୧୯୨୧ ମସିହାରେ ନିଜର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ମହାତ୍ମା ଗାନ୍ଧୀ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ; କିନ୍ତୁ ଚତୁର୍ଦ୍ଧାମୂର୍ତ୍ତି ବା ସପ୍ତଧା ମୂର୍ତ୍ତି ପରିବର୍ତ୍ତେ ରତ୍ନସିଂହାସନରେ ‘ନାରାୟଣ ଓ ଲକ୍ଷ୍ମୀ’ଙ୍କୁ ଦେଖିଲେ। ଏ ଦୃଷ୍ଟିରୁ, କେତେକ ପାଠକ ଓ ଲେଖକ ସଂଶୟ ପ୍ରକାଶ କରିଛନ୍ତି ଯେ ଗାନ୍ଧୀଜୀ ଆଦୌ ମନ୍ଦିର ଯାଇ ନଥିଲେ। କିନ୍ତୁ ଗୁଜୁରାଟ ଯାତ୍ରୀପଣ୍ଡାଙ୍କ ‘ଦସ୍କତୀ’ ନଥିର ବିବରଣୀ ଏବଂ ‘ନବଜୀବନ’ରେ ଗାନ୍ଧୀଜୀଙ୍କ ‘My Orissa Tour’ ଅନ୍ତର୍ଗତ ‘Jagannath’ ଲେଖା ସାବ୍ୟସ୍ତ କରୁଛି ଯେ ସେ ୧୯୨୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ଶ୍ରୀମନ୍ଦିର ଯାଇଥିଲେ ଏବଂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।
କିନ୍ତୁ ଶ୍ରୀମନ୍ଦିରରେ ସେ ଯେଉଁ ବିଶାଳ ବିଗ୍ରହଙ୍କୁ ଦେଖିଲେ, ସେହି ବିଗ୍ରହଙ୍କୁ କାହିଁକି ‘ନାରାୟଣ ଓ ଲକ୍ଷ୍ମୀ’ ବୋଲି କହିଲେ, ତାହା ଏକ ପ୍ରଶ୍ନବାଚୀ।
ସେହିପରି ମଧ୍ୟ ଏକ ପ୍ରଶ୍ନବାଚୀ ‘My Orissa Tour’ ଅନ୍ତର୍ଗତ ‘Foreign Apparel’ ବା ‘ବିଦେଶୀ ପରିଧାନ’ ପ୍ରସଙ୍ଗ। ଗାନ୍ଧୀଜୀ ତାଙ୍କ ‘ଜଗନ୍ନାଥ’ ଲେଖାରେ କହିଛନ୍ତି, “ମୂର୍ତ୍ତି ଥିବା ଗର୍ଭଗୃହ ମଧ୍ୟରେ ଘନ ଅନ୍ଧକାର ରାଜୁତି କରୁଥାଏ। ତା’ ଭିତରେ ପବନ ଓ ଆଲୁଅ ନଥାଏ। କେବଳ ଗୋଟିଏ ଦୁଇଟି ଦୀପ ଜଳୁଥାଏ।” ଏଣୁ ଏହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରେ, ଯେ ଗର୍ଭଗୃହର ସେହି ଆଲୋକହୀନ ଘନ ଅନ୍ଧକାର ମଧ୍ୟରେ, ଏବଂ କେବଳ ଗୋଟିଏ ଦୁଇଟି ଦୀପର କ୍ଷୀଣାଲୋକରେ, ବିଗ୍ରହମାନେ ପରିଧାନ କରିଥିବା ବସ୍ତ୍ର ଯେ ବିଦେଶୀ, ତାହା ସେ ଜାଣିଲେ କେମିତି?
ଏ ଦୁଇଟି ଯେ ଶତାବ୍ଦୀର ଦୁଇ ବଡ଼ ବିଭ୍ରାନ୍ତି, ସେ ସଂପର୍କରେ ଏହି ସ୍ତମ୍ଭର ପୂର୍ବ ଦୁଇଟି ଲେଖା (ମାର୍ଚ୍ଚ ୧୨ ଓ ମାର୍ଚ୍ଚ ୨୬)ରେ କୁହାଯାଇଛି। ସେଥିମଧ୍ୟରୁ, ‘ବିଦେଶୀ ପରିଧାନ’କୁ ନେଇ ଗାନ୍ଧୀଜୀଙ୍କ ବିଭ୍ରାନ୍ତିର କାରଣ ଅନୁଧ୍ୟାନ ବେଳେ, ଆମକୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲେଖା। ଲେଖାଟି ‘ସାପ୍ତାହିକ-ସମ୍ବାଦପତ୍ର’ ‘ସମାଜ’ରେ ଗୋପବନ୍ଧୁ ଦାସଙ୍କର ଏକ ସଂପାଦକୀୟ। ତାହାର ତାରିଖ ୧୮ ଜୁନ୍, ୧୯୨୧ ଏବଂ ତାହା ପରବର୍ତ୍ତୀ କାଳରେ ସଂକଳିତ ହୋଇଛି ‘ଗୋପବନ୍ଧୁ ରଚନାବଳୀ’ର ସପ୍ତମଖଣ୍ଡ ‘ଅର୍ଥନୈତିକ ବିଚାର ଓ ସମାଜ ସଂସ୍କାର’ରେ। ସଂପାଦକୀୟଟି ‘ସମାଜ’ର ପୃଷ୍ଠା-୨ରେ ପ୍ରଥମେ ପ୍ରକାଶ ପାଇବା ବେଳେ ତାହାର କୌଣସି ଶୀର୍ଷକ ନଥିଲା। ୧୯୭୬ରେ ରଚନାବଳୀରେ ସଂକଳିତ ହେବାବେଳେ, ତାହାର ଶୀର୍ଷକ ରଖାଯାଇଛି ‘ପ୍ରଭୁ ଜଗନ୍ନାଥଙ୍କୁ ଶୁଦ୍ଧବସ୍ତ୍ର ପିନ୍ଧାଅ’।
ଏହି ସଂପାଦକୀୟର ଆରମ୍ଭରେ ଗୋପବନ୍ଧୁ ଲେଖିଛନ୍ତି, “ପୁରୀ ଜଗନ୍ନାଥ ମନ୍ଦିରରେ ସବୁ ପୁରୁଣା କଥା ରହିଛି। ଲୋକେ ମନେକରନ୍ତି, ଇନ୍ଦ୍ରଦ୍ୟୁମ୍ନ ସୃଷ୍ଟି ବଦଳିବାର ନୁହେଁ। ସେ ଯାହାହେଉ, ଜଗନ୍ନାଥ ମନ୍ଦିରର କୌଣସି ବିଧିବିଧାନରେ କୌଣସି ପ୍ରକାର ପରିବର୍ତ୍ତନ ହେବା ସାଧାରଣ ହିନ୍ଦୁଙ୍କର ଇଚ୍ଛା ନୁହେଁ। କେତେବର୍ଷ ତଳେ ବିଜୁଳି ଆଲୁଅ ମନ୍ଦିରରେ ଦିଆଯିବାର ପ୍ରସ୍ତାବ ଉଠିଥିଲାବେଳେ ଅନେକଆଡ଼ୁ ଆପତ୍ତି ହୋଇଥିଲା। ମନ୍ଦିରରେ ସଂପୂର୍ଣ୍ଣ ପ୍ରାଚୀନତା ରଖିବାର ଆମ୍ଭେମାନେ ଏକାନ୍ତ ପକ୍ଷପାତୀ।”
