ଆଜିର ରୋଗ ଚିଂତା ଓ ପଳାପଳି

ନୀଳକଂଠ ରଥ

ଆଜିଠାରୁ ବର୍ଷକ ତଳେ ଆରଂଭ ହୋଇଥିବା ନୂଆ ରୋଗ, କୋଭିଡ୍‌-୧୯, ଲୋକଂକୁ ଓ ସରକାରଂକୁ ବି ଆଶା ଓ ନିରାଶାର ଢେଉ ଉପରେ ଉଠେଇ ପକେଇ ନୟାଂତ କଲାଣି। ଲୋକଂକ ଭିତରେ ତା’ ପସରିବାର ବାଟ ଓ ତାହା ରୋକିବାର ଉପାୟ ବାବଦରେ ବି ବେଳକୁ ବେଳ ବିଭିନ୍ନ ଖବର ଓ ଉପଦେଶ ଉପସ୍ଥାପିତ ହେଉଚି। ଆଗ କୁହାଗଲା ଯେ ଏ ରୋଗ ଜଣେ ରୋଗୀ ଠାରୁ ଆଉ ଜଣକୁ ଲାଗିବାର ବାଟ ହେଲା– ରୋଗଗ୍ରସ୍ତ (ତାହାର ରୋଗ ହେବାର ବାହ୍ୟ ଲକ୍ଷଣ ଥାଉ, ନ ଥାଉ) ବ୍ୟକ୍ତି ଖାସିଲେ, ଛିଂକିଲେ, ହାଇ ମାଇଲେ, କଥା କହିଲେ, ହସିଲେ, ତା’ ତୁଂଡ ଓ ନାଳରୁ ବାହାରି ପଡୁଥିବା ତରଳ ପଦାର୍ଥରେ ସେ ରୋଗର ବୀଜାଣୁ ଥାଆଂତି। ସେ ତରଳ ପଦାର୍ଥର ଅପେକ୍ଷାକୃତ ବଡ଼ ବିଂଦୁ ପାଂଚ ଛଅ ଫୁଟ ପର୍ଯ୍ୟଂତ ଯାଇ ତଳେ ପଡ଼ିଯାଏ। ଅତି କ୍ଷୁଦ୍ର କଣାମାନ ପବନରେ ଉଡ଼ି ବେଶି ବାଟକୁ ଯାଇପାରଂତି। ତେଣୁ ପାଖରେ ଥିବା ବ୍ୟକ୍ତିଂକ ଶ୍ବାସ ବାଟେ ବଡ଼ ବିଂଦୁର ବୀଜାଣୁ ତାଂକ ଶରୀରରେ ପ୍ରବେଶ କରିବାର ସଂଭାବନା। ତେଣୁ କୁହାଗଲା, ମୁହଁ ଓ ନାକ ଉପରେ ମୁଖା ପିଂଧିବା ଆବଶ୍ୟକ, ଦୂରତା ରଖିବା ଦରକାର। ତା’ ଫଳରେ ରୋଗୀଠାରୁ ତରଳ ପଦାର୍ଥ ବାହାରି ପସରିବାର ସଂଭାବନା ନଥିବ ଓ ପାଖ ଲୋକଂକ ନିଜ ତୁଂଡ଼-ନାକ ବାଟେ ସେ ବୀଜାଣୁ ଦେହରେ ପଶିବା ବି ସହଜ ହେବନାହିଁ। ଏବେ ଖବର କାଗଜରେ ବାହାରିଲା ଯେ ଲାନସେଟ୍ ପତ୍ରିକାରେ ବିଶେଷଜ୍ଞ ଲେଖିଚଂତି ଯେ ଏ ରୋଗର ଜୀବାଣୁ ପବନରେ ପସରେ। ତେଣୁ ମନରେ ପ୍ରଶ୍ନ ଉଠିଲା, ଏ ମୁଖା ପିଂଧାର କି ଲାଭ?

ବାସ୍ତବିକ ଏ ପ୍ରକାରର ଖବର ଲୋକଂକୁ ସଚେତ କରିବା ପରିବର୍ତ୍ତେ ବିଭ୍ରାଂତ କରାଉଚି। ପ୍ରଥମ କଥା, ରୋଗର ବୀଜାଣୁ ତୁଂଡରୁ ବାହାରି ପବନରେ ହିଁ ପସରିବ। ଏହା କିଛି ନୂଆ କଥା ନୁହେଁ। ବଡ଼ ତରଳ ବିଂଦୁ ପବନରେ ବେଶି ବାଟ ଯାଇ ପାରିବ ନାହିଁ। ତେଣୁ ପାଖରେ ଥିବା ଲୋକଂକୁ ଏହାର ସଂକ୍ରମଣ ଅପେକ୍ଷାକୃତ ସହଜ। ଅତି କ୍ଷୁଦ୍ର ତରଳ ବିଂଦୁ ପବନରେ ବେଶି ବାଟ ଉଡ଼ି ଯାଇ ପାରିବ। ମାତ୍ର ଏଠାରେ ମନେ ରଖିବାର କଥା, ବଡ଼ ବିଂଦୁରେ ବେଶି ପରିମାଣ ବୀଜାଣୁ; ଅତି କ୍ଷୁଦ୍ର ବିଂଦୁରେ ଅତି କମ୍ ପରିମାଣର ବୀଜାଣୁ। ତା’ ଉପରକୁ ଏ କୋଭିଡ୍‌ ବୀଜାଣୁର ପରିମାଣ ସବୁ ରୋଗୀଂକ ଦେହରେ ସମାନ ପରିମାଣରେ ନଥାଏ। ବ୍ୟକ୍ତି-ବ୍ୟକ୍ତି ଭିତରେ ମିଳିମିଳା (ଶ୍ବାସଜନିତ) ରୋଗର ବୀଜାଣୁର ଫରକ ଅପେକ୍ଷାକୃତ କମ୍, ମାତ୍ର ଏ ନୂଆ ରୋଗର ବୀଜାଣୁର ପରିମାଣ ବ୍ୟକ୍ତି-ବ୍ୟକ୍ତି ଭିତରେ ବହୁତ ବେଶି। ତେଣୁ ପବନରେ କେତେ ଉଡ଼ିବ ତାହା ବ୍ୟକ୍ତି-ବ୍ୟକ୍ତି ଭିତରେ ଭିନ୍ନ ହେବ। ତା’ ବାଦ୍, ଆମେ ପାର୍କରେ ବସି କଥା ହେଲାବେଳେ ପବନ କେଉଁଆଡ଼େ କେତେ ଦୂର କ୍ଷୁଦ୍ର ବିଂଦୁକୁ ନେବ, ଜଣା ନାହିଁ। ତେଣୁ ସେଠାରେ ପବନ ଦ୍ବାରା ଆକ୍ରାଂତ ହେବାର ସଂଭାବନା ବହୁତ କମ୍। ମାତ୍ର ହୋଟେଲ-ରେସ୍ତୋରାଁରେ ବସି କଥା ହେଲା ବେଳେ ପାଖ ଟେବୁଲ୍‍ରେ ବସିଥିବା ଲୋକଂକୁ ଏହା ଲାଗିବା ଅପେକ୍ଷାକୃତ ସହଜ। ସେଥିରୁ, ଶୀତ-ତାପ ନିୟଂତ୍ରିତ ବଖରା ଥିଲେ ସେଇ ପବନ ଘର ଭିତରେ ବୁଲିବା ଫଳରେ ରୋଗ ଲାଗିବାର ସଂଭାବନା ବହୁତ ବେଶି। ଏହାର ଅର୍ଥ ପବନରେ ଯାଉଥିବାରୁ ମୁଖାର କିଛି କାମ ନାହିଁ ଭାବିବା ମୁର୍ଖତା। ଅତି କ୍ଷୁଦ୍ର ବିଂଦୁର ରୋଗ ପସରାଇବାର ସଂଭାବନା ପାର୍କରେ କମ୍, ରେସ୍ତୋରାଁରେ ବେଶି। ଏ ସବୁ ନ ଲେଖି, ଖାଲି ପବନରେ ପସରେ ବୋଲି କହି ବାହୁସ୍ଫୋଟ ମାରିବାର କାରଣ ନାହିଁ।

ସେମିତି କୋଭିଡ୍‌ ଟିକା ବାବଦରେ। କୋଭିଡ୍‌ ଟିକା ନେବା କି ନ ନେବା ଏ ବିଷୟରେ ବି ଅନେକଂକର ସଂଦେହ। ଯଦି ଟିକା ନେଇଥିଲେ ବି ଏ ରୋଗ ଲାଗିବାର ସଂଭାବନା, ତେବେ କିଆଁ ନେବା? ଏ ପର୍ଯ୍ୟଂତ ପୃଥିବୀରେ କେବଳ ଦି-ଚାରିଟି ଟିକା ବାହାରିଚି, ଯାହାକୁ ଠିକଣାରେ ନେଲେ ସେ ରୋଗ ଆଉ ହେବ ନାହିଁ- ବସଂତ, ପୋଲିଓ, ୟେଲୋ ଫିଭର ଭଳି। ବାକି ସବୁ ରୋଗର ଟିକା ନେଲେ ବି ସେ ରୋଗ ଲାଗିବାର ଅଳ୍ପ ବହୁତ ସଂଭାବନା ଅଛି। କୋଭିଡ୍‌ ବାବଦରେ ବି ସେଇଆ- ଟିକା ପୂରା ନେଇ ସାରିଥିଲେ ବି ୨୦ ବା ୩୦ ବା ୪୦ ଶତାଂଶ ଲୋକଂକୁ ଲାଗିବାର ସଂଭାବନା। ମାତ୍ର ଲାଗିଲେ ବି ତାହା ମାଂଦା ଅବସ୍ଥାରେ ରହିବ, ବେଶି ବଢ଼ି କଷ୍ଟପ୍ରଦ ହେବ ନାହିଁ। ହେଲେ, ଟିକା ନେଇଥିବା ଲୋକଂକ ଦେହରେ ଏ ରୋଗ ପଶିବନି ବୋଲି କହି ହେବନି। ତେଣୁ ଏମାନଂକ ସଂସ୍ପର୍ଶରେ ଆସିଲେ ନ ନେଇଥିବା ଲୋକଂକୁ ବି ହେବାର ସଂଭାବନା। କେତେ ଅନୁପାତରେ ଲୋକ ଟିକା ନେଇଥିଲେ ବାକିମାନଂକୁ ରୋଗ ନ ଲାଗିବା ସଂଭବ (ହର୍ଡ ଇମ୍ୟୁନିଟି) ତାହା ଆଗରୁ ହିସାବକରି କହିବା କଷ୍ଟ। ତେଣୁ ଟିକା ନେବାଟା ବୁଦ୍ଧିମାନର କାମ।

ଆମ ଦେଶରେ ଲୋକସଂଖ୍ୟା ପ୍ରଚଂଡ। ତେଣୁ ଯେତେ ପ୍ରକାରର ଟିକା ଉପଲବ୍‌ଧ ସବୁକୁ ଦେଶରେ ବ୍ୟବହାରକୁ ଆଣିବା ଉଚିତ। ଆମେରିକା-ୟୁରୋପରେ ଉପଲବ୍‌ଧ ମହରଗିଆ ଟିକା, ଯାହା ବହୁତ ବେଶି ଶୀତଳ ଭଂଡ଼ାରରେ ରଖିବା ଆବଶ୍ୟକ, ସେଭଳି ଟିକାଂକୁ ସରକାର ଆରଂଭରୁ ଦେଶ ବଜାରରେ ବିକିବାର ଅନୁମତି ଦେଇଥିଲେ, ପଇସାବାଲେ ତାହା ନେଇ ଥାଆଂତେ। ଦେଶରେ ଟିକା ନେଲାଂକ ସଂଖ୍ୟା ବଢ଼ିଥାଆଂତା। ଅନ୍ୟ ଟିକା ତିଆରି କଲାବାଲାକୁ ଆଗରୁ ଅନୁମତି ଦେବାର ଥିଲା। ଯେତେ ବେଶି ଟିକା ଆସିବ ସେତେ ଭଲ। ସରକାର ମାଗଣାରେ ମାତ୍ର କେତେକ ଟିକା ଦିଅଂତେ। ଏବେ ଏ ଯେଉଁ ଟିକା ଅଭାବ ସମସ୍ୟା, ସେଥି ପାଇଁ ସରକାରଂକ ଅଦୂରଦର୍ଶୀ ବ୍ୟବସ୍ଥା ଦାୟୀ କହିଲେ ଭୁଲ୍ ହେବ କି?

କେତେକ କହିବା ଆରଂଭ କଲେଣି: ଏବେ ଯେଉଁ କୋଭିଡ୍‌-୧୯ର ଘଟ ପରିବର୍ତିତ ନୂଆ ବୀଜାଣୁ ବାହାରିଲାଣି, ତାହା ଫଳରେ ବୋଧହୁଏ ଏ ରୋଗ ବେଶି ଜୋରରେ ପସରୁଚି, ଏବଂ ତା ହୋଇଥିଲେ ଏ ଟିକା କାମ କରିବ କି ନାଇଁ କିଏ ଜାଣେ ବୋଲି ଚର୍ଚା ଆରଂଭ ହେଲାଣି। କଥାର ଅର୍ଥ କଅଣ? ବୀଜାଣୁ ପୁରୁଣା ଦେହରୁ ନୂଆ ଦେହକୁ ଗଲା ବେଳେ ତହିଁରେ କେତେକ “ଭୁଲ” ହୋଇଯାଏ। ଜୈବସ୍ତରରେ ଏହା କିଛି ଅପ୍ରାକୃତିକ ଘଟଣା ନୁହେଁ। ଏହା କେତେ ବିସ୍ତୀର୍ଣ କେତେ ଦୂରଗାମୀ ତାହା ବୈଜ୍ଞାନିକ ଅନୁସଂଧାନର ବିଷୟ। ମାତ୍ର ଅଳ୍ପ କେତେଟା ଲୋକଂକ ପରୀକ୍ଷାରୁ ଏହାର ବ୍ୟାପକତା ଇତ୍ୟାଦି ସ୍ଥିର କରାଯାଇ ପାରିବନାହିଁ। ଆମ ଦେଶରେ ଏ ପ୍ରକାରର ଅନୁସଂଧାନ ଯେତେ ହେବାର କଥା ତହିଁ ଅପେକ୍ଷା ବହୁତ କମ୍ ହୋଇଛି। ତେଣୁ ଏ ପ୍ରକାରର ଘଟ ପରିବର୍ତନ କିପରି ଓ କେତେ ତାହା ଦୃଢ଼ଭାବରେ କହିବା ସଂଭବ ନୁହେଁ ବୋଲି ଜବାବଦାର ଶାସ୍ତ୍ରଜ୍ଞଂକ କହିବା କଥା।

ଆଉ ଏକ ଦୁର୍ଦଶା- ରେମ୍‍ଡେସିଭିର୍ ନାମକ ଔଷଧ ପାଇଁ ଲୋକେ ବାର ଦୁଆର ତେର ପିଂଡ଼ା ହେଉଚଂତି, ବହୁତ ଟଂକା ଦେଇ ଚୋରା ବଜାରରେ କିଣୁଚଂତି, ତାଂକ ପରିବାରର ଲୋକଂକୁ ବଂଚାଇବା ପାଇଁ। ଇଂଡିଅନ୍ ମେଡିକଲ୍ ଆସୋସିଏସନର କହିବା କଥା, ଏ ଔଷଧ କୋଭିଡ୍‌ର କେବଳ ପ୍ରାଥମିକ ସ୍ତରରେ ଦେଲେ ଏହା ରୋଗର ତୀବ୍ରତାକୁ କମେଇପାରେ। ମାତ୍ର, ରୋଗ ଆଗେଇ ଯାଇଥିଲେ ଏ ଔଷଧର ବ୍ୟବହାର ମୂଲ୍ୟହୀନ। ଅନେକ ସମୟରେ ଡାକ୍ତରଖାନାରେ ଡାକ୍ତର ପରିବାରଂକ ଆଗ୍ରହ ଫଳରେ ଦେବାକୁ ବାଧ୍ୟ ହୁଅଂତି, ଜାଣି ଓ କହି ବି ଏହାର କୌଣସି ଉପକାର ହେବ ନାହିଁ ବୋଲି। ମାତ୍ର ଲୋକଂକୁ ଏଥିରୁ ପରାବୃତ କରିବା ପରିବର୍ତ୍ତେ ସରକାର ଏହାର ଉତ୍ପାଦନ ବୃଦ୍ଧି, ରପ୍ତାନି ଉପରେ କଟକଣା, ଯୋଗାଣର ସରକାରୀ ବ୍ୟବସ୍ଥା କରି ଲେକଂକୁ ଧାରଣା ଦେଉଛଂତି ଯେ ଏହା ରୋଗୀଂକ ପାଇଁ ଭାରି ମୂଲ୍ୟବାନ ଔଷଧ। କାହାକୁ କହିବା?

ଆଜି ପୁଣି ଜୋରରେ ରୁଗ୍‍ଣ ସଂଖ୍ୟା ବଢ଼ିବାରେ ଲାଗୁଚି। ମାତ୍ର ଜାଣକାରଂକ କହିବା କଥା ଏହା କିଛି ଅସ୍ବାଭାବିକ ନୁହେଁ। ୧୯୧୮-୨୦ର ଇନଫ୍ଲୁଏଂଜା ମହାମାରୀ ବେଳେ ଏହିପରି ହୋଇଥିଲା। ମୁଁ ରହୁଥିବା ପୁଣେ ସହର କଥା କହେ। ବର୍ଷକ ତଳେ ଯେତେବେଳେ ଏ ମହାମାରୀ ଆରଂଭ ହେଲା, ସେତେବେଳେ କାମଗାର ଲୋକଂକ ବସ୍ତି, ଝୋପଡପଟ୍ଟି- ଯେଉଁଠି ସାମାନ୍ୟ ବଖରାରେ ବହୁତ ଲୋକ ରହଁତି, ସେଠାରେ ଏହାର ପ୍ରସାର ଆରଂଭ ହେଲା। କ୍ରମେ ବହୁ ଲୋକେ ରୁଗ୍‍ଣ ହେଲାରୁ ଏହାର ପ୍ରକୋପ ସେଠାରେ କମିଲା। ଏବେ ଆରଂଭ ହୋଇଚି ମଧ୍ୟମ ଓ ଉଚ୍ଚ-ମଧ୍ୟମ ଶ୍ରେଣୀର ଲୋକଂକ ହାଉସିଂ କଲୋନିରେ। ସେମାନେ ରହୁଥିବା ବିରାଟ ବିରାଟ ଫ୍ଲାଟ ଅଟ୍ଟାଳିକା ଏବେ ମାଇକ୍ରୋ କଂଟେନମେଂଟ ଜୋନ୍ ହୋଇଚି। କ୍ରମେ ଏହା ସଂବଂଧିତ ଗାଁଗଂଡ଼ାକୁ ବ୍ୟାପିବ। ଏ କଥା ନ ବୁଝି, ଆମେ କୋଭିଡ୍‌କୁ ଯୁଦ୍ଧରେ ହରାଇଦେଲୁ ବୋଲି ବାହୁସ୍ଫୋଟ ମାରିବାଟା ଆଜିର ଦୁର୍ଦଶାର ଏକ କାରଣ। ଆମେ ବୁଝିଥିଲେ, ଡାକ୍ତରଖାନା, ଡାକ୍ତର, ନର୍ସ, ଓଷଦ, ପ୍ରାଣବାୟୁ ଇତ୍ୟାଦିର ବ୍ୟବସ୍ଥା ଆଡ଼କୁ ଦୃଷ୍ଟିରଖି ବ୍ୟବସ୍ଥା କରିଥାଆଂତେ। ବାସ୍ତବିକ ଏ ସବୁ ସାମୟିକ ବ୍ୟବସ୍ଥା ହେବାର ନୁହେଁ। ଏହା ଦୀର୍ଘକାଳୀନ ସାମାଜିକ ସ୍ବାସ୍ଥ୍ୟ-ବ୍ୟବସ୍ଥାର କଥା। କେନ୍ଦ୍ର ସରକାର ଛାଡ଼, କୌଣସି ରାଜ୍ୟସରକାର ଏ ବ୍ୟବସ୍ଥାର ଚିଂତା ବି କଲା ପରି ଦିଶୁନି। ଢୋକେ ପି ଦଂଡ଼େ ଜି। ଶେଷକୁ ସମସ୍ତଂକୁ ଦଂଡ଼େ ଜିଇବାକୁ ହିଁ ପଡ଼ିବ।

ମୋ- ୯୪୨୨୬୫୬୦୩୨
[email protected]

ସମ୍ବନ୍ଧିତ ଖବର