ରହସ୍ୟ ରୋମାଞ୍ଚ ଭରା ଏକ ମ୍ୟୁଜିଅମ୍

ଜାକିର ଖାନ୍

କଳ୍ପନା କରନ୍ତୁ। ଆପଣ ଟିକେଟ୍‌ କାଟି ଏକ ମ୍ୟୁଜିଅମ୍‌ରେ ପ୍ରବେଶ କରୁଛନ୍ତି। ଆଉ ଏଇଠାରୁ ଆରମ୍ଭ ହେଉଛି ଆପଣଙ୍କର ରହସ୍ୟ ଦୁନିଆଁରେ ଏକ ରୋମାଞ୍ଚକର ଯାତ୍ରା। ଅନ୍ଧାର ସୁଡ଼ଙ୍ଗ ଦେଇ ଆପଣ ପଶୁଛନ୍ତି ଭିତରକୁ। ଆପଣ ଅନୁଭବ କରୁଛନ୍ତି ଏକ ଅଜବ ଶିହରଣ। ଆପଣଙ୍କୁ ଲାଗୁଛି ସତେ ଯେମିତି କେହି ପଛେପଛେ ଅନୁସରଣ କରୁଛି। ଆପଣ ଅଟକି ଯାଇ ହଠାତ୍‌ ପଛକୁ ବୁଲି ଚାହୁଁଛନ୍ତି। ନା, କେହି କେଉଁଠି ନାହାନ୍ତି। ଆପଣଙ୍କ ପାଦ ଶବ୍ଦର ପ୍ରତିଧ୍ବନି ହିଁ ଆପଣଙ୍କୁ ଭ୍ରମରେ ପକାଉଛି। ଆପଣ ପ୍ରକୃତିସ୍ଥ ହେଉଛନ୍ତି। ମ୍ୟୁଜିଅମ୍‌ରେ କରାଯାଇଥିବା ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ପାଇଁ ଆପଣଙ୍କର ଏ ଅନୁଭବ। ଆପଣ ସ୍ମିତ ହସି ଆଗେଇ ଯାଉଛନ୍ତି। ଏକ ଛୋଟ ନାଁ ଲେଖା ପଟା ଉପରେ ଆପଣଙ୍କ ନଜର ପଡୁଛି। ଲେଖାହୋଇଛି- ‘ଗୋଇନ୍ଦା ଗଦାଧର। ବ୍ରହ୍ମପୁର ଢାଞ୍ଚାର ଏକ ଘର। ସଂକୀର୍ଣ୍ଣ ଶିଢ଼ି ଚଢି ଆପଣ ଉପର ମହଲାରେ ପହଞ୍ଚିଛନ୍ତି। ଘର ଭିତରେ ଆପଣ ଦେଖୁଛନ୍ତି ଅଣୁବୀକ୍ଷଣ ଯନ୍ତ୍ର, ଦୂରବୀକ୍ଷଣ ଯନ୍ତ୍ର, ଫଟ ନିଆ ଯନ୍ତ୍ର, ଗୋଟିଏ ଟେବୁଲ ଉପରେ ଧାଡ଼ି ବନ୍ଧା କେତେଗୁଡ଼ିଏ ବୋତଲ ଓ ସରୁ କାଚ ନଳୀ, ଗୋଟିଏ ଷ୍ଟୋଭ ଇତ୍ୟାଦି କେତେ ଯେ କଥା। ଘରର ଗୋଟାଏ କୋଣରେ ଗୋଟାଏ ଚୌକି ଓ ଟେବୁଲ। ଆପଣ ଏବେ ଚତୁର୍ଥ ଦଶକର ଗୋଇନ୍ଦା ଗଦାଧରଙ୍କ ଘର ଭିତରେ। ଆପଣ ସଙ୍ଗେ ସଙ୍ଗେ ଚତୁର୍ଥ ଦଶକର ଏକ ଓଡ଼ିଆ ଗୋଇନ୍ଦାଙ୍କୁ କଳ୍ପନା କରି ବସୁଛନ୍ତି। ସେ ସମୟର ଓଡ଼ିଶା ଏବେ ଆପଣଙ୍କ ଆଖି ସମ୍ମୁଖରେ ଭାସିଉଠୁଛି। ଆପଣ ଗୋଟିଏ ବହିର ପୃଷ୍ଠା ଓଲଟାଇଛନ୍ତି। ଗୁଇନ୍ଦା ଗଦାଧର; ଗୋବିନ୍ଦ ତ୍ରିପାଠୀ, ୧୯୪୯। ଢାଏଁ… ଢାଏଁ…ଢାଏଁ…। ଆପଣ ଗୁଳି ଫୁଟିବାର ଶବ୍ଦରେ ପ୍ରକୃତିସ୍ଥ ହେଉଛନ୍ତି। ଆପଣଙ୍କ ସମୟ ଏଠାରେ ସରିଛି ବୋଲି ଆପଣ ବୁଝିନେଇ ଆଗକୁ ବଢୁଛନ୍ତି।

