ଗତ ସତର ଦିନ ହେଲା ଆମେ ଘର ଭିତରେ ଅଛୁ। ବନ୍ଧୁମାନେ ଗୋଟାଏ ଜନ୍ମ ଦିନ ପାଳନ କରିବା ପାଇଁ ନିଜ ନିଜ ଭିତରେ ଡକା ହକା କରିଥିଲେ। ସେତେବେଳେ ଅବସ୍ଥା ଏତେ ଗୁରୁତର ନ ଥିଲା। ଲୋକମାନେ ସହଜରେ ଏଣେ ତେଣେ ଯା ଆସ କରିପାରୁଥିଲେ। ସ୍ବାଭାବିକ ଭାବରେ ମିଳାମିଶା, ବନ୍ଧୁ ସଙ୍ଖୋଳା ଚାଲିଥିଲା। ହଠାତ୍‌ ଆସିଲା କରୋନା ଭାଇରସ୍‌। ଖବର ବାହାରିଲା ଯେ ନ୍ୟୁୟର୍କର ଏକ ଇତାଲୀୟ ପରିବାରର ଲୋକେ ପରିବାରର ବୟୋଜ୍ୟେଷ୍ଠଙ୍କର ଜନ୍ମ ଦିନ ଏକ ରେଷ୍ଟୁରାଣ୍ଟରେ ପାଳନ କରି ଘରକୁ ଫେରିଲା ପରେ ପରିବାରର ଚାରି ଜଣ କରୋନା ଆକ୍ରାନ୍ତ ହେଲେ। ତାଙ୍କ ଭିତରୁ ଦୁଇ ଜଣଙ୍କର ମୃତ୍ୟୁ ହେଲା। ହଠାତ୍‌ ଦେଖାଗଲା ଯେ ଦେଶର ବିଭିନ୍ନ ଅଞ୍ଚଳରେ ଏ ରୋଗ ବ୍ୟାପିବାରେ ଲାଗିଛି।

Advertisment

ବିଶେଷଜ୍ଞମାନେ ସୂଚନା ଦେଲେ ଯେ ଏ ରୋଗକୁ ବନ୍ଦ କରିବାକୁ ହେଲେ ଲୋକମାନଙ୍କର ଯାତାୟତ ଓ ସମାବେଶକୁ ବନ୍ଦ କରିବାକୁ ହେବ। ମାତ୍ର ଟ୍ରମ୍ପ୍‌ ସରକାର ରାଷ୍ଟ୍ରୀୟ ସ୍ତରରେ ସେମାନଙ୍କ ପରାମର୍ଶ ଉପରେ ଗୁରୁତ୍ବ ଦେଲେ ନାହିଁ। ଆମେରିକାର ଶକ୍ତିଶାଳୀ ଅର୍ଥନୀତି ଉପରେ ତାହା ଆଞ୍ଚ ଆଣିବ ବୋଲି କହିଲେ। ମାତ୍ର କରୋନା ଭାଇରସ୍‌ ତୁମ ଅର୍ଥନୀତିକୁ ଖାତିର କରେନା। ଏହି ଭୂତାଣୁ ଚକ୍ରବୃଦ୍ଧି ଦରରେ ତାର ଆକ୍ରମଣ ଲୋକଙ୍କ ଉପରେ ଚଳାଏ। ମୃତ୍ୟୁର ତାଣ୍ତବ ନୃତ୍ୟ ଯେତେବେଳେ ଆମେରିକା ସାରା ଚାଲିଲା, ସେତେବେଳେ କେତେକ ଅଞ୍ଚଳ ପାଇଁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ବାଧ୍ୟ ହୋଇ ସବୁ ବନ୍ଦ ରଖିବା ଲାଗି ଫତୁଆ ଜାରି କଲେ। ମାତ୍ର ସେତେବେଳକୁ ଶହ ଶହ ଲୋକ ପ୍ରତ୍ୟେକେ ଆହୁରି ଶହ ଶହ ଲୋକଙ୍କୁ ଆକ୍ରାନ୍ତ କରି ସାରିଲେଣି। ଏବେ ମଧ୍ୟ କେତେକ ଅଞ୍ଚଳରେ ଲୋକ ସମାଗମକୁ ପୂରାପୂରି ଅବୈଧ କରାଯାଇ ନାହିଁ।

ପ୍ରତ୍ୟେକ ଦୁର୍ଘଟଣା ପଛରେ କାହାରି ନା କାହାରି ଅପକର୍ମ ଥାଏ। ବର୍ତ୍ତମାନ କରୋନାର ଏ ନାହିଁ ନଥିବା ବ୍ୟାପ୍ତି ପଛରେ ଟ୍ରମ୍ପ୍‌ ଓ ତାଙ୍କ ଶାସନ କଳର ଆଳସ୍ୟ ଓ ଅପାରଗତାକୁ କେତେକେ ଦାୟୀ କରୁଛନ୍ତି। ଜାନୁଆରି ୩ ତାରିଖରୁ ତାଙ୍କୁ ଏଥିପାଇଁ ସତର୍କ କରାଯାଇଥିଲା। ଅଥଚ ସେ ଓ ତାଙ୍କ ସରକାର କିଛି ବ୍ୟବସ୍ଥା କଲେ ନାହିଁ। ଏ ଭଳି ଆତଙ୍କ ସୃଷ୍ଟି କରିବା ପଛରେ ବିରୋଧୀ ପକ୍ଷଙ୍କର ଚଞ୍ଚକତା ଅଛି ବୋଲି କହିଲେ। ଏବେର ଟଣା ଓଟରା ଭିତରେ ଜଣାପଡ଼ିଛି ଯେ ବିଶ୍ବ ବ୍ୟାପୀ ଚାଲିଥିବା କରୋନା ଭାଇରସ୍‌ର ଯେଉଁମାନେ ରୋଗୀ ସେମାନଙ୍କର ଚିକିତ୍ସା କରିବା ପାଇଁ ଆବଶ୍ୟକ ଲୋକ କି ଯନ୍ତ୍ରପାତି ଆମେରିକାରେ ମହଜୁଦ ନାହିଁ। ସେସବୁ ପାଇବା ଲାଗି ନାନାବିଧ ଉଦ୍ୟମ ଚାଲିଛି। ବଡ଼ ବଡ଼ କମ୍ପାନି ସବୁକୁ ସେମାନଙ୍କର ଉତ୍ପାଦନର ଧାରା ବଦଳାଇ କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଯନ୍ତ୍ର ତିଆରି କରିବାକୁ କୁହାଯାଇଛି। ଏ ସବୁ ଜିନିଷ ବଜାରକୁ ଆସିବା ପୂର୍ବରୁ କେତେ ଲୋକ ଯେ ମରିବେ କହିବା ମୁସ୍କିଲ। ମୁଁ ଏହା ଲେଖିଲା ବେଳକୁ ଆମେରିକାରେ ଦଶ ହଜାରରୁ ଅଧିକ ଲୋକ ମଲେଣି ଓ ପନ୍ଦର ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଯେଉଁ ଅଞ୍ଚଳରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଅଛନ୍ତି, ସେ ଅଞ୍ଚଳରେ ରୋଗଟି ଅଧିକ ବ୍ୟାପିଛି। ଏଇ ଭାଇରସ୍‌ର ମାରାତ୍ମକତା ବିଷୟରେ ସୂଚନା ଓ ଚେତାବନୀ ପାଇ ମଧ୍ୟ ସରକାରୀ ମହଲରେ କୌଣସି ଉଦ୍ୟମ ହୋଇ ନଥିବାରୁ ଏତେ ଲୋକ ଅଯଥା ପ୍ରାଣ ଦେଲେ। ସବୁଠାରୁ ବଡ଼ ଦୁଃଖର କଥା ଯେ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ମୁଣ୍ତରେ ହାତ ରଖିବାକୁ କି ଶେଷ ସମୟରେ ଟିକିଏ ଆହା ପଦ କହିବାକୁ କେହି ଯାଇ ପାରୁ ନାହାନ୍ତି। ଚାରିଆଡ଼େ କୋକୁଆ ଭୟ।

ଗତ ସପ୍ତାହରେ ଏକ ନର୍ସି˚ହୋମ୍‌ରେ ବହୁ ଦିନ ହେବ ବେମାର ପଡ଼ିଥିବା ଜଣେ ବୈଜ୍ଞାନିକ ବନ୍ଧୁ କୃଷ୍ଣ ବନୌଧାଙ୍କର ମୃତ୍ୟୁ ଘଟିଲା। ଚାକିରି ଯୋଗୁ ବୈଜ୍ଞାନିକ ସ୍ତ୍ରୀ ସୀତା ତ ସବୁବେଳେ ପାଖରେ ରହି ପାରିବେ ନାହିଁ! ଏଣୁ ସେ ତାଙ୍କ ଭଉଣୀ କୁସୁମଙ୍କୁ ପାଖକୁ ଡକାଇ ଆଣିଥିଲେ। ସେ ଶେଷ ନିଃଶ୍ବାସ ଛାଡ଼ିବା ଖବର ବନ୍ଧୁମାନେ ପାଇଲେ ସତ, ଅଥଚ କେହି ଆସି ପାରିଲେ ନାହିଁ। ବିଧବା ସୀତା ଓ କୁସୁମ ଶବ ସତ୍କାର ପାଇଁ ଯାହା କିଛି ଏଠି କରିବାର କଥା କଲେ।

ଖାଲି ଆମେରିକାରେ ନୁହେଁ, ପୃଥିବୀର ବିଭିନ୍ନ ଦେଶରେ ଏବେ କରୋନା ଭାଇରସ୍‌ ଯୋଗୁ ମୃତ୍ୟୁର ବିଭୀଷିକା। ପନ୍ଦର ଲକ୍ଷ ଯାଏ ଲୋକ ଆଜି ସୁଦ୍ଧା ମଲେଣି ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି।

କଥାବାର୍ତ୍ତା ଓ ଯିବା ଆସିବାର ସୁବିଧା ଯୋଗୁ ଦୁନିଆର ଗୋଟିଏ କୋଣରେ କ’ଣ ଘଟୁଛି, ତାର ଖବର ଅନ୍ୟ ଜାଗାମାନଙ୍କରେ ତୁରନ୍ତ ପହଞ୍ଚି ଯାଉଛି। ଦୁନିଆ ସାରା ଏତେ ଲୋକ ମଲେଣି ବୋଲି ଜାଣି ଚାରିଆଡ଼େ ଉଦ୍‌ବେଗ ସୃଷ୍ଟି ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ସରକାରମାନେ ଦୋକାନ ବଜାର, ସ୍କୁଲ୍‌ କଲେଜ, ମନ୍ଦିର ଓ ମସ୍‌ଜିଦ ସବୁରେ ସମାବେଶ, ସପି˚ ମଲ୍‌ରେ ବୁଲିବା, ଯାନବାହନର ଚଳାଚଳ ଇତ୍ୟାଦି ବନ୍ଦ କରି ଦେଇଛନ୍ତି। ଏଥିରେ ଅର୍ଥ କ୍ଷୟ ତ ନିଶ୍ଚୟ ହେବ। ମାତ୍ର ଲୋକଙ୍କ ଜୀବନ ରକ୍ଷା ପାଇଁ ଏପରି ବ୍ୟବସ୍ଥା ନିତାନ୍ତ ଦରକାର ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଚୀନ୍‌ ଓ ଆମେରିକା ପରି ଦେଶରେ ଅର୍ଥନୈତିକ କାରବାର ବେଶ୍‌ ଦୃଢ଼ ଭାବରେ ଚାଲିଥିଲା। ଏବେ ତାହା ପୂରାପୂରି ବନ୍ଦ। ଫଳରେ ଅନେକ ଲୋକ କାମରୁ ଛଟେଇ ହେବା ନିଶ୍ଚିତ।

ଯାହା ଦେଖା ଯାଉଛି କରୋନା ଭାଇରସ୍‌ ଯୋଗେ ଆମେରିକାର ୱାସି˚ଟନ ଅଞ୍ଚଳରେ ସମସ୍ତେ ଘରେ ରହିଥିଲେ ବି ଯେଉଁମାନେ ସରକାରୀ ଅଫିସରେ କିମ୍ବା ବଡ଼ ବଡ଼ କମ୍ପାନିରେ ଚାକିରି କରନ୍ତି ସେମାନେ ହୁଏତ ପୂରା ପଇସା ପାଇବେ। ମାତ୍ର ଯେଉଁମାନେ ଦିନ ମଜୁରି କରନ୍ତି ବା ଅନ୍ୟମାନଙ୍କ ଲାଗି କାମ କରି ଚଳନ୍ତି (ପାଣି ପାଇପ୍‌ ମିସ୍ତ୍ରି ବା ବଢ଼େଇ ଇତ୍ୟାଦି), ସେମାନେ ଆର୍ଥିକ ଅସୁବିଧାରେ ପଡ଼ିବେ। ଲକ୍ଷ ଲକ୍ଷ ଲୋକଙ୍କର ଏଭଳି ଆର୍ଥିକ ଦୁର୍ଗତି ଅନେକ ଦିନ ପାଇଁ ଆମେରିକାକୁ ହିନସ୍ତାରେ ପକାଇବ। ସେଥିପାଇଁ ଟ୍ରମ୍ପ୍‌ ଓ ତାଙ୍କର ସମର୍ଥକମାନେ ବଡ଼ ଚିନ୍ତିତ। ସେମାନେ ଏଇ ବନ୍ଦ କଥାଟା ଉପରେ ଗୁରୁତ୍ବ ନ ଦେଉଥିବାର କାରଣ ହେଲା ଯେ ଅର୍ଥନୈତିକ କାରବାର ଚାଲୁ ରହିଲେ ଦେଶର ଧନ ବଳ ଊଣା ପଡ଼ିବ ନାହିଁ। ଲୋକେ ମରନ୍ତୁ ପଛକେ, ପଇସା ଆସୁ। ଆମେରିକାର ଚଳନ୍ତି କାରବାର ଭିତରେ ସେଇଟା ବେଶ୍‌ ଦେଖାଯାଉଛି। ଆଖି ଆଗରେ ପ୍ରମାଣ ଥିବା ସତ୍ତ୍ବେ ଓ ଜନ-ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର କହୁଥିବା ସତ୍ତ୍ବେ ସମୁଦାୟ ଦେଶରେ ପୂର୍ଣ୍ଣ ବନ୍ଦ କଥାଟାକୁ ଡୋନାଲ୍‌ଡ ଟ୍ରମ୍ପ୍‌ ଏବେ ସୁଦ୍ଧା ଗ୍ରହଣ କରି ନାହାନ୍ତି। ତାଙ୍କୁ ସମର୍ଥନ କରୁଥିବା କେତେକ ପ୍ରଦେଶର ଗଭର୍ନର (ମୁଖ୍ୟମନ୍ତ୍ରୀ) ପୂର୍ଣ୍ଣ ବନ୍ଦ ଲାଗୁ କରି ନାହାନ୍ତି।

ସବୁ ବର୍ଷ ବସନ୍ତର ଆଗମନରେ ୱାସି˚ଟନ ସହରର ଚାରିଆଡ଼େ ମ୍ୟାଗ୍ନୋଲିଆ, ଡଗଉଡ ଓ ଚେରି ଗଛରେ ଫୁଲ ଫୁଟେ। ଧଳା, ନାଲି ଓ ଗୋଲାପି ରଙ୍ଗରେ ଚାରିଆଡ଼ ପୂରିଯାଏ। ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଆସନ୍ତି। ପୋଟୋମାକ୍‌ ନଈକୂଳ ପଠାର ଘାସ ଉପରେ ଲୋକମାନେ ପିକ୍‌ନିକ୍‌ କରନ୍ତି। ତମ୍ବୁ ପକାନ୍ତି। ଘାସରେ ବସନ୍ତି। ଏ ସବୁ କରିବା ପାଇଁ ଏ ବର୍ଷ କର୍ତ୍ତୃପକ୍ଷ ମନା କରିଛନ୍ତି। କାରଣ ଏପରି ସମାବେଶ କରୋନା ଭାଇରସ୍‌କୁ ବ୍ୟାପିବା ପାଇଁ ସାହାଯ୍ୟ କରିବ। ମାତ୍ର ସବୁ ଲୋକ ସେଭଳି ମନାକୁ ମାନିବା ଦେଖାଯାଉନାହିଁ। ଅନେକଙ୍କ ମତରେ ଏଇଟା ହେଲା ଆମର ସ୍ବାଧୀନତା। ମାତ୍ର ସ୍ବାଧୀନତାର ଅପବ୍ୟବହାର ଯେ କେତେ କ୍ଷତିକାରକ ହୋଇପାରେ, ଆଜି ତାହା ଭାବିବାର କଥା। ପରିସ୍ଥିତି ଯାହା, ଏଠାର ବାସହୀନ, ଗରିବଗୁରୁବାଙ୍କ ପାଇଁ ଏହା ଗୁରୁତର ଅବସ୍ଥା ସୃଷ୍ଟି କରିଛି। ବଦାନ୍ୟ ସ˚ସ୍ଥା ଓ ବ୍ୟକ୍ତିମାନେ ସାହାଯ୍ୟ କରିବା ପାଇଁ କାମ କରୁଛନ୍ତି। ମାତ୍ର ଯେତେ ଦୂର ସମ୍ଭବ, ସିଧାସଳଖ କେହି କାହାରି ସମ୍ପର୍କରେ ଆସିବାକୁ ଚାହୁଁ ନାହାନ୍ତି। ଅଳ୍ପ ଦାମ୍‌ରେ ମିଳୁଥିବା ନିତ୍ୟବ୍ୟବହାର୍ଯ୍ୟ ଓ ଖାଉଟି ଜିନିଷ ସବୁ ଏଠି ଊଣା ଅଧିକେ ବାହାରୁ ଆସେ। ଏବେ କରୋନା ଭାଇରସ୍‌ ଯୋଗୁ ସେ ସବୁର ଆସିବା ବନ୍ଦ। ଫଳରେ ହାତପୋଛା କାଗଜ, କଦଳୀ, ସାବୁନ ଭଳି ଜିନିଷ ସବୁ ଦୋକାନରେ ମିଳୁ ନାହିଁ। ପ୍ରାଚୁର୍ଯ୍ୟରେ ଅଭ୍ୟସ୍ତ ଆମେରିକାନ୍‌ ମାନଙ୍କ ପାଇଁ ଏହା ଏକ ନୂତନ ଅନୁଭୂତି। ଶ୍ମଶାନ ଦେଖି ଅନେକଙ୍କ ମନ ଭିତରେ ବୈରାଗ୍ୟ ଆସେ। ଭାରତୀୟ ବନ୍ଧୁମାନେ ଏବେ ସେହିଭଳି ଅନୁଭବ କରିବା ଦେଖା ଯାଉଛି।

ଫ୍ରେଡେରିକ୍‌, ୟୁ,ଏସ୍‌.ଏ.
[email protected]