କେମିତି ବଞ୍ଚିଗଲା ଆମେରିକାରେ ଗଣତନ୍ତ୍ର!

ଗଣତନ୍ତ୍ରର ହାଲ୍‌ - ସୁଧାଂଶୁ ଷଡ଼ଙ୍ଗୀ

ଡୋନାଲ୍‌ଡ ଟ୍ରମ୍ପ୍‌ ନିର୍ବାଚନ ହାରିଲା ପରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବା ପରିବର୍ତ୍ତେ ନାନା ଜାଲିଆତି ଓ ଷଡ଼୍‌ଯନ୍ତ୍ର ଅଭିଯୋଗ କଲେ। ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଲା। ଏପରି କି ତାଙ୍କ ସମର୍ଥକମାନେ ଆମେରିକାର ସଂସଦରେ ପଶି ଦଙ୍ଗା କଲେ। ଏ ସବୁ ସତ୍ତ୍ୱେ ସତ୍ୟର ଜୟ ହେଲା। ଟ୍ରମ୍ପ୍‌ଙ୍କୁ ପଦ ଛାଡ଼ିବାକୁ ପଡ଼ିଲା। ଯଦି ତାଙ୍କ ଦାବି ମାନିବାକୁ ସମସ୍ତେ ନୁହେଁ, ଆମେରିକାର ଅଳ୍ପ କିଛି ବିଚାରପତି, ପୁଲିସ୍ ଅଫିସର୍, ବୁଦ୍ଧିଜୀବୀ ରାଜି ହୋଇଥାଆନ୍ତେ, ନିର୍ବାଚନ ଫଳାଫଳ ସ୍ଥଗିତ ରହିପାରିଥାଆନ୍ତା। ପୃଥିବୀର ଅନେକ ଦେଶରେ ବିଭିନ୍ନ ସାମ୍ବିଧାନିକ ସଂସ୍ଥା ଓ ଉଚ୍ଚ ପଦବିରେ ଅଧିଷ୍ଠିତ ବ୍ୟକ୍ତି ଏଭଳି ଚରିତ୍ର ଓ ଦୃଢ଼ତା ଦେଖାନ୍ତି ନାହିଁ।

ହିଟ୍‌ଲର୍ ଜଣେ ସୈତାନ୍ ଥିଲା। କିନ୍ତୁ ସେ ଲକ୍ଷ ଲକ୍ଷ ଇହୁଦୀଙ୍କୁ ହତ୍ୟା କରିପାରିନଥାନ୍ତା ଯଦି ଜର୍ମାନିର ସେନାବାହିନୀ, ପୁଲିସ୍, ବୈଜ୍ଞାନିକ, ଡାକ୍ତର, ବିଚାରପତି ଆଦେଶ ମାନି ଜନସଂହାରରେ ସାମିଲ ହୋଇନଥାନ୍ତେ। ଉପର ଠାଉରିଆ ଭାବେ ଲାଗିବ ଯେ ଏହା ଏକ ନୈତିକତାର ପ୍ରଶ୍ନ। କିନ୍ତୁ ପ୍ରଶ୍ନଟି ଅଧିକ ଜଟିଳ। ଏହି ସଂକ୍ରାନ୍ତରେ ମନସ୍ତତ୍ତ୍ବ ବିଜ୍ଞାନରେ ଷ୍ଟାନ୍‌ଲି ମିଲ୍‌ଗ୍ରାମ୍ ୧୯୬୦ ମସିହା ବେଳକୁ କରିଥିବା ପରୀକ୍ଷା ବିଚାରକୁ ନେବା। ମିଲ୍‌ଗ୍ରାମ୍ ପ୍ରଶ୍ନ କଲେ- କାହିଁକି ସାଧାରଣ ଭାବେ ଭଲ-ମନ୍ଦ ବୁଝୁଥିବା, ହିତାହିତ ଜ୍ଞାନ ଥିବା ଓ ନୀତି-ନୈତିକତାରେ ବିଶ୍ୱାସ କରୁଥିବା