ସକ୍ରେଟିସଙ୍କ ଚାଲୁଣୀ

ସରସ ରସ - ସୁଭାଷ ପଟ୍ଟନାୟକ

କେହି ଜଣେ ବରଫକୁ ପଚାରିଲା, ‘ତୁ ଏତେ ଥଣ୍ଡା କ’ଣ ପାଇଁ’? ବରଫ ସୁନ୍ଦର ଉତ୍ତରଟିଏ ଦେଲା: ‘ମୋର ଅତୀତ ବି ପାଣି, ଭବିଷ୍ୟତ ବି ପାଣି, କେଉଁଥିପାଇଁ ନିଜକୁ ଆଉ ଗରମ କରିବି’? ଇଏ ହେଉଛି କବି ହରିବଂଶ ରାୟ ବଚ୍ଚନଙ୍କ ଏକ କବିତାର ମର୍ମ। ମନୁଷ୍ୟ କିନ୍ତୁ ଏପରି ଉତ୍ତରଠାରୁ ବହୁ ଦୂରରେ। ବିତିଯାଇଥିବା ଜୀବନ ତ ଶୀତଳ ହୋଇ ସାରିଛି, ଆଗରେ ମଧ୍ୟ ରହିଛି ମୃତ୍ୟୁର ଶୀତଳତା। ତଥାପି ଭିତରେ ତା’ର ଜଳୁଥାଏ ନିଆଁ। ସେ ନିଆଁ ଈର୍ଷାର, ଅନ୍ୟକୁ କନ୍ଦାଇ ଆନନ୍ଦ ପାଇବାର ଓ ନିଜ ଲୋକଙ୍କ ପିଠିରେ ଚଢ଼ି ଆଗକୁ ମାଡ଼ିଯିବାର। ଏଇଥିରୁ ଜନ୍ମନେଇଛି ପର ଚର୍ଚ୍ଚା, ପର ନିନ୍ଦା, କାନ କୁହା ଓ ଗୁଜବ ପ୍ରସାରଣ ଇତ୍ୟାଦି ମନୁଷ୍ୟର ମନ୍ଦ ଗୁଣ। ସାମଗ୍ରିକ ଭାବରେ ଏ ସବୁର ଗୋଟିଏ ନାଆଁ ହେଉଛି ‘ଚୁଗୁଲି’। ନିଜର ହଜାର ଦୁର୍ଗୁଣ ଥିଲେ ମଧ୍ୟ ମନୁଷ୍ୟ ଅନ୍ୟର ଘରକୁ ଉଙ୍କି ମାରିବାକୁ ଭଲ ପାଏ। ସୋରିଷକୁ ପାହାଡ଼ର ରୂପ ଦେଇ ପ୍ରଚାର କରେ। ନିଆଁ ଓ ଖଡ୍‌ଗ ଯେତିକି କ୍ଷତି କରିନପାରେ, ପର ଚୁଗୁଲି ତା’ଠାରୁ ଅଧିକ କ୍ଷତି ସାଧନ କରିଥାଏ। ପରିବାର ଉଜୁଡ଼ିଯାଏ, ବ୍ୟକ୍ତି ସଂପର୍କ କ୍ଷୁଣ୍ଣ ହୁଏ, ସାମାଜିକ ଜୀବନ ଛାରଖାର ହୋଇଯାଏ। ଚାବୁକର ପ୍ରହାର ଶରୀର ଉପରେ ଦାଗ ଛାଡ଼ିଯାଏ ସିନା, ଜିଭର ଏ ପ୍ରହାର ତ ହାଡ଼ ଭାଙ୍ଗିଦିଏ।

ପର ଚୁଗୁଲି ଏକ ନିରୋଳା ଆନନ୍ଦ ହୋଇପାରେ, ଯେ ପର୍ଯ୍ୟନ୍ତ ଏହା ଅନ୍ୟର କ୍ଷତି ନ କରିଛି। କିଛି କ୍ଷଣର ଆନନ୍ଦ ପାଇଁ ପର ଚର୍ଚ୍ଚା କରାଯାଇପାରେ, ପଛରେ ଥାଇ କାହାରି ଭଲ ଗୁଣ ଆଲୋଚନା କରାଯାଇପାରେ, ମାତ୍ର ଏପରି ବ୍ୟକ୍ତି କେତେଜଣ ଅଛନ୍ତି? ପର ନିନ୍ଦା ନ କଲେ ତ ଲୋକଙ୍କର ଖାଦ୍ୟ ହଜମ ହୁଏନି। ଚୁଗୁଲି ଯେ ଏକ ନୈତିକ ଦୁର୍ନୀତି, ତାହା କେହି ବୁଝନ୍ତି ନାହିଁ। ସମସ୍ତେ ପର ଚର୍ଚ୍ଚା କରିବାକୁ ଓ ପର ନିନ୍ଦା ଶୁଣିବାକୁ ଭଲପାଆନ୍ତି। ଇଏ ଏପରି ଏକ ରୋଚକ ମନୋରଞ୍ଜନ ଯେ, ଏହାର ପ୍ରଲୋଭନକୁ ଆଡ଼େଇଯିବା ଖୁବ୍ କଠିନ। ବିଶ୍ବର ସବୁ ଧର୍ମରେ ପର ନିନ୍ଦା ଓ ପର ଚର୍ଚ୍ଚାକୁ ବାରଣ କରାଯାଇଛି। ମନୁସ୍ମୃତିରେ କ୍ରୋଧରୁ ଜାତ ଆଠଟି ପାପ ମଧ୍ୟରୁ ପର ନିନ୍ଦା ଗୋଟିଏ। ଇସଲାମ ଧର୍ମରେ ଚୁଗୁଲିକୁ ମୃତ ଭାଇର ମାଂସ ଖାଇବା ସହିତ ସମାନ କୁହାଯାଇଛି। ମନୁଷ୍ୟ ଭାଷାର ଉଦ୍ଭାବନ କଲା ଦିନ ଠାରୁ ଚୁଗୁଲି ତା’ର ସହଚର ହୋଇ ରହିଛି। ନୃତତ୍ତ୍ବବିତ୍ ରବିନ ଡୁନବାର୍ ତାଙ୍କ ପୁସ୍ତକ ‘ଗ୍ରୁମିଂ, ଗସିପ୍ ଏଣ୍ଡ୍ ଇଭଲ୍ୟୁସନ୍‌ ଅଫ୍ ଲାଙ୍ଗୁଏଜ୍’ରେ ଲେଖିଛନ୍ତି, ଆଦିମାନବ ଭାବର ଆଦାନପ୍ରଦାନ ପାଇଁ ଭାଷାର ଉଦ୍ଭାବନ କଲା ଓ ଗୋଷ୍ଠୀଭୁକ୍ତ ଜୀବନ ଜିଇବାକୁ ଅନ୍ୟର ଚୁଗୁଲି କରିବା ଶିଖିଲା।

ନାଟ୍ୟକାର ଭବଭୂତି ତାଙ୍କର ‘ଉତ୍ତର ରାମଚରିତ’ରେ ଚୁଗୁଲି ଶୁଣି ପ୍ରଭୁ ରାମଚନ୍ଦ୍ର ନିଜ ପରିବାର ଉଜାଡ଼ି ଦେଇଥିବା କଥା ବର୍ଣ୍ଣନା କରି ପର ଚର୍ଚ୍ଚାକୁ ରାବଣ ଠାରୁ ମଧ୍ୟ ଭୟଙ୍କର ରାକ୍ଷସର ଆଖ୍ୟା ଦେଇଛନ୍ତି। କେତେ ଯେ ବ୍ୟକ୍ତି ଅଦ୍ୟାବଧି ଚୁଗୁଲି ଦ୍ବାରା ସନ୍ତାପିତ ହୋଇ ଆସିଛନ୍ତି, ତା’ର ହିସାବ ଅସମ୍ଭବ। ଏହାଦ୍ବାରା କେତେ କେତେ ଘର ଉଜୁଡ଼ି ଯାଇଛି, କେତେ ସଭ୍ୟତା ଛାରଖାର ହୋଇଛି, ତଥାପି ଚୁଗୁଲି ଆମ ରକ୍ତରେ ରହିଯାଇଛି। ସତ ଓ ମିଛ ମଧ୍ୟରେ ମିଛଟି ଅଧିକ ସୁନ୍ଦର, ତେଣୁ ପର ଚୁଗୁଲି ସମସ୍ତଙ୍କୁ ସୁନ୍ଦର ଲାଗେ। ଆମର ତ ଚୁଗୁଲି ପ୍ରସାରଣ ପାଇଁ ଜଣେ ସ୍ବତନ୍ତ୍ର ଦେବତା ମଧ୍ୟ ଅଛନ୍ତି, ନାରଦ ମୁନି। ପ୍ରାଚୀନ ଗ୍ରୀସ୍‌ରେ ପର ଚର୍ଚ୍ଚା ଏକ ଲୋକପ୍ରିୟ ମନୋରଞ୍ଜନ ଥିଲା। ସେଠାରେ ଚୁଗୁଲିର ଦେବୀଙ୍କ ନାଆଁ ଥିଲା ‘ଫିମୀ’। ବିଶାଳ ପକ୍ଷଯୁକ୍ତ ଫିମୀଙ୍କ ପ୍ରତ୍ୟେକ ପର ତଳେ ଥିଲା ଗୋଟିଏ ଲେଖାଏଁ ଆଖି, କାନ ଓ ଲହଲହ ଜିହ୍ବା। ସ୍ଥାନରୁ ସ୍ଥାନ ବୁଲି ସେ ମିଛ କଥା ଓ ପର ନିନ୍ଦା ପ୍ରସାର କରୁଥିଲେ। ଷୋଡ଼ଶ ଶତାବ୍ଦୀର ଇଂଲଣ୍ଡରେ ପର ଚୁଗୁଲି ଏକ ଦଣ୍ଡନୀୟ ଅପରାଧ ଭାବରେ ଗଣ୍ୟ ହେଉଥିଲା। ଦୋଷୀ ବ୍ୟକ୍ତିର ମୁହଁରେ ଏକ ଲୌହ ନିର୍ମିତ ମୁଖବନ୍ଧନୀ ‘ବ୍ରାଙ୍କସ୍’ ଲଗାଇ ଦିଆଯାଉଥିଲା। ଏବେ ତ ପର ନିନ୍ଦା, ପର ଚୁଗୁଲି ଆହୁରି ବ୍ୟାପକ ହୋଇ ଯାଇଛି। କର୍ମ କ୍ଷେତ୍ରରେ, ବିଭିନ୍ନ ଖଟିରେ, ସାମାଜିକ ଗଣମାଧ୍ୟମରେ, ସବୁଆଡ଼େ ଏହାର ଲୋକପ୍ରିୟ ପ୍ରସାର। ମୋବାଇଲ ଫୋନ୍ ଆସିବା ପରେ ଚୁଗୁଲିର ଗତିବେଗ ଓ ରୂପରେଖ ନୂତନ ଶୀର୍ଷକୁ ଛୁଇଁଲାଣି। ବର୍ଜ୍ୟ ବସ୍ତୁରୁ ଦରକାରୀ କମ୍ପୋଷ୍ଟ ତିଆରି ହେବା ପରି ବଡ଼ ବଡ଼ ପ୍ରତିଷ୍ଠାନରେ କର୍ମଚାରୀ ପରିଚାଳନାରେ ଚୁଗୁଲିର ଲାଭଜନକ ବ୍ୟବହାର ହେଉଛି। ଗୋଟିଏ ଦଳ ଅନ୍ୟ ଦଳ ବିରୋଧରେ କୁତ୍ସା ପ୍ରଚାର କରି ଲୋକମତକୁ ବିଭ୍ରାନ୍ତ କରୁଛି। ବିଦ୍ବେଷକାରୀ ପର ନିନ୍ଦାର ପୁଟୁଳି ତିଆରି କରନ୍ତି, ନିର୍ବୋଧ ତାକୁ ପ୍ରସାର କରେ ଏବଂ ମୂର୍ଖମାନେ ବିଶ୍ୱାସ କରନ୍ତି।

ମନୁଷ୍ୟ ଚୁଗୁଲିକୁ ଭଲପାଇବା ପଛର କାରଣ ଅନେକ। ଅନ୍ୟ ପ୍ରତି ଈର୍ଷା, ଦ୍ବେଷ, ନିଜକୁ ଉଚ୍ଚ ଦେଖାଇବା, ନିଜ ପ୍ରତି ଅନ୍ୟର ଦୃଷ୍ଟି ଆକର୍ଷଣ କରିବା, ଗୋଷ୍ଠୀର ନେତୃତ୍ବ ନେବା ଓ କ୍ଷମତା ଲାଳସା ଏହାର ମୁଖ୍ୟ କାରଣ।

ଚୁଗୁଲି ଖବରକୁ ଛାଣିବାକୁ ଦାର୍ଶନିକ ସକ୍ରେଟିସ୍‌ଙ୍କର ଥିଲା ଏକ ତିନି ଥାକ ବିଶିଷ୍ଟ ଚାଲୁଣୀ। ଥରେ ସକ୍ରେଟିସ୍‌ଙ୍କୁ ଜଣେ ଆସି କହିଲା, ‘ମୁଁ ଆପଣଙ୍କ ବନ୍ଧୁଙ୍କ ବିଷୟରେ ଗୋଟେ ଖବର ଶୁଣିଲି, ଆପଣଙ୍କୁ କହିଦେବାକୁ ଆସିଛି’। ସକ୍ରେଟିସ୍‌ କହିଲେ, ‘ରୁହ, ମୋ ଚାଲୁଣୀରେ କଥାଟିକୁ ଆଗେ ଛାଣିଦିଏ। ତୁମେ ମୋତେ ସେ ବନ୍ଧୁଙ୍କ ବିଷୟରେ କହିବା ପୂର୍ବରୁ ପ୍ରଥମେ କୁହ, ଯାହା ତୁମେ କହିବାକୁ ଆସିଛ, ତାହା ସତ ବୋଲି ଜାଣିଛ ତ’? ଲୋକଟି କହିଲା, ‘ନାଇଁ, ମୁଁ କେବଳ ଅନ୍ୟଠାରୁ ଶୁଣିଲି’। ସକ୍ରେଟିସ୍‌ କହିଲେ, ‘ତା’ହେଲେ ତୁମେ ଜାଣିନାହଁ ତାହା ସତ କି ମିଛ। ଠିକ୍‌ ଅଛି, ଏବେ ଦ୍ବିତୀୟ ଚାଲୁଣୀ। ଯାହା ତୁମେ କହିବାକୁ ଚାହୁଁଛ, ତାହା ମୋ ବନ୍ଧୁଟି ବିଷୟରେ ଭଲ କଥା ନା ଖରାପ କଥା’? ଲୋକଟି କହିଲା, ‘ଖରାପ କଥା ଆଜ୍ଞା। ସେଇଥିପାଇଁ ତ ଭାବିଲି ଆପଣ ଜାଣିବା ଉଚିତ’। ‘ତା’ ହେଲେ’ ସକ୍ରେଟିସ୍‌ କହିଲେ, ‘ତମେ ମୋ ବନ୍ଧୁଙ୍କ ବିଷୟରେ ଗୋଟିଏ ଖରାପ କଥା କହିବାକୁ ଚାହୁଁଛ, ଯାହା ସତ କି ମିଛ ତୁମକୁ ଜଣାନାହିଁ’। ସକ୍ରେଟିସ୍‌ ପୁଣି କହିଲେ, ‘ରୁହ, ତୃତୀୟ ଚାଲୁଣୀରେ ତୁମ କଥାଟି ହୁଏ’ତ ଗଳି ଯାଇପାରେ। ତୁମେ କହିବାକୁ ଚାହୁଁଥିବା କଥାଟି ମୋ ପାଇଁ ନିତାନ୍ତ ଦରକାରୀ କି’? ଲୋକଟି ଉତ୍ତର ଦେଲା, ‘ନା’ ସେମିତି କିଛି ଦରକାରୀ ଖବର ନୁହେଁ’। ସକ୍ରେଟିସ୍‌ ତା’ପରେ ହସିଦେଇ କହିଲେ, ‘ତୁମେ ମୋ ବନ୍ଧୁଟି ବିଷୟରେ କହିବାକୁ ଚାହୁଁଥିବା କଥାଟି ଯଦି ସତ ନୁହେଁ, ଭଲ କଥା ବି ନୁହେଁ, ମୋର କିଛି ଦରକାରୀ ବି ନୁହେଁ, ମତେ କହିବାର ଆବଶ୍ୟକତା କ’ଣ, ମୁଁ ବା ଶୁଣିବି କାହିଁକି’?

ଏବେ କୁହନ୍ତୁ, ଦୋଷ ଅଧିକ କାହାର? ଚୁଗୁଲି କରୁଥିବା ଲୋକର ନା ଚୁଗୁଲି ଶୁଣୁଥିବା ଲୋକର? ସକ୍ରେଟିସ୍‌ଙ୍କ ଏଇ ଚାଲୁଣୀଟି ଆପଣ ରଖିଥା’ନ୍ତୁ। ଏଥର କିଛି ଶୁଣିଲେ ବିଶ୍ୱାସ କରିବା ପୂର୍ବରୁ ପ୍ରଥମେ କଥାଟିକୁ ଛାଣି ନେବେ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର