କ˚ଗ୍ରେସ ପୁରାଣ

କହିବାର ଅଛି - ଦାଶ ବେନହୁର

ପୁରାଣ କହିଲେ ପୁରୁଣା କଥାର ଅନୁରଣନ। ଅତଏବ ଭାରତର ପୁରୁଣା ରାଜନୈତିକ ବାତାବରଣ କଥା ଆଲୋଚନା କଲେ ଦଳ ଓ ରାଷ୍ଟ୍ରୀୟ ଚେତନା ଦିଗରୁ କ˚ଗ୍ରେସ ପ୍ରଥମେ ଆସିବ। ଭାରତୀୟ ଜାତୀୟ କ˚ଗ୍ରେସ। ଏହା କେଉଁ ଦଳୀୟ ନେତାଙ୍କର ନୁହେଁ କି କୌଣସି ପରିବାରର ନୁହେଁ, ଏପରି କି କୌଣସି ସମ୍ପ୍ରଦାୟର ମଧ୍ୟ ନୁହେଁ। ଭାରତର।

ଭାରତରେ ଗଣତନ୍ତ୍ରର ରାଜନୀତି-ଇତିହାସ ଖୋଜିଲେ ପୁସ୍ତକର ପ୍ରଥମ ପୃଷ୍ଠାରେ ଯାହା ସହ ଭେଟ ହେବା ଅନିବାର୍ଯ୍ୟ ସେ ହେଉଛି କ˚ଗ୍ରେସ।
ସ˚ପ୍ରତି ଦେଶକୁ ନେଇ, ଦେଶର ଭବିଷ୍ୟତକୁ ନେଇ ନିତି ପ୍ରତି କେତେ କେତେ ଆଲୋଚନା ହେଉଛି। ଗଣତନ୍ତ୍ରକୁ ମଜଭୁତ କରିବାର କଥା ଉଠୁଛି। ରାଜନୀତି, ଅର୍ଥନୀତି, ସିନେମା, କ୍ରିକେଟ୍‌ ସମ୍ପର୍କରେ ଆଲୋଚନା ଲାଗି ଗଣମାଧୢମଗୁଡ଼ିକ ଝାଳନାଳ ହୋଇଯାଉଛନ୍ତି। କରୋନା ମହାମାରୀକୁ ନେଇ ମଧୢ କେତେ ବିଚାର ଅନୁଶୀଳନ ପ୍ରକାଶ ପାଉଛି। ସତ କଥା, ଆଜିକାଲି ସ୍ବାସ୍ଥ୍ୟକୁ ବିଷୟ କରି ଯେତେ ଚିନ୍ତା ପ୍ରକଟ କରାଯାଉଛି ସେପରି କେବେ କୌଣସି ଯୁଗରେ ହୋଇଥିଲା ବୋଲି ମାନବ ସଭ୍ୟତାକୁ ଅଣ୍ତାଳି ବସିଲେ ଆମେ ପାଇବା ନାହିଁ। ସ୍ବାସ୍ଥ୍ୟ ଆଉ ସମ୍ପଦ ନୁହେଁ, ସ୍ବାସ୍ଥ୍ୟ ହିଁ ଜୀବନ।

ଠିକ୍‌ ସେଇମିତି ଦେଶ କଥା ଆଲୋଚନା କଲେ, ଦେଶର ବ୍ୟବସ୍ଥା ହିଁ ଗଣତନ୍ତ୍ର। ଏବ˚ ଗଣତନ୍ତ୍ର ଭିତରକୁ ପଶିଲେ ତା’ର ଅସଲ ପଞ୍ଜର ହେଉଛି ରାଜନୈତିକ ଦଳ। ଗୋଟିଏ ଦଳକୁ ଆୟତ୍ତ କରି ଜଣେ ବ୍ୟକ୍ତି ହୁଏ’ତ ‘ଗଣତନ୍ତ୍ର’କୁ ‘ଜଣତନ୍ତ୍ର’ରେ ପରିଣତ କରିଦେଇପାରେ ମାତ୍ର ସେ ଭଳି ପରିସ୍ଥିତି ପାଇଁ ‘ଗଣ’ ବା ‘ଜଣ’ ଯେତେ ଦାୟୀ ନୁହନ୍ତି ସେତେ ଅଧିକ ଦାୟୀ ହେଉଛନ୍ତି ବ୍ୟବସ୍ଥା ଭିତରେ ଥିବା ରାଜନୈତିକ ଦଳମାନେ। ସାଧାରଣଲୋକେ କେବଳ ଆନୁଗତ୍ୟ ବା ସମର୍ଥନ ଦିଅନ୍ତି, କିନ୍ତୁ ଲଢ଼େଇ କରନ୍ତି ଦଳୀୟ କର୍ମୀମାନେ। ପାରମ୍ପରିକ ଯୁଦ୍ଧରେ ପକ୍ଷ ଓ ପ୍ରତିପକ୍ଷଙ୍କ ଭିତରେ ହି˚ସାର ଲଢ଼େଇ ହୁଏ ମାତ୍ର ଗଣତନ୍ତ୍ରରେ ଯେଉଁ ଲଢ଼େଇ ହୁଏ ତାହା ମୌଳିକ ଭାବେ ଅହି˚ସ ତଥା ବହୁଦଳୀୟ। ଅସଲରେ ଇ˚ଲଣ୍ଡ ଓ ଆମେରିକା ଭଳି ଦେଶଗୁଡ଼ିକରେ ଯେଉଁଠି ଦ୍ବିଦଳୀୟ ଗଣତନ୍ତ୍ର ଅଛି ସେଠାରେ ଆଉ ଅନ୍ୟ ଦଳ ଯେ ନାହାନ୍ତି ସେ କଥା ନୁହେଁ। ଉପରକୁ ଦୁଇ ଦଳ। କମ୍ୟୁନିଷ୍ଟମାନେ ତ ପ୍ରାୟ ସବୁ ଦେଶରେ ଅଛନ୍ତି! ତେଣୁ ଗଣତନ୍ତ୍ର କହିଲେ ସ୍ବଭାବତଃ ତାହା ବହୁଦଳୀୟ ତଥା ଅହି˚ସ ଲଢ଼େଇର କ୍ଷେତ୍ର। ତା’କୁ ମୋଡ଼ି ମକ୍‌ଚି, ଭାଙ୍ଗିରୁଜି କିଏ ଏକଦଳୀୟ ବା ହି˚ସା ଆଧାରିତ କରି ରଖିଛି ତାହା ଭିନ୍ନ କଥା।

ଗଣତନ୍ତ୍ରକୁ ବ୍ୟକ୍ତି ସ୍ବାଧୀନତାର ମହାକ୍ଷେତ୍ର ବୋଲି କହି ଅନେକ ପ୍ରଶ˚ସା କରାଯାଇଛି କିନ୍ତୁ ପ୍ରକୃତ ପକ୍ଷେ ତାହା ହେଉଛି ନିରୁତା ଅହି˚ସା-କ୍ଷେତ୍ର। ହି˚ସା ଯେ ଉପୁଜେ ନାହିଁ ବା ଉପୁଜି ନାହିଁ ସେ କଥା ନୁହେଁ ମାତ୍ର ତାହା ଅନ୍ୟ ଶାସନତନ୍ତ୍ର ଭଳି ଭୟାନକ ନୁହେଁ।