ଏହା ପରେ ଆପଣ ବିଶିଷ୍ଟ ଲେଖକ ଯମେଶ୍ବର ମିଶ୍ରଙ୍କ କୃତ ବ୍ୟାଙ୍କ ମ୍ୟାନେଜର, ‌େଷ୍ଟ୍ରଞ୍ଜ ଫଟୋଗ୍ରାଫର, ଭୌତିକ ରଙ୍ଗମଞ୍ଚ ଇତ୍ୟାଦିର ପ୍ରସିଦ୍ଧ ଓଡ଼ିଆ ଡିଟେକଟିଭ୍ ବିପିନ ବାବୁଙ୍କୁ ଭେଟୁଛନ୍ତି। ପରେ ପରେ ଏହି କ୍ରମରେ ଗୋଟିଏ ଗୁମ୍ଫା ସାମନାରେ ଘୋଡ଼ା ପିଠିରେ ସବାର ମୀରାଙ୍କୁ ଭେଟୁଛନ୍ତି। ହେଲିକପ୍‌ଟରରେ ଉଡ଼ିବାକୁ ପ୍ରସ୍ତୁତ ଥିବା ରଞ୍ଜନଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଆପଣ ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ଏପରି କି ନବମ ଦଶକର ଓଡ଼ିଆ ଡିଟେକଟିଭ୍‌ ଚରିତ୍ରମାନଙ୍କୁ ଭେଟିବାର ସୁଯୋଗ ପାଉଛନ୍ତି।

ସେମାନଙ୍କ ବ୍ୟବହୃତ ବସ୍ତୁ, ସେମାନଙ୍କ ପୋଷାକ ପରିପାଟୀ, କାଠ ବା ଲୁହାର ଟେବୁଲ ଚୌକିଠାରୁ ଆରମ୍ଭ କରି ଆସବାବପତ୍ର, ସେତେବେଳେ ବ୍ୟବହୃତ ହେଉଥିବା ଫୋନ୍‌ଠାରୁ ଆରମ୍ଭ କରି ଗ୍ରାମଫୋନ୍, ଫଟୋ, ବନ୍ଧୁକ, କାର୍‌, ପୁସ୍ତକ ଇତ୍ୟାଦିକୁ ଦେଖିବାର ସୁଯୋଗ ପାଉଛନ୍ତି ଆପଣ। ଏହା ସହ ସେ ସମୟରେ ଚଳାଚଳ କରୁଥିବା ରେଳ, ରେଳଷ୍ଟେସନର ଚିତ୍ର, ଫଟୋ ଇତ୍ୟାଦି ମଧ୍ୟ ଆପଣ ଦେଖିପାରୁଛନ୍ତି। ଆପଣ ସେଠାରେ ଓଡ଼ିଆ ଭାଷାରେ ପ୍ରକାଶିତ ପୁରୁଣା ରହସ୍ୟ ରୋମାଞ୍ଚ ଉପନ୍ୟାସଗୁଡ଼ିକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଉଛନ୍ତି। ନୂଆ ପୁସ୍ତକ କ୍ରୟ କରି ପାରୁଛନ୍ତି। ଗ୍ୟାଲେରିରେ ସେ ସମୟରେ ପୁସ୍ତକଗୁଡ଼ିକର କଭର୍ ପୃଷ୍ଠାରେ ପ୍ରକାଶିତ ଛବିଗୁଡ଼ିକ କିଭଳି ଥିଲା ତାହା ଦେଖୁଛନ୍ତି। ଏପରିକି ରହସ୍ୟ ଉପନ୍ୟାସ ସଂପର୍କରେ ଗବେଷଣା କରୁଥିବା କିଛି ଛାତ୍ରଛାତ୍ରୀଙ୍କୁ ଆପଣ ସେଠାରେ ଭେଟୁଛନ୍ତି। ସେମାନଙ୍କ ସହ ବୌଦ୍ଧିକ ସ୍ତରରେ ଆଲୋଚନା କରୁଛନ୍ତି। ସେଠାରେ ଥିବା ମିନି ଥିଏଟରରେ ବସି ଆପଣ ରହସ୍ୟ ରୋମାଞ୍ଚ ସାହିତ୍ୟ ସଂପର୍କିତ ଡକ୍ୟୁମେଣ୍ଟାରି, ଭିଡିଓ, ଆନିମେସନ୍ ଚିତ୍ର ମଧ୍ୟ ଦେଖିବାର ସୁଯୋଗ ପାଉଛନ୍ତି। ଏହା ସହ ଆପଣ କଣ୍ଡୁରି ଚରଣ ଦାସ, ଯମେଶ୍ବର ମିଶ୍ର, ଭୂପେନ ଗୋସ୍ବାମୀ, ବୀରକିଶୋର ରାୟ, ରହସ୍ୟ କୁମାର ବିଜୟ କୁମାର ରଣା, ଦ୍ବାରିକା ନାଥ ଦାଶ, ଆଶୁତୋଷ ରାୟ, ଚନ୍ଦ୍ରଶେଖର ମିଶ୍ର, ରମାକାନ୍ତ ମିଶ୍ର, ନାରାୟଣଚନ୍ଦ୍ର ଶତପଥୀ, ଗୋଲକ ବିହାରୀ ପଣ୍ଡା, ସବ୍ୟସାଚୀ ରାଉତରାୟ, ପ୍ରମୋଦ କିଶୋର ପଣ୍ଡା, ଜଗନ୍ନାଥ ରଥ, ବାସୁଦେବ ତ୍ରିପାଠୀ, ତରୁଣ ତପନ ମହାନ୍ତି (ଚତୁର ସେନ), ଚକ୍ରପାଣି ପରିଚ୍ଛା, ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି, ଗିରିଧାରୀ ମହାରଣା, ବିଜୟ କୁମାର ରାଉଳ, ସୁରେନ୍ଦ୍ର ଚୌଧୁରୀ ପ୍ରମୁଖ ସାହିତ୍ୟିକଗଣଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ଦେଖିବାକୁ ପାଉଛନ୍ତି। ମୋଟ ଉପରେ ତୃତୀୟ ଦଶକରୁ ଆରମ୍ଭ କରି ନବମ ଦଶକର ଓଡ଼ିଶାର ଚିତ୍ର ଓ ଚରିତ୍ର ବିଷୟରେ ଆପଣଙ୍କର ଗୋଟାଏ ଧାରଣା ଜାତ ହେଉଛି। ପ୍ରକାରାନ୍ତରେ ଆପଣ ଓଡ଼ିଶାର ଗତି, ପ୍ରଗତି, କ୍ରମ ବିକାଶ ଓ ଆଧୁନିକତାର ଯାତ୍ରା ସଂପର୍କରେ ଗୋଟାଏ ଅବଧାରଣା କରିପାରୁଛନ୍ତି। ଏହା କ’ଣ କମ ବଡ଼ ଉପଲବ୍‌ଧି, ଅନୁଭବ ଓ ଅନୁଭୂତି!

ରହସ୍ୟ ରୋମାଞ୍ଚ ସାହିତ୍ୟ ହିଁ ସବୁଠାରୁ ଅଧିକ ପାଠକ ସୃଷ୍ଟି କରିଛି। ତେଣୁ ଏହି ସାହିତ୍ୟର ଆଧାରରେ ଏକ ମ୍ୟୁଜିଅମ ପ୍ରତିଷ୍ଠା ହେବା ଆବଶ୍ୟକ। ଏହି ପରିକଳ୍ପିତ ମ୍ୟୁଜିଅମ ମନୋରଂଜନର ଖୋରାକ ଯୋଗାଇବା ସହ ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରଂପରା ଇତ୍ୟାଦି ସଂପର୍କରେ ଆମକୁ ଜ୍ଞାନ ଓ ତଥ୍ୟ ଯୋଗାଇ ଦେଇପାରିବ। ଏପରି କି ମାତ୍ର କେଇ ଘଣ୍ଟା ଭିତରେ ଅଣ-ଓଡ଼ିଆ ଏବଂ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶା ସଂପର୍କରେ ଅନେକ କିଛି ଜ୍ଞାନ ଆହରଣ କରିପାରିବେ ଏଠାରୁ।

ଏହା ସହ ବିଶେଷ କରି ଓଡ଼ିଶାର ଇଂରେଜୀ ମିଡିଅମ୍ ପିଲାଙ୍କୁ ତାଙ୍କ ନିଜ ଭାଷା ଓ ସଂସ୍କୃତି ସଂପର୍କରେ ଅନେକ କିଛି ଜଣାଇ ଦେବ ଏହି ପରିକଳ୍ପିତ ମ୍ୟୁଜିଅମ୍‌। ମନୋରଞ୍ଜନ ସହ ଓଡ଼ିଆ ସାହିତ୍ୟ, ସମାଜ, ସଂସ୍କୃତି, ପରିବର୍ତ୍ତନ, ବିକାଶ, ପ୍ରଗତି ଇତ୍ୟାଦି ସଂପର୍କରେ ଜ୍ଞାନ ଆହରଣର ଏହା ହେବ ଏକ ଗନ୍ତାଘର। ସରକାର ଏଭଳି ମ୍ୟୁଜିଅମ୍ ପ୍ରତିଷ୍ଠା ଦିଗରେ ଆଗେଇ ଆସିବେ କି?

ମୋ- ୭୮୯୪୫୦୩୫୪୮

ସମ୍ବନ୍ଧିତ ଖବର