ଗାନ୍ଧୀଙ୍କ ଜୀବନରେ ବା’

ଆଶାଲତା ଦାଶ

କସ୍ତୁରବା ଜଣେ ଅନନ୍ୟ ନାରୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଯଦି ସାରା ବିଶ୍ବରେ ଗାନ୍ଧୀଙ୍କୁ ମହାତ୍ମା ବୋଲି ସମ୍ବୋଧନ କରାଯାଉଥାଏ, ତେବେ କହିବା ବାହୁଲ୍ୟ ଯେ ତାହା ପଛରେ ରହିଛି କସ୍ତୁରବାଙ୍କ ତ୍ୟାଗ, ନିଷ୍ଠା, ଧୈର୍ଯ୍ୟ ଓ ସହନଶୀଳତା। ଗାନ୍ଧୀଜୀଙ୍କ ଅନମନୀୟ ନୀତି ପରିଚାଳିତ ଜୀବନକୁ କସ୍ତୁରବା ଯେଉଁଭଳି ଭାବରେ ଗ୍ରହଣ କରି ପାରିଥିଲେ, ତାହା ପ୍ରକୃତରେ ବିସ୍ମୟକର। ଗାନ୍ଧୀ ମଧୢ ସ୍ବୀକାର କରି କହିଥିଲେ, ‘କସ୍ତୁରବା’ ମୋତେ ଅହି˚ସା ମାର୍ଗ ବାବଦରେ ଶିଖାଇଛନ୍ତି।’ ସୁତରା˚, କସ୍ତୁରବା ଥିଲେ ଗାନ୍ଧୀଙ୍କର ପ୍ରେରଣାର ଏକ ପ୍ରମୁଖ ଉତ୍ସ।

ଦେଶ ଓ ଜାତି ଲାଗି ସମର୍ପିତ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶର କାଠିନ୍ୟ କସ୍ତୁରବାଙ୍କୁ ଅନେକ ସମୟରେ କଷ୍ଟ ଦେଉଥିଲା। କସ୍ତୁରବା ଥିଲେ ଜଣେ ସାଧାରଣ ନାରୀ। ମହାତ୍ମାଙ୍କ ବିଚାରର ଗଭୀରତା ବା ମନନଶୀଳତା ତାଙ୍କ ଠାରେ ନ ଥିଲା। ଜଣେ ପତ୍ନୀ ଭାବେ ସେ ଥିଲେ ପତିବ୍ରତା, ମାତା ଭାବେ ଥିଲେ ଶ୍ରଦ୍ଧାଶୀଳା ଏବ˚ ନାରୀ ଭାବେ କୋମଳ। ତେଣୁ ବେଳେ ବେଳେ ଗାନ୍ଧୀଜୀଙ୍କ କାର୍ଯ୍ୟ ବା ନୀତି ତାଙ୍କୁ ଆଘାତ ଦେଉଥିଲା। କିନ୍ତୁ ଏହା ମଧୢ ସତ ଯେ କସ୍ତୁରବାଙ୍କ ବ୍ୟକ୍ତିିତ୍ବର କୋମଳ ସ୍ପର୍ଶ ମଧୢ ଗାନ୍ଧୀଙ୍କୁ ସ୍ନିଗ୍‌ଧତା ପ୍ରଦାନ କରିଥିଲା।

ଗୁଜୁରାଟୀ ଭାଷାରେ ‘ମା’ଙ୍କୁ ‘ବା’ ବୋଲି ସମ୍ବୋଧନ କରାଯାଏ। କସ୍ତୁରବା ଭାରତରେ ଜଣେ ଜନ-ମାତାରେ ପରିଣତ ହୋଇଥିବାରୁ ତାଙ୍କୁ ସମସ୍ତେ ବା’ ବୋଲି ସମ୍ବୋଧନ କରୁଥିଲେ। କିନ୍ତୁ ଗାନ୍ଧୀ ତାଙ୍କୁ ‘କସ୍ତୁର’ ବୋଲି ଡାକୁଥିଲେ। ବା’ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ବାପୁଜୀଙ୍କ ଆଦର୍ଶ ଥିଲା ତାଙ୍କ ପାଥେୟ। କିନ୍ତୁ ସେ ଥିଲେ ଗାନ୍ଧୀଜୀଙ୍କ ଆଦର୍ଶର ଏକ କୋମଳ ଓ କିଞ୍ଚିତ ନମନୀୟ ରୂପ। ଏହାର ଅନେକ ଉଦାହରଣ ମିଳୁଥିଲା ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ପରିଚାଳନାରେ। ଉଦାହରଣ ସ୍ବରୂପ ଗାନ୍ଧୀଙ୍କ କଡ଼ା ଆଦେଶରେ ଆଶ୍ରମରେ ଚା’ ତିଆରି ହେଉ ନ ଥିଲା ବା କାହାକୁ ହେଲେ ତାହା ମିଳୁ ନ ଥିଲା। ଗାନ୍ଧୀଙ୍କ ମତରେ ଚା’ ଥିଲା ଏକ ନିଶା ଦ୍ରବ୍ୟ। ଏଣେ ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଜଵହରଲାଲ ନେହରୁ ଥିଲେ ଚା’ର ଭକ୍ତ। ସୁତରା˚, ଆଶ୍ରମକୁ ସେ ଆସିଲେ ଜଣେ ପରମ ଶୁଭାକା˚କ୍ଷୀ ବନ୍ଧୁଙ୍କୁ ଆତିଥେୟତା ପ୍ରଦାନ କଲା ବେଳେ କସ୍ତୁରବା ନେହରୁଙ୍କ ଲାଗି ଚା’ର ବ୍ୟବସ୍ଥା କରୁଥିଲେ। ଏହା ଥିଲା ସେହି ସ୍ନେହଶୀଳା ଗୃହିଣୀର କୋମଳ ରୂପର ନିଦର୍ଶନ।

କସ୍ତୁରବା ଶିକ୍ଷା ଲାଭ କରି ନ ଥିଲେ। କିନ୍ତୁ ଗାନ୍ଧୀଜୀଙ୍କର ଇଚ୍ଛା ଥିଲା ଯେ ସେ କିଛି ବିଦ୍ୟା ହାସଲ କରନ୍ତୁ। ହେଲେ, ବା’ଙ୍କର ଇଚ୍ଛା ନ ଥିଲା। ତଥାପି ଗାନ୍ଧୀଜୀଙ୍କ ଉଦ୍ୟମ ଜାରି ରହିଲା। ପରିଶେଷରେ କେବଳ ସ୍ବାମୀଙ୍କର ଇଚ୍ଛାକୁ ସମ୍ମାନ ଦେବା ପାଇଁ ସେ କିଛି ପାଠ ପଢ଼ିଥିଲେ। ଏହି ଶିକ୍ଷା ତାଙ୍କୁ ଅନେକ ଧର୍ମଗ୍ରନ୍ଥ ଓ ପୁରାଣ ଆଦି ପଢ଼ିବାର ସୁଯୋଗ ଦେଇଥିଲା। ବାସ୍ତବ ଜୀବନରେ ଦେଖାଯାଉଥିଲା ଯେ ଜଣେ ସାଧାରଣ ନାରୀ ଭାବେ କସ୍ତୁରବା ଗାନ୍ଧୀଙ୍କର ବହୁ କଥା ବା ଆଦେଶକୁ ସ୍ବୀକାର କରି ପାରୁ ନ ଥିଲେ। କିନ୍ତୁ କ୍ରମେ ଗାନ୍ଧୀଜୀଙ୍କର ଆଦର୍ଶର ଉଚ୍ଚତାକୁ ଉପଲବ୍‌ଧି କରିପାରି ସେ ସବୁକୁ ଅକାତରେ ଗ୍ରହଣ କରି ନେଇଥିଲେ। କେବଳ ସେତିକି ନୁହେଁ, କ୍ରମେ ଗାନ୍ଧୀଙ୍କର ଏକାନ୍ତ ଅନୁଗାମୀ ହୋଇ ତାଙ୍କ ସନ୍ଦେଶ ପ୍ରଚାରର ମୁଖ୍ୟ ମାଧୢମ ହୋଇଥିଲେ। ଉଦାହରଣ ସ୍ବରୂପ, ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେଠାରେ ରହୁଥିବା ଅନେକ ଭାରତୀୟ ସ୍ନେହର ସହିତ ଅନେକ ଅତ୍ୟନ୍ତ ମୂଲ୍ୟବାନ ଉପହାର ପ୍ରଦାନ କରିଥିଲେ। କିନ୍ତୁ ଗାନ୍ଧୀଜୀଙ୍କ ଆଗ୍ରହ କ୍ରମେ ସେ ସବୁ ଉପହାରକୁ ପ୍ରତ୍ୟାଖ୍ୟାନ କରିବାକୁ ହୋଇଥିଲା। ଯଦିଓ କସ୍ତୁରବା ସେହି ସମୟରେ ଅତ୍ୟନ୍ତ କୁଣ୍ଠାର ସହିତ ସେଭଳି କରିଥିଲେ, ପରବର୍ତ୍ତୀ କାଳରେ ଗାନ୍ଧୀଙ୍କ ଆଦର୍ଶର ମହନୀୟତା ଉପଲବ୍‌ଧି କରିପାରି ଗାନ୍ଧୀଙ୍କ ନିଷ୍ପତ୍ତିିର ପୂର୍ଣ୍ଣ ପକ୍ଷଧର ହୋଇଥିଲେ।

ସ୍ବାଧୀନତା ସ˚ଗ୍ରାମ କାଳରେ ମହିଳାମାନେ କସ୍ତୁରବାଙ୍କୁ ନେତ୍ରୀ ରୂପେ ଗ୍ରହଣ କରି ନେଇଥିଲେ। ସ୍ବାଧୀନତା ସ˚ଗ୍ରାମରେ ଅଧିକରୁ ଅଧିକ ମହିଳା ସାମିଲ ହୁଅନ୍ତୁ ବୋଲି କସ୍ତୁରବା ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ। ମହାତ୍ମା ଗାନ୍ଧୀ ଥରେ କହିଥିଲେ ଯେ ଅହି˚ସ ଆଚରଣର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ସେ ଯାହାକୁ ଦେଖନ୍ତି ସେ ହେଉଛନ୍ତି ଭାରତୀୟ ଗୃହିଣୀ। କାରଣ ଭାରତୀୟ ଗୃହିଣୀ ଯେମିତି ନିଜକୁ ପଛରେ ରଖି ପରିବାରର ଶକ୍ତି ପାଲଟନ୍ତି; ପରିବାରର ମଙ୍ଗଳ ଲାଗି ସବୁଠାରୁ ଅଧିକ ଅବଦାନ ଦିଅନ୍ତି ଓ ପରିବାରରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷାରେ ତାଙ୍କର ଭୂମିକା ସର୍ବାଧିକ ହୋଇଥାଏ; ତହିଁରୁ ତାଙ୍କର ଅହି˚ସ ଆଦର୍ଶ ସ୍ବରୂପ ଲାଭ କରିଛି। କହିବା ବାହୁଲ୍ୟ ଯେ ଭାରତୀୟ ଗୃହିଣୀ ଭାବେ ସେ ଯାହାଙ୍କ ଚିତ୍ରକୁ ମନରେ ରଖିଥିଲେ ସେ କସ୍ତୁରବାଙ୍କ ଭିନ୍ନ ଆଉ କେହି ନୁହନ୍ତି। ତେଣୁ ଆଜି ଗାନ୍ଧୀଙ୍କୁ ସ୍ମରଣ କଲା ବେଳେ ଆମେ ସମସ୍ତେ କସ୍ତୁରବାଙ୍କୁ ମଧୢ ମନେ ପକାଇବା ଉଚିତ। କାରଣ ବା’ ନ ଥିଲେ ବୋଧହୁଏ ମହାତ୍ମା ମଧୢ ସମ୍ଭବ ହୋଇ ପାରି ନ ଥାଆନ୍ତେ।

(ଏପ୍ରିଲ ୧୧, କସ୍ତୁରବାଙ୍କ ଜନ୍ମଦିବସ ଉପଲକ୍ଷେ)

ସମ୍ପାଦିକା, କସ୍ତୁରବା ନାରୀମହଲ, ଭୁବନେଶ୍ବର

ସମ୍ବନ୍ଧିତ ଖବର