ଗାନ୍ଧୀଙ୍କ ପ୍ରିୟ ଓଡ଼ିଆ- ଏକ ଅଜଣା ଅଧ୍ୟାୟ

ପ୍ରଫୁଲ୍ଲ କୁମାର ମିଶ୍ର

ମହାତ୍ମା ଗାନ୍ଧୀ ଓଡ଼ିଶା ପଦାର୍ପଣ କରିବାର ଶହେ ବର୍ଷରୁ ଅଧିକ କାଳ ଅତୀତ ହୋଇଛି। ଏହି ଅବସରରେ ଜଣେ ବିପ୍ଳବ-ମନସ୍କ, ମୁକ୍ତି ଯୋଦ୍ଧା ଓ ବିଶିଷ୍ଟ କର୍ମଯୋଗୀଙ୍କ କଥା ମନେ ପଡ଼େ। ସେ ଦିନେ ଗାନ୍ଧୀଜୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜନମାନସରୁ ବିସ୍ମୃତପ୍ରାୟ ସେହି ଆଜୀବନ ତ୍ୟାଗୀଙ୍କ ବିଷୟରେ ଏବଂ ଗାନ୍ଧୀଙ୍କ ଓଡ଼ିଶା ପଦାର୍ପଣ ସହ ଜଡ଼ିତ ଐତିହାସିକ ସତ୍ୟକୁ ଜାଣିବା ପାଇଁ ହେଲେ ଶହେ ବର୍ଷ ତଳର ପୃଷ୍ଠଭୂମି ଉପରେ ଦୃଷ୍ଟି ପକାଇବାକୁ ହେବ।

୧୯୧୯-୨୦ ମସିହାରେ ଓଡ଼ିଶାରେ ଘଟିଥିବା ଅଭୂତପୂର୍ବ ବନ୍ୟା ଓ ମରୁଡ଼ି ପରିସ୍ଥିତି ଜନଜୀବନକୁ କିପରି ଛାରଖାର କରିଦେଇଥିଲା, ତାହା ଜନ ସ୍ମୃତିରେ ଏଯାବତ୍ ଉଜ୍ଜୀବିତ ହୋଇ ରହିଛି। ଏଥିରେ ସହସ୍ରାଧିକ ଲୋକ ଅନାହାରରେ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ବହୁ ସଂଖ୍ୟାରେ ଲୋକ ଭୋକ ବିକଳରେ ନିଜର ଘରଦ୍ବାର ଛାଡ଼ି ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇ ଯାଇଥିଲେ। ଉକ୍ତ ବିପର୍ଯ୍ୟୟର ପ୍ରଭାବ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଂଚଳରେ ବିଶେଷ ଅନୁଭୂତ ହୋଇଥିଲା। ସେତେବେଳେ ଖାଇବାକୁ ନ ପାଇ ଶହଶହ କଙ୍କାଳସାର ମଣିଷ ରାସ୍ତା କଡ଼ରେ ମରି ପଡୁଥିବା ବେଳେ ଏହାର କୌଣସି ପ୍ରତିକାର ଚିନ୍ତା କରିବା ତ ଦୂରର କଥା, ଏହି ଭୟାବହ ମରୁଡ଼ିଜନିତ ଅନାହାର ମୃତ୍ୟୁକୁ ତତ୍କାଳୀନ ବ୍ରିଟିସ୍‌ ସରକାର ସ୍ବୀକାର କରିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରିଥିଲେ।

ସେହି ସମୟରେ ଗାନ୍ଧୀଜୀ ବମ୍ବେ ଠାରେ ତାଙ୍କର ଜନୈକ ବନ୍ଧୁ ବିଶିଷ୍ଟ ହୀରା ବ୍ୟବସାୟୀ ରେବାଶଙ୍କର ଜଗଜ୍ଜୀବନଙ୍କ ଘରେ ରହୁଥାନ୍ତି। ତାଙ୍କ ସହିତ ରହୁଥିଲେ ସାବରମତୀ ଆଶ୍ରମର ଆଜୀବନ ସଦସ୍ୟ ଜଣେ କର୍ମବୀର ଓଡ଼ିଆ ଯୁବକ ‘ଗୋବିନ୍ଦ’। ସେଠାରେ ଗାନ୍ଧୀଜୀଙ୍କର ବ୍ୟକ୍ତିଗତ ସେବା କାର୍ଯ୍ୟ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥାଏ। କେତେକ ସମ୍ବାଦପତ୍ରରୁ ଓଡ଼ିଶାର ଦୁର୍ଭିକ୍ଷଜନିତ ପରିସ୍ଥିତି ବିଷୟରେ ଜାଣିବାକୁ ପାଇ ଗୋବିନ୍ଦ ଖୁବ୍ ବିଚଳିତ ହୋଇପଡ଼ିଥିଲେ। ଗାନ୍ଧୀଜୀଙ୍କୁ ଏ ବିଷୟରେ କହି ବମ୍ବେରୁ କିଛି ଅର୍ଥ ସଂଗ୍ରହ କରି ପଣ୍ଡିତ ଗୋପବନ୍ଧୁଙ୍କ ଜରିଆରେ ଦୁର୍ଭିକ୍ଷ ପୀଡ଼ିତଙ୍କ ନିକଟକୁ ପଠାଇବାକୁ ତାଙ୍କର ଇଚ୍ଛା ଥାଏ। ତେଣୁ ସମୟ ସୁବିଧା ଦେଖି ସେ ଓଡ଼ିଶାର ଦୁର୍ଭିକ୍ଷ ପରିସ୍ଥିତି କଥା ଗାନ୍ଧୀଜୀଙ୍କୁ ଶୁଣାଇଥିଲେ। ଗୋବିନ୍ଦଙ୍କଠାରୁ ସବୁ କଥା ଶୁଣି ଗାନ୍ଧୀଜୀ ନ ଶୁଣିଲା ପରି ପ୍ରଥମେ ନିରବ ରହିଥିଲେ। ‘ଅନାହାରରେ ଓଡ଼ିଶାର ବହୁ ଲୋକ ପ୍ରାଣ ହରାଉଥିବା ବେଳେ ସେମାନଙ୍କୁ ସାହାଯ୍ୟର ଖୁବ୍‌ ଆବଶ୍ୟକତା ରହିଛି’ ବୋଲି ଗୋବିନ୍ଦ ବାରମ୍ବାର ଗାନ୍ଧୀଜୀଙ୍କୁ ଅବଗତ କରାଇବା ସତ୍ତ୍ବେ ସେ ଏଥିପ୍ରତି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ତଥାପି ଗୋବିନ୍ଦ ନିଜ ଚେଷ୍ଟାରୁ ବିରତ ହୋଇ ନ ଥିଲେ। କ୍ରମେ ଗାନ୍ଧୀଜୀ ତାଙ୍କ କଥା ପ୍ରତି ଆଗ୍ରହୀ ହେବା ସେ ଲକ୍ଷ୍ୟ କଲେ। ତଥାପି ଗାନ୍ଧୀଜୀ ଓଡ଼ିଶାର ମାନବୀୟ ସଂକଟ ନେଇ ବୀତସ୍ପୃହ ଜଣାପଡୁଥିଲେ।

୧୯୨୦ ମସିହା ଏପ୍ରିଲ ମାସ। ଗାନ୍ଧୀଜୀ ପଞ୍ଜାବ ଗଣହତ୍ୟା ଓ ଖିଲାଫତ୍‌ ପ୍ରଶ୍ନ ନେଇ ବ୍ୟସ୍ତ ଥା’ନ୍ତି। ବିଶେଷତଃ ଜାଲିଆନାୱାଲାବାଗ୍ ଘଟଣାର ସ୍ମୃତି ରକ୍ଷା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସେ ଦିନରାତି ପରିଶ୍ରମ କରୁଥାନ୍ତି। କିନ୍ତୁ ଓଡ଼ିଶାର ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କ ସଂଦର୍ଭରେ ଗାନ୍ଧୀଜୀ ନିରବ ଥାଆନ୍ତି। ଏହା ଗୋବିନ୍ଦଙ୍କୁ ଧୈର୍ଯ୍ୟହରା କରି ଦେଉଥାଏ। ଏପ୍ରିଲ ମାସର ୯ କିମ୍ବା ୧୦ ତାରିଖ। ସେଦିନ ଚାନ୍ଦା ସଂଗ୍ରହ ଶେଷ କରି ଗାନ୍ଧୀଜୀ ବସାକୁ ଫେରିଲା ବେଳକୁ ତାଙ୍କ ସ୍ନାନ, ଭୋଜନର ସମୟ ଗଡ଼ି ଯାଇଥାଏ। ସେ ବସାରେ ଉପସ୍ଥିତ ହେବା ମାତ୍ରେ ତାଙ୍କୁ ଗୋବିନ୍ଦ ଅତ୍ୟନ୍ତ ଆବେଗଭରା କଣ୍ଠରେ ହିନ୍ଦୀ ଭାଷାରେ ଯାହା କହିଥିଲେ, ତା’ର ଓଡ଼ିଆ ଭାଷାନ୍ତର ହେଲା- ‘ବାପୁଜୀ ଯେଉଁମାନେ ମରି ଯାଇଛନ୍ତି, ସେମାନଙ୍କ ଲାଗି ଆପଣ କେତେ କଷ୍ଟ ଉଠାଉଛନ୍ତି। କିନ୍ତୁ ଯେଉଁମାନେ ମରୁଛନ୍ତି, ସେମାନଙ୍କ ଲାଗି ଟିକିଏ ହେଲେ ଭାବୁ ନାହାନ୍ତି।’ ଗୋବିନ୍ଦଙ୍କ ଠାରୁ ଏପରି କଥା ଶୁଣି ଗାନ୍ଧୀଜୀ ସାମାନ୍ୟ ବିରକ୍ତି ପ୍ରକାଶ କରିବା ସହିତ କହିଥିଲେ- ‘ତୋର ମୁହଁ କଥାକୁ ମୁଁ କ’ଣ ବିଶ୍ୱାସ କରିବି, ତୋ ନିକଟରେ ଯଦି କିଛି କାଗଜପତ୍ର ଥାଏ, ମୋତେ ଦେଖା। ମୁଁ ତାହାର ବିଚାର କରିବି।’

ଯଥା ସମୟରେ ଗୋବିନ୍ଦ ସମ୍ବାଦପତ୍ରରୁ ସଂଗ୍ରହ କରି ରଖିଥିବା ସମସ୍ତ କାଗଜପତ୍ର ଗାନ୍ଧୀଜୀଙ୍କୁ ଦେଖାଇଲେ। ଏଥି ପୂର୍ବରୁ ଭାରତ ସେବକ ସମାଜର ସଭ୍ୟ ଅମୃତଲାଲ ଠକ୍କର୍‌ଙ୍କ ସହିତ ଗୋବିନ୍ଦ ପୁରୀ ଦୁର୍ଭିକ୍ଷ ବିଷୟରେ ବିଚାର ଆଲୋଚନା କରିଥିଲେ। ତା’ ପରେ ଠକ୍କର୍‌ଙ୍କ ପ୍ରସ୍ତାବ ଅନୁସାରେ ସେ ଗାନ୍ଧୀଜୀଙ୍କୁ କହିଥିଲେ ଯେ ଗାନ୍ଧୀଜୀ ଏ ସଂପର୍କରେ ଗୋଟିଏ ନିବେଦନ ପତ୍ର ପ୍ରକାଶ କଲେ, ଠକ୍କର୍‌ ଓ ସେ ମିଶି ଅର୍ଥ ସଂଗ୍ରହ କରି ଗୋପବନ୍ଧୁଙ୍କ ନିକଟକୁ ପଠାଇବେ। ଏ କଥା ଶୁଣି ଗାନ୍ଧୀ ତତ୍‌କ୍ଷଣାତ୍‌ ଠକ୍କର୍‌ଙ୍କୁ ଡକାଇ ଥିଲେ। ଓଡ଼ିଶାର ଦୁର୍ଭିକ୍ଷ ପରିସ୍ଥିତି ଓ ସହାୟତା ପାଇଁ କେତେ ଅର୍ଥର ଆବଶ୍ୟକତା ଅଛି, ସେ ସଂପର୍କରେ ଏକ ରିପୋର୍ଟ ଦେବାପାଇଁ ଗାନ୍ଧୀଜୀ ଠକ୍କର୍‌ଙ୍କୁ କହିଥିଲେ। ଠକ୍କର୍‌ ତୁରନ୍ତ ପୁରୀ ଯାତ୍ରା କରିଥିଲେ। ଏହିପରି ଭାବେ ଗାନ୍ଧୀଜୀ ଓଡ଼ିଶା ଦୁର୍ଭିକ୍ଷ ବିଷୟ ହାତକୁ ନେଇଥିଲେ ଏବଂ ଓଡ଼ିଶା ସହିତ ତାଙ୍କର ପରିଚୟ ସୃଷ୍ଟି ହୋଇ ପରେ ସୁଦୃଢ଼ ହୋଇଥିଲା।

ପୁରୀ ଜିଲ୍ଲାର କେତେକ ମରୁଡ଼ିଗ୍ରସ୍ତ ଗ୍ରାମ ପରିଦର୍ଶନ କରିବା ପରେ ଠକ୍କର୍‌ ବିପନ୍ନ ଲୋକଙ୍କ ଦୁଃଖଦୁର୍ଦଶା ସଂପର୍କରେ ଗାନ୍ଧୀଜୀଙ୍କୁ ଜଣାଇବା ସଙ୍ଗେସଙ୍ଗେ ଯଥାଶୀଘ୍ର ଅର୍ଥ ସହାୟତା ପାଇଁ ପତ୍ର ଲେଖିଥିଲେ। ଗାନ୍ଧୀଜୀ ୧୯୨୦ ମସିହା ମଇ ମାସରେ ହିନ୍ଦୀ, ଇଂରେଜୀ ଓ ଗୁଜୁରାଟୀ ଭାଷାରେ ‘ନବଜୀବନ’ ଓ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଓଡ଼ିଶାରେ ଦୁର୍ଭିକ୍ଷ ଶିରୋନାମାରେ ଏକ ନିବେଦନ ପତ୍ର ଛପାଇଥିଲେ। ସେଥିରେ ସେ ଲେଖିଥିଲେ- ‘ଓଡ଼ିଶା କହିଲେ ଏକ ଭୌଗୋଳିକ ନାମ ମାତ୍ର ବୋଲି ସମସ୍ତେ ଜାଣନ୍ତି। ଓଡ଼ିଶାର ବର୍ତ୍ତମାନ ଅବସ୍ଥା ବାହାରକୁ ବେଶୀ ଜଣା ପଡୁନାହିଁ। ଗତ କେତେ ମାସ ହେଲା ଜଣେ ଓଡ଼ିଆ ବନ୍ଧୁ ମୋତେ ଓଡ଼ିଶା ସମସ୍ୟା ପ୍ରତି ଆଗ୍ରହୀ କରାଇବା ପାଇଁ ଚେଷ୍ଟା କରୁଛନ୍ତି। ସେ ଚାହିଁ ବସିଥିବେ, ଟିକିଏ ସମୟ ପାଇଲେ ଓଡ଼ିଶା କଥା ମୋତେ କହିବେ। ଗତ କେତେ ସପ୍ତାହ ହେଲା ଓଡ଼ିଶାରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିବା କଥା ସେ ବାରମ୍ବାର ମୋତେ କହିଛନ୍ତି ଓ ଓଡ଼ିଶା ଯିବାକୁ ମୋତେ ନିୟମିତ କୁହାଯାଇଛି।’

ଗାନ୍ଧୀଜୀଙ୍କୁ ଓଡ଼ିଶା ପ୍ରତି ଆଗ୍ରହୀ କରିଥିବା ଏହି ବ୍ୟକ୍ତି ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଗୋବିନ୍ଦଚନ୍ଦ୍ର ମିଶ୍ର। ଏହା ପରେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶ କ୍ରମେ ଗୋବିନ୍ଦ ପୁରୀ ଆସି ଠକ୍କର୍‌ଙ୍କ ସହିତ ଦୁର୍ଭିକ୍ଷଗ୍ରସ୍ତ ଅଞ୍ଚଳରେ ସେବାକାର୍ଯ୍ୟ ସଂପାଦନ କରି ବମ୍ବେ ଫେରିଯାଇଥିଲେ।
ଓଡ଼ିଶାର ଏକ ପୁରାତନ ଗଡ଼ଜାତ ରାଜ୍ୟ ଦଶପଲ୍ଲାରେ ୧୮୮୮ ମସିହା ଡିସେମ୍ବର ୩୧ ତାରିଖରେ ଗୋବିନ୍ଦ ବାବୁ ଜନ୍ମଗ୍ରହଣ କରିଥିଲେ। ଅତ୍ୟାଚାରୀ ରାଜଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ନିଜର ଗିରଫଦାରି ଏଡ଼ାଇବା ପାଇଁ ଶାନ୍ତି ନିକେତନକୁ ଚାଲି ଯାଇଥିଲେ। ଘଟଣା କ୍ରମେ ସେଠାରେ ଆଣ୍ଡ୍ରୁଜ୍ ସାହେବଙ୍କ ସହିତ ପରିଚୟ ହୋଇଥିଲା। ତାଙ୍କର ପରାମର୍ଶ କ୍ରମେ ଗୋବିନ୍ଦ ଗାନ୍ଧୀଜୀଙ୍କ ନିକଟକୁ ଯାଇ ତାଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ। ଗୋବିନ୍ଦ ବାବୁଙ୍କ କର୍ତ୍ତବ୍ୟନିଷ୍ଠା ଦ୍ବାରା ପ୍ରଭାବିତ ଗାନ୍ଧୀଜୀ ତାଙ୍କୁ ସାବରମତୀ ଆଶ୍ରମରୁ ବମ୍ବେ ନେଇ ନିଜର ବ୍ୟକ୍ତିଗତ ସହାୟକର ଦାୟିତ୍ବ ପ୍ରଦାନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ଅହମଦାବାଦରେ ୧୯୧୯ ମସିହା ଏପ୍ରିଲ ୬ ତାରିଖରେ ହୋଇଥିବା ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିବା ଗାନ୍ଧୀଙ୍କ ପ୍ରିୟ ଏହି ଓଡ଼ିଆ ୧୯୬୬ ମସିହା ଏପ୍ରିଲ ୧୩ ତାରିଖରେ କଟକଠାରେ ପରଲୋକ ଗମନ କରିଥିଲେ।

(୫୫ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ବିପ୍ଳବୀ ଗୋବିନ୍ଦ ସ୍ମୃତି ପରିଷଦ
ମୋ- ୭୯୭୮୮୯୩୨୨୮

ସମ୍ବନ୍ଧିତ ଖବର