ଏକକାଳୀନ ଅନେକଗୁଡ଼ିଏ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିର ମାନସିକ ସ୍ଥିତିକୁ ସୁସ୍ଥ ସବଳ ବ୍ୟକ୍ତି ଦୃଦୟଙ୍ଗମ କରିବା ସହଜ ନୁହେଁ। ତେଣୁ ଆରୋଗ୍ୟ ଲାଭର ସମ୍ଭାବନା ନ ଥିବା ରୋଗରୁ ଯଦି ଜଣେ ଅକଥନୀୟ ଯନ୍ତ୍ରଣା ଭୋଗୁଛି; ଔଷଧ ଯନ୍ତ୍ରଣା ଉପଶମ କରି ପାରୁନାହିଁ; ଚିକିତ୍ସକମାନେ ରୋଗୀର ଆରୋଗ୍ୟ ଲାଭ କରିବାର ସମ୍ଭାବନା ଦେଖି ପାରୁ ନାହାନ୍ତି; ରୋଗୀ ସକାେଶ ଝାଡ଼ା ପରିସ୍ରା ଭଳି ସାଧାରଣ ଜୈବିକ କ୍ରିୟା ମଧ୍ୟ ଅସହ୍ୟ ଯନ୍ତ୍ରଣା ଦେଉଛି; ଖାଦ୍ୟ ନାମକୁ ମାତ୍ର ହୋଇଗଲାଣି ଏବଂ ଔଷଧ କିଣିବା ମଧ୍ୟ ସାମର୍ଥ୍ୟ ବାହାରେ, ତେବେ ଏଭଳି ଜଣେ ବ୍ୟକ୍ତିଙ୍କ ଲାଗି ମୃତ୍ୟୁ ହିଁ ମୁକ୍ତିର ଏକମାତ୍ର ବାଟ ବୋଲି ହୃଦୟଙ୍ଗମ କରିବା ସହଜ ହୋଇଥାଏ। ସେହି ସମୟରେ ରୋଗୀ ମରି ପାରୁ ନ ଥାଏ ବା ବଞ୍ଚି ମଧ୍ୟ ପାରୁ ନ ଥାଏ। ତା’ର ସେବା ଶୁଶ୍ରୂଷା କରିବା ପାଇଁ ପାଖରେ ଲୋକ ମଧ୍ୟ ନ ଥାଆନ୍ତି। ଡାକ୍ତରଖାନା ନେବାକୁ ମଧ୍ୟ ପରିବାର ଲୋକଙ୍କର ଆନ୍ତରିକତା ନ ଥାଏ। ସେତିକି ବେଳେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇ ରଖିବା କ’ଣ ମାନବିକତା ପର୍ଯ୍ୟାୟଭୁକ୍ତ? ଅେନକ ସମୟରେ ଦେଖିବାକୁ ମିଳେ ଯେ ଜଣେ ରୋଗୀ ମରିବାକୁ ଚାହେଁ, କିନ୍ତୁ ମରିପାରେ ନାହିଁ। ସେଭଳି ସ୍ଥଳେ ଅନେକ ରୋଗୀ ଆତ୍ମହତ୍ୟା ମଧ୍ୟ କରି ଦିଅନ୍ତି। ଭାରତରେ ହେଉଥିବା ଆତ୍ମହତ୍ୟାଗୁଡ଼ିକର କାରଣ ଭିତରେ ଦୁରାରୋଗ୍ୟର ଯନ୍ତ୍ରଣାରୁ ମୁକ୍ତି ପାଇବା ହେଉଛି ତୃତୀୟ ସବୁଠାରୁ ବଡ଼ କାରଣ। ପୁଣି ବଡ଼ କଥା ହେଲା କେବଳ ରୋଗୀର ଶାରୀରିକ ଯନ୍ତ୍ରଣା ନୁହେ, ଏକ ରୋଗୀ ଭାବେ ତା’ର ଚଳପ୍ରଚଳ ସାମର୍ଥ୍ୟ ହ୍ରାସ ପାଇବା ବା ଅନ୍ୟ ଉପେର ନିର୍ଭରଶୀଳ ହେବାକୁ ସେ ବାଧ୍ୟ ହେବା ଅଶେଷ ମାନସିକ ଯନ୍ତ୍ରଣା ମଧ୍ୟ ସୃଷ୍ଟି କରେ। ସୁତରାଂ, ଜଣେ ରୋଗୀ କୌଣସିମତେ ବଞ୍ଚି ରହିବାକୁ ଚାହିଁ ନ ପାରେ। ଏଭଳି ରୋଗୀଙ୍କ ଲାଗି ଇଚ୍ଛା ମୃତ୍ୟୁ ଭଳି ବ୍ୟବସ୍ଥା କରାଯିବା ଉଚିତ କି ନୁହେ, ତାହା ଏକ ବିତର୍କର ବିଷୟ।
ଆମ ଦେଶର ସମ୍ବିଧାନର ଧାରା ୫୧(କ)(ଜ) ବୈଜ୍ଞାନିକ ମନୋବୃତ୍ତିର ପ୍ରଚାର ଓ ପ୍ରସାର କରିବା ନାଗରିକର କର୍ତ୍ତବ୍ୟ ହେବ ବୋଲି ସୂଚନା ଦିଏ। ଏହି ପରିପେକ୍ଷୀରେ କୁହାଯାଇପାରେ କି ଉପରେ ବର୍ଣ୍ଣିତ ଥିବା ଭଳି ରୋଗୀଟିର ଆକୁଳ ଚିତ୍କାର ଏହି ଧାରାକୁ ଭେଦ କରିି ଇଚ୍ଛାମୃତ୍ୟୁର ଆବଶ୍ୟକତାକୁ ପ୍ରଶ୍ରୟ ଦେଇ ନ ଥାଏ। କିନ୍ତୁ ସଂପ୍ରତି ଏହା କେବଳ ଜଣଙ୍କର ସମସ୍ୟା ହୋଇ ରହିନାହିଁ; ସମଗ୍ର ଦେଶରେ ଲକ୍ଷ ଲକ୍ଷ ରୋଗୀ ଏହି ଭଳି ସମସ୍ୟା ଦ୍ବାରା ଜର୍ଜରିତ। ସେମାନେ ଏହି ଯନ୍ତ୍ରଣାରୁ ମୁକ୍ତି ଲାଭ କରିବା ଏକ ମାନବୋଚିତ ବିଚାର ହେବା ଉଚିତ। ପ୍ରାଚୀନ କାଳର ଧାର୍ମିକ ବିଶ୍ବାସ ଅନୁଯାୟୀ ଜଣେ ପୂର୍ବ ପର ଇହ ଜନ୍ମରେ ପାପ କରିଥିବାରୁ ଏଭଳି ଯନ୍ତ୍ରଣା ଭୋଗୁଛି ଅଥବା ଏହା ଈଶ୍ବରଙ୍କର ଶାସ୍ତି। କିନ୍ତୁ ଏଭଳି ଚିନ୍ତାଧାରା ଏକ ଆଧୁନିକ ଗଣତନ୍ତ୍ରରେ ଯୁକ୍ତିସଂଗତ କି?
ପ୍ରାୟ ଅର୍ଦ୍ଧଶତାଦ୍ଦୀ ତଳେ ବିଶ୍ବ ବିଖ୍ୟାତ ହେତୁବାଦୀ ଆବ୍ରାହମ୍ କଭୁର ଇଚ୍ଛାମୃତ୍ୟୁକୁ ଏକ ସାମାଜିକ ପ୍ରସଙ୍ଗ ଭାବରେ ଉପସ୍ଥାପନ କରି ଏହାର ସମର୍ଥନରେ ଗଣମାଧ୍ୟମର ସହାୟତା ଲୋଡ଼ିଥିଲେ। କିନ୍ତୁ ଏ ଯାବତ୍ ଏହାକୁ ସଂପୂର୍ଣ୍ଣ ଆଇନଗତ ସ୍ବୀକୃତି ମିଳି ପାରିଲା ନାହିଁ। ଇଚ୍ଛାମୃତ୍ୟୁ ବିରୋଧରେ ଯେଉଁ ଯୁକ୍ତିଟି ସର୍ବାଧିକ ଶୁଣାଯାଏ ତାହା ହେଲା, ଯେହେତୁ ଆମ ଜୀବନ ଆମେ ତିଆରି କରିନାହୁଁ, ତାକୁ ଶେଷ କରିବାର ଅଧିକାର ମଧ୍ୟ ଆମର ନାହିଁ। କିନ୍ତୁ ସମ୍ମାନାସ୍ପଦ ଭାବେ ଜୀବନ ଜିଇବାର ଅଧିକାର ଆଗରେ ଯଦି ଏହି ଯୁକ୍ତିକୁ ଛିଡ଼ା କରାଯାଏ, ତେବେ ତାହା ନିଷ୍ପ୍ରଭ ପଡ଼ିଯାଏ। କାରଣ ଯଦି ସମ୍ମାନାସ୍ପଦ ଭାବେ ଜୀବନ ଜିଇବାର ଅଧିକାର କହିଥାଏ ଯେ ମୋ ଜୀବନ ଯଦି ମୁଁ ବଞ୍ଚିବି ତେବେ ସମ୍ମାନାସ୍ପଦ ଭାବେ ବଞ୍ଚିବି ନାହିଁ କାହିଁକି? ଅନ୍ୟର ଦୟାର ପାତ୍ର ହୋଇ ବଞ୍ଚିବି କାହିଁକି?
ଇଚ୍ଛାମୃତ୍ୟୁର ଅଧିକାର ଆମ ଦେଶରେ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି। ୨୦୧୮ ମସିହାରେ ‘ପରୋକ୍ଷ ଇଚ୍ଛାମୃତ୍ୟୁ’ ବା ‘ପାସିଭ୍ ଇଉଥାନସଆ’ ଆଇନ କାର୍ଯ୍ୟକାରୀ ହୋଇଛି। ଏହା ଅନୁସାରେ ଜୀବନ ରକ୍ଷାକାରୀ ବ୍ୟବସ୍ଥାର ପୂର୍ଣ୍ଣ ସାହାଯ୍ୟ ନେଇ ବଞ୍ଚି ରହିଥିବା ହତଭାଗ୍ୟମାନଙ୍କୁ ଚିକିତ୍ସକଙ୍କ ଅନୁମୋଦନ କ୍ରମେ ଏଭଳି ଦଶାରୁ ମୁକ୍ତ କରିବାର ପ୍ରାବଧାନ ହୋଇଛି। କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବେ ବାଦ୍ଧର୍କ୍ୟ ଅବସ୍ଥା ଦୀର୍ଘତର ହେବାରେ ଲାଗିଛି ଏବଂ ଏଥି ଜନିତ ଯନ୍ତ୍ରଣା, ଅସହାୟତା, ଏକାକୀପଣ ବୃଦ୍ଧି ପାଇବାରେ ଲାଗିଛି, ଇଚ୍ଛାମୃତ୍ୟୁର ପ୍ରାବଧାନକୁ ଆହୁରି ବ୍ୟାପକ ଓ ପ୍ରଶସ୍ତ କରାଯିବାର ଆବଶ୍ୟକତା ଥିବା ଭଳି ମନେ ହୁଏ। କିନ୍ତୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଏହାର ସୁଯୋଗ ନେଇ ଅନ୍ୟର ଜୀବନ ହାନିର ଉଦ୍ୟମ ଯେପରି କରା ନ ଯାଏ। ତେଣୁ ଏହି ଆଇନ କରାଗଲା ବେଳେ ଯେମିତି ତା’ର ଆଦୌ ଦୁରୁପଯୋଗ ନ ହୁଏ, ସେ ଦିଗରେ ମଧ୍ୟ ଦୃଷ୍ଟି ଦେବାକୁ ହେବ।
ମୋ- ୯୩୩୭୦୧୫୮୮୨