ଏ ପ୍ରସଙ୍ଗରେ, ଶ୍ରୀମନ୍ଦିରରେ ବିଜୁଳି ଆଲୁଅ ଲାଗିବାର ପ୍ରସ୍ତାବ ନେଇ କି ଧରଣର ଆପତ୍ତି ହୋଇଥିଲା, ସେ କଥା କହିରଖିବା ଦରକାର। ପ୍ରସଙ୍ଗଟି ଅତ୍ୟନ୍ତ ରୋଚକ ଏବଂ ସେ ବାବଦରେ ବିବରଣୀ ‘ଉତ୍କଳଦୀପିକା’ରେ ଉପଲବ୍ଧ। ସେଥିରେ ବିଜୁଳି ଆଲୁଅକୁ ‘ତଡ଼ିତାଲୋକ’ ବା ‘ତାଡ଼ିତାଲୋକ’ ବୋଲି କୁହାଯାଇଛି। ଆହୁରି ମଧ୍ୟ ରସିକତା କରି କୁହାଯାଇଛି ‘ସୌଦାମିନୀ’ ଓ ‘ଚପଳା’। ଯେଉଁମାନେ ସେଦିନ ଶ୍ରୀମନ୍ଦିରରେ ସେହି ବିଦ୍ୟୁତ୍ ବ୍ୟବସ୍ଥାର ଉଦ୍ୟୋକ୍ତା ଥିଲେ, ସେମାନଙ୍କୁ କୁହାଯାଇଛି ‘ଚପଳାର ଚର’।
ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ଗାନ୍ଧୀଜୀ ୧୯୨୧ ମସିହା, ମାର୍ଚ୍ଚ ୨୭ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ, ଗର୍ଭଗୃହରେ ‘ଘନ ଅନ୍ଧକାରର ରାଜୁତି’ ଥିଲା ଏବଂ ‘ଗୋଟିଏ ଦୁଇଟି ଦୀପ’ ହିଁ ଜଳୁଥିଲା। କାରଣ ସେ ଯାଏ ଶ୍ରୀମନ୍ଦିରରେ ବିଦ୍ୟୁତ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିଲା।
କିନ୍ତୁ ‘ଉତ୍କଳ ଦୀପିକା’ର ସୂତ୍ର କହେ, ଶ୍ରୀମନ୍ଦିରରେ ବିଦ୍ୟୁତ୍ ଆଲୋକ ଲାଗିବାର ବ୍ୟବସ୍ଥା ହୋଇଥିଲା ୧୯୦୫ ମସିହାର ରଥଯାତ୍ରା ଅବସରରେ। ଜୁଲାଇ ୨୨ ତାରିଖ ସଂଖ୍ୟାରେ ମୁଦ୍ରିତ ଏକ ସଂପାଦକଙ୍କୁ ପତ୍ରରେ ତାହାର ବିବରଣୀ ମିଳେ। ଜନୈକ ‘ପୂର୍ବ ପରିଚିତ ପାଠକ’ ତାଙ୍କର ସେହି ପତ୍ରରେ ଯାହା ଲେଖିଛନ୍ତି, ତାହାର ସାରମର୍ମ ହେଉଛି- ସେବର୍ଷ ଜୁଲାଇ ୧୨ ତାରିଖ ଅପରାହ୍ଣ ୪ଟା ବେଳେ ଶ୍ରୀଜଗନ୍ନାଥଙ୍କ ରଥ ଆସି ସିଂହଦ୍ୱାରରେ ଲାଗିଲା। ତାହାର କିଛି ସମୟ ପୂର୍ବରୁ ଅନ୍ୟ ଦୁଇରଥ ବି ଆସି ଲାଗିଥିଲା। କିନ୍ତୁ ସେଦିନ ନୀଳାଦ୍ରି ବିଜେ ନହୋଇ, ପରଦିନ ୨ଟା ବେଳେ ପହଣ୍ଡି ଆରମ୍ଭ ହେବାକୁ ସ୍ଥିର ହେଲା। କିନ୍ତୁ ୧୩ ତାରିଖ ଦିନ, ୨ଟା ଯାଇ, ୩ଟା, ୪ଟା ଓ ୫ଟା ବାଜିଲା ସିନା, ପହଣ୍ଡି ଆରମ୍ଭ ହେଲା ନାହିଁ। “ଚାଲ ଯିବା, ଆଜି ପହଣ୍ଡି ହେବ ନାହିଁ।” କହି ଲୋକେ ଚାଲିଯିବାକୁ ବସିଛନ୍ତି, ପହଣ୍ଡିର ତୂରୀ ଧ୍ୱନି ଶୁଣାଗଲା ଏବଂ ରାତି ୯ଟା ମଧ୍ୟରେ ଠାକୁରମାନେ ମନ୍ଦିରରେ ପ୍ରବେଶ କଲେ।
