ରଥ କନା- କଲିକତୀ ଓ ଚୀନା!

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ସତରେ କ’ଣ କେବେ ବିଦେଶୀ ବସ୍ତ୍ର ପିନ୍ଧୁଥିଲେ? ଏହା ଏକ ଗମ୍ଭୀର ପ୍ରଶ୍ନ ଏବଂ ଏ ସ୍ତମ୍ଭର ଗତ ତିନିଟି ଲେଖାରେ ଏହାର ଉତ୍ତର ଖୋଜିବାର ପ୍ରୟାସ କରାଯାଇଛି। ଏହି ଖୋଜିବା ଭିତରେ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ଓ ରୋଚକ ତଥ୍ୟ ମଧ୍ୟ ଦୃଷ୍ଟିକୁ ଆସିଛି।
୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ, ୧୦ ଜୁନ୍‌, ୧୮୦୫ରେ ଶ୍ରୀମନ୍ଦିର ସଂପର୍କରେ ପ୍ରଥମ ରିପୋର୍ଟ ପ୍ରସ୍ତୁତ କରିଥିଲେ ଚାର୍ଲସ୍ ଗ୍ରୋମ୍। ସେତେବେଳେ ସେ ଥିଲେ ଜଗନ୍ନାଥ ପୁରୀର କଲେକ୍ଟର। ତାଙ୍କ ରିପୋର୍ଟର ଶିରୋନାମ ‘ଚାର୍ଲସ ଗ୍ରୋମ୍‌ସ ରିପୋର୍ଟ ଅନ୍ ଦି ଟେମ୍ପୁଲ୍ ଅଫ୍ ଜଗନ୍ନାଥ’ (Charles Grome’s Report on the Temple of Jagannath)।

ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଯେଉଁ ଆୟବ୍ୟୟ ବିବରଣୀ ସେହି ରିପୋର୍ଟରେ ଗ୍ରୋମ୍ ଲିପିବଦ୍ଧ କରିଛନ୍ତି, ସେଥିରେ ରହିଛି ରଥର କନା ବାବଦ ତଥ୍ୟ। ସେଥିରୁ ଜଣାଯାଏ ଯେ ସେତେବେଳେ ରଥରେ ଚଉଡ଼ା କନା ୨୦ ଖଣ୍ଡ ଲାଗୁଥିଲା ଏବଂ ସେ ବର୍ଷ ସେଥିପାଇଁ ଖର୍ଚ୍ଚ ହୋଇଥିଲା ୧୭୦୩ ଟଙ୍କା। ତାହା କଲିକତାରୁ ଆସିଥିଲା ଏବଂ ତାହା ଆଣିବା ପାଇଁ ଖର୍ଚ୍ଚ ହୋଇଥିଲା ୧୭୪ ଟଙ୍କା।

ସେହିପରି, ସେ ବର୍ଷ ରଥରେ ୨୬ ଖଣ୍ଡ ସିଲ୍‌କ କନା ଲାଗିଥିଲା ଏବଂ ସେ ବାବଦକୁ ଖର୍ଚ୍ଚ ହୋଇଥିଲା ୨୪୨ ଟଙ୍କା। ତାହାକୁ ଗ୍ରୋମ୍ ଲେଖିଛନ୍ତି ‘ଇଣ୍ଡିଆନ୍ ସିଲ୍‌କ’ (Indian Silk) ବୋଲି ଏବଂ ‘ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ’ ପୁସ୍ତକରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ କହିଛନ୍ତି ‘ଦେଶୀ ସିଲ୍‌କ’। କିନ୍ତୁ କଲିକତାରୁ ରଥ ପାଇଁ ଆସୁଥିବା ଚଉଡ଼ା କନା କ’ଣ ‘ବିଦେଶୀ’? ଏହାର ଉତ୍ତର- ନା। କାରଣ, ତନ୍ତରେ ଅଧିକ ଚଉଡ଼ାକନା ବୁଣା ହୋଇପାରୁ ନଥିବାରୁ, ସେତେବେଳେ ସମ୍ଭବତଃ କଲିକତାରୁ କଳବୁଣା ଚଉଡ଼ାକନା ରଥପାଇଁ ଅଣାଯାଉଥିଲା।