ଭାରତ ସ୍ବାଧୀନ ହେଲା ୧୯୪୭ରେ। ତା’ ସହ ରାଷ୍ଟ୍ର ବ୍ୟବସ୍ଥାରେ ସ୍ବଭାବସିଦ୍ଧ ହେଲା ଗଣତାନ୍ତ୍ରିକ-ସାଧାରଣତନ୍ତ୍ର ଶାସନ। ଏବେ ସେଇ ସମୟରୁ ତା’ ଚାରିପଟେ ଥିବା ଦେଶଗୁଡ଼ିକୁ ନଜର ପକାଇବା। ପାକିସ୍ତାନ, ରୁଷିଆ, ଚୀନ୍‌, ମିଆଁମାର, ନେପାଳ, ସି˚ହଳ, ଆଫଗାନିସ୍ତାନ, ବା˚ଲାଦେଶ, ଇତ୍ୟାଦି। ରାଜତନ୍ତ୍ରରୁ ଆରମ୍ଭ କରି ସମସ୍ତ ପ୍ରକାରର ଶାସନ ବ୍ୟବସ୍ଥାରେ କ୍ଷମତା ହସ୍ତାନ୍ତର ବେଳେ ରକ୍ତପାତ ଏକ ସାଧାରଣ କଥା। ହି˚ସା ଅବଶ୍ୟମ୍ଭାବୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସେ ସବୁର ଶିକାର ହୋଇଥିବା ବେଳେ ଭାରତ ସେ ଭଳି ସା˚ଘାତିକ ପରିସ୍ଥିତିକୁ ଯାଇନାହିଁ। ଅଥଚ ଯେଉଁ କେତେଗୋଟି ଅକଳ୍ପନୀୟ ହି˚ସା ସ˚ଘଟିତ ହୋଇଛି ତାହା କ୍ଷମତା ହସ୍ତାନ୍ତରକୁ ନେଇ ନୁହେଁ। ଗାନ୍ଧୀଜୀଙ୍କ ହତ୍ୟା ଥିଲା ମତାନ୍ଧତା, ଇନ୍ଦିରାଙ୍କ ହତ୍ୟାର କାରଣ ପ୍ରତିଶୋଧପରାୟଣତା, ରାଜୀବଙ୍କ ହତ୍ୟା ପଛରେ ବୈଦେଶିକ ଷଡ଼୍‌ଯନ୍ତ୍ର ଓ ଜରୁରିକାଳୀନ ପରିସ୍ଥିତିର ହି˚ସା ମୂଳତଃ ଥିଲା ପ୍ରଶାସନିକ ବିପର୍ଯ୍ୟୟ।

ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରର ମାନ୍ୟତା ପାଇଛି ଭାରତ। ଭାଷା, ବିଶ୍ବାସ, ସମ୍ପ୍ରଦାୟ, ଜଳବାୟୁ, ଭୂଗୋଳ ଆଦିରେ ଏତେ ଅନେକତାକୁ ଧରି ରଖିଥିବା ଭାରତର ଗଣତାନ୍ତ୍ରିକ ସଫଳତା ଅନେକଙ୍କ ପାଇଁ ବିସ୍ମୟର କଥା। ନିକଟରେ ଏକ ନମ୍ବର ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ଯେଉଁ କ୍ୟାପିଟଲ୍‌-ହି˚ସା, ତାହା ଭାରତର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ବୁଝିବାରେ ଏକ ନୂଆ ସୁଯୋଗ ସୃଷ୍ଟି କରିଛି ନିଶ୍ଚୟ।
ରାଜନୀତିରେ, ଭାରତୀୟ ଜନତା ନିର୍ବାଚନ ମାଧୢମରେ ଯେଉଁ ପରିପକ୍ବତା ଦେଖାଇଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣୀୟ। ସାରା ଇଉରୋପରେ ଦେଶ ଗୋଟିକେ ସାତ, ଆଠ, ଦଶ କୋଟି ଲୋକ ବି ନୁହନ୍ତି। ଭାଷା, ଧର୍ମ, ଜଳବାୟୁର ବିବିଧତା ନାହିଁ କହିଲେ ଚଳେ। ୧୪୦ କୋଟିରୁ ଅଧିକ ଲୋକଙ୍କର ଦେଶ ଭାରତ। ଅଚିନ୍ତନୀୟ ବିବିଧତାର ଦେଶ। ଏହା ସହିତ ସେ ବାମନ, ଏକକ ଦେଶଗୁଡ଼ିକର କି ବରାବରି? ଭାରତୀୟ ସାଧାରଣ ନିର୍ବାଚନ ପୃଥିବୀବାସୀଙ୍କ ଲାଗି ଏକ ଅନୁଭବର କଥା ହେବା ଉଚିତ। ଗଣତାନ୍ତ୍ରିକ ଭାରତର କ୍ଷମତା ହସ୍ତାନ୍ତର ପର୍ବ ଉଦାହରଣୀୟ ତଥା ଅନୁକରଣୀୟ। ଅଥଚ ଆମେ ଭାରତୀୟମାନେ ସେ କଥାକୁ ନେଇ ଗର୍ବ କରିବା ଦୂରେ ଥାଉ ଆନନ୍ଦିତ ହେବାର ମନୋଭାବ ମଧୢ ରଖିନାହୁଁ।

କହିବାର ଅଛି ଏ ସମସ୍ତ କଥାର ଶ୍ରେୟ ଭାରତର ରାଜନୈତିକ ଦଳମାନେ ପାଇବା ଉଚିତ। କାରଣ ଗଣତନ୍ତ୍ରକୁ ଗଢ଼ିଛନ୍ତି ସେଇମାନେ। ଆଜି ଯଦି ଭାରାତୀୟ ଜନସାଧାରଣ ରାଜନୀତିର କିଛି ବି ପାଠ ପଢ଼ିଛନ୍ତି, ତାହା ସମ୍ଭବ ହୋଇଛି ଆଙ୍ଗୁଠିରେ ଜାଗା ଧରୁନଥିବା ଏ ସମସ୍ତ ରାଜନୈତିକ ଦଳଗୁଡ଼ିକ ଯୋଗୁଁ। ବାମ, ଦକ୍ଷିଣ, ମଧୢ ଯେ କୌଣସି ଆଦର୍ଶର ହୁଅନ୍ତୁନା କାହିଁକି, ସେଇମାନେ ହିଁ ଧାରାବାହିକ ଭାବରେ ଉନ୍ମୋଚିତ କରି ଚାଲିଛନ୍ତି ଭାରତର ସମସ୍ୟା ଓ ସମାଧାନ ଶ୍ରେଣୀକୁ, ରାଜନୈତିକ ଶିକ୍ଷା-ସଚେତନତାର ଅବିଶ୍ରାନ୍ତ ଧାରାକୁ।

ଆମର ଅଭ୍ୟାସ ହେଲା ପାଶ୍ଚାତ୍ୟ ଦେଶର ଉଦାହରଣଟିଏ ଦେଇ ନିଜ ଦେଶକୁ ଗାଳି ଦେବା, ନ୍ୟୂନ କରିବା। ଇ˚ଲଣ୍ତରେ ଏଇଆ ହେଉଛି, ଜର୍ମାନୀରେ ଏଇଆ ହୋଇଥିଲା, ଫ୍ରାନ୍‌ସ ଏଇଆ କରୁଛି, ଆମେରିକା ଏଇଆ କଲାଣି। କେତେ ଲୋକ ଅଛନ୍ତି ସେ ଦେଶରେ? କେଉଁ ବିବିଧତା ସହ ଅଛନ୍ତି ସେମାନେ? ଉପନିବେଶ କରିବା ନାଆଁରେ, ଯୁଦ୍ଧାସ୍ତ୍ର ବିକିବା ନାଆଁରେ କେତେ ଦେଶକୁ ଶୋଷିଛନ୍ତି ଓ ଶୋଷୁଛନ୍ତି ସେମାନେ?
ଭାରତ ଏକ ବିଶାଳ ଯୌଥ ପରିବାର। ବିଭିନ୍ନତାର ମହାକୁମ୍ଭ। କେଉଁ ଦେଶରେ ବଳେ ପଶି କେଉଁ ଜାତିର ଆଙ୍ଗୁଠି କାଟିନାହିଁ ଭାରତ। ଅକଳ୍ପନୀୟ ଜନସମୁଦ୍ରକୁ ଧରି ଭାରତ ଆପଣା ଗଣତନ୍ତ୍ରର ଯେଭଳି ମର୍ଯ୍ୟାଦା ବଢ଼ାଇଛି ତା’ର ପଟାନ୍ତର ନାହିଁ। ମଝିରେ କାଁ ଭାଁ ହି˚ସାର ଉଦାହରଣ, ଭାରତୀୟ ପରମ୍ପରାର ଅନୁସାରୀ ନୁହେଁ।

ଏକଦା ଭାରତୀୟ ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ରର କଳାମୁହଁ ଦେଖି ଚମକିଥିଲେ ଲୋକନାୟକ ଜୟପ୍ରକାଶ ନାରାୟଣ। ଦଳବିହୀନ ଗଣତନ୍ତ୍ରର ଡାକରା ଦେଇଥିଲେ। ସମ୍ପୂର୍ଣ୍ଣ କ୍ରାନ୍ତିର କଥା କହିଥିଲେ। ଜାଗରଣ ଆସିଥିଲା। ଅନୁଶୀଳନ ହେଲା। ପ୍ରୟୋଗ ବି ଚାଲିଲା। ମାତ୍ର ଦଳବିହୀନ ଗଣତନ୍ତ୍ର ସମ୍ଭବ ହେଲାନାହିଁ। ରାଜନୈତିକ ପୋଖରୀରେ ଯେ ପଙ୍କ ଜମିଥିଲା ଜୟପ୍ରକାଶଜୀଙ୍କ ପ୍ରଚେଷ୍ଟାରେ ସେଥିରୁ କିଛି ପରିଷ୍କାର ନିଶ୍ଚୟ ହେଲା ମାତ୍ର ହୁଡ଼ାବିହୀନ ପୋଖରୀ କଥା ପରି ଦଳବିହୀନ ଗଣତନ୍ତ୍ରର ପରିକଳ୍ପନା ହେବାର ନଥିଲା କି ହୋଇପାରିଲା ନାହିଁ।

ଯିଏ ଯେତେ ଗାଳି କଲେ ମଧୢ ରାଜନୈତିକ ଦଳଗୁଡ଼ିକ ହିଁ ଗଣତନ୍ତ୍ର-ନନ୍ଦିଘୋଷର ଅର, ପହି, ଚକ, କାଠଘୋଡ଼ା ଓ ଦଉଡ଼ି। ସେଗୁଡ଼ିକ ବିନା, ରଥର କଳ୍ପନା ଅମୂଳକ ଓ ଯାତ୍ରା ଅଚଳ।

ଏବେ ମୂଳ କଥାଟିକୁ ଫେରିବା ଦରକାର।

ଭାରତବର୍ଷର ଏ ସମସ୍ତ ରାଜନୈତିକ ଦଳର ମୂଳସ୍ରୋତ ହେଉଛି କ˚ଗ୍ରେସ। ଏହାକୁ ଗାନ୍ଧୀଜୀଙ୍କ କ˚ଗ୍ରେସ, ଇନ୍ଦିରାଙ୍କ କ˚ଗ୍ରେସ, ସୋନିଆଙ୍କ କ˚ଗ୍ରେସ କହି ଆଲୋଚନା କରିବା ଭାରତୀୟ ରାଜନୀତି ପାଇଁ ହିଁ ଅନ୍ୟାୟ। ପ୍ରକୃତ ପକ୍ଷେ ‘‘କ˚ଗ୍ରେସ ପୁରାଣ’’ କହିଲେ ଭାରତରେ ଥିବା ଅସ˚ଖ୍ୟ ରାଜନୈତିକ ଦଳର ଅଭ୍ୟୁଦୟ, ଉତ୍‌ଥାନ ଓ ପତନର ଏକ ସାମଗ୍ରିକ ଇତିହାସ। ଭାରତରେ ଯେତେବେଳେ ରାଜନୀତି ନଥିଲା, ରାଷ୍ଟ୍ରବ୍ୟବସ୍ଥା ନଥିଲା ସେତେବେଳେ ଏଇ କ˚ଗ୍ରେସ ଯେ ୧୮୮୫ରେ ରାଜନୈତିକ ସଚେତନତାର ପ୍ରଥମ ଶ୍ଳୋକଧ୍ବନି ପାଲଟିଥିଲା ତାହା କ’ଣ ଅସ୍ବୀକାର କରିହେବ? ପରବର୍ତ୍ତୀ କାଳରେ କ˚ଗ୍ରେସ ତା’ର ପ୍ରକୃତ ଆକାର ଧରିଛି, ସ˚ଘର୍ଷ କରିଛି, ବହୁ ଶାଖାରେ ବିଭକ୍ତ ହୋଇଛି, ବିଭାଜିତ ହୋଇଛି, ନିଜକୁ କଳୁଷିତ କରିଛି, ସ୍ବରୂପ ବଦଳାଇଛି ମଧୢ। ଏ ସମସ୍ତ ପୁରାଣ ଭିତରର କଥା।

ମାତ୍ର କହିବାର ଅଛି ଗୋଟିଏ ଗୋଟିଏ ପୁରାଣ ନିଜସ୍ବ ତତ୍ତ୍ବ ଆଧାରରେ ହିଁ ପ୍ରତିଷ୍ଠିତ ହୋଇଥାଏ। ତା’ ଭିତରେ ବିଜୟ ଓ ବିପର୍ଯ୍ୟୟ ଉଭୟର କାହାଣୀ ସମଭାବରେ ସ୍ଥାନିତ। ହେଲେ ତତ୍ତ୍ବ ଯେ ମୂଳ ସେ କଥା ପ୍ରତି ସମସ୍ତଙ୍କ ଧୢାନ ରହିବା ଆବଶ୍ୟକ। ସେ ଦିନର କ˚ଗ୍ରେସ ସ୍ବାଧୀନତା ପାଇଁ ଲଢ଼ିଥିଲା, ଜାତୀୟତା ଆଣିଥିଲା, ଆପଣେଇଥିଲା ଗାନ୍ଧୀଜୀଙ୍କର ଅହି˚ସା ନୀତି, ନିଶା ନିବାରଣ, ସାମ୍ପ୍ରଦାୟିକ ସଦ୍‌ଭାବ, ନାରୀ ଜାଗରଣ ସଙ୍ଗକୁ ଛୁଆଁ ଅଛୁଆଁ ଭେଦଭାବର ଦୂରୀକରଣ। ସ୍ବଦେଶୀ, ସ୍ବରାଜ, ସ୍ବନିର୍ଭରଶୀଳତା, ସତ୍ୟାଗ୍ରହ ଓ ସର୍ବୋଦୟ ଥିଲା କ˚ଗ୍ରେସର ଅଭିମନ୍ତ୍ରିତ ଜୀବନ ନୀତି, ରାଜନୀତିର ମୂଳ ଲକ୍ଷ୍ୟ।

ଏ ସବୁ କଥା ଆଜି ବି କ’ଣ ଯେ କୌଣସି ଦଳ ପାଇଁ ଅପ୍ରାସଙ୍ଗିକ? ସେତେବେଳେ ପୌରାଣିକ କ˚ଗ୍ରେସ ନିଜ ପାଇଁ ଯେଉଁ ଇସ୍ତାହାର ତିଆରି କରିଥିଲା ସେ କଥା କ’ଣ ଆଜିର ଭାରତୀୟ ଜାତୀୟ କ˚ଗ୍ରେସ ମନେରଖିଛି?

ମଣିଷ ଅତୀତକୁ ଏଇଥିପାଇଁ ଗଳାମାଳି କରେ ଯେ ସେ ସେଇଥିରୁ ପ୍ରେରଣା ପାଏ। ସେଇଥିଲାଗି ‘ପୁରାଣ’ କଥାଟା ‘ପୁରୁଣା’ ସହ ଯେତେ ଯୋଡ଼ା ନୁହେଁ ତା’ଠାରୁ ଅଧିକ ଯୋଡ଼ା ‘ପ୍ରେରଣା’ ସହିତ। କାଳେ କାଳେ ସେଇଥିପାଇଁ ଜନସାଧାରଣଙ୍କର ତତ୍ତ୍ବବୋଧରେ ଉନ୍ମେଷ ସକାଶେ ବେଦ, ଉପନିଷଦ୍‌ ଅପେକ୍ଷା ପୁରାଣଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଥିଲା। ଗାଁ ଗାଁରେ ବେଦ କି ଉପନିଷଦ୍‌ ପଠିତ ହୁଏନା, ପୁରାଣ ପଢ଼ାଯାଏ। କର୍ଣ୍ଣପ୍ରବେଶ ମାଧୢମରେ ଜନସାଧାରଣ ତତ୍ତ୍ବ-ଶିକ୍ଷିତ ହୁଅନ୍ତି। ଭାଗବତ ହିଁ ପୁରାଣ ସାର। ଭାଗବତ ଟୁଙ୍ଗି ସେଇଥିପାଇଁ ଥିଲା ସେ କାଳେ ତତ୍ତ୍ବଜ୍ଞାନର ଶ୍ରେଷ୍ଠ ଶିକ୍ଷାଶାଳା।

ଆଜି ଗଣତନ୍ତ୍ରରେ ରାଜନୀତି ବା ରାଷ୍ଟ୍ରବିଦ୍ୟା, ଦେଶଭାବନା ଓ ରାଷ୍ଟ୍ରୀୟତା ସମ୍ପର୍କରେ ଶିକ୍ଷା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ବ୍ୟକ୍ତି ସ୍ବାର୍ଥକୁ ପ୍ରତିହତ କରିବା ଲାଗି ଯେଉଁ ଦେଶଭକ୍ତିର ପ୍ରୟୋଜନ ସେଥିରେ ଏହି ରାଜନୈତିକ ଦଳଗୁଡ଼ିକ ହିଁ ପ୍ରମୁଖ ଭୂମିକା ନିର୍ବାହ କରିବା ଜରୁରି। ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଶିକ୍ଷାଦାନ ଊର୍ଦ୍ଧ୍ବରେ ଯେଉଁ ଗଣତାନ୍ତ୍ରିକ ସମୂହ-ଭାବନାର ତତ୍ତ୍ବବୋଧ ଆବଶ୍ୟକ ତା’ର ପରିପୁଷ୍ଟି କେବଳ ଶୁଦ୍ଧ ରାଜନୈତିକ ଦଳ ଓ ଏହାର କର୍ମୀମାନଙ୍କ ମାଧୢମରେ ହିଁ ସମ୍ଭବ।

‘କ˚ଗ୍ରେସ’ ଭାରତର ପ୍ରଥମ ରାଜନୈତିକ ଦଳ। ତେଣୁ ଏହାର ଦାୟିତ୍ବ ସବୁଠାରୁ ଅଧିକ। ‘କ˚ଗ୍ରେସ ପୁରାଣ’ ପାଠ ପାଇଁ ପୁରାଣପଣ୍ତାମାନେ ପ୍ରସ୍ତୁତ ହୋଇଯିବା ଆବଶ୍ୟକ। ଧୀରେ ଧୀରେ ଭାରତୀୟ ଗଣତନ୍ତ୍ର-ମହାନଦୀର ପ୍ରମୁଖ ଉପନଦୀଗୁଡ଼ିକ ଯେ ସଙ୍କୁଚିତ ହୋଇ ଶୁଖି ଆସୁଛନ୍ତି ସେଥିପାଇଁ ଜଳ-ଉପାସନା କରିବାକୁ ପଡ଼ିବ। ସାମଗ୍ରିକତାବାଦୀ ମନୋଭାବର ବିଲୋପ ଲାଗି ଅହଙ୍କାର-ମେଧ ଯଜ୍ଞ କରିବାକୁ ହେବ।

[email protected]

ସମ୍ବନ୍ଧିତ ଖବର