ଏହାର କାରଣ ସୂଚାଇ ସେହି ‘ପୂର୍ବ ପରିଚିତ ପାଠକ’ ଲେଖିଛନ୍ତି, “ଆମ୍ଭେମାନେ ଅନୁସନ୍ଧାନରୁ ବୁଝିଲୁଁ ଯେ ମନ୍ଦିର ମଧ୍ୟରେ ସୌଦାମିନୀଙ୍କ ନିମନ୍ତେ ଆସନ ପ୍ରସ୍ତୁତି ହୋଇଥିବାରୁ ପହଣ୍ଡିରେ ଏପରି ଅଯଥା ବିଳମ୍ବ ଘଟିଥିଲା।”
ଏହାର ଆଉ ଏକ ପୃଷ୍ଠଭୂମି ଅଛି। ତାହାର ବିବରଣୀ ମଧ୍ୟ ସେହି ସଂପାଦକଙ୍କୁ ପତ୍ରରେ ମିଳେ। ତାହା ହେଉଛି- ୧୯୦୪ ମସିହା ନଭେମ୍ବର ମାସରେ ବରୋଦାର ରାଜା ଶ୍ରୀକ୍ଷେତ୍ରକୁ ଆସିଥିଲେ। ତାଙ୍କର ଅଭ୍ୟର୍ଥନା ନିମନ୍ତେ ପୁରୀ ଜଗନ୍ନାଥ ବଲ୍ଲଭଠାରେ ଏକ ସଭା ହୋଇଥିଲା ଏବଂ ତାଙ୍କୁ ଅଭିନନ୍ଦନପତ୍ର ପ୍ରଦାନ କରାଯାଇଥିଲା। ସେହି ଅବସରରେ, “ଶ୍ରୀମନ୍ଦିରକୁ ଆଲୋକିତ କରିବା ନିମନ୍ତେ ସୌଦାମିନୀଙ୍କୁ ନିଯୁକ୍ତ କରିବାର ପ୍ରସ୍ତାବ” ଆସିଥିଲା। ସେ ନେଇ ଅନେକ ବାଦାନୁବାଦ ହୋଇ ତାହା ମଧ୍ୟ ଥମି ଯାଇଥିଲା। ଏହି ପୃଷ୍ଠଭୂମି ଦେବା ସହିତ ପତ୍ରପ୍ରେରକ ଲେଖିଛନ୍ତି, “ଶ୍ରୀଜିଉ ଗୁଣ୍ଡିଚା ଯାତ୍ରା କଲାପରେ ଚପଳାର ଚରମାନେ ଆସି ତାଙ୍କ ଗମନାଗମନ ନିମନ୍ତେ ମନ୍ଦିର ମଧ୍ୟସ୍ଥ ପାକଶାଳାଠାରୁ ଭୋଗ ଯିବାର ପଥ ଓ ଜଗମୋହନ ମଧ୍ୟ ଦେଇ ରତ୍ନବେଦୀ ପର୍ଯ୍ୟନ୍ତ ତାର ବସାଇଦେଲେ। ଏହାହିଁ ପହଣ୍ଡି ବନ୍ଦ ହେବାର ପ୍ରଧାନ କାରଣ।”
ଏ ସଂପର୍କରେ ଅଧିକ ବିବରଣୀ ଦେଇ ସେହି ପତ୍ରପ୍ରେରକ ଆହୁରି ମଧ୍ୟ ସୂଚାଇଛନ୍ତି- ସେ ନେଇ ପଣ୍ଡା, ପଢ଼ିଆରୀ ଓ ସେବକ ପ୍ରଭୃତିଙ୍କ ପ୍ରତିବାଦ ଯୋଗୁଁ, ୧୩ ତାରିଖ ଦିନ ୧୨ଟା ବେଳେ ଶ୍ରୀମନ୍ଦିର ମଧ୍ୟରେ ଏକ ‘ବୃହତ୍ ସଭା’ ହୋଇଥିଲା। ପୁରୀର ପ୍ରଧାନ ପ୍ରଧାନ ମଠଧାରୀ ମହନ୍ତମାନେ ମଧ୍ୟ ସେହି ସଭାରେ ଯୋଗ ଦେଇଥିଲେ। “ଅନେକ ତର୍କବିତର୍କ ପରେ ସ୍ଥିର ହେଲା, ମନ୍ଦିର ମଧ୍ୟରେ ବିଜୁଳିବତି ଜଳିବା ନୀତିବହିର୍ଭୂତ କାର୍ଯ୍ୟ ଅଟେ। ସୁତରାଂ ଯେଉଁ ତାର