ଏତେ ଲୋକ ହିଟ୍‌ଲର୍ ଭଳି ଗୋଟେ ବଦ୍‌ମାସ୍‌ର ବଚସ୍କର ହେଲେ? କାହିଁକି ବୈଜ୍ଞାନିକ ଓ ଇଂଜିନିୟରମାନେ ଗ୍ୟାସ୍ ଚାମ୍ବର୍ ନିର୍ମାଣ କରିବାକୁ ରାଜି ହେଲେ? କାହିଁକି ଡାକ୍ତରମାନେ ଲୋକଙ୍କୁ ହତ୍ୟା କରିବାର ବାଟ ଶିଖେଇଲେ? କାହିଁକି ପୁଲିସ୍ ଅଫିସର୍‌ମାନେ ଇହୁଦୀମାନଙ୍କୁ ଗୋଡ଼େଇ ଗୋଡ଼େଇ ଗିରଫ କଲେ? କାହିଁକି ସେନା ଅଧିକାରୀମାନେ ଧର୍ଷଣ, ହତ୍ୟା, ଲୁଟ୍‌ତରାଜ୍ କରିବାକୁ ଏତେ ଆଗ୍ରହ ଦେଖାଇଲେ? ଯେଉଁ ଦେଶ କାଣ୍ଟ, ହେଗେଲ୍, ମାର୍କ୍ସ, ଫ୍ରେଡରିକ୍ ନିଚ୍ଚ୍, ସୋପେନ୍‌ହର୍ ଭଳି ଦାର୍ଶନିକଙ୍କୁ ଜନ୍ମ ଦେଇଥିଲା, ସେଠି ଲୋକେ ନିଜର ଆଦର୍ଶ, ସଂସ୍କୃତି ଓ ଐତିହ୍ୟକୁ ଭୁଲିଗଲେ। ପୂରା ଜର୍ମାନି ଅପରାଧୀଙ୍କ ଦେଶ ହୋଇଗଲା। ଭାବିଲେ ଲୋମ ଟାଙ୍କୁରି ଉଠୁଛି। ଏ ସବୁ ସମ୍ଭବପର ହେଲା କେମିତି? ପୂର୍ବରୁ ହାନା ଆରେଣ୍ଡ ଲେଖିଥିଲେ, ଲୋକେ ଅପରିଣାମଦର୍ଶୀ ହୋଇ ହିଂସାରେ ଭାଗୀଦାର ହୁଅନ୍ତି।

ମିଲ୍‌ଗ୍ରାମ୍ ପରୀକ୍ଷା ପାଇଁ ସାଧାରଣ ଲୋକଙ୍କୁ ଶିକ୍ଷକ ହେବାକୁ ନିମନ୍ତ୍ରଣ କଲେ। ସେମାନଙ୍କୁ କୁହାଗଲା ଯେ ପାଖ କୋଠରିରେ କିଛି ଛାତ୍ରଛାତ୍ରୀ ଅଛନ୍ତି। ତାଙ୍କୁ ଆପଣ ପ୍ରଶ୍ନ କରିବେ। ଯଦି ପ୍ରଶ୍ନର ଉତ୍ତର ଭୁଲ୍ ହେଲା, ଆଗରେ ଥିବା ସୁଇଚ୍ ଦବେଇବେ। ଛାତ୍ରଛାତ୍ରୀ ଯେତିକି ବେଶୀ ଭୁଲ୍ କରିବେ, ସେତିକି ଅଧିକା କରେଣ୍ଟ ଦେବେ। ମିଲ୍‌ଗ୍ରାମ୍ ଶିକ୍ଷକମାନଙ୍କୁ ବୁଝାଇଦେଲେ, ବ୍ୟସ୍ତ ହେବାର ନାହିଁ, କରେଣ୍ଟ ଖାଇଲେ ମଧ୍ୟ ଛାତ୍ରଛାତ୍ରୀଙ୍କର ସେଭଳି କିଛି ହେବନି। ପ୍ରକୃତରେ କରେଣ୍ଟ ଦିଆଯାଉ ନଥିଲା। ଆଦେଶ ମାନି କେତେ ଲୋକ ଅନ୍ୟ ଜଣେ ମଣିଷକୁ କଷ୍ଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଦେଖାଯାଉଥିଲା। ଲୋକେ କେବଳ କରେଣ୍ଟ ଦେଲେ ନାହିଁ, ୬୫% ଲୋକ ଏହି ପରୀକ୍ଷା ପାଇଁ ସର୍ବାଧିକ ସମ୍ଭବ ୪୫୦ ଭୋଲ୍‌ଟ କରେଣ୍ଟ ଦେବାକୁ ରାଜି ହୋଇଗଲେ। ମିଲ୍‌ଗ୍ରାମ୍‌ଙ୍କ ସିଦ୍ଧାନ୍ତ ଥିଲା ଯେ ଲୋକେ ଥରେ ଜଣଙ୍କୁ ଉପରିସ୍ଥ କର୍ତ୍ତୃପକ୍ଷ ଭାବେ ଧରିନେଲେ ଭାବନ୍ତି ଯେ ସେମାନେ କେବଳ ନିର୍ଦ୍ଦେଶ ମାନୁଛନ୍ତି, କିଛି ଭୁଲ୍ କରୁନାହାନ୍ତି। ‘ଯାହା ଉପରୁ ଆଦେଶ ମିଳିଲା, ଆମେ କାର୍ଯ୍ୟକାରୀ କଲୁ, ଆମର କିଛି ଭୁଲ୍ ନାହିଁ’। ଏଭଳି ଭାବିଲା ବେଳେ ସେମାନେ ଅନୁଶୋଚନା ବି କରନ୍ତିନି। ତାଙ୍କୁ ଲାଜ ଲାଗେନି। ହିଟ୍‌ଲର୍ ପ୍ରଥମ ଦିନରୁ ଇହୁଦୀମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେଇନଥିଲା। କିନ୍ତୁ ଦେଖିଲା ଯେ ସେ ଯେତେବେଳେ ଯାହା ଆଦେଶ ଦେଉଛି, ତା’ ଅଧୀନରେ ଥିବା ବଡ଼ ବଡ଼ ସେନା ଅଧିକାରୀ, ପୁଲିସ୍ ଅଫିସର୍, ବୈଜ୍ଞାନିକ, ଇଂଜିନିୟର କାର୍ଯ୍ୟକାରୀ କରୁଛନ୍ତି। କେହି ପ୍ରଶ୍ନ କରୁନାହାନ୍ତି। ସେଥିପାଇଁ ଟ୍ରମ୍ପ୍‌ଙ୍କ ଆଦେଶ ପାଳନ ନହେବା ତାତ୍ପର୍ଯ୍ୟପୂର୍ଣ୍ଣ।

ଟ୍ରମ୍ପ୍‌ଙ୍କ ସମର୍ଥକ ଏବେ ପର୍ଯ୍ୟନ୍ତ ତାଙ୍କ ସାଙ୍ଗରେ ଅଛନ୍ତି। ସେ ଯେଉଁ ଷଡ଼୍‌ଯନ୍ତ୍ରର ତତ୍ତ୍ବ ଶୁଣାଉଛନ୍ତି, ତାକୁ ସେମାନେ ସମ୍ପୂର୍ଣ୍ଣ ଗ୍ରହଣ କରୁଛନ୍ତି। ଏବେ ବି କହୁଛନ୍ତି, ନିର୍ବାଚନ ତ୍ରୁଟିପୂର୍ଣ୍ଣ ଥିଲା ଓ ଜାଲିଆତି କରି ତାଙ୍କୁ ହରାଇ ଦିଆଗଲା। ଟ୍ରମ୍ପ୍ ନିଜ ଶାସନ କାଳରେ ଆମେରିକାର ସୁପ୍ରିମ୍ କୋର୍ଟରେ ତିନି ଜଣ ବିଚାରପତିଙ୍କୁ ନିଯୁକ୍ତି କରିଥିଲେ। ତେଣୁ ସେ ଭାବିଥିବେ ଏହି ବିଚାରପତିମାନେ ତାଙ୍କ ପ୍ରତି କୃତଜ୍ଞ ରହିବେ। ଅତି କମ୍‌ରେ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବେ। କିନ୍ତୁ ସୁପ୍ରିମ୍ କୋର୍ଟର ସବୁ ବିଚାରପତି ଏକ ମତରେ ତାଙ୍କ କେସ୍‌କୁ ଶୁଣାଣି ପାଇଁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ଶୁଣାଇଲେ। ସେ ନିଯୁକ୍ତ କରିଥିବା ତିନି ଶହରୁ ଅଧିକ ବିଚାରପତିଙ୍କ ମଧ୍ୟରୁ ଜଣେ ବା ଅନ୍ୟ କେହି ବୋଲ ମାନିଲେ ନାହିଁ। ଶହେ ଚାରିଟି କେସ୍ ରୁଜୁ କଲେ ମଧ୍ୟ, ସବୁଗୁଡ଼ିକରେ ହାରିଲେ। ସେନାବାହିନୀର ଜେନେରାଲ୍‌ମାନେ ସାହାଯ୍ୟ କରିବାକୁ ମନା କଲେ। ଆଟର୍ନି ଜେନେରାଲ୍ ଉଇଲିଅମ୍ ବାର୍ ଇସ୍ତଫା ଦେଲେ ସିନା କିନ୍ତୁ ମିଛ କହିଲେ ନାହିଁ। ଆମେରିକାର ସର୍ବୋଚ୍ଚ ପୁଲିସ୍ ସଂସ୍ଥା ଏଫ୍.ବି.ଆଇ.ର ନିର୍ଦ୍ଦେଶକ ଭାବେ ଟ୍ରମ୍ପ୍‌, ଖ୍ରୀଷ୍ଟଫର୍ ରେଙ୍କୁ ନିଯୁକ୍ତି ଦେଇଥିଲେ। ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ ଭାବିଥିଲେ ଏଫ.ବି.ଆଇ. ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିବାକୁ ବାଇଡେନ୍‌ଙ୍କ ପୁଅ ହଣ୍ଟର୍ ଦୁର୍ନୀତି କରି ଚୀନ୍‌ଠୁ ପଇସା ଖାଇଛନ୍ତି ବୋଲି କହିବେ। ଏଫ.ବି.ଆଇ. ନିର୍ଦ୍ଦେଶକ ଏଭଳି କଲେ ନାହିଁ। ନିର୍ବାଚନରେ ଜାଲିଆତିର କୌଣସି ପ୍ରମାଣ ନାହିଁ ବୋଲି ଏଫ.ବି.ଆଇ. ଘୋଷଣା କଲା। ଯେଉଁ ରାଜ୍ୟମାନଙ୍କରେ ଟ୍ରମ୍ପ୍‌ଙ୍କ ନିଜ ଦଳର ଶାସନ ମୁଖ୍ୟ ଅଛନ୍ତି, ସେଠି ମଧ୍ୟ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ନିରପେକ୍ଷ ରହିଲେ। ଟ୍ରମ୍ପ୍‌, ପ୍ରତିଷ୍ଠିତ ଗଣମାଧ୍ୟମକୁ ‘ଫେକ୍‌ନ୍ୟୁଜ୍’ ଓ ‘ଲୋକଙ୍କ ଶତ୍ରୁ’ ଅଭିହିତ କରି ତାଙ୍କ ବିପକ୍ଷରେ ପରିବେଷିତ ସମ୍ବାଦ ଗ୍ରହଣ ନ କରିବାକୁ ନିଜ ସମର୍ଥକମାନଙ୍କୁ ପ୍ରବର୍ତ୍ତାଇ ସାରିଥିଲେ। ଏହା ସତ୍ତ୍ୱେ ଗଣମାଧ୍ୟମ, ବୁଦ୍ଧିଜୀବୀ, ଲେଖକ କେହି ବି ଗୋଡ଼ାଣିଆ ହେଲେ ନାହିଁ। ଏପରି କି ‘ଫକ୍‌ସ ନ୍ୟୁଜ୍‌’ ଆରିଜୋନାରେ ବାଇଡେନ୍‌ଙ୍କୁ ବିଜୟୀ ଘୋଷଣା କଲା। ଟ୍ରମ୍ପ୍ ଆମେରିକାର ବଡ଼ ଟେକ୍‌ନୋଲୋଜି କମ୍ପାନିମାନଙ୍କୁ ଧମକାଇଲେ। କିନ୍ତୁ ଟୁଇଟର୍ ଓ ଫେସ୍‌ବୁକ୍‌ ଭଳି ମାଧ୍ୟମମାନେ ତାଙ୍କୁ ଡରିଲେନି। ଶେଷରେ ତାଙ୍କୁ ଏ ସବୁରୁ ବାହାର କରିଦେଲେ। ଆନ୍ଥୋନୀ ଫାଉଚିଙ୍କ ଭଳି ପୃଥିବୀର ଶ୍ରେଷ୍ଠ ଡାକ୍ତରମାନଙ୍କୁ ସେ ‘ନିର୍ବୋଧ’ କହି ଛିଗୁଲେଇଲେ। ଏ ସବୁ ସତ୍ତ୍ୱେ କେହି ବୋଲକରା ହେଲେନି। ଜର୍ମାନି ଭଳି ଆମେରିକାରେ ଯଦି ଲୋକେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ମାନିଥା’ନ୍ତେ, ତା’ହେଲେ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା।

ମିଲ୍‌ଗ୍ରାମ୍‌ଙ୍କ ପରୀକ୍ଷାରୁ ଜଣାଯାଏ, ଲୋକେ ଅତି ସହଜରେ ଉପର ଲୋକଙ୍କ ନିର୍ଦ୍ଦେଶ ମାନି ବେନିୟମ କାମ କରିବାକୁ ରାଜି ହୋଇଯାଆନ୍ତି। ନୋବେଲ୍ ପୁରସ୍କାର ବିଜେତା ପୋଲାଣ୍ଡର କବି ଚେସ୍‌ଲୋ ମିଲ୍‌ଜ୍‌ ଏ ପ୍ରସଙ୍ଗରେ ସୁନ୍ଦର ପୁସ୍ତକଟିଏ ଲେଖିଛନ୍ତି, ଯାହାର ନାଁ ହେଲା ‘ଦି କାପଟିଭ୍ ମାଇଣ୍ଡ’ ବା ‘କବଳିତ ମାନସିକତା’। କିପରି ତାଙ୍କ ଦେଶରେ ଲୋକମାନେ ଏକଛତ୍ରବାଦକୁ ସହଜରେ ଗ୍ରହଣ କରିନେଲେ ତାହା ମିଲ୍‌ଜ୍ ଅଙ୍ଗେ ନିଭେଇଥିଲେ। ଲୋକେ ଭୟ ନୁହେଁ, ନିଜ ଖୁସି ପାଇଁ ବୋଲକରା ହୋଇଯାଆନ୍ତି। ସେମାନେ ବୁଝନ୍ତି ଯେ ଦାସତ୍ୱ ସ୍ୱୀକାର କଲେ ପଦ, ପଦବି, ପୁରସ୍କାର, ସ୍ୱୀକୃତି, ଅର୍ଥ, ସଫଳତା, ସବୁ କିଛି ମିଳିବ। ଯିଏ କ୍ଷମତାରେ ଥିବା ଲୋକଙ୍କ ବଚସ୍କର ନ ହେବ, ସେ କଷ୍ଟ ପାଇବ। ପଦବି ହରାଇବ। ଅର୍ଥହାନି, ପ୍ରାଣପୀଡ଼ା, ଜୀବନହାନି ସବୁକିଛି ଘଟିବା ସମ୍ଭବ। କିନ୍ତୁ ଥରେ ଦାସତ୍ୱ ଗ୍ରହଣ କଲେ ଦଣ୍ଡ ଓ ବିଫଳତାର ଚାପ ଚାଲିଯାଏ। ଅବସାଦ ରହେନାହିଁ। ଚାରିଆଡ଼ୁ ନିମନ୍ତ୍ରଣ ମିଳେ, ଲୋକେ ଚିହ୍ନନ୍ତି, ସମ୍ମାନ ମିଳେ। ତେଣୁ ଡରିକି ନୁହେଁ, ଖୁସିରେ ଖୁସିରେ ବୁଦ୍ଧିଜୀବୀମାନେ ଦାସତ୍ୱ ବରଣ କରନ୍ତି। ମୁହଁରେ ଖିଲି ଖିଲି ହସ ଫୁଟାନ୍ତି। ନଇଁବାକୁ କହିଲେ, ଗୁରୁଣ୍ଡନ୍ତି। ଥରେ ଥୋବରା ହେଇଗଲେ ହେଲା। ଆଦେଶ ପାଇବା ଆଗରୁ ଲୋକେ ଆଦେଶ ମାନିବାକୁ ଆରମ୍ଭ କରନ୍ତି। ହିଟ୍‌ଲର୍ ଆସିବା ପୂର୍ବରୁ ଲୋକେ ଇହୁଦୀମାନଙ୍କୁ ଚିହ୍ନଟ କରିସାରିଥିଲେ ଓ ନାଜିମାନେ ପହଞ୍ଚିଲା ବେଳକୁ ସାଧାରଣଲୋକ ଇହୁଦୀମାନଙ୍କ ବିରୋଧରେ ଦଙ୍ଗା ଆରମ୍ଭ କରିଦେଇଥିଲେ। ଲୋକେ ଗୋଡ଼ାଣିଆ ହୋଇ ସଫଳତାର ଶିଢ଼ି ଚଢ଼ିବାର ସୁଯୋଗ ସହଜରେ ହାତଛଡ଼ା କରନ୍ତି ନାହିଁ। ବରଂ ସେଥିରୁ ଆତ୍ମସନ୍ତୋଷ ଲାଭ କରନ୍ତି। ମିଲ୍‌ଜ୍‌ ଲେଖିଛନ୍ତି ଯେ ଲୋକେ ଛୋଟ ଛୋଟ ସାଲିସ୍ କରନ୍ତି ଓ ସେସବୁର ସାମଗ୍ରିକ ପରିଣତି ଭୟାନକ ହୁଏ। ସେ ଦେଇଥିବା ଉଦାହରଣ ମଧ୍ୟରୁ ଗୋଟିଏ ଏଠାରେ ଉଦ୍ଧାର କରିବା। ପୋଲାଣ୍ଡର ଏକଛତ୍ରବାଦୀ ସରକାର ନିଷ୍ପତ୍ତି କଲେ ଯେ ଏଣିକି ଛାପାଖାନାମାନେ କେବଳ ସରକାରଙ୍କ ସ୍ୱୀକୃତ ତାଲିକାରୁ ବହି ମୁଦ୍ରଣ କରିବେ। ଧରନ୍ତୁ ଜଣେ ଛାପାଖାନା ମାଲିକ ଅଛି। ସେ ଋଣ କରି ବ୍ୟବସାୟ ଆରମ୍ଭ କରିଛି। ଘରେ ରୋଗିଣୀ ସ୍ତ୍ରୀ। ଚିକିତ୍ସା ପାଇଁ ପଇସା ଦରକାର। ପିଲା ପାଠ ପଢୁଛି, ସେଥିପାଇଁ ମଧ୍ୟ ଅର୍ଥ ଦରକାର। ତେଣୁ ସେ ସରକାରଙ୍କ ନିଷ୍ପତ୍ତିକୁ ମାନିନିଏ। ସରକାର ଯେଉଁ ବହିକୁ ସ୍ୱୀକୃତି ଦିଅନ୍ତି, ତାକୁ ଛାପେ। ଦୁଇ ପଇସା କମାଏ। କିନ୍ତୁ ବୁଝେ ନାହିଁ ଯେ ଏହାଦ୍ୱାରା କେବଳ ସରକାର ଚାହୁଁଥିବା ବହି ହିଁ ଛପା ହେବ। ଅନ୍ୟ ସବୁ ଲେଖା ଓ ଚିନ୍ତାଧାରା ଲୋକେ ପଢ଼ିବାକୁ ବା ଜାଣିବାକୁ ପାଇବେ ନାହିଁ। ଲୋକେ ଏହିଭଳି ଛୋଟ ଛୋଟ ସାଲିସ୍ କରନ୍ତି। ଫଳତଃ, ସମାଜ କାଦୁଅ ଖସଡ଼ାରେ ଖସି ରସାତଳକୁ ଚାଲିଯାଏ। ସମସ୍ତେ ମିଳିମିଶି ଏକଛତ୍ରବାଦର ସହଭାଗୀ ଓ ସମର୍ଥକ ହୋଇଯାଆନ୍ତି। ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ? ଲୋକେ କୁହନ୍ତି ବ୍ୟବସାୟ କରୁଛୁ, ଚାକିରି କରିଛୁ, ପିଲାଛୁଆ ଅଛନ୍ତି, ତେଣୁ କ’ଣ ବା କରିବୁ? ବୋଲମାନି କାମ କଲେ ସୁଖରେ ରହିବୁ। ସେଥିପାଇଁ ଆମେରିକାର ସଂସ୍ଥାଗୁଡ଼ିକ ଅସହାୟ ନ ହୋଇ ଦୃଢ଼ତା ଦେଖାଇବା ଏତେ ଗୁରୁତ୍ୱପୂର୍ଣ୍ଣ। ସବୁ ଦେଶରେ ସେଭଳି ହେବା ସମ୍ଭବପର ନୁହେଁ।

ଆମେରିକା ପୃଥିବୀର ପ୍ରଥମ ସାମ୍ବିଧାନିକ ଗଣତନ୍ତ୍ର। ‘We the People’ ବା ‘ଆମେ ଜନତା’ ଆମେରିକାର ସମ୍ବିଧାନରେ ପ୍ରଥମେ ଲେଖାହେଲା। ଲେଖାଗଲା, ଏହା ସ୍ପଷ୍ଟ ଯେ ସବୁ ମଣିଷ ଜନ୍ମଗତ ଭାବେ ସମାନ ଓ ସମସ୍ତଙ୍କର ଅବିଚ୍ଛେଦ୍ୟ ଅଧିକାର ଅଛି। ଏଇ ସରଳ କେଇପଦ କଥା କହିବାକୁ ମଣିଷସମାଜକୁ ହଜାର ହଜାର ବର୍ଷ ଲାଗିଥିଲା। ସେହି ସମାନ ଦର୍ଶନ ମଧ୍ୟ ଫରାସୀ ବିପ୍ଳବର ସୂତ୍ରପାତ କରିଥିଲା। କିନ୍ତୁ ଥରେ ରାଜାରାଜୁଡ଼ା ଶାସନ ହଟିଲା ପରେ ଫ୍ରାନ୍‌ସରେ ଅରାଜକତା ଦେଖାଦେଇଥିଲା। ଇଉରୋପରେ ମଧ୍ୟ ଅନେକ ଝଡ଼ ଆସିଛି। ଆମେରିକା କିନ୍ତୁ ସବୁବେଳେ ଏକ ସ୍ଥିର ଓ ବିକଶିତ ଗଣତନ୍ତ୍ର ହୋଇ ରହିଆସିଛି। ଯେତେବେଳେ କମ୍ୟୁନିଜମ୍‌ର ପତନ ଘଟିଲା, ରୋନାଲ୍‌ଡ ରେଗାନ୍ କହିଥିଲେ ଯେ ଆମେରିକା ବିଶ୍ୱର ଏକ ଅନନ୍ୟ ଦେଶ; ପାହାଡ଼ ଉପରେ ପ୍ରତିଷ୍ଠିତ ଏକ ଚମକପ୍ରଦ ସହର। ସାରା ପୃଥିବୀକୁ ଏହି ସହର ଗଣତନ୍ତ୍ର ଓ ମାନବିକ ଅଧିକାରର ଉଚ୍ଚ ଆଦର୍ଶରେ ଉଦ୍ଭାସିତ କରିବ। ସେଥିପାଇଁ ତ ରାଜନୀତି ବିଜ୍ଞାନୀମାନେ କେବେ ବି ଆକଳନ କରିପାରି ନଥିଲେ ଯେ ଆମେରିକାରେ ଦିନେ ଟ୍ରମ୍ପ୍‌ଙ୍କ ଭଳି ଜଣେ ରାଷ୍ଟ୍ରପତି ନିର୍ବାଚିତ ହେବେ, ଯିଏ ନିର୍ବାଚନ ହାରିଲେ ମଧ୍ୟ କ୍ଷମତା ହସ୍ତାନ୍ତର ନ କରି ଗଣ୍ଡଗୋଳ ଭିଆଇବେ।

ଟ୍ରମ୍ପ୍‌ ରିପବ୍ଲିକାନ୍ ଦଳର ନେତା। ଆବ୍ରାହାମ୍ ଲିଙ୍କନ୍‌ଙ୍କ ଦଳ। ସେହି ଦଳରେ ଅନେକ ଜ୍ଞାନୀ, ବୁଦ୍ଧିଜୀବୀ, ପ୍ରତିଷ୍ଠିତ ଓକିଲ ଅଛନ୍ତି। ସେମାନେ ଇତିହାସ ଜାଣନ୍ତି। ଏହା ସତ୍ତ୍ୱେ ହାତ ଗଣତି କିଛି ନେତାଙ୍କୁ ଛାଡ଼ିଲେ ପୂରା ରିପବ୍ଲିକାନ୍ ଦଳ ଏବେ ମଧ୍ୟ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଛି। ହୁଏ’ତ ସେ ଚାରି ବର୍ଷ ପରେ ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରନ୍ତି। ତେବେ ସେ କ୍ଷମତାଚ୍ୟୁତ ହେବା ଏକ ଛୋଟ ଘଟଣା ନୁହେଁ। ପ୍ରତ୍ୟେକ ଦେଶରେ ସମ୍ବିଧାନ, ଐତିହ୍ୟ, ଦାର୍ଶନିକ ପରମ୍ପରା ଅଛି। କିନ୍ତୁ ସବୁ ଦେଶରେ ଆମେରିକା ଭଳି ବୁଦ୍ଧିଜୀବୀ ନାହାନ୍ତି। ସଂସ୍ଥାଗତ ଦୃଢ଼ତା ନାହିଁ। ଅନ୍ୟ ଦେଶମାନଙ୍କରେ ତ ଅସହାୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗୋଡ଼ାଣିଆ ହେବାର ପ୍ରତିଯୋଗିତା ଅନବରତ ଲାଗିରହେ। ସମ୍ବିଧାନ କାଗଜ ଓ କାଳିରେ ଲେଖା ନିର୍ଜୀବ ବହିଟିଏ। ଲୋକଙ୍କ ନିତିଦିନିଆ ଆଚରଣ ହିଁ ସମ୍ବିଧାନର ପ୍ରକୃତ ବାସ୍ତବତା। ବାକି ସବୁ ଆଈ ମା’ କାହାଣୀ।

ଲେଖକ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର;
ମତ ବ୍ୟକ୍ତିଗତ

ସମ୍ବନ୍ଧିତ ଖବର