୨୦୦୨ ଗୁଜରାଟ ଦଙ୍ଗା ଉପରେ ମୁଁ ଏକ ନୂଆ ବହି ପଢ଼ୁଛି। ଏହାର ନାମ- ‘ଅଣ୍ତର‌୍‌ କଭର‌୍‌: ମାଇ ଜର‌୍‌ନି ଇନ୍‌ଟୁ ଦ ଡାର୍କ‌୍‌ନେସ୍‌ ଅଫ୍‌ ହିନ୍ଦୁତ୍ବ’। ବହିଟିର ଲେଖକ- ଆଶିଷ ଖେତାନ। ଦଙ୍ଗାର ପରିଣାମ ଉପରେ ସେ କିଛି ଚମତ୍କାର ବିବରଣୀ ପ୍ରସ୍ତୁତ କରିଛନ୍ତି; ବିଶେଷତଃ, ସେହି ପଦ୍ଧତି ଉପରେ, ଯାହା ଦ୍ବାରା ଅପରାଧୀମାନଙ୍କୁ ଦଣ୍ତ ଦିଆଯାଇପାରି ନ ଥିଲା।
ଦୁଇ ଦଶନ୍ଧି ତଳେ ଘଟିଥିବା ଏକ ବିବେକଶୂନ୍ୟ ଭୟଙ୍କର ଗଣହତ୍ୟାକୁ ବୁଝିବା ପାଇଁ ‘ଅଣ୍ତର‌୍‌ କଭର‌୍‌’ ଗବେଷକଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ସ˚ପଦ। ପୁଣି, ଏହା ମଧ୍ୟ ଏବକୁ ସିଧା-ସଳଖ ସୂଚାଉଛି। କାରଣ, ଯେଉଁ ସରକାର ସେତେ ବେଳେ ସେହି ରାଜ୍ୟରେ ଥିଲା, ଏବେ କେନ୍ଦ୍ରରେ ଆସୀନ। ଖେତାନ ଲେଖିଛନ୍ତି- ‘ମୋଦୀଙ୍କ ଗୁଜରାଟରେ ଜଣେ ପ୍ରଶାସକ ବା ଜଣେ ପୁଲିସ୍‌ ଅଧିକାରୀ ଯଦି ପଦୋନ୍ନତି ଚାହିଁବେ, ତାଙ୍କୁ ସ˚ପୂର୍ଣ୍ଣ ଭାବେ ପ୍ରତାରକ ବ୍ୟବସ୍ଥା ମଧ୍ୟରେ ରହିବାକୁ ପଡ଼ିବ।’ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଏବ˚ ଅମିତ ଶାହ ଗୃହ ମନ୍ତ୍ରୀ ହେବା ସହ ଏହା କେନ୍ଦ୍ର ସରକାର କ୍ଷେତ୍ରରେ ମଧ୍ୟ ସତ୍ୟ। ତେବେ, କେବଳ ପ୍ରଶାସକ ଓ ପୁଲିସ୍‌ ଅଧିକାରୀ ନୁହନ୍ତି; ସମସ୍ତେ ତଥା ସବୁ ବିଭାଗକୁ ରହିବାକୁ ପଡ଼ିବ। ୨୦୧୪ ପୂର୍ବରୁ ଭାରତରେ ସରକାରୀ ଭାବେ ପ୍ରଦତ୍ତ ଅର୍ଥନୈତିକ ପରିସ˚ଖ୍ୟାନର ବିଶ୍ବସନୀୟତାକୁ ସାରା ବିଶ୍ବ ପ୍ରଶ˚ସା କରୁଥିଲା। ଏବେ ଗବେଷକମାନେ ଆଉ ତାହାକୁ ବିଶ୍ବାସ କରୁନାହାନ୍ତି। ପ୍ରତ୍ୟେକ କ୍ଷେତ୍ର, ଅର୍ଥନୀତି ହେଉ ବା ସ୍ବାସ୍ଥ୍ୟ ବା ଶିକ୍ଷା ବା ନିର୍ବାଚନୀ ପାଣ୍ଠି; କେଉଁଠି ସ୍ବଚ୍ଛତା ଓ ସତ୍ୟ ନାହିଁ। ସବୁଠି ଠକାମି, ଛଳନା ଓ ପ୍ରତାରଣା, ସରକାରର ଚରିତ୍ରକୁ ଦର୍ଶାଉଛି।
