ରାଷ୍ଟ୍ର ଦୁର୍ବଳ ନ ଦିଶୁ

ମହାମେଘବାହନ ଐର ଖାରବେଳ ସ୍ବାଇଁଁ

ଗତ ଏପ୍ରିଲ ୩ ଦିନ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଲଢ଼େଇରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇବା ସାରା ଦେଶରେ ଏକ ଅସ୍ବସ୍ତି ସୃଷ୍ଟି କରିଛି। ଏବେ ମଧ୍ୟ ମାଓବାଦୀମାନେ ତିଷ୍ଠିଛନ୍ତି ଓ ସେମାନେ ସୁରକ୍ଷା ବାହିନୀର ବହୁତ ବଡ଼ ଧରଣର କ୍ଷତି କରିପାରନ୍ତି, ଏହି ସଙ୍କେତ ଯାଇଛି। ମାଓବାଦୀମାନଙ୍କର ‘ରେଡ୍‌ କରିଡ୍‌ର’ (ଲୋହିତ ପଥ) ମହାରାଷ୍ଟ୍ର ପାଖରୁ ପଶ୍ଚିମ ବଙ୍ଗ ପର୍ଯ୍ୟନ୍ତ ମାଡ଼ିଛି। ଯାହା ମଧୢରେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ତ ମଧୢ ଅଛନ୍ତି। ୨୦୫୦ ସୁଦ୍ଧା ସଶସ୍ତ୍ର ବିପ୍ଳବ ମାଧ୍ୟମରେ ମାଓବାଦୀମାନେ ଭାରତ ସରକାରଙ୍କୁ କ୍ଷମତାଚ୍ୟୁତ କରି ନିଜେ କ୍ଷମତାରେ ପ୍ରତିଷ୍ଠିତ ହେବା ଏହି ଗୋଷ୍ଠୀର ମୂଳ ଲକ୍ଷ୍ୟ, ଯାହା ସେମାନଙ୍କର ପୁସ୍ତକମାନଙ୍କରେ ସ୍ପଷ୍ଟ ଲେଖାଯାଇଛି। ଅବଶ୍ୟ ଏହା ସତ କଥା ଯେ, ଗତ ୨୦୦୯ରୁ ସେମାନଙ୍କର ଆଧିପତ୍ୟ ଅନେକ କମି ଗଲାଣି। ୨୦୦୯ରେ ମାଓବାଦୀ ହି˚ସା ହେତୁ ସର୍ବମୋଟ ୨,୨୫୮ ଲୋକଙ୍କର ଜୀବନ ହାନି ହୋଇଥିଲା। ୨୦୨୦ ବେଳକୁ ତାହା ୭୦% ହ୍ରାସ ପାଇ ୬୬୫କୁ ଖସି ଆସିଥିଲା। କିନ୍ତୁ ମାଓବାଦୀମାନେ ସମ୍ପୂର୍ଣ୍ଣ ସମାପ୍ତ ହୋଇ ନାହାନ୍ତି। ସେମାନେ ଏବେ ମଧ୍ୟ ତିଷ୍ଠିଛନ୍ତି ଓ ରାଷ୍ଟ୍ର ଶକ୍ତିକୁ ପରାହତ କରିବାର କ୍ଷମତା ସେମାନଙ୍କ ନିକଟ‌େର ଅଛି, ଏହି ସଙ୍କେତ ସେମାନେ ମଝିରେ ମଝିରେ ଦେବାକୁ ଚାହାନ୍ତି ଓ ଦେଉଛନ୍ତି ମଧ୍ୟ।

ଉଦାହରଣ ସ୍ବରୂପ, ଏପ୍ରିଲ ୨୦୧୫ରେ ଦାନ୍ତେୱାଡ଼ା ଠାରେ ମାଓବାଦୀମାନେ ୭୫ ଜଣ ସି.ଆର.କପି.ଏଫ. ଯବାନ ଓ ରାଜ୍ୟ ପୁଲିସ କର୍ମୀଙ୍କ ହତ୍ୟା କରିଥିଲେ। ଗୋଟିଏ ଦିନରେ ସୁରକ୍ଷା କର୍ମୀ ମରିବା ପ୍ରସଙ୍ଗରେ ଏହା ହେଉଛି ସର୍ବାଧିକ। ଏହି ଦୁର୍ଘଟଣାରେ ସୁରକ୍ଷା କର୍ମୀଙ୍କ ନେତୃତ୍ବ ନେଉଥିବା ଅଫିସରମାନେ ସେହି ଅଞ୍ଚଳର ଭୌଗୋଳିକ ପରିସ୍ଥିତି ସମ୍ପର୍କରେ ଠିକ୍‌ ରୂପେ ଜ୍ଞାତ ନଥିଲେ। ସୁରକ୍ଷା କର୍ମୀମାନେ ଗୋଟିଏ ଆଦିବାସୀ ଗାଁରେ କ୍ୟାମ୍ପ ପକାଇଥିଲେ। ତେଣୁ ସେମାନେ କେତେ ସ˚ଖ୍ୟାରେ ଅଛନ୍ତି, ତାହା ମାଓବାଦୀମାନଙ୍କୁ ଜଣା ପଡ଼ିଯାଇଥିଲା। ସେମାନେ ଯେଉଁ ପଥ ଦେଇ ଜଙ୍ଗଲକୁ ଯାଇଥିଲେ, ସେହି ପଥ ଦେଇ ଫେରିଥିଲେ। ମାଓବାଦୀମାନେ ସେହି ରାସ୍ତାରେ ଅପେକ୍ଷା କରି ରହିଥିଲେ।

୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଶାର ମାଲକାନଗିରିକୁ ଲାଗି କରି ଥିବା ନବଗଠିତ ସୁକମା ଜିଲ୍ଲାରେ ତାହାକୱାଡ଼ା ଗାଁରେ ୧୧ ଜଣ ସି.ଆର.ପି.ଏଫ ଯବାନ, ୪ ଜଣ ରାଜ୍ୟ ପୁଲିସ କର୍ମୀ ଓ ଜଣେ ନାଗରିକ ମାଓବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ପୁଲିସକୁ ଭ୍ରମିତ କରିବା ପାଇଁ ୩ଟି ଗାଡ଼ିରେ ନିଆଁ ଲଗାଇ ଦିଆଗଲା। ତିନିଟି ସି.ଆର.ପି.ଏଫ ଗୋଷ୍ଠୀ ଅଲଗା ଅଲଗା ସମୟରେ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିବାରୁ ସେମାନଙ୍କ ଉପରେ ଅଲଗା ଅଲଗା ଆକ୍ରମଣ କରାଗଲା। ମାଓବାଦୀମାନେ ପାହାଡ଼ ଉପରୁ ଆକ୍ରମଣ କରିଥିଲେ। ପୁଲିସର ଅସ୍ତ୍ରଶସ୍ତ୍ର ଲୁଟ୍‌ କରି ନିଆଗଲା।

୨୦୧୭, ମାର୍ଚ୍ଚ ୧୨ରେ ଗୋଟିଏ ରାସ୍ତା କାମ କରୁଥିବା କଣ୍ତ୍ରାକ୍ଟରଙ୍କର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଯାଇଥିବା ସି.ଆର.ପି.ଏଫ. ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ ହେବାରୁ ୧୨ ଜଣ ପ୍ରାଣ ହରାଇଥିଲେ। ବଞ୍ଚିଥିବା ସୁରକ୍ଷା କର୍ମୀମାନେ ମାଓବାଦୀ ଆକ୍ରମଣକାରୀଙ୍କ ଉପରେ ପ୍ରତି-ଆକ୍ରମଣ କରି ନ ଥିଲେ।

୨୦୧୭ ଏପ୍ରିଲ ୨୪ରେ ସୁକମା ଜିଲ୍ଲାରେ ୩୦୦ ମାଓବାଦୀ ରାସ୍ତା ନିର୍ମାଣ କରୁଥିବା ଶ୍ରମିକମାନଙ୍କୁ ସୁରକ୍ଷା ଦେଉଥିବା ୯୯ ଜଣ ସି.ଆର.ପି.ଏଫ. ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବାରୁ ୨୫ ଜଣ ପ୍ରାଣ ହରାଇଲେ। ଏଠାରେ ସୁରକ୍ଷା ବାହିନୀ ସତର୍କ ନ ଥିଲେ। ଗୋଟିଏ ଗାଁରେ ରନ୍ଧାବଢ଼ା କରି ଖାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହେଲା।

