ଆଜିକାଲି ପ୍ରାୟତଃ ସକାଳେ ଉଠିଲେ ଗୋଟେ ନୂଆ ‘ଦିନ’ ଅପେକ୍ଷା କରିଥାଏ। ନା, ମୁଁ ସୂର୍ଯ୍ୟ ଉଇଁବା ସାଙ୍ଗେ ସାଙ୍ଗେ ଯେଉଁ ନୂଆ ଦିନଟି ଆରମ୍ଭ ହୁଏ ତା’ କଥା କହୁନାହିଁ, କହୁଛି ସବୁଦିନ ପାଳନ କରାଯାଉଥିବା କିଛି ନା କିଛି ସ୍ବତନ୍ତ୍ର ଦିବସ ବା ‘ଡେ’ ଗୁଡ଼ିକ ବିଷୟରେ। ଜୀବନ ସାରା ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ଭଳି ହାତଗଣତି ଦିବସଗୁଡ଼ିକ ଦେଖିବା ପରେ ଏଇ ନୂଆ ନୂଆ ଦିବସ ସବୁର ବନ୍ୟା ମନକୁ ଗୋଳମାଳିଆ କରି ପକେଇଲେଣି। ଆଜି ସବୁ କଥା ପାଇଁ ଗୋଟିଏ ଗୋଟିଏ ଦିନ ଖଞ୍ଜା। ବେଳେ ବେଳେ ତ ଗୋଟିଏ ଗୋଟିଏ ତାରିଖରେ ଏକାଧିକ ‘ଦିବସ’ମାନ ଆସି ହାଜର ହେଇଯାଉଛନ୍ତି। ଆଉ ଏହି ଦିବସଗୁଡ଼ିକୁ ଆଜି ପର୍ବପର୍ବାଣିର ରୂପ ଦିଆଗଲାଣି। ପୂର୍ବରୁ ସିନା ଆମେ କହୁଥିଲୁ ‘ବାର ମାସରେ ତେର ପର୍ବ’, ଏବେ କିନ୍ତୁ ‘ବାର ମାସରେ ତେର ଶହ ଡେ’ କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment

ଏଇ ଦେଖୁନାହାନ୍ତି ଗଲା ମାର୍ଚ୍ଚ ୨୦ ତାରିଖ କଥା। ଏକା ଦିନକେ ଆସି ହାଜର ହୋଇଗଲେ କେତେ ସବୁ ଦିବସ। ଏଇ ଯେମିତି ବିଶ୍ବ ସୁଖ ଦିବସ, ପୁସ୍ତକପ୍ରେମୀ ଦିବସ, ଫରାସୀ ଭାଷା ଦିବସ, ବାଲୁକାରେ ଚାଲିବା ଦିବସ, ଗପ କୁହା ଦିବସ ଇତ୍ୟାଦି। ଆଉ ଯଦି ଆହୁରି ମଜାଦାର ବିଷୟ ଶୁଣିବାକୁ ଚାହାନ୍ତି ତେବେ ସେହି ତାରିଖରେ ମଧ୍ୟ ପାଳିତ ହୋଇଥିଲା ବିଶ୍ବ ଘରଚଟିଆ ଦିବସ, ବିଶ୍ବ ବେଙ୍ଗ ଦିବସ ଆଉ ବିଶେଷ କରି ଆମ ଓଡ଼ିଆମାନଙ୍କ ପାଇଁ ପଖାଳ ଦିବସ। କେବଳ ଏତିକି ନୁହେଁ ସେହି ତାରିଖରେ ନିଧାର୍ଯ୍ୟ କରାଯାଇଥିଲା ଆହୁରି ଅନେକ ଦିବସ ମାନ।

ଉଦାହରଣ ପାଇଁ ସିନା କେବଳ ମାର୍ଚ୍ଚ ୨୦ ତାରିଖ ନେଲି, ହେଲେ ଆଜିକାଲି ପ୍ରାୟ ସବୁ ତାରିଖରେ ଏକାଧିକ ‘ଦିବସ ପର୍ବ’ମାନଙ୍କର ଏକକାଳୀନ ପଦାର୍ପଣ। ମଣିଷ ଏତେଗୁଡ଼ିଏ ଶୁଭତିଥି ଗୋଟିଏ ଦିନରେ ପାଇ ଛାନିଆ ହୋଇ ପଡ଼ିବା ସ୍ବାଭାବିକ। ପଖାଳ ଦିବସଟିକୁ ଭଲରେ ପାଳନ କରିବାକୁ ଯାଇ ଜଣେ ବିଭିନ୍ନ ପରିପାଟୀ ସହ କଂସାଏ ପଖାଳ ଉଦରସ୍ଥ କଲା ପରେ ଆଖି ମୁଦି ହୋଇ ଆସିବା ସ୍ବାଭାବିକ। ଏହି ଅବସ୍ଥାରେ ସେ ବିଶ୍ବ ସୁଖ ଦିବସଟି ମଧ୍ୟ ପାଳନ କରିପାରୁଛି। ଏମିତି ସମୟରେ କିଏ ଯଦି କହିଲା ଆସ ଘରଚଟିଆ ବା ବେଙ୍ଗମାନଙ୍କୁ ଅଭ୍ୟର୍ଥନା ଜଣାଇବା ବା ସମୁଦ୍ର ବେଳାଭୂମିରେ ଚାଲିବାକୁ ଯିବା, ପୁସ୍ତକ ପଢ଼ିବା ଅଥବା ଫରାସୀ ଭାଷା ଶିଖିବା, ତେବେ ହିତେ ବିପରୀତ ପରିସ୍ଥିତି ହେବ ଓ ସବୁ ଉଲ୍ଲାସ ଉତୁରି ଯିବ।

ଏହି ଛତୁଫୁଟା ଦିବସଗୁଡ଼ିକ ଦେଖି ମୋତେ ଲାଗେ ସାମାଜିକ ଗଣମାଧ୍ୟମର ଏହି ଜୟଯାତ୍ରା ବେଳେ ଯେ କେହି ବି ଚାହିଁବ ଗୋଟିଏ ଦି’ଟା ସ୍ବତନ୍ତ୍ର ଦିନ ବନେଇ, ସେଗୁଡ଼ିକୁ ପୁଣି ଖୁଏଇ ପିଏଇ ହୃଷ୍ଟପୁଷ୍ଟ କରି ବର୍ଷ କେଇଟା ଭିତରେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରେଇ ପାରିବ। ଆଉ ଏସବୁ ବିଶିଷ୍ଟ ଦିବସଗୁଡ଼ିକର ଉଦ୍ଦେଶ୍ୟ ଖୋଜିବା ବି କେଡ଼େ ସହଜ। ପୂରା ପ୍ରାଣୀ, ଉଦ୍ଭିଦ, ନିର୍ଜୀବ ବା ସଜୀବ ଜଗତ୍‌, ଯେକୌଣସିଟି ପାଇଁ ସ୍ବତନ୍ତ୍ର ଦିବସଟିଏ ଆରମ୍ଭ କରିଦେଲେ ତାହା ଯୁକ୍ତିଯୁକ୍ତ ଲାଗିବ। ଆଜି ଏ ଧରିତ୍ରୀରେ ସବୁ କିଛି ତ ମଣିଷର ଲୋଭ ଓ କ୍ରୂରତାର ଶିକାର ହୋଇ ବିପନ୍ନ ଅବସ୍ଥାରେ ଅଥବା ବିଲୟର ଦ୍ବାରଦେଶରେ। ତେଣୁ ଯେ କୌଣସିଟିକୁ ବାଛିଲେ ତାହା ଯଥାର୍ଥ ହେବ। ଏଇ ଯେମିତି ଆମ ପିଲାଦିନର ସାଧବ ବୋହୂ ଆଜି ବିଲୁପ୍ତ ପ୍ରାୟ, କିମ୍ବା ମାଙ୍କଡ଼ା ପଥର ଆଜି ପଥର ମାଫିଆଙ୍କ ତାଡ଼ନାରେ ନିଃଶେଷ ପ୍ରାୟ। ତା’ଛଡ଼ା ଆମ ବ୍ୟବହାର ଓ ଚାଲିଚଳଣର କେତେ ପ୍ରଥା ସବୁକୁ ଲୋକେ ଭୁଲିବାକୁ ବସିଲେଣି, ଯେମିତି ଭୂଇଁରେ ଚକାମାଡ଼ି ବସିବା, ପଡ଼ୋଶୀମାନଙ୍କ ସହିତ ଗପିବା। ଏ ସବୁ ପାଇଁ ଗୋଟିଏ ଗୋଟିଏ ଦିନ ଖଞ୍ଜି ଦେଲେ ଲୋକେ ହୁଏ’ତ ବିଲୁପ୍ତ ପ୍ରାୟ ପ୍ରାକୃତିକ ସମ୍ପଦ ଓ ପରମ୍ପରାକୁ ଟିକିଏ ଧ୍ୟାନ ଦେବେ, ବର୍ଷରେ ଗୋଟିଏ ଦିନ ହେଉ ପଛେ।

ଅଧିକାଂଶ ନୂଆ ନୂଆ ‘ଡେ’ ଗୁଡ଼ିକ ସରକାର ବା ଜାତିସଂଘ ଭଳି ବଡ଼ ବଡ଼ ସଂସ୍ଥାମାନଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଉଥିବା ବେଳେ ଆଉ କେତେକ ପାଶ୍ଚାତ୍ୟ ଜଗତ୍‌ରୁ ଆମଦାନି ହେଇ ଆସୁଛି। ପ୍ରେମିକପ୍ରେମିକାମାନେ ହୃଦୟ ଦିଆନିଆର ସ୍ମାରକୀ ଦିବସ ‘ଭାଲେଣ୍ଟାଇନ୍‌ସ ଡେ’କୁ ଅଧିକରୁ ଅଧିକ ଉତ୍ସାହର ସହ ପାଳନ କରୁଛନ୍ତି। କିଛି ବର୍ଷ ତଳେ ଏ ବିଷୟରେ ଆମେ ଅଜ୍ଞ ଥିଲୁ, ହେଲେ ଆଜି ଏହା ଆମ ଓଡ଼ିଆ ସମାଜରେ ବି ଗୋଟିଏ ବଡ଼ ପର୍ବ, ଆଉ ଏହି ଡେ’କୁ ପାଳନ କରିବା ବିଷୟକୁ ନେଇ ବିଭିନ୍ନ ଗୋଷ୍ଠୀ ଭିତରେ ବାଡ଼ିଆପିଟା। ଏହି ‘ଡେ’ଟି ଭଳି ଆଜି ମାତୃ ଦିବସ, ପିତୃ ଦିବସ, ଜେଜେ ବାପା, ଜେଜେ ମା’, ଭାଇ ଭଉଣୀ, ଗୁରୁ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ‘ଡେ’। ଅବଶ୍ୟ ଆମ ସଂସ୍କୃତିରେ ବି ସମାନ ଉଦ୍ଦେଶ୍ୟ ବିଶିଷ୍ଟ ଅନେକ ପର୍ବ ଆଗରୁ ରହିଛି, ଯେମିତି କି ଭ୍ରାତୃ ଦ୍ବିତୀୟା, ରାଖି, ଗୁରୁ ପୂର୍ଣ୍ଣିମା ଇତ୍ୟାଦି। ଅବଶ୍ୟ ମା’, ବାପାଙ୍କ ପାଇଁ କୌଣସି ଦିନ ନିର୍ଦ୍ଦିଷ୍ଟ ନାହିଁ, ଏଇଥି ପାଇଁ ଯେ ସେମାନେ ସବୁ ସମୟରେ ପୂଜ୍ୟ ଓ ନମସ୍ୟ। ତାଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିବା ପାଇଁ ସ୍ବତନ୍ତ୍ର ଦିନର ଆବଶ୍ୟକତା ନାହିଁ।

କିନ୍ତୁ ଅଧିକାଂଶ ବିଦେଶାଗତ ‘ଡେ’ ଗୁଡ଼ିକ ଗୋଟିଏ ଦିନର ଅତିଥି ଭଳି ସୀମିତ ଲାଗନ୍ତି। ସେହି ଦିନ ନାନା ପ୍ରକାର କେକ୍‌, ଫୁଲତୋଡ଼ା, ଶୁଭେଚ୍ଛାପତ୍ର ଆଉ ଉପହାର ଦିଆନିଆ, ହେଲେ ତା’ ପର ଦିନକୁ ସବୁ ପୂର୍ବବତ୍‌। ଅନେକ ସମୟରେ ଲାଗେ ଏହି ଦିବସଗୁଡ଼ିକୁ ଏକ ବ୍ୟବସାୟର ମାଧ୍ୟମ କରି ପ୍ରଚାର ଓ ପ୍ରସାର କରାଯାଇଥାଏ। ଆମର ଅନେକ ସରଳ ଓ ପାରମ୍ପରିକ ଢାଞ୍ଚାର ମା’ମାନେ ପାଠୁଆ ପୁଅଝିଅମାନଙ୍କ ଦ୍ବାରା ତାଙ୍କ ଉଦ୍ଦେଶ୍ୟରେ ‘ମଦର୍ସ ଡେ’ ପାଳନ ବେଳେ ଅପ୍ରତିଭ ଅନୁଭବ କରିଥା’ନ୍ତି, କାରଣ ସେମାନେ ହୁଏ’ତ ତାଙ୍କ ଭଲ ପାଇବାକୁ ଗୋଟିଏ ଦିନରେ ଆବଦ୍ଧ କରିବାକୁ ଚାହାନ୍ତି ନାହିଁ। ଆଧୁନିକ ‘ଡେ’ ଗୁଡ଼ିକର ସଂକୀର୍ଣ୍ଣତା ସ୍ପଷ୍ଟ ହୋଇଉଠିଥିଲା ଆମ ଅଫିସରେ ‘ବିଶ୍ବ ମହିଳା ଦିବସ’ ପାଳନ ବେଳେ। ଜଣେ ମହିଳା ସହକର୍ମୀ ଭାଷଣ ଦେଉଥିବା ବେଳେ ପ୍ରଶ୍ନ କରିଥିଲେ, ‘ଯଦି କେବଳ ଆଜିର ଦିନଟି ମହିଳାମାନଙ୍କ ପାଇଁ, ତେବେ ବାକି ୩୬୪ ଦିନ କ’ଣ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ?’ ସେଦିନ ସେ ନିହାତି ହାଲୁକା ଢଙ୍ଗରେ ପ୍ରଶ୍ନଟି ପଚାରିଥିଲେ ସିନା, ହେଲେ ଅନେକ ଦିନ ଧରି ମୋତେ ତା’ର ଗୁଞ୍ଜରଣ ଶୁଣାଯାଇଥିଲା।

କସ୍ମୋପଲିସ ଆପାର୍ଟମେଣ୍ଟ, ଭୁବନେଶ୍ବର