ଗୁଜରାଟ ମଡେଲ୍‌ର ଆଉ ଏକ ପରିଣାମ ହେଉଛି, ସାରା ଦେଶରେ ବିତର୍କ ଓ ଭିନ୍ନ ମତ ପୋଷଣକୁ ଯଥା ସ˚ଭବ ସୀମିତ କରିବା। ପୁଣି ଥରେ ଖେତାନଙ୍କୁ ଉଦ୍ଧାର କରୁଛି- ‘ବାର ବର୍ଷ ଧରି ଗୁଜରାଟରେ ଯେଉଁ ଶସ୍ତ୍ର ପଜାଯାଇଥିଲା, ଏବେ ଜାତୀୟ ସ୍ତରରେ ଭିନ୍ନ ମତକୁ ଦବାଇବା ତଥା ଭୟଭୀତ କରିବା ପାଇଁ ତାହା ବ୍ୟବହାର କରାଯାଉଛି। ମୋଦୀ ସମାଲୋଚକଙ୍କୁ ଦେଶ ବିରୋଧୀ ଭାବେ ଚିତ୍ରଣ ଓ ଗିରଫ କରାଯାଉଛି।’
ଶାନ୍ତିପୂର୍ଣ୍ଣ ଭିନ୍ନ ମତକୁ ଚପାଇବା ପାଇଁ ମୋଦୀ-ଶାହ ସରକାର ସ୍ବେଚ୍ଛାଚାରୀ ଭାବେ ସରକାରୀ କଳର ଅତ୍ୟଧିକ ଅପବ୍ୟବହାର କରୁଛି। ପୁଲିସ୍‌ ଓ ବିଭିନ୍ନ ଗୁଇନ୍ଦା ସ˚ସ୍ଥା କୌଣସି ନୋଟିସ୍‌ ନ ଦେଇ ବା ଜେରା ନ କରି, ପ୍ରଥମେ ବ୍ୟକ୍ତିବିଶେଷଙ୍କୁ ଗିରଫ କରିନେଉଛି। ସେମାନଙ୍କୁ ଜେଲ୍‌ରେ ଅଟକ ରଖିବା ପରେ, ସେମାନଙ୍କ ବିରୋଧରେ ‘ପ୍ରମାଣ’ ଯୋଗାଡ଼ କରାଯାଉଛି। ଗତ ବର୍ଷ ଫେବ୍ରୁଆରି ଦଙ୍ଗା ଆଳରେ ଛାତ୍ର ନେତା ଏପରିକି ମହିଳା ସକ୍ରିୟତାବାଦୀଙ୍କ ଉପରେ ଦିଲ୍ଲୀ ପୁଲିସ୍‌ର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଏହାର ନମୁନା, ଯଦିଓ ଦଙ୍ଗାରେ ସେମାନଙ୍କର କୌଣସି ସ˚ପୃକ୍ତି ନ ଥିଲା। ଅପର ପକ୍ଷେ ଖୋଲାଖୋଲି ଭାବେ ହି˚ସାକୁ ଉସକାଇଥିବା ଭାରତୀୟ ଜନତା ପାର୍ଟିର ନେତାଙ୍କ ବିରୋଧରେ ଏତଲା ସୁଦ୍ଧା ଦାଏର ହୋଇନାହିଁ। ଦଙ୍ଗା ନିୟନ୍ତ୍ରଣରେ ପୁଲିସ୍‌ର ଏହି ପକ୍ଷପାତୀ କାର୍ଯ୍ୟକଳାପ ବିରୋଧରେ ଜୁଲିଓ ରିବେରିଓ ଲେଖିଥିଲେ- ‘ଦିଲ୍ଲୀ ପୁଲିସ୍‌ର ଏହି ନିନ୍ଦନୀୟ ଅନ୍ୟାୟ କାର୍ଯ୍ୟ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀଙ୍କ ବିବେକକୁ ବ୍ୟଥିତ କରିବା ସହ ମନକୁ କ୍ରୋଧିତ କରୁଛି।’
ଶାସନ କଳର ଉଦ୍ଦେଶ୍ୟ ପ୍ରଣୋଦିତ ଅସତ୍‌ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଲା, ଶନିବାର ବିଳମ୍ବିତ ସନ୍ଧ୍ୟା ବା ରବିବାରେ ଗିରଫଦାରି, ଯେତେବେଳେ ଅଦାଲତ ବନ୍ଦ ଥିବ ଏବ˚ ହାତରେ ଓକିଲ ନ ଥିବେ। ଆଉ ଗୋଟିଏ ହେଲା, ‘ବେଆଇନ କାର୍ଯ୍ୟ ନିରୋଧୀ ଆଇନ’ ବା ‘ୟୁଏପିଏ’ ବଳରେ ଗିରଫଦାରି। ଏହା ଏକ ବିତର୍କିତ, ଅବୋଧ୍ୟ ଏବଂ ଅତି କଠୋର ଆଇନ। ଜଣେ ଆଇନଜ୍ଞଙ୍କ ମତରେ ଏହା ନାଗରିକ ଅଧିକାର ବିରୋଧୀ। ସରକାର ଏହି ଆଇନ ବଳରେ ନାଗରିକର ଅଧିକାର କ୍ଷୁଣ୍ଣ କରୁଛି।
କେନ୍ଦ୍ର ତଥା ଭାଜପା ଶାସିତ ରାଜ୍ୟଗୁଡ଼ିକରେ ପୁଲିସ୍‌ ପକ୍ଷପାତୀ କାର୍ଯ୍ୟ କରୁଛି। ନାଗରିକମାନଙ୍କୁ ସେମାନଙ୍କର ରାଜନୈତିକ ସ˚ପୃକ୍ତି ଅନୁଯାୟୀ ବ୍ୟବହାର କରାଯାଉଛି। ଜଣେ ଜଳବାୟୁ ସକ୍ରିୟତାବାଦୀ ଶାନ୍ତି-ପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିବା କୃଷକମାନଙ୍କ ସମର୍ଥନରେ ଟୁଇଟ୍‌ କରିବାରୁ, ତାଙ୍କୁ ଦେଶଦ୍ରୋହ ଅପରାଧରେ ଜେଲ୍‌ ପଠାଇଦିଆଗଲା। ଜଣେ ରାଜନେତା ଭିନ୍ନ ମତ ପୋଷଣକୁ ସମର୍ଥନ ଦେବାରୁ ତାଙ୍କୁ କ୍ୟାବିନେଟ୍‌ ପଦ ହରାଇବାକୁ ପଡ଼ିଲା। ଗୁଣ୍ତା ଶ୍ରେଣୀୟ ଯୁବକମାନେ ଦଳବଦ୍ଧ ହୋଇ ସହର ସହରର ଗଳି-କନ୍ଦିରେ ବୁଲିବୁଲି ଲୋକଙ୍କଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରୁଛନ୍ତି। ଯେଉଁଥି ପାଇଁ ଚାନ୍ଦା ଦାବି କରାଯାଉଛି, ତାହା ଦେଉଥିବା ଲୋକଙ୍କର କୌଣସି ଆବଶ୍ୟକତା ପାଇଁ ନୁହେଁ ଏବ˚ ପୁଲିସ୍‌ ନିରବଦ୍ରଷ୍ଟା ସାଜିଛି। କେତେକ ରାଜ୍ୟରେ ଭାଜପା ପାଇଁ ସଜାଗତାକୁ ପ୍ରୋତ୍ସାହନ ଦିଆଯାଉଛି। ଅପର ପକ୍ଷେ ଶାନ୍ତିପୂର୍ଣ୍ଣ ସ୍ବାଧୀନ ସ୍ବରକୁ ଚପାଇଦେବା ପାଇଁ ପୁଲିସ୍‌ ଓ ଆଇନର ଦୁରୁପଯୋଗ କରାଯାଉଛି।
ବରିଷ୍ଠ ପୁଲିସ୍‌ ଅଧିକାରୀ କ୍ଷମତାରେ ଥିବା ରାଜନେତାମାନଙ୍କ ନିର୍ଦେଶ ପାଳନ କରିବା, ଭାରତ ପାଇଁ ବେଶ୍‌ ପୁରୁଣା। ଏହା କେବଳ ଭାଜପା ଶାସିତ ରାଜ୍ୟରେ ଘଟେନାହିଁ। ଏହା ସବୁଠି ଘଟେ। ମହାରାଷ୍ଟ୍ରର ଘଟନା, ଏହାର ସଦ୍ୟ ନମୁନା। ତେବେ, ମୋଦୀ-ଶାହ ସରକାରରେ ପୁଲିସ୍‌ ଫୋର୍ସ‌୍‌ର ସା˚ପ୍ରଦାୟୀକରଣ ସବୁଠାରୁ ବିବ୍ରତକର। ଏହା ମଧ୍ୟ ଏକ ନୂଆ କଥା ନୁହେଁ। ସୁଦୂର ୧୯୮୦ରେ ଉତ୍ତର ଭାରତର ଏକାଧିକ ରାଜ୍ୟରେ ପୁଲିସ୍‌ ଏ ଭଳି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଜଣାଯାଏ। ଏହା ସ˚ଖ୍ୟାଲଘୁ ଗୋଷ୍ଠୀର ଆଇନଭଙ୍ଗକାରୀଙ୍କ ତୁଳନାରେ ସ˚ଖ୍ୟାଗରିଷ୍ଠ ସ˚ପ୍ରଦାୟର ଆଇନଭଙ୍ଗକାରୀଙ୍କ ପ୍ରତି ଅପେକ୍ଷାକୃତ କୋମଳ ଦୃଷ୍ଟିଭଙ୍ଗୀ ରଖିବା ଦେଖାଯାଇଥିଲା।
ଏହି ସ˚ଖ୍ୟାଗରିଷ୍ଠ ପକ୍ଷପାତିତା ଏବେ ଅଧିକ ସ୍ପଷ୍ଟ ଭାବେ ଦୃଶ୍ୟ ହେଉଛି। ନିକଟରେ ମଧ୍ୟପ୍ରଦେଶରେ ହିନ୍ଦୁତ୍ବବାଦୀଙ୍କ ଦ୍ବାରା ମୁସଲମାନ ଘରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ବାବଦରେ ‘ଇ˚ଡିଆନ୍‌ ଏକ୍‌ସପ୍ରେସ୍‌’ରେ ଏକ ନିବନ୍ଧ ଲେଖିଛନ୍ତି, ଜୁଲିଓ ରିବେରିଓଙ୍କ ସହ ତୁଳନୀୟ ଜଣେ ସଚ୍ଚୋଟ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ବିଭୂତି ନାରାୟଣ ରାୟ। ଆକ୍ରମଣର ଏକ ଭିଡିଓ ପ୍ରସାରିତ ହେଉଛି, ଯେଉଁଥିରେ ଦୁଇ ଜଣ ହିନ୍ଦୁତ୍ବବାଦୀ ଅସାମାଜିକ ବ୍ୟକ୍ତି ନାରଙ୍ଗୀ ଧ୍ବଜା ଓ ତ୍ରିଶୂଳ ଧରିଥିବା ଏବ˚ ଜଣେ ପୁଲିସ୍‌ ଇନ୍‌ସପେକ୍‌ଟର‌୍‌ ଲଜ୍ଜାରେ ମୁଣ୍ତ ପୋତି ଛିଡ଼ାହୋଇଥିବା ଦେଖିବାକୁ ମିଳୁଛି। ରାୟ ଲେଖିଛନ୍ତି- ‘ଉକ୍ତ ଇନ୍‌ସପେକ୍‌ଟର‌୍‌ ଏବ˚ ତାଙ୍କ ସାଥୀମାନେ ଏଥି ପାଇଁ ଲଜ୍ଜିତ ଯେ, ଗୁଣ୍ତାମାନେ ସେମାନଙ୍କ ଉପସ୍ଥିତିରେ ଆକ୍ରମଣ, ଲୁଣ୍ଠନ କରୁଛନ୍ତି, ପ୍ରତିରୋଧ ପାଇଁ ଅକ୍ଷମ ଉଭୟ ପୁରୁଷ ଓ ମହିଳାଙ୍କୁ ମାଡ଼ ମାରୁଛନ୍ତି ଏବ˚ ଯଥେଷ୍ଟ ସ˚ଖ୍ୟକ ପୁଲିସ୍‌ ଥାଇ ବି କିଛି କରିପାରୁନାହାନ୍ତି।’
ଭିଡିଓଟି ସ୍ବାଭାବିକ ଭାବେ ରାୟଙ୍କୁ ବିବ୍ରତ କରିଛି। କାରଣ, ରିବେରିଓଙ୍କ ଭଳି ସେ ସର୍ବଦା ନିଜର ଖାକି ପୋଷାକକୁ ସମ୍ମାନ ଦେଉଥିଲେ ଏବ˚ ପେସାଦାର ଜୀବନର ଭବିଷ୍ୟତ୍‌ର ବ୍ୟକ୍ତିଗତ ଲାଭ-କ୍ଷତି ପ୍ରତି ଧ୍ୟାନ ନ ଦେଇ କୌଣସି ହି˚ସାକାଣ୍ତ ଘଟିବା ପୂର୍ବରୁ ପ୍ରତିରୋଧମୂଳକ ପଦକ୍ଷେପ ନେଉଥିଲେ। ବିଡ଼ମ୍ବନା ଯେ, ପୁଲିସ୍‌ ସେବାରେ ଏ ଭଳି ସଚ୍ଚୋଟ, ସମର୍ଥ ଓ ସାହସୀ ଅଫିସର‌୍‌ ଆଉ ନାହାନ୍ତି। ରାୟ ଦୁଃଖର ସହ ଲେଖିଛନ୍ତି- ‘ମଧ୍ୟପ୍ରଦେଶରେ ଏକ ଅଲିଖିତ ନୂଆ ପୁଲିସ୍‌ ପ୍ରକରଣ ପୁସ୍ତିକା ମୁଣ୍ତ ଟେକିଛି, ଯାହା ଅନୁଯାୟୀ ଆଇନ ଭଙ୍ଗକାରୀଙ୍କୁ ରୋକିବା ପୁଲିସ୍‌ର କାମ ନୁହେଁ। ବର˚, ଖଣ୍ଟଙ୍କୁ ସେମାନଙ୍କ ମନ୍ଦ ଲକ୍ଷ୍ୟ ହାସଲ କରିବାକୁ ଛାଡ଼ିଦେବା ଏବ˚ ନିର୍ଯାତିତଙ୍କୁ ପଳାୟନ କରିବାକୁ ବାଧ୍ୟ କରିବା ଏହାର କାର୍ଯ୍ୟ।’
ନିଜ ବହିରେ ଆଶିଷ ଖେତାନ ମୋଦୀଙ୍କ ଅଧୀନରେ ଗୁଜରାଟର ଅବସ୍ଥା ବାବଦରେ ଲେଖିଛନ୍ତି- ‘ଏଠାରେ ସା˚ପ୍ରଦାୟିକ ମତାନ୍ଧତା ସ୍ପର୍ଶ କରି ନ ଥିବା କୌଣସି ସରକାରୀ ଅନୁଷ୍ଠାନ ବା ଅନ୍ୟ ପ୍ରାଦେଶିକ ସ˚ସ୍ଥା ନାହିଁ। ଗୁଜରାଟ ପୁଲିସ୍‌ ମିଥ୍ୟା ପ୍ରମାଣ ସୃଷ୍ଟି କରୁଛି।’ ମେ ୨୦୧୪ ପରେ ଅନୁଷ୍ଠାନଗୁଡ଼ିକର ସା˚ପ୍ରଦାୟିକତା କେନ୍ଦ୍ରୀୟ ସ୍ତରରେ ବ୍ୟାପକ ହୋଇଛି; ଏବ˚ ଏଥି ସହ ରାଜନୀତିରେ ଲାଞ୍ଚ ଓ ବଳ ପ୍ରୟୋଗ ମଧ୍ୟ। ଭାରତୀୟ ରାଜନୀତିରେ ଟଙ୍କା ଏବ˚ ସରକାରୀ କଳର ନିୟନ୍ତ୍ରଣ ସର୍ବଦା ମୁଖ୍ୟ ଭୂମିକାରେ ରହିଆସିଛି; କିନ୍ତୁ, ୨୦୧୪ ପୂର୍ବରୁ ଏହା କେବେ ଏତେ ବ୍ୟାପକ ନ ଥିଲା। ବିଭିନ୍ନ ରାଜ୍ୟରେ ନିର୍ବାଚନ ଆୟୋଗର ନିର୍ବାଚନ କାର୍ଯ୍ୟକ୍ରମଗୁଡ଼ିକର ସୂଚୀ ଶାସକ ଦଳର ପ୍ରଚାରକୁ ସୁହାଇବା ଭଳି କରାଯାଉଛି। ରାଜନୈତିକ ବିରୋଧୀମାନଙ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସ˚ସ୍ଥା ‘ସିବିଆଇ’ ଏବ˚ ପ୍ରବର୍ତ୍ତନ ନିର୍ଦେଶାଳୟର ଅସତ୍‌ ବ୍ୟବହାର କ˚ଗ୍ରେସ୍‌ ସମୟରେ ଅଜଣା ନ ଥିଲା; ତେବେ, ଭାଜପା ଏହାକୁ ଏକ ସ˚ପୂର୍ଣ୍ଣ ଭିନ୍ନ ସ୍ତରରେ ଆଣି ପହଞ୍ଚାଇସାରିଛି। ଛୋଟିଆ ପୁଡ଼ୁଚେରୀ ଏହାର ସଦ୍ୟତମ ଉଦାହରଣ। ଅର୍ଥ ଓ କେନ୍ଦ୍ରୀୟ ଶକ୍ତିର ଅପବ୍ୟବହାର କରି ଏଠାରେ ସରକାର ଭଙ୍ଗାଯାଇଥିଲା। ମୁଁ ଏହି ନିବନ୍ଧ ରଚନା କରୁଥିବା ବେଳେ ତାମିଲନାଡୁର ଏକ ଅଗ୍ରଣୀ ବିରୋଧୀ ଦଳୀୟ ପରିବାରର ସଦସ୍ୟଙ୍କ ଘରେ ଚଢ଼ାଉ କରାଯାଇଥିଲା। ଜାତୀୟ ତଦନ୍ତକାରୀ ସ˚ସ୍ଥାକୁ ଲଗାଇ ଦେବେ ବୋଲି ଆସାମର ଜଣେ ଭାଜପା ମନ୍ତ୍ରୀ, ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ଧମକ ଦେଇଥିଲେ। ଦୁଇଟି ଯାକ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳରେ ସମାନ ପ୍ରକାରର ଘଟନାକୁ କାକତାଳୀୟ ବୋଲି କୁହାଯାଇ ନ ପାରେ।
ଗୁଜରାଟରେ ସ˚ପୂର୍ଣ୍ଣ କ୍ଷମତା ହାସଲ କରିବା ପାଇଁ ମୋଦୀ-ଶାହ ତିନି ପ୍ରକାରର ମେଣ୍ଟ କରିଥିଲେ: ପ୍ରଥମ, ଉତ୍ସର୍ଗୀକୃତ ପ୍ରଶାସନ ଓ ପୁଲିସ୍‌ ବଳ; ଦ୍ବିତୀୟ, ଏକ ବଶ୍ୟ ଓ ପ୍ରଚାରକ ଗଣମାଧ୍ୟମ; ଏବ˚ ତୃତୀୟ, ଏକ ଆଜ୍ଞାଧୀନ ନ୍ୟାୟପାଳିକା। ଖେତାନ ନିଜ ପୁସ୍ତକରେ ଗୁଜରାଟର ବିଚାର ବ୍ୟବସ୍ଥା ବାବଦରେ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଲିପିବଦ୍ଧ କରିଛନ୍ତି। ସାଧାରଣ ଲୋକ ପାଇଁ ନ୍ୟାୟ ଯାହା ହେବା କଥା, ତାହା ଗୁଜରାଟର ନ୍ୟାୟପାଳିକାରେ ଦେଖିବାକୁ ମିଳୁ ନ ଥିବା ସେ ଲେଖିଛନ୍ତି। କେନ୍ଦ୍ରରେ ମଧ୍ୟ ସ˚ପୂର୍ଣ୍ଣ କ୍ଷମତା ହାସଲ କରିବା ପାଇଁ ମୋଦୀ-ଶାହ ସମାନ ପଦ୍ଧତି ଅବଲମ୍ବନ କରିଛନ୍ତି। ତେବେ, ମୁଖ୍ୟତଃ ତିନିଟି କାରଣରୁ ସେମାନେ ନିଜ ଉଦ୍ୟମରେ ସ˚ପୂର୍ଣ୍ଣ ସଫଳ ହୋଇପାରିନାହାନ୍ତି। ପ୍ରଥମ, ଅଧିକା˚ଶ ବଡ଼ ରାଜ୍ୟ ଭାଜପା ଶାସିତ ନୁହେଁ। ଦ୍ବିତୀୟ, ଯଦିଓ ଅଧିକା˚ଶ ମୁଖ୍ୟ ହିନ୍ଦୀ ଖବରକାଗଜ ଏବ˚ ମୁଖ୍ୟ ଇ˚ଲିସ୍‌ ଓ ହିନ୍ଦୀ ଟେଲିଭିଜନ୍‌ ଚାନେଲ୍‌ ଭାଜପା ଦଳର ଇ˚ଗିତରେ ଚାଲୁଛନ୍ତି, କିଛି େଵବ୍‌ ସାଇଟ୍‌ ଓ ଇ˚ଲିସ୍‌ ଖବରକାଗଜ ତଥାପି ସ୍ବାଧୀନ ଅଛନ୍ତି। ତୃତୀୟ, ଯଦିଓ ଅଦାଲତଗୁଡ଼ିକ ଦୁର୍ବଳ ହୋଇପଡ଼ିଛନ୍ତି, ତଥାପି ବେଳେ ବେଳେ କେହି କେହି ବିଚାରପତି ବ୍ୟକ୍ତି ଅଧିକାର ଏବ˚ ମତ ଜାହିର କରିବାର ସ୍ବାଧୀନତା ପ୍ରସଙ୍ଗରେ ମୁଣ୍ତ ଉଠାଉଛନ୍ତି।
ସେ ଯାହା ହେଉ ମୋଦୀ-ଶାହ କ’ଣ ଚାହୁଛନ୍ତି ଏବ˚ ଭାରତ କେଉଁ ଆଡ଼କୁ ଯାଉଛି, ତାହା ସ୍ପଷ୍ଟ। ଶେଷ ଥର ଆଶିଷ ଖେତାନଙ୍କୁ ଉଦ୍ଧାର କରୁଛି- ‘ମୋଦୀ ସମସ୍ତ ଭିନ୍ନ ମତ ଓ ବିରୋଧକୁ ଦମନ କରିବା ପାଇଁ ଶାସନ କଳକୁ ଲଗାଇଥିବା ବେଳେ, ଏହାକୁ ରୋକିବାରେ ଆଇନ ଅସମର୍ଥ। ସାମ୍ବିଧାନିକ ଗଣତନ୍ତ୍ର କ୍ରମଶଃ ଦୁର୍ବଳ ହୋଇଚାଲିଛି। ସ˚ଖ୍ୟାଲଘୁ ବିଶେଷତଃ ମୁସଲମାନ ସ˚ପ୍ରଦାୟ ଆକ୍ରୋଶର ଶିକାର। ହିନ୍ଦୁ ଦକ୍ଷିଣପନ୍ଥୀ ଦଙ୍ଗାକାରୀ ନିୟନ୍ତ୍ରଣମୁକ୍ତ। ଭିନ୍ନ ମତ ପୋଷଣକାରୀ ଓ ବିରୋଧୀଙ୍କର ବେଆଇନ ଗିରଫଦାରି ଚାଲିଛି। ମାନବାଧିକାର ସ˚ଗଠନ ଓ ସକ୍ରିୟତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ରାଜନୈତିକ ବିରୋଧୀ ଓ ଅସନ୍ତୁଷ୍ଟଙ୍କୁ ଦମନ କରିବା ପାଇଁ ପୁଲିସ୍‌, ପ୍ରଶାସନ ଓ ନ୍ୟାୟପାଳିକାର ଅସତ୍‌ ବ୍ୟବହାର କରାଯାଉଛି। ମୋଦୀଙ୍କ ଶାସନରେ ଏସବୁ ଯେଉଁ ପରିମାଣରେ ଘଟୁଛି, ପୂର୍ବରୁ କେବେ ଭାରତରେ ଦେଖାଯାଇ ନ ଥିଲା।’
ଏକ ସମାଜ ଯେଉଁଠି ଜଣେ ପୁଲିସ୍‌କୁ ବିଶ୍ବାସ କରିବା ପରିବର୍ତ୍ତେ ଭୟ କରେ; ଯେଉଁଠି ଜଣେ ବିଚାରପତିଙ୍କଠାରୁ ନ୍ୟାୟ ଆଶା କରି ପାରେନାହିଁ; ଯେଉଁଠି ଜଣଙ୍କର ନିର୍ଦୋଷତା ବା ଅପରାଧ ତାହାର ଧର୍ମ ଏବ˚ ସେ କେଉଁ ଦଳର ସମର୍ଥକ, ତାହା ଉପରେ ନିର୍ଭର କରେ- ଏସବୁ ହେଉଛି ‘ଗୁଜରାଟ ମଡେଲ୍‌’ର ବୈଶିଷ୍ଟ୍ୟ। ଆଉ ଆମେ ଏବେ କେନ୍ଦ୍ରରେ ସେହି ‘ଗୁଜରାଟ ମଡେଲ୍‌’ର ପରିଣାମ ଦେଖୁଛେ। ୧୯୭୫-୭୭ର ଜରୁରିକାଳୀନ ପରିସ୍ଥିତି ପରେ ଆମେ ସ˚ପ୍ରତି ଏକ ରାଷ୍ଟ୍ର ଭାବେ ସାମ୍ବିଧାନିକ ଆଦର୍ଶ ଠାରୁ ଏବ˚ ୨୬ ଜାନୁଆରି ୧୯୫୦ରେ ସମ୍ବିଧାନ ଲାଗୁ ହେବା ପରେ ଏବେ ସାମାଜିକ ଓ ନୈତିକ ଆଦର୍ଶଠାରୁ ଦୂରେଇ ଦୂରେଇ ଯାଉଛେ।

Advertisment

(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)