କିନ୍ତୁ ଗ୍ରୋମ୍‌ଙ୍କ ସେହି ବିବରଣୀରେ ଥିବା, ରଥର ୩ ଖଣ୍ଡ ‘ଚିଣ୍ଟ’ (Chintz) କନାକୁ ନେଇ କେହି କେହି ଆଲୋଚକ ଭ୍ରମରେ ପଡ଼ିଛନ୍ତି। ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଅବଶ୍ୟ ତାଙ୍କ ପୁସ୍ତକରେ ଏହାକୁ ‘ଛିଟ ଲୁଗା’ ବୋଲି ଲେଖିଛନ୍ତି; କିନ୍ତୁ ସେହି ଆଲୋଚକମାନେ ଏହି ‘ଚିଣ୍ଟ’ର ଭ୍ରମରେ ରଥପାଇଁ ସେତେବେଳେ ଚୀନା କନା ଆସୁଥିଲା ବୋଲି କହିଛନ୍ତି। କିନ୍ତୁ ରଥପାଇଁ କେବେ ଚୀନ୍‌ରୁ କନା ଆସିଥିବାର ପ୍ରମାଣ ନାହିଁ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ, ସପ୍ତାହର ବିଭିନ୍ନ ବାରରେ ଶ୍ରୀବିଗ୍ରହମାନେ ଯେଉଁ ସବୁ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରନ୍ତି, ସେଥି ମଧ୍ୟରେ ଛିଟ ବସ୍ତ୍ର ରହିଛି। ସୋମବାର ଦିନ ସେମାନେ ଧଳା ଛିଟ ବସ୍ତ୍ର ହିଁ ପରିଧାନ କରିଥାଆନ୍ତି। ଏହା ତନ୍ତବୁଣା ସ୍ୱଦେଶୀ ଛିଟବସ୍ତ୍ର; ଚୀନ୍‌ରୁ ଆମଦାନିକରା ବା କଲିକତାର କଳବୁଣା ନୁହେଁ।

ମହାତ୍ମାଗାନ୍ଧୀ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ମାର୍ଚ୍ଚ ୨୭ ତାରିଖରେ ଯେ ଶ୍ରୀମନ୍ଦିର ଯାଇଥିଲେ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ଏହା ଏକ ପ୍ରମାଣିତ ତଥ୍ୟ। କିନ୍ତୁ ଶ୍ରୀବିଗ୍ରହମାନେ ବିଦେଶୀବସ୍ତ୍ର ପିନ୍ଧିଥିବା ଯେ ସେ ଦେଖିଥିଲେ, ଏହା ସଂଶୟାଚ୍ଛନ୍ନ। ଏହି ସ୍ତମ୍ଭର ପୂର୍ବଲେଖଗୁଡ଼ିକରେ ସେ ପ୍ରସଙ୍ଗ ବିଶଦ ଭାବରେ ଆଲୋଚିତ ହୋଇଛି। ଏ ପ୍ରସଙ୍ଗରେ ସ୍ମରଣ ରଖିବାକୁ ହେବ ଯେ ସେତେବେଳେ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ବ୍ୟାପାର ବା ସେବାପୂଜା ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଥିଲା ରାଜ ପରିଚାଳନାଧୀନ। ପୁରୀର ରାଜା ଥିଲେ ମୁକୁନ୍ଦଦେବ। ବିଭିନ୍ନ ପୁସ୍ତକରେ ଲିପିବଦ୍ଧ ମହାତ୍ମାଗାନ୍ଧୀଙ୍କ ପ୍ରଥମ ପୁରୀ ଆଗମନର ବିବରଣୀ ଅନୁସାରେ, ୨୬ ତାରିଖ ସଂଧ୍ୟାରେ ସେ ରେଳଯୋଗେ ପୁରୀ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ଲାଟଫର୍ମ ବାହାରେ ପ୍ରାୟ ୨୦ ହଜାର ଲୋକ ତାଙ୍କ ସ୍ୱାଗତ ପାଇଁ ସମବେତ ହୋଇଥିଲେ।

କିନ୍ତୁ ସେଦିନ ମହାତ୍ମାଗାନ୍ଧୀଙ୍କୁ ପୁରୀ ରାଜା ଯେପରି ଭାବରେ ସ୍ୱାଗତ କରିଥିଲେ, ତାହା ଥିଲା ଚର୍ଚ୍ଚାର ବିଷୟ। ‘ଅମୃତ ବଜାର ପତ୍ରିକା’ର ୧୯୨୧ ମସିହା, ମାର୍ଚ୍ଚ ୨୯ ତାରିଖ ସଂସ୍କରଣର ବିବରଣୀ ଅନୁସାରେ, ‘ଓଡ଼ିଶା ଓ ଗାନ୍ଧୀ’ ପୁସ୍ତକରେ ତାହାର ଉଲ୍ଲେଖ କରିଛନ୍ତି ପାବକ କାନୁନ୍‌ଗୋ। ସେ ଲେଖିଛନ୍ତି, “ସବୁଠାରୁ ରୋମାଞ୍ଚକର ଘଟଣା ଘଟିଲା, ଯେତେବେଳେ ମହାତ୍ମାଙ୍କ ଯାନ ପୁରୀ ରାଜାଙ୍କ ପ୍ରାସାଦ ସମ୍ମୁଖରେ ଅଟକିଗଲା- ରାଜା ମହାତ୍ମାଜୀଙ୍କ ସହିତ ସାକ୍ଷାତ କରିବାକୁ ମନ କଲେ। ଏକଥା ରାଷ୍ଟ୍ର ହେଲା ମାତ୍ରକେ ସେଠାରେ ଭିଡ଼ ଜମିଗଲା। ମହାତ୍ମାଜୀ ପନ୍ଦର ମିନିଟ୍ କାଳ ଅପେକ୍ଷା କଲେ ମଧ୍ୟ ରାଜା ଦୁର୍ଭେଦ୍ୟ ଭିଡ଼ ଭିତରେ ପଶି ମହାତ୍ମାଜୀଙ୍କ ପାଖକୁ ଆସିପାରି ନଥିଲେ। ମହାତ୍ମାଜୀଙ୍କୁ ପୁଷ୍ପହାର ପଠାଇ ଦେଇ ରାଜା ସନ୍ତୁଷ୍ଟ ହୋଇ ରହିଲେ।”

କିନ୍ତୁ ‘ଅମୃତ ବଜାର ପତ୍ରିକା’ର ଏହି ବିବରଣୀ ଠିକ୍ ନୁହେଁ ବୋଲି ସେତେବେଳେ ପ୍ରକାଶିତ ଅନ୍ୟାନ୍ୟ ସୂତ୍ରର ଆଧାରରେ ଶ୍ରୀ କାନୁନ୍‌ଗୋ କହିଛନ୍ତି। ତାହା ଅନୁସାରେ, “ଅନେକଙ୍କର କହିବାର କଥା ଯେ ଗାନ୍ଧୀଜୀ ପୁରୀରେ ପହଞ୍ଚିଲା ପରେ, ସାଧାରଣ ସଭାକୁ ଯିବାବେଳେ, ପୁରୀର ରାଜା ତାଙ୍କୁ ରାଜନଅର ନିକଟରେ ସମ୍ବର୍ଦ୍ଧନା ଜଣାଇବାକୁ ସମ୍ମତି ଦେଇଥିଲେ। କିନ୍ତୁ ଗାନ୍ଧୀଜୀଙ୍କ ଯାନ ଯେତେବେଳେ ନଅର ନିକଟରେ ଅଟକିଲା, ରାଜା ନିଜ ପୂର୍ବ ସିଦ୍ଧାନ୍ତକୁ ହଠାତ୍ ପରିବର୍ତ୍ତନ କରି ନଅର ଭିତରୁ ଗୋଟିଏ ଫୁଲମାଳ ପଠେଇଦେଲେ ଏବଂ ସମ୍ବର୍ଦ୍ଧନା ଜଣାଇବାପାଇଁ ନଅର ବାହାରକୁ ଆସିଲେ ନାହିଁ।”

ଏହା ସୂଚାଏ ଯେ ପୁରୀର ରାଜା ମୁକୁନ୍ଦଦେବ, ସେତେବେଳେ କଂଗ୍ରେସର ସମର୍ଥକ ନଥିଲେ। ସମ୍ଭବତଃ ତାହାହିଁ ଥିଲା ଗାନ୍ଧୀଜୀଙ୍କ ଅବବୋଧର ନେପଥ୍ୟ ନିୟାମକ- ଯେଉଁଥିପାଇଁ ଶ୍ରୀମନ୍ଦିର ଗର୍ଭଗୃହର ଅନ୍ଧକାର ମଧ୍ୟରେ, କ୍ଷୀଣ ଦୀପାଲୋକରେ, ତାଙ୍କର ଧାରଣା ହୋଇଥିଲା ଯେ ଶ୍ରୀବିଗ୍ରହମାନେ ବିଦେଶୀ ବସ୍ତ୍ର ପରିହିତ।

ତାହାର ପ୍ରାୟ ଅଢ଼େଇମାସ ପରେ, ଜୁନ୍ ୧୦ ତାରିଖ ଦିନ ପୁରୀଠାରେ ଆୟୋଜିତ ହେଲା ଏକ ସାଧାରଣ ସଭା ଏବଂ ମନ୍ଦିର ମ୍ୟାନେଜରଙ୍କୁ ଦିଆଗଲା ଗୋଟିଏ ଚିଠି। ସେହି ଚିଠିରେ ମିଳେ ଗାନ୍ଧୀଜୀଙ୍କ ସେହି ଅବବୋଧର ଏକ ପ୍ରତିଫଳନ। ସାପ୍ତାହିକ ‘ସମାଜ’ର ୧୮ ଜୁନ୍‌, ୨୦୨୧ ସଂଖ୍ୟାରେ ପ୍ରକାଶିତ ଗୋପବନ୍ଧୁଙ୍କ ସଂପାଦକୀୟ ଏହାର ପ୍ରମାଣ। ସେଥିରେ ଗୋପବନ୍ଧୁ ଲେଖିଛନ୍ତି, “ଏ ମାସ ୧୦ ତାରିଖ ସନ୍ଧ୍ୟାରେ ଏକ ସାଧାରଣ ସଭାରେ ଏ ବିଷୟରେ ଏକ ନିର୍ଦ୍ଧାରଣ କରାଯାଇ ମନ୍ଦିରରେ ଦେଶୀୟ ଶୁଦ୍ଧ ଅରଟକଟା ସୂତାର ବସ୍ତ୍ର ବ୍ୟବହାର କରିବା ନିମନ୍ତେ ମନ୍ଦିରର ମ୍ୟାନେଜରଙ୍କୁ ଅନୁରୋଧ କରାଯାଇଅଛି। ପୁରୀ ଲୋକସାଧାରଣଙ୍କର ଏ ପ୍ରସ୍ତାବରେ ଭାରତର ହିନ୍ଦୁ ଜନସାଧାରଣଙ୍କର ଯେ ସଂପୂର୍ଣ୍ଣ ମତ ଓ ସହାନୁଭୂତି ଅଛି, ଏହା ବୋଲିବା ନିଷ୍ପ୍ରୟୋଜନ।”

ପୁରୀ ରାଜାଙ୍କ ପ୍ରତି ସ୍ପଷ୍ଟ କଟାକ୍ଷ ମଧ୍ୟ ସେହି ସଂପାଦକୀୟରେ ଅଛି। ଗୋପବନ୍ଧୁ ସେଥିରେ ଲେଖିଛନ୍ତି, “ଅରଟ ପ୍ରଚାର ବା ଦେଶୀୟ ବସ୍ତ୍ର ବ୍ୟବହାରକୁ ଅସହଯୋଗ ଆନ୍ଦୋଳନ ସହିତ ଯୋଗକରି ତହିଁରୁ ଗୋଟିଏ ରାଜନୈତିକ ଖିଅ ବାହାର କରିବା ଠିକ୍ ନୁହେଁ।… ବିଶେଷତଃ ଧର୍ମସଂକ୍ରାନ୍ତ ବିଷୟରେ ଲୋକମତ ଅନୁସାରେ କାର୍ଯ୍ୟ କରିବା ସର୍ବଥା ବାଞ୍ଛନୀୟ। ଆମ୍ଭେମାନେ ଆଶାକରୁ, ଏ ବିଷୟ ପୁରୀ ରାଜାଙ୍କର ଦିବ୍ୟ ଅବଧାନରେ ଆସିବ।”

ଏ ପ୍ରସଙ୍ଗଟିକୁ ସେତେବେଳେ ଗୋପବନ୍ଧୁ ଯେ କ୍ରମାଗତ ଭାବରେ ପ୍ରୋତ୍ସାହିତ କରୁଥିଲେ, ତାହାର ଆଉ ଏକ ପ୍ରମାଣ ମିଳେ, ତାହାର ପ୍ରାୟ ବର୍ଷକ ପରେ ‘ସମାଜ’ରେ ପ୍ରକାଶିତ ଏକ ‘ନିବେଦନ’ରୁ। ୨୨ ଜୁନ୍‌, ୧୯୨୨ରେ ସେହି ‘ନିବେଦନ’ପତ୍ରଟି ପ୍ରକାଶ ପାଇଥିଲା। ସେହି ସଂଖ୍ୟାଟି ଏବେ ଉପଲବ୍‌ଧ ନୁହେଁ; କିନ୍ତୁ ତାହାର ପ୍ରାସଙ୍ଗିକ ଉଦ୍ଧୃତି ଲିପିବଦ୍ଧ ଅଛି ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ‘ଉତ୍କଳମଣି ଗୋପବନ୍ଧୁ’ ପୁସ୍ତକ (ପ୍ରକାଶକ- ଗ୍ରନ୍ଥମନ୍ଦିର, କଟକ, ୧୯୭୫)ରେ। ସେହି ‘ନିବେଦନ’ କରିଥିଲେ ଶ୍ରୀମନ୍ଦିରର ସେବକ- ଶ୍ରୀଧର ଖୁଣ୍ଟିଆ, ଦୟାନିଧି ପୂଜାପଣ୍ଡା, ହରିହର ଗୁରୁ, ଜଗନ୍ନାଥ ପଢ଼ିହାରୀ ଓ କଳିଯୁଗ ପଢ଼ିହାରୀ ପ୍ରମୁଖ। ‘ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରାଚୀନ ପ୍ରଥାର ସମର୍ଥନ’ ପ୍ରସଙ୍ଗରେ, ସେହି ଜୀବନୀ ପୁସ୍ତକରେ ଏହାର ଅବତାରଣା କରିଛନ୍ତି ପଣ୍ଡିତ ଶ୍ରୀ ଦାଶ।

ସେହି ‘ନିବେଦନ’ରେ ଉପରୋକ୍ତ ସେବକମାନେ ଲେଖିଛନ୍ତି, “ଆମ୍ଭେମାନେ ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ଓ ସେବକ। ଯଜମାନମାନଙ୍କର ଓ ଦେଶର ଜନସାଧାରଣଙ୍କର ଧର୍ମରକ୍ଷା ଓ ମଙ୍ଗଳକାମନା କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ।

ଭାରତର ନାନାଆଡ଼ୁ ଜଗନ୍ନାଥଦେବଙ୍କର ଭକ୍ତମାନେ ଅନେକ ଟଙ୍କାପଇସା ଖର୍ଚ୍ଚ କରି ଏ ତୀର୍ଥସ୍ଥାନକୁ ଆସନ୍ତି। ଜଗନ୍ନାଥ ମହାପ୍ରଭୁଙ୍କଠାରେ ପ୍ରାୟ ପ୍ରତ୍ୟେକ ଯାତ୍ରୀ ନିଜ ନିଜ ଶକ୍ତି ଅନୁସାରେ ଲୁଗାପଟା, ଟଙ୍କା, ସୁନା ଆଦି ନାନା ଦାନ କରିଥାନ୍ତି। ଏସବୁ ଦାନସାମଗ୍ରୀ ପବିତ୍ର ଓ ଶ୍ରୀଜିଉଙ୍କର ଶ୍ରୀଅଙ୍ଗ ଲାଗି ପାଇଁ ଉପଯୁକ୍ତ ହେବା ଦରକାର।”

ଏହି ପୃଷ୍ଠଭୂମିର ଅବତାରଣା କରି ସେଥିରେ ସେମାନେ ଲେଖିଛନ୍ତି, “ସେବକ ଓ ପୂଜକ ଭାବରେ ଆମ୍ଭେମାନେ ନିଜ ଅଭିଜ୍ଞତାରୁ ବୁଝିଛୁ ଯେ ଅଧିକାଂଶ ଯାତ୍ରୀ ଟଙ୍କା ପଇସା ଛଡ଼ା କେବଳ ଲୁଗାପଟା ହିଁ ବିଶେଷ ଭାବରେ ଦେଇଥାନ୍ତି। … ଆମ୍ଭେମାନେ ମନ୍ଦିରରର ସେବକ, ପୂଜକ ବର୍ତ୍ତମାନ ବିଦେଶୀ ଲୁଗା ଏକାବେଳକେ ଛାଡ଼ି ସ୍ୱଦେଶୀର ପୂର୍ଣ୍ଣ ବ୍ୟବହାର ସକାଶେ ସଂକଳ୍ପ କରିଛୁ। ତେଣୁ ଆମ୍ଭମାନଙ୍କର ଯଜମାନଙ୍କଠାରେ ବିନୀତ ଅନୁରୋଧ ଯେ ଏଣିକି ସେମାନେ ଆଉ ବିଦେଶୀ ଲୁଗା ଶ୍ରୀଜିଉଙ୍କଠାରେ ଭେଟି ନଦେଇ, ଶୁଦ୍ଧ ସ୍ୱଦେଶୀ ଲୁଗା ଦାନ କରି, ଆମ୍ଭମାନଙ୍କୁ ଏ ସଂକଳ୍ପ ସାଧନରେ ସାହାଯ୍ୟ କରନ୍ତୁ। ଏଥିରେ ହିଁ ସେମାନଙ୍କର ଦାନ ପଦାର୍ଥର ସଦ୍‌ବ୍ୟବହାର ହେବ, ଦେଶର ମଙ୍ଗଳ ହେବ ଏବଂ ପ୍ରଭୁଙ୍କ କୃପାରୁ ଦାତାମାନଙ୍କର ମନୋବାଞ୍ଛା ପୂର୍ଣ୍ଣ ହେବ।”

କେଉଁ ପୃଷ୍ଠଭୂମିରେ ସେଦିନ ସେହି ନିବେଦନପତ୍ରଟି ପ୍ରସ୍ତୁତ ଓ ପ୍ରକାଶିତ ହୋଇଥିଲା, ତାହାର ସ୍ପଷ୍ଟ ସୂଚନା ମଧ୍ୟ ସେଥିରେ ଅଛି। ନିବେଦନକାରୀମାନେ ଲେଖିଛନ୍ତି, “ଦେଶରେ ବର୍ତ୍ତମାନ ଅବସ୍ଥାର ପରିବର୍ତ୍ତନ ହେଲାଣି। ଚାରିଆଡ଼େ ସ୍ୱଦେଶୀର ପ୍ରଚାର ଓ ବ୍ୟବହାରପାଇଁ ବଡ଼ବଡ଼ ପଣ୍ଡିତ, ଧର୍ମନେତା ଓ ଜନନେତାମାନେ ବ୍ୟବସ୍ଥା ଦେଉଛନ୍ତି। ସାରଦା ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସେଦିନ ଶ୍ରୀଜିଉଙ୍କ ମନ୍ଦିର ବେଢ଼ାରେ ହିନ୍ଦୁଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ ସ୍ୱଦେଶୀ ବସ୍ତ୍ର ବ୍ୟବହାର କରି ଧର୍ମରକ୍ଷା ସକାଶେ ଉପଦେଶ ଦେଇଯାଇଛନ୍ତି। ଦେଶରେ ମଧ୍ୟ ଯଥେଷ୍ଟ ପରିମାଣରେ ସ୍ୱଦେଶୀ ହାତକଟା ସୂତାର ଲୁଗା ମିଳିଲାଣି।”

ଏଥିରୁ ସ୍ପଷ୍ଟ ଯେ ହାତକଟା ସୂତାର ଲୁଗା ହିଁ ନିବେଦକମାନଙ୍କ ଦୃଷ୍ଟିରେ ଏବଂ ଏହି ନିବେଦନପତ୍ରର ପ୍ରକାଶକ, ସଂପାଦକ ଗୋପବନ୍ଧୁଙ୍କ ଦୃଷ୍ଟିରେ ଥିଲା ‘ସ୍ୱଦେଶୀ’ ଏବଂ କଳଲୁଗା ବିଦେଶୀ। ତାହା ମଧ୍ୟ ସେଦିନ ଥିଲା ସ୍ୱଦେଶୀ ଆନ୍ଦୋଳନର ଏକ ଅଂଶବିଶେଷ। କିନ୍ତୁ ନିବେଦନପତ୍ରଟି ଲେଖିଥିଲେ ମଧ୍ୟ, ଶ୍ରୀମନ୍ଦିରର ରୀତିନୀତିରେ ଯେ ସ୍ୱଦେଶୀ ବ୍ୟବସ୍ଥାର ଏକ ସୁଦୀର୍ଘ ପରମ୍ପରା ରହିଆସିଛି, ତାହା ନିବେଦନକାରୀମାନେ ଅସ୍ୱୀକାର କରିପାରି ନଥିଲେ। ତେଣୁ ସେଥିରେ ସେମାନେ କହିଛନ୍ତି, “ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦେବଙ୍କ ମନ୍ଦିର ପ୍ରତିଷ୍ଠା ସମୟରୁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ କୌଣସି ବିଦେଶୀ ଜିନିଷ ବ୍ୟବହାର ହୋଇନାହିଁ। ବିଦେଶୀୟ ଚିନି, କିରାସିନି ତେଲ ପ୍ରଭୃତି ଏ ପର୍ଯ୍ୟନ୍ତ ମନ୍ଦିର ହତା ଭିତରେ ପଶି ନାହିଁ। ଏପରିକି, ବିଲାତିଆଳୁ ଗୋଟିଏ ଉତ୍କୃଷ୍ଟ ପରିବା, ଆମ ନିଜ ଦେଶରେ ଯଥେଷ୍ଟ ପରିମାଣରେ ଉତ୍ପନ୍ନ ହେଲାଣି; ତଥାପି କେବଳ ‘ବିଲାତୀ’ ଗନ୍ଧ ଦେହରେ ବାଜିଥିବାରୁ ତାହା ଆଜିପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଭୋଗରେ ଲାଗିପାରି ନାହିଁ।”

ଏଣୁ ଶ୍ରୀମନ୍ଦିରର ଏହି ଦୃଢ଼ ‘ସ୍ୱଦେଶୀ’ ପରମ୍ପରା ଥିବାବେଳେ, ସତରେ କ’ଣ ସେଦିନ ବିଦେଶୀବସ୍ତ୍ରର ପ୍ରବେଶ ଘଟିଥିଲା? ଏ ନେଇ ଦ୍ୱନ୍ଦ୍ୱ ବି ସେହି ନିବେଦନପତ୍ରରେ ପ୍ରକଟିତ। ନିବେଦନକାରୀମାନେ କହିଛନ୍ତି, “ବିଶୁଦ୍ଧ ସ୍ୱଦେଶୀ ବସ୍ତ୍ରର ଅଭାବରୁ ଓ ଆମ୍ଭମାନଙ୍କ ହେଳାରୁ ଗଲା ୨୦/୨୫ ବର୍ଷ ହେବ କ୍ରମେକ୍ରମେ ବିଦେଶୀ ଲୁଗାର ବ୍ୟବହାର ମନ୍ଦିରରେ ଚଳିଆସିଲାଣି। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସକାଶେ ଖଣ୍ଡପଡ଼ା ପ୍ରଭୃତି ଓଡ଼ିଶା ଗଡ଼ଜାତ ମୁଲକରୁ ଶୁଦ୍ଧ ହାତକଟା ସୂତାରେ ଲୁଗା ତିଆରି ହୋଇ ଆସିବାର ମହାପ୍ରଭୁଙ୍କ ଖଞ୍ଜା ଅଛି। ତାହା ଏ ପର୍ଯ୍ୟନ୍ତ ମଧ୍ୟ ଆସୁଛି। କେବଳ ଯାତ୍ରୀ ଓ ଭକ୍ତମାନେ ଏ ନୀତିର ବ୍ୟତିକ୍ରମ ଘଟାଉଛନ୍ତି। ଅବଶ୍ୟ, ଯଥେଷ୍ଟ ପରିମାଣରେ ସ୍ୱଦେଶୀ ଲୁଗା ନମିଳିବାରୁ ଏପରି ଘଟିଛି ଏବଂ ସେବକ, ପୂଜକମାନେ ବାଧ୍ୟ ହୋଇ ତାହା ଗ୍ରହଣ କରୁଛନ୍ତି।”

ଏଣୁ ଏଥିରୁ ସୁସ୍ପଷ୍ଟ ଯେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗିପାଇଁ ଶୁଦ୍ଧ ସ୍ୱଦେଶୀ ବସ୍ତ୍ରର ବ୍ୟବସ୍ଥା ଥିବାବେଳେ ଏବଂ ସେ ବ୍ୟବସ୍ଥା ଅବ୍ୟାହତ ରହିଥିବାବେଳେ, ବିଦେଶୀବସ୍ତ୍ର ସମସ୍ୟା କେବଳ ଥିଲା ବାହାରର ଯାତ୍ରୀ ଓ ଭକ୍ତମାନଙ୍କ ଦାନରେ। ଶ୍ରୀମନ୍ଦିର ପରମ୍ପରାରେ ଯାତ୍ରୀ ଓ ଭକ୍ତମାନଙ୍କର ଦାନ ଯେ ନିଶ୍ଚିତ ଭାବରେ ଶ୍ରୀବିଗ୍ରହମାନଙ୍କୁ ଲାଗି ହେବ, ସେ ବିଧାନ ନାହିଁ।

ଏ ପ୍ରସଙ୍ଗରେ ପ୍ରଶ୍ନ ଉଠେ, ଏହି ନିବେଦନକାରୀମାନଙ୍କ ମଧ୍ୟରେ କେହି ସିଂହାରୀ ସେବକ କି ଚାଙ୍ଗଡ଼ା ମେକାପ ସେବକ ଥିଲେ କି? ଅନୁଧ୍ୟାନରୁ ଜଣାଯାଏ, ଏହି ନିବେଦନକାରୀମାନେ ହୁଏତ ପଞ୍ଜାବ, ରାଜସ୍ଥାନ ଆଦିର ଯାତ୍ରୀ ପରିଚର୍ଯ୍ୟାକାରୀ, ଶ୍ରୀମନ୍ଦିରର ଶୃଙ୍ଖଳା ରକ୍ଷାକାରୀ ବା ପୁଷ୍ପାଦି ଯୋଗାଣକାରୀ ସେବକ। ଶ୍ରୀବିଗ୍ରହମାନଙ୍କ ପୁଷ୍ପ ବା ବସ୍ତ୍ର ଆଭୂଷଣକାରୀ ସିଂହାରୀ ସେବକ ବା ଚାଙ୍ଗଡ଼ା ମେକାପ ସେବକ ଏମାନଙ୍କ ମଧ୍ୟରେ କେହି ହେଲେ ନାହାନ୍ତି।

ଏଣୁ ସ୍ୱଦେଶୀ ଶ୍ରୀମନ୍ଦିରରେ ବିଦେଶୀ ବସ୍ତ୍ର ବାବଦରେ ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ବିଦେଶୀ ବସ୍ତ୍ର ସେଦିନ ଶ୍ରୀମନ୍ଦିରରେ ବ୍ୟବହାର ହେଉନଥିଲା କି ଆଜି ବି ବ୍ୟବହାର ହେଉ ନାହିଁ। ଏ ନେଇ ବିବାଦ ସେଦିନର ସ୍ୱଦେଶୀ ଆନ୍ଦୋଳନର ଏକ ପ୍ରତିଫଳନମାତ୍ର। ଏହା ସ୍ୱଦେଶୀ ‘ଛିଟ’ କନାକୁ ବିଦେଶୀ ‘ଚୀନା’ କନା କହିବା ପରି ଏକ ଅଯଥାର୍ଥ କଥା।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର