ଢୁର୍‌, କୁନ୍ତଳା ଏବଂ ବନ୍ୟଜନ୍ତୁ ଆଇନ

ପ୍ରଶାନ୍ତଚନ୍ଦ୍ର ପଟ୍ଟନାୟକ

ଗତ ୧୭ ମାର୍ଚ୍ଚ ‘ସମ୍ବାଦ’ରେ ‘ଢୁର୍‌ ପାଇଁ ଢେର‌୍‌ ମମତା’ ଶୀର୍ଷକରେ ଗୋଟିଏ ବାର‌୍‌ହା ଛୁଆ ସହିତ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ୍‌ର ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା ନାମ୍ନୀ ଜଣେ ମହିଳାଙ୍କ ଫଟୋ ସହିତ ପ୍ରକାଶ ପାଇଥିବା ଗୋଟିଏ ଖବର ଅନୁଯାୟୀ ୨୦୨୦ ଜୁନ୍‌ ମାସରେ କୁନ୍ତଳା ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଗୋଟିଏ ବାର‌୍‌ହା ଛୁଆ ଏକା ଏକା ଅତି ଅସହାୟ ଅବସ୍ଥାରେ ବୁଲୁଥିବା ଦେଖି ନିଜ ଘରକୁ ନେଇ ଆସିଥିଲେ। ତାକୁ ଗାଈ କ୍ଷୀର ପିଇବାକୁ ଦେଲେ, ଲୋରି ଗୀତ ଗାଇ ଶୁଆଇଲେ। ଧୀରେ ଧୀରେ ବାର‌୍‌ହା ଛୁଆଟି ପରିବାରରେ ବଢ଼ିଲା, ଭାତ ତରକାରି ଖାଇଲା। ଚା’ ମଧୢ ପିଇଲା। ତା’ର ନାମ ଦିଆଗଲା ଢୁର୍‌ ଏବଂ ସେ ଘରେ ଥିବା ଗାଈଗୋରୁ ଓ କୁକୁରଙ୍କ ସହିତ ମିଶିଲା। ସେ ଘର ଲୋକଙ୍କ ସହିତ ଖାଇଲା, ଗୋଟିଏ ଖଟରେ କମଳ ଘୋଡ଼େଇ ଶୋଇଲା ମଧ୍ୟ। ଏମିତି ସ୍ନେହ ଆଦର ପାଇ ସେ ୧୦ ମାସ ଯାଏ ଖୁସିରେ ରହିଲା। ତେ‌େବ ସ୍ଥାନୀୟ ବନ ବିଭାଗୀୟ ଅଧିକାରୀ ଖବର ପାଇ ଗଲା ମାର୍ଚ୍ଚ ୯ ତାରିଖରେ ବନ୍ୟପ୍ରାଣୀ ଆଇନ ବଳରେ ବାର‌୍‌ହାଟିକୁ ନେଇ ସମାକୋଇ ସ˚ରକ୍ଷିତ ଜଙ୍ଗଲରେ ଛାଡ଼ିଦେଲେ।

ଏଣେ ପାଗଳୀ ପ୍ରାୟ କୁନ୍ତଳା ଟିଫିନ୍‌ରେ ଭାତ ଧରି ପ୍ରତିଦିନ ଜଙ୍ଗଲକୁ ଯାଇ ଢୁର୍‌କୁ ଖୋଜିଲେ।

ତା’ପରେ ମାର୍ଚ୍ଚ ୧୮ ତାରିଖ ‘ସମ୍ବାଦ’ରେ ପୁଣି ଏକ ଖବର ପ୍ରକାଶ ପାଇଲା ଯେ ଆହତ ଅବସ୍ଥାରେ ଢୁର୍‌ ୧୫ କିଲୋମିଟର ଦୂର କମଳାଙ୍ଗ ଜଙ୍ଗଲରେ ପଡ଼ିଥିବା ଖବର ପାଇ କୁନ୍ତଳାଙ୍କ ପରିବାରର ଲୋକେ ସେଠାକୁ ଯାଇଥିଲେ। ଅନେକ ଦିନ ପରେ ପରିବାରର ଲୋକଙ୍କୁ ଦେଖି କ୍ଷୁଧାତୁର ଓ ଆହତ ଢୁର୍‌ର ଆଖିରୁ ଲୁହ ନିଗିଡ଼ି ଆସିଥିଲା। ସେଠାରୁ ସେ ତାଙ୍କ ପଛେ ପଛେ ଘରକୁ ଫେରିଥିଲା।

ଏ ଘଟଣାରେ ସ୍ଥାନୀୟ ବନ ବିଭାଗୀୟ ରେଞ୍ଜର କହିଲେ ଯେ ବନ୍ୟଜନ୍ତୁ ଘରେ ପାଳିବାର ନିୟମ ନାହିଁ। ଏ ସଂଦର୍ଭରେ ଉଲ୍ଲେଖଯୋଗ୍ୟ ଯେ ଅତୀତରେ ଜଣେ ବରିଷ୍ଠ ବନ ବିଭାଗୀୟ ଅଧିକାରୀ ଖଇରୀ ନାମକ ଗୋଟିଏ ବାଘକୁ ପୋଷିଥିଲେ। ମୁଁ ନିଜେ ମୋ ଚାକିରି କାଳରେ ନୀଳଗିରି ଏସ୍‌.ଡି.ଓ ଥିଲା ବେଳେ ଗୋଟିଏ କୁଟୁରା, ଗୋଟିଏ ଠେକୁଆ ଓ ନେଉଳ ପାଳିଥିଲି। ପଶୁ ଜନ୍ତୁ ହେଲେ ମଧୢ ସେମାନେ ପୋଷା ମାନି ଖୁସିରେ ରହୁଥିଲେ। କୁଟୁରାଟି ମୋ ବଦଳି ବେଳେ ମୋ ସହିତ ନୀଳଗିରିରୁ କେନ୍ଦ୍ରାପଡ଼ା ଓ ସେଠାରୁ ଭୁବନେଶ୍ବରକୁ ଯାଇଥିଲା ଓ ମୁଁ ରାତିରେ ଡେରିରେ ଫେରିଲେ ଖୁରାରେ ଠକ୍‌ ଠକ୍‌ ଶବ୍ଦ କରି ମୋତେ ପାଖକୁ ଡାକୁଥିଲା। ଚିଡ଼ିଆଖାନାରେ ତ ପୁଣି ବନ୍ୟଜନ୍ତୁମାନଙ୍କୁ ରଖାଯାଇଛି।

ଯେଉଁମାନେ ପଶୁପ୍ରାଣ ବ୍ୟକ୍ତି (Animal lovers) ସେମାନେ ନିଶ୍ଚିତ ଭାବରେ ପଶୁପକ୍ଷୀମାନଙ୍କୁ କଷ୍ଟ ଦେବା ବିପକ୍ଷରେ। ତେବେ, କୁନ୍ତଳାଙ୍କ ସ୍ନେହରେ ବନ୍ଧା ବାର‌୍‌ହାଟିକୁ ବନ ବିଭାଗୀୟ ଅଧିକାରୀ ଜଙ୍ଗଲରେ ଛାଡ଼ିଲା ପରେ ତା’ର କୌଣସି ଯତ୍ନ ନେଲେ ନାହିଁ। ବାର‌୍‌ହା ଛୁଆଟି ନ ଖାଇ ନ ପିଇ ଭୋକରେ ରହିଲା ଓ ତା’ର ଗୋଡ଼ରେ ଆଘାତ ଲାଗି ସେ କଷ୍ଟ ପାଉଥିଲା। ତେଣୁ ଏ କଥାକୁ ଆମେ ଭୁଲିଗଲେ ହେବ ନାହିଁ।
ସପ୍ତସତୀ ଚଣ୍ତୀରେ କୁହାଯାଇଛି ଯେ ରାଜା ସୁରଥ ଓ ସମାଧି ବୈଶ୍ୟ ସେମାନଙ୍କ ରାଜ୍ୟ ଓ ପରିବାର ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ବନ ଗମନ କଲେ ଓ ମେଧା ଋଷିଙ୍କ ଆଶ୍ରମରେ ପହଞ୍ଚି ଦେଖିଲେ ସେଠାରେ ବନ୍ୟ ହି˚ସ୍ର ଜନ୍ତୁମାନେ ହି˚ସାଭାବ ତ୍ୟାଗ କରି ଶାନ୍ତ ଭାବରେ ମୁନି ଶିଷ୍ୟମାନଙ୍କ ସହିତ ରହୁଛନ୍ତି। ‘‘ପ୍ରଶାନ୍ତଶ୍ବାପଦାକୀର୍ଣ୍ଣଂ ମୁନି ଶିଷ୍ୟୋପଶୋଭିତମ୍‌’’।

ପୁରାଣରେ ଅଛି ରାଜା ଭରତ ରାଜ୍ୟ ସ˚ସାର ତ୍ୟାଗ କରି ବଣରେ ଯାଇ ତପସ୍ୟା କରୁଥିବା ବେଳେ ଦିନେ ସି˚ହ ଭୟରେ ଗୋଟିଏ ଗର୍ଭିଣୀ ମୃଗିଣୀ ନଦୀ ପାର ହେବା ପାଇଁ ପ୍ରାଣ ବିକଳରେ ଲମ୍ଫ ଦେଲା ବେଳେ ତା’ର ଗର୍ଭରୁ ଶାବକଟି ଅଗତ୍ୟା ଜନ୍ମ ନେଇ ନଦୀରେ ପଡ଼ିଗଲା। ରାଜା ଭରତ ନଦୀରେ ସ୍ନାନ କରୁଥିବା ବେଳେ ନଦୀ ଗର୍ଭରୁ ତାକୁ ଉଦ୍ଧାର କରି ସ୍ନେହ ମମତା ଢାଳି ତାକୁ ପୋଷିଲେ। ଉଭୟେ ଏପରି ସ୍ନେହାନୁବଦ୍ଧ ହେଲେ ଯେ କେହି କାହାକୁ ନ ଦେଖି କ୍ଷଣେ ମଧ୍ୟ ରହି ପାରୁନଥିଲେ। ମରଣ ବେଳେ ସେ ମୃଗଶାବକ କଥା ଚିନ୍ତା କରି ଦେହ ତ୍ୟାଗ କଲେ ବୋଲି ପର ଜନ୍ମରେ ମୃଗ ଯୋନିରେ ଜନ୍ମ ହେଲେ।

ଶାସ୍ତ୍ରରେ କୁହାଯାଇଛି ଯେ ଗାଈ ଗୋରୁ ଇତ୍ୟାଦି ଭଳି ଯେଉଁ ଜନ୍ତୁମାନେ ବଣରେ ନ ରହି ମଣିଷ ପାଖରେ ରହନ୍ତି, ସେମାନେ ମନୁଷ୍ୟ ଭାବ ଗ୍ରହଣ କରି ପରଜନ୍ମରେ ମନୁଷ୍ୟ ଯୋନିରେ ଜନ୍ମ ହୁଅନ୍ତି। ତେଣୁ ପଶୁପକ୍ଷୀମାନେ ମଣିଷର ସ୍ନେହ ପାଇ ତଦ୍‌ଭାବରେ ଭାବାନ୍ବିତ ହୁଅନ୍ତି। ଭାଗବତରେ ମଧୢ କୁହାଯାଇଛି ଯେ ପଶୁପକ୍ଷୀମାନଙ୍କୁ ନିଜର ପୁତ୍ରପ୍ରାୟ ଦେଖିବ ଏବ˚ ତାଙ୍କୁ ନିଜ ଆତ୍ମୀୟ ବୋଲି ମନେ କରି ଅନ୍ତରର ସହିତ ଆଦର କରିବା ଉଚିତ।
କପି ମକ୍ଷିକା ଉଷ୍ଟ୍ର ଖଗ,
ମୂଷିକ ଗର୍ଦ୍ଦଭଯେ ମୃଗ।
ଉରଗ ପତଙ୍ଗାଦି ଯେତେ,
ତାହାଙ୍କୁୁ ପୁତ୍ର ପ୍ରାୟେ ଚିତ୍ତେ।
ଆତ୍ମାର ପ୍ରାୟେ ନିତ୍ୟେ ଦେଖି
ଅନ୍ତର ମନେ ନ ଉପେକ୍ଷି।
ଭାଗବତ ୭-୧୪(୨୮-୩୦)

ଏ ସବୁ ଦୃଷ୍ଟିରୁ ବିଚାର କଲେ ମଣିଷର ଆଦର ସ୍ନେହ ପାଇ ଭଲରେ ରହୁଥିବା ବନ୍ୟଜନ୍ତୁମାନଙ୍କୁ ଆଇନ ଦୃଷ୍ଟିରୁ ଦଣ୍ତନୀୟ ବୋଲି କହି ବନ କର୍ମଚାରୀମାନେ ଛଡ଼ାଇ ନେଇ ଜଙ୍ଗଲରେ ଛାଡ଼ି ଦେବା କେତେଦୂର ସମୀଚୀନ ତାହା ବିଚାର୍ଯ୍ୟ। ଯଦି ଜଙ୍ଗଲରେ ଛଡ଼ାଯାଏ, ସେଠାରେ ସେମାନଙ୍କର ଯତ୍ନ ନେବା ପାଇଁ ବ୍ୟବସ୍ଥା କରା ନଯିବା ମଧୢ ଅନ୍ୟାୟ।

କହି ରଖେ ଯେ ଏହି ଖବର ବାହାରିବା ପରେ ‘ସମ୍ବାଦ’ର ପ୍ରତିନିଧିଙ୍କ ଜରିଆରେ କୁନ୍ତଳାଙ୍କ ସହିତ ମୁଁ ଭିଡିଓ କଲ୍‌ରେ କଥା ହେବାର ସୁଯୋଗ ପାଇଲି। ମୁଁ ଦେଖିଲି ଢୁର୍‌ର ଗୋଡ଼ ଜଖମ୍‌ ହୋଇ ସେ ପଡ଼ି ରହିଛି ଓ ତା’ ଆଖିରୁ ଲୁହ ଗଡୁଛି। ସୁଖର କଥା ଯେ ‘ସମ୍ବାଦ’ର ପ୍ରତିନିଧିଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ପଶୁ ଡାକ୍ତର ଓ ବନ ବିଭାଗୀୟ ଚିକିତ୍ସା ଦଳ ତା’ର ଚିକିତ୍ସା କରିଥିଲେ।

କୁନ୍ତଳାଙ୍କ ଠୁ ଜାଣିଲି ଯେ ସେ ପାଞ୍ଚଟି ସନ୍ତାନର ଜନନୀ। ତାଙ୍କର ଗୋଟିଏ ଝିଅ ୧୩ ବର୍ଷ ବୟସରେ କର୍କଟ ରୋଗରେ ପ୍ରାଣ ହରାଇଛି ଯାହାର ଚିକିତ୍ସା ଖର୍ଚ୍ଚ ତାଙ୍କୁ ସର୍ବସ୍ବାନ୍ତ କରିଛି। ତଥାପି ତାଙ୍କ ଘରେ ଦଶଟି ଗାଈଗୋରୁ, ଚାରିଟି କୁକୁର ଓ ସାତଟି ଶୁଆ ଅଛନ୍ତି। ବାର‌୍‌ହା ଛୁଆଟି ଏବେ ପରିବାରର ଆଉ ଜଣେ ସଦସ୍ୟ। ଏଥିରୁ କୁନ୍ତଳାଙ୍କ ମନରେ ଜନ୍ତୁମାନଙ୍କ ପ୍ରତି ଥିବା ସ୍ନେହ ଭାବ ସମ୍ବନ୍ଧରେ ଧାରଣା ହୋଇଥାଏ। ଏହି ମର୍ମରେ କହିବାକୁ ଇଚ୍ଛା ହୁଏ ଯେ କୁନ୍ତଳାଙ୍କ ଭଳି ସ୍ନେହଶୀଳା ମା’ଙ୍କ ହାତରୁ ବାର୍‌ହା ଛୁଆଟିକୁ ଯେମିତି ଅଲଗା କରା ନ ଯାଇପାରିବ, ସେହିଭଳି ଆଇନ ହେଉ; ପୁରୁଣା ଆଇନରେ ସଂଶୋଧନ କରାଯାଉ।

ପ୍ରାକ୍ତନ ଅତିରିକ୍ତ ସଚିବ, ଗୃହବିଭାଗ
ମୋ: ୯୮୫୩୩୩୫୯୬୨

ସମ୍ବନ୍ଧିତ ଖବର