ବସିଅଛି, ତାହା ଉଠାଇ ଦିଆନଗଲେ ଠାକୁରେ ମନ୍ଦିରକୁ ଆସିପାରିବେ ନାହିଁ ଏବଂ ସେବକମାନେ ପହଣ୍ଡି କାର୍ଯ୍ୟାରମ୍ଭ କରିବେ ନାହିଁ।” ତେଣୁ “ମନ୍ଦିରର ତତ୍ତ୍ୱାବଧାରକ ଏବଂ ସୌଦାମିନୀଙ୍କର ପ୍ରଧାନ ପୃଷ୍ଠପୋଷକ ମେନେଜରବାବୁ ବାଧ୍ୟ ହୋଇ ରତ୍ନବେଦୀ ସମ୍ମୁଖସ୍ଥ ପୋଖରିଆ ମଧ୍ୟରୁ ତାର ଉଠାଇଦେଲେ। ଅନ୍ୟାନ୍ୟ ସ୍ଥାନରେ ତାର ଯେପରି ବସିଥିଲା ସେହିପରି ଅଛି। କିନ୍ତୁ ସେଗୁଡ଼ାକ ମଧ୍ୟ ମନ୍ଦିର ମଧ୍ୟରେ ରହିବା ଉଚିତ କି ନା ସେ ବିଷୟ ଘେନି ଭାରୀ ଆନ୍ଦୋଳନ ଲାଗିଅଛି। କିଛି ମୀମାଂସା ନହେବା ପର୍ଯ୍ୟନ୍ତ ତାଡ଼ିତାଲୋକ ସମ୍ବନ୍ଧୀୟ କାର୍ଯ୍ୟ ସ୍ଥଗିତ ଅଛି।” ଏ ସଂପର୍କରେ, ସେହି ଜୁଲାଇ ୨୨ ତାରିଖ ସଂଖ୍ୟାରେ ‘ଉତ୍କଳ ଦୀପିକା’ ଲେଖିଛନ୍ତି, “ଏକାବେଳେ ରତ୍ନବେଦୀ ପର୍ଯ୍ୟନ୍ତ ଆଲୋକ ନନେଇ ସିଂହଦ୍ୱାର ସମ୍ମୁଖ ଏବଂ ସ୍ନାନମଣ୍ଡପଠାରୁ ବେଢ଼ା ଭିତରେ ଆଲୁଅ ଦେଇଥିଲେ, ଲୋକେ ତାହା ନିର୍ଦୋଷ ଓ ହିତକର ଥିବାର ଅନୁଭବ କଲା ଉତ୍ତାରୁ କ୍ରମେକ୍ରମେ ପ୍ରସାର ବିବେକତାର କାର୍ଯ୍ୟ ହୋଇଥାନ୍ତା। ତାହା ନହେବାରୁ ଅନର୍ଥ ଘଟିଅଛି।”
ପରିଶେଷରେ କିନ୍ତୁ ଯାହା ନିର୍ଦୋଷ ଓ ଲୋକଙ୍କପାଇଁ ହିତକର ତାହା ଘଟିଥିଲା। ‘ଉତ୍କଳଦୀପିକା’ର ୨୪ ଅଗଷ୍ଟ, ୧୯୨୯ ସଂଖ୍ୟାର ‘ବଡ଼ଦେଉଳରେ ବିଜୁଳିବତୀ’ ଅନୁସାରେ, ୧୩ ଅଗଷ୍ଟ, ୧୯୨୯, ଦିନ ପ୍ରାୟ ଗୋଟାଏ ବେଳେ, ବଡ଼ଦେଉଳରେ ବିଜୁଳିବତି ଜଳିଥିଲା।
ଏଣୁ ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ- ‘ତଡ଼ିତାଲୋକ’ ବା ‘ବିଜୁଳିବତୀ’, ଯାହା ‘ଉତ୍କଳ ଦୀପିକା’ଙ୍କ ଭାଷାରେ ସେଦିନ ଥିଲା “ନିର୍ଦୋଷ ଓ ହିତକର”, ଶ୍ରୀମନ୍ଦିରର ଗର୍ଭଗୃହରେ ତାହାର ପ୍ରବେଶପାଇଁ ଯେତେବେଳେ ଏତେ ବିରୋଧ ଥିଲା, ସେତେବେଳେ ସେହି ଗର୍ଭଗୃହରେ ‘ବିଦେଶୀ ବସ୍ତ୍ର’ର ପ୍ରବେଶ ସତରେ କ’ଣ ସମ୍ଭବ ହୋଇଥିଲା?
ଗୋପବନ୍ଧୁ ଦାସ ତାଙ୍କର ପୂର୍ବସୂଚିତ ସଂପାଦକୀୟରେ ଏ ସଂପର୍କରେ କହିଛନ୍ତି, “ଜଗନ୍ନାଥ ମନ୍ଦିରରେ ସେହି ଶତଶତ ବର୍ଷ ପୂର୍ବର ପୁରାତନ ବିଧି ବ୍ୟବହାର ଅକ୍ଷୁଣ୍ଣ ଥାଉ। ସେଥିର ଯେଉଁଠାରେ ଯେ ପଥରଖଣ୍ଡି ଶିଆଳି ଲାଗି ରହିଛି, ସେହିପରି ରହିଥାଉ। ତା’ ବଦଳରେ ମାରବଲ୍ ଖଞ୍ଜିବା ଦରକାର ନାହିଁ। ଯେଉଁ କୁଡ଼ୁଆରେ ଲକ୍ଷ୍ମୀପାକ ହେଉଛି, ସେହି କୁଡ଼ୁଆ ଥାଉ, ତା’ ବଦଳରେ ପିତଳ ଡେକ୍ଚି ଲୋଡ଼ା ନାହିଁ।”
ଏହା କହିବା ସହିତ, ସେଥିରେ ସେ ଆହୁରି ମଧ୍ୟ କହିଛନ୍ତି, “ଦୁଃଖର କଥା, କାଳକ୍ରମେ ଅଲକ୍ଷିତ ଭାବରେ ମନ୍ଦିରରେ ଅନେକ ନୂଆ ଜିନିଷ ପଶି ଯାଇଛି। ମହାତ୍ମା ଗାନ୍ଧୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ମାତ୍ରେ ବିଦେଶୀ କପଡ଼ା ପ୍ରଥମେ ତାଙ୍କ ନଜରରେ ପଡ଼ିଲା। ପୁରୀ ସଭାରେ ସେ ଏ ବିଷୟରେ କେତେ ଦୁଃଖ ପ୍ରକାଶ କରି କହିଲେ।”
ଏ ପ୍ରସଙ୍ଗରେ, ସେହି ବର୍ଷ ଜୁନ୍ ମାସରେ ପୁରୀଠାରେ ଅନୁଷ୍ଠିତ ଏକ ସାଧାରଣସଭାର ଉଲ୍ଲେଖ ମଧ୍ୟ ଗୋପବନ୍ଧୁ କରିଛନ୍ତି। ସେଥିରେ ସେ କହିଛନ୍ତି, “ଏ ମାସ ୧୦ ତାରିଖ ସଂଧ୍ୟାରେ ଏକ ସାଧାରଣସଭାରେ ଏ ବିଷୟରେ ଏକ ନିର୍ଦ୍ଧାରଣ କରାଯାଇ ମନ୍ଦିରରେ ଦେଶୀୟ ଶୁଦ୍ଧ ଅରଟକଟା ସୂତାର ବସ୍ତ୍ର ବ୍ୟବହାର କରିବା ନିମନ୍ତେ ମନ୍ଦିରର ମ୍ୟାନେଜରଙ୍କୁ ଅନୁରୋଧ କରାଯାଇଛି। ପୁରୀ ଲୋକସାଧାରଣଙ୍କର ଏ ପ୍ରସ୍ତାବରେ ଭାରତର ହିନ୍ଦୁ ସାଧାରଣଙ୍କର ଯେ ସଂପୂର୍ଣ୍ଣ ମତ ଓ ସହାନୁଭୂତି ଅଛି, ଏହା ବୋଲିବା ନିଷ୍ପ୍ରୟୋଜନ। ମ୍ୟାନେଜର ସଖିଚାନ୍ଦ ସାହେବ ସରକାରୀ କର୍ମଚାରୀ ହେଲେ ସୁଦ୍ଧା ଲୋକମତ ପ୍ରତି ଉଚିତ ଆସ୍ଥା ଦେଖାଇବେ ବୋଲି ଆମ୍ଭମାନଙ୍କର ବିଶ୍ୱାସ।”
ଏଥିରୁ ସୂଚିତ ହୁଏ ଯେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଉଭୟେ ‘ଅରଟକଟା ସୂତା ବସ୍ତ୍ର’କୁ ହିଁ ‘ଦେଶୀୟ’ ଓ ‘ଶୁଦ୍ଧ’ ବୋଲି ବିଚାର କରୁଥିଲେ। ‘କଳଲୁଗା’ ତାଙ୍କ ଦୃଷ୍ଟିରେ ଥିଲା ‘ବିଦେଶୀ’। ସେହି ସଂପାଦକୀୟରେ ମଧ୍ୟ ଏହାର ସ୍ପଷ୍ଟ ସୂଚନା ଅଛି। ଗୋପବନ୍ଧୁ ସେଥିରେ କହିଛନ୍ତି, “ତିରିଶ, ଚାଳିଶ ବର୍ଷ ତଳେ ଓଡ଼ିଶାର କେତେ ନିଷ୍ଠାପର ବ୍ରାହ୍ମଣ କଳଲୁଗା ପିନ୍ଧିବାକୁ ଘୃଣା କରୁଥିଲେ। ମାତ୍ର କ୍ରମେ ଅରଟକଟା ସୂତା ସ୍ୱପ୍ନ ହୋଇଗଲା। କଳଲୁଗା ଚାରିଆଡ଼େ ବ୍ୟାପିଗଲା। ଲୋକଙ୍କର ପୂର୍ବ ସଂସ୍କାର ଆସ୍ତେ ଆସ୍ତେ ତୁଟିଗଲା। ଶେଷରେ କଳଲୁଗା ଛଡ଼ା ଲଜ୍ଜା ନିବାରଣର ଅନ୍ୟ ଉପାୟ ରହିଲା ନାହିଁ। କ୍ରମେ ଅବସ୍ଥା ଏପରି ହୋଇଅଛି ଯେ ବିଲାତରୁ ସୂତା ନଆସିଲେ ବ୍ରାହ୍ମଣମାନଙ୍କର ଅନେକ ସ୍ଥଳେ ପଇତା ତିଆରିହେବା ଅସମ୍ଭବ। ମୋଟକଥା ବିଲାତି କଳସୂତା ପ୍ରଭାବରେ ଅଜଣା ଭାବରେ ଆମ୍ଭମାନଙ୍କର ଧର୍ମକର୍ମ ସଂସ୍କାର ଲୋପପାଇଛି।”
ଏହାହିଁ ସମ୍ଭବତଃ ପୃଷ୍ଠଭୂମି, ଯେଉଁଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପରିଧାନ କରିଥିବା ବସ୍ତ୍ର ‘ବିଦେଶୀ’ ବୋଲି ମହାତ୍ମା ଗାନ୍ଧୀଙ୍କ ମନରେ ସେଦିନ ଧାରଣା ହୋଇଥିଲା। ସମ୍ଭବତଃ ଶ୍ରୀବିଗ୍ରହମାନେ ପରିଧାନ କରୁଥିବା ପାଟବସ୍ତ୍ର ତାଙ୍କର ସେହି ଧାରଣାକୁ ପୁଷ୍ଟ କରିଥିଲା। ତାହା ଯେ ଆମରି ରାଜ୍ୟର ବୁଣାକାରମାନଙ୍କ ଦ୍ୱାରା ହସ୍ତତନ୍ତରେ ପ୍ରସ୍ତୁତ, ତାହା ସମ୍ଭବତଃ ତାଙ୍କୁ ସେଦିନ କେହି ସ୍ପଷ୍ଟ ଭାବେ ସୂଚିତ କରି ନଥିଲେ।