ମାର୍ଚ୍ଚ ୨୧, ୨୦୨୦ରେ ସେହି ସୁକମା ଜିଲ୍ଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୧୭ ଜଣ ରାଜ୍ୟ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଲେ, ୧୫ ଜଣ ଆହତ ହେଲେ ଓ ୧୬ଟି ଅସ୍ତ୍ର ଛଡ଼ାଇ ନିଆଗଲା। ଏଠାରେ ନେତୃତ୍ବର ଅଭାବ ଥିଲା। ତିନିଟି ସି.ଆର.ପି.ଏଫ. ଗୋଷ୍ଠୀ ଅଲଗା ଅଲଗା ଦିଗରେ ଯାଉଥିଲେ। ଗୋଟିଏ ଗୋଷ୍ଠୀ ଉପରେ ଅାକ୍ରମଣ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ। ଏବ˚ ଗତ ଏପ୍ରିଲ ୩, ୨୦୨୧ରେ ୨୨ ଜଣ ସୁରକ୍ଷା କର୍ମୀ ମରିଛନ୍ତି। ଗାଁଗୁଡି଼କ ଶୂନଶାନ ଥିବା ଦେଖି ମଧ୍ୟ, ସୁରକ୍ଷାବାହିନୀ ସତର୍କ ହେଲେନାହିଁ।

ଏହାଛଡ଼ା ୨୦୧୧ରେ ମାଓବାଦୀମାନଙ୍କ ଆକ୍ରମଣରେ ବସ୍ତର ଜିଲ୍ଲାରେ କଂଗ୍ରେସ ଦଳର ଗାଡ଼ିମାନଙ୍କ ଉପରେ ଆକ୍ରମଣ ହୋଇ ତଦାନୀନ୍ତନ ରାଜ୍ୟ କଂଗ୍ରେସ ସଭାପତି ଓ ଅନ୍ୟମାନେ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏପ୍ରିଲ ୯, ୨୦୧୯ରେ ଦାନ୍ତେୱାଡ଼ା ବିଜେପି ବିଧାୟକ ଭୀମ ମାଣ୍ତଭି ଓ ତାଙ୍କର ୪ ଜଣ ସହଯୋଗୀଙ୍କ ଗାଡ଼ିକୁ ଲାଣ୍ତମାଇନ୍‌ ଯୋଗେ ଉଡ଼ାଇ ଦିଆଯିବାରୁ ସେମାନେ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଥିଲେ।

ମୋଟାମୋଟି ଭାବରେ କହିବାକୁ ଗଲେ, ଅଧିକା˚ଶ ସ୍ଥାନରେ ସୁରକ୍ଷା କର୍ମୀଙ୍କ ଭୁଲ୍‌ ଓ ନେତୃତ୍ବ ଅଭାବ ଯୋଗୁଁ ଏପରି ବିପର୍ଯ୍ୟୟମାନ ଘଟୁଛି। ବଡ଼ ବଡ଼ ଆକ୍ରମଣ ବେଳେ ଉଚ୍ଚ ସ୍ତରୀୟ ପୁଲିସ ଅଧିକାରୀମାନେ ସେମାନଙ୍କ ସହ ରହୁ ନାହାନ୍ତି। ସେମାନେ ସେମାନଙ୍କ କ୍ୟାମ୍ପ୍‌କୁ ହେଲିକେପ୍ଟରରେ ଯାଉଛନ୍ତି। ଏଣୁ ମାଟି ଉପରେ ବାସ୍ତବ ସ୍ଥିତି କ’ଣ ତାହା ସେମାନେ ଠିକ୍‌ ଭାବେ ଜାଣି ପାରୁନାହାନ୍ତି। ଏହାଛଡ଼ା ସେମାନେ ଯେଉଁ ପଦ୍ଧତିରେ କାମ କରିବା ଉଚିତ ବୋଲି ନିର୍ଦ୍ଦେଶାବଳୀ ଦିଆଯାଇଛି, କେତେକ କ୍ଷେତ୍ରରେ ସେ ସବୁର ପାଳନ କରା ନ ଯିବା ହେତୁ ଏପରି ବିପର୍ଯ୍ୟୟମାନ ଘଟୁଛି।

ଉଦାହରଣ ସ୍ବରୂପ ନିର୍ଦ୍ଦେଶ ଦିଆଯାଇଛି ଯେ, ସୁରକ୍ଷା କର୍ମୀମାନେ ରାସ୍ତା ଉପରେ ନ ଚାଲି ମୁଣ୍ତିଆ ପାହାଡ଼ ବା ତା’ ପାଖାପାଖି ଧାର ଉପରେ ଚାଲିବେ। କାରଣ ଜ˚ଗଲ ରାସ୍ତା ଉପରେ ଯେମିତି ଅତର୍କିତ ଆକ୍ରମଣ କରାଯାଇପାରିବ, ଏହି ଛୋଟ ପାହାଡ଼ ଉପରେ ସେମିତି ଆକ୍ରମଣ କରାଯାଇ ପାରିବ ନାହିଁ। ନିର୍ଦ୍ଦେଶାବଳୀରେ ଅଛି ଯେ ଗାଁମାନଙ୍କୁ ଆଡ଼େଇ ଦିଆଯିବା ଉଚିତ। କାରଣ ସେଠାରେ ମାଓବାଦୀଙ୍କ ଗୁପ୍ତଚରମାନେ ଥାଆନ୍ତି, ଯେଉଁମାନେ ସେମାନଙ୍କୁ ଖବର ଦେଇଥାନ୍ତି।

ଏପ୍ରିଲ୍‌ ୩ରେ ଯେମିତି ୨,୦୦୦ ସୁରକ୍ଷା କର୍ମୀ ଏକା ଥରକେ ଅଭିଯାନ ଆରମ୍ଭ କରିଥିଲେ, ଯେଉଁ ଅଭିଯାନକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନେତୃତ୍ବ ଦେବା କଥା। ସେମାନଙ୍କର ମୁଖ୍ୟାଳୟ ମଧୢ ସେମାନଙ୍କ ଅଭିଯାନ ନିକଟରେ ରହିବା କଥା। ଯେମିତି ସେମାନେ ଯେ କୌଣସି ସାହାଯ୍ୟ ପାଇଁ ସ˚ଗେ ସ˚ଗେ କଥାବାର୍ତ୍ତା ‌ହୋଇପାରିବେ। ଯେଉଁ ବାଟ ଦେଇ ବାହିନୀ ଯିବ, ସେହି ବାଟ ଦେଇ ନ ଆସି, ଅନ୍ୟ ପଥ ଦେଇ ଫେରିବେ। ନ ହେଲେ, ସେହିବାଟେ ଫେରିଲେ ମାଓବାଦୀମାନେ ଅତର୍କିତ ଆକ୍ରମଣ ପାଇଁ ଛକି ରହିବା ସମ୍ଭବ।

ଏହାଛଡ଼ା ହାତ ଦ୍ବାରା ପରିଚାଳିତ ଡ୍ରୋନ୍‌ମାନଙ୍କ ଦ୍ବାରା ପାଖଆଖ ଇଲାକାରେ ମାଓବାଦୀମାନେ କେଉଁଠି ଅଛନ୍ତି, ତା’ର ଖବର ସ˚ଗ୍ରହ କରାଯିବା ଆବଶ୍ୟକ। ଏବେ ଏହି ଡ୍ରୋନ୍‌ର ବ୍ୟବହାର ସାଧାରଣତଃ ଉତ୍ସବ ଓ ବାହାଘର ଇତ୍ୟାଦିରେ କରାଯାଉଛି।

ଏପ୍ରିଲ୍‌ ୩ରେ ଯେଉଁ ଦୁର୍ଘଟଣା ଘଟିଲା, ସେହି ୨୦୦୦ ସୁରକ୍ଷା ବାହିନୀରେ ସିଆର‌୍‌ପିଏଫ୍‌ ଛଡ଼ା ରାଜ୍ୟ ପୁଲିସର ସ୍ପେସାଲ୍‌ ଟାସ୍କ ଫୋର୍ସ, ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର‌୍‌ଜି), ବସ୍ତର ବାଟାଲିଅନ ଓ ସିଆର‌୍‌ପିଏଫ୍‌ର ମାଓବାଦୀ ଦମନକାରୀ ସ୍ବତନ୍ତ୍ର ବାହିନୀ ‘କୋବ୍ରା’ ସୁରକ୍ଷା କର୍ମୀମାନେ ଥିଲେ। ସେମାନେ ସେହି ଅଞ୍ଚଳରେ ଥିବା ମାଓବାଦୀଙ୍କ ବଡ଼ ନେତା ମାଡଭି ହିଡ଼ମା, ସେଠାରେ ଥିବା ଖବର ପାଇ ତାହାକୁ ନିପାତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ମାଓବାଦୀମାନେ ମଧୢ ‘କୋବ୍ରା’ ସ୍ବତନ୍ତ୍ର ବାହିନୀ ପରି ସେମାନଙ୍କ ‘ପିପୁଲ୍‌ସ ଲିବେରେସନ ଆର୍ମି’ ଅର୍ଥାତ୍‌ ଗଣମୁକ୍ତି ବାହିନୀ (ପିଏଲ୍‌ଜିଏ)ର ଗୋଟିଏ ୧ ନମ୍ବର ବାଟାଲିଆନ ପ୍ରତିଷ୍ଠା କରିଛନ୍ତି। ଚୀନ ସେନାର ନାମ ପିଏଲ୍‌ଏ (ଗଣମୁକ୍ତି ସେନା) ନାମର ଅନୁକରଣ କରି ସେମାନେ ଏପରି ନାମ ଦେଇଛନ୍ତି। ଏହି ବାଟାଲିଅନରେ ସ୍ବତନ୍ତ୍ର ଭାବରେ ପ୍ରଶିକ୍ଷିତ ୧୮୦ ଜଣ ମାଓବାଦୀ ଅଛନ୍ତି। ଏହି ବାହିନୀ ୮୦ କିଲୋମିଟର ଅଞ୍ଚଳରେ କାମ କରିଥାନ୍ତି। ମୁଖ୍ୟତଃ ଏହିମାନଙ୍କ ସହାୟତାରେ ଏକଦା କେରଳ ରାଜ୍ୟର ଯେତେ ଆୟତନ, ସେହି ଆୟତନର ଏକ ଅଞ୍ଚଳ ସେମାନେ ଦଖଲ କରିଥିଲେ। ଏବେ ଅବଶ୍ୟ ସେମାନଙ୍କର ସେହି ପ୍ରଭାବ କ୍ଷେତ୍ର ସ˚କୁଚିତ ହୋଇ ସିକିମ ରାଜ୍ୟର ଆୟତନକୁ ଆସିଗଲାଣି।

କିନ୍ତୁ ଏଠାରେ କେତେ ଜଣ ସୁରକ୍ଷା କର୍ମୀ ମଲେ, ତାହା ଯେତେ ଗୁରୁତ୍ବପୂର୍ଣ୍ଣ ନୁହେଁ, ଏହି ମୁତ୍ୟୁର ମାନସିକ ପ୍ରଭାବ ସୁରକ୍ଷା ବଳ ଉପରେ କେତେ ପଡ଼ିବ, ତାହା ହେଉଛି ଗୁରୁତ୍ବପୂର୍ଣ୍ଣ।

ଯେଉଁ ଦରିଦ୍ର ଅସହାୟ ଆଦିବାସୀ ଓ ବଞ୍ଚିତ ଶ୍ରେଣୀ ପାଇଁ ସେମାନେ ଲଢୁଛନ୍ତି ବୋଲି ଦାବି କରୁଛନ୍ତି ସେ କଥା ଆଦୌ ସତ୍ୟ ନୁହେଁ। ସେମାନେ ବନ୍ଧୁକ ମୁନରେ କେବଳ କ୍ଷମତା ଦଖଲ କରିବାକୁ ଚାହାନ୍ତି। ଚୀନ କମ୍ୟୁନିଷ୍ଟ ଶାସନର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗ ତାଙ୍କର ‘ରେଡ୍‌ ବୁକ୍‌’ ପୁସ୍ତକରେ ଲେଖିଛନ୍ତି ଯେ, ବନ୍ଧୁକର ନଳୀରୁ କ୍ଷମତା ଆସିଥାଏ। ୨୦୦୪ ସେପ୍ଟେମ୍ବରରେ ମାଓବାଦୀମାନେ ୧୩ଟି ଅଧ୍ୟାୟରେ ଏକ ଦସ୍ତାବିଜ ପ୍ରକାଶିତ କରିଥିଲେ। ଏହି ଦସ୍ତାବିଜର ନାମ ଥିଲା ‘ଭାରତୀୟ ବିପ୍ଳବର କୌଶଳ ଓ ଯୋଜନା’। ଏଥିରେ ଲେଖା ଅଛି ‘ସୁରକ୍ଷା ବାହିନୀକୁ ପରାସ୍ତ କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ’। ସେଥିପାଇଁ ଚଳମାନ ଯୁଦ୍ଧ ହେଉଛି ମୁଖ୍ୟ କୌଶଳ। ଅର୍ଥାତ୍‌, ସେମାନେ ଗୋଟିଏ ଜାଗାରେ ରହି ଯୁଦ୍ଧ ନ କରି ଅଲଗା ଅଲଗା ଜାଗାମାନଙ୍କରେ ଏହି ଯୁଦ୍ଧ କରିବେ। ସବୁ ବେଳେ ସେମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିବେ। ଏଥିରେ ଲେଖାଅଛି ଯେକୌଣସି କ୍ଷେତ୍ର ଦଖଲ କରିବା ସେମାନଙ୍କର ମୂଳ ଲକ୍ଷ୍ୟ ନୁହେଁ। ଶତ୍ରୁକୁ ନିପାତ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ। ଏହି ଦସ୍ତାବିଜରେ ଲେଖାହୋଇଛି, ‘ଯେତେ ବେଳେ ତୁମେ ଜିତିପାରିବ, କେବଳ ସେତେବେଳେ ହିଁ ଯୁଦ୍ଧ କର। ଯେତେବେଳେ ତୁମେ ଜିତିପାରିବ ନାହିଁ, ସେତେବେଳେ ସେହି ସ୍ଥାନ ଛାଡ଼ି ପଳାଇ ଯାଅ’।

ଏଠାରେ କାଶ୍ମୀର ଆତଙ୍କବାଦୀମାନଙ୍କ ସହ ତୁଳନା କଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟକୁ ସ୍ପଷ୍ଟ ବୁଝି ହେବ। କାଶ୍ମୀର ଆତଙ୍କବାଦୀମାନେ ଦୁଇଜଣିଆ, ତିନିଜଣିଆ ଗୋଷ୍ଠୀରେ ଆକ୍ରମଣ କରିଥା’ନ୍ତି। କିନ୍ତୁ ମାଓବାଦୀମାନେ ପୂର୍ଣ୍ଣ ସଂଗଠିତ ଓ ସେମାନେ ଗୋଟିଏ ନିୟମିତ, ପ୍ରଶିକ୍ଷିତ ସେନାବାହିନୀ ପରି ଲଢ଼ିଥାନ୍ତି। ସେନାବାହିନୀ ପରି ସେମାନଙ୍କର ୭ଜଣିଆ ଉଗ୍ରବାଦୀଙ୍କ ସେକ୍‌ସନ, ୨୦-୩୦ ଜଣଙ୍କର ପ୍ଲାଟୁନ, ୬୦-୭୦ ଜଣଙ୍କର କମ୍ପାନି ଓ ୨୦୦ ଜଣଙ୍କର ବାଟାଲିଅନ ଗଠନ କରାଯାଇଛି। ସେମାନେ ଅନେକ ଆଦିବାସୀଙ୍କୁ ସେମାନଙ୍କର ସେନାବାହିନୀରେ ସମ୍ପୃକ୍ତ କରିଛନ୍ତି, ଯେଉଁମାନେ ସ୍ଥାନୀୟ ଭୌଗୋଳିକ ସ୍ଥିତି, ସ୍ଥାନୀୟ ଜନତା ସମ୍ପର୍କରେ ସ୍ପଷ୍ଟ ଭାବେ ଜାଣିଛନ୍ତି।

ଏମାନେ ଦରିଦ୍ର, ଅସହାୟର ଦୁଃଖ ନିରାକରଣ ପାଇଁ ଲଢୁଛନ୍ତି ବୋଲି ଯାହା କୁହାଯାଏ, ତାହା ସତ୍ୟ ନୁହେଁ। କାରଣ ଓଡ଼ିଶା ପରି ରାଜ୍ୟମାନଙ୍କରେ ଏମାନେ ମୁଖ୍ୟତଃ ୱାର୍ଡ ମେମ୍ବର, ପୁଲିସ କନଷ୍ଟେବଳ,, ସରପଞ୍ଚ, ଦୋକାନୀ, ସାଧାରଣ ଲୋକମାନଙ୍କୁ ମାରିଥାନ୍ତି। ଏମାନେ କେବେହେଲେ ଜିଲ୍ଲାପାଳ, ଏସ୍‌.ପି., ମନ୍ତ୍ରୀମାନଙ୍କୁ ମାରୁନାହାନ୍ତି। ବର˚ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭିନୀଲ କୃଷ୍ଣ, କୋରାପୁଟର ପୂର୍ବତନ ବିଧାୟକ ଓ ସା˚ସଦ ଝୀନ ହିକକାଙ୍କୁ ଅପହରଣ କରାଗଲା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏଥି ପାଇଁ ସେମାନେ ବିପୁଳ ଅର୍ଥ ନେଇଛନ୍ତି। ବିକାଶ ହେଉନାହିଁ ବୋଲି ଲୋକଙ୍କୁ ବୁଝାଉଥିଲା ବେଳେ ଏମାନେ ରାସ୍ତା, ପୋଲ, ପଞ୍ଚାୟତ ଘର, ଖାଦ୍ୟ ଭଣ୍ତାର ଆଦି ନିର୍ମାଣ କରିବାକୁ ଦିଅନ୍ତି ନାହିଁ। ଏହା ଫଳରେ ସେ ଅଞ୍ଚଳକୁ ପୁଲିସ ଯାଇ ପାରେନା। ଡାକ୍ତର, ଶିକ୍ଷକ, ଇଞ୍ଜିନିୟର ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନଙ୍କୁ ସେଠାରେ ରହିବାକୁ ଦିଅନ୍ତି ନାହିଁ। ଏମାନେ ଠିକାଦାରମାନଙ୍କ ବିରୋଧରେ ସଦା ବେଳେ କହୁଥିଲେ ମଧ୍ୟ ସେମାନଙ୍କୁ ପ୍ରାୟତଃ ମାରନ୍ତି ନାହିଁ। କାରଣ ଯେକୌଣସି ପ୍ରକଳ୍ପରୁ ୩୦% ଅର୍ଥ ସେମାନେ ଠିକାଦାରଙ୍କ ପାଖରୁ ନିଅନ୍ତି।

ସରକାର ଏମାନଙ୍କ ପ୍ରତି କଠୋର ମନୋବୃତ୍ତି ପୋଷଣ କରିବା ଉଚିତ। ଛତିଶଗଡ଼ର ବର୍ତ୍ତମାନ ସରକାର ୨୦୧୮ରେ କ୍ଷମତାକୁ ଆସିବା ପରେ ଏମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିଛନ୍ତି, ଯାହା କରିବା ଉଚିତ ନୁହେଁ। ରାଜ୍ୟମାନେ ପରସ୍ପର ମଧ୍ୟରେ ସମନ୍ବୟ ପ୍ରତିଷ୍ଠା କଲେ ଏହି ଗଣତନ୍ତ୍ର ବିରୋଧୀମାନେ ଲୋପ ପାଇବେ। ଏମାନେ ନାନା ଅଭିଯୋଗ ଆଣିଥିଲେ ମଧ୍ୟ ନିଜେ ନିର୍ବାଚନ ଲଢ଼ି ନେତୃତ୍ବ ନେଇ ସେହି ଅଭିଯୋଗର ସମାଧାନ କରନ୍ତି ନାହିଁ, ଯାହା ସେମାନେ କରିପାରନ୍ତେ। ବନ୍ଧୁକର ମୁନ କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ସରକାର ମଧୢ ଏମାନେ କାମ କରୁଥିବା ଅଞ୍ଚଳରେ ବିକାଶର ଧାରାକୁ ତ୍ବରାନ୍ବିତ କରି ଜନସାଧାରଣଙ୍କ ମନରୁ ସରକାରଙ୍କ ପ୍ରତି ଅବିଶ୍ବାସ ଭାବ ଦୂର କରିବା ଉଚିତ। ରାଷ୍ଟ୍ର ଯେ ସବୁଠୁଁ ଶକ୍ତିଶାଳୀ ଓ ମାଓବାଦୀମାନେ ରାଷ୍ଟ୍ରଠାରୁ ଅଧିକ ଶକ୍ତିଶାଳୀ ନୁହନ୍ତି, ଏହା ପ୍ରମାଣିତ ହେବା ଦରକାର।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର