ନକ୍ସଲପନ୍ଥୀ ଓ ସରକାର

ଅନାଦି ନାୟକ

ନକ୍ସଲପନ୍ଥୀମାନେ ଏବେ ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ଲାଗି ସେମାନେ ରାଜି। ନିଜ ପକ୍ଷରୁ ସୌହାର୍ଦ୍ଦ୍ୟ ଦେଖାଇ ସେମାନେ ଧରି ନେଇଥିବା ସୈନିକ ରାଜେଶ୍ୱର ସିଂହ ମନହାସଙ୍କୁ ମୁକ୍ତ କରିଛନ୍ତି। ତଥାପି, ନକ୍ସଲପନ୍ଥୀଙ୍କ ଗୁଳି ମାଡରେ ୨୩ ଜଣ ସୈନିକ ଯେ ପ୍ରାଣ ହରାଇଲେ ଏହାକୁ ମଧ୍ୟ ଅସ୍ୱୀକର କରି ହେବ ନାହିଁ କି ଏଥିପାଇଁ ସେମାନଙ୍କୁ କ୍ଷମା ଦେଇ ହେବ ନାହିଁ।

ନକ୍ସଲପନ୍ଥୀମାନଙ୍କର ଆବିର୍ଭାବ ହୁଏ ୧୯୬୭-୬୮ ମସିହାରେ, ପଶ୍ଚିମବଙ୍ଗର ନକ୍ସଲବାଡି ଅଞ୍ଚଳରେ। ବଡ଼ବଡ଼ିଆ ଭାବେ ସେମାନେ ପ୍ରଥମେ ବିହାରରୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା‌ ଲଳିତ ନାରାୟଣ ମିଶ୍ରଙ୍କୁ ହତ୍ୟା କରିଥିଲେ। ଏବେ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କର ଉପଦ୍ରବ ଚାଲି ଆସିଛି। ପୁଲିସ୍, ମିଲିଟାରି ଗୋଟିଏ ପଟେ ଓ ସେମାନେ ଅନ୍ୟ ପଟେ। ନକ୍ସଲ ଆନ୍ଦୋଳନର ମୂଳ ଲୋକେ – କାନୁ ସାନ୍ୟାଲ ଓ ତାଙ୍କର ବନ୍ଧୁମାନେ – କେଉଁ ଦିନୁ ଗଲେଣି। ପଶ୍ଚିମବଙ୍ଗର ଲୋକେ କମ୍ୟୁନିଷ୍ଟମାନଙ୍କୁ ବିଦାୟ ଦେଇ ଏବେ ବି.ଜେ.ପି. ଆଡେ ମୁହାଁଇଥିବା ପରି ଲାଗୁଛି। କିନ୍ତୁ, ନକ୍ସଲପନ୍ଥୀମାନେ ଭାରତର ସବୁ ଆଡ଼େ ବିଛେଇ ହୋଇଗଲେଣି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ପରି ଆଦିବାସୀ ବହୁଳ ଅଞ୍ଚଳରେ ସେମାନଙ୍କର ପ୍ରଭାବ ଅଧିକ।

ସବୁ ପ୍ରଦେଶରେ ଆଦିବାସୀମାନେ ସର୍ବାଧିକ ଅବହେଳିତ। ବାହାରୁ ଧୋବ ଧଉଳିଆ ଅଫିସର, ବ୍ୟବସାୟୀ ଓ ମଦ ଭାଟିବାଲା ସେମାନଙ୍କର ସରଳପଣିଆର ସୁଯୋଗ ନେଲେ। ଯୁଗ ଯୁଗରୁ ଚଳି ଆସିଥିବା ନିୟମ ଓ ପ୍ରଥା ବଡ଼ବଡ଼ିଆଙ୍କ ହାତକୁ ଟାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ଦିନକୁ ଦିନ ତଳକୁ ଖସିଲେ। ସେମାନଙ୍କ ଉପରେ ଶୋଷଣ ଚାଲିଲା। ତାକୁ ବନ୍ଦ କରିବା ଲାଗି ନକ୍ସଲପନ୍ଥୀମାନେ କାମ କରୁଛନ୍ତି ବୋଲି ସେହି ଆଦିବାସୀମାନଙ୍କୁ ସେମାନଙ୍କ ଭାଷାରେ ବୁଝାଇ ଦିଆଗଲା। ଆଦିବାସୀମାନେ ଏ କଥା ବିଶ୍ୱାସ କରିନେଲେ। ସେମାନଙ୍କ ତରଫରୁ ନକ୍ସଲପନ୍ଥୀଙ୍କ ଲଢ଼େଇ ହେଉଛି ବୋଲି ସେମାନେ ବୁଝିଲେ। ସେମାନଙ୍କ ଭିତରେ ଆଶ୍ରୟ ନେବା ଓ ସେମାନଙ୍କ ଯୋଗେ ରକ୍ଷା ପାଇବା ଆଉ କଷ୍ଟକର ହେଲା ନାହିଁ। ସେମାନେ ନିକଟବର୍ତ୍ତୀ ଡଙ୍ଗର ଓ ପାହାଡ଼ ସହିତ ବେଶ୍ ପରିଚିତ। କିନ୍ତୁ ପ୍ରକୃତରେ ପୁଲିସ୍ କିମ୍ବା ମିଲିଟାରି ଉପରକୁ ଗୁଳି ଚଳାଇ ସେମାନଙ୍କୁ ମାରିବା ଦ୍ୱାରା ନକ୍ସଲପନ୍ଥୀଙ୍କ ଲାଗି ଅପରାଧର ପରିମାଣ ବଢୁଛି। କିଏ ମାରିଲା ଓ କାହିଁକି ମାରିଲା – ଏ ଭଳି ପ୍ରଶ୍ନର କୌଣସି ଅର୍ଥ ରହୁନାହିଁ। ‘ନକ୍ସଲପନ୍ଥୀଙ୍କ ଗୁଳିରେ ୨୩ ଜଣ ଜୱାନ ନିହତ’– ବଡ଼ ବଡ଼ ଅକ୍ଷରରେ ଖବରକାଗଜରେ ବାହାରିଲା, ରେଡିଓ ଓ ଟେଲିଭିଜନରେ ଘୋଷିତ ହେଲା। ତାକୁ ପଢ଼ି, ଶୁଣି ଓ ଦେଖି ସାଧାରଣ ଲୋକେ ଉତ୍ୟକ୍ତ ହେଲେ; ହେବା ସ୍ୱାଭାବିକ।

ଅସଲ କଥାଟି ହେଲା ଅନବରତ ଆଦିବାସୀଙ୍କ ଉପରେ ହେଉଥିବା ସରକାରୀ ଓ ବେସରକାରୀ ଶୋଷଣ ରୋକିବା ଓ ସେମାନଙ୍କୁ ସବୁ କଥାରେ ନ୍ୟାଯ୍ୟ ଅଧିକାର ଦେବା କଥା ସର୍ବାଧିକ ଗୁରୁତ୍ବ ପାଇବା ଉଚିତ; ଯାହା ମୋଟେ ହେଉ ନାହିଁ। ସର୍ବତ୍ର ସେହି ‘ତେଲିଆ ମୁଣ୍ଡରେ ତେଲ’ କଥା ହିଁ ଚାଲିଛି। ଏବେ ନକ୍ସଲପନ୍ଥୀମାନେ ସରକାର ସହିତ କଥାବାର୍ତ୍ତା କରିବାକୁ ଚାହିଁଛନ୍ତି ତ ସରକାର ସେମାନଙ୍କ କଥାକୁ ଗୁରୁତ୍ୱ ଦେବା ଦରକାର। ସେମାନଙ୍କର ଦାବି କ’ଣ ଓ ସେଥିରୁ କ’ଣ ସବୁ ସରକାରଙ୍କ ପକ୍ଷରୁ ସାଙ୍ଗେସାଙ୍ଗେ ପୂରଣ କରିହେବ ଓ ଆଉ କେଉଁ ସବୁ କଥାର ସମାଧାନକୁ ଭବିଷ୍ୟତ ପାଇଁ ରଖିବାକୁ ହେବ; ତାର ନିଷ୍ପତ୍ତି ଉଭୟ ପକ୍ଷରୁ ହେବା ଦରକାର। ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଗଲା ବେଳେ ଉଭୟ ଗୋଷ୍ଠୀ ଭିତରେ ପରସ୍ପର ପ୍ରତି ବିଶ୍ୱାସ ଥିବା ଦରକାର।

ସରକାର ଚାହୁଁଛନ୍ତି ଯେ ଆଦିବାସୀ ଅଞ୍ଚଳରେ ଉନ୍ନୟନମୂଳକ କାମ ସୁରୁଖୁରୁରେ ଚାଲୁ। ମାତ୍ର, ଆଦିବାସୀ ଅଞ୍ଚଳରେ ପ୍ରକୃତରେ ଉନ୍ନୟନମୂଳକ କାମ କରିବାକୁ ନକ୍ସଲପନ୍ଥୀମାନେ ବାଧା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ତରଫରୁ ନକ୍ସଲପନ୍ଥୀମାନେ କ’ଣ ଦାବି କରୁଛନ୍ତି ତାର ଏକ ସ୍ପଷ୍ଟ ଚିତ୍ର ସେମାନଙ୍କ ପାଖରେ ଥିବା ଦରକାର। ଏଥି ପାଇଁ ସରକାରୀ କର୍ମଚାରୀଙ୍କୁ କେତେକ ବିଶେଷ ପଦକ୍ଷେପ ନେବାକୁ ହେବ। ଶୋଷଣର ଅବସାନ ହେଉ ବା ସରକାରୀ କର୍ମଚାରୀଙ୍କ ଆଭିମୁଖ୍ୟ ବଦଳୁ- ଭଳି କଥାଗୁଡ଼ିକର କୌଣସି ବ୍ୟାବହାରିକ ଅର୍ଥ ନାହିଁ। କାରଣ ଏହା କୌଣସି କାର୍ଯ୍ୟକ୍ରମ ନୁହେ। ଏଇଟା ହେଲା ଏକ ଧ୍ୟେୟ ବା ଲକ୍ଷ୍ୟ। ସରକାର ଆଇନ କରି କାହାରି ମନୋଭାବ ବଦଳାଇ ପାରିବେ ନାହିଁ। ଏହା ମନ ଭିତରୁ ଆସିବା ଦରକାର। ଧ୍ୟେୟ ପୂର୍ତ୍ତି ପାଇଁ ସମୟ ତ ନିଶ୍ଚୟ ଲାଗିବ। ମାତ୍ର ପ୍ରଥମ ପର୍ଯ୍ୟାୟରେ କେତେକ ସହଜ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାରେ। ସେଥି ପାଇଁ ଏକ ସ୍ୱତନ୍ତ୍ର କମିଟି ଉଭୟ ପକ୍ଷ ଦ୍ୱାରା ଗୃହୀତ ହୋଇ ଗଢ଼ା ଯାଉ। ସରକାର ଓ ନକ୍ସଲପନ୍ଥୀ ଉଭୟ ପକ୍ଷ କମିଟିଙ୍କ ପ୍ରସ୍ତାବକୁ ମାନି ନେବାକୁ ରାଜି ହୁଅନ୍ତୁ। ତା’ ହେଲେ ଏକ ଜଟିଳ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ।

ଗତ ପଚାଶ ବର୍ଷ ଭିତରେ ଦୁନିଆ ସାରା ବହୁ ଜଟିଳ ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ ହୋଇ ପାରିଛି। ‘ଆଇରିସ ରିଭୋଲ୍ୟୁସନାରି ଆର୍ମି’ (IRA) ଉତ୍ତର ଆୟାର୍ଲାଣ୍ଡ ପାଇଁ ଇଂଲଣ୍ଡ ସହିତ ରକ୍ତାକ୍ତ ସଂଗ୍ରାମ କଲା। ଏପରି କି ବ୍ରିଟିସ ରାଜପରିବାରର ସଦସ୍ୟ ଲର୍ଡ ମାଉଣ୍ଟବ୍ୟାଟେନ (ଭାରତର ଶେଷ ବଡଲାଟ୍)ଙ୍କୁ ହତ୍ୟା କଲା। ଅନେକ ବର୍ଷ ଯୁଦ୍ଧ ଓ ତିକ୍ତତା ଚାଲିଲା ପରେ ଆମେରିକାର ମଧ୍ୟସ୍ଥତାରେ ଉଭୟ ପକ୍ଷ ସମା‌ଧାନର ବାଟ ବାହାରିଲା। କାନାଡାର କ୍ୟୁବେକ୍ ଅଞ୍ଚଲର ଅନେକ ବାସିନ୍ଦା ଏକ ସ୍ୱତନ୍ତ୍ର ଦେଶ ହୋଇ ଯିବାକୁ ଚାହିଁଲେ। ସେଠାର ଫ୍ରେଞ୍ଚ୍‌ ଭାଷାଭାଷୀ ଲୋକେ ଇଂରେଜୀ ଭାଷାଭାଷୀଙ୍କ ସଂସ୍କୃତି ଓ ଚାଲି ଚଳଣକୁ ଗ୍ରହଣ କରି ପାରୁ ନ ଥିଲେ। ଏହି କଥାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ଭିତରେ ଅନେକ ବର୍ଷ ବିବାଦ ଚାଲିଲା। ଶେଷରେ ପ୍ଲେବିସାଇଟ୍ ବା ସ୍ଥାନୀୟ ଅଧିବାସୀଙ୍କ ଭୋଟ ମାଧ୍ୟମରେ ସମସ୍ୟାର ସମାଧାନ ହେଲା। କାନାଡା ଦୁଇ ଭାଗରେ ବିଭକ୍ତ ହେଲା ନାହିଁ। ସମାଧାନ ପାଇଁ ଇଚ୍ଛା ରହିଲେ ସମାଧାନର ବାଟ ଫିଟି ଯିବ।

ଅବହେଳିତ ଲୋକଙ୍କର ମଙ୍ଗଳ କରିବା ପାଇଁ ସରକାର ଓ ନକ୍ସଲଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ପ୍ରତ୍ୟେକେ ନିଜ ନିଜ ବାଟରେ ଅଟଳ। ସରକାର ତାଙ୍କ ପୁଲିସ୍, ମିଲିଟାରି, ଗୋଳା-ବାରୁଦର ସାହାଯ୍ୟ ନେବା ବେଳକୁ ନକ୍ସଲପନ୍ଥୀମାନେ ସ୍ଥାନୀୟ ଲୋକଙ୍କ ଶୁଭେଚ୍ଛା ଓ ସହଯୋଗ ସାଙ୍ଗକୁ ଗୋଳା-ବାରୁଦ ଇତ୍ୟାଦିର ବ୍ୟବହାର କରୁଛନ୍ତି। ପ୍ରକୃତ ସମସ୍ୟାଟି କ’ଣ ଓ ସମାଧାନ କେଉଁଠି–ସେ କଥା ସମ୍ପୃକ୍ତ ପକ୍ଷ ଭୁଲିଗଲା ଭଳି ମନେ ହେଉଛି। ଆକ୍ରମଣ ଓ ପ୍ରତି-ଆକ୍ରମଣ ଭିତରେ ଉଭୟ ପକ୍ଷ ଚାଲିଛନ୍ତି।

ଆଜିର ଦୁନିଆରେ ସର୍ବହରାର ଏକଛତ୍ରବାଦ ଏକ ଧୂଆଁବାଣ। ସର୍ବହରା ନାଆଁରେ ଯେଉଁଠି ସବୁ ଏକଛତ୍ରବାଦ ଚାଲିଛି ସେଠାରେ ଲୋକଙ୍କର ଦୁର୍ଗତି ନକ୍ସଲପନ୍ଥୀଙ୍କୁ ଅଜଣା ନାହିଁ। ସୁତରାଂ ସରକାର ସହିତ ବୁଝାମଣା କରିବାକୁ ସେମାନେ ଚାହୁଁଛନ୍ତି। ସରକାର ମଧ୍ୟ ଏହାର ସୁଯୋଗ ନେବା ଦରକାର।

(ଲେଖକ ଜଣେ ପୁରୁଣା ସର୍ବୋଦୟ କର୍ମୀ ଓ ବିଭିନ୍ନ ସାମା‌ଜିକ କାର୍ଯ୍ୟ ସହିତ ସମ୍ପୃକ୍ତ)

[email protected]

ସମ୍ବନ୍ଧିତ ଖବର