ବହିର ଅନନ୍ୟ ଆକର୍ଷଣ

ମାନସ ର˚ଜନ ସାମଲ

ଏହି ଆଲେଖ୍ୟଟି କେବଳ ପାଠକଙ୍କ ପାଇଁ ନୁହେଁ ବା ସାହିତ୍ୟ ସୃଷ୍ଟି ପ୍ରତି ସମର୍ପିତ ସ୍ରଷ୍ଟାଙ୍କ ସକାଶେ ନୁହେଁ; ଏହା ସେହି ସମସ୍ତଙ୍କ ଲାଗି ଯେଉଁମାନେ ଶିକ୍ଷିତ ଓ ଚାହିଁଲେ ବହିଟିଏ କିଣି ପଢ଼ିପାରିବେ।

ଉଲ୍ଲେଖନୀୟ ଯେ, ବିକ୍ରିବଟା ସମସ୍ୟା ଠାରୁ ଆରମ୍ଭ କରି ଉତ୍କୃଷ୍ଟ ଲେଖାର ଅଭାବ କାରଣରୁ ଓଡ଼ିଆ ପତ୍ରପତ୍ରିକା, ଗଳ୍ପ, ଉପନ୍ୟାସ (ଗଳ୍ପ ପତ୍ରିକା ‘କଥା’ଭଳି ଅଳ୍ପ କେତେକ ବ୍ୟତୀତ)ର ବିଳମ୍ବିତ ବା ଅନିମୟିତ ପ୍ରକାଶନ ଦେଖିବାକୁ ମିଳିଥାଏ। ଏହା ପ୍ରକାଶକଙ୍କୁ ବିବ୍ରତ କରୁଛି ମଧ୍ୟ। ସାଜସଜ୍ଜା ବା ବାଣ ରୋଷଣି ଦ୍ବାରା ନୁହେଁ, ଉଚ୍ଚକୋଟୀର ମୌଳିକ ଲେଖାରେ ହିଁ ପତ୍ରପତ୍ରିକା ସମୃଦ୍ଧ ହେବା ଆବଶ୍ୟକ। କିନ୍ତୁ ଅନେକ କ୍ଷେତ୍ରରେ ତାହା ଦେଖା ଯାଉନାହିଁ; ବହି ଭିତରେ ଭଲ ଲେଖା ନାହିଁ ଅଥଚ ପରିପାଟୀ ଅତ୍ୟନ୍ତ ଆକର୍ଷଣୀୟ। ତେଣୁ ବହି ବା ପତ୍ରପତ୍ରିକା ପଢ଼ିବା ପ୍ରତି ପାଠକୀୟ ରୁଚି କମିବାରେ ଲାଗିଛି। ଏବେ ଦେଖାଯାଉଛି ଯେ ବହି ପଢ଼ିବା ଲାଗି ତ ଦୂରର କଥା, ଘରେ ସଜେଇ ରଖିବା ପାଇଁ ସୁଦ୍ଧା ବହି ଖଣ୍ତେ କିଣିବାକୁ ଆଗ୍ରହ ପ୍ରକାଶ ପାଉନାହିଁ। ଏହା ଉଚ୍ଚକୋଟୀର ଲେଖକଙ୍କୁ ହତାଶ କରିବ ନିଶ୍ଚୟ। କିନ୍ତୁ ସେଇଭଳି ଭାବେ ଉଚ୍ଚକୋଟୀର ମୌଳିକ ଲେଖାର ଅଭାବରୁ ତ ପାଠକ ମରୁଡ଼ି ସୃଷ୍ଟି ହୋଇଛି। ତେଣୁ ଏହା ଏକ ‘କ୍ୟାଚ୍‌ ୨୨’ ଭଳି ସ୍ଥିତି!

କୁହାଯାଇଥାଏ ଯେ ଯେଉଁ ଘରେ ବହି ନାହିଁ, ତାହା ଝରକା ନଥିବା ଘର ପରି ଆଦୌ ଆଲୋକିତ ହୋଇପାରେ ନାହିଁ। ଟଲ୍‌ଷ୍ଟୟ ଯଥାର୍ଥରେ କହିଛନ୍ତି- ମୋର ଯେଉଁ ତିନିଟି ଦ୍ରବ୍ୟର ଆବଶ୍ୟକତା ଅଛି, ସେଗୁଡ଼ିକ ହେଉଛନ୍ତି ବହି, ବହି ଆଉ ବହି। ଅନୁରୂପ ଭାବେ କନ୍‌ଫୁସିୟସ୍‌ କହିଥିଲେ- ଜୀବନରେ ଯେତେ ବ୍ୟସ୍ତ ଥାଅ ନା କାହିଁକି ପଠନ ପାଇଁ କିଛି ସମୟ ବାହାର କରିବା ନିହାତି ଜରୁରୀ। ନଚେତ୍‌ ତୁମେ ଅଜ୍ଞତାର ଅନ୍ଧାର ଭିତରେ କେଉଁଠି ହଜିଯିବ। ସେଥିପାଇଁ ତ ପୁସ୍ତକ ପଢ଼ୁଥିବା ଏବ˚ ପୁସ୍ତକକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏପ୍ରିଲ ୨୩ ତାରିଖରେ ‘ବିଶ୍ବ ପୁସ୍ତକ ଦିବସ’ ପାଳିତ ହେଉଛି। ପୁସ୍ତକ ଚାହିଦାକୁ ଆଗକୁ ବଢ଼ାଇ ପାଠକଙ୍କ ମନରେ ପୁସ୍ତକ ପ୍ରେମକୁ ଜାଗ୍ରତ କରିବା ପାଇଁ ୟୁନେସ୍କୋ ପକ୍ଷରୁ ୧୯୯୫ ମସିହାଠାରୁ ପ୍ରତି ବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ଭିତରେ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରାଇବା। ତେବେ, କେବଳ ଏତିକି ନୁହେଁ, ୧୯୬୭ରୁ ପ୍ରତିବର୍ଷ ଏପ୍ରିଲ ୨ ତାରିଖରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ଶିଶୁ ପୁସ୍ତକ ଦିବସ’। ଶିଶୁ କିଶୋର ସାହିତ୍ୟର ପ୍ରଚାର ଓ ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ପ୍ରତି ବର୍ଷ ୭ ସେପ୍ଟେମ୍ବରରେ ‘ବହିଟିଏ କିଣ ଦିବସ’ ମଧ୍ୟ ପାଳନ କରାଯାଇଥାଏ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଓଡ଼ିଆ ଭାଷାରେ ରଚିତ ଭାଗବତ ବହିର ଜନ୍ମଦିନ ଭାବେ ଇନ୍ଦୁ ପୂର୍ଣ୍ଣିମା ତିଥିରେ ‘ଭାଗବତ ଜନ୍ମ’ ପାଳନ କରାଯାଇଥାଏ। ଏହି ଦିନ ଅନେକ ଓଡ଼ିଆ ଲୋକଙ୍କ ଘରେ ଭାଗବତ ପାଠ ହୁଏ। ଗୋଟିଏ ପୁସ୍ତକର ଜନ୍ମଦିନ ପାଳନର ବିରଳ ପରିକଳ୍ପନା ବୋଧହୁଏ ବିଶ୍ବରେ ଅନନ୍ୟ, ଯାହା ଓଡ଼ିଆ ସ˚ସ୍କୃତିରେ ଦେଖାଯାଇଥାଏ। ସ˚ପ୍ରତି ଟେଲିଭିଜନ୍‌ର ବ୍ୟାପକ ପ୍ରସାର ଦ୍ବାରା ବହି ବଜାର ବିଶେଷ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ତାହା ବହିର ବିକଳ୍ପ ହୋଇ ନ ପାରେ। ସେହିଭଳି ସାମାଜିକ ଗଣମାଧ୍ୟମ ମୁଦ୍ରିତ ସୃଷ୍ଟିର ସ୍ଥାନ ନେଇ ନ ପାରେ। ଏଥିରୁ ନୂଆ ବହିଟିର ବାସ୍ନା ମିଳିବ କାହୁଁ?

ଓଡ଼ିଶାରେ ପତ୍ରପତ୍ରିକାର ଇତିହାସ ଦେଖିଲେ ଆଜକୁ ପ୍ରାୟ ଦେଢ଼ଶହ ବର୍ଷରୁ ଅଧିକ ତଳକୁ ଯିବାକୁ ହେବ। ଶିକ୍ଷାର ପ୍ରସାର ସହ ତାଳ ଦେଇ ଏବେ ପୁସ୍ତକ, ପତ୍ରିପତ୍ରିକା ପ୍ରକାଶନର ମାନ ବୃଦ୍ଧି ପାଇଛି। କିନ୍ତୁ ସମାନୁପାତିକ ଭାବେ ସଂଖ୍ୟା ବୃଦ୍ଧି ପାଉନାହିଁ। ଆମ ରାଜ୍ୟର ଲୋକ ସ˚ଖ୍ୟା ପ୍ରାୟ ସାଢ଼େ ଚାରି କୋଟିରୁ ଅଧିକ ହେଲାଣି। ସେହି ଅନୁପାତରେ ବହି ବା ପତ୍ରପତ୍ରିକାର ପ୍ରକାଶନ ଓ ପ୍ରସାର ସ˚ଖ୍ୟା ନିହାତି ମାମୁଲି। ଲେଖକ ଓ ପାଠକ ଉଭୟ ହିଁ ଆମର ବଡ଼ ପୁଞ୍ଜି। ଯେତେବେଳେ ପାଠକମାନେ ବହି, ପତ୍ରପତ୍ରିକା କିଣି ପଢ଼ନ୍ତି, ସେତେବେଳେ ସେଗୁଡ଼ିକ ଜୀବନ ପାଉଥାଆନ୍ତି। ପାଠକ ଦ୍ବାରା ଲୋଡ଼ା ଯାଉ ନ ଥିବା ପୁସ୍ତକ ବା ପତ୍ରପତ୍ରିକା ଅଚିରେ ବିସ୍ମୃତ ହୋଇ ଯାଆନ୍ତି। ଅନେକ ବିସ୍ମୃତ ପୁସ୍ତକ ପୁନଃ ପାଠକୀୟ ଆଗ୍ରହରେ ପୁନର୍ଜୀବନ ଲାଭ କରନ୍ତି। ତେବେ କ୍ଲାସିକ ପର୍ଯ୍ୟାୟର ପୁସ୍ତକଗୁଡ଼ିକ ନିରବଚ୍ଛିନ୍ନ ପାଠକୀୟ ଆକର୍ଷଣ ସୃଷ୍ଟି କରି କାଳଜୟୀ ହୁଅନ୍ତି। ଆମ ଭାଷାରେ କାହ୍ନୁଚରଣ ବା ଗୋପୀନାଥ ମହାନ୍ତି ବା ସୁରେନ୍ଦ୍ର ମହାନ୍ତି ବା ବାମାଚରଣ ମିତ୍ର ବା ଭଗବତୀ ପାଣିଗ୍ରାହୀ ବା ଗୋଦାବରୀଶ ମହାପାତ୍ର: ଏମାନଙ୍କ ଅନେକ ଉପନ୍ୟା‌ସ ଓ ଗଳ୍ପ ଏହିଭଳି କାଳଜୟୀ ଶ୍ରେଣୀର।

ବହି ହେଉଛି ଏକ ପରିପୂର୍ଣ୍ଣ ପୃଥିବୀ। ଏହି ବାସ୍ତବତାକୁ ପାଠକ ହୃଦ୍‌ବୋଧ କରିବାକୁ ପଡ଼ିବ। ଏହା ମଧ୍ୟ ହୃଦୟଙ୍ଗମ କରିବାକୁ ହେବ ଯେ ପିଲା ଦିନରୁ ପଠନ ରୁଚି ବଢ଼ାଇବାରେ ଅଭିଭାବକ, ଶିକ୍ଷକ ଓ ଗୁରୁଜନମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କରୋନା ଭଳି ଦୁର୍ବିପାକରେ ଯେତେବେଳେ ପୃଥିବୀ ତାଲାବନ୍ଦ ଭିତରେ ରହିଥିଲା ଓ ଲୋକେ ଏକାନ୍ତ ବାସରେ ଥିଲେ, ସେତିକି ବେଳେ ଅନେକଙ୍କ ପାଖକୁ ବହି ପଢ଼ାର ଅଭିରୁଚି ପୁଣି ଫେରି ଆସିଥିଲା। ଅତ୍ୟନ୍ତ ଦ୍ରୁତ ପ୍ରତିଦ୍ବନ୍ଦ୍ବିମୟ ଜୀବନରେ ମଗ୍ନ ଥିବା ଲୋକେ ହଠାତ୍‌ ନିଜକୁ ସ୍ଥିର ଏବଂ କାର୍ଯ୍ୟହୀନ ସ୍ଥିତିରେ ପାଇ ବହି ପଢ଼ା ଆରମ୍ଭ କରିଥିଲେ। କରୋନା କାଳରେ ନୂଆ ଅନୁଭୂତି ଭାବେ ଏହା ଅ‌େନକ ପ୍ରକାଶ ମଧ୍ୟ କରିଥିଲେ। ଏହି ପୁନଃ ଆବିଷ୍କୃତ ରୁଚି ବା ପସନ୍ଦ ବଳବତ୍ତର ରହି ଯଦି ଏକ ଅଭ୍ୟାସରେ ପରବର୍ତ୍ତିତ ହୁଅନ୍ତା, ‌େତବେ ବହି ପାଇଁ ନୂଆ ଆଶା, ନୂଆ ସ୍ବପ୍ନ ଫେରି ଆସନ୍ତା।

(ଏପ୍ରିଲ ୨୩ ‘ବିଶ୍ବ ପୁସ୍ତକ ଦିବସ’ ଉପଲକ୍ଷେ)

ମୋ: ୮୩୨୭୭୪୦୩୮୩
[email protected]

ସମ୍ବନ୍ଧିତ ଖବର