଲୋକଙ୍କୁ ପ୍ରଭାବିତ କରିବ) ପୁସ୍ତକର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ଅନ୍ୟମାନଙ୍କୁ ପ୍ରଭାବିତ କରି ନିଜର ବନ୍ଧୁ କରିବାର କଳା କୌଶଳ ସମ୍ବନ୍ଧରେ ବିସ୍ତାରିତ ଆଲୋଚନା ହୋଇଛି ଏହି କାଳଜୟୀ ପୁସ୍ତକରେ। ଅନେକ ଗୁଡ଼ିଏ ପରାମର୍ଶ ମଧ୍ୟରୁ ଗୋଟିଏ ହେଉଛି ମନ ଭିତରେ ଥିବା ମୂଳ ବିଷୟକୁ ସିଧା ସଳଖ ଆସନ୍ତୁ ନାହିଁ। ପ୍ରଥମେ ଅନ୍ୟ ବ୍ୟକ୍ତିର ରୁଚି ଅନୁଯାୟୀ ଆଲୋଚନା ଆରମ୍ଭ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ନିଜ ରୁଚିର ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବା ସ୍ୱାଭାବିକ। ଏହିଭଳି ଭାବରେ ବନ୍ଧୁତ୍ୱ ଯୋଡ଼ି ବିଶ୍ୱାସ ଜନ୍ମାଇବା ପରେ ହିଁ ଅସଲ ପ୍ରସଙ୍ଗକୁ ଆସନ୍ତୁ।
ଉପରୋକ୍ତ ଦୁଇଟି ଘଟଣାରେ ଯାହା ଲକ୍ଷ୍ୟ କରିବାର ଥିଲା, ତାହା ହେଉଛି ଦୁଇ ବ୍ୟକ୍ତି ଏହି ଲେଖକର ରଚନାର ଭୂୟସୀ ପ୍ରଶଂସା କରିବା ପରେ ପ୍ରଚ୍ଛନ୍ନ ଅଥଚ ପ୍ରକୃତ ପ୍ରସଙ୍ଗକୁ ଆସିଥିଲେ। ପାଠକୀୟ ପ୍ରଶଂସା, ଆଦୃତି କାହାକୁ ବା ଭଲ ନ ଲାଗେ? ତେଣୁ ପ୍ରଶଂସାର ମିଠା ମିଠା କଥାରେ ଲେଖକ ହଜିଯିବା ସ୍ୱାଭାବିକ। ପ୍ରତି କଥାର ପଛରେ ଆଉ କିଛି କଥା ଲୁଚି ରହିଛି; ଏଭଳି ଭାବନା ଆସିବ ବା କାହିଁକି? ଉପରୋକ୍ତ ବର୍ଗର ବ୍ୟକ୍ତିମାନେ ମଣିଷର ଏହି ଦୁର୍ବଳତା ବିଷୟରେ ଭଲ ଭାବରେ ଜାଣନ୍ତି। ସିଧା ସଳଖ ପ୍ରକୃତ ପ୍ରସଙ୍ଗକୁ ଆସିଲେ କାର୍ଯ୍ୟ ସିଦ୍ଧି ହୁଏ’ତ ହୋଇ ନ ପାରେ। ତେଣୁ ଲେଖକକୁ ପ୍ରଶଂସା କରାଯିବ। ବଡ଼ ଲେଖକମାନଙ୍କ ସହିତ ତୁଳନା କରାଯିବ। ହୁଏ’ତ ମନଗଢ଼ା ପୁରସ୍କାରର ପ୍ରତିଶ୍ରୁତି ମଧ୍ୟ ଦିଆଯାଇପାରେ। ତା’ପରେ ଲେଖକ ସହିତ ଅନ୍ତରଙ୍ଗତା ଓ ତା’ପରେ ମୂଳ ଲକ୍ଷ୍ୟ ହାସଲ କରାଯାଇପାରିବ।
ଡେଲ କାର୍ନେଗି ମଣିଷର ମନକୁ ଠିକ ଭାବରେ ଅନୁଶୀଳନ କରିଥିଲେ। ବନ୍ଧୁ କରିବାର କଳା, ଅନ୍ୟ ବ୍ୟକ୍ତିକୁ ପ୍ରଭାବିତ କରିବାର କୌଶଳ ବିଷୟରେ ସେ ଯାହା ଲେଖିଥିଲେ, ସବୁ ଆଜି ମଧ୍ୟ ଅପରିବର୍ତ୍ତିତ ରହିଛି। ତେବେ, କେବଳ ଲେଖକ ନୁହନ୍ତି, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ନିୟମ ଚାଲିପାରେ। ପରିବାରରେ ହେଉ କିମ୍ବା କାର୍ଯ୍ୟାଳୟରେ ସର୍ବତ୍ର ଏହା ଚଳେ। ବାପା, ମା’ ବା ଶାଶୂ, ଶ୍ୱଶୁରଙ୍କର ମନ କିଣିବା ପରେ ତ ପିଲାମାନେ ପୈତୃକ ସମ୍ପତ୍ତି ବିକ୍ରି କରିବାର ପ୍ରସଙ୍ଗ ଉଠାନ୍ତି। “ହନି ଟ୍ରାପ୍’’ ମାମଲା ପଛରେ ମଧ୍ୟ ଏହି ତତ୍ତ୍ୱ ହିଁ କାମ କରେ।
କିନ୍ତୁ ଲେଖକ ନା ଲେଖିବା ଛାଡ଼ିପାରେ ନା ଲେଖକୀୟ ବିଡ଼ମ୍ବନାକୁ ଏଡ଼େଇପାରେ।
ମୋ-୯୪୩୮୧ ୪୯୭୬୧
[email protected]