ଗୋପବନ୍ଧୁ ତାଙ୍କ ସଂପାଦକୀୟରେ ପୁରୀର ଯେଉଁ ସଭା କଥା ଉଲ୍ଲେଖ କରିଛନ୍ତି, ତାହାର ବିବରଣୀ ‘ଉତ୍କଳ ଦୀପିକା’ରୁ ଆଜି ସଂଗ୍ରହ କରିବା ସମ୍ଭବ ନୁହେଁ। କାରଣ ୧୯୨୧ର ‘ଉତ୍କଳ ଦୀପିକା’ ଏବେ ଅନୁପଲବ୍ଧ। କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଆସେ, ଯଦି ଗାନ୍ଧୀଜୀ ତାଙ୍କର ପ୍ରଥମ ଗସ୍ତ ଅବସରରେ ପୁରୀର ଏକ ସଭାରେ ଏ ‘ବିଦେଶୀ ବସ୍ତ୍ର’ କଥା କହିଥିଲେ, ତାହାର ବିବରଣୀ କାହିଁକି କୌଣସି ସୂତ୍ରରୁ ଆମ ପାଖରେ ଆଜି ଉପଲବ୍ଧ ନୁହେଁ? ପୁଣି କାହିଁକି ତାଙ୍କର ଜଗନ୍ନାଥ ଦର୍ଶନର ବିବରଣୀ ଗୁଜୁରାଟୀ ବା ଇଂରେଜୀରେ ‘ନବଜୀବନ’ ବ୍ୟତୀତ, ଓଡ଼ିଶାରେ ଅନ୍ୟତ୍ର ଲିପିବଦ୍ଧ ହୋଇନାହିଁ? ଆହୁରି ମଧ୍ୟ, ଯଦି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନେ ସେତେବେଳେ ବିଦେଶୀ ବସ୍ତ୍ର ପରିଧାନ କରୁଥିଲେ, ଗାନ୍ଧୀଜୀ ସେ ସଂପର୍କରେ ପୁରୀର ସଭାରେ କହିବା ସତ୍ତ୍ୱେ, ତାହାର ଦୀର୍ଘ ପ୍ରାୟ ଅଢ଼େଇ ମାସ ପରେ ହିଁ କାହିଁକି ସେ ବାବଦରେ ବୈଠକ ହୋଇ ମନ୍ଦିର ମ୍ୟାନେଜରଙ୍କୁ ଅନୁରୋଧ କରାଗଲା?
ଆଜି ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ତଥା ପ୍ରଥମ ଜଗନ୍ନାଥ ଦର୍ଶନର ଶତବାର୍ଷିକୀ ଅବସରରେ, ଏସବୁ ପ୍ରଶ୍ନର ଉତ୍ତର ଆମେ ହୁଏତ ଖୋଜିପାରୁ। ମାତ୍ର, ଏହାର ଉତ୍ତର ଶ୍ରୀମନ୍ଦିରର ପରମ୍ପରାରେ ହିଁ ଅଛି। ସେ ଉତ୍ତର ହେଉଛି- ଶ୍ରୀମନ୍ଦିରର ପରମ୍ପରା ଶୁଦ୍ଧ ସ୍ୱଦେଶୀ। ସେଥିରେ ବିଦେଶୀ ବସ୍ତ୍ର କେବଳ ନୁହେଁ; ବହୁ ବିଦେଶୀ ସାମଗ୍ରୀ ଆଜି ବି ନିଷିଦ୍ଧ। ବିଦ୍ୟୁତାଲୋକ ବ୍ୟବସ୍ଥା ପରି ଯାହା ବି ପରିବର୍ତ୍ତନ କାଳକ୍ରମେ ହୋଇଛି, ତାହା ସମୟୋଚିତ ଭାବରେ, ଲୋକହିତ ଦୃଷ୍ଟିରୁ ହିଁ ହୋଇଛି। କିନ୍ତୁ ଶ୍ରୀବିଗ୍ରହମାନେ ସେଦିନ ବିଦେଶୀବସ୍ତ୍ର ପିନ୍ଧୁ ନଥିଲେ କି ଆଜି ବି ବିଦେଶୀବସ୍ତ୍ର ପିନ୍ଧନ୍ତି ନାହିଁ।
ମୋ: ୯୪୩୭୦ ୩୪୮୦୪
[email protected]