ଗଣତନ୍ତ୍ର, ଆଧୁନିକ ରାଷ୍ଟ୍ରର ଆତ୍ମା। ସେହିଭଳି ଗଣତନ୍ତ୍ରର ବି ଆତ୍ମାଟିଏ ଅଛି ନିଶ୍ଚୟ। କିନ୍ତୁ କେତେବେଳେ ଆମେ ଗଣତନ୍ତ୍ରର ଆତ୍ମା କଥା ଭାବିଚେ? ଗଣତନ୍ତ୍ର ବିଶ୍ବ ପାଇଁ ଏକ ଦତ୍ତ ପଦାର୍ଥ, ଯାହାର ଅଭୀପ୍‌ସା ହିଁ ଆମର ସମସ୍ତ ଗଣତାନ୍ତ୍ରିକ ବିଚାର ବିମର୍ଶର ମୂଳ ଉପାଦାନ। ୟାକୁ ଆମେ ସ୍ବାଧୀନତା, ସମାନତା ଓ ସଖ୍ୟ ଭାବରେ ଗ୍ରହଣ କରି ନେଇଚେ। ଏଗୁଡ଼ିକ ଗଣତନ୍ତ୍ରର ଆତ୍ମା ନୁହନ୍ତି। ଗଣତନ୍ତ୍ରର ନଗର-ରାଷ୍ଟ୍ର (ସିଟି ଷ୍ଟେଟ୍‌ସ) ସୀମିତତା ଭିତରେ ପ୍ଲାଟୋ ଯେଉଁ ତତ୍ତ୍ବର ନିର୍ମାଣ କରିଥିଲେ, ତହିଁରେ ‘ଗଣତାନ୍ତ୍ରିକ ଆତ୍ମା’ର ଇଙ୍ଗିତ ଥିଲା, କିନ୍ତୁ ଗଣତନ୍ତ୍ରର ଆତ୍ମାକୁ ନେଇ ସେ ଚିନ୍ତିତ ନ ଥିଲେ। ତାଙ୍କ ଆଖିରେ ଥିଲା ମାତ୍ର ପାଞ୍ଚ ହଜାର ନାଗରିକଙ୍କୁ ନେଇ ଗଠିତ ଗୋଟିଏ ନଗରରେ ଗଣତନ୍ତ୍ରର ପ୍ରୟୋଗ।

Advertisment

ପ୍ଲାଟୋ ଯେ ବର୍ତ୍ତମାନର ରାଜନୈତିକ ବାସ୍ତବତାର ଆଲୋକରେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ, ଏଥିରେ ସନ୍ଦେହ ନାହିଁ। ପ୍ଲାଟୋଙ୍କ ଚିନ୍ତନର ବହୁ ବର୍ଷ ପରେ ଆମେରିକାର ସ୍ବାଧୀନତା ସ˚ଗ୍ରାମ ଓ ଫରାସୀ ବିପ୍ଳବ ଦେଇ ୟୁରୋ-ଆମେରିକାନ୍‌ ଗଣତନ୍ତ୍ର ବିଶ୍ବକୁ ସ୍ପର୍ଶ କଲା ପ୍ରଥମ ବିଶ୍ବଯୁଦ୍ଧ ସମୟରେ। ୧୯୧୮ରେ ପ୍ରଥମ ବିଶ୍ବଯୁଦ୍ଧ ସମାପ୍ତ ହେଲା ବେଳକୁ ସାମ୍ରାଜ୍ୟବାଦୀ ୟୁରୋପୀୟଙ୍କ ଉପନିବେଶଗୁଡ଼ିକ କର୍ତ୍ତା-ଦେଶଗୁଡ଼ିକର ଭାଗ୍ୟ ସହିତ ଯୋଡ଼ି ହୋଇ ଯାଇଥିଲେ, କିନ୍ତୁ ସେତେବେଳେ ବି ୟୁରୋ- ଆମେରିକାନ୍‌ ରାଷ୍ଟ୍ରମାନଙ୍କ କଳ୍ପନାରେ ନ ଥିଲା ଯେ ଉପନିବେଶଗୁଡ଼ିକ କେବେ ଦିନେ ତାଙ୍କର ଅସ୍ତିତ୍ବ ଫେରି ପାଇବେ, ସେମାନେ ବି ସ୍ବାଧୀନ ରାଷ୍ଟ୍ର ଭାବରେ ଗଣତନ୍ତ୍ର ପ୍ରତିଷ୍ଠା କରିବେ। ସେତେବେଳର ରାଜନୈତିକ ଚିନ୍ତନରେ ବିଶ୍ବର ଗଣତନ୍ତ୍ର କଥା କୁହାଯାଉ ନ ଥିଲା, ବର˚ ଆମେରିକାକୁ ୟୁରୋ-ଆମେରିକାନ୍‌ ଗଣତନ୍ତ୍ରର ନିର୍ବାହୀ, ଆଦର୍ଶ ଓ ବ୍ୟବସ୍ଥା-ପ୍ରତିମା ଭାବରେ ଉପସ୍ଥାପିତ କରାଯାଉଥିଲା। ତାତ୍ପର୍ଯ୍ୟ ଏଇଆ ଥିଲା ଯେ ଏକା ଆମେରିକା ହିଁ ଗଣତନ୍ତ୍ରକୁ ସାମ୍ରାଜ୍ୟବାଦୀଙ୍କ ଦ୍ବାରା ଗ୍ରହଣଯୋଗ୍ୟ କରାଇବ ଓ ଗଣତନ୍ତ୍ରର ଏକମାତ୍ର ଆଦର୍ଶ ହୋଇ ଚିର କାଳ ରହିବ।

ସ୍ମରଣରେ ରହୁ ଯେ, ଏ ସମୟ ଥିଲା ଆମେରିକାର ଆସ୍ପର୍ଦ୍ଧା ନିର୍ମାଣର ସମୟ। ଶିଳ୍ପ ବିପ୍ଳବର ପୂରା ବିନିଯୋଗ କରି, ଶ୍ରମ ଓ ଉଦ୍ୟୋଗକୁ ଅନିୟନ୍ତ୍ରିତ ମହତ୍ତ୍ବାକା˚କ୍ଷା ସହିତ ଯୋଡ଼ି ଦେଇ ଆମେରିକାନ୍‌ମାନେ ବ୍ୟକ୍ତିର ଅଧିକାର, ପୁଞ୍ଜି ଠୁଳୀକରଣ, ଉଦ୍ୟୋଗ ଓ ମହତ୍ତ୍ବାକା˚କ୍ଷାକୁ ଲୋକକ୍ଷେତ୍ରରେ ଗଣତନ୍ତ୍ର ଭାବରେ ଉପସ୍ଥାପିତ କରି ଦେଲେ। ପୁଞ୍ଜିର ଇତିହାସ ୟୁରୋପୀୟଙ୍କଠୁ ଆରମ୍ଭ, ଅଥଚ ପୁଞ୍ଜିର ଅଭିଯାନ ସେହି ୟୁରୋପୀୟଙ୍କ ଉପନିବେଶ ଆମେରିକାର ସ୍ବାଧୀନତା ପ୍ରାପ୍ତି ସହିତ ଆମେରିକାନ୍‌ ହାତକୁ ଚାଲିଗଲା। ଗଣତନ୍ତ୍ର ପୁଞ୍ଜିର ଶରୀର ଧାରଣା କଲା, ଉଦାରବାଦୀ ଚିନ୍ତନ ତାକୁ ମାନବ ମୁକ୍ତିର ମଞ୍ଚ ଭାବରେ ଉପସ୍ଥାପିତ କଲା, କିନ୍ତୁ ଗଣତନ୍ତ୍ରର ଆତ୍ମା କୁଆଡ଼େ ଗଲା? ଆତ୍ମା, ୟୁରୋ-ଆମେରିକାନ୍‌ଙ୍କ ପାଇଁ ଧର୍ମ ସହିତ ଜଡ଼ିତ ଏକ ପରିକଳ୍ପନା, ୟାକୁ ନେଇ ଧର୍ମୀୟ ଅବତାରଣା ଅନେକ, ଭୂତ-ପ୍ରେତ କାହାଣୀ ବି କିଛି କମ୍‌ ନୁହେଁ। ତାଙ୍କ ପାଇଁ ଶରୀର ସହିତ ଆତ୍ମା ବି ମୃତ୍ୟୁ ପରେ ମାଟିତଳେ ଶାନ୍ତିରେ ବିଶ୍ରାମ କରେ (ମେ’ ଦ ସୋଲ୍‌ ରେଷ୍ଟ ଇନ୍‌ ପିସ୍‌)। ଆତ୍ମାକୁ ନେଇ ଭାରତୀୟଙ୍କ ଦ୍ବାରା ବିବେଚିତ, ବିତର୍କିତ ବିଲକ୍ଷଣ ତତ୍ତ୍ବ ବିକାଶ ସେମାନେ କରିନାହାନ୍ତି। ତେଣୁ ‘ଗଣତନ୍ତ୍ରର ଆତ୍ମା’ ପ୍ରସଙ୍ଗଟି ସେମାନଙ୍କୁ ବିସ୍ମିତ କଲା ଓ ସେମାନେ ତାକୁ ଏକ ଜ୍ଞାନ ପୁସ୍ତକ ଭାବରେ ଗ୍ରହଣ କରି ଖୁବ୍‌ ଚର୍ଚ୍ଚା କଲେ। ଏ ପୁସ୍ତକଟି ହେଉଛି ଏଡଵାର୍ଡ ହାଵାର୍ଡ ଗ୍ରିଗ୍‌ସଙ୍କ ‘ସୋଲ ଅଫ୍‌ ଡିମୋକ୍ରାସି’, ଯାହା ୧୯୧୮ରେ ପ୍ରକାଶିତ ହୋଇଥିଲା। ଗ୍ରିଗ୍‌ସ୍‌ ଯାହା କହିବାକୁ ଚାହୁଁଥିଲେ ତାହା ଶେଷ ପର୍ଯ୍ୟନ୍ତ କହିପାରିଲେ ନାହିଁ, କାରଣ ଲେଖିବା ପ୍ରକ୍ରିୟାରେ ସେ ଆମେରିକାନ୍‌ ଗଣତନ୍ତ୍ରକୁ ଧରି ବସିଗଲେ, ବିଶ୍ବକୁ ଚାହିଁବାର ଆଗ୍ରହ ତାଙ୍କର ନ ଥିଲା। ବିଶ୍ବଯୁଦ୍ଧର ବିଭୀଷିକା ତାଙ୍କୁ ବ୍ୟଥିତ ଓ ଚିନ୍ତିତ କରିଥିଲା। ଏ ପୁସ୍ତକର ଉପପାଦ୍ୟ ବିଷୟରେ ଟିକେ ପରେ କହିବି, ଏବେ ଏ ଆତ୍ମା କଥାଟା ସ୍ପଷ୍ଟ ହୋଇଯାଉ।

ଖୁବ୍‌ ବେଶି ଶାସ୍ତ୍ରୀୟ ଆଲୋଚନା ଦରକାର ନାହିଁ। ପାଠକମାନେ ସ୍ମରଣ କରନ୍ତୁ ଘରେ ବା ମନ୍ଦିରରେ ଯେତେବେଳେ ମୂର୍ତ୍ତି ପୂଜନ ହୁଏ, ସେତେବେଳେ ପ୍ରାଣ ପ୍ରତିଷ୍ଠା କରାଯାଏ। ଏହି ପ୍ରାଣ ପ୍ରତିଷ୍ଠା ହିଁ ଏକ ସାଧାରଣ ପଥରକୁ ଦିବ୍ୟ ସତ୍ତାରେ ଅଭିମନ୍ତ୍ରିତ କରେ ଓ ମନ୍ତ୍ର ଶକ୍ତିରେ ଶକ୍ତିମାନ ଏକ ବସ୍ତୁ ଉପାସ୍ୟ ଦେବତାରେ ପରିଣତ ହୁଏ। ଯେଭଳି ଭାବରେ ବିଗ୍ରହଙ୍କ ଆସ୍ଥାନକୁ ପବିତ୍ର କରାଯାଏ, ବିଗ୍ରହ ସ୍ବୟ˚ ଦଶ ସ୍ନାନ କରନ୍ତି ଓ ପ୍ରତି ଅଙ୍ଗରେ ଦିବ୍ୟ ଶକ୍ତିଙ୍କୁ ଧାରଣ କରନ୍ତି ତାହା ଲୋମହର୍ଷକ। ମନ୍ତ୍ର ଠିକ୍‌ ପଢ଼ାଗଲେ ଓ ସେ ମନ୍ତ୍ରର ଧ୍ବନି ସହିତ ଅର୍ଥ ବୁଝିଲେ ଯେ କେହି ବି ଅଦ୍ଭୁତ ଦିବ୍ୟଲୋକର ସ୍ପର୍ଶ ପାଇବ, ଏଥିରେ ମୋର ସନ୍ଦେହ ନାହିଁ। ଏକଥା ଏଇଥି ପାଇଁ କହିଲି ଯେ ଗଣତନ୍ତ୍ର ଯଦି ଏକ ଲୋକାନୁଷ୍ଠାନ, ତେବେ ତାର ପ୍ରାଣ, ଆତ୍ମା ବା ଚଳତ୍‌ ଶକ୍ତି ଏକ ଦିବ୍ୟତାର ପବିତ୍ର ଆରୋପ ଦ୍ବାରା ହିଁ ସମ୍ଭବ ହେବ, ଅନ୍ୟଥା ଏହା ଏକ ବସ୍ତୁବାଦୀ ତର୍କର ପ୍ରଗଳ୍‌ଭ ସଭାଗାରରେ ପରିଣତ ହେବ। ୧୯୧୮ରେ ଗ୍ରିଗ୍‌ସ ଗଣତନ୍ତ୍ରର ଆତ୍ମାକୁ ଏକ ପ୍ରସଙ୍ଗ ଭାବରେ ଆଲୋଚନା କଲା ବେଳେ ଆତ୍ମାର ଲୋକପ୍ରତିଷ୍ଠା ବିଷୟରେ ଜାଣି ନଥିଲେ। ଭାରତୀୟମାନେ ସନାତନୀ ଗଣତନ୍ତ୍ରର ଉପଜ ହେଇଥିଲେ ହେଁ ପାଶ୍ଚାତ୍ୟ ଗଣତନ୍ତ୍ରର ଆନୁଷ୍ଠାନିକ ଉପକ୍ରମ ବିଷୟରେ ଚର୍ଚ୍ଚା ଆରମ୍ଭ କରିଥିଲେ। ଜାନୁଆରି ୧୯୧୫ରେ ଗାନ୍ଧୀଜୀ ଭାରତରେ ପହଞ୍ଚିଲା ପରେ ସ୍ବାଧୀନତାର ବିମର୍ଶ ଏକ ନୂଆ ମୋଡ଼ ନେଲା, କିନ୍ତୁ ସେତେବେଳେ ରାଜନୀତି ଲୋକ ଜାଗୃତିର। ଗଣତନ୍ତ୍ରର ଜାଗୃତି ପାଇଁ ଭାରତୀୟ ସଭ୍ୟତା ଓ ସ˚ସ୍କୃତିରେ ପ୍ରଚୁର ଉପାଦାନ ଥିଲେ ମଧୢ, ଗାନ୍ଧୀଙ୍କ ଅନନ୍ୟ ପ୍ରୟୋଗ ଧାରା ତା’ର ନିଜ ଗତିପଥ ପାଇ ଯାଇଥିଲା। କିନ୍ତୁ ୧୯୧୧ରେ ଭାରତୀୟ ଚୈତନ୍ୟର ଜଣେ ଶିଖର ପୁରୁଷ ଲେଖିଥିଲେ ‘ସୋଲ୍‌ ଅଫ୍‌ ଇଣ୍ତିଆ’ (ଭାରତର ଆତ୍ମା)। ଅମୂଲ୍ୟ ସେ ଗ୍ରନ୍ଥ। ଗ୍ରିଗ୍‌ସଙ୍କ ‘ଗଣତନ୍ତ୍ରର ଆତ୍ମା’ (୧୯୧୮) ଓ ବିପିନ ଚନ୍ଦ୍ର ପାଲ୍‌ଙ୍କର ‘ଭାରତର ଆତ୍ମା’ (୧୯୧୧)କୁ ପାଖାପାଖି ରଖି ପଢ଼ିଲେ ସ୍ପଷ୍ଟ ହୋଇଯିବ କାହିଁକି ଗ୍ରିଗ୍‌ସ ବିଶ୍ବଯୁଦ୍ଧର ବିଭୀଷିକା ଦେଖି ଶୋକରେ ମ୍ରିୟମାଣ ହୋଇଯାଇଥିଲେ ସିନା ଗଣତନ୍ତ୍ରର ଆତ୍ମାର ସନ୍ଧାନ ପାଇଁ ସୂତ୍ର ପାଇନଥିଲେ। ବିପିନ ଚନ୍ଦ୍ର ପାଲ୍‌ଙ୍କର ‘ଭାରତ ଆତ୍ମା’ ପଢ଼ିଲେ ସ୍ପଷ୍ଟ ହୋଇଯିବ କାହିଁକି ଭାରତ ହିଁ ଗଣତନ୍ତ୍ରର ଆଦିଭୂମି। ହଁ ଭାରତ ହିଁ ଗଣତନ୍ତ୍ରର ବୌଦ୍ଧିକ ଆଦିଭୂମି। ଏ କଥା ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ୟୁରୋ- ଆମେରିକା ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଥମ ରାଜନୈତିକ ପ୍ରୟୋଗ ଭୂମି। ଗଣତନ୍ତ୍ର ଭାରତର ସଭ୍ୟତା-ଦତ୍ତ ବୌଦ୍ଧିକ ଉତ୍ତରାଧିକାର।

‘ଗଣତନ୍ତ୍ରର ଆତ୍ମା’ ପୁସ୍ତକର ଆରମ୍ଭ ଏହି ପରି: ‘‘ଯୁଦ୍ଧକୁ ନେଇ ଓ ଯୁଦ୍ଧର କାରଣକୁ ନେଇ କେହି ସଠିକ୍‌ ନିର୍ଣ୍ଣୟରେ ପହଞ୍ଚି ପାରୁନାହାନ୍ତି, କିନ୍ତୁ ଜାତୀୟ ଓ ରାଷ୍ଟ୍ରୀୟ ଦ୍ବେଷ ଓ ଅର୍ଥନୈତିକ ଅସହିଷ୍ଣୁତା ଅନ୍ତରାଳରେ କେତେଗୁଡ଼ିଏ ବଡ଼ ଧରଣର ଚିନ୍ତାଧାରାର ପରୀକ୍ଷା ଚାଲିଚି।’’ ସେ ବଡ଼ ଚିନ୍ତାଧାରା ଭିତରେ ଥିଲା ରାଷ୍ଟ୍ରବାଦର ପ୍ରତ୍ୟାଖାନ ଓ ଆ˚ଗ୍ଲୋ-ଆମେରିକାନ୍‌ ଗଣତାନ୍ତ୍ରିକ ମାନବତାର ପ୍ରତିଷ୍ଠା। ରାଷ୍ଟ୍ରବାଦକୁ ନେଇ ଗ୍ରିଗ୍‌ସଙ୍କ ଚିନ୍ତା ୟୁରୋପୀୟ (ଜର୍ମାନ ବା ପ୍ରୁସିଆନ) ରାଜତନ୍ତ୍ର ସହିତ ଛନ୍ଦି ହୋଇଯାଇଥିଲା। କିନ୍ତୁ ଗଣତନ୍ତ୍ରର ଆତ୍ମା ଖୋଜି ଖୋଜି ସେ ପହଞ୍ଚିଥିଲେ ‘ଶିକ୍ଷା ବ୍ୟବସ୍ଥା’ରେ। ତାଙ୍କର ବକ୍ତବ୍ୟ ଥିଲା ଯେ କିଶୋର ଓ ତରୁଣମାନଙ୍କୁ ଗଣତନ୍ତ୍ରର ଯୋଗ୍ୟ ନିର୍ବାହୀ, ଭୋକ୍ତା ବା ପରିଚାଳକ ହେବା ପାଇଁ ନାଗରିକ ଦାୟିତ୍ବର ଶିକ୍ଷା ଦେବା ହିଁ ଶ୍ରେଷ୍ଠ ଶିକ୍ଷା। କଥାଟା ଭୁଲ୍‌ ନୁହଁ, କିନ୍ତୁ ଇଏ ଗଣତନ୍ତ୍ରର ଆତ୍ମା କି?

ଗ୍ରିଗ୍‌ସଙ୍କ ରଚନାର ଶହେ ବର୍ଷରୁ ଅଧିକ ସମୟ ପରେ ମୁଁ ଏ ‘ଗଣତନ୍ତ୍ରର ଆତ୍ମା’କୁ ଲୋକକ୍ଷେତ୍ରରେ ଉପସ୍ଥାପିତ କରୁଚି କାହିଁକି? କରୁଚି ଏଇଥିପାଇଁ ଯେ ଆମ ଚାରିଆଡ଼େ ବ୍ୟାଧି, ଆତଙ୍କ, ହତାଶାର ଯେଉଁ ବାତାବରଣ ସୃଷ୍ଟି ହେଇଚି, ତା ସହିତ ରାଷ୍ଟ୍ର ଯେଭଳି ଯୁଝୁଚି, ତା’ର ଅନ୍ତଃସ୍ବରରେ ଗଣତନ୍ତ୍ର ଆତ୍ମାକୁ ଆବିଷ୍କାର କରିବାର ସମ୍ଭାବନା ମୁଁ ଦେଖୁଚି।

କୋଉ ଦମ୍ଭରେ ରାଷ୍ଟ୍ର ମହାମାରୀ ସହିତ ଲଢୁଚି? ମହାମାରୀର ଦ୍ବିତୀୟ ସ˚କ୍ରମଣରେ ପ୍ରତି ମୁହୂର୍ତ୍ତରେ ଲୋକକ୍ଷୟ ଘଟି ଚାଲିଚି। ରାଷ୍ଟ୍ରର ସୁସ˚ହତ ପ୍ରୟାସକୁ ନିନ୍ଦା ଓ ବିଦ୍ରୂପ କରିବା ଲୋକ ବି ଅଛନ୍ତି। ପ୍ରୟାସ ଜାରି ରହିଚି। ଏପ୍ରିଲ ୨୦ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନାଗରିକଙ୍କ ଧୈର୍ଯ୍ୟ, ଶୃଙ୍ଖଳା ଓ ସ˚ଯମର ସହଯୋଗ ମାଗିଲେ। ପରୋକ୍ଷରେ ଗଣତନ୍ତ୍ରର ଆତ୍ମଶକ୍ତିର ପରୀକ୍ଷା ବି ହୋଇ ଚାଲିଚି। ଜୀବନ ବଡ଼ ନା ଜୀବିକା ବଡ଼ ଏ ପ୍ରଶ୍ନ ଏକ ମୁକ୍ତ କୃପାଣ ହୋଇ ଗଣତନ୍ତ୍ରର ମୁଣ୍ତ ଉପରେ ଓହଳିଚି। ରାଷ୍ଟ୍ରୀୟ ସରକାର ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିନାହାନ୍ତି, ଆଶା କରାଯାଉଚି ଯେ ନାଗରିକମାନେ ସ˚କ୍ରମଣ ନିରୋଧ ନୀତି ଆପଣେଇଲେ, ମହାମାରୀ ବିରୋଧରେ ଅଭିଯାନ ସଫଳ ହୋଇଯିବ। ପ୍ରଧାନମନ୍ତ୍ରୀ ତ ଯୁବଶକ୍ତିର ସାମର୍ଥ୍ୟ ଓ ସ˚କଳ୍ପକୁ ଆହ୍ବାନ ଦେଇ ଦେଇଚନ୍ତି। ୟାପରେ କ’ଣ ହେବ? କହିବାରେ ଦ୍ବିଧା ନାହିଁ ଯେ ବର୍ତ୍ତମାନର ସ˚କଟ କାଳରେ ରାଷ୍ଟ୍ର ବିରୋଧ ଆଉ ରାଜନୈତିକ ପ୍ରତିବାଦ ହୋଇ ରହିବ ନାହିଁ, ଇଏ ଗଣଶତ୍ରୁର କାର୍ଯ୍ୟ ହେବ। ବୌଦ୍ଧିକ ବିଚାର ଯଦି ଗୋଟିଏ ବିଶାଳ ଲୋକ ସ˚ପ୍ରଦାୟର ନୈତିକ ଓ ଆବେଗିକ ସ˚ହତିକୁ ପ୍ରଶ୍ନ କରେ, ତେବେ ସେ ବୌଦ୍ଧିକତା ବର୍ଜ୍ୟ। ଉଦାରବାଦୀମାନେ ବୌଦ୍ଧିକ ସ୍ବାଧୀନତାର ଦ୍ବାହି ଦେଇ ମୁକ୍ତ ଚିନ୍ତନର ବିଶାଳ କ୍ଷେତ୍ରରେ ନିଜ ନିଜର ଯୋଗ୍ୟତା ଅନୁସାରେ ବିତରଣ କରନ୍ତୁ, କିନ୍ତୁ ରାଷ୍ଟ୍ରୀୟ ବା ଜାତୀୟ ଅସ୍ତିତ୍ବକୁ ପ୍ରଶ୍ନ ନ କରନ୍ତୁ। ଏହା ଗଣତନ୍ତ୍ରର ଆତ୍ମାକୁ ଆଘାତ ଭଳି ହେବ।

ବିପିନ ଚନ୍ଦ୍ର ପାଲ ୧୯୧୧ରେ ଭାରତର ଆତ୍ମାକୁ ଯେଭଳି ବୁଝିଥିଲେ ତା’ର ସମକାଳୀନ ପ୍ରୟୋଗ ହେବ ରାଷ୍ଟ୍ରୀୟତାକୁ ଆଧୢାତ୍ମିକତା ସହିତ ଯୋଡ଼ି ଏକ ନବନିର୍ମାଣ। ଏ ନବନିର୍ମାଣ ସମକାଳୀନ ଭାରତୀୟ ଗଣତନ୍ତ୍ର ପାଇଁ କେତେ ଉପଯୁକ୍ତ ହେବ? ଶ୍ରୀକୃଷ୍ଣଙ୍କୁ ଭାରତୀୟ ଆତ୍ମାର ମେଟାଫର ଭାବରେ ବ୍ୟବହାର କରି ପାଲ୍‌ ପାଶ୍ଚାତ୍ୟ ସଭ୍ୟତାର ଠିକ୍‌ ବିପରୀତରେ ଏକ ରାଷ୍ଟ୍ରୀୟ ସଭ୍ୟତାର ପରିଚିତି ନିର୍ମାଣ କରିବାକୁ ଚାହୁଁଥିଲେ। ତିଲକଙ୍କର ଗୀତାର ଭାଷ୍ୟ ଓ ପାଲ୍‌ଙ୍କ ଶ୍ରୀକୃଷ୍ଣ-ନାୟକତ୍ବ, ଦୁଇଟି ଯାକର ସମକାଳୀନ ରାଜନୈତିକ ପ୍ରୟୋଗ ସେମାନଙ୍କ ଭଳି ଉଚ୍ଚକୋଟୀର ଚିନ୍ତାନାୟକଙ୍କ ଦ୍ବାରା ସମ୍ଭବ ହେବ। ଆପାତତଃ ଭାରତୀୟ ଆତ୍ମାର କର୍ମ, କରୁଣା, ଦେଶଭକ୍ତି, ମୃତ୍ତିକା-ଲଗ୍ନତା, ସଭ୍ୟତା, ପର˚ପରା, ବିଶ୍ବଦୃଷ୍ଟି, ସମଦୃଷ୍ଟି ସବୁଗୁଡ଼ିକ ଗଣତନ୍ତ୍ରରେ ପ୍ରୟୋଗ କରିହେବ। କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନରେ ଗଣତନ୍ତ୍ରର ଆତ୍ମା ବିଷୟରେ ଚର୍ଚ୍ଚା ହୁଏ ନାହିଁ, କାରଣ ଅନ୍ୟ ବିଜ୍ଞାନ ଭଳି ଏ ବିଜ୍ଞାନରେ ମଧୢ କାର୍ଯ୍ୟ-କାରଣ ସମ୍ବନ୍ଧ ଖୋଜାଯାଏ। ଅଥଚ ଠିକ୍‌ ଅର୍ଥରେ ରାଜନୀତି ବିଜ୍ଞାନର ବୈଜ୍ଞାନିକ ଆଧାର ଗଣତନ୍ତ୍ରରେ ସମସ୍ୟା ସ˚କୁଳିତ। କାରଣ ‘ଗଣ’ ଏକ ବୈଜ୍ଞାନିକ ଏକକ ନୁହେଁ। ତଥାପି ରାଜନୀତି ବିଜ୍ଞାନୀମାନେ ଯାହାକୁ ‘ସ୍ପିରିଟ୍‌ ଅଫ୍‌ ଡିମୋକ୍ରାସି’ କହନ୍ତି (ଲାରି ଡାଏମଣ୍ତ/ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ) ସେଇ ସୂତ୍ରରୁ କିଛି ଅନୁମାନ କରିଯାଇପାରେ। ଆମେରିକାନ୍‌ ମାନଙ୍କ ପାଇଁ, ସେଇମାନେ ହିଁ ବିଶ୍ବରେ ଗଣତନ୍ତ୍ରର ରକ୍ଷକ ଓ ବିଚାରକ। ତେଣୁ ‘ସ୍ପିରିଟ୍‌ ଅଫ୍‌ ଡିମୋକ୍ରାସି’ ହେଲା ସ୍ବାଧୀନତା ଓ ଆମେରିକା ଦ୍ବାରା ସେ ସ୍ବାଧୀନତାର ସୁରକ୍ଷା। ସ୍ବାଧୀନତା ମିଳିଲା ପରେ ହିଁ ଗଣତନ୍ତ୍ର ଆସେ, ବା ଗଣତନ୍ତ୍ର ପାଇଁ ସ୍ବାଧୀନତାର ସ˚ଗ୍ରାମ ଲଢ଼ାଯାଏ। ତେଣୁ ସ୍ବାଧୀନତା ଓ ଗଣତନ୍ତ୍ର ଗୋଟିଏ ପକ୍ଷର ଦୁଇଟି ଅଭିବ୍ୟକ୍ତି। ସ୍ବାଧୀନତା ଗଣତନ୍ତ୍ର ଆତ୍ମା ନୁହେଁ, ଗଣତନ୍ତ୍ରର କାରକ। ଆଉ କେତେକଙ୍କ ମତରେ ଗଣତନ୍ତ୍ରର ‘ସ୍ପିରିଟ୍‌’ ଆଲୋଚନା, ମତପାର୍ଥକ୍ୟ, ବହୁ ସ˚ଖ୍ୟକତା, ଜନମତ ବା ପ୍ରତିନିଧି ମୂଳକତା। ଏଗୁଡ଼ିକ ଗଣତନ୍ତ୍ରର ଆତ୍ମା କି? ସ୍ପିରିଟ୍‌ ଅଫ୍‌ ଡିମୋକ୍ରାସି, ସୋଲ୍‌ ଅଫ୍‌ ଡିମୋକ୍ରାସି ନୁହେଁ। ଆତ୍ମା ଏକ ଗଭୀରତର ସ˚ରଚନା ଓ ଅଭିନିବେଶ।

ଆଧୁନିକତମ ବିଚାର ହେବ ଏହି ଯେ ଗଣତନ୍ତ୍ରର ଆତ୍ମା ‘ଲୋକ ସ˚କଳ୍ପ’। ଲୋକସ˚କଳ୍ପ ପଛରେ ଗୋଟିଏ ରାଷ୍ଟ୍ରର ସଭ୍ୟତା, ଇତିହାସ, ସ୍ବପ୍ନ ଓ ସମ୍ଭାବନା ବି ଥାଏ। ଯେଉଁ ସମସ୍ୟାକୁ ରେଖାଙ୍କିତ କରିବାକୁ ଯାଇ ଗ୍ରିଗ୍‌ସ ୧୯୧୮ରେ ପଥଭ୍ରଷ୍ଟ ହୋଇଗଲେ ବା ସ୍ବାଧୀନତାର ବହୁ ପୂର୍ବରୁ ବିପିନ ଚନ୍ଦ୍ର ପାଲ୍‌ ୧୯୧୧ରେ ‘ସ୍ବଦେଶୀ’ର ଯେଉଁ ବାର୍ତ୍ତାକୁ ଭାରତୀୟ ଆତ୍ମାର ଆହ୍ବାନ ଭାବରେ ଗ୍ରହଣ କରିଥିଲେ, ସେ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ର ନିର୍ମାଣର ମୂଳପାଠ ଯଥେଷ୍ଟ। ବିଶ୍ବର ସବୁ ଗଣତନ୍ତ୍ର ସମ୍ବିଧାନ ପରିଚାଳିତ, କିନ୍ତୁ ସମ୍ବିଧାନ ପୂର୍ବରୁ ଯେଉଁ ଘଟନାଟି ନିରବରେ ଘଟିଯାଏ ତାହା ହେଲା ‘ଲୋକ ସ˚କଳ୍ପ ଦ୍ବାରା ରାଷ୍ଟ୍ରର ନିର୍ମାଣ’। ସମ୍ବିଧାନର ଉପୋଦ୍‌ଘାତ କହେ ‘ଆମେ ଭାରତର ଲୋକେ ଏକ ଗମ୍ଭୀର ସ˚କଳ୍ପ ଦ୍ବାରା ଏ ଗଣତାନ୍ତ୍ରିକ ରାଷ୍ଟ୍ରଟିକୁ ନିର୍ମାଣ କରିଚୁ’। ତା’ ସହିତ ଅନେକଗୁଡ଼ିଏ ସ୍ବପ୍ନ, ସମ୍ଭାବନା ଓ ପ୍ରତିଶ୍ରୁତି ବି ଥାଏ। କିନ୍ତୁ ଲୋକସ˚କଳ୍ପ ବିନା ଗଣତନ୍ତ୍ରର ପ୍ରତିଷ୍ଠା ସମ୍ଭବ କି?

ବିଷୟର ପ୍ରାସଙ୍ଗିକତା ଏଇଠି ଯେ ସମ୍ବିଧାନର ନିର୍ମାଣ ପରେ ଲୋକ ସ˚କଳ୍ପକୁ ଉଜାଗର କରିପାରୁଥିବା ରାଜନୀତିର ଅଭାବ ଗଣତନ୍ତ୍ରକୁ ଦୁର୍ବଳ କରିଚାଲିଚି। ନିର୍ବାଚନରେ ମତଦାନ ଏ ସ˚କଳ୍ପ କି? ନୁହେଁ। ଯଦି ମତଦାତାର ବିବେକ ସମ୍ବିଧାନର ଲୋକସ˚କଳ୍ପକୁ ବୁଝିଥାନ୍ତା ତେବେ ଗଣତନ୍ତ୍ର ସୁବର୍ଣ୍ଣ ଗଣତନ୍ତ୍ର ହୋଇଥାନ୍ତା। ରାଷ୍ଟ୍ରୀୟ ସରକାର ଲୋକଙ୍କ ବିବେକକୁ ଆହ୍ବାନ କରିବା ବା ଲୋକ ଚୈତନ୍ୟକୁ ଆଲୋକିତ କରିବାର କାର୍ଯ୍ୟକ୍ରମ ଏଇମାତ୍ର ଆରମ୍ଭ ହେଉଚି। ସ˚କଟ କଳରେ ପ୍ରଧାନମନ୍ତ୍ରୀ ଲୋକସ˚କଳ୍ପକୁ ଆହ୍ବାନ ଦେବା ଗଣତନ୍ତ୍ରର ଆତ୍ମାକୁ ଜାଗ୍ରତ କରିବାର ଏକ ସୂକ୍ଷ୍ମ ପ୍ରୟାସ। ଏହିଭଳି ଅନେକ ଆହ୍ବାନ ଏକାଠି ହେଲେ ଲୋକେ ବୁଝିବେ ଯେ ଏ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ମାଣ ତାଙ୍କରି ଗମ୍ଭୀର ସ˚କଳ୍ପର ପରିଣତି। ଏତିକି ଅନୁଭବ ହେଲେ ‘ସ୍ପିରିଟ୍‌ ଅଫ୍‌ ଡିମୋକ୍ରାସି’ରେ ବହୁ ବ୍ୟବହାରଗତ କଳା ଓ କୌଶଳ ଯୋଡ଼ା ଯାଇପାରିବ। ନାଗରିକର କର୍ତ୍ତବ୍ୟ ‘ଜଷ୍ଟିସିଏବ୍‍ଲ’ ହୋଇପାରିବ। ଯିଏ ସ˚କଳ୍ପ କଲେ ସିଏ ଯଦି ନ ଜାଣେ ଓ ଅଜ୍ଞ ଯଜମାନ ହୋଇ ଆସନରେ ବସେ, ତେବେ ପୁରୋହିତଙ୍କ ଭୁଲ୍‌ ମନ୍ତ୍ରୋଚ୍ଚାରଣ ଚାଲିବ। ପ୍ରତିଷ୍ଠିତ ଗଣତନ୍ତ୍ର ସ˚କଳ୍ପକାରୀର ଅଜ୍ଞନତା ହେତୁ ନିଷ୍ଫଳ ଓ ନିଷ୍କ୍ରିୟ ହୋଇଯିବ। ୟାର ନିରାକରଣ ସମ୍ଭବ।

କକ୍ଷେତ୍ରରେ ହିଁ ୟାର ସୂତ୍ର। କିନ୍ତୁ ଲୋକକ୍ଷେତ୍ର ଗୋଟିଏ ‘ଏକକ’ ନୁହେଁ, ଏହା ବହୁ ବିଚ୍ଛୁରିତ, ବହୁବର୍ଣ୍ଣୀ ଏକ କଳ୍ପନା। କୋଟି କୋଟି ଭାରତୀୟ ଏକା ସମୟରେ ବା ଅଲଗା ଅଲଗା, ଲକ୍ଷ ଲକ୍ଷ ଗୋଷ୍ଠୀ ବିମର୍ଶ କରି ଚାଲିଚନ୍ତି। ତାହା କେନ୍ଦ୍ରୀଭୂତ ହେବ କେବଳ ଏଇ ମର୍ମବୋଧରେ ଯେ ଏ ରାଷ୍ଟ୍ରର ନିର୍ମାତା ଆମେ। ଗଣତନ୍ତ୍ର ଆମେ। ଆମର ସ˚କଳ୍ପ ହିଁ ରାଷ୍ଟ୍ରର ବଳ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