କିଛିଦିନ ତଳେ ଖବରକାଗଜରୁ ଜଣାପଡ଼ିଲା, ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାର ୨୫୦ ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଏ କମିଟି ଏ ଐତିହାସିକ ଉତ୍ସବ କିପରି ପାଳନ କରାଯିବ ତା’ର କାର୍ଯ୍ୟସୂଚି ନିରୂପଣ କରିବେ ବୋଲି ଭାବିଲା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ଅମୃତ ମହୋତ୍ସବ ପାଳନ କଲେ ଯାହାକୁ ୭୫ ବର୍ଷ ପୂର୍ତ୍ତିର ପ୍ରଥମ ଉତ୍ସବ ବୋଲି କୁହାଗଲା। ଏହା ଆଶ୍ଚର୍ଯ୍ୟଜନକ ଥିଲା, କାରଣ କେନ୍ଦ୍ର ସରକାରଙ୍କ ନୈତିକ ଦାୟିତ୍ବ ହେଲା, ଯାହା ସବୁ କାର୍ଯ୍ୟକ୍ରମ ହେବ ତାହା ଦଳ, ମତ ନିର୍ବିଶେଷରେ ସ୍ଥିର ହେବ। ଏ ବ୍ୟତିକ୍ରମ ଛଡ଼ା ସେତେବେଳେ ଜଣେ ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଏ ଅବସରରେ ଭାରତର ମହାନ ନେତା ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ସୁଭାଷ ବୋଷ ଓ ଆମ୍ବେଦକରଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୋଦୀଙ୍କ ଅମୃତ ମହୋତ୍ସବ ଓ କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା ଏେବଠାରୁ ସ୍ପଷ୍ଟ କରିଦେଲା ଯେ ଆମ ସ୍ବାଧୀନତାର ୭୫ ବର୍ଷ ଜାତି, ଧର୍ମ, ଦଳ ଓ ଗୋଷ୍ଠୀ ନିର୍ବିଶେଷରେ ପାଳନ ନ ହୋଇ ବ୍ୟକ୍ତିକୈନ୍ଦ୍ରିକ ଓ ଏକତରଫା ହୋଇଯାଇପାରେ, ଯାହା ଅତି ଦୁର୍ଭାଗ୍ୟଜନକ ହେବ। ଇତିହାସ ଭୁଲି ପାରିବ ନାହିଁ ଯେ ବର୍ତ୍ତମାନ କ୍ଷମତାସୀନ ଦଳର ମୂଳ ସ˚ସ୍ଥା ଆର.ଏସ.ଏସ ୧୯୪୭ରେ ଭାରତର ସ୍ବାଧୀନତାକୁ ଗ୍ରହଣ କରି ନଥିଲା, ଜାତୀୟ ପତାକା ତ୍ରିରଙ୍ଗାକୁ ଗ୍ରହଣ ନ କରି ପୋଡ଼ି ଦେଇଥିଲା ଓ ଆମ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରିଥିଲା। ଆର.ଏସ.ଏସ ଓ ମୁସଲିମ୍ ଲିଗ୍ ଇ˚ରେଜ ସରକାରଙ୍କୁ ସମର୍ଥନ ଜଣାଇଥିଲେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ।
ପଞ୍ଚସ୍ତରି ବର୍ଷ ପରେ ସେହି ମତବାଦୀ ଦଳ ନିର୍ବାଚନରେ ଜିତି ବର୍ତ୍ତମାନ କେବଳ କ୍ଷମତାସୀନ ନୁହେଁ, ଅଖଣ୍ତ କ୍ଷମତାର ଅଧିକାରୀ ଓ ଏ କ୍ଷମତା ଜଣେ ବ୍ୟକ୍ତି ପାଖେ କେନ୍ଦ୍ରୀଭୂତ। ସେ ହେଲେ ନରେନ୍ଦ୍ର ମୋଦୀ, ଯାହାଙ୍କୁ ପ୍ରଶ୍ନ ପଚାରିବାର ସାହସ କାହାରି ନାହିଁ। ଏପରି ଏକଚାଟିଆ କ୍ଷମତା ସ୍ବାଧୀନତା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁଙ୍କ ପାଖେ ଥିଲା, କିନ୍ତୁ ସେ କେବେହେଲେ କ୍ଷମତାର ଅସଦ୍ ବ୍ୟବହାର କରୁନଥିଲେ। ଏହାର ପ୍ରଧାନ କାରଣ ଥିଲା, ସେ ଗଣତନ୍ତ୍ରର ପୂଜାରୀ ଥିଲେ। ତା’ଛଡ଼ା ତାଙ୍କ ସହଯୋଗୀମାନେ ତାଙ୍କୁ ପ୍ରଶ୍ନ କରିପାରୁଥିଲେ, ଜଵାହର ବୋଲି ତାଙ୍କ ନାଁ ନେଇ ପାରୁଥିଲେ। ଏହା ଆଜି ସ୍ବପ୍ନ। ଏ ପରିପ୍ରେକ୍ଷୀରେ ୭୫ତମ ସ୍ବାଧୀନତା ଉତ୍ସବର ଐତିହାସିକତା, ମହାନତା, ତାତ୍ପର୍ଯ୍ୟ ଓ ଗାମ୍ଭୀର୍ଯ୍ୟକୁ କ୍ଷମତାସୀନ ଦଳ କେତେ ଦୂର ସାର୍ବଜନୀନ କରିପାରିବ ଦେଖିବା କଥା। ଏପରି ଏକ ଐତିହାସିକ ଉତ୍ସବ ପାଳନ ଅବସରରେ ମୋଦୀ ସରକାର କିଛି ଯୁଗାନ୍ତକାରୀ ପଦକ୍ଷେପ ନେଇପାରିଲେ ତାହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବା ଛଡ଼ା ବିଶ୍ବ ଦରବାରରେ ମଳିନ ଓ ନିଷ୍ପ୍ରଭ ହୋଇଯାଉଥିବା ଭାବମୂର୍ତ୍ତିକୁ କିଛି ପରିମାଣରେ ଆଲୋକିତ କରିପାରିବ।
ପ୍ରଥମେ ହେଲା ଦେଶରେ ବାକ୍ ସ୍ବାଧୀନତାକୁ ଦମନ କରିବା ପାଇଁ ଦେଶଦ୍ରୋହ ବା ‘ସେଡିସନ୍’ ଆଇନର ଯେପରି ଚରମ ଅପବ୍ୟବହାର କରାଯାଉଛି, ତାହାକୁ ଉଚ୍ଛେଦ କରି ଏକ ସର୍ବକାଳୀନ ସମାଧାନ କରାଯାଇପାରିବ କି? ଏ ଆଇନର ନଗ୍ନ ଅପବ୍ୟବହାର ମୋଦୀ ସରକାର ସମୟରେ ୨୦୧୪ରୁ ୨୦୨୦ରେ ହୋଇଛି ଓ ଚାଲୁ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ କଳା ଆଇନର ମୁଖ୍ୟ ଶିକାର ହେଲେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ସାମ୍ବାଦିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବୁଦ୍ଧିଜୀବୀମାନେ। ଏ ତାଲିକା ଅତି ଲମ୍ବା। କହ୍ନୈୟା କୁମାର, ହାର୍ଦିକ ପଟେଲଙ୍କ ଠାରୁ ଆରମ୍ଭ ହୋଇ ୨୦୨୧ ଫେବ୍ରୁଆରିରେ ୧୮ ବର୍ଷ ବାଳିକା ଦିଶା ରବି ପର୍ଯ୍ୟନ୍ତ, ମଣି ରତ୍ନମ, ରାମଚନ୍ଦ୍ର ଗୁହା, ଅପର୍ଣ୍ଣା ସେନ, ଶଶୀ ଥରୁର, ରାଜଦୀପ ସରଦେଶାଇ, ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ଇତ୍ୟାଦି ସମସ୍ତେ ହେଲେ ଦେଶଦ୍ରୋହୀ। ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ୫୯୬ଟି କେସ୍ରେ ୭୧୩୯ ବ୍ୟକ୍ତି ଅଭିଯୁକ୍ତ। ଏପରି ନୁହେଁ ଯେ ୟୁ.ପି.ଏ ସମୟରେ ଏ ଆଇନର ଅପବ୍ୟବହାର ହେଉନଥିଲା। ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ୨୭୯ କେସ୍ ଦାୟର କରି ୩୭୬୧ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇଥିଲା। କିନ୍ତୁ ୟୁପିଏ ସମୟରେ ମୁଖ୍ୟ ଗୁରୁତର ଅଭିଯୋଗ ନକ୍ସଲ ହି˚ସା ବିରୋଧରେ ଥିଲା ବେଳେ ବର୍ତ୍ତମାନ ମୋଦୀଙ୍କୁ ସମାଲୋଚନା କଲେ ବା ହିନ୍ଦୁତ୍ବକୁ ବିରୋଧ କଲେ, କୃଷକ ଆନ୍ଦୋଳନକୁ ସମର୍ଥନ କଲେ ଜଣେ ଦେଶଦ୍ରୋହୀ ହେବ। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ଲୋକୁରଙ୍କ ଭାଷାରେ ଦେଶଦ୍ରୋହ ଆଇନର ଲଗାମଛଡ଼ା ଅପବ୍ୟବହାର ଚାଲିଛି। ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ ଦେଶଦ୍ରୋହ ଅପରାଧର ଅପବ୍ୟବହାର ରୋକିବା ପାଇଁ ନିର୍ଦ୍ଦେଶମାନ ଦେଇଛନ୍ତି, କିନ୍ତୁ ଏହା ଶୀତଳ ଭଣ୍ତାରକୁ ଯାଉଛି। ଏ ଅପବ୍ୟବହାର ପାଇଁ ଦାୟୀ କିଏ, ରାଜନେତା, ନା ପୁଲିସ? ଏ ପ୍ରଶ୍ନର ଅତି ସରଳ ଉତ୍ତର ଜଣେ ପୁଲିସ ଅଫିସର ଭାବେ ମୁଁ କହିବି, ଦାୟୀ ରାଜନେତା। ପୁଲିସ କ୍ରୀଡ଼ନକ ଏବ˚ ଆଇନର ଐତିହାସିକ ଭିତ୍ତିଭୂମିକୁ ଅନୁଶୀଳନ କଲେ ଏହା ଜଣାପଡ଼ିବ। ଏହା ୧୮୬୦/୬୧ରେ ଭାରତୀୟ ପିଙ୍ଗଳ ଆଇନ ବ୍ରିଟି୍ସ ସଂସଦରେ ପାରିତ ହେଲାବେଳେ ସ୍ଥାନ ପାଇନଥିଲା। ଦଶ ବର୍ଷ ପରେ ସ୍ଥାନିତ ହେଲା ପରେ ଏହା ଇ˚ରେଜୀ ଆଇନର ଅ˚ଶ ହେଲା ଓ ୨୦୧୧ରେ ବ୍ରିଟିସ୍ ସ˚ସଦ ଏହାକୁ ଉଚ୍ଛେଦ କରି ସାରିଲାଣି।
ଦେଶଦ୍ରୋହ ଆଇନ ସହିତ ଆଉ ଏକ କଳା ଆଇନ ଯାହାର ବ୍ୟାପକ ଅପବ୍ୟବହାର କରାଯାଉଛି, ତାହା ହେଲା ‘ଅନଲ’ଫୁଲ୍ ଆକ୍ଟିଭିଟିସ୍ ପ୍ରିଭେନ୍ସ ଆକ୍ଟ’ ବା ‘ବେଆଇନ କାର୍ଯ୍ୟ ପ୍ରତିରୋଧକାରୀ ଆଇନ’ (ୟୁଏପିଏ)। ଏହା ୧୯୬୭ରେ ପାରିତ ହୋଇଥିଲା, ଚୀନ୍ର ଭାରତ ଆକ୍ରମଣ ଓ ଇଣ୍ତୋ-ପାକ୍ ଯୁଦ୍ଧ ପରେ। ୨୦୧୭ରେ ଏକ ସ˚ଶୋଧନ ଆଣି ଏ ଆଇନକୁ ଆହୁରି କୁତ୍ସିତ କରାଯାଇଛି। ସରକାର ଯଦି ଚାହିଁବେ ଜଣକୁ ଆତଙ୍କବାଦୀ ଘୋଷଣା କରିବେ। ୨୦୧୯ରେ ଏ ଆଇନରେ ୧୨୨୬ଟି କେସ୍ ଦାୟର ହୋଇଥିଲା, କତିପୟ ଅଭିଯୁକ୍ତ ହେଲେ ଜି.ଏନ୍. ସାଇବାବା, ସୋମା ସେନ, ରୋନା ଉଇଲସନ, ସୁଧା ଭରଦ୍ବାଜ, ବାରବରା ରାଓ, ଉମର ଖଲିଦ ଓ ଷ୍ଟାନ ସ୍ବାମୀ।
ଏହାଛଡ଼ା ବିଭିନ୍ନ ଆଇନ ଯାହା ବ୍ୟକ୍ତି ସ୍ବାଧୀନତାର ପରିସରକୁ ବ୍ୟାପକ କରିଛି, ସ˚ଶୋଧନର ଶରବ୍ୟ ହୋଇ ସେ ସବୁ କାର୍ଯ୍ୟକ୍ଷମତା ହରାଇଛନ୍ତି। ଏପରି ଗୋଟିଏ ଆଇନ ହେଲା ୨୦୦୫ରେ ପାରିତ ହୋଇଥିବା ସୂଚନା ଅଧିକାର ଆଇନ, ଯାହା ୟୁପିଏ ସରକାର ପାଇଁ କାଳ ହେଲା। ସମ୍ଭବତଃ ଏ ଡରରେ ସୂଚନା ଅଧିକାର ଆଇନରେ ସ˚ଶୋଧନ ଆଣି କେନ୍ଦ୍ର ଓ ରାଜ୍ୟ ସୂଚନା ଅଧିକାର କମିସନମାନଙ୍କ ପକ୍ଷ ଛେଦନ କରାଯାଇଛି। ଆଇନ ପ୍ରୟୋଗ ଛଡ଼ା ସାମାନ୍ୟ ଇସାରା, ଇଙ୍ଗିତ ବା ମୌଖିକ ଆଦେଶ ବାକ୍ ସ୍ବାଧୀନତା ଦମନ ପାଇଁ ଯଥେଷ୍ଟ। ସଦ୍ୟ ଉଦାହରଣ ହେଲା ଦିଲ୍ଲୀସ୍ଥିତ ଘରୋଇ ଉଚ୍ଚ-ଶିକ୍ଷାନୁଷ୍ଠାନ ଅଶୋକ ୟୁନିଭର୍ସିଟି, ଯାହା ଭାରତରେ ଏକ ଅଗ୍ରଣୀ ବିଶ୍ବବିଦ୍ୟାଳୟ ରୂପେ ଖ୍ୟାତି ଲାଭ କରିଛି; ଏ ଅନୁଷ୍ଠାନର ୨ ଜଣ ଭାରତ ପ୍ରସିଦ୍ଧ ବୁଦ୍ଧିଜୀବୀଙ୍କ ଇସ୍ତଫା। ସେମାନେ ହେଲେ ପ୍ରସିଦ୍ଧ ସ୍ତମ୍ଭକାର ଓ ଲେଖକ ପ୍ରତାପ ଭାନୁ ମେହେଟା ଓ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଅର୍ଥନୀତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟମ। ପ୍ରତାପ ଭାନୁ ମେହେଟାଙ୍କ ଅତି ଉଚ୍ଚକୋଟୀର ସମାଲୋଚନା ମୂଳକ ଆଲେଖ୍ୟମାନର ଜନପ୍ରିୟତା ଅତି ଉଚ୍ଚରେ, ଯାହା ସରକାରଙ୍କ ପାଇଁ ଗ୍ରହଣୀୟ ନୁହେଁ। ଅରବିନ୍ଦ ତ ଆଗରୁ ଇସ୍ତଫା ଦେଇଥିଲେ। ଅଶୋକ ବିଶ୍ବବିଦ୍ୟାଳୟର ‘କବାବ ମେ ହଡ୍ଡି’ ବନିଥିବା ଏ ଦୁଇଜଣ ଇସ୍ତଫା ଦେଲେ; ନା ପ୍ରକୃତରେ ତାଙ୍କୁ କୁହାଗଲା ଇସ୍ତଫା ଦିଅ! ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଜେଏନ୍ୟୁ, ଦିଲ୍ଲୀ, ଯାଦବପୁର, ହାଇଦ୍ରାବାଦରେ ସରକାରଙ୍କ ଆଭିମୁଖ୍ୟ ଅଗୋଚର ନୁହେଁ, ଜେଏନ୍ୟୁ ଓ ଦିଲ୍ଲୀର କୁଳପତିମାନେ ସରକାରଙ୍କ ପାଖେ ‘ଜୀ ହଜୁର’ ଅବସ୍ଥାରେ ଅଛନ୍ତି।
ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ ୧୯୫୦ ଦଶକରେ ପଣ୍ତିତ ନେହରୁ, ରାଧାକୃଷ୍ଣନ, ମୌଲାନା ଆଜାଦଙ୍କ ଦ୍ବାରା ଗଠିତ ହୋଇଥିବା ଅନୁଷ୍ଠାନ ଓ ପରିଷଦମାନେ ଶ୍ରେଷ୍ଠତାର ଅନୁସନ୍ଧାନରେ ନ ରହି ଗୈରିକୀକରଣରେ ବ୍ୟସ୍ତ ଅଛନ୍ତି। ଇତିହାସ, ବିଜ୍ଞାନ, ଶିକ୍ଷା, ସ˚ସ୍କୃତି, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଗଠିତ ପରିଷଦମାନଙ୍କ ଅମୂଲ୍ୟ ଅବଦାନ ଥିଲା। ବର୍ତ୍ତମାନ ଏପରି ଅବସ୍ଥା ହୋଇଛି ଯେ ହିନ୍ଦୁତ୍ବବାଦୀ ବୁଦ୍ଧିଜୀବୀମାନଙ୍କ ଅଭାବରେ ପଦମାନ ଖାଲି ପଡୁଛି। ସ˚ସ୍କୃତି ବା ଆଇ.ସି.ସି.ଆରରେ କରଣ ସି˚ହ ଅଧୢକ୍ଷ ଥିଲା ବେଳେ କେବେହେଲେ କ˚ଗ୍ରେସ ଦଳ ପାଇଁ ତାତ୍ତ୍ବିକ ଆଲୋଚନା କରୁନଥିଲେ। ବର୍ତ୍ତମାନ ଅଧୢକ୍ଷ ବିଜେପି ଶାସନରେ ଗଣତନ୍ତ୍ରର ନୂତନ ରୂପ, ସ˚ଜ୍ଞା ଓ ପରିସର ଏବଂ ଏହାର ସ୍ରଷ୍ଟା ମୋଦୀଙ୍କ ଉପରେ ଲେଖିବାରେ ବ୍ୟସ୍ତ। ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ କରୋନା ପାଇଁ ଔଷଧ ନ ଥିଲା ବେଳେ, ବାବା ରାମଦେବଙ୍କ କରୋନିଲ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସ୍ବୀକୃତି ଲାଭ କରିଛି। ଆୟୁଷ ଡାକ୍ତରମାନେ ସ୍ବଳ୍ପ ପ୍ରଶିକ୍ଷଣ ନେଇ ଏବେ ଅପରେସନ କରିପାରିବେ। ଏସବୁ ଯଦି ବିଶ୍ବଗୁରୁ କୁହାଯାଉଥିବା ଭାରତର ଶ୍ରେଷ୍ଠତାର ପରିଚାୟକ, ତାହାହେଲେ ଧନ୍ୟ ଆମେ! ୨୦୧୪ରେ ଗଣତନ୍ତ୍ରର ସୂଚକାଙ୍କରେ ଭାରତର ସ୍ଥାନ ୨୭ ଥିଲା ବେଳେ ୨୦୨୦ରେ ଏହା ୫୩କୁ ଖସିଛି। ବାକ୍ ସ୍ବାଧୀନତାରେ ୧୮୦ ଦେଶ ମଧୢରୁ ଭାରତର ସ୍ଥାନ ୧୪୨। ସୁଖୀ ରହିବା ସୂଚକାଙ୍କରେ ଭାରତ ଶେଷ ୧୧ ଦେଶ ମଧୢରେ ଶୀର୍ଷ ସ୍ଥାନରେ ଅଛି।
ଭାରତରେ ଗଣତନ୍ତ୍ରର ଅବକ୍ଷୟ ଉପରେ ବ୍ରିଟିସ୍ ସ˚ସଦ, ଆମେରିକା ସିନେଟ, ବିଶ୍ବବିଦ୍ୟାଳୟ ଓ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସରକାର କହୁଛନ୍ତି ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର। ଏହା ସ୍ପଷ୍ଟ ଯେ ଭାରତରେ ଗଣତନ୍ତ୍ର ବିଶ୍ବ ଦରବାରରେ ସମ୍ମାନ ହରାଇ ବସିଛି। ଏ ପରିପ୍ରେକ୍ଷୀରେ ବାସ୍ତବତାକୁ ଉପେକ୍ଷା କରି ଆମ ୭୫ତମ ସ୍ବାଧୀନତା ପାଳନ ଯଦି ଭାଷଣ ଓ ବ୍ୟକ୍ତିକୈନ୍ଦ୍ରିକ ହୁଏ, ତାହା ହେବ ଏକ ବିଡ଼ମ୍ବନା। ଆମ ଗଣତନ୍ତ୍ର ଲାଗି ଏକ କଳଙ୍କ ହେଉଛି ଦେଶଦ୍ରୋହ ଆଇନର ଅପବ୍ୟବହାର। ଏହି ଅବସରରେ ଏକ ସମୟ ଉପଯୋଗୀ ପଦକ୍ଷେପ ହେବ ଏ ଆଇନର ଉଚ୍ଛେଦନ। ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି କେବଳ ଉଜ୍ଜ୍ବଳ ହେବ ନାହିଁ, ଯାହା ସ୍ବାଧୀନତା ପରେ କୌଣସି ପ୍ରଧାନମନ୍ତ୍ରୀ କରି ପାରିନଥିଲେ ତାହା ମୋଦୀ କରିପାରିଲେ ବୋଲି ତାଙ୍କ ସମ୍ମାନ ବୃଦ୍ଧି ପାଇବ।
ଦ୍ବିତୀୟ ପ୍ରସଙ୍ଗ ହେଲା ମୋଦୀ ଓ ତାଙ୍କ ସହଯୋଗୀମାନେ ତାଙ୍କ ସ˚କୀର୍ଣ୍ଣ ବ୍ୟକ୍ତିକୈନ୍ଦ୍ରିକ ବିଚାର ଧାରାରୁ ଊର୍ଦ୍ଧ୍ବକୁ ଉଠି ସ୍ବାଧୀନତା ସ˚ଗ୍ରାମର ଅଗ୍ରଣୀ ବୀରମାନଙ୍କୁ ସମ୍ମାନ ଦିଅନ୍ତୁ। ସ୍ବାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧୀ ଥିଲେ ଆର.ଏସ.ଏସ. ଲାଗି ସବୁଠାରୁ ଘୃଣ୍ୟ ବ୍ୟକ୍ତି। କାରଣ ସେ ଥିଲେ ଆର.ଏସ.ଏସର ସବୁ ବିଚାରର ବିପରୀତ। କିନ୍ତୁ ବାପୁଜୀ ଏପରି ରୂପେ ଭାରତୀୟଙ୍କ ଜନମାନସରେ ଅଛନ୍ତି, ଯେ ତାଙ୍କୁ ଭାରତୀୟମାନେ କଦାପି ଛାଡ଼ି ପାରିବେ ନାହିଁ। ଆମ୍ବେଦକର, ପଟେଲ ମଧ୍ୟ ଆର.ଏସ.ଏସର ଘୋର ବିରୋଧୀ ଥିଲେ। ସୁଭାଷ ବୋଷଙ୍କ ମାନସିକତାରେ ଥିଲା ମହାଭାରତୀୟତା। ସେତେବେଳେ ସ˚ଘ ଆଉ ଜଣଙ୍କୁ ଘୃଣା କରୁଥିଲା। ସେ ହେଲେ ଗାନ୍ଧୀଙ୍କ ପରେ ଦେଶର ସର୍ବପ୍ରିୟ ଜନନେତା ପଣ୍ତିତ ନେହରୁ। କେଉଁ ମାପକାଠିରେ ସ˚ଘ ତାଙ୍କୁ ବର୍ଜନ କରିଛି। ସତର ବର୍ଷ ପ୍ରଧାନମନ୍ତ୍ରୀ ରହି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ଯେ ସୁଦୃଢ଼ କରିଥିଲେ, ଯେ ଅନ୍ୟ ନେତାମାନଙ୍କ ତୁଳନାରେ ଅଧିକ ବର୍ଷ, ୧୦ ବର୍ଷ ଜେଲ୍ରେ କଟାଇଥିଲେ ଓ ଜେଲ୍ ରହଣି ସମୟରେ ଯେଉଁ ପୁସ୍ତକମାନ ଲେଖିଥିଲେ ସେମାନଙ୍କ ଏବେ ବି ସ˚ସ୍କରଣ ବାହାରୁଛି। କୁଆଡ଼େ ଗଲେ ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ରାଜଗୋପାଲଚାରୀ, ଜୟପ୍ରକାଶ ନାରାୟଣ, ସରୋଜିନୀ ନାଇଡୁ ଓ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ତୁଙ୍ଗ ବ୍ୟକ୍ତିତ୍ବମାନେ?
ମୋଦୀ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ତିନି ହଜାର କୋଟି ଟଙ୍କାରେ, କୁଆଡ଼େ ପୃଥିବୀର ଉଚ୍ଚତମ ପ୍ରତିମୂର୍ତ୍ତି। ମୋଦୀ ସେପରି ଏକ ପ୍ରକଳ୍ପ ହାତକୁ ନିଅନ୍ତୁ। ସ˚ସଦ ଭବନ ପାଖେ ଏକ ପ୍ରତିମୂର୍ତ୍ତି ମାଳା ନିର୍ମିତ ହେଉ; ଯାହା ହେବ ଭାରତୀୟ ଗଣତନ୍ତ୍ରର ପ୍ରତୀକ। ତହିଁରେ ରହନ୍ତୁ ସର୍ବାଗ୍ରେ ପଣ୍ତିତ ନେହରୁ, ପଟେଲ, ମୌଲାନା ଆଜାଦ, ଆମ୍ବେଦକର, ବିରୋଧୀ ଶ୍ୟାମା ପ୍ରସାଦ ମୁଖାର୍ଜୀ, ରାମ ମନୋହର ଲୋହିଆ, ଦୀନଦୟାଲ ଉପାଧୢାୟ ଓ ସର୍ବଶେଷରେ ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ତତ୍କାଳୀନ ଏକ ଯୁବକ ଯେ ଗଣତନ୍ତ୍ରର ଧ୍ବନିକୁ ତରଙ୍ଗାୟିତ କରିପାରୁଥିଲେ, ଅଟଳ ବିହାରୀ ବାଜପେୟୀ।
୯୮-ଏ, ସୂର୍ଯ୍ୟନଗର